Unknown

 

 

 

 

 

 

 

 

 

୧୬୦ତମ ସଂଖ୍ୟା କୋଣାର୍କ ୨୦୧୧

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ

ଶ୍ରୀ ବିଜୟ କୁମାର ନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ସୂଚୀ

ସମ୍ପାଦକୀୟ

୧.

ଓଡ଼ିଆ ଲଘୁ କବିତା

 

ବୈକୁଣ୍ଠ ନାଥ ରଥ

୨.

ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଏକ ସାମାନ୍ୟକଥନ

 

ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ

୩.

ଲିପିତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଆ

ଭାଷାର ଶାସ୍ତ୍ରୀୟତା

 

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

୪.

ଫକୀରମୋହନଙ୍କ କବିତାରେ

ବାକ୍ୟସ୍ତରୀୟ ଆନୁକ୍ରମିକତା

 

ଡ. ରବୀନ୍ଦ୍ର କୁମାର ଦାସ

୫.

ଏକ ଅନାଲୋଚିତ ଭ୍ରମଣ ଗୀତିକା :

ଭଦ୍ରଖ - ଭ୍ରମଣ

 

ଡକ୍ଟର ମନୀନ୍ଦ୍ର ମହାନ୍ତି

୬.

ଗୋପୀନାଥଙ୍କ ‘କୁଟା-କାଠିର ଗୀତ’

ଏକ ନୃତାତ୍ତ୍ୱିକ ଅନୁଧ୍ୟାନ

 

ସୁନୀତା ଶତପଥୀ

୭.

ରାଜକବି ବ୍ରଜରାଜଙ୍କ ‘ପ୍ରବନ୍ଧ ଚିତ୍ରକାବ୍ୟ’ –

ଏକ ଅଧ୍ୟୟନ

 

ଡକ୍ଟର ଶରତ ଚନ୍ଦ୍ର ଚଲାନ

୮.

ଆଦ୍ୟାଶକ୍ତି : ଏକ ତାତ୍ତ୍ୱିକ ଆଲୋଚନା

 

ଡକ୍ଟର ଶରତ ଚନ୍ଦ୍ର ପରିଡ଼ା

୯.

ଲଳିତା ସୃଷ୍ଟିର ଅନ୍ତରାଳେ

 

ଡକ୍ଟର ଅଶୋକ କୁମାର ତ୍ରିପାଠୀ

୧୦.

ଅବବୋଧରେ ଅଭିମନ୍ୟୁ

 

ଅଧ୍ୟାପକ ନାରାୟଣ ପଣ୍ଡା

୧୧.

ରାସଲୀଳା : ଉନ୍ମେଷ ଓ ବିକାଶ

 

ପ୍ରଫେସର ଡକ୍ଟର ବନମାଳୀ ରଥ

୧୨.

ଓଡ଼ିଆ ସାହିତ୍ୟକୁ ନନ୍ଦିନୀ ଶତପଥୀଙ୍କ ଅବଦାନ

 

ଡକ୍ଟର ସୁବାଷ ନାୟକ

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କସ, ମହମଦିଆ ବଜାର, କଟକ - ୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କସ, ମହମଦିଆ ବଜାର, କଟକ - ୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟାନନ୍ଦ ସିଂହ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

 

ଡକ୍ଟର ବିଜୟାନନ୍ଦ ସିଂହ

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ

 

ଯେକୌଣସି ମହାନ୍‌ ସାରସ୍ଵତ ସୃଷ୍ଟି ଆଢ଼ୁଆଳରେ ଥାଏ ଏକ ଅନନ୍ୟ ପ୍ରେରଣାର ପୃଷ୍ଠଭୂମି । ଏହି ପ୍ରେରଣା ସ୍ରଷ୍ଟାକୁ ଉଦ୍‌ବୁଦ୍ଧ କରେ, ତା’ର ଲେଖନୀକୁ କରେ ଚଳଚଞ୍ଚଳ । ସେହି ପ୍ରେରଣା ଭୌତିକ ହୋଇପାରେ, ହୋଇପାରେ କି ଆଧିଭୌତିକ । ନିଜସ୍ଵ ପୃଥିବୀ ଓ ପରିପାର୍ଶ୍ଵ ନିଜ ସମୟ ଓ ସମାଜ କେଉଁଠି ସ୍ରଷ୍ଟାଙ୍କ ସୃଷ୍ଟି ପାଇଁ ପ୍ରେରଣାର ଉତ୍ସ ହୋଇଥାନ୍ତି ତ କେଉଁଠି ସୃଷ୍ଟି ଉହାଡ଼ରେ ଥାଏ ଦୈବୀ ପ୍ରଚୋଦନା । ଧର୍ମ, ଦର୍ଶନ, ଇତିହାସ, କିମ୍ବଦନ୍ତୀ ଆଦି ବି ଅନେକ ସମୟରେ ସର୍ଜନାର ଆଧାରଶିଳା ପାଲଟିଥା’ନ୍ତି ।

 

ଓଡ଼ିଆ ସାହିତ୍ୟରେ ଏମିତି ପ୍ରେରଣା ସମ୍ଭୂତ ମହନୀୟ ସୃଷ୍ଟିର ଦୃଷ୍ଟାନ୍ତ ଅନେକ ।

 

ମାଟିର ମହାକବି ସାରଳାଦାସଙ୍କ ମହାଭାରତ ରଚନା ଥିଲା ଏ ଜାତି ଇତିହାସରେ ଏକ ବୈପ୍ଳବିକ ପଦକ୍ଷେପ । ସେତେବେଳକୁ ଦାକ୍ଷିଣାତ୍ୟର କେତୋଟି ଭାଷାରେ ବିକ୍ଷିପ୍ତ ଭାବରେ ରଚିତ ହୋଇଥିଲା ମହାଭାରତ । ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ଏପରି ଏକ ସୃଷ୍ଟିର ପରିକଳ୍ପନା ହୁଏତ କରାଯାଇନଥିଲା । ସେତେବେଳେ ଆଦିକବି ସାରଳା ଦାସ ଏକକ ଉଦ୍ୟମରେ ସମଗ୍ର ମହାଭାରତ ରଚନା କରିବାକୁ ସକ୍ଷମ ହୋଇଥିଲେ । ଏହି ରଚନା ପଛରେ ଦୈବୀ ପ୍ରେରଣା ଓ କରୁଣା ଥିବା କଥା ନିଜେ ଉଲ୍ଲେଖ କରିଛନ୍ତି ସାରଳା ଦାସ -

 

‘‘ଶ୍ରୀ ସାରୋଳା ଚଣ୍ଡୀ ନାମେ ସେ ଅଟଇ ମହାଦେବୀ

ତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି

ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀ

ଲଭତୁ କପିଳାସ ଶ୍ରୀ ମହାଭାରଥ କରି

ଶୁଣି ବୁଧଜନେ ନ ଧର ଆନ ଚିତ୍ତ

ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ ।’’

 

ନିଜକୁ ନିଗୃହିତ କରି ସାରଳା ଏପରି ଲେଖିଥାଇ ପାରନ୍ତି ବୋଲି ଅନେକ ପଣ୍ଡିତ ମତ ଦିଅନ୍ତି । ତେବେ ବାଗ୍‌ଦେବୀ ସାରଳା ଯେ ସାରଳା ଦାସଙ୍କର ପ୍ରେରଣା ଦାୟିନୀ ଥିଲେ, ଏହା କ’ଣ ଅସ୍ଵୀକାର କରିହେବ ?

 

ସେମିତି ଏକ ଦୈବୀ ପ୍ରେରଣାର ସନ୍ଧାନ ମିଳେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ରଚନାରେ-। ଏହା ସର୍ବଜନରେ ସମ୍ମତ ଯେ ରାଜପଣକୁ ଆଡ଼କରି କବିପଣକୁ ଆପଣେଇଥିଲେ ଉପେନ୍ଦ୍ର । ସେ ପୁଣି ଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପରମ ଭକ୍ତ । ‘‘ତାରକମନ୍ତ୍ର ପରସାଦେ, ମୋହର କବିପଣ ଉଦେ’’ ବୋଲି ଉପେନ୍ଦ୍ର ଉଲ୍ଲେଖ କରିଛନ୍ତି ତାଙ୍କ ‘ଲାବଣ୍ୟବତୀ’ କାବ୍ୟରେ ।

 

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ରଚନା ବିଷୟରେ ଓଡ଼ିଶାରେ ଏକ କିମ୍ବଦନ୍ତୀ ଆଜି ମଧ୍ୟ ପ୍ରଚଳିତ ରହିଛି ।

 

ଜଗନାଥଙ୍କ ମାତା ପଦ୍ମାବତୀ ଥିଲେ ଜଣେ ଧର୍ମପରାୟଣା ମହିଳା । ଦୈନନ୍ଦିନ ସେ ସଂସ୍କୃତ ଭାଗବତ ଶୁଣୁଥିଲେ କିନ୍ତୁ ସଂସ୍କୃତ କିଛି ବୁଝି ପାରୁନ ଥିଲେ । ଦିନେ ସେ ପୁଅକୁ ନିଜ ମନକଥା ଜଣାଇଲେ । କହିଲେ, ‘‘ପୁଅରେ, ମୁଁ ସଂସ୍କୃତ ଭାଗବତ କିଛି ବୁଝି ପାରୁ ନାହିଁ । ମୁଁ ବୁଝିପାରିଲା ପରି ଓଡ଼ିଆ ଭାଷାରେ ତୁ ଯଦି ଭାଗବତ ଲେଖି ଦିଅନ୍ତୁ, କେଡ଼େ ଭଲ ହୁଅନ୍ତା ସତେ-।’’ ମା’ଙ୍କର ଏହି ପଦକ କଥା ଗଭୀର ରେଖାପାତ କରିଥିଲା ଜଗନ୍ନାଥଙ୍କ ହୃଦୟରେ । ତା’ପରେ ସେ ଭାଗବତ ରଚନାରେ ମନୋନିବେଶ କରିଥିଲେ । ସାରଳାଙ୍କ ମହାଭାରତ ରଚନା ପରି, ଓଡ଼ିଆରେ ଭାଗବତ ରଚନା ଥିଲା ଏକ ବୈପ୍ଳବିକ କାର୍ଯ୍ୟ । ପ୍ରାନ୍ତୀୟ ଭାଷାରେ ସମଗ୍ର ଭାବଗତ ରଚନା ସେତେବେଳେ ଥିଲା ଅଚିନ୍ତନୀୟ । ମାତୃ ପ୍ରେରଣାରେ କିନ୍ତୁ ଜଗନ୍ନାଥ ଦାସ ଅନାୟାସରେ ଭାଗବତ ରଚନା କରିବାରେ ସକ୍ଷମ ହୋଇଥିଲେ ।

 

ଓଡ଼ିଆ ଭାଗବତର ଭାଷା ଆଜି ମଧ୍ୟ ଓଡ଼ିଆ ‘ମାନକ’ ଭାଷା । ପରବର୍ତ୍ତୀକାଳରେ ବିଖଣ୍ଡିତ ଓଡ଼ିଶାର ଭାବ ବନ୍ଧନ ହୋଇଥିଲା ଭାଗବତ । ଭାଗବତ ବିନା କଣ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଗଠନ । ସମ୍ଭବ ହୋଇ ପାରିଥାନ୍ତା?

 

କଥା ସମ୍ରାଟ ଫକୀର ମୋହନ ମୌଳିକତଃ କବି । ପୁଣି ବ୍ୟାସକବି । ସଂସ୍କୃତ ମହାଭାରତ ଆଧାରରେ ସେ ରଚନା କରିଥିଲେ ଓଡ଼ିଆ ମହାଭାରତ । ଭାଷା ପ୍ରାଞ୍ଜଳ, ଭାବ ଗମ୍ଭୀର ।

 

ପ୍ରଥମ ପୁତ୍ରକୁ ହରାଇ ଉଭୟ ପତିପତ୍ନୀ ଶୋକ ଜର୍ଜରିତ ହୋଇ କାଳାତିପାତ କରୁଥିଲେ-। ପତ୍ନୀ କୃଷ୍ଣାକୁମାରୀଙ୍କୁ ସାନ୍ତ୍ୱନା ଦେବା ପାଇଁ ଫକୀର ମୋହନ ମହାଭାରତ ଅନୁବାଦ କାର୍ଯ୍ୟ ଆରମ୍ଭ କରିଥିଲେ । ୧୮୮୧ ମସିହାରେ ଏହି ଅନୁବାଦ ଆରମ୍ଭ କରି ୧୯୦୨ ମସିହାରେ ଅଠର ଖଣ୍ଡ ମହାଭାରତ ଅନୁବାଦ କାର୍ଯ୍ୟ ସମାପନ କରିଥିଲେ । ବ୍ୟକ୍ତିଗତ ଦୁଃଖ ଅନେକ ସମୟରେ ଜଣେ ସ୍ରଷ୍ଟାଙ୍କୁ ସାରସ୍ଵତ ସାଧନା ଆଡ଼କୁ ଉନ୍ମୁଖ କରାଏ । ମହାଭାରତ ପରି ଧର୍ମଗ୍ରନ୍ଥ ରଚନା ମାଧ୍ୟମରେ ପତିପତ୍ନୀ ପୁତ୍ରଶୋକ ପାଶୋରିବାକୁ ହୁଏତ ଚେଷ୍ଟା କରିଥିଲେ । ସେହିପରି ପତ୍ନୀ କୃଷ୍ଣାକୁମାରୀଙ୍କ ଦେହାନ୍ତ ପରେ ଫକୀର ମୋହନ ‘ପୁଷ୍ପମାଳା’ ଓ ‘ଉପହାର’ ନାମକ ଦୁଇଟି କାବ୍ୟ ଗ୍ରନ୍ଥ ରଚନା କରିଥିଲେ । କୃଷ୍ଣା କୁମାରୀଙ୍କ ନିବିଡ଼ ସ୍ମୃତି ପ୍ରତି ଏହି ଗ୍ରନ୍ଥଦ୍ଵୟ ଥିଲା ନିବେଦିତ-

 

ସୁଖ୍ୟାତ ସାହିତ୍ୟିକ ମନୋଜ ଦାସ ବହୁବାର କହିଥିବେ ଅନ୍ତରର ପ୍ରେରଣା ତାଙ୍କ ସୃଜନର ଉତ୍ସ ବୋଲି । ଯଶସ୍ୱୀ କବି ରମାକାନ୍ତ ରଥଙ୍କ ଉକ୍ତି ମଧ୍ୟ ଅନୁରୂପ । ଶ୍ରୀରାଧା ଲେଖିଲାବେଳେ ତାଙ୍କ ହାତ ନିଜ ଆୟତ୍ତରେ ନ ଥିଲା । ସେ ଯେମିତି ଶୃତଲିଖନ ଲେଖୁଥିଲେ କରୁଥିଲେ । ସେମିତି କାହା ପାଇଁ ଗାନ୍ଧି-ଦର୍ଶନ ତ କାହାପାଇଁ ମାର୍କ୍ସୀୟ ଚେତନା ହୋଇଛି ପ୍ରେରଣାର ସନାତନୀ ପ୍ରବାହ । ଇତିହାସ/କିମ୍ବଦନ୍ତୀ ମଧ୍ୟ ବିମୁଗ୍ଧ କରିଛି ଅନେକଙ୍କୁ, କରିଛି ଅନୁପ୍ରେରିତ । ଇତିହାସର ଅବହେଳିତ ଚରିତ୍ର, ସେ ପ୍ରତାପରୁଦ୍ର ଦେବ ହୁଅନ୍ତୁ କି ହୁଅନ୍ତୁ ରାମଚନ୍ଦ୍ରଦେବ - ସେହିମାନେ ହିଁ ଘାରିଥିଲେ ସୁରେନ୍ଦ୍ର ମହାନ୍ତିଙ୍କ ଲେଖନୀକୁ, ସରଳ, ନିଷ୍ପାପ, ପ୍ରକୃତି ସନ୍ତାନ ଆଦିବାସୀମାନେ ଅଥୟ କରୁଥିଲେ ଗୋପୀନାଥ ମହାନ୍ତିଙ୍କ ସ୍ରଷ୍ଟା ମାନସକୁ ।

 

ସୃଜନ ପ୍ରବଣତା ସ୍ରଷ୍ଟାର ସହଜାତ । ଏହି ପ୍ରବଣତା ଅଙ୍କୁରୋଦ୍‌ଗମ ପାଇଁ ବାଟ ଖୋଜୁଥାଏ ଅହରହ । ପ୍ରେରଣା ଅଙ୍କୁରୋଦ୍‌ଗମ୍‌କୁ ଉଖ୍ରାଏ ଯାହା ।

 

 

ବିଜୟ କୁମାର ନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

***

 

ଓଡ଼ିଆ ଲଘୁ କବିତା

ବୈକୁଣ୍ଠ ନାଥ ରଥ

 

ମୋର ଆଶଂକା ହୁଏ ଆଲୋଚନାଟି, ମୁଖ୍ୟତଃ, ପଲ୍ଲୀ ସାହିତ୍ୟ ଦିଗକୁ ଗତି କରିଯିବ । ଏପରି ହେଲେ ଯେ ପ୍ରଣବ ଅଶୁଦ୍ଧ ହୋଇଯିବ, ତା ନୁହେଁ । କାରଣ ସାହିତ୍ୟ ସଂପର୍କରେ ସଂଜ୍ଞାକରଣ ବା ନୂତନ ବିଭାଗୀକରଣ ଯାହା ହେଉନା କାହିଁକି, ଭାବାଭିବ୍ୟକ୍ତିର ସ୍ଵତଃସ୍ଫୁର୍ତ୍ତତା, ଅକୃତ୍ରିମତା ପଲ୍ଲୀ ସାହିତ୍ୟ ବା ଲୋକ ସାହିତ୍ୟରେ ଏତେ ପରିବ୍ୟାପ୍ତ ଯେ ତାକୁ ବାଦ୍‌ ଦେଇ କୌଣସି ବିଦଗ୍‌ଧ ସାହିତ୍ୟ ଆଦୌ ଠିଆ ହୋଇପାରିବ ନାହିଁ । ଏପରିକି ତଥାକଥିତ ଆଧୁନିକ କବିତା, ଚିତ୍ରକଳ୍ପ ପ୍ରତୀକ, ଛନ୍ଦର ମୁକ୍ତ ଆଂଗିକର ମୂଳଖିଅଟି କୌଣସି ନା କୌଣସି ପ୍ରାଚୀନ ସୃଷ୍ଟିରେ ଖୋଜିଲେ ମିଳିବ । ସାରଳା ଦାସଙ୍କ ଅସମ ଅକ୍ଷର ବିଶିଷ୍ଟ ପଦ୍ୟ ରଚନା ଆଧୁନିକ କବିତାର ଅକ୍ଷର ଶୃଙ୍ଖଳା ବିହୀନ ଆଂଗିକର ନିହାତି ଆକସ୍ମିକ ସଂପର୍କ ନୁହେଁ । ପାଂଚ ଚରଣ ବିଶିଷ୍ଟ ଇଂରେଜୀ ଲିମେରିକ୍‌ କିମ୍ବା ସେଇ ଅନୁସରଣରେ ବା କିଛି ବିବର୍ତ୍ତନ ମଧ୍ୟରେ ଗଢ଼ି ଉଠିଥିବା ବଂଗଳା ‘ଛଡ଼ା’ର ସଂଗଠନ ଓଡ଼ିଆ ଲୋକଗୀତରେ ଖୁବ୍‌ଦେଖି ହେବ, ସଂପୂର୍ଣ୍ଣ କବିତା ରୂପେ । ଏସବୁର ଆବେଦନ ପୁଣି କେବଳ ଶିଶୁ ବା କିଶୋରମାନଙ୍କ ପାଇଁ ନୁହେଁ, ବୟସ୍କମାନଙ୍କ ଲାଗି, ସମାଜ ଗୋଷ୍ଠୀର ସଭିଙ୍କ ଲାଗି, ଯେଉଁମାନେ ବୋଧସୀମାକୁ ସ୍ପର୍ଶ କରିଛନ୍ତି । ଯିମିତି :

 

ସାତଥର ଯିବ ଗଂଗା

ଥରେ ଯଦି ଯିବ ଚନ୍ଦରଭାଗା

ମୁହଁ ପଡ଼ିଯିବ ରଂଗା ।

ହଳଦୀ ମଖାମଖି

ସୁବର୍ଣ୍ଣ ରେଖା ପାରିହେଲେ ଯାଇ,

କୁଟୁମ୍ବ ଦେଖାଦେଖି ।

 

ବଂଗଦେଶକୁ ଯାଇ ଗଂଗା ଦର୍ଶନ, ଅର୍କତୀର୍ଥ ଚନ୍ଦ୍ରଭାଗା ଦର୍ଶନ, ସୁବର୍ଣ୍ଣ ରେଖାର ଉତ୍ତରପଟର ଦସ୍ୟୁ ସଂକୁଳ କ୍ଳେଶ ଶଂକାକୁଳ ପଥ ଅତିକ୍ରମ ଅଷ୍ଟାଦଶ- ଊନବିଂଶ ଶତକର ଦୁର୍ଗମତାର ସୂଚକ, ଯାହା କୌଣସି ଏକ ଯାତ୍ରୀଙ୍କର ଅନୁଭୂତି ପ୍ରଧାନ ଅଭିବ୍ୟକ୍ତି- ଏକ ସମୟର ଭୌଗୋଳିକ ବାସ୍ତବତା । ଏହା କେଉଁ ଶ୍ରେଣୀର କବିତା, ତାହା ବିଚାର୍ଯ୍ୟ ନୁହେଁ, କିଂତୁ ଏକ ବୋଧଗମ୍ୟ ଆବେଦନ, ଏଥିରେ ସଂଦେହ ନାହିଁ । ଏଥିରେ ବା ଏହିଭଳି ସ୍ଵତଃ ଉଦ୍‌ଭିନ୍ନ ରଚନାଗୁଡ଼ିକରେ ଚେଷ୍ଟାକୃତ କବିତାଂଶ ନାହିଁ, ଯାହା ଆମେ ଏବେ କବିତା ଲେଖିଲାବେଳେ କରୁଛେ । ସେସବୁ କବିତା ଠିକ ବାରିପାତ ଭଳି- ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାରିଲା ଗଜା, କେଉଁ ଦେଶେ ଯାଇ ରହିଲେ ମୋ ରଜା, ତେଲିଂଗୀ ବାଇଦ ବଜା । ଏଭଳି କବିତା ଯେଉଁ ଅଂଚଳରେ ଉନ୍‌ମେଷିତ ହୋଇଥାଉ, ତାହା ଅନ୍ୟ ଅଂଚଳରେ ବି ପ୍ରାୟ ସମ ଭାବନାରେ ଦେଖା ଯାଇଥାଏ । ଯେପରି ବଂଗଳାରେ- ବୃଷ୍ଟିପଡ଼େ ଟାପୁର ଟୁପର... ବିନ୍ୟାସରେ ଇତର ବିଶେଷ ପାର୍ଥକ୍ୟ ବି ପରିଲକ୍ଷିତ ହୋଇଥାଏ, ଆଂଚଳିକ ଭେଦରେ । ‘ବାଇଦ ବଜା’ ସହିତ ବର୍ଷା ପ୍ରବାସ ଜନିତ ପ୍ରିୟ ବିଚ୍ଛେଦର ଆପାତ ବିରୋଧ ମନୋଭାବ ଅବଶ୍ୟ ରହିଛି, କିଂତୁ କବିତାର ଧ୍ଵନିରେ ଏହା ମିଶିଯାଇଛି । ପ୍ରକୃତିରେ ଏକ ମୈଥୁନିକ ସ୍ଵର, ଏଣେ ବାହାରେ କୌଣସି ରାଜାଙ୍କର ବିଜୟ ଜନିତ ରାଜ୍ୟ ପ୍ରତ୍ୟାବର୍ତ୍ତନରେ ବାଦ୍ୟ ବିଧୁନିତ କୋଳାହଳ ଓ ତା’ରି ଭିତରେ ଅଜ୍ଞତା କେହି ପ୍ରବାସ ଭର୍ତ୍ତ୍ୱକାର ଅନ୍ତର୍ବ୍ୟଥା - ‘କେଉଁ ରାଇଜରେ ରହିଲେ ମୋ ରଜା’ । ଠିକ୍‌ ଏଇ କବିତାର ଅନ୍ୟ ଏକ ରୂପ ଜଣେ ସଂଗ୍ରାହକ ଦେଖାଇଛନ୍ତି :

 

ମେଘ ବରଷିଲା ଟୁପର ଟୁପର

କେଶୁର ମାଇଲା ଗଜା

ସୋନପୁର ଠେଇ ଟମକ ବାଜିଲା

ଲେଉଟି ଅଇଲେ ରାଜା ।

(ସୋନପୁର ଏକ ପୁରୁଣା କରଦ ରାଜ୍ୟ)

 

କବିତାର ଏଭଳି ରୂପରେ ବ୍ୟଂଜନା ନାହିଁ, ଆନନ୍ଦ ମଧ୍ୟରେ ବ୍ୟଥା ନାହିଁ, ପ୍ରକୃତି ସହିତ ଘଟଣା ପ୍ରବାହ ଆନନ୍ଦରେ ଏକଗତ ହୋଇଯାଇଛି । ମୋ ବିଚାରରେ ପ୍ରଥମଟିର ଆବେଦନ ଅଧିକ, ଯଦିଓ ଦ୍ୱିତୀୟଟି ସାଧାରଣ ଭାବେ ସହଜ ଓ ସ୍ପଷ୍ଟ । ଲୋକଗୀତ ଯେହେତୁ ଚେଷ୍ଟାକୃତ ନୁହେଁ, ସେଥିରେ କେଉଁଠି କେମିତି କବିତାଂଶ ସ୍ଵତଃ ଫୁଟିଯାଏ, କେଉଁଠି ଅର୍ଦ୍ଧ ନିମୀଳିତ ରହିଯାଏ-

 

ସହଜମନର ଏଇ କବିତାଗୁଡ଼ିକରୁ ପାଠ୍ୟ ପୁସ୍ତକସ୍ଥ କବିତା ଭଳି ପଦାନ୍ୱୟଗତ ଅର୍ଥ ଖୋଜିବା ନିଷ୍‌ଫଳ ପ୍ରୟାସ । ଅନେକ କ୍ଷେତ୍ରରେ ଗୋଟିଏ ପାଦ ସହିତ ଅନ୍ୟ ପାଦର କିଛି ଅର୍ଥ ସାମ୍ୟ ନଥାଏ । ସର୍ବତ୍ର ଏକ ଧ୍ଵନି ମାଧୁର୍ଯ୍ୟ, ଆଳଂକାରିକ ଧ୍ଵନି ନୁହେଁ, ଶବ୍ଦ ଧ୍ଵନିର ଅନୁପ୍ରାସ, ଶ୍ରୁତି ସୁଖକର, ଅର୍ଥହୀନ ପଦାବଳୀ ।
 

ଇଂଚିଡ଼ି ମିଂଚିଡ଼ି ଧାଇଁ ଚିଡ଼ି ଚିଡ଼ି, କଇଁଚି କାକୁଡ଼ି ପିତାନଳିତା

ସାତ ବୋହୂଙ୍କର ସାତ ଘଇତା

(ପାଠାନ୍ତର- ଦୁହିତା)

ପିତ୍ତଳ ଖଣ୍ଡିକ ହଜିଲା, ନାକ ଟାଉଁ ଟାଉଁ ବାଜିଲା

କପା ଫୁଲ ଫୁଟିଲା,

ବଡ଼ ବୋହୂ ଲୁଗା କପର କପର

ସାନ ବୋହୂ ଲୁଗା ଉଠିଲା ।

 

ଠିଆ ଦଉଡ଼ ଖେଳରେ ଏହାକୁ ଏକ ଖେଳ ଗୀତ ରୂପେ ନିଆ ଯାଇଥାଏ । ‘ଧାଇଁ- ଧାଇଁବା, ଦଉଡ଼ିବା ଅର୍ଥ ସୂଚାଏ । ସାତ ବୋହୂ ଓ ସେମାନଙ୍କର ସାତ ସ୍ଵାମୀ ବା ଝିଅରୁ ଖେଳାଳୀଙ୍କ ସର୍ବୋଚ୍ଚ ସଂଖ୍ୟା ଚଉଦ ବୋଲି ଧରାଯାଇପାରେ । ଚଉଦ ଖେଳାଳୀ ମଣ୍ଡଳାକାରରେ ବସିଥିବେ ବା ଠିଆ ହୋଇଥିବେ । ସେମାନଙ୍କ ଲାଗି ଥିବା ଆସନରୁ ଗୋଟିଏ ଆସନ ବାଦ କରି ଦିଆଯିବ- ‘ପିଭଳ ଖଣ୍ଡିକ ହଜିଲା’ । ଚଉଦ ଖେଳାଳୀ ତେରୋଟି ଆସନ ପାଇଁ ଦଉଡ଼ ପ୍ରତିଯୋଗିତା କରିବେ । ଏହିପରି କ୍ରମାନ୍ୱୟରେ ଗୋଟିଏ ଗୋଟିଏ କଢ଼ା ଯାଉଥିବ, ଧାଉଁଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ଜଣେ ଆସନ ନ ପାଇ ବାଦ୍‌ପଡ଼ି ଯାଉଥିବେ । ଇମିତି ଶେଷକୁ ଗୋଟିଏ ଆସନ ପାଇଁ ଯେଉଁ ଦୁଇଜଣ ପ୍ରତିଯୋଗୀ ରହିବେ ସେମାନଙ୍କ ଭିତରୁ ଜଣେ ଜିତିବ । ସେ ଜଣକ ସାନ ବୋହୂ । ତା ଲୁଗା- ଆସନଟି ଉଠିଲା, ଅର୍ଥାତ୍‌ ତା ଆସନରେ ସେ ଉତ୍ତୀର୍ଣ୍ଣ ହେଲା । ‘ନାକ ଟାଉଁ ଟାଉଁ ବାଜିଲା’ - ଦୌଡ଼ିବା ବେଳର ଧ୍ଵନି, ହୁଏତ ଖର ନିଃଶ୍ୱାସ । ପିତ୍ତଳ ଆସନର ସୂଚକ । କପାଫୁଲ ତାର ରଂଗ ସାମ୍ୟର ଉପମା । ୟା ବି ହୋଇପାରେ, ଏଭଳି ଅର୍ଥ ଦ୍ୟୋତନା, ମୋଟେ ନାହିଁ । ଏହିପରି ଅନ୍ୟ ଏକ ଖେଳ ଗୀତ ଝିଅମାନଙ୍କ ‘ପୁଚି ଗୀତ’ । ‘ପୁଚି’ ଓଡ଼ିଆ ଝିଅମାନଙ୍କ ଏକ ବିଶିଷ୍ଟ ଖେଳ ଯାହା ଅନ୍ୟତ୍ର ପ୍ରାୟ ନାହିଁ । ‘ଠିଆ ପୁଚି ଓ ବସା ପୁଚି’ ଭେଦରେ ଏହା ଦ୍ୱିବିଧ । ସାଧାରଣତଃ ବସାପୁଚି ବେଶୀ ପ୍ରଚଳିତ । ଦୁଇଗୋଡ଼ ଉପରେ ପ୍ରତିଯୋଗୀମାନେ ବସି ରହିବେ । ପିଚା ମାଟିକୁ ଛୁଇଁବ ନାହଁ । ଦେହର ଭାରସାମ୍ୟ ରଖି ପାଦ ଦୁଇଟିକୁ ମାଟି ଉପରେ ଖସେଇ ଖସେଇ ଏକ ପ୍ରକାର ସର୍ବାଙ୍ଗିକ ଦୋଳନ ଅଂଗରେ ସୃଷ୍ଟି କରାଯାଉଥିବ । ପାଦ ଖସାଇବା ତାଳେ ତାଳେ ଦୁଇ ହାତ ବି ଆଗପଛ ହେଉଥିବ । ଏହା ଏକ କଷ୍ଟକର ବ୍ୟାୟାମ । କ୍ରୀଡ଼ାଭ୍ୟାସ କ୍ରମେ ହସ୍ତପଦାଦି ଅବୟବଗୁଡ଼ିକ ଶକ୍ତ ଓ ପରିପୁଷ୍ଟ ହୁଅନ୍ତି । ଏହାକୁ ଏବେ ଝିଅମାନଙ୍କ ଲାଗି କ୍ରୀଡ଼ା ପ୍ରତିଯୋଗିତାରେ ବି ଗ୍ରହଣ କରାଗଲାଣି । ଘଣ୍ଟା ଘଣ୍ଟା ଧରି ଏ ପ୍ରତିଯୋଗିତା ଚାଲିପାରେ । ଯେଉଁ ଝିଅ ଥକି ନଯାଇ ଶେଷ ପର୍ଯ୍ୟନ୍ତ ଖେଳି ଚାଲିଥାଏ, ସେ ଜିତେ । ଏଇ ଖେଳ ଯେତେବେଳେ ଝିଅମାନେ ଖୁସିରେ ଖେଳୁଥାନ୍ତି ସେମାନଙ୍କ ଉଲ୍ଲସିତ କଂଠରୁ ହେଉଥାଏ, ବିଶେଷତଃ ସଂଧ୍ୟା ପ୍ରହରର ଆଦ୍ୟ ଜ୍ୟୋତ୍ସ୍ନାର ତରଳତା ମଧ୍ୟରେ -

 

ପୁଚିଲୋ ଘୁଂଚିଯା

ଓଳି ତଳେ ତଳେ ଲୁଚିଯା

ଗହୀର ବିଲରେ ମଇଁଷିଟା

ଧାନ ମଚ ମଚ ଖାଉଛି

ଆଡ଼େଇଦେ ଗଉଡ଼ ଭାଇ

ବଜେଇ ଦେ ବଇଁଶୀ

 

ପୁଣି ଠିଆ ପୁଚିର ଆଉ ଗୋଟିଏ ଗୀତ :

ଠିଆ ପୁଚି ନାରଂଗ

ଗୋଡ଼ ଦି’ଟା ସାରଂଗ

ସାରଂଗ ବାଡ଼ିକୁ ଯାଇଥିଲି

ନାରଂଗ ପୁଂଜାଏ ଆଣିଥିଲି

ଅଧେ କଲି କଂଚା, ଅଧେ କଲି ଭଜା

ତୋ ଭଉଣୀ ରାଣୀ, ମୋ ଭାଇଟି ରଜା ।

 

ଏଇ କବିତାର ରୂପଚିତ୍ରରେ ଅଛି - ଏକ ବିସ୍ତୃତ ସବୁଜ ଧାନ୍ୟକ୍ଷେତ୍ର, ତା ଭିତରେ ମଇଁଷିଟିଏ କେମିତି ପଶିଯାଇ ଥୋଡ଼ ଧାନପତ୍ର ଖାଇଦେଉଛି । କିଛି ଦୂରରେ କେଉଁଠି ବସି ମଇଁଷିଆଳ (ସାଧାରଣତଃ ଜାତିରେ ଗୋପାଳ) ବଇଂଶୀ ବଜାଉଛି । ମଇଁଷି ପ୍ରତି ଲକ୍ଷ୍ୟ ନାହିଁ । କ୍ଷେତରୁ ମଇଁଷିକି ଆଡ଼େଇ ଆଣିବାକୁ ତାକୁ ଅନୁରୋଧ । କବିତାର ଅନ୍ୟ ଅଂଶଟିରେ ଜଣେ ତାର ଭାଇ ସହିତ ଅନ୍ୟ ଜଣଙ୍କ ଭଉଣୀର କାଳ୍ପନିକ ବିବାହ ସଂପର୍କ ଯୋଡ଼ୁଛି, ରାଜା-ରାଣୀ ସୂଚନାରେ-। ପାଚିଲା ନାରଂଗ ଫଳ ଭଳି ଅଳତା ଲଗା ପାଦ ଖେଳ ଶେଷରେ ଖାଇବାକୁ ସୂଚନା-। କଟକ ସଦର ଓଳିତଳ ନାରଙ୍କ ବାଡ଼ି (କେହି କେହି ‘ସାରଂଗ ଗଡ଼’ ବି କହନ୍ତି ।) ଏମିତି ଅସଂପର୍କିତ ସଂଯୋଗରେ ଏ କବିତା- ପ୍ରୟୋଗରେ ପୁଚି ଖେଳ ଗୀତ । କେହି ବସି କବିତାର ଅର୍ଥ ଖୋଜେ ନାହଁ । ଖେଳ ସହ ବୋଲି ହୋଇଯାଏ - ଆନୁପ୍ରାସିକ ଧ୍ୱନି ଛଂଦରେ ପାଦଖସେଇ ଖେଳିବାର ବେଳେ ଶ୍ଵାସାଘାତର ବିରାମ ଫାଙ୍କେ ଫାଙ୍କେ - ପୁଚିଲୋ ଘୁଂଚିଯା ।। ଓଳି ତଳେ ଲୁଚି ଯା ।।...

 

ତୁଳନାରେ ଆଉ ଗୋଟିଏ ଆଧୁନିକ ଲେଖା ଦେଖାଯାଉ ।

ଚକା ଚକା ଭଉଁରି

ଲାଗି ଲାଗି ହୁଅ ଠିଆ

ହୋଇ ଗୋଟେ ଧାଡ଼ି

ପକେଇ ଗୋଡ଼ ପାହୁଲ

ହାତକୁ ହାତ ଧରି ହୁଅ ଚକ ପରି ଗୋଲ ।

 

ଏ କବିତାରେ ସବୁ ମାପଚୁପ । ପଦ୍ୟ ବଂଧରେ ନିର୍ଦ୍ଦେଶ ସ୍ପଷ୍ଟ । ଚକ ପରି ଗୋଲ ହୋଇ ଠିଆହୁଅ, ହାତକୁ ହାତଧର, ଇତ୍ୟାଦି । ସ୍ଵତଃ ଝରିପଡ଼ୁଥିବା କବିତା ନାହିଁ ।

 

ଆମେତ ଏବେ ଖୁବ୍‌ ସତର୍କ । ଜୀବନର ଉଦ୍ଦେଶ୍ୟ ପରିମିତ, ପ୍ରକାଶ ଉଦ୍ଦେଶ୍ୟ ଭିତ୍ତିକ, ଭାଷା ଆଭିଧାନିକ । ତେଣୁ ତୁଣ୍ଡରୁ ତୁଣ୍ଡ କାନରୁ କାନ ଚଳି ଆସିଥିବା କବିତା ଭଳି ଆଉ ରଚନା ଦେଖିବାକୁ ବିଶେଷ ମିଳୁନାହିଁ । ଯାହା ବା ଉଚ୍ଚାରିତ ହେଉଛି, ତାହା କେଉଁ ଶ୍ରେଣୀୟ ରଚନା, କଣ ତା’ର ସଂଜ୍ଞା, ସେ ବିଚାରରେ ଦୋଷ କେତେ, ଗୁଣ କେତେ ଏସବୁକୁ ପ୍ରାଧାନ୍ୟ ଦେଉଛେ । କବିତାର ସଂଜ୍ଞା ଧରି ଆଲୋଚନା ଏ ପ୍ରବଂଧର ଲକ୍ଷ୍ୟ ନୁହେଁ । ଲକ୍ଷ୍ୟ ସ୍ଥଳ ବିଶେଷରେ, ଆପାତ ଅର୍ଥହୀନତା ମଧ୍ୟରେ କବିତା କେମିତି ସାର୍ଥକ ହୋଇଛି ପୁନଶ୍ଚ ସାର୍ଥକ କବିତା କିପରି ମନର କେତୋଟି ଶାଶ୍ୱତ ସ୍ଵର ଝଂକାରରେ ଧ୍ରୁପଦୀ ହୋଇଯାଇଛି । ବୁଢ଼ାବର ସହିତ ସୁନ୍ଦରୀ ଯୁବତୀ କନ୍ୟାର ବିବାହ ଏଇ କେତେବର୍ଷର ଅତୀତ । ସାମାଜିକତାରେ ପ୍ରତିବାଦର ସ୍ଵର ବିଶେଷ ଉତ୍ତୋଳନ କରୁନଥିଲା । କନ୍ୟାର ଅନ୍ତର୍ଦାହ କେବଳ ଅଶ୍ରୁପାତରେ, ବିଳାପରେ କପୋତୀ ଭଳି ଝୁରୁଥିଲା । ଏହି ବ୍ୟାପାରଟି ଛଦ୍ମବେଶ ଧାରଣ କରି ଆସିଥିବା ଶିବଙ୍କ ସହ ହିମବଂତ ତନୁଜା ପାର୍ବତୀଙ୍କ ବିବାହ ବର୍ଣ୍ଣନାରେ ପ୍ରାଚୀନ କବି ବତ୍ସାଦାସ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଏହି ସ୍ଵର ବି ପଲ୍ଲୀଗୀତରେ, ତାଙ୍କ ପୂର୍ବରୁ କି ପରେ କିପରି ଅନୁରଣିତ ହୋଇଛି ଦେଖନ୍ତୁ -

 

ଦାନ୍ତ ନାହଁ ବୁଢ଼ା ପାକୁଆ ପାଟି, ବୋଉଲୋ ।

ବେଦୀରେ ବସିଛି ଆଖି ତରାଟି, ବୋଉଲୋ ।

ପର୍ବତ ଶିଖରେ ପାଚିଛି ବେଲ

ତୋତେ ଲାଜନାହିଁ ଯାହା,

ବୁଢ଼ା ମୁଣ୍ଡେ ନେଇ ଖଂଜିଲୁ ଫୁଲ, ବୋଉଲୋ ।

 

ଏଠି ଟାଙ୍ଗରା ମୁଣ୍ଡରେ ଫୁଲ ଖୋସିବାର ହାସ୍ୟକର ଦୃଶ୍ୟ ମଧ୍ୟରେ ବୁଢ଼ା ସହିତ କନ୍ୟା ବିବାହର କରୁଣ ବ୍ୟଂଜନାଟିକୁ ଲକ୍ଷ୍ୟ କରାଯାଇପାରେ । ପାରିବାରିକ ଆର୍ଥକ ଦୁଃସ୍ଥିତିରେ ଗୃହିଣୀ କିପରି ବ୍ୟସ୍ତ ତାହା ଜଣାଯାଏ, ଅନ୍ୟ ଏକ କବିତାରୁ । ଝିଅଙ୍କର ଦୁଇକୁଳ । ଗୋଟିଏ ପଟେ ବାପଘର, ଅନ୍ୟ ପଟେ ଶାଶୁଘର - ନଦୀର ଦୁଇ ପାର୍ଶ୍ଵ ଭଳି । ଗୋଟିଏ ପଟରେ ବି ଆର୍ଥକ ସ୍ଵଚ୍ଛଳତା ଥିଲେ ନାରୀର ସଂସାର ଅନ୍ତତଃ, ସହନୀୟ ବୋଧ ହୁଏ । ଉଭୟ ପଟର ଅସ୍ଵଚ୍ଛଳତାରେ, ଅଥବା କୃପଣ ସ୍ଵାମୀ ପାଖରେ ତାର ଆଶା ଆକାଂକ୍ଷା ଧାରନଥିବା ପନିକି ଭଳି ।

 

ପନିକିରେ ନାହିଁ ରୁଖ

ବାପ ଗରିବ, ଗେରସ୍ତ ରଂକ

ଦୁଇ କୁଳେ ନାହିଁ ସୁଖ ।

 

ସୁନ୍ଦର ଉପମାଟିଏ- ପନିକିରେ ନାହିଁ ରୁଖ । ଅଭିଳାଷ ସବୁମନ୍ତେ ଖର୍ବ ହେଲେ ମନରେ ଏକ ଚାପା ଅସନ୍ତୋଷ ସୃଷ୍ଟି ହୁଏ । ଅନେକ କ୍ଷେତ୍ରରେ ମାଗି ହୁଏ ନାହିଁ ମାଗିଲେ ଅନେକ ମନ ନ ବୁଝି କୁତ୍ସାକରନ୍ତି ।

 

ମନ ଚିତ୍ତ ଜାଣି ନ ଦେଲା ଯିଏ

କହିଲେ ବୋଲିବ ଡାହାଣୀ ସିଏ ।

 

ଘରର ଆର୍ଥକ ଅବସ୍ଥା ଉତ୍କଟ । ସାହାଯ୍ୟ ଦେବାକୁ ଅପାରଗ । ତେଣୁ ସ୍ଵତଃ ମୁହଁରୁ ବାହାରି ଆସିଛି !

 

ଶାଗ ନଥିବାକୁ ପେଜ

କେହି ନଥିବାକୁ ତୋ ମୁହଁ ଚାହୁଁଛି ।

କହିଲେ ମାଡ଼ୁଛି ଲାଜ ।

 

ଏଭଳି କବିତାରେ ଜୀବନର ବ୍ୟଥା ବେଦନା ଯେଉଁପରି ସ୍ଵାଭାବିକ ଭାବରେ ଫୁଟିପାରିଛି-। ଆନନ୍ଦ ଉଲ୍ଲାସ ସେତେ ସୁଲଭ ହୋଇନାହିଁ । ଏହା ହୁଏତ ସମାଜ ଚରିତ୍ରର ପ୍ରକୃତି ହୋଇପାରେ । ଓଡ଼ିଶାର ବନ୍ୟା ମରୁଡ଼ି ଷୋଡ଼ଶ ଶତବ୍ଦୀ ଠାରୁ ଆଫଗାନ, ମରହଟ୍ଟା ମୋଗଲ ପରେ ଇଂରେଜ ଶାସନର ପ୍ରାଥମିକ ଅବସ୍ଥାରେ ଶାସନିକ ଅସ୍ଥିରତା, ଛୋଟ ବଡ଼ ଗଡ଼ଜାତ ଶାସନରେ ଅଶିକ୍ଷା, ଅତ୍ୟାଚାର, ଉତ୍ତର ଦକ୍ଷିର ପଶ୍ଚିମର ପ୍ରାନ୍ତୀୟ ବିଚ୍ଛିନ୍ନତା ମଧ୍ୟରେ ସଂହତି ବୋଧ ହରାଇ ଏଠାର ଲୋକମାନେ ଭାଗ୍ୟ ଆଦରି କୂର୍ମ ପାଲଟି ଯାଇଥିଲେ । ପୂର୍ବ ସ୍ଵାଧୀନ କାଳରେ ଉନ୍‌ମାଦନା ନଥିଲା, ଗଠନ ସ୍ପୃହା ନଥିଲା । ଯାହା ବା ଥିଲା, ସେସବୁ ଉପରେ ବହିରାଗତମାନଙ୍କର ଆକ୍ରମଣ, ଲୁଣ୍ଠନ, ଧ୍ୱଂସକ୍ରିୟା ଏକ ପ୍ରକାର ସଂତ୍ରସ୍ତ ମାନସିକତା ସୃଷ୍ଟି କରିଥିଲା । ଯାହାର ସ୍ମୃତି କଳାପାହାଡ଼ୀ ଆକ୍ରମଣ ସୂଚନାରେ ଅଛି ।

 

ଅଇଲା କଳା ପାହାଡ଼

ଭାଂଗିଲା ଲୁହାର ବାଡ଼

ପିଇଲା ମହାନଦୀ ପାଣି

ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ

(କେହି କେହି ଗୋ ମାଂସ ଅର୍ଥରେ ‘ହେଡ଼’ କହନ୍ତି)

ମୁକୁନ୍ଦ ଦେବଙ୍କ ରାଣୀ ।

 

ମୁକୁନ୍ଦ ଦେବ ଓଡ଼ିଶାର ଶେଷ ହନ୍ଦୁ ରାଜା । ୧୫୬୮ ରେ ଯୁଦ୍ଧରେ ପରାଜିତ ହୋଇ ସେ ମୃତ୍ୟୁବରଣ କରନ୍ତି । ସେହି କାଳରୁ ଏ ଜାତିର କର୍ମ ସ୍ପୃହା, ଉତ୍ସାହ, ଉଦ୍ଦୀପନା ଉତ୍କଟ ଭାବେ ଅବରୁଦ୍ଧ ହୋଇଗଲା । ତାର ଦେବାଦେବୀ ମଧ୍ୟ ତାକୁ ରକ୍ଷା କରି ପାରିଲେ ନାହିଁ । ହୁଏତ, ତା ମନରେ ସେପରି ବିଶ୍ୱାସ ଥିଲା । ରାମଚଣ୍ଡୀ (କୋଣାର୍କ ନିକଟବର୍ତ୍ତୀ ଏକ ଠାକୁରାଣୀ) ନିଜକୁ ରକ୍ଷା କରିବାକୁ ଗୋଟିଏ ନାରୀ ବେଶରେ ପାଣି ଆଣିବାକୁ ପଳାଇଗଲେ:

 

ଭଲା ରାମଚଣ୍ଡୀ ଭଲାରେ

କଳାପାହାଡ଼କୁ ଦୁଆରେ ବସାଇ

ଭଲା ପାଣି ଆଣି ଗଲାରେ !

 

ଏଭଳି ରାଜନୈତିକ ଅବସ୍ଥାରେ ହୁଏତ ସେଇ ହେତୁ, ଜାତି ଖୁବ ଭାଗ୍ୟବାଦୀ ହୋଇପଡ଼ିଲା ପୁରାଣର ଦେବ ଦେବୀଙ୍କ ବହୁ ଚର୍ଚ୍ଚା କଲା, ନୀଳାଚଳନାଥଙ୍କୁ ଖୁବ୍‌ ଭଜିବାରେ ଲାଗିଲା । ଏ ଜୀବନରେ ସୁଖ ଅନିତ୍ୟ, କେହି ଆପଣାର ନୁହଁନ୍ତି, ଶେଷକୁ କେବଳ ଛଖଣ୍ଡି କାଠରେ ବୁହାହୋଇ ଶ୍ମଶାନ ଯାତ୍ରା ହିଁ ଏକମାତ୍ର ସତ୍ୟ- ଏହିଭଳି ବୈରାଗ୍ୟରେ ଦଗ୍‍ଧ ହେବାକୁ ଲାଗିଲା । ଅପର ପକ୍ଷରେ ପାଣ୍ଡିତ୍ୟ ଥିବା କେତେକ କବିରାଜ ଦରବାରରେ ପୁରସ୍କାର, ପ୍ରସିଦ୍ଧି ଲାଗି ‘ଶୃଙ୍ଗାରୀ ଚେତ୍‌ କବିଃ’ ଆଦର୍ଶରେ କାବ୍ୟରୁ ରଚନାରେ ମଗ୍ନ ରହିଲେ । ସମାଜରୁ ସମୂହ ଆନନ୍ଦ, ଆବେଗ ଭଟ୍ଟା ପଡ଼ିଗଲା । ଯାହା କିଛି ରହିଲା ତାହା କେବଳ ଦେବାଦେବୀ ପୂଜାରେ, କର୍ମକାଣ୍ଡୀୟ ବିଧାନର ପ୍ରାବଲ୍ୟ ମଧ୍ୟରେ । ସମୂହ ନୃତ୍ୟ ଗୀତ ସମାଜର ଉଚ୍ଚବର୍ଗରୁ ଚାଲିଯାଇ କେବଳ ନିମ୍ନବର୍ଗରେ କିଛି ପରିମାଣରେ ଆବଦ୍ଧ ରହିଲା । ଗାଇବା, ବଜାଇବା, ନାଚିବା ସଂପର୍କରେ କୁହାଗଲା - ନିର୍ଲଜ ଗାଏ, ସଲ୍ଲଜ ବାଏ, ଅତି ବେହିଆ ନାଚି ନାଚି ଯାଏ ।

 

ଜନ୍ମ ବିବାହାଦି ଉତ୍ସବମାନଙ୍କରେ ନାରୀମାନଙ୍କ ଭୂମିକା କେବଳ ସମୂହ ହୁଳହୁଳି ଦବାରେ ସୀମିତ ରହିଲା । ମିଳିତ କଳସା ଗୀତ ନାହିଁ, ନୃତ୍ୟ, ବାଦ୍ୟତ ଦୂରର କଥା । ଏଭଳି ଉତ୍ସବ ସଂପର୍କିତ ଯାହା କିଛି କବିତା ରହିଛି ସେଗୁଡ଼ିକ ରାମ କୃଷ୍ଣଙ୍କୁ ଆଧାର କରି, ସେଇ ରାଜକୀୟ ପରିବେଶରେ । କେବଳ - ରଜଗୀତ, କୁଆଁର ପୁନେଇଁ ଗୀତ ଯାହା ବଂଚି ରହିଛି ।

 

ମିଥୁନ ସଂକ୍ରାନ୍ତି ଆଗରୁ ଦିନେ ଓ ପରେ ଦିନେ ଲଗାଇ ତିନି ଦିନ ରଜପର୍ବ ପାଳିତ ହୁଏ-। ଏହା କୃଷିର ପର୍ବ । ଧରିତ୍ରୀ ହୁଏ ରଜସ୍ଵଳା । ତିନିଦିନ ଅନ୍ତେ ଧରାସ୍ନାନ ପରେ ଋତୁମତୀ ଧରଣୀ ବର୍ଷାବିଂଦୁ ଲଭି ହୁଏ ଶସ୍ୟ ଗର୍ଭା । ରଜ ତିନିଦିନ ଅବସରର ଦିନ । ପିଠା ପଣା ଖେଳ, ଦିଅଁ ଦେଖାରେ ଦିନ ବିତେ । ତରୁଣ ତରୁଣୀମାନେ ଦୋଳି ଖେଳନ୍ତି, ଏକାଠି ନୁହେଁ, ପରସ୍ପରଠାରୁ ଭିନ୍ନ ଗୋଷ୍ଠୀରେ । ସେତିକି ବେଳେ କୁଆରୀ କଂଠରୁ ଶୁଭେ:

 

ବନସ୍ତେ ଡାକିଲା ଗଜ

ବରଷକ ପରେ ଆସିଛି ରଜ

ଘେନି ନୂଆ ସଜବାଜ ।

କୂଅରେ ପଡ଼ିଲା ବତା

ଡେଂଗେଇ ଗୋଡ଼ରେ ସରୁ ଅଳତା

ଘେନି ଯିବି କଲିକତା ।

x      x      x      x

ରଜ ଦୋଳି କଟମଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ

ଦିଶୁଥାଇ ଝଟଝଟ ।

x      x      x      x

ସାପ ପଶିଗଲା ଗାତେ

ମୋ ଭାଇ ଯାଇଛି କଚେରୀ ବାଟେ

ପିନ୍ଧା ଲୋଟି ଯାଏ ହାତେ

x      x      x      x

 

ସମିତି ଅନ୍ୟ ଏକ ଉଲ୍ଲାସର ପର୍ବ କୁଆଁର ପୁନେଇର ଆସନ୍ନ ସଂଧ୍ୟା ପ୍ରହରତ୍ତୁ ଜ୍ୟୋତ୍ସ୍ନା ଚର୍ଚ୍ଚିତ ରଜନୀର ଅଳ୍ପ ବିଳମ୍ବିତ ପ୍ରହରଯାଏ । ଏହି ସମୟରେ ଠାଏ ଠାଏ ଶୁଣାଯାଏ - କୁଆର ପୁନେଇ ଜହ୍ନଗୋ, ଫୁଲ ବଉଳ ବେଣୀ.... । ଏବେ ଆଧୁନିକତାର ପ୍ରଚାର ପ୍ରସାର ପ୍ରାଧାନ୍ୟରେ, ରେଡ଼ିଓ ଟେଲିଭିଜନ ସୂତ୍ରରେ ଯାହା ଦେଖାଇ ବା ଶୁଣାଇ ଦିଆଯାଉଛି, ତାହା ପ୍ରକୃତ ପକ୍ଷେ ସମାଜ ସ୍ତରରେ ନାହଁ । ସେ ସବୁ ବଂଚୁଛନ୍ତି ରଂଗମଂଚରେ, ମାତ୍ର ସମାଜରୁ ନିର୍ବାସିତ ।

 

ଏଭଳି ପରିସ୍ଥିତିରେ ଲୋକ କବିତାରେ ହାସ୍ୟରସର ସଂଯୋଗ ଅତି କମ୍‌ । ଯେଉଁଠି ସହଜାତ ଉଲ୍ଲାସ ନାହିଁ, ସେଠି ସହଜ ହାସ୍ୟ ବା କିପରି ସଂଭବିବ ? ଯାତ୍ରା, ପାଲା, ସୁଆଂଗ କ୍ରମରେ ଦୁଆରୀ, ପାଳିଆ-ମାନେ କିଛି ଅସଂଗତ କଥା କହି, ଗୀତ ବୋଲି ବା ଅଂଗଭଂଗୀ କରି ହାସ୍ୟ ରସ ପରିବେଷଣ କରନ୍ତି । ଆଖ୍ୟାନାଂଶର ଦୀର୍ଘ ପରିବେଷଣ ଜନିତ ନୀରସତା ଦୂରକିରବାକୁ ମଝିରେ ମଝିରେ ଏପରି ସଂଯୋଗ କରାଯାଇଥାଏ । ଏହାଛଡ଼ା ଘୋଡ଼ା ନାଚ, ଗୋପାଳ ଓଗାଳ, ଶବର ଶବରୁଣା ନାଚ, ଝାମୁ ଯାତ, କେଳା କେଲୁଣୀ ନାଚ ଇତ୍ୟାଦିରେ ବୃତ୍ତିଗତ ପର୍ବାନୁସାରିତାକୁ ଆଶ୍ରା କରି ସେ ସବୁ ରଚନା ଅଛି ସେଗୁଡ଼ିକ ଦୀର୍ଘ, ସଂଳାପ ଶ୍ରେଣୀୟ-। କେତେକ ଆଖ୍ୟାନ ଆତ୍ମତତ୍ତ୍ୱ ପୁରାଣବାର୍ତ୍ତା ସଂବଳିତ, କେଉଁଠି ଅବୈଧ ପ୍ରେମ ନିବେଦନ ପ୍ରଧାନ, କେଉଁଠି ଆଖ୍ୟାନ ସଂବଳିତ ପଦ୍ୟ ବଂଧ । ସେ ସବୁରେ କବିତା ନାହିଁ, ଅଛି ଶାସ୍ତ୍ର ପୁରାଣର ଜ୍ଞାନ ଭେଦ । ସଭାଜନଙ୍କୁ ନୃତ୍ୟଗୀତ ପ୍ରଦର୍ଶନ ମାଧ୍ୟମରେ ଜ୍ଞାନର କିଛି ପରିବେଷଣ ।

 

ସଂଗିନୀ ଶୁଣ ତୁ ଏଥର ଭେଦ

ବ୍ରହ୍ମା ପୂର୍ବ ମୁଖରୁ ଶାମବେଦ

ଶାମ ବେଦ ଅଗ ଅଟଇ ଛନ୍ଦ

ଛନ୍ଦରୁ ଉତ୍‌ପତ୍ତି ଗାଂଧାର ବେଦ

 

ଏ ଅଂଶରେ ଶାସ୍ତ୍ର ଜ୍ଞାନର କଥା । ସମିତି ଅନ୍ୟ କେଉଁଠି ପ୍ରଣୟ ସଂକେତରେ ଅଧୀରା ନାରୀର ଉକ୍ତି –

 

ଗହିରି ବିଲରେ କଇଁ

ତରବର ହୋଇ ଆସିଲି ଧାଇଁ ।

ମୁଣ୍ଡରେ ଓଢ଼ଣା ନାହଁ

 

ପୁରୁଷ କହୁଛି –

ଶୁଣରେ ଜୀବ ଜୀବନ

ସଭାରେ ଅଛନ୍ତି ସଭାଜନ

ଦେଖା ତୋ ବେନି ନୟନ ବଧ

ବିଜେ କରିଛନ୍ତି ହର

ମନ କାମନା ତୋ ସଂପୁନ୍ନ ହୋଇବ ।

ଦୁର୍ଗାଙ୍କୁ ଜୁହାର କର । ୧ ।

 

ଏ ଧରଣର ରଚନା ଗୁଡ଼ିକ ନାଚଗୀତ ମାଧ୍ୟମରେ ନିଜର ସାହିତ୍ୟିକ ଆବେଦନକୁ ହରାଇ ଲୋକ ମାନସରେ ନିଜର ଆସ୍ଥାନ ଜମାଇଥାଏ, ବିଶେଷ କରି ଗୃହାଙ୍ଗନରେ ସ୍ତ୍ରୀ ଲୋକଙ୍କ ମାଧ୍ୟମରେ । ଏଭଳି ସାହିତ୍ୟର ରଚୟିତା ଅଜ୍ଞାତ ।

 

ଭାଷାର ବିକାଶ ଆରମ୍ଭରୁ ପିଲାମାନଙ୍କୁ ଶୋଇ ପକାଇବାକୁ ମା’ ମାନେ ଯେଉଁ ଗୀତ ଗାଆନ୍ତି ତାକୁ କେଉଁ ଶ୍ରେଣୀର ସାହିତ୍ୟ କହିବା ?

 

ଧୋ ରେ ବାଇଆ ଧୋ

ଯେଉଁ କିଆରୀରେ ଗହଳ ମାଣ୍ଡିଆ, ସେଇ କିଆରୀରେ ଶୋ’

 

ପୁଣି କ୍ଷୀର ଖୋଇଲା ବେଳେ -

ହାତୀ ଝୁଲୁଥାଇ ବନସ୍ତ ଭିତରେ

କିଆ କନ୍ଦା ଖାଇବାକୁ

ମୋ କାହ୍ନୁ ଝୁଲୁଛି ମାଆର କୋଳରେ

ଦୁଧ ଟିକେ ପିଇବାକୁ ।

ହାତୀ ଝୁଲୁଥିଲା କୁକୁର ଭୁକିଲା

ହାତୀକୁ ନମାଡ଼େ ଡର

ହାତୀ ପିଠିରେ ଲୋ ମାହୁନ୍ତ ବସିଛି

ହାତୀ ଚାଲେ ତରତର

 

କ୍ଷୀର ଖାଉ ଖାଉ ଶିଶୁଟି ଆଖରେ ନିଦ ମାଡ଼ି ଆସେ । ମା’ ଗାଉଥାଏ –

 

ଝୁଲୁଝୁଲୁ ହାତୀ ଢୋଳେଇ ପଡ଼ୁଛୁ

ଧୂଳିରେ ଧୂସର ଦିହ

ବାଆ ପାଣି ପିଇ ପଙ୍କେ ଲୋଟି ହୋଇ

ଫୁଲୁଛୁ କିପରି କହ ।

 

କ୍ଷୀର ଖାଇ ପିଲା ହାତୀ ପରି ଶକ୍ତିଶାଳୀ ହେବ - ଏହା ହିଁ ମା’ର ସ୍ୱପ୍ନ । ପୁଣି ପିଲାକୁ ଖେଳାଇବା ସମୟରେ –

 

ଘୁମୁରୁ ଘୁମୁରୁ ଘୁମୁରୁ ପାରା

ଉଡ଼ିଗଲେ ଆଉ ନ ଦେଉ ଧରା

ପାରା ଘୁମୁରଇ ଫୁଲାଇ ବେକ

ପଡ଼ିଶାଙ୍କ ଆଗେ ଦେଖାଇ ଟେକ

ଗୋଟି ଗୋଟି ବୁଣି ଦେଲି ସୋରିଷ

ଖିଣ୍ଟି ଖିଣ୍ଟି ଖାଇ ପାରା ହରଷ

 

ଶିଶୁ ମନ ଭୁଲାଇବାକୁ ଜହ୍ନ ପରି ପାରା ମଧ୍ୟ ଏକ ସୁଲଭ ଆକର୍ଷଣ । ପାରାଙ୍କୁ ନେଇ ଅନେକ କବିତା ଲୋକ ମୁଖରେ ଘୁରି ବୁଲେ –

 

ଆସ ଆସ ପାରା ଯୋଡ଼ିକ

ମୋ ପିଣ୍ଡାରେ ବସ

ଖାଇବାକୁ ଦେବି ତୁମକୁ ନଡ଼ିଆର ରସ

ପିଇବାକୁ ଦେବି ତୁମକୁ ବେଣ୍ଟ ପୋଖରୀ ପାଣି

ଶୋଇବାକୁ ଦେବି ତମକୁ ମାଳିଘରଖଟଣି

ମାଳିଘର ଖଟଣିରେ ବାଉଁଶ ପାତିଆ

ମା ଝିଅଙ୍କ ଗୋଡ଼ରେ ରତନ ଝୁଂଟିଆ ।

 

ବର୍ଷକରୁ ତିନିବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଏହିପରି ଧ୍ଵନି ସମ୍ବଳିତ ଅନେକ ଗୀତ ରହିଛି ଯାହାକୁ ଆଧାର କରି ଶିଶୁ ସାହିତ୍ୟିକମାନେ ମଧ୍ୟ ଅନେକ ନୂତନ ରଚନା କରିଛନ୍ତି । ବର୍ତ୍ତମାନ ଯାହା ସବୁ ଲେଖା ହେଉଛି ସେଗୁଡ଼ିକ ପ୍ରାୟତଃ ପାଂଚବର୍ଷରୁ ଉର୍ଦ୍ଧ୍ୱ ଶିଶୁମାନଙ୍କ ପାଇଁ । କିଂତୁ ଏଥିରେ ପ୍ରାଚୀନ ରଚନାଗୁଡ଼ିକରେ ଥିବା ସହୃଦୟତାର ଅଭାବ ପରିଲକ୍ଷିତ ହୁଏ । ଏବେକାର ଝିଅ ବୋହୂମାନେ ସଂଗୀତ ସବୁ ଭୁଲି ଗଲେଣି । ଏବେ ଗବରସିଂ ଆସିବା ଭୟରେ ଶିଶୁ ଶୋଇପଡ଼େ । ଶୋଇ ଶୋଇ ହୁଏତ ବଣଦେବତାଙ୍କ ସ୍ଵପ୍ନ ଦେଖେ, ଢିସୁମ୍‌ ଢିସୁମ କରି ଖେଳେ, ଟା-ଟା କହି ବିଦାୟ ନିଏ । ଶିଶୁ ମନ ଭୁଲାଣିଆ ଗୀତ/କବିତାର ଧାରା ପ୍ରାୟ ଶୁଖିଗଲାଣି । ଅବଶ୍ୟ ବ୍ୟତିକ୍ରମ ଭିତରେ କିଛି ଲେଖକ ଅଛନ୍ତି ଯେଉଁମାନଙ୍କ ଲେଖାରେ ସଂଗୀତ ଅଛି, ଶବ୍ଦର ଯାଦୁକାରିତା ପାଠକ ହୁଏତ କବିତାର ଅର୍ଥ ଖୋଜିବାକୁ ଭୁଲିଯାଇପାରେ ।

 

ଆଖି ପାଉ ନାହଁ କେତେ ବଡ଼ ତରୁ

ମଂଚକୁ ଛୁଉଁଛି ଡାଳ

ତାର ସରଗ ଛୁଉଁଛି ଡାଳ

ସିଏ ଛଅ ଭାଇ ବାରଟା ଡାଳରେ

କରନ୍ତି ମାଂକୁଡ଼ି ଖେଳ ।

ପତର ପତର କେତେ ପତର ଲୋ

ପତର ଗହଳେ ଶୁଆ

ପଉଷ ପବନେ ଶୁଆ ଉଡ଼ିଗଲା

ପତରଟି ହଳଦିଆ ।

ପତର ମୂଳରେ କଳିକାଟିଏ

ନାଲି ଟୁକୁଟୁକୁ ବାଳିକାଟିଏ

ହସି ହସି ଗଲା କହି

ଯେଉଁ ବାଟେ ଯିଏ ଯାଇଥିଲା

ସେଇ ବାଟେ ବାଟେ ଲେଉଟି ଆଇଲା

ନା ଖାଲି ବଦଳେଇ ।

(ଲାଲ୍‌ ଟୁକୁନୀର କଥା, ଶୁଭେନ୍ଦୁ ମୋହନ ଶ୍ରୀ ଚନ୍ଦନ ସିଂ),

 

ଗଛରୁ ପତ୍ର ଖସେ, ନୂଆ ପତ୍ର ଗଜୁରେ, କଢ଼ି ଧରେ, ଫୁଲ ଫୁଟେ । ଏଇମିତି ପ୍ରକୃତିରେ ଯିବା ଆସିବା ଲାଗି ରହିଥାଏ । କେବଳ ନା ବଦଳୁଥାଏ ।

 

ଲଘୁ ହାସ୍ୟ ରସ ସୃଷ୍ଟି କଳାଭଳି କବିତା, ପ୍ୟାରୋଡ଼ି, ଲାଳିକା, ବ୍ୟଙ୍ଗ କବିତା ଓଡ଼ିଆ ସାହିତ୍ୟରେ ବହୁତ ଅଛି । ଓଡ଼ିଆ ସାହିତ୍ୟରେ ଲାଳିକା ଫକୀର ମୋହନ ଆରଂଭ କରିଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ଏଥିରେ ସିଦ୍ଧହସ୍ତ । କବି ଗଂଗାଧରଙ୍କ ତପସ୍ଵିନୀ କାବ୍ୟର ଛନ୍ଦାନୁସରଣରେ ଗୋଟିଏ ଲାଳିକାର ଉଦାହରଣ ଦିଆଯାଇପାରେ । ମୂଳ କାବ୍ୟରେ ଉଷାଦେବୀ ସୀତାଙ୍କ ଦର୍ଶନ ଲାଭ ପାଇଁ ବାଲ୍ମିକୀଙ୍କ ଆଶ୍ରମକୁ ଆସିଛନ୍ତି ।

 

ମଂଗଳେ ଅଇଲା ଉଷା

ବିକଚ ରାଜୀବ ଦୃଷା

 

ସେଇ ଛାନ୍ଦ ଅନୁକରଣରେ -

ନିଶାରେ ଅଇଲା ମଶା

ସୂଚୀ ଭେଦନ ସରସା

ଶରୀର ଦଂଶନ ତୃଷା

ହୃଦୟେ ଧରି ।

ଛାରପୋକ ସୁଚତୁର

ସଂଗେ ତାର ପରିକର

ମଶାରୀ ରନ୍ଧ୍ର ଦେଇଣ ପ୍ରବେଶ କରି

ଗୁଣୁ ଗୁଣୁ ଗୀତେ କହିଲା

ସଂବେଶରେ ରୁହ ସ୍ଥିର ରାତି ଆସିଲା

ତୁମ୍ଭ କୋମଳ ଚରଣ

କରେ ମତେ ନିମଂତ୍ରଣ

ତହିଁ ଯାଉଛି ଶରଣ ଦୃଢ଼ ଦଂଶନେ ।

 

କବିତାଟିରେ ମଶା ଶୋଇଥିବା ଲୋକ ପାଖକୁ ଆସି ନିବେଦନ ମାଧ୍ୟମରେ ଥରେ ଦଂଶନର ସୁଯୋଗ ପାଇଁ ଅନୁରୋଧ କରୁଛି । ଏଭଳି ପ୍ୟାରୋଡ଼ିରେ ପାଠକ କିଂଚିତ୍‌ ଲଘୁ ଆମୋଦ ପାଇଥାଏ । କିଂତୁ ଏପରି ଲେଖା ଦିନକୁ ଦିନ ହ୍ରାସ ପାଇବାକୁ ଲାଗିଲାଣି । ସାଟାୟାରର ସୂସ୍ମ ଆକ୍ରମଣ କୌଶଳରେ ହାସ୍ୟରସ ମିଶ୍ରିତ ଥାଏ । ବ୍ୟକ୍ତି ବା ସମାଜରେ ଦୁର୍ବଳ ଜାଗାଗୁଡ଼ିକ ପ୍ରକାଶ ପାଇଲେ ଏକ ପ୍ରକାରର ହାସ୍ୟରସ ସୃଷ୍ଟି ହୋଇଥାଏ । ଏ ହସ କିଛିଟା କରୁଣ ଭାବର, ପୁଣି ଆଘାତ ଦେଇ ଇଚ୍ଛା ପୂରଣର ।

 

ଶାସକମାନଙ୍କ ପ୍ରତିଶ୍ରୁତି ଭଂଗକୁ ଲକ୍ଷ୍ୟ କରି କିଛି ବିଦ୍ରୁପ ଥାଏ । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗର କବି ଯଦୁମଣି ସାଟାୟାର ଲେଖାରେ ପ୍ରସିଦ୍ଧି ଲାଭ କରିଛନ୍ତି । କବିଂକୁ ରାଜା ମାଣେ ଜମି ଦେବାର ପ୍ରତିଶ୍ରୁତି ରକ୍ଷା ନ କରିବାରୁ କବି କହିଥିଲେ -

 

ଦେବି ଦେବି ବୋଲି କହିଲେ

ବରଷିଲେ ଜଳଦ

ଜମିମାଣେ ଚଷିଥାନ୍ତି

ଦେଇଥିଲେ ବଳଦ

ଦେବେ ଦେବେ ବୋଲି ଯାହା ମୁଁ କହିଲି

ଦେବ ଦେବଙ୍କ ବାହାନ ପଛ ଆଡ଼ୁ ପାଇଲି ।

 

ଏଠି ପ୍ରତିଶ୍ରୁତି ରକ୍ଷା କରି ନଥିବାରୁ ରଜାଂକୁ ବିଦ୍ରୁପ କରାଗଲା । ଲୋକେ ମଧ୍ୟ ହାସ୍ୟରସ ମାଧ୍ୟମରେ କିଛି ଆନନ୍ଦ ପାଇଲେ । କବିତାଟିରେ ଅନୁପ୍ରାସ ଓ ଯମକ ଚମତ୍‌କାର । ଆଉ ଥରେ ରାଜ ଦରବାରରେ ଉପଯୁକ୍ତ ସମ୍ମାନ ନ ପାଇବାରୁ ସେ ଲେଖିଛନ୍ତି -

 

ଅଂଧ ଦେଶକୁ ଗଲି ଦର୍ପଣ ବିକି

କନ୍ଧ ହାତରେ ଦେଲି ଗୋଧନ ଟେକି

ଜଡ଼ା ସଂଗତେ ଖଡ଼ା କଲି ରଂଧନ

କମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ।

 

ଗୁଣଗ୍ରାହିତାର ଅଭାବ ଯେଉଁଠି, ସେଠାରେ ପ୍ରତିଷ୍ଠା ଆଶା କରିବା ଅପାତ୍ର ଦାନ ବା ଆକସ୍ମିକ ବଣିଜ ସହ ସମାନ ।

 

ଇଂରାଜୀ ଶିକ୍ଷା କିଛିଟା ପ୍ରସାରିତ ହେଲା ସମୟରେ ଚଳିତ ଶତାବ୍ଦୀର ତୃତୀୟ ଚତୁର୍ଥ ଦଶକରେ କୌଳିକ ବୃତ୍ତି ପ୍ରତି ଅନାସ୍ଥା ଭାବ ବଢ଼ି ଚାଲୁଥାଏ । ସ୍କୁଲ କଲେଜରେ ପାଠପଢ଼ି ସରକାରୀ ଚାକିରୀ ପ୍ରତି ଶିକ୍ଷିତମାନଙ୍କ ଝୁଙ୍କ । ସେତିକି ବେଳର ସାମାଜିକ ଅବସ୍ଥାକୁ ଲକ୍ଷ୍ୟକରି ଶୁଣାଯାଉଥିଲା ।

 

କିଏ ଶୁଣିବ ହୋ, ଆମେ ପାଠପଢ଼ି ହେଲୁ ନାଶ

ଭଣ୍ଡାରି ଛାଡ଼ିଲେ ଖିର ନହୁରୁଣୀ ଚାଷୀଏ ଛାଡ଼ିଲେ ଚାଷ

ସମସ୍ତେ କାନରେ କଲମ ଖୋସିଲେ

ବିଲବାଡ଼ି ହେଲା ଘାସ

ମାଇପେ ଡରିଲେ ହାଣ୍ଡି ଧୋଇବାକୁ ଲୁଗାରେ ଲାଗିବ କଳା

ପୁରୁଣା ଫେସନ ପୁରୁଣା ଝାବଡ଼ା

ଦେଢ଼ଶୁର ଘେନି ପଳା ।

 

ପୁରାତନ ଚଳଣି ସ୍ଥାନରେ ନୂତନର ଆର୍ବିଭାବରେ ଭାଂଗି ପଡ଼ୁଥିବା ସାମାଜିକ ସଂସ୍ଥାର ସଂକଟ ପ୍ରତି ଏଥିରେ ଅଛି ବିଦ୍ରୁପାତ୍ମକ ଇଂଗିତ । ସେହିପରି ୧୯୩୭ରେ ରଚିତ ଲେଖାରେ (ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ) ପାଠ ପଢ଼ା ସହ ଯୌତୁକ ଦାବି କେମିତି ବଢ଼ିଚାଲେ, ସେଥିପ୍ରତି ବିଦ୍ରୁପ ରହିଛି :

 

B.A ପଛକୁ M.A.

କିଛି ନ ହେଲେ ବାହାଟା ଦେବେ

ବାପା ବହୁତ ଦାମେ

ଏମ.ଏର ଥିଲେ ଡିଗିରି ଟିଏ

ଟଂକା ପଇସା ପଚାରେ କିଏ ?

ଅଳପ କରି ମଟର ଟିଏ

ହାଙ୍କି ବସିବୁ ଆମେ । ।

B.A ପଛକୁ M.A.

(ଉପେନ୍ଦ୍ର ତ୍ରିପାଠୀ)

 

ବସ୍ତୁତଃ କବିଙ୍କର ‘ଡିଣ୍ଡିମ’ ଅନ୍ତର୍ଗତ କବିତାଗୁଡ଼ିକ ଖୁବ ଶକ୍ତିଶାଳୀ ସାମାଜିକ ସାଟାୟାର, ଯେଉଁଥିରେ ସ୍ଵାଭାବିକ ଭାବେ ହାସ୍ୟରସର ଅବତାରଣା ହୋଇଛି ।

 

ଏହିଭଳି ସାମାଜିକ ସାଟାୟାର ସାଂପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ଏବେ ସଂବାଦପତ୍ରରେ ପଦିକିଆ ରଚନାରେ ସ୍ଥାନିତ ହୋଇଛି । ସେଗୁଡ଼ିକର କବିତାଂଶ ବିଶେଷ ନାହଁ; ଯେତେ ଅଛି ଶାଣିକତା । ନାରୀ ପ୍ରଗତିର ଛଦ୍ମତା ଭିତରେ ଦୁର୍ଗତିକୁ ଲକ୍ଷ୍ୟ କରି କୁହାଯାଇଛି -

 

ବଢ଼ିଲାଣି ଏବେ ନାରୀ ପ୍ରଗତି

ନାରୀମାନଙ୍କର ବଢ଼େ ଦୁର୍ଗତି

ନେତ୍ରୀ ଦେଉଛନ୍ତି ଲଂବା ଭାଷଣ

ଫିଲିମ୍‌ କାଇଦା, ବଧୂକଷଣ

ଯୌତୁକ ବିରୁଦ୍ଧେ ବଖାଣେ ଯିଏ

ପୁଅ ବାହା କରି ଯୌତୁକ ନିଏ ।

 

ସେହିପରି ମଣ୍ଡଳ କମିଶନ ବିରୋଧୀ ଆଂଦୋଳନକୁ ଲକ୍ଷ୍ୟ କରି ଲେଖା ଯାଇଛି –

 

ମୁଣ୍ଡଳି ବୁଲାଇ ଦେଲା ମଣ୍ଡଳ

ମଂଜି ବୁଣିଦେଲା କର କନ୍ଦଳ

ସଂଖ୍ୟାଲଘୁ ହେଲେ ପ୍ରତିଭାଧର

ଟାକିଥା ଖାଇବ ପାଚିଲେ ଫଳ ।

 

ଦଳଗତ ଶାସନକୁ ବି ଏ ଧରଣର ଲେଖାରେ ଲାଖ ବିଂଧି ହୁଏ ଯେମିତି -

ନାରିକେଳ ଗଛ ପାହାଚ ପାହାଚ

ମୂଳରୁ ବାହୁଙ୍ଗା ଯାଏ

ଆଖି ବୁଜି ତେଣେ ଦୁଧ ପିଉଛନ୍ତି

ବିଜୁଙ୍କ ବାଳୁଙ୍ଗା ପୁଏ

ଦୁର୍ନୀତି କି କରି ନୀତି

ସୋ’ କରୁଛନ୍ତି କୀର୍ତ୍ତି କରାମତି

ପାହି ପାହି ଆସେ ରାତି ।

 

ଏଭଳି ଇଂଗିତ ଦଳ ଓ ବ୍ୟକ୍ତି ବିରୋଧରେ ଖୁବ୍‌ ସ୍ପଷ୍ଟ । ଓଡ଼ିଶାରେ ଲୋକେ କହନ୍ତି –

 

କିସ ବଖାଣିବି, ଖଜୁରୀ ଗଛ ତ ମୂଳରୁ ପାହାଚ ପାହାଚ

 

ଏଠି ବ୍ୟଙ୍ଗକାର ‘ନାରିକେଳ ଗଛ’କୁ ଗ୍ରହଣ କରିବା ଅସଂଗତ ଲାଗୁଛି ।

 

ରାଜନୈତିକ ଘଟଣାବଳୀକୁ ଲକ୍ଷ୍ୟକରି ଗୋଟିଏ ପୁରାତନ ରଚନା ଦେଖାଯାଉ । ଓଡ଼ିଶାର ଅନ୍ୟତମ ବ୍ୟଙ୍ଗକାର କବି ଗୋଦାବରୀଶ ମହାପାତ୍ରଙ୍କ ଲେଖା -

 

ମଂତ୍ରୀ କହିଲେ ଚାଉଳଟା ହେବ ଶସ୍ତା

ଶସ୍ତା ହୋଇବ ମାର୍କିନ ଧୋତି କସ୍ତା

ଉଣେଇଶ ଅଶୀ ମସିହାକୁ

ଟଙ୍କାଏ ଧାନ ବସ୍ତା -

 

ବସ୍ତୁତଃ ଶାସକମାନଙ୍କ ବ୍ୟଭିଚାର, ଅଂହକାର ଓ ଛଦ୍ମବେଶୀ ମୁଖା ଖୋଲିଦେବାକୁ ସାଟାୟାର ଗୋଟିଏ ବଳିଷ୍ଠ ମାଧମ । ଲଘୁ ଆମୋଦ ଭିତରେ ମଣିଷ ନିଜ ଅବସ୍ଥାକୁ ଆହୁରି ଶାଣିତ ଭାବେ ଅନୁଶୀଳନ କରିପାରେ । ନୀତିଭ୍ରଷ୍ଟ ସମାଜକୁ ଆଂଗୁଠି ଦେଖାଇ ଚେତେଇ ଦେଇପାରେ ସାଟାୟାର ।

 

ଦରମାଟା ମିଳେ ନାହିଁ ଠିକ୍‌ ତାରିଖରେ କାହିଁ

ଠିକ୍‌ ସାଢ଼େ ଦଶଟାରେ ଅଫିସକୁ ଯାଏ ନାହଁ

ଲେଖିବାକୁ ଠିକ୍‌ କଥା ଭୟକରେ ଥାନାବାବୁ

ବଜାରରେ ଠିକ୍‌ ନାହିଁ ସରକାରୀ ଦର ସବୁ

(ଗୋଦାବରୀଶ)

 

କବିତାର ଏହି ଧାରା ଏବେବି ବଂଚି ରହିଛି କିଛି ଲେଖକଙ୍କ ଶକ୍ତିଶାଳୀ କଲମ ଚାଳନାରେ । ତେବେ କିଛି ବ୍ୟଙ୍ଗ କବିତାରେ ହାସ୍ୟ ରସର ଅଭାବ ଓ ସଠିକ୍‌ ଆକ୍ରମଣର ମାଧୁର୍ଯ୍ୟର ଅଭାବ ପରିଲକ୍ଷିତ ହୁଏ ।

 

ହାସ୍ୟରସକୁ ଆଧାରକରି ସାହିତ୍ୟର ମରୁଡ଼ି ସବୁ ସମୟରେ, ସବୁ ଭାଷାରେ । ଓଡ଼ିଆ ସାହିତ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହଁ । ତେବେ ଓଡ଼ିଆ ସାହିତ୍ୟରେ ବିଶୁଦ୍ଧ ହାସ୍ୟ ରସର ଧାରା ବର୍ତ୍ତମାନ ବି ପୁରା ଶୁଖିଯାଇନି ।

 

ଦାଢ଼ି ଦିନେ ଡାକି ଶାଢ଼ୀରେ କହିଲା ପ୍ରିୟା

ତୁମକୁ ଦେଖିଲେ ଆକୁଳ ହୁଏ ମୋ ହିଆ

କେତେ ସୁନ୍ଦରୀର ତନୁର ପରଶ ପାଇ

ଧନ୍ୟ ହେଉଛି ଜୀବନ ତୋହର - ସହି

ଏ ଜୀବନ ମୋର ନିହାତି ନିରସ ମରୁ

ବଳିପଡ଼େ ନିତି ଯେସନେ ଛେଳି ଓ ଗୋରୁ

ଗଜୁରି ଉଠି ମୁଁ ଟିକିଏ ଦିଶିଲେ ତୋଫା

ଶାଣ ଦିଆ ଖୁର କରିଦିଏ ମତେ ସଫା ।

 

ଏହି ଆଲୋଚନାରେ ସନ୍ନିବେଶିତ ବିଭିନ୍ନ ଶ୍ରେଣୀର ଲେଖାର ଯେଉଁ କେତୋଟି ଦୃଷ୍ଟାନ୍ତ ଦିଆଯାଇଛି, ସେଗୁଡ଼ିକ ପ୍ରକୃତ ବିଚାରରେ ହୁଏତ ସମଗୋତ୍ରୀୟ ନୁହନ୍ତି । ତେବେ ସେମାନଙ୍କ ଭିତରେ ଗୋଟିଏ ସମାନତା ରହିଛି । ଲଘୁତା, ଶବ୍ଦଧ୍ଵନି, ଯମକ, ଯତିପାତ ଇତ୍ୟାଦି । ଏ ରଚନାଗୁଡ଼ିକର ଭୂମି ଓ ସମୟକାଳ ଅତି ପରିବ୍ୟାପ୍ତ । ପ୍ରାଚୀନ ରଚନାକାର ଅଜ୍ଞାତ, କିଂତୁ ଆଧୁନିକ ଲଘୁ ରଚନାର ଲେଖକ ଜ୍ଞାତ । ତେବେ ଆଧୁନିକ ଲଘୁ ରଚନାଗୁଡ଼ିକ ଜନମାନସରେ ସେତେଟା ଆଲୋଡ଼ନ ସୃଷ୍ଟି କରିପାରି ନାହିଁ ଯାହା ପ୍ରାଚୀନ ରଚନା କ୍ଷେତ୍ରରେ ପ୍ରତିଫଳିତ । ଏମିତି ଅବସ୍ଥାରେ ସବୁଗୁଡ଼ିକୁ ଏକ ଶ୍ରେଣୀଭୁକ୍ତ କରିବା ନିରାପଦ ନୁହେଁ ।

 

ଏ ସବୁ ସତ୍ତ୍ୱେ ଏ ସମସ୍ତ ରଚନାଗୁଡ଼ିକ ମଧ୍ୟରେ ଗୋଟିଏ ସମାନ ସ୍ଵର ଲକ୍ଷ୍ୟ କରାଯାଇପାରେ । ସେଇସ୍ଵର ଆବେଗ ଓ ଆବେଦନ ପ୍ରଧାନ । ଏଇ ଧରଣର କବିତା ଶ୍ରୋତା ବା ପାଠକ ମନରେ ସହଜ ଭାବେ ପ୍ରବେଶ କରିପାରେ । ଏଗୁଡ଼ିକର ଉପସ୍ଥାପନା ଶୈଳୀ ସରଳ । ଆମେ ଏଗୁଡ଼ିକୁ ଲଘୁ କବିତା ପର୍ଯ୍ୟାୟବାଚୀ କରିପାରୁ । ‘ଲଘୁ’ ବିଶେଷଣଟି ଏଠି ଅମର୍ଯ୍ୟାଦା ସୂଚକ ନୁହେଁ । ଏଗୁଡ଼ିକ ଲଘୁ କାରଣ ଏଗୁଡ଼ିକ ଆମ ସାଂଗରେ ବାଟ ଚାଲୁଥାନ୍ତି । ମନରେ ବସା ବାନ୍ଧିଥାନ୍ତି । ଆମ ଜୀବନକୁ ଟିକିଏ ହାଲୁକା କରି ମୁହଁରେ ଟିକେ ହସ ଦେଇଥାନ୍ତି ।

 

ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ସଭିଙ୍କ ହୃଦୟ ଛୁଇଁଲା ଭଳି ସମାଜ -ଅନୁଭୂତି-ପ୍ରଧାନ କ୍ଷୁଦ୍ର ପଦାବଳୀ ଆଉ ରଚିତ ହେଉନାହିଁ । ମିନି କବିତା ନାମରେ ଏବେ ଯେଉଁ ଅତିକ୍ଷୁଦ୍ର କବିତା ରଚିତ ହେଉଛି, ସେଗୁଡ଼ିକ ଅନ୍ୟାନ୍ୟ ଆଧୁନିକ କବିତା ଭଳି ଲେଖକର ମୁଡ଼ ସର୍ବସ୍ଵ, ସାଂନ୍ଦ୍ର ବ୍ୟକ୍ତିଗତ ଅନୁଭୂତି, ଆନ୍ତରିକ ମୁହୂର୍ତ୍ତର ଉପଲବ୍ଧି । ସେଥିରେ ସାମାଜିକ ସାମୂହିକତାର ବାର୍ତ୍ତା ନାହିଁ । ଉଚ୍ଚାଙ୍ଗ କବିତା ସେ ସମସ୍ତ ଆସନ ମାଡ଼ିବସିଛନ୍ତି । ପୁନଶ୍ଚ ଅଲିପିତ ଅବସ୍ଥାରେ କବିତା ଯେପରି ଶ୍ରୁତିରୁ ଶ୍ରୁତିକୁ ଅବଳୀଳା କ୍ରମେ ଗତି କରିପାରୁଥିଲା, ଅଦ୍ୟାବଧି ପ୍ରବଚନ ଯେପରି ସ୍ମରଣରେ ବଂଚି ରହିଛନ୍ତି, ତାହା ସେହି ରୂପେ ଆଧୁନିକ ରଚନାରେ ଆଉ ସଂଭବ ହେବନାହିଁ । ଯେତେ ଯାହା ସପକ୍ଷରେ ବା ଯୁକ୍ତିଛଳରେ କୁହାଗଲେ ବି କବିତା ଏଣିକି ଲୋକରେ ଶାଶ୍ୱତ ଜୀବନିକା ରଚିପାରିବ ନାହଁ । ତାହା ବୁଦ୍ଧିଗାମୀ ଆଲୋଚନା ବିଚାରର ସାମଗ୍ରୀ, ସାଂପ୍ରତିକ ଜୀବନ ସମସ୍ୟାର ବିଭିନ୍ନ ବିଭାବତୁଲ୍ୟ ସମୟର ଉପଲବ୍ଧି - ଅତ୍ୟନ୍ତ ସାମୟିକ । ଅନ୍ତତଃ ମୋ ଦୃଷ୍ଟିରେ ଓଡ଼ିଆ ସାହିତ୍ୟରେ ଜୀବନବୋଧ ସଂବଳିତ ସ୍ପର୍ଶକ୍ଷମ କ୍ଷୁଦ୍ର କବିତା ପ୍ରାଚୀନ ବଟବୃକ୍ଷ ତୁଲ୍ୟ ରହିଯାଇଛନ୍ତି ଧୀରେ ଧୀରେ ସ୍ମୃତିରୁ ହଜି ସଂଗୃହୀତ ହୋଇ ପୁସ୍ତକ ନିବଦ୍ଧ ହୋଇଯାଉଛନ୍ତି-

 

କଣ୍ଟିଗଡ଼ିଆ, ଯାଜପୁର

***

 

Unknown

ଓଡ଼ିଆ ଭାଷାର ଶାସ୍ତ୍ରୀୟତା : ଏକ ସାମାନ୍ୟକଥନ

ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ

 

ଜନ୍ମରୁ ମନୁଷ୍ୟ ମାତ୍ରେ କୌଣସି ଗୋଟିଏ ନା ଗୋଟିଏ ଭାଷାରେ ବାକ୍ୟ ମାଧ୍ୟମରେ ଭାବ ପ୍ରକାଶ କରେ । ଏହାହିଁ ତାର ମାତୃଭାଷା । ଏହି ଭାଷାରେ ସାବଲୀଳ ଓ ସ୍ଵତଃ ସେ କହେ ଓ ଲେଖେ । ଏହି କହିବାରେ ଓ ଲେଖିବାରେ ଲୋକମାନେ ଅନେକ ଶବ୍ଦ ବ୍ୟବହାର କରନ୍ତି । ଏହି ଶବ୍ଦଗୁଡ଼ିକ ଲୋକ ମୁଖରେ ହଜାର ହଜାର ବର୍ଷହେଲା ଆମ ପାଖରେ ପହଞ୍ଚିଛି । ନୂଆ ନୂଆ ଶବ୍ଦ ମଧ୍ୟ ଭାଷାରେ ମିଶୁଛି । ଭାବ ପ୍ରକାଶ କରିବାର ଆବଶ୍ୟକତାକୁ ଚାହିଁ ଶବ୍ଦ ସୃଷ୍ଟି ହୁଏ ଏବଂ ଅନ୍ୟଭାଷାରୁ ଆମ ଭାଷାରେ ବ୍ୟବହାର ପାଇଁ ଅଣାଯାଏ । ଏହିପରି ଶବ୍ଦ ଭଣ୍ଡାର ବଢ଼ି ବଢ଼ି ଚାଲେ । ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ଏହି ପ୍ରକ୍ରିୟାରେ ବୃଦ୍ଧି ଲାଭ କରିଛି ।

 

ଓଡ଼ିଆ ଭାଷା (କଥିତ ଓ ଲିଖିତ) ଓଡ଼ିଆମାନଙ୍କର ଭାଷା । ଓଡ଼ିଆ ଗୋଟିଏ ଜାତି (ନେସନ) ଏବଂ ଏହି ଜାତିର ଭାଷା ହେଉଛି ଓଡ଼ିଆ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ଓ ଏକ ଶାସନାଧୀନ ପ୍ରକ୍ରିୟାରୁ ଓଡ଼ିଶା ପ୍ରଦେଶ (୧୯୩୬) ଏବଂ ପରେ ଭାରତୀୟ ସଂବିଧାନ କାର୍ଯ୍ୟକାରୀ ହେବା ପରେ (ଜାନୁଆରୀ ୨୬, ୧୯୫୦ ରୁ) ଓଡ଼ିଶା ରାଜ୍ୟ ସୃଷ୍ଟି ହୋଇଛି । ତଥାପି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରାଜନୈତିକ ଓଡ଼ିଶା ରାଜ୍ୟ ବାହାରେ ରହିଯାଇଛି । ଐତିହାସିକ ଓ ରାଜନୈତିକ କାରଣରୁ ତାହା ତ ଭାଗ୍ୟର ବିଡ଼ମ୍ବନା ।

 

ଓଡ଼ିଆ ଭାଷା ହେଉଛି ଓଡ଼ିଆ ଜାତିର ପରିଚୟ, ସେମାନେ ଯେଉଁଠାରେ ବାସ କରନ୍ତୁ ପଛେ । ଭାଷାକୁ ଧରି ସାହିତ୍ୟ ଓ ସଂସ୍କୃତିର ସୃଷ୍ଟି । ଭାଷା ସଂସ୍କୃତିର ବାହକ ସାହିତ୍ୟ ମାଧ୍ୟମରେ, ଓଡ଼ିଆ ଜାତିର ସ୍ଵାତନ୍ତ୍ର୍ୟ ଅଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମଧ୍ୟ ବୈଶିଷ୍ଟ୍ୟ ଅଛି ।

 

ଓଡ଼ିଆମାନେ ଏକ ଅତି ପୁରାତନ ଜାତି ବିବର୍ତ୍ତନ ଓ ଉତ୍ତରଣ ପ୍ରକ୍ରିୟାରେ । ଜାତି ସହିତ ଭାଷା ବି ବିବର୍ତ୍ତନ ଓ ଉତ୍ତରଣ ମଧ୍ୟ ଦେଇ ଗତି କରିଛି ହଜାର ହଜାର ବର୍ଷ ଧରି ଏବଂ ପହଞ୍ଚିଛି ଆଜିର ପିଢ଼ିରେ । ଓଡ଼ିଆ ଭାଷାରେ ଯେଉଁ ସାହିତ୍ୟ ସୃଷ୍ଟି ହୋଇଛି, ବିଶେଷତଃ ମହାକାବ୍ୟ ଓ କାବ୍ୟସାହିତ୍ୟ ତାହା ଭାଷା ବୈଚିତ୍ର୍ୟ । ଭାବବୈଚିତ୍ର୍ୟ ଓ ଶବ୍ଦ ବୈଚିତ୍ର୍ୟରେ ଅନନ୍ୟ । ଏପରି ବୈଚିତ୍ର୍ୟ ଓ ସ୍ଵାତନ୍ତ୍ର୍ୟ ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଦୁର୍ଲଭ ।

 

ଓଡ଼ିଆ ଭାଷାର ଲିପି ବ୍ରାହ୍ମୀ ଲିପିରୁ ଆସିଥିଲେ ମଧ୍ୟ ଏହା ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଲିପିଠାରୁ ସ୍ଵତନ୍ତ୍ର । କେତେକ ଭାଷାର ନିଜସ୍ଵ ସ୍ଵତନ୍ତ୍ର ଲିପି ନାହଁ । ମାତ୍ର ଓଡ଼ିଆ ଭାଷାର ଅଛି ଏବଂ ଏହି ଲିପି ଭୌଗୋଳିକତା ଉପରେ ନିର୍ଭର କରି ଗଢ଼ିଉଠିଛି । ତାଳପତ୍ରରେ ଲେଖିବା ସହଜସାଧ୍ୟ ଓ ସାବଲୀଳ ହେବା ଦୃଷ୍ଟିରୁ ଓଡ଼ିଆ ଲିପି ମଣ୍ଡଳାକାର/ ଗୋଲାକାର ହୋଇଛି । ଏହା ଓଡ଼ିଆ ଲିପିର ସ୍ଵାତନ୍ତ୍ର୍ୟ ଓଡ଼ିଶା ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ତାଳଗଛର ବହୁଳତା ଦୃଷ୍ଟିରୁ ତାହା ଲିପି ମାଧ୍ୟମ ରୂପେ ବ୍ୟବହୃତ ହୋଇଥିଲା । ପରେ କାଗଜର ବ୍ୟବହାର ସେ ସ୍ଥାନ ଅଧିକାର କରିଛି ।

 

ଓଡ଼ିଆ ଶବ୍ଦଟି ଓଡ଼, ଓଡ୍ର, ଉଡ୍ର, ଉଡ୍ରଭୂଖଣ୍ଡ, ଉଡ୍ରଦେଶ, ଉଡ୍ର ବିଭାଷା ସହିତ ସମ୍ବନ୍ଧିତ ଏବଂ ସେହି ଶବ୍ଦଗୁଡ଼ିକର ଅପଭ୍ରଂଶରୁ ସୃଷ୍ଟି । ଉଡ୍ର ଏକ ପ୍ରଜାତି (ଟ୍ରାଇବ), ଯେଉଁମାନଙ୍କର ଜୀବନ ନିର୍ବାହ ପାଇଁ ବୃତ୍ତି ହେଉଛି ଚାଷ । ତେଣୁ ଓଡ଼ିଆ ବା ଉଡ୍ର ଭାଷା ପ୍ରଥମତଃ ଏକ ଚାଷୀଭାଷା । ଏ ଦୃଷ୍ଟିରୁ ଯେତେବେଳେ ଶୂଦ୍ରମୁନି ଆଦିକବି ସାରଳାଦାସ ଓଡ଼ିଆ ଭାଷାରେ ମହାଭାରତ ରଚନା କଲେ ଦାଣ୍ଡୀ ବୃତ୍ତରେ ତାକୁ ସଂସ୍କୃତଜ୍ଞ ବ୍ରାହ୍ମଣମାନେ ଚଷା ମହାଭାରତ ବୋଲି ତାଚ୍ଛଲ୍ୟ କରି କହିଲେ । ସେହିପରି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତକୁ ତେଲୀ ଭାଗବତ କହିଲେ । ଭାଗବତ ହେଉଛି -ରସମାଳୟ (ରସଂ+ଆଳୟ) - ରସର ଆଳୟ ବା ଖଣି, ଗନ୍ତାଘର । ଏହି ‘ରସ’ ଓଡ଼ିଆ ଭାଷାରେ ରଚିତ ଭାଗବତରେ ତେଲୀ ଘଣା ଦ୍ୱାରା ପ୍ରସ୍ତୁତ ‘ତେଲ’ ହୋଇଯାଇଛି । ଏହି ତାଚ୍ଛଲ୍ୟଭରା ସମ୍ବୋଧନ ସୂଚନା ଦିଏ ଯେ ଓଡ଼ିଆଭାଷା ସ୍ଵତନ୍ତ୍ର । ଏହା ସଂସ୍କୃତଭାଷାରୁ ଉଦ୍ଭବ ନୁହେଁ । ଅନ୍ୟାନ୍ୟ ଭାଷାରୁ ଶବ୍ଦ ଆହରଣ କଲାପରି ସଂସ୍କୃତଭାଷାର ଶବ୍ଦ ତତ୍‌ସମ, ତଦ୍‌ଭବ ଆଦି ରୂପରେ ଓଡ଼ିଆ ଭାଷାରେ ମିଶି ଏହି ଭାଷାର ଶବ୍ଦ ଭଣ୍ଡାରକୁ ସମୃଦ୍ଧ ଓ ସ୍ଫୀତ କରିଛି ।

 

ଓଡ଼ିଆ ଭାଷାର ଶବ୍ଦ ଓ ବାକ୍ୟଗଠନ ସଂସ୍କୃତଭାଷାର ଅନୁବର୍ତ୍ତୀ ହେଲେ ମଧ୍ୟ ଏହାର ସ୍ଵତନ୍ତ୍ରତା ଅଛି ଏବଂ ଏହା ସଂସ୍କୃତ ପରି ଏକ ପ୍ରାଚୀନ ଓ ପ୍ରବୀଣଭାଷା । ଅବଶ୍ୟ ପ୍ରାଚୀନତାରେ ସଂସ୍କୃତର ସମସାମୟିକ ନହୋଇପାରେ । ମାତ୍ର ଭାରତର ଅନେକ ଆଞ୍ଚଳିକ ଭାଷାଠାରୁ ଏହା ପ୍ରାଚୀନ । ବଙ୍ଗଳାଭାଷା ଓ ଓଡ଼ିଆ ଭାଷା ମଧ୍ୟରେ କିଏ ବଡ଼ଭଉଣୀ ଏ ବିବାଦ ବା ତର୍କ (ଡିବେଟ୍‌) ତ ଲାଗି ରହିଛି । ମାତ୍ର ବଙ୍ଗଭାଷାବିଦ୍‌ ଗବେଷକମାନେ ହିଁ (ଯଥା- ସୁକୁମାର ସେନ) ସ୍ଵୀକାର କରିଛନ୍ତି ଓଡ଼ିଆଭାଷା ବଙ୍ଗଭାଷା ଠାରୁ ବୟସରେ ବଡ଼ । ଓଡ଼ିଆ ସାହିତ୍ୟ ମଧ୍ୟ ବଙ୍ଗ ସାହିତ୍ୟଠାରୁ ପ୍ରାଚୀନ ଓ ସମୃଦ୍ଧ । ଅହମିୟ ଭାଷା ସାହିତ୍ୟ ଠାରୁ ମଧ୍ୟ । କାରଣ ଓଡ଼ିଆ ଭାଷାରେ ରାମାୟଣ, ମହାଭାରତ ଭାଗବତ ରଚନା (ଅନୁବାଦ) ହେବା ପରେ ହିଁ ଏହି ଦୁଇ ପୂର୍ବଭାରତୀୟ ଆଞ୍ଚଳିକ ଭାଷାରେ ରଚିତ ହୋଇଛନ୍ତି ।

 

ପୁରାଣ- ଇତିହାସରୁ ଜଣାଯାଏ, ଦୈତ୍ୟରାଜ ବଳିଙ୍କର ପାଞ୍ଚ ପୁଅଙ୍କ ନାମାନୁସାରେ ତାଙ୍କ ସାମ୍ରାଜ୍ୟ ପାଞ୍ଚ ଭାଗରେ ବିଭକ୍ତ ହୋଇ ସେମାନଙ୍କ ଦ୍ୱାରା ଶାସିତ ହୋଇଥିଲା । ଯେତେବେଳେ ମହାଦାନୀ ବଳି ଭଗବାନଙ୍କ ବାମନାବତାରଙ୍କ ଦ୍ଵାରା ପାତାଳଗାମୀ ହେଲେ । ସେହି ରାଜ୍ୟଗୁଡ଼ିକ ହେଲା- ଅଙ୍ଗ, ବଙ୍ଗ, କଳିଙ୍ଗ ପୌଣ୍ତ୍ର ଓ ସୁହ୍ମ । ଅଙ୍ଗ ମଗଧର ଦକ୍ଷିଣ ଅଂଶ ବିଶେଷ (ଯେଉଁ ଅଞ୍ଚଳ ଏବେ ଝାଡ଼ଖଣ୍ଡ), ମଗଧ ତଳକୁ କଳିଙ୍ଗ । କଳିଙ୍ଗ ହିଁ ଉଡ୍ର ଜାତିର ବାସସ୍ଥାନ । ସେମାନଙ୍କୁ ପ୍ରାଚୀନ କାଳରେ ‘କାଳିଙ୍ଗ’ କୁହାଯାଏ । କଳିଙ୍ଗର ଅର୍ଥ ମଧ୍ୟ ଚାଷ ଓ ଚାଷୀ ସହିତ ସମ୍ବନ୍ଧିତ ।

 

ଉଭୟ ମଗଧ ଓ କଳିଙ୍ଗ ଆର୍ଯ୍ୟେତର, ଏବଂ ସମୟର ପ୍ରବାହରେ ପରେ ଏମାନଙ୍କର ଆର୍ଯ୍ୟୀକରଣ ଘଟିଛି । ବଳି ରାଜାଙ୍କର ସମଗ୍ର ସାମ୍ରାଜ୍ୟ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର, ସୁହ୍ମ ପ୍ରଭୃତିର ବାସିନ୍ଦାମାନଙ୍କୁ ତତ୍କାଳୀନ ବିଧିଦାତା (ଲ ଗିଭର୍‌) ବୌଦ୍ଧାୟନ ‘ସଂକୀର୍ଣ୍ଣ ଯୋନୟଃ’ ବୋଲି ଅଭିହିତ କରିଛନ୍ତି ଜୈନ ଓ ବୌଦ୍ଧ ଧର୍ମର ପ୍ରାଧାନ୍ୟ ଥିଲାବେଳେ (ଖ୍ରୀଷ୍ଟପୂର୍ବ ବହୁ ଶତାବ୍ଦୀ ଆଗରୁ) ପ୍ରାକୃତ ଓ ପାଲି ଭାଷାରେ ଏହି ଦୁଇ ଧର୍ମ ଏହି ଭୂଖଣ୍ଡରେ ପ୍ରଚାରିତ ହୋଇଥିଲା । ଜୈନ ଧର୍ମାବଲମ୍ବୀ କଳିଙ୍ଗ ସମ୍ରାଟ୍‌ ମହା ମେଘବାହନ ଏର ଖାରବେଳଙ୍କ ଦ୍ଵାରା ଖୋଦିତ ହାତୀଗୁମ୍ଫା ଶିଳାଲେଖ ପାଲିଭାଷାରେ ଲିଖିତ । ଏହା ହେଉଛି ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ।

 

ଆଗରୁ କୁହାଯାଇଛି, ଓଡ଼ିଆ ଲିପିର ମୂଳଲିପି ହେଉଛି ବ୍ରାହ୍ମୀଲିପି । ସୁପ୍ରାଚୀନ ବୈଦିକ ଯୁଗରେ ବୈଦିକ ଭାଷାରେ ବ୍ୟବହୃତ କେତେକ ଶବ୍ଦ ସହିତ ଓଡ଼ିଆ ଶବ୍ଦର ସାଦୃଶ୍ୟ ଦେଖାଯାଇଥାଏ । ବୈଦିକ ଶବ୍ଦ ଯଥାକ୍ରମେ : ତୋକ/ ତୋକା, ନନା/ ନାନୀ, ବିକଳ ବିଷୟ ଆଦି ଓଡ଼ିଆରେ ଯଥାକ୍ରମେ ଟୋକା, ନନା/ ନାନୀ, ବିକଳ ବିଷୟ ଆଦି ରୂପେ ବ୍ୟବହୃତ ହୋଇ ଆସୁଅଛି ।

 

ଇତିହାସରୁ ଜଣାଯାଏ, ଖ୍ରୀଷ୍ଟପୂର୍ବ ଷଷ୍ପଶତାବ୍ଦୀରେ ଜୈନଧର୍ମର ପ୍ରବର୍ତ୍ତକ ମହାବୀର ତାଙ୍କ ଧର୍ମମତ, ପ୍ରଚାର କରିବାକୁ କଳିଙ୍ଗ ଆସିଥିଲେ । ଏବର ରାଜଧାନୀ-ଭୁବନେଶ୍ଵର ସନିକଟ ଖଣ୍ଡଗିରି ଉଦୟଗିରି (ସେତେବେଳେ କୁମାର- କୁମାରୀ ପର୍ବତ ରୂପେ ପରିଚିତ) ପାହାଡ଼ ଉପରୁ ପାଲି-ପ୍ରାକୃତ ଭାଷାରେ ପ୍ରବଚନ ଦେଇଥିଲେ ।

 

ମଗଧ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ବିଜୟ ଲାଭ କରି ଏହି ଭୂଖଣ୍ଡକୁ ନିଜ ସାମ୍ରୋଜ୍ୟଭୁକ୍ତ କରିଥିଲେ । ତାଙ୍କର ରାଜକୀୟ ଭାଷା (ମାଗଧୀ ପ୍ରାକୃତ)ରେ ଅନୁଶାସନ ପ୍ରଚଳନ କରିଥିଲେ । ଧଉଳି (ତୋଷାଳି ?) ଓ ଯଉଗଡ଼ (ସୋମାପା) ଶିଳା ଲେଖ ତାହାର ପ୍ରମାଣ ସ୍ଵରୂପ ଏବେ ବି ବିଦ୍ୟମାନ । ସେ ସମୟର ଭାଷା ଓ ପ୍ରଚଳିତ ଶବ୍ଦର ଉତ୍ତରାଧିକାରିତ୍ୱ ଓଡ଼ିଆ ଭାଷା ଉପରେ ପଡ଼ିଛି ।

 

ଖାରବେଳ ହାତୀଗୁମ୍ଫା ଶିଳା ଲେଖରେ ବ୍ୟବହୃତ ଭାଷାର କେତେକ ଶବ୍ଦ ଓ ତାହାର ଅପଭ୍ରଂଶ ଓଡ଼ିଆ ଭାଷାରେ ପ୍ରଚଳିତ । ଉଦାହରଣ ସ୍ଵରୂପ - ଘର, ଲେଖ, ଗୋପୁର, ପଛିମ (ପଶ୍ଚିମ), ପଥମ (ପ୍ରଥମ), ଯୋବରାଜା (ଯୁବରାଜା), ରାଜା, ଶିରି (ଶ୍ରୀ), ଦୁତିୟ (ଦ୍ୱିତୀୟ ), ତୃତୀୟର ଅପଭ୍ରଂଶ ରୂପ-ତୁତିଅ, ତେରସ (ତେରଶ- ତେର ଶହ), ନବ (ନଅ), ‘ହଥୀ’ ରୁ ହାତୀ, ବାଟ, ଦାଣ୍ଡ, କୋଠାଘର, ପାଟ, ଦହ (ଜଳପୂର୍ଣ୍ଣ ପୁଷ୍ପରିଣୀ) ଇତ୍ୟାଦି ।

 

ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ରଚିତ ଭରତମୁନିଙ୍କ ନାଟ୍ୟ ଶାସ୍ତ୍ରରେ ‘ଉଡ୍ର ବିଭାଷା’ର ଉଲ୍ଲେଖ ଅଛି (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ବୋଲି ଗବେଷକମାନେ ମତ ଦେଲେଣି ତାହା ଅଧିକ ଅନୁଶାସନ ସାପେକ୍ଷ ଦେଲେଣି) । ଉଡ୍ର ବିଭାଷା ସେ ସମୟରେ ଏହି ଭୂଖଣ୍ଡର ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ କଥିତ ଭାଷାଥିଲା । ଉଡ୍ର ବିଭାଷାରେ ସୃଷ୍ଟି କୌଣସି ସାହିତ୍ୟ ଏବେ ମିଳୁନାହିଁ । କେବଳ ମାର୍କଣ୍ଡେୟ ଦାସଙ୍କ ରଚିତ ପ୍ରାକୃତ ବ୍ୟାକରଣ ଗ୍ରନ୍ଥି ‘ପ୍ରାକୃତ ସର୍ବସ୍ଵ’ରେ ଉଡ୍ର ବିଭାଷାର କେତୋଟି ପଂକ୍ତି ଦେଖିବାକୁ ମିଳେ । ଉଡ୍ର ବିଭାଷା ରୂପାନ୍ତରିତ ଓ ବିବର୍ତ୍ତିତ ହୋଇ ଓଡ଼ିଆ ଭାଷାରେ ଅନ୍ତଃ ସଲିଳା ଫଲ୍‌ଗୁ ପରି ନିଜର ସତ୍ତା ବିଲୀନ କରିଛି । ଏହାହିଁ ଯଥାର୍ଥରେ ଏହାର ସ୍ଵାଭାବିକ ଐତିହାସିକ ଓ ବୈଜ୍ଞାନିକ ପରିଣତି ।

 

୭ମ-୯ମ ଶତାବ୍ଦୀ ମଧ୍ୟରେ ବୌଦ୍ଧଗାନ ଓ ଦୋହା ଏହି ଭୂଖଣ୍ଡରେ ତତ୍‍କାଳୀନ ‘ଅପଭ୍ରଂଶ (ସାନ୍ଧ୍ୟ) ଭାଷାରେ ରଚିତ ହୋଇଥିଲା ବୋଲି ଐତିହାସିକମାନଙ୍କର ମତ । ଓଡ଼ିଆ ଭାଷାର ଏହା ଆଦ୍ୟ ରୂପେ ବୋଲି ଗବେଷକମାନେ ମତ ଦିଅନ୍ତି । ଏ ସମସ୍ତ ଭାଷାର ଘାତ ପ୍ରତିଘାତ ଜନିତ ବିବର୍ତ୍ତିତ ରୂପ ହେଉଛି ବର୍ତ୍ତମାନର ଓଡ଼ିଆ ଭାଷା ଓ ତାହାର ଶବ୍ଦ ବିଭବ । ବୌଦ୍ଧଗାନ ଓ ଦୋହାରେ ବ୍ୟବହୃତ କେତେକ ଶବ୍ଦ ଏ ପର୍ଯ୍ୟନ୍ତ ଅବିକୃତ ଭାବ ଓଡ଼ିଆ ଭାଷାରେ ପ୍ରଚଳିତ । ଉଦାହରଣ - ସହଜ (ସହଜ ସୁନ୍ଦରୀ), ଦାରୀ, ଲୋଡଇ, ଉଁଚା ( ଉଚ୍ଚା), ରାଉତ, ତଇଲା ଇତ୍ୟାଦି ।

 

ଓଡ଼ିଶାରେ ୬୨ ସଂପ୍ରଦାୟର ଆଦିବାସୀମାନେ ବାସକରନ୍ତି । ସେମାନଙ୍କର ନିଜ ନିଜର କଥିତ ଭାଷା ଅଛି । ଏହି ସମସ୍ତ ଭାଷା ଓ ଉପଭାଷାର ଶବ୍ଦାବଳୀ ଓଡ଼ିଆ ଭାଷାରେ ପ୍ରବେଶ କରି ଓଡ଼ିଆ ଭାଷା ସଂପଦକୁ ପରିପୁଷ୍ଟ କରିଛି ତଦ୍ଦ୍ୱାରା ଓଡ଼ିଆ ଶବ୍ଦ ଭଣ୍ଡାରର ଅଭିବୃଦ୍ଧି ଘଟିଛି । ସେହି ଆଦିବାସୀ ଭାଷା ବି ଓଡ଼ିଆ ଶବ୍ଦ ଆହରଣ କରିଛନ୍ତି । ଓଡ଼ିଆ ଭାଷା ଓ ଆଦିବାସୀ ଭାଷାଗୁଡ଼ିକ ମଧ୍ୟରେ ଲରିଆ, ସାଦ୍ରି ଆଦି ସଂଯୋଜକ ଭାଷା ରୂପେ ଗଢ଼ି ଉଠିଛି ।

 

ଶ୍ରୀକ୍ଷେତ୍ର ପୁରୀ ତୀର୍ଥିରାଜ ରୂପେ ସ୍ଵୀକୃତ ହେବା ଦିନଠାରୁ ଅନ୍ୟ ଭାଷା ଭାଷୀ ଧର୍ମାଚାର୍ଯ୍ୟ, ଧର୍ମ ପ୍ରଚାରକ, ସାଧୁ, ସନ୍ଥ, ସନ୍ୟାସୀ ଓ ଦର୍ଶନାର୍ଥୀଗଣ ଓଡ଼ିଶା ଆସିଛନ୍ତି । ଏଠାରେ ଅବସ୍ଥାନ ମଧ୍ୟ କରିଛନ୍ତି । ସେମାନେ ନିଜନିଜଭାଷାରେ, କିମ୍ବା ସର୍ବଜନ ବୋଧଗମ୍ୟ ସଂସ୍କୃତ, ପାଲି, ପ୍ରାକୃତ, ହିନ୍ଦୀ, ବଙ୍ଗଳା, ଇଂଲିଶ୍‌ ଆଦି ଭାଷାରେ ବହୁ ପ୍ରାଚୀନ କାଳରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଧର୍ମ ପ୍ରଚାର କରିଛନ୍ତି । ତାହାର ପ୍ରଭାବ ଓଡ଼ିଆ ଭାଷାରେ ପଡ଼ିଛି । ଫଳରେ ଓଡ଼ିଆ ଶବ୍ଦ ସମ୍ଭାରର ଅଭିବୃଦ୍ଧି ଘଟିଛି । ଆଞ୍ଚଳିକ ଉପଭାଷା ଯଥା- କଟକୀ, ବାଲେଶ୍ଵରୀ, ପୁରିଆ, ଗଞ୍ଜାମୀ, ସମ୍ବଲପୁରୀ, ଛତିଶଗଡ଼ିଆଦି ଉପଭାଷା ଓଡ଼ିଆ ଭାଷାରୁ ସୃଷ୍ଟି ହୋଇଛନ୍ତି ।

 

ପ୍ରାଚୀନ କାଳରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଓଡ଼ିଶାର ନୌବାଣିଜ୍ୟ ସମୃଦ୍ଧ ଥିଲା । ଓଡ଼ିଆ ସାଧବମାନେ ସମୁଦ୍ର ପଥରେ ବିଭିନ୍ନ ଦେଶ ସହିତ ନୌବାଣିଜ୍ୟିକ ସଂପର୍କ ସ୍ଥାପନ କରିଥିଲେ । ଦରିଆପାରି ଉପନିବେଶ ବିସ୍ଥାପନ କରିଥିଲେ । କଳିଙ୍ଗ, ଉତ୍କଳ, କଙ୍ଗୋଦର, ରାଜପୁତ୍ରମାନେ ସେହି ସେହି ଉପନିବେଶରେ ରାଜ୍ୟ ପ୍ରତିଷ୍ଠା ପୂର୍ବକ ଶାସନ କରୁଥିଲେ । ତେଣୁ ସାଂସ୍କୃତିକ, ସାରସ୍ଵତ ଓ ଭାଷାଗତ ଭାବ ବିନିମୟ ଘଟିଥିଲା । ଉତ୍କଳୀୟ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ଥାପନା ଓ ପ୍ରସାର ସେହି ସେହି ଦେଶରେ ଘଟିଛି । ସେହି ସେହି ଦରିଆପାରି ରାଷ୍ଟ୍ରଗୁଡ଼ିକରେ ପ୍ରଚଳିତ ଭାଷାର ଶବ୍ଦ ଓଡ଼ିଆଭାଷାକୁ ଆସିଛି ।

 

ଖ୍ରୀ୧୫୬୮ରେ ଓଡ଼ିଶା ଭୂଖଣ୍ଡ ସ୍ଵାଧୀନତା ଓ ସାର୍ବଭୌମତ୍ୱ ହରାଇ ବସିଲା । ଆଫଗାନ, ମୋଗଲ, ମରହଟ୍ଟା ଓ ଶେଷରେ ଇଂରେଜମାନେ ଉତ୍କଳୀୟ ଭୂଖଣ୍ଡକୁ ଅଧିକାର କରି ଶାସନ କଲେ ଏବଂ ସେମାନଙ୍କର ରାଜକୀୟଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କଲେ । ତେଣୁ ଅନେକ ଯାବନିକ ତଥା ବୈଦେଶିକ ଶବ୍ଦ ଓଡ଼ିଆ ଭାଷା ଶବ୍ଦ ସମ୍ଭାରରେ ପ୍ରବେଶ କରି ଏହାର ଅଭିବୃଦ୍ଧି ଓ ସ୍ଫୀତିସାଧନ କରିଛି ।

 

ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓଡ଼ିଆ ଶବ୍ଦ ବିଭବର ଅଦ୍ୱିତୀୟ ରତ୍ନଭଣ୍ଡାର । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ, ରାମତାରକ ମନ୍ତ୍ର ସାଧନା କରି ‘ଶବଦ ସାଗର’ ପାର ହୋଇଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ରୀତିଯୁଗର ଅନ୍ୟାନ୍ୟ କବି ସଂସ୍କୃତି କାବ୍ୟ ସମକକ୍ଷ ଓଡ଼ିଆ ଭାଷାରେ କାବ୍ୟ ରଚନା କରି ଓଡ଼ିଆ ଭାଷାର ବୈଚିତ୍ର୍ୟମୟ ବିକାଶ ସାଧନ କରିଯାଇଛନ୍ତି-। ଯାହା ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପ୍ରତିପାଦନରେ ସମର୍ଥ ହୋଇଛି । ରୀତିଯୁଗୀୟ କବିମାନଙ୍କ ସାରସ୍ଵତ ସର୍ଜନା ବେଳକୁ ଓଡ଼ିଶା ବିଭିନ୍ନ ବୈଦେଶିକ ଶକ୍ତିର ଶାସନାଧୀନ ହେବାରୁ ତତ୍‌କାଳୀନ କାବ୍ୟଗୁଡ଼ିକରେ ବହୁଳଭାବେ ଯାବନିକ ଓ ବୈଦେଶିକ ଶବ୍ଦ ପ୍ରୟୋଗ ପରିଲକ୍ଷିତ ହୁଏ । ଏହାଦ୍ଵାରା ଓଡ଼ିଆ ଭାଷାର ଗ୍ରହଣୀୟ ଶକ୍ତି ବୃଦ୍ଧି ଲାଭକରି ଚରମରେ ଉପନୀତ ହୋଇଛି ।

 

ଇଂରେଜ ଶାସନରେ ଗଦ୍ୟ ସାହିତ୍ୟର ବିକାଶ ଘଟି ଓଡ଼ିଆ ଭାଷା ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖିବାରେ ବିଜୟ ବୈଜୟନ୍ତୀ ଉଡ଼ାଇବାକୁ ସମର୍ଥ ହୋଇଛି । ଉଭୟ ପଦ୍ୟ ଗଦ୍ୟଭାଷାରେ ସାହିତ୍ୟ ସୃଷ୍ଟି ହୋଇ ଓଡ଼ିଆ ଭାଷାର ଅଭୂତପୂର୍ବ ବିକାଶ ଘଟିଛି । ତତ୍‌ସହିତ ଏହାର ସ୍ଵତନ୍ତ୍ର ବ୍ୟାକରଣ ଗଢ଼ି ଉଠିଛି । ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ‘ଓଡ଼ିଆ ବ୍ୟାକରଣ’ ରଚନା ଆରମ୍ଭ କରି ସଂସ୍କୃତ ବ୍ୟାକରଣରୁ ଏହାର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ପ୍ରତିପାଦନ କରି ଯାଇଛନ୍ତି । ଛଅ ଭାଗରେ ଓଡ଼ିଆ ବ୍ୟାକରଣ ଲେଖିବା ପରିକଳ୍ପନା ପ୍ରସ୍ତୁତ କରି ପ୍ରଥମ ଦୁଇ ଭାଗର ମୁଦ୍ରଣ ଓ ପ୍ରକାଶନ କରାଇ ଯାଇଛନ୍ତି । ଅବଶିଷ୍ଟ ଦୁଇଟି ଭାଗର ସନ୍ଧାନ, ପଣ୍ଡିତଜୀଙ୍କ ଟୀପାଖାତାରୁ ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ପାଇଛନ୍ତି ଏବଂ ପ୍ରକାଶ କରିବାର ବ୍ୟବସ୍ଥା କରୁଛନ୍ତି । ଡକ୍ଟର ଶ୍ରୀମତୀ କୁମୁଦିନୀ ମିଶ୍ର ଏହି ଦୁଇଟି ଭାଗ ସଂଗ୍ରହ କରି ସଂକଳନ ଓ ସଂପାଦନା କରିଛନ୍ତି । ଏହି ଓଡ଼ିଆ ବ୍ୟାକରଣ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଓ ଶାସ୍ତ୍ରୀୟତା ପ୍ରତିପାଦନରେ ଏକ ସଫଳ ପ୍ରୟାସ । ଏହି ବ୍ୟାକରଣ ବ୍ୟତୀତ ଏଯାବତ୍ ଯେତେ ବ୍ୟାକରଣ ଓଡ଼ିଆ ଭାଷାରେ ଲେଖା ଯାଇଛି, ତାହା ସଂସ୍କୃତ ବ୍ୟାକରଣ ଅନୁକରଣ ଓ ଢାଞ୍ଚାରେ ଲେଖାଯାଇଛି ।

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷା କୋଷର ବିଶାଳତା ଓଡ଼ିଆ ଶବ୍ଦ ବିଭବ ଓ ଭଣ୍ଡାରର ସୂଚନା ଦିଏ । ଗୋଟିଏ ଅର୍ଥ ଜ୍ଞାପକ ଏକମାତ୍ର ଶବ୍ଦର ବହୁବିଧ ଉଚ୍ଚାରଣ ଦୃଷ୍ଟିରୁ ତାହାର ବହୁବିଧ ଲିପ୍ୟନ୍ତୀକରଣ ଓଡ଼ିଆ ଶବ୍ଦ ବିଭବକୁ ବିସ୍ତାରିତ କରିଛି ।

 

ଓଡ଼ିଆ ଶବ୍ଦ ବିଭବର ସ୍ୱାତନ୍ତ୍ର୍ୟ ଓ ପ୍ରାଚୀନତା :

ଭାଷାତତ୍ତ୍ୱବିଦ୍‌ମାନଙ୍କ ମତରେ ‘ଣି’ ପ୍ରତ୍ୟୟ (ଯଥା- ଗଲାଣି), ‘ଅନ୍ତି’ ପ୍ରତ୍ୟୟର ପ୍ରୟୋଗ ଯଥା - (କରନ୍ତି, ଖାଆନ୍ତି, ଯାଆନ୍ତି ଇତ୍ୟାଦି), ‘ନ୍ତୁ’ ପ୍ରତ୍ୟୟର ବ୍ୟବହାର ଯଥା - (କରନ୍ତୁ, ଖାଆନ୍ତୁ) ଆଦି ଗ୍ରୀକ୍‌, ଲାଟିନ ଓ ବୈଦିକ ଭାଷାରେ ରହିଛି । ତେଣୁ ସେହି ସେହି ପ୍ରାଚୀନ ଭାଷାରେ ଉପର୍ଯ୍ୟୁକ୍ତ ପ୍ରତ୍ୟୟ ଯୋଗରେ ଯେପରି ଶବ୍ଦ ତିଆରି ହୁଏ, ଓଡ଼ିଆ ଭାଷାରେ ସେହିପରି ଶବ୍ଦ ତିଆରି ହୋଇଛନ୍ତି ।

 

‘ଳ’ ବର୍ଣ୍ଣର ବ୍ୟବହାର ଗୁଜୁରାଟୀ ଓ ମରହଟ୍ଟା ଭାଷା ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଆର୍ଯ୍ୟ ଭାଷାରେ ପରିଦୃଷ୍ଟ ହୁଏ ନାହିଁ । ତେଣୁ ‘ଳ’ ବର୍ଣ୍ଣଯୁକ୍ତ ଶବ୍ଦାବଳୀ ଓଡ଼ିଆ ଶବ୍ଦ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି । ସଂସ୍କୃତ ଓ ଅନ୍ୟ ଆଞ୍ଚଳିକ ଭାଷାରେ କେବଳ ‘ଳ’ (ଉଚ୍ଚାରଣ-‘ଲ’)ର ବ୍ୟବହାର ଅଛି । ଓଡ଼ିଆ ଭାଷାରେ ଅନ୍ତସ୍ଥ ‘ଯ’ ବ୍ୟତୀତ ‘ୟ’ର ବ୍ୟବହାର ହୁଏ । ଯଥା - ଯମ (ଉଚ୍ଚାରଣ ଓଡ଼ିଆରେ ଜମ); ନିୟମ (ଓଡ଼ିଆରେ), ‘नियम’ (ସଂସ୍କୃତ, ହିନ୍ଦୀରେ ଉଭୟ ‘ଯମ’ ଓ ‘ନିୟମ’ ରେ ଅନ୍ତସ୍ଥ ‘ଯ’ () ବ୍ୟବହାର ହୁଏ ।

 

ବହୁ ବଚନାନ୍ତ ‘ମାନେ’ର ପ୍ରୟୋଗ (ଯଥା ଲୋକମାନେ, ପିଲାମାନେ, ଦେଶବାସୀମାନେ ଇତ୍ୟାଦି) ଅନ୍ୟ କୌଣସି ଭାରତୀୟ ଆର୍ଯ୍ୟଭାଷାରେ ଦେଖାଯାଏ ନାହିଁ । ଏହି ବହୁ ବଚନାକ୍ତ ଶବ୍ଦାବଳୀ ଓଡ଼ିଆ ଶବ୍ଦ ଭଣ୍ଡାରକୁ ସ୍ଵାତନ୍ତ୍ର ପ୍ରଦାନ କରିଅଛି ।

 

ଯୁକ୍ତାକ୍ଷର ବଦଳରେ ଅନୁସ୍ଵାର ପ୍ରୟୋଗ କରି ଶବ୍ଦ ଅଭିବ୍ୟକ୍ତି କରାଯାଏ । କେଉଁ ଶବ୍ଦରେ ଯୁକ୍ତାକ୍ଷର ବଦଳରେ ଅନୁସାର ପୂର୍ବ ବର୍ଣ୍ଣରେ ଯୋଗ କରି ଭାବ ପ୍ରକାଶ କରାଯିବା ସହ ଶବ୍ଦଟି ଯାଇପାରିବ, ତାହାର ନିୟମ ବ୍ୟାକରଣରେ ନିର୍ଦ୍ଧାରିତ । ଏହି ଶବ୍ଦଗୁଡ଼ିକ ମୁଖ୍ୟତଃ ତତ୍‌ସମ ଶବ୍ଦ ଅର୍ଥାତ୍‌ ମୂଳ ସଂସ୍କୃତ ଶବ୍ଦ ବା ସଂସ୍କୃତ ଧାତୁ ନିଷ୍ପନ୍ନ । ଏପରି ଯୁକ୍ତାକ୍ଷର ବର୍ଣ୍ଣଥିବା ଶବ୍ଦ ଗୁଡ଼ିକରେ ‘ଅନୁସ୍ଵାର’ର ବ୍ୟବହାର ଭାଷାରେ ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ସଂସ୍କୃତ ବ୍ୟାକରଣ ନିୟମ ଅନୁଯାୟୀ ହୁଏ, ଏହାହିଁ ବିଧେୟ ।

 

ଅନୁସ୍ଵାର ପ୍ରୟୋଗର ମୂଳ ସୂତ୍ରଟି ହେଉଛି ‘ଇଦଂସ୍ଵରେ’, ହଳନ୍ତ ‘ମ’ (ମ୍‌) ହିଁ ଅନୁସ୍ଵାର ଦ୍ଵାରା ବ୍ୟକ୍ତ ହୁଏ । ଯୁକ୍ତାକ୍ଷର-ମ୍ପ, ମ୍ଫ, ମ୍ୱ, ମ୍ଭ କ୍ଷେତ୍ରରେ ଅନୁସ୍ଵାର ପ୍ରୟୋଗ ହୁଏ । ଯଥା ସମ୍‌+ ବାଦ = ସମ୍ବାଦ, ସଂବାଦ ; ସମ୍‌+ ଭବ = ସମ୍ଭବ, ସଂଭବ; ସମ୍‌+ବଳ + ଇତି = ସମ୍ବଳିତ, ସଂବଳିତ ; ସମ୍‌+ ବୋଧନ = ସମ୍ବୋଧନ, ସଂବୋଧନ ; ସମ୍‌+ ପର୍କ = ସମ୍ପର୍କ, ସଂପର୍କ ; ଗୁମ୍‌+ଫା = ଗୁମା, ଗୁଂଫା ଇତ୍ୟାଦି । ଅନ୍ୟ ଯେଉଁ ଯୁକ୍ତାକ୍ଷର କ୍ଷେତ୍ରରେ ଅନୁସ୍ଵାର ପ୍ରୟୋଗ କରି ଭାବ ପ୍ରକାଶ କରାଯାଉଛି, ତାହା ବ୍ୟାକରଣ ଦୃଷ୍ଟିରୁ ଭୁଲ । ମାତ୍ର ବହୁ ବର୍ଷର ବ୍ୟବହାର ଦୃଷ୍ଟିରୁ ତାହାକୁ ଠିକ୍‌ ବୋଲି ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଓଡ଼ିଆ ବ୍ୟାକରଣରେ ପ୍ରତିପାଦନ କରିଛନ୍ତି । ତାଙ୍କ ନିଜନାମକୁ ‘ନୀଳକଂଠ’ ଭାବେ ସେ ଲେଖନ୍ତି । ଓଡ଼ିଆରେ ଅନୁସ୍ଵାରର ଏବଂ ବଧିପ୍ରୟୋଗ କରି ପଣ୍ଡିତ (ପଂଡ଼ିତ) ନୀଳକଂଠ ଓଡ଼ିଆ ଭାଷାର ସରଳୀକରଣ ଆନୟନ ଦିଗରେ ପ୍ରୟାସ କରିଛନ୍ତି ଏବଂ ସଂସ୍କୃତ ବ୍ୟାକରଣ ନିୟମ ଠାରୁ ଓଡ଼ିଆ ବ୍ୟାକରଣ ନିୟମ ସ୍ୱତନ୍ତ୍ର ବୋଲି ଯୁକ୍ତି ବାଢ଼ିଛନ୍ତି । ଚଳଣି, ବ୍ୟବହାର ଓ ଉଚ୍ଚାରଣ ଉପରେ ନୀଳକଣ୍ଠ ଗୁରୁତ୍ଵ ଦେଇଛନ୍ତି । ତହାକୁ କବି ସଚ୍ଚି ରାଉତରାୟ, କବି ମାୟାଧର ମାନସିଂହ ପ୍ରଭୃତି ସମର୍ଥନ ଜଣାଇ ନିଜ ରଚନାରେ ପ୍ରୟୋଗ କରିଛନ୍ତି ।

 

ଦୁଇ ହଜାରରୁ ଉର୍ଦ୍ଧ୍ୱ ସମୟ ପୂର୍ବେ ପାଲିଭାଷାରେ ଓ ବ୍ରାହ୍ମୀ ଲିପିରେ ଖାରବେଳଙ୍କ ଦ୍ଵାରା ଖୋଦିତ ହାତୀଗୁମ୍ଫା ଶିଳା ଲେଖରେ ଅନୁସ୍ଵାରର ବହୁଳ ବ୍ୟବହାର ଦେଖାଯାଏ । ଏହି ଶିଳା ଲେଖ ସହିତ ଓଡ଼ିଆଭାଷାର ଭୌଗୋଳିକ ଓ ପରମ୍ପରାଗତ ସମ୍ପର୍କ ଅନସ୍ଵୀକାର୍ଯ୍ୟ । ହାତୀଗୁମ୍ଫା ଶିଳା ଲେଖରେ ବସର୍ଗକୁ ବାଦ ଦିଆଯାଇଛି, ଉଚ୍ଚାରଣଗତ ଆୟାସକୁ ଏଡ଼ାଇବାକୁ । ଖୋଦନର ସୁବିଧା ଦୃଷ୍ଟିରୁ ଅନୁସ୍ଵାର ବ୍ୟବହାର ନ ହେବା ପଦ (ଶବ୍ଦ)ରେ ଅନୁସ୍ୱାର ପ୍ରୟୋଗ କରାଯାଇଛି । ଯଥା - ନନ୍ଦରାଜା=ନଂଦରାଜା, ଗଂଗାୟ, ବଂଦାପୟତି ଇଦ୍ୟାଦି । ଯେହେତୁ ଓଡ଼ିଆଭାଷା ହାତୀଗୁମ୍ଫା ଶିଳାଲେଖର ପାଲି ଭାଷାର ଉତ୍ତର ଦାୟାଦ ରୂପେ ଗୃହୀତ, ସେ ଦୃଷ୍ଟିରୁ ସମ୍ଭବତଃ ପଣ୍ଡିତ ନୀଳକଂଠ, କବି ମାନସିଂ, ସଚ୍ଚିରାଉତରାୟ ପ୍ରମୁଖ ଯୁକ୍ତାକ୍ଷର ଭାଙ୍ଗି ଅନୁସ୍ଵାର ପ୍ରୟୋଗ ଦ୍ଵାରା ଶବ୍ଦ ଗଠନ କରି ଭାବ ପ୍ରକାଶ କରିଦା ସପକ୍ଷରେ । ଏଠାରେ ‘ପକ୍ଷରେ’ ବଦଳରେ ‘ସପକ୍ଷରେ’ ବ୍ୟବହାର ହୋଇ ଆସୁଛି । ‘ସ’ ପୂର୍ବରୁ ଦେଇ ଶବ୍ଦ ଗଠନ କରିବା ବ୍ୟାକରଣ ଦୃଷ୍ଟିରୁ ଏ କ୍ଷେତ୍ରରେ ସମୀଚୀନ ନୁହେଁ ମାତ୍ର ଚଳଣିରେ ଏହା ବହୁ ଦିନରୁ ଚାଲି ଆସିଲାଣି ଏବଂ ଠିକ୍‌ ବୋଲି ଗୃହୀତ ହୋଇଗଲାଣି । ଯେପରି ଠିକ୍‌ ବଦଳରେ ସଠିକ୍‌ର ବ୍ୟବହାର ଚଳିଆସୁଛି ଏବଂ ଓଡ଼ିଆଭାଷା ବ୍ୟାକରଣରେ ଗୃହୀତ ହୋଇଗଲାଣି । ସଂସ୍କୃତ ବ୍ୟାକରଣଠାରୁ ଓଡ଼ିଆ ବ୍ୟାକରଣର ପାର୍ଥକ୍ୟ ଏହିଠାରେ । ଆର୍ଷ ପ୍ରୟୋଗ, ସଂକ୍ଷେପରେ ଭାବ ପ୍ରକାଶ, ନାମ ବାଚକ ଶବ୍ଦର ବିକୃତ ଉଚ୍ଚାରଣ ତଦ୍ଧିତ ଶବ୍ଦକୁ କୃଦନ୍ତ ଶବ୍ଦ ରୂପେ ବ୍ୟବହାର, ଏକ ଶବ୍ଦର ବିପରୀତାର୍ଥବୋଧକ ପ୍ରୟୋଗ ଆଦି ଅନେକ ପ୍ରୟୋଗିକ ପ୍ରକ୍ରିୟା ଓଡ଼ିଆ ଭାଷାରେ ଗୃହୀତ ହୋଇ ବ୍ୟବହାର ସିଦ୍ଧ ହୋଇଗଲାଣି-

 

ଆର୍ଷ ପ୍ରୟୋଗ : ପୁରୁଷୋତ୍ତମ- ପୁରସ୍ତମ, ମହାପ୍ରସାଦ - ମାହାର୍ଦ୍ଦ, ମହାପ୍ରଭୁ - ମହାପ୍ରୁ, ଅନବସର ଅଣସର, ପରମାର୍ଥୀ- ପର୍ମାର୍ଥିୀ, ପ୍ରମାର୍ଥୀ, ନଗର- ନଗ୍ର, ଦର୍ଶନ - ଦ୍ରଶନ (ସାଲବେଗ) ଇତ୍ୟାଦି ।

 

ସଂକ୍ଷେପରେ ଭାବ ପ୍ରକାଶ - ଲଙ୍କାମରିଚ - ଲଙ୍କା, ବିଲାତି ବାଇଗଣ- ବିଲାତି, କିଲୋଗ୍ରାମ - କିଲୋ, ଗ୍ରାମୋଫୋନ - ଗ୍ରାମ୍ଫୋନ୍‌ ଇତ୍ୟାଦି ।

 

ବିକୃତ ଉଚ୍ଚାରଣ - ବ୍ରହ୍ମପୁର- ବେରହାମପୁର (ବେରହାମପୁର ୟୁନିଭରସିଟି, ବା ବରହମ୍‌ପୁର ); ସାମନ୍ତରାୟ - ସାମନ୍ତରା, ସାନ୍ତରା, ଶ୍ରୀଚନ୍ଦନ- ଶିରିଚନ, ଶ୍ରୀଚନ, ମାନସିଂହ- ମାନସିଂ ଇତ୍ୟାଦି ।

 

ସ୍ଥାନ + ଇତ = ସ୍ଥାନିତ ଏକ ତଦ୍ଧିତ ଶବ୍ଦ । ଏହା କୃଦନ୍ତ ଶବ୍ଦ ପରି ବ୍ୟବହୃତ ହେଉଛି । ‘ସ୍ଥାପିତ’ ବଦଳରେ । ‘ସ୍ଥାନିତ’ର ବ୍ୟବହାର ହେଉଛି । ଏହା ଓଡ଼ିଆ ଭାଷାରେ ଚଳିଗଲାଣି । ସେହିପରି ‘ପ୍ରବଚନ’ ଶବ୍ଦରୁ ‘ପ୍ରବଚକ’ ଶବ୍ଦ ନିଷ୍ପନ୍ନ କରି ବ୍ୟବହାର କରାଯାଉଅଛି ଓଡ଼ିଆ ଭାଷା- ଶବ୍ଦର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ ଓ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ । ଏହା ଅହେତୁକ ଭାବେ ଘଟି ଚାଲିଛି । ଅଥଚ - ପ୍ର-ବଚ + ଅକ (ଣିଜନ୍ତରେ) ପ୍ରବାଚକ ବ୍ୟାକରଣ ନିୟମ ଦୃଷ୍ଟିରୁ ଠିକ୍‌ ।

 

ଶବ୍ଦର ସରଳୀକରଣ କରିବାକୁ ଯାଇ ଆମର ଭାଷା ଓ ଶବ୍ଦ ମଧ୍ୟରେ ଥିବା ଆଙ୍ଗିକ ଆତ୍ମିକ ସୌନ୍ଦର୍ଯ୍ୟ ତଥା ଶୃଙ୍ଖଳାକୁ ଭାଙ୍ଗି ଦେବା ଅନୁଚିତ କାରଣ ଏହା ସହିତ ଆମର ଭାବଗତ ଓ ଭାଷାଗତ ଜାତୀୟ ସ୍ୱାଭିମାନ ଜଡ଼ିତ ।

 

ସଂସ୍କୃତର ‘ବ୍ୟୁତ’ ଶବ୍ଦର ଅର୍ଥ ଅବିବାହିତ । ମାତ୍ର ବିବାହିତ ଅର୍ଥରେ ବି ବ୍ୟବହାର ହୋଇଥାଏ । ଓଡ଼ିଆ ‘ବାଡ଼ୁଅ’ ଶବ୍ଦ 'ବ୍ୟୁଢ଼’ରୁ ନିଷ୍ପନ୍ନ ଅପ୍ରଭଂଶ, ଯାହାର ଅର୍ଥ ଅବିବାହିତ କେବଳ- ବାଡ଼ୁଅଝିଅ ।

 

ବିଜ୍ଞାନ ଓ ଆଧୁନିକତାର ପ୍ରଭାବ :

ବିଜ୍ଞାନର ପ୍ରଗତି, ବହିରାଗତ ସଭ୍ୟତା, ସଂସ୍କୃତି ଚାଲିଚଳଣିର ପ୍ରଭାବରେ ବହୁତ ନୂତନ ଶବ୍ଦ ଓଡ଼ିଆ ଭାଷାରେ ପ୍ରବେଶ କରିଛି ଏବଂ ନୂତନ ଶବ୍ଦ ରଚନା କରିବାକୁ ପଡ଼ୁଛି । ଜାତୀୟ ଓ ଆନ୍ତର୍ଜାତିକ ଭାବଧାରା ଗ୍ରହଣ କରିବା ଓ ସଂହତି ପ୍ରତିଷ୍ଠା ନିମନ୍ତେ ଏହାର ଆବଶ୍ୟକତା ଅପରିହାର୍ଯ୍ୟ ।

 

ଓଡ଼ିଆ ଭାଷା ପ୍ରଚଳିତ ଭୂଖଣ୍ଡରେ ଅତୀତରେ ଧର୍ମୀୟ, ସାଂସ୍କୃତିକ, ରାଜନୈତିକ ସଂଘର୍ଷ ଓ ଘାତ ପ୍ରତିଘାତ ଦ୍ଵାରା ଅନେକ ପରିବର୍ତ୍ତନ ଘଟିଛି । ତାହାର ପ୍ରଭାବ ଭାଷା ଉପରେ ପଡ଼ିଛି ଏବଂ ଅନେକ ନୂତନ ଶବ୍ଦ ଓଡ଼ିଆ ଶବ୍ଦ ଭଣ୍ଡାରରେ ସ୍ଥାନ ପାଇଛି ।

 

ସାମଗ୍ରିକ ଭାବେ କହିଲେ, ଓଡ଼ିଆ ଶବ୍ଦ ବ୍ୟବହାରରେ ବ୍ୟାକରଣର ନିୟମ ଦୁଇଭାଗରେ ବିଭକ୍ତ । କେତେକ ଶବ୍ଦର ବ୍ୟବହାର ବରାବର ସଂସ୍କୃତ ବ୍ୟାକରଣ ଛାଞ୍ଚରେ ଢଳା ହୋଇ ଶିଷ୍ଟ ପ୍ରୟୋଗରେ ମିଶି ଯାଇଛି । ଆଉ କେତେକ ଭାଷାର ପ୍ରକୃତି ସଂଗେ ଗଢ଼ା ହୋଇ ଆସିଅଛି । ଓଡ଼ିଆ ଭାଷାରେ ଉଭୟ ବିଧ ବ୍ୟବହାର ପ୍ରତି ଦୃଷ୍ଟିଦେବା ସମୀଚୀନ ।

 

ପ୍ରାଚୀନତା ଦୃଷ୍ଟିରୁ ଓ ସ୍ଵାଭାବିକ ତଥା ବୈଜ୍ଞାନିକ ବିବର୍ତ୍ତନ ମଧ୍ୟ ଦେଇ ଓଡ଼ିଆ ଭାଷା ଗତିଶୀଳ ହୋଇ ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖି ଆସିଥିବାରୁ ଏହା ଏକ ଶାସ୍ତ୍ରୀୟ ଭାଷାର ସର୍ବବିଧ ଶାସ୍ତ୍ର ସମ୍ମତ ଲକ୍ଷଣ, ଗୁଣ ଓ ଗୁଣବତ୍ତା ବହନ କରେ - ଏଥିରେ ସନ୍ଦେହ ନାହିଁ । ତେଣୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ବା ମର୍ଯ୍ୟାଦା ପାଇବାକୁ ଯୋଗ୍ୟ ଓ ହକ୍‌ଦାର । ବସ୍ତୁନିଷ୍ଠ ଭାବେ ତ୍ଵରାନ୍ୱିତ ବିଚାର ଓ ପଦକ୍ଷେପ ଏ ସଂପର୍କରେ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଦୟ ଦୃଷ୍ଟି ଆକର୍ଷଣ କରାଯାଉଛି ।

 

 

ଏନ୍‌/ ୩-୨୮୭

ଆଇ.ଆର.ସି. ଭିଲେଜ୍‌, ନୟାପଲ୍ଲୀ

ଭୁବନେଶ୍ୱର-୭୫୧୦୧୫

 

ସହାୟକ ଗ୍ରନ୍ଥ :

୧.

ଓଡ଼ିଆ ବ୍ୟାକରଣ

ପଣ୍ଡିତ ନୀଳକଣ୍ଠ ଦାସ (ପୁନର୍ମୁଦ୍ରଣ), ପ୍ରକାଶକ - ପଣ୍ଡିତ ନୀଳକଣ୍ଠ ଦାସ ସ୍ମୃତି ସମିତି ଓ ଉତ୍କଳ ସମ୍ମିଳନୀ, ଭୁବନେଶ୍ଵର - ୭୫୧୦୦୯

୨.

ଓଡ଼ିଆ ବ୍ୟାକରଣ ସଂକଳନ

ଡଃ ବାସୁଦେବ ନନ୍ଦ, ରତ୍ନପ୍ରଭା ନନ୍ଦ, ପ୍ରଥମ ପ୍ରକାଶନ- ୨୦୦୭ ପ୍ରକାଶକ- ମହାବୀର ପ୍ରକାଶନ, ମ୍ୟୁନିସିପାଲଟି ମାର୍କେଟ୍‌ କମ୍ପ୍ଳେକ୍ସ, ପୁରୁଣା ବସ୍‌ଷ୍ଟାଣ୍ଡ ପାଖ, ଭୁବନେଶ୍ୱର -୭୫୧୦୦୯

୩.

ସମଲ୍‌ପୁରି ଓଡ଼ିଆ ଶବ୍ଦକୋଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରଥମ ମୁଦ୍ରଣ -୧୯୯୭, ପ୍ରକାଶକ-ଓଡ଼ିଶା ସାହିତ୍ୟ ଏକଡ଼େମୀ, ଭୁବନେଶ୍ୱର -୭୫୧୦୧୪

୪.

ଗଂଜାମ ଓଡ଼ିଆ ଶବ୍ଦସମ୍ଭାର

ଶ୍ରୀ ମହୀମୋହନ ତ୍ରିପାଠୀ, ପ୍ରଥମ ପ୍ରକାଶନ : ୨୦୦୨, ପ୍ରକାଶକ- ଭକ୍ତ କବି ରାମଦାସ ସ୍ମୃତି ମନ୍ଦିର, ଡୁରା, ଗଂଜାମ

୫.

ଭାଷା ଓ ବ୍ୟାକରଣ

ଡକ୍ଟର ଇନ୍ଦୁଲତା ଦାସ, ପ୍ରଥିମ ପ୍ରକାଶନ : ୨୦୦୨ ପ୍ରକାଶକ- ବସନ୍ତ ପବ୍ଳିକେଶନ, ଡଗରପଡ଼ା, କଟକ ୭୫୩୦୦୨

୬.

ଖାରବେଳଙ୍କ ସମୟରେ

ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ ସଂକଳିତ- କଳିଙ୍ଗ ସମ୍ରାଟ କଳିଙ୍ଗର ଭାଷା (ପ୍ରବନ୍ଧ) ଖାରବେଳ; ପ୍ରଥମ ପ୍ରକାଶନ - ୧୯୯୯, ପ୍ରକାଶକ- ଉତ୍କଳ ସମ୍ମିଳନୀ, ଭୁବନେଶ୍ୱର - ୭୫୧୦୦୯

 

***

 

ଲିପିତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

 

ରସାନନ୍ଦ ପରିପୂର୍ଣ୍ଣ ଓଡ଼ିଆ ଭାଷା ଏକ ମଧୁର, ସୁବୋଧ୍ୟ ଓ ଗୁରୁଗମ୍ଭୀର ପ୍ରାଚୀନ ଆର୍ଯ୍ୟଭାଷା । ଏହି ଭାଷାର ମୂଳ ଉତ୍ସ ପ୍ରାକୃତ ହେଲେ ହେଁ ସମୟକ୍ରମେ ସଂସ୍କୃତ, ସୌରସେନୀ, ମାଗଧୀ, ପୈଶାଚି, ଦ୍ରାବିଡ଼ ଆଦିବାସୀ, ପର୍ତ୍ତୁଗୀଜ, ଫରାସୀ ଓ ଇଂରାଜୀ ପ୍ରଭୃତି ଭାଷାର ବିଭବକୁ ନିଜସ୍ଵ କରି ଓଡ଼ିଆ ଭାଷା ଆପଣାର କଳେବର ବୃଦ୍ଧି କରିଅଛି । ବିକାଶର ଧାରାରେ ଓଡ଼ିଆ ଭାଷା ଓ ଲିପିର କ୍ରମବିକାଶ ତଥା କ୍ରମ ପରିବର୍ତ୍ତନ ହୋଇଥିବାରୁ ଅନ୍ୟ ଭାଷା ତୁଳନାରେ ଏଥିରେ କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଓଡ଼ିଆ ଭାଷାର ବର୍ଣ୍ଣମାଳା, ଲିପି, ଲିପିତତ୍ତ୍ୱ, ଧୂନି ବିଜ୍ଞାନ ଓ ଭାଷା ବିଜ୍ଞାନ ଅତ୍ୟନ୍ତ ଉଚ୍ଚକୋଟୀର ତଥା ଭାଷା ଶାସ୍ତ୍ର ସମ୍ମତ । ଆଞ୍ଚଳିକତାର ପ୍ରଭାବ ଫଳରେ ଓଡ଼ିଆ ଭାଷାର ସୃଷ୍ଟି ତଥା ଆର୍ଯ୍ୟଭାଷା ପରଂପରାରେ ଏହାର ସମୃଦ୍ଧି ଘଟିଛି । ଏହି ପ୍ରାଚୀନ ଆର୍ଯ୍ୟ ଭାଷାର ଉନ୍ମେଷ ଓ ବିକାଶର ଧାରା, ଲିପିର ଉତ୍ପତ୍ତି ଓ ବିକାଶ କ୍ରମ, ବର୍ଣ୍ଣମାଳା, ଧ୍ଵନି ତତ୍ତ୍ୱ ଉଚ୍ଚାଙ୍ଗ ବ୍ୟାକରଣ, ଭାଷା ବିଜ୍ଞାନ, ରୂପତତ୍ତ୍ଵ, ଅନ୍ତଃସ୍ଵର, ବୌଦ୍ଧିକ ସୃଜନଶୀଳତା, ଗୁଣାତ୍ମକ ଉତ୍କର୍ଷ, ଶାସ୍ତ୍ରୀୟ ପ୍ରବୃତ୍ତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଶାସ୍ତ୍ରୀୟ ଲକ୍ଷଣ ଅନୁଧ୍ୟାନ ଓ ଅଧ୍ୟୟନ କଲେ ହୃଦବୋଧ ହୁଏ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ।

 

ବିଶ୍ଵର ପ୍ରାଚୀନତମ ସାହିତ୍ୟ ହେଉଛି ଋଗ୍‌ବେଦ ।

ସେହି ଋଗ୍‌ବେଦରେ ଉଲ୍ଲେଖ ଅଛି -

 

ସମ୍ୟକ୍‌ ସ୍ରବନ୍ତି ସରିତୋ ନ ଧେନୋ ଅନ୍ତର୍ହୃଦା ମନସ ପୂୟମାନାଃ (୧) ଅର୍ଥାତ୍‌ ନଦୀ ନିରନ୍ତର ପ୍ରବହମାନା ଯୋଗୁଁ ତାହାର ଜଳ ଶୁଦ୍ଧ ରହେ, ସେହିପରି ପରଂପରାଗତ ପ୍ରବହମାନ ଧାରା ଭାଷାକୁ ଶୁଦ୍ଧ ଓ ସରସ କରିଥାଏ । ଏଥିରେ ହୃଦ୍‌ବୋଧ ହୁଏ ଗତିଶୀଳା ସ୍ଵଚ୍ଛନୀରା ନଦୀ ହିଁ ଭାଷାର ଶାସ୍ତ୍ରୀୟ ରୂପ । ଓଡ଼ିଆ ଭାଷା ନିମିତ୍ତ ଏହି ଉକ୍ତିଟି ପ୍ରଯୁଜ୍ୟ । ଓଡ଼ିଆ ଭାଷା ଗତିଶୀଳା ନଦୀ ସଦୃଶ ଶତାବ୍ଦୀ ଶତାବ୍ଦୀ ଧରି ପ୍ରବହମାନ ତଥା ଉନ୍ନତ ଆହରଣ ଶୈଳୀରେ ନିତ୍ୟ ନୂତନ । ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଶାର ପ୍ରାକୃତିକ ପରିସୀମା, ସାଂସ୍କୃତିକ ପୃଷ୍ଠଭୂମି ତଥା ସାମାଜିକ ପରଂପରାରୁ ଓଡ଼ିଆ ଭାଷାର ଉନ୍ମେଷ ଘଟି ଆପଣାର ସୃଜନଶୀଳ ପରମ୍ପରାରେ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରାଇ ବିଶ୍ୱ ଦରବାରରେ ଏକ ପ୍ରାଚୀନ ତଥା ସମୃଦ୍ଧ ଜାତି ରୂପେ ପରିଚିତ କରାଇଛି । ଓଡ଼ିଆ ଜାତିର ସୃଷ୍ଟିକାଳରୁ ଓଡ଼ିଆ ଭାଷାର ଉନ୍ମେଷ ଘଟିଛି । ପ୍ରାକୃତ ଭାଷା ହିଁ ଓଡ଼ିଆ ଭାଷାର ମୂଳ ଉତ୍ସ । ଏପରିକି ଉନ୍ମେଷ କାଳରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ପ୍ରାକୃତ ଭାଷା ବୋଲି କୁହାଯାଉଥିଲା । ଭାରତୀୟ ଭାଷା ସମୂହର ଐତିହ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ସୁଦୂର ବୈଦିକ ଯୁଗରୁ ପ୍ରାକୃତ ଭାଷା ଲୋକ ପ୍ରଚଳିତ ଭାଷାର ମାନ୍ୟତା ଲାଭ କରିଥିଲା । ପରବର୍ତ୍ତୀକାଳରେ ଏହି ପ୍ରାକୃତ ଭାଷା ଲୋକ ପ୍ରଚଳିତ ଭାଷାର ମାନ୍ୟତାରୁ ଆଞ୍ଚଳିକ ଭେଦରେ ମରାଠୀ, ସୌରସେନୀ, ମାଗଧୀ, ଓଡ୍ରମାଗଧୀ ଓ ପୈଶାଚୀ ପ୍ରଭୃତି ପ୍ରାଦେଶିକ ଭାଷା ରୂପେ ପ୍ରତିଭାତ ହେଲା । ତନ୍ମଧ୍ୟରୁ ଓଡ୍ରମାଗଧୀ ବା ଅର୍ଦ୍ଧମାଗଧୀ ହଁ ଓଡ଼ିଆ ଭାଷାର ଆଦ୍ୟସ୍ଵରୂପ । ଅନ୍ୟ ଭାଷାରେ ଉଲ୍ଲେଖ କଲେ ବୈଦିକ ଆର୍ଯ୍ୟବୃନ୍ଦ ଭାରତର ବିଭିନ୍ନ ଅଞ୍ଚଳରେ ବସତି ସ୍ଥାପନ କରିବା ଦ୍ଵାରା ସେମାନଙ୍କ କଥିତ ପ୍ରାକୃତ ଭାଷା ଗୋଟିଏ ଗୋଟିଏ ପ୍ରାଦେଶିକ ଭାଷା ରୂପେ ଆଞ୍ଚଳିକ ସ୍ଵରୂପ ଗ୍ରହଣ କଲା । ଯେଉଁ ଆର୍ଯ୍ୟଗୋଷ୍ଠୀ ପୂର୍ବାଞ୍ଚଳର ସମୁଦ୍ରତଟ ଓ ନଦୀବହୁଳ ଅଞ୍ଚଳରେ ବାସ କଲେ ସେମାନଙ୍କୁ ଆର୍ଦ୍ର ବା ଓଦା ଭୂମିରେ ବାସ କରୁଥିବାରୁ ଉଡ୍ର ତଥା ସେମାନଙ୍କର କଥିତ ଭାଷାକୁ ଓଡ୍ରମାଗଧୀ ବୋଲି କୁହାଗଲା । ପୂର୍ବ ମହୋଦଧି ତଟସ୍ଥ ଏହି ଆର୍ଦ୍ର ବା ଉଡ୍ର ଅଞ୍ଚଳରୁ ଉଡ୍ର ବା ଓଡ୍ର ଶବ୍ଦର ସୃଷ୍ଟି ଅପରନ୍ତୁ ଆଦିମ ଆଦିବାସୀଙ୍କ ବ୍ୟବହୃତ ଭାଷାରେ ଓଡ଼ ଶବ୍ଦର ଅର୍ଥି ଚାଷ ଏବଂ ଏହି ଓଡ଼ ଶବ୍ଦରୁ ହିଁ ଓଡ୍ର ଶବ୍ଦର ସୃଷ୍ଟି । ଏଥିରୁ ପ୍ରମାଣିତ ହୁଏ ଆର୍ଯ୍ୟମାନଙ୍କର ଏକ ବିଶାଳ ଗୋଷ୍ଠୀ ପୂର୍ବ ମହୋଦଧି କୂଳରେ ନଦୀବହୁଳ ଆର୍ଦ୍ର ଉର୍ବର ଭୂମିରେ ଚାଷବାସ କରି ସ୍ଥାୟୀ ଭାବେ ବାସ କରିବା ପରେ ଉଡ୍ର ନାମରେ ପରିଚିତ ହେଲେ ଏବଂ ସେମାନଙ୍କ ଦ୍ୱାରା କଥିତ ପ୍ରାକୃତ ଭାଷା ଏହି ଭୂଖଣ୍ଡରେ ଅନ୍ୟ ଭାଷାଭାଷୀଙ୍କ ସଂସ୍ପର୍ଶରେ ଏକ ଭିନ୍ନ ରୂପ ଗ୍ରହଣ କରି ଉଡ୍ରକା ବିଭାଷା ଅଥବା ଓଡ୍ରମାଗଧୀ ରୂପେ ମାନ୍ୟତା ଲାଭ କଲା ।

 

ବର୍ତ୍ତମାନ ପ୍ରଶ୍ନ ହେଉଛି ଓଡ଼ିଆ ଜାତି କେଉଁ ସମୟରେ ଆସି ପୂର୍ବମହୋଦଧି ତଟସ୍ଥ ଓଡ଼ିଶା ଭୂଖଣ୍ଡରେ ସ୍ଥାୟୀ ବସବାସ କଲେ ତଥା ଓଡ଼ିଆ ଭାଷାର ଉନ୍ମେଷ ଘଟାଇଲେ ? ମହାଭାରତ ଓ ପ୍ରାଚୀନ ପୁରାଣ ସାହିତ୍ୟରେ ଓଡ଼ିଆ ଜାତିର ଗୌରବଗାଥା ଚିତ୍ରିତ । ଜୈନ ସାହିତ୍ୟରୁ ଜଣାଯାଏ ଯେ, ମହାବୀର ବର୍ଦ୍ଧମାନ କଳିଙ୍ଗରେ ଜୈନଧର୍ମ ପ୍ରଚାର କରିଥିଲେ ତଥା ଚରମ୍ପାସ୍ଥିତ ଜୈନ ମଠରେ ଚାରିଗୋଟି ବର୍ଷାକାଳ କଟାଇଥିଲେ । ବୌଦ୍ଧଗ୍ରନ୍ଥରେ ଉଲ୍ଲିଖିତ ରହିଛି ଯେ ଭଗବାନ ବୁଦ୍ଧ ବୁଦ୍ଧଗୟାଠାରେ ସମ୍ବୋଧି ଲାଭ କଲାପାରେ ଦୁଇଜଣ ଉତ୍କଳୀୟ ବଣିକଙ୍କ ଠାରୁ ମଧୁପିଷ୍ଟକ (ଆରିସା ପିଠା) ଖାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଓଡ଼ିଆ ଜାତି ଏକ ବାଣିଜ୍ୟ ସମୃଦ୍ଧ ଜାତି ଭାବରେ ପରିଚିତ ଥିଲା । ଅର୍ଥାତ ଏହାର ବହୁ ପୂର୍ବରୁ ଓଡ଼ିଆମାନେ ଏହି ଭୂଖଣ୍ଡରେ ସ୍ଥାୟୀ ବସବାସ କରିଥିଲେ । ପାଣିନୀ ମଧ୍ୟ ଷଷ୍ଠ ଖ୍ରୀ.ପୂ ରେ ରଚନା କରିଥିବା ଅଷ୍ଟାଧ୍ୟାୟୀରେ କଳିଙ୍ଗ ଦେଶ ସଂପର୍କରେ ଉଲ୍ଲେଖ କରିଛନ୍ତି । ଖ୍ରୀ.ପୂ ଚତୁର୍ଥ ଶତାବ୍ଦୀରେ କୌଟିଲ୍ୟ ଅର୍ଥଶାସ୍ତ୍ର ରଚନା କରିଥିଲେ । ଏହି ଗ୍ରନ୍ଥିରେ ସେ କଳିଙ୍ଗ ବଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ତଥା କଳିଙ୍ଗରୁ ଉତ୍ପାଦିତ ବସ୍ତୁ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଯହଁରୁ ଉପଲବ୍ଧ ହୁଏ ଖ୍ରୀ.ପୂ ଚତୁର୍ଥ ଶତାବ୍ଦୀ ସମୟକୁ ଓଡ଼ିଆ ଜାତି ଏକ ସମୃଦ୍ଧ ଜାତିରେ ପରିଚିତ ହୋଇ ସାରିଥିଲା । ବୌଦ୍ଧ ସାହିତ୍ୟ ଆର୍ଯ୍ୟ ମଞ୍ଜଶ୍ରୀ ମୂଳକଳ୍ପରେ କଳିଙ୍ଗ ସଂପର୍କରେ ବହୁ ସୂଚନା ବିଦ୍ୟମାନ । ଗ୍ରୀକ୍‌ଦୂତ ମେଘାସ୍ଥିନିସ୍‌ଙ୍କ ଦ୍ୱାରା ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ରଚିତ ‘ଇଣ୍ଡିକା’ ଗ୍ରନ୍ଥିରୁ କଳିଙ୍ଗର ଭୌଗୋଳିକ ବିବରଣୀ ଓ କଳିଙ୍ଗବୀରଙ୍କ ବୀରତ୍ୱ ସଂପର୍କରେ ଅନେକ ତଥ୍ୟ ପ୍ରାପ୍ତ ହୋଇଥାଏ । ଏହି ଗ୍ରନ୍ଥ ବିଶ୍ଵପ୍ରସିଦ୍ଧ କଳିଙ୍ଗଯୁଦ୍ଧ ଘଟିବାର ବହୁ ପୂର୍ବରୁ ଲିଖିତ-। ଏତଦ୍‌ଭିନ୍ନ ଷ୍ଟ୍ରାବୋଙ୍କ ‘ଇଣ୍ଡିଆ’ ପ୍ଳୀନଙ୍କ ନାଚୁରାଲ ହିଷ୍ଟ୍ରୀ ଏବଂ ଆରିଅନ୍ନଙ୍କ ‘ଇଣ୍ଡିକା’ରେ କଳିଙ୍ଗର ସୂକ୍ଷ୍ମ ବସ୍ତ୍ର ସଂପର୍କରେ ଉଲ୍ଲେଖ ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଖ୍ରୀଷ୍ଟପୂର୍ବ କାଳରେ ହିଁ ଓଡ଼ିଆ ଜାତି ବିଶ୍ୱ ଦରବାରରେ ଏକ ବାଣିଜ୍ୟ ସମୃଦ୍ଧ ବୀର ଜାତି ରୂପେ ସ୍ଵତନ୍ତ୍ର ଆସନ ଅଳଙ୍କୃତ କରିଥିଲା । ସେହି ଜାତିର କ’ କିଛି ଭାଷା ନଥିଲା ? ଜାତି ସହିତ ଭାଷା ଅଙ୍ଗାଙ୍ଗୀଭାବେ ଜଡ଼ିତ । ଭାଷା ହେଉଛି ବ୍ୟକ୍ତି ଓ ଜାତି ଉଭୟଙ୍କର ପରିଚୟ ଓ ଜାତୀୟତାର ପ୍ରଧାନ ପ୍ରତୀକ ଓ ସଂସ୍କୃତିର ବାହକ । ପ୍ରତ୍ୟେକ ଭାଷା । ସ୍ଵଭାଷାଭାଷୀଙ୍କୁ ଏକତାର ସୁତ୍ରରେ ବାନ୍ଧିରଖେ । ଋକ୍‌ବେଦରେ ଭାଷାକୁ ‘ଅହଂ ରାଷ୍ଟ୍ରୀ ସଙ୍ଗମନୀ ବସୁନାମ୍‌’ । (୨) ଅର୍ଥାତ୍‌- ରାଷ୍ଟ୍ରନିର୍ମାତ୍ରୀ ଓ ସମୃଦ୍ଧ ସ୍ଥାପୟିତ୍ରୀ ଭାବରେ ଅଭିହିତ କରାଯାଇଛି । ସେହି ଶାସ୍ତ୍ରୀୟ ମାନ୍ୟତାରେ ଓଡ଼ିଆ ଭାଷା ଓଡ଼ିଆ ଜାତିକୁ ଏକସୂତ୍ରରେ ବାନ୍ଧି ବିଶାଳ ଓଡ଼ିଶା ରାଜ୍ୟ । ଗଠନ ଖ୍ରୀଷ୍ଟପୂର୍ବ କାଳରୁ ସମ୍ଭବ ହୋଇଥିଲା । ଏହି ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ କାଳୀନ ଭାଷା । ଭାଷାର ଶାସ୍ତ୍ରୀୟ ମାନ୍ୟତା ନିମିତ୍ତ ଭାରତ ସରକାର ମାନ ନିର୍ଦ୍ଧାରଣ କରିଛନ୍ତି ଯେ, ଶାସ୍ତ୍ରୀୟ ମାନ୍ୟତା ଦାବି କରୁଥିବା ଭାଷାଭାଷୀ ଜାତିର ୧୫୦୦ରୁ ୨୦୦୦ ବର୍ଷ ଧରି ଲିପିବଦ୍ଧ ଇତିହାସ ଓ ସଂସ୍କୃତି ଥିବ ତଥା ସେମାନଙ୍କ ଭାଷାରେ ମୌଳିକ ସୃଷ୍ଟିସମ୍ଭାର ରହିଥିବ ।’ ଏହି ନିର୍ଦ୍ଧାରିତ ନୀତି ଅନୁଯାୟୀ ନୀରିକ୍ଷଣ କଲେ ହୃଦବୋଧ ହୁଏ ଯେ ଓଡ଼ିଆ ଜାତିର ୨୬୦୦ ବର୍ଷର ଧାରାବାହିକ ଇତିହାସ ଓ ସଂସ୍କୃତି ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ଲିପିବଦ୍ଧ ହୋଇଛି । ଜାତିର ଇତିହାସ ଅନୁସାରେ । ଓଡ଼ିଆ ଭାଷାର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ, ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ସମୟକୁ ଓଡ଼ିଆ ଭାଷା ଏକ ସମୃଦ୍ଧ ଭାଷାରେ ପରିଣତ ହୋଇ ସାରିଲାଣି । ସେହି ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ଭରତମୁନି ସ୍ଵରଚିତ ନାଟ୍ୟଶାସ୍ତ୍ରରେ ଚାରିଗୋଟି ପ୍ରବୁତ୍ତିର ନାମ ଉଲ୍ଲେଖ କରିଛନ୍ତି । ତନ୍ମଧ୍ୟରେ ଓଡ୍ରମାଗଧୀ ଅନ୍ୟତମ ।

 

ଆବନ୍ତୀ ଦାକ୍ଷିଣାତ୍ୟ ଚ ତଥା ଚୈବୋଡ୍ର ମାଗଧୀ,

ପାଞ୍ଚାଳୀ ମଧ୍ୟମା ଚେତି ବିଜ୍ଞେୟାସ୍ତ ପ୍ରବୃତ୍ତୟଃ । (୩)

 

ଭରତମୁନିଙ୍କ ବହୁପୂର୍ବରୁ ଓଡ଼ିଆ ଭାଷାର ଉନ୍ମେଷ ଘଟି ତାଙ୍କ ସମୟକୁ ବିକଶିତ ଧାରାରେ ସମୃଦ୍ଧ ହୋଇଥିଲା । ନାଟ୍ୟଶାସ୍ତ୍ରରୁ ଜଣାଯାଏ ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀର ସଂସ୍କୃତ ନାଟକରେ ଓଡ଼ିଆ ଭାଷାର ସଂଳାପ ରହିଥିଲା । ସେହି ସମୟକୁ ଓଡ଼ିଆ ଭାଷା ଏକ ଲୋକ ପ୍ରଚଳିତ ଭାଷାର ମାନ୍ୟତା ପାଇଥିଲେ ହେଁ ବୈଦିକ ଆର୍ଯ୍ୟ ଗୋଷ୍ଠୀ ଏହାକୁ ବି ଭାଷା ବୋଲି କହୁଥିଲେ । କିନ୍ତୁ ଭରତମୁନିଙ୍କ ମତରେ ଓଡ଼ିଆ ଭାଷା ବି ଭାଷା ନଥିଲା । ସେ ଶାକାରୀ, ଆଭୀର, ଚାଣ୍ଡାଳୀ, ଶାବରୀ, ଦ୍ରାମିଳ, ଆନ୍ଧ୍ରୀ ଓ ବନାଚାରୀ ଏହି ସାତଗୋଟିକୁ ବି ଭାଷା ରୂପେ ବିଚାର କରିଥିଲେ ।

 

ଶାକରାଭୀର ଚାଣ୍ଡାଳ ଶବରଦ୍ରମିଳାନ୍ଧ୍ରଜା

ହୀନା ବନେଚରାଣାଞ୍ଚ ବିଭାଷା ନାଟକେ ସ୍ମୃତା । ( ୪)

 

ତାଙ୍କ ବିବେଚନାରେ ସାତଗୋଟି ମୁଖ୍ୟ ପ୍ରାକୃତ ଭାଷା ଥିଲା ମାଗଧୀ, ଅବନ୍ତୀ, ପ୍ରାଚ୍ୟ, ସୌରସେନୀ, ଅର୍ଦ୍ଧମାଗଧୀ, ବାହ୍ଳିକା ଓ ଦାକ୍ଷିଣାତ୍ୟା ।

 

ମାଗଧ୍ୟବନ୍ତିକା ପ୍ରାଚ୍ୟା ସୌରସେନାଧିମାଗଧୀ,

ବାହ୍ଳିକା ଦାକ୍ଷିଣାତ୍ୟା ଚ ସପ୍ତଭାଷା ପ୍ରକୀର୍ତ୍ତିତାଃ । (୫)

 

କେବଳ ସେତିକି ନୁହେଁ କେଉଁ ପାତ୍ର ବା ଚରିତ୍ର କେଉଁ ଭାଷାରେ ସଂଳାପ ଉଚ୍ଚାରଣ କରୁଥିଲେ ତାହାର ଉଲ୍ଲେଖ ମଧ୍ୟ ସେ କରିଛନ୍ତି ।

 

ମାଗଧୀତୁ ନରେନ୍ଦ୍ରାଣାମନ୍ତଃ ପୁରସମାଶ୍ରୟା,

ଚେଟାନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଂ ଅର୍ଦ୍ଧମାଗଧୀ । ( ୬)

 

ଅର୍ଥାତ ନରେନ୍ଦ୍ର ବା ରାଜାଙ୍କ ଭାଷା ହେଉଛି ମାଗଧୀ, ଅନ୍ତପୁର ନିବାସୀ ରାଜପୁତ୍ର ଓ ରକ୍ଷକମାନଙ୍କ ଭାଷା ମଧ୍ୟ ମାଗଧୀ ଏବଂ ଶ୍ରେଷ୍ଠୀ ବା ବଣିକମାନଙ୍କର ଭାଷା ହେଉଛି ଅର୍ଦ୍ଧମାଗଧୀ ବା ଓଡ୍ରମାଗଧୀ । ସମ୍ଭବତଃ ସେହି ସମୟରେ ମଗଧରେ ନନ୍ଦବଂଶ ରାଜତ୍ୱ କରୁଥିଲେ ଏବଂ ଓଡ଼ିଆ ଭାଷା ମଗଧ ଭାଷାରୁ ବିଚ୍ଛିନ୍ନ ହୋଇ ସ୍ଵତନ୍ତ୍ର ସଭା ସୃଷ୍ଟି କରି ସାରିଥିଲା । ତେଣୁ ଭରତଙ୍କ ବିଚାରରେ ଓଡ଼ିଶାର ବଣିକ ବା ସାଧବମାନେ ଓଡ଼ିଆରେ କଥାବାର୍ତ୍ତା ହେବେ ବୋଲି ନିର୍ଣ୍ଣୟ କରିଥିଲେ । ସେ ପର୍ବତ ଗୁମ୍ଫାରେ ଦୁଇମହଲା ବିଶିଷ୍ଟ ନାଟ୍ୟମଣ୍ଡପର ବର୍ଣ୍ଣନା କରିଛନ୍ତି । ଭରତଙ୍କ ନଟ୍ୟଶାସ୍ତ୍ର ବର୍ଣ୍ଣନାନୁସାରେ ସମ୍ରାଟ ଖାରବେଳ ଉଦୟଗିରି ରାଣୀଗୁମ୍ଫାରେ ନାଟ୍ୟମଣ୍ଡପ ନିର୍ମାଣ କରିଥିଲେ ତଥା ଏଠାରେ ନିୟମିତ ଭାବରେ ନାଟ୍ୟାଭିନୟ ଅଭିନୀତ ହେଉଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ ଯେ, ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ସ୍ଵତନ୍ତ୍ର ଭାଷା ରୂପେ ପ୍ରତିଭାତ ହେଲାଣି ତଥା ଓଡ଼ିଆ ଭାଷାରେ ନାଟକ ଅଭିନୀତ ହେଲାଣି । ଆମର ଦୁର୍ଭାଗ୍ୟ ଯେ ଅଦ୍ୟାବଧି ସେହି ସମୟର କୌଣସି ଗ୍ରନ୍ଥ ସଂରକ୍ଷିତ ହୋଇ ପାରିନାହିଁ । ନିର୍ବିବାଦରେ କୁହାଯାଇପାରେ, ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀ ପୂର୍ବରୁ ଓଡ଼ିଆ ଭାଷାର ଉନ୍ମେଷ ଘଟିଥିଲା ଏବଂ ଭରତମୁନିଙ୍କ ସମୟ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଏହି ଭାଷା ମାଗଧୀ ଭାଷାର ଶୃଙ୍ଖଳାରୁ ବିଚ୍ଛିନ୍ନ ହୋଇ ଆପଣାର ମୌଳିକ ସ୍ଵାତନ୍ତ୍ର୍ୟ ବଳରେ ସ୍ଵତନ୍ତ୍ର ଭାଷା ରୂପେ ସମୃଦ୍ଧ ହେଲାଣି । ମଗଧ ଭାଷା ସହିତ ଓଡ଼ିଆ ଭାଷାର ସାମ୍ୟ ଥିଲେ ହେଁ ଭରତମୁନି ମାଗଧୀ ଓ ଅର୍ଦ୍ଧମାଗଧୀ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଭାଷା ରୂପେ ବିବେଚନା କରିଛନ୍ତି । ଓଡ଼ିଆ ଭାଷା ପ୍ରାଚୀନତାର ଏହା ବଳିଷ୍ଠ ପ୍ରମାଣ ମନେ ହୁଏ ।

 

ଭାରତର ଉତ୍ତର ପଥ ଦେଇ ଆସିଥିବା ଆର୍ଯ୍ୟଗୋଷ୍ଠୀ ଓଡ଼ିଶାରେ ବସତିସ୍ଥାପନ କରି ବ୍ରାତ ବା ପତିତ ନାମରେ ପରିଚିତ ହୋଇଥିଲେ ବୋଲି ମହର୍ଷି ମନୁ ସ୍ଵରଚିତ ସଂହିତାରେ ଉଲ୍ଲେଖ କରିଛନ୍ତି । ଏଥିରୁ ଜଣାଯାଏ, ମନୁଙ୍କ ସମୟର ବହୁପୂର୍ବରୁ ଆର୍ଯ୍ୟଗୋଷ୍ଠୀ ଓଡ଼ିଶା ଭୂଖଣ୍ଡରେ ଅନୁପ୍ରବେଶ କରିଥିଲେ ତଥା ସେମାନଙ୍କର ଭାଷା ଆର୍ଯ୍ୟତର ଭାଷା ସହିତ ମିଶି ଓଡ଼ିଆ ଭାଷାର ଉନ୍ମେଷ ଘଟିଥିଲା । ଏହି ଉନ୍ମେଷ କାଳକୁ ଖ୍ରୀ.ପୂ. ଦଶମ ଶତାବ୍ଦୀ ବୋଲି ଧରାଯାଇପାରେ । ଓଡ଼ିଆ ଭାଷାର ସୃଷ୍ଟି ସଂପର୍କରେ ଡକ୍ଟର ସୁନୀତ କୁମାର ଚାଟାଜୀ ପରୋକ୍ଷ ମନ୍ତବ୍ୟ ପ୍ରଦାନ କରି କହିଛନ୍ତି ଯେ, ଅବହଟ୍ଟ ଭାଷାରୁ ସର୍ବ ପ୍ରଥମେ ଓଡ଼ିଆ ଭାଷାର ସୃଷ୍ଟି ତଥା ବଙ୍ଗଳା, ଆସାମୀ ଓ ଓଡ଼ିଆ ଭାଷା ମଧ୍ୟରେ ଓଡ଼ିଆ ହେଉଛି ଜ୍ୟୋଷ୍ଠାଭଗିନୀ । (୭) ସପ୍ତମ ଶତାବ୍ଦୀରେ ଚୀନ୍‍ ପରିବ୍ରାଜକ ହୁଏନସାଂ ମଧ୍ୟ ଓଡ଼ିଆ ଭାଷାର ସ୍ଵତନ୍ତ୍ରତା ଅନୁଭବ କରିଥିଲେ । ନବମ ଶତାବ୍ଦୀର କବି ରାଜଶେଖର ସ୍ଵରଚିତ ସଟ୍ଟକରେ ‘ଔଡ୍ରୀମାଗଧୀ’ ନାମକ ରୀତିର ଉଲ୍ଲେଖ କରିଥିବାରୁ ହୃଦ୍‌ବୋଧ ହୁଏ ଯେ ନବମ ଶତାବ୍ଦୀ ବେଳକୁ ଔଡ୍ରୀ ଭାଷାରେ ଭିନ୍ନ ଭିନ୍ନ ରୀତିରେ କାବ୍ୟ ରଚନା କରିବା ସମ୍ଭବ ହୋଇଥିଲା । ଭାଷାବିତ୍‌ ମାର୍କଣ୍ଡେୟ ପ୍ରାକୃତ ଭାଷାର ବ୍ୟାକରଣ ପ୍ରସ୍ତୁତ କଲାବେଳେ ଔଡ୍ରୀକୁ ବିଭାଷା ଭାବରେ ବିଚାର ନ କରି ଅପଭ୍ରଂଶ ଭାବେ ଗ୍ରହଣ କରିଛନ୍ତି । ଅନିରୁଦ୍ଧ ଉଟ୍ଟ ପ୍ରାକୃତ କଳ୍ପତରୁରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼୍ରୀ ଅପଭ୍ରଂଶ ବ୍ୟତୀତ ଉତ୍କଳୀ ନାମରେ ଅନ୍ୟ ଗୋଟିଏ ଅପଭ୍ରଂଶ ଓଡ଼ିଆ ଭୂଖଣ୍ଡରେ ପ୍ରଚଳନ ଥିଲା । ପାଣିନି, କାତ୍ୟାୟନ ଓ ପତଞ୍ଜଳି ସଂସ୍କତ ବ୍ୟାକରଣର ମୁନିତ୍ରୟ ରୂପେ ସୁପ୍ରସିଦ୍ଧ । ପାଣିନୀ ହେଉଛନ୍ତି ପୃଥିବୀର ସକଳ ଭାଷାବିଜ୍ଞାନୀଙ୍କର ଆଦର୍ଶ । ଶିବଙ୍କ କୃପାରୁ ପ୍ରାପ୍ତ ଚଉଦ ଗୋଟି ସୂତ୍ରରୁ ସେ ଅନେକ ସଂକ୍ଷେପଣ ବିଧ ଆବିଷ୍କାର କରିଛନ୍ତି ଏବଂ ଏଥିରେ ଧ୍ଵନି ସମୂହର ଉତ୍ପତ୍ତି ଓ ଉଚ୍ଚାରଣର ବର୍ଗୀକରଣ କରାଯାଇଛି । ଏହି ସଂକ୍ଷେପଣ ବିଧି ଓଡ଼ିଆ ଭାଷାରେ ଅନୁସୃତ । ପାଣିନୀ ଉଲ୍ଲେଖ କରିଛନ୍ତି ଯେ ଶବ୍ଦର ମୂଳାଧାର ହେଉଛି ଧାତୁ ତଥା ଧାତୁରେ ପୂର୍ବସର୍ଗ ଓ ପରସର୍ଗ ସଂଯୋଗ ହୋଇ ଶବ୍ଦ ସୃଷ୍ଟି ହୁଏ । ଏହି ରୀତି ଓଡ଼ିଆ ଭାଷାରେ ମଧ୍ୟ ପ୍ରଚଳିତ । ତାଙ୍କ ମତରେ ବାକ୍ୟରୁ ହଁ ଭାଷାର ଉତ୍ପତ୍ତି । ତାଙ୍କ ବାକ୍ୟଗଠନ ସୂତ୍ର ମଧ ଓଡ଼ିଆ ଭାଷାରେ ପରିଦୁଷ୍ଟ ପାଣିନୀଙ୍କ ତିନିଶହ ବର୍ଷ ପରେ କାତ୍ୟାୟନ ଅଷ୍ଟାଧ୍ୟାୟୀ ଉପରେ ବାର୍ତ୍ତିକ ଭାଷ୍ୟ ରଚନା କରିଥିଲେ । ଓଡ଼ିଆ ଭାଷାରେ ସେତେବେଳେ କୌଣସି ବ୍ୟାକରଣ ପ୍ରଣୟନ ହୋଇନଥିବାରୁ ଲୋକମୁଖରେ ବ୍ୟାପକ ଭାବରେ ପ୍ରଚଳିତ ଶବ୍ଦର ଗଠନ ଓ ଅର୍ଥିର ବିଶ୍ଳେଷଣ କାତ୍ୟାୟନଙ୍କ ବର୍ଣ୍ଣନାତ୍ମକ ଭାଷାବିଜ୍ଞାନର ପରିସରଭୁକ୍ତ ଥିଲା । ତତ୍‌ପରେ ପତଞ୍ଜଳି ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଉପରେ ମହାଭାଷ୍ୟ ରଚନା କରିଥିଲେ । ସେ ସର୍ବପ୍ରଥିମେ ଭାଷାରେ ଅପଭ୍ରଂଶ ରୂପ ସଂପର୍କରେ ଆଲୋଚନା କରିଛନ୍ତି, ଯାହାକି ତତ୍‌କାଳୀନ ଓଡ଼ିଆ ଭାଷା ପ୍ରତି ପ୍ରଯୁଜ୍ୟ ଥିଲା । ପତଞ୍ଜଳିଙ୍କ ମତରେ ଲିଖିତ ଭାଷାଠାରୁ ଲୋକଭାଷା ବଳିଷ୍ଠ, ବ୍ୟାପକ, ଜୀବନ୍ତ ଓ ବିକାଶଶୀଳ । ତାଙ୍କ ବର୍ଣ୍ଣିତ ସନ୍ଧିନିୟମ ଓଡ଼ିଆ ଭାଷାରେ ପ୍ରଚଳିତ । ପତଞ୍ଜଳିଙ୍କ ଧ୍ଵନି ଓ ଶବ୍ଦର ପରିଭାଷା ଅବଲମ୍ବନରେ ଓଡ଼ିଆମାନେ ଆପଣା ଭାଷାର ପ୍ରାଞ୍ଜଳ ଉଚ୍ଚାରଣ କରିଥାନ୍ତି । ଏଥିରୁ ହୃଦବୋଧ ହୁଏ, ଓଡ଼ିଆ ଭାଷା ଉନ୍ମେଷ କାଳରୁ ଶାସ୍ତ୍ରୀୟ ରୀତିରେ ପ୍ରବହମାନ ହୋଇ ଗତିଶୀଳା ସ୍ଵଚ୍ଛନୀରା ନଦୀ ସ୍ୱରୂପରେ ଅନେକ ପରିବର୍ତ୍ତନକୁ ଆପଣାର କରି ଆତ୍ମିକ ସନନ୍ଦ ରୂପେ ଶାସ୍ତ୍ରୀୟ ଭାଷା ଭାବରେ ପ୍ରତିଭାତ । ଶାସ୍ତ୍ରୀୟ ଆହରଣ ଶୈଳୀରେ ସମୃଦ୍ଧ ହୋଇଥିବାରୁ ଓଡ଼ିଆ ଶବ୍ଦ ସମ୍ଭାର ବଙ୍ଗଳା, ହିନ୍ଦୀ ଆସାମୀ ଓ ତେଲୁଗୁ ପ୍ରଭୃତି ଭାଷାଠାରୁ ବୃହତ୍‌ବୋଲି ସାର୍‌ଜର୍ଜ ଆବ୍ରାହମ ଗ୍ରୀୟସନ୍‍ ଉଲ୍ଲେଖ କରିଛନ୍ତି । (୮) ଜନ ବିମ୍‌ସଙ୍କ ମତରେ ଓଡ଼ିଆ ଭାଷାରେ ଅଧିକାଂଶ ସଂସ୍କୃତି ଧ୍ୱନି ଅପରିବର୍ତ୍ତିତ ରହିଛି ଏବଂ ଏହି କାରଣରୁ ଓଡ଼ିଆ ଭାଷା ସଂସ୍କୃତ ଭାଷାର ନିକଟତର ହୋଇରହିଛି । (୯) ଜୈନ ଧର୍ମାବଲମ୍ବୀ ପ୍ରାକୃତ ବୈୟାକରଣିକମାନେ ଓଡ୍ରମାଗଧୀକୁ ‘ଆର୍ଷୀ ପ୍ରାକୃତ’ ଅର୍ଥାତ୍‌ ଋଷିଙ୍କ ଭାଷା ବୋଲି କହିଅଛନ୍ତି । (୧୦) ଅନ୍ୟାନ୍ୟ ଭାଷାବିଜ୍ଞାନୀଙ୍କ ମତରେ ଓଡ଼ିଆ ଭାଷା ବଙ୍ଗଳା ଓ ଅନ୍ୟାନ୍ୟ ଭାଷାଠାରୁ ପ୍ରାଚୀନ ଅଧିକ ମୌଳିକ, ସ୍ୱାତନ୍ତ୍ର୍ୟ ସମୃଦ୍ଧ, ରକ୍ଷଣଶୀଳ, ପୂର୍ଣ୍ଣାଙ୍ଗ ଓ ବଳିଷ୍ଠ । (୧୧) ଏହି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ ଯେ ଓଡ଼ିଆ ଭାଷା ପ୍ରାୟ ତିନି ହଜାର ବର୍ଷରୁ ଅଧିକ କାଳ ଧରି ଗତିଶୀଳ ତଥା ଉନ୍ନତ ଆହରଣ ଶୈଳୀରେ ନିତ୍ୟନୂତନ ।

 

ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟତା ବିଚାର ନିମିତ୍ତ ଓଡ଼ିଆ ଲିପିର ପ୍ରାଚୀନତା ବିଶ୍ଳେଷଣ କରିବା ଆବଶ୍ୟକ । ଭାଷାକୁ ଚକ୍ଷୁ ସମ୍ମୁଖରେ ଦେଖାଇବା ହେଉଛି ଲିପିର କାର୍ଯ୍ୟା ଅର୍ଥାତ୍‌ ଲିପି ହେଉଛି ବାଚିକ ଭାଷାର ଏକ ଲୈଖିକ ସାଙ୍କେତିକ ଚିହ୍ନ । ସେଥିନିମିତ୍ତ ଲିପିକୁ ବର୍ଣ୍ଣ ବା ଅକ୍ଷର ବୋଲି କୁହାଯାଇଛି । ଭାଷା ଅଧ୍ୟୟନ କ୍ଷେତ୍ରରେ ମନୁଷ୍ୟର ସଫଳ ଅନୁସନ୍ଧାନ ହେଉଛି ଲିପି । ଓଡ଼ିଆ ଭାଷା ଏକ କଥିତ ଭାଷା ଭାବରେ ଜନ୍ମ ନେବାପରେ ଓଡ଼ିଆ ଲିପି ଜନ୍ମ ନେଇଛି । ପ୍ରାଚୀନ କାଳରେ ପୃଥିବୀର ସମସ୍ତ ଅଞ୍ଚଳରେ ପ୍ରସ୍ତର, ଲୌହ, ତାମ୍ର, ସୁବର୍ଣ୍ଣ, କାଷ୍ଠ, ଚର୍ମ, ଇଷ୍ଟକ, ମୃତ୍ତିକା, ତାଳପତ୍ର ଓ ଭୂଜପତ୍ର ପ୍ରଭୃତିରେ ଲିପି ସମୂହର ଲିଖନ ହୋଇଥିବାର ଦୃଷ୍ଟାନ୍ତ ମିଳିଥାଏ । ଏହି ଲିପି ସାଙ୍କେତିକ ଲିପି, ଚିତ୍ରଲିପି, ଧ୍ଵନିଲିପି, ଶଙ୍କୁଲିପି ପ୍ରଭୃତି ବିଭିନ୍ନ ପ୍ରକାରର । ଭାରତର ସର୍ବପ୍ରାଚୀନ ଲିପି ହେଉଛି ଖ୍ରୀଷ୍ଟପୂର୍ବ ପାଞ୍ଚହଜାର ବର୍ଷ ତଳର ସୈନ୍ଧବ ସଭ୍ୟତା କାଳୀନ ଲିପି ସମୂହ, ଯାହାକି ସୁମେରୀୟ ଲିପିଠାରୁ ପ୍ରାଚୀନତର । ସୈନ୍ଧବ ଲିପି ପୃଥିବୀର ପ୍ରାଚୀନ ଲିପି ହୋଇଥିଲେ ମଧ୍ୟ ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ଲିପି ସମୂହର କ୍ରମବିକାଶଧାରା ସହିତ ଏହାର ସଂପର୍କ ଅଦ୍ୟାବଧି ନିର୍ଣ୍ଣୟ ହୋଇ ପାରିନାହୁଁ । ସୈନ୍ଧବ ଲିପିର ସମକାଳୀନ ଲିପିର ସନ୍ଧାନ ମଧ୍ୟ ଓଡ଼ିଶାରେ ମିଳିଅଛି । ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାନ୍ତର୍ଗତ ବିକ୍ରମ ପର୍ବତ ଖୋଲରେ ଅବସ୍ଥିତ ପ୍ରାକୃତିକ ଗୁମ୍ଫାରେ ଅନେକ ଶିଳାଲିପି ଖୋଦିତ, ଏହା ବିକ୍ରମ ଖୋଲ ଶିଳାଲିପି ନାମରେ ପରିଚିହ୍ନିତ । ପ୍ରମାଣିତ ହୁଏ, ଏହି ଅଞ୍ଚଳରେ କୌଣସି ଏକ ଉନ୍ନତ ସଭ୍ୟଜାତି ବାସ କରୁଥିଲେ ଏବଂ ସେମାନେ ଏହି ପ୍ରାଚୀନ ଲିପି ବ୍ୟବହାର କରୁଥିଲେ । ଏହି ଅଞ୍ଚଳର ସଭ୍ୟତା ସିନ୍ଧୁସଭ୍ୟତାର ସମସାମୟିକ ବୋଲି ବିଶ୍ଵାସ କରାଯାଏ । ୧୯୭୨ ଖ୍ରୀଷ୍ଟାବ୍ଦରେ ଗବେଷକ କେ.ପି.ଜୟସ୍ୱାର ଏହି ଶିଳାଲିପି ପରିଦର୍ଶକ ପୂର୍ବକ ମତ ଦେଇଥିଲେ ଯେ ବିକ୍ରମ ଖୋଲ ଶିଳାଲିପି ସିନ୍ଧୁସଭ୍ୟତାର ଲିପି ଓ ବ୍ରାହ୍ମିଲିପିର ମଧ୍ୟବର୍ତ୍ତୀକାଳୀନ ଲିପି ଅଟେ । (୧୨) କିନ୍ତୁ ଓଡ଼ିଶାର ଏହି ପ୍ରାଚୀନ ଲିପି ପଠନ କରିବାକୁ କୌଣସି ଐତିହାସିକ ଭାଷାବିତ୍‌, ଲିପିତତ୍ତ୍ୱବିତ୍‌ଓ ବିଶେଷଜ୍ଞ ସମର୍ଥ ହୋଇନାହାନ୍ତି । ନୂଆପଡ଼ା ଜିଲ୍ଲାର ଯୋଗୀମଠ ପାହାଡ଼ରେ ଅର୍ଜିତ ଚିତ୍ରଲିପିରେ କିଛି ଅକ୍ଷର ଖୋଦିତ ହୋଇଛି । ଏହି ଅକ୍ଷର ସମୂହ ବ୍ରାହ୍ମୀ ଲିପିର ପୂର୍ବବର୍ତ୍ତୀ ହୋଇଥିଲେ ହେଁ ଏଯାବତ ଏ ସଂପର୍କରେ ବିଧିବଦ୍ଧ ଗବେଷଣା ହୋଇନାହିଁ । ବିକ୍ରମଖୋଲ ଯୋଗୀମଠ ଓ ଅନ୍ୟାନ୍ୟ ସ୍ଥାନରୁ ଆବିଷ୍କୃତ ହୋଇଥିବା ଚିତ୍ରଲିପି ଓ ଖୋଦିତ ଲିପି ହେଉଛି, ଲିପିତତ୍ତ୍ୱ ଦୃଷ୍ଟିରୁ ଓଡ଼ିଆ ଭାଷାର ପ୍ରାଚୀନତା ସଂପର୍କରେ ବଳିଷ୍ଠ ପ୍ରମାଣ । ଭାରତର ଅନ୍ୟ କୌଣସି ଅଞ୍ଚଳରେ ବା ସଂସ୍କୃତ ଭାଷାଠାରୁ ପ୍ରାଚୀନ ଦାବି କରୁଥିବା ତାମିଲ ଭାଷାରେ ଏଭଳି ପୁରାତନ ଲିପି ନାହିଁ ।

 

ଗବେଷକମାନଙ୍କ ବିଚାରରେ ଅତି ପ୍ରାଚୀନ କାଳରେ ପୃଥିବୀରେ ତିନିପ୍ରକାର ଲିଖନ ପଦ୍ଧତି ଅନୁସୃତ ହେଉଥିଲା । ସେଗୁଡ଼ିକ ହେଉଛି ମିଶରୀୟ ଲିଖନ ପଦ୍ଧତି, ସୁମେରୁ ଲିଖନ ପଦ୍ଧତି ଓ ଚୀନ ଲିଖନ ପଦ୍ଧତି । ସୁମେରୀୟମାନେ ଯେଉଁ ଲିପିର ବ୍ୟବହାର କରୁଥିଲେ ତାହା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ରୂପରେ ସେମିଟିକ୍‌ ଭାଷାରେ ବ୍ୟବହୃତ ହେଲା । ଲିପିତତ୍ତ୍ୱବିଦ୍‌ ଜି. ବ୍ୟୁହ୍ଳରଙ୍କ ମତରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ସେହି ଲିପିରୁ ଖରୋଷ୍ଟ୍ରୀ ଓ ବ୍ରାହ୍ମୀ ନାମକ ଦୁଇପ୍ରକାର ଲିପି ଉଦ୍ଭବ ହୋଇ ଭାରତରେ ପ୍ରଚଳିତ ହୋଇଥିଲା । ଭାରତବର୍ଷରେ ବୈଦିକ ଯୁଗରେ ଲିପିର ପ୍ରଚଳନ ନଥିବାରୁ ପ୍ରଚେତାବୃନ୍ଦ ବେଦକୁ ଶୁଣି ଶୁଣି ମନେ ରଖୁଥି‌ଲେ । ତେଣୁ ବେଦର ଅନ୍ୟନାମ ଶ୍ରୁତି । ପରବର୍ତ୍ତୀ କାଳରେ ବ୍ରାହ୍ମୀ ଲିପିର ଉଦ୍ଭବ ଘଟିଲା ତଥା ଶାସ୍ତ୍ରପୁରାଣାଦି ଏହି ଲିପିରେ ଲିଖିତ ହେଲା । (୧୩) ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ସଦୃଶ ଓଡ଼ିଆ ଲିପି ବ୍ରାହ୍ମୀଲିପିରୁ ଉତ୍ପନ୍ନ । ସେହି ସମୟରେ ବ୍ରାହ୍ମୀଲିପିର ଦୁଇଟି ଅବସ୍ଥା ଦୃଷ୍ଟିଗୋଚର ହୋଇଥିଲା । ତାହା ହେଉଛି ମୌର୍ଯ୍ୟ ବ୍ରାହ୍ମୀ ବା ପୂର୍ବବର୍ତ୍ତୀ ବ୍ରାହ୍ମୀ ଏବଂ କୁଶାଣ ବ୍ରାହ୍ମୀ ବା ପରବର୍ତ୍ତୀ ବ୍ରାହ୍ମୀ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମଗଧ ସମ୍ରାଟ ଅଶୋକ ମୌର୍ଯ୍ୟ ବ୍ରାହ୍ମୀଲିପିରେ ଓଡ଼ିଶା ଅଧିବାସୀଙ୍କ କଥିତ ଭାଷାରେ ଧଉଳି ଓ ଜଉଗଡ଼ ପାହାଡ଼ରେ ରାଜାଦେଶ ଖୋଦନ କରାଇଥିଲେ-। ଏହି ଶିଳାଲେଖରେ ବ୍ୟବହୃତ ଶବ୍ଦ ମଧ୍ୟରୁ କଳେ, ତିନି, ଦୁବେ, ପଛା, ପନି, ସେ, ହାନି, ସୁଧ, ଅଗି, ଦସ, ନିଲଠା, ଲହେବୁ, ବୁଢ଼, ମଝି, ବାମନ, ମହାମାତ, ପାଟିପତ୍ତି, ମନିସ, ପୁଠିବି, କିଟ, ଇସା, ପୁଲିସ, ପଟିଜ୍ଞା, ଖୁଦ ଇତ୍ୟାଦି ଖାଣ୍ଟି ଓଡ଼ିଆ ଶବ୍ଦ ଓ ଓଡ଼ିଆ ଶବ୍ଦର ନିକଟବର୍ତ୍ତୀ । ଏହି ଶବ୍ଦପୁଞ୍ଜରେ ଓଡ଼ିଆ ଧ୍ଵନିର ରୂପାନ୍ତର ଲୋପ, ପରିବର୍ତ୍ତନ ଆଦିର ସଙ୍କେତ ମିଳେ । ଏହି ଦୃଷ୍ଟିରୁ ଗବେଷକବୃନ୍ଦ ସେହି ଲିପିଦ୍ୱୟକୁ ଓଡ଼ିଆ ଭାଷା ଓ ଓଡ଼ିଆ ଲିପିର ପ୍ରଥମ ଅଭିଲେଖ ଭାବରେ ଗ୍ରହଣ କରିଛନ୍ତି । ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଏହି ଶିଳାଲେଖରୁ ଓଡ଼ିଆ ଲିପିର ଆଦିମ ଆକୃତି ନିର୍ଣ୍ଣୟ କରିଛନ୍ତି । ସେ ଏହି ଶିଳଲେଖରୁ ଓଡ଼ିଆ ଅକ୍ଷର ଅ, ଆ, ଇ, ଉ, ଏ, ଓ, କ, ଖ, ଗ, ଘ, ଚ, ଛ, ତ, ଝ, ଞ, ଟ, ୦, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ବ, ସ, ଶ, ଷ, କା, କି, କୀ, କୂ, କେ, କୈ ପ୍ରଭୃତି ଅକ୍ଷର ଚିହ୍ନଟ କରିଛନ୍ତି । ଚିହ୍ନଟ ହୋଇଥିବା ଅକ୍ଷର ସମୂହର ଆକୃତି ଆଧୁନିକ ଓଡ଼ିଆ ଅକ୍ଷର ସଦୃଶ ନୁହେଁ । ବ୍ରାହ୍ମୀ ଲିପି ଲିଖନ ପଦ୍ଧତି ଧାରାରେ ଏଗୁଡ଼ିକ ଖୋଦିତ ହୋଇଥିଲେ ହେଁ ଅକ୍ଷର ସମୂହ ଓଡ଼ିଆ ଲିପିର ପ୍ରଥମ ସ୍ଵରୂପ । (୧୪) ପରବର୍ତ୍ତୀ କାଳରେ ଉପରବର୍ଣ୍ଣିତ ବ୍ରାହ୍ମୀଲିପିର କ୍ରମ ବିକାଶ ଘଟିଥିଲା । ରାଜାମାନଙ୍କ ଦ୍ୱାରା ନିଯୁକ୍ତ ଲିପିକାରମାନେ ସେମାନଙ୍କ ରୁଚି ଅନୁସାରେ ସରଳରେଖାଯୁକ୍ତ ବ୍ରାହ୍ମୀଲିପିକୁ ପରିବର୍ତ୍ତନ କରି ଲେଖୁଥିଲେ । ଲିପିର ସ୍ଥାୟିତ୍ୱ ଦୃଷ୍ଟିରୁ ସରଳରେଖାବଳୀ କ୍ରମେ ବକ୍ର ଓ ଗୋଲ ହୋଇଥିଲା । ବିଶେଷତଃ ଅ, ଖ, କ ଓ ଇ ଏହି ଚାରିଗୋଟି ଅକ୍ଷର ପରିବର୍ତ୍ତିତ ସ୍ଵରୂପ ଗ୍ରହଣ କରିଥିଲା ବୋଲି ଡକ୍ଟର ରାଜଗୁରୁ ଦର୍ଶାଇଛନ୍ତି । (୧୫) ଶିଳାଲିପି ବ୍ୟତୀତ ଲେଖନୀକାରମାନେ ତାଳପତ୍ରରେ ଲୌହ ଲେଖନୀ ଦ୍ୱାରା ଲେଖିବାରୁ ଅକ୍ଷରଗୁଡ଼ିକ ସରଳରେଖା ପରିବର୍ତ୍ତେ ବକ୍ରରେଖାଯୁକ୍ତ ହୋଇଗଲା କାରଣ ତାଳପତ୍ରରେ ସରଳରେଖାଯୁକ୍ତ ଅକ୍ଷର ଲେଖିଲେ ତାହା ନଷ୍ଟ ହେବାର ସମ୍ଭାବନା ଥିଲା । କାଳକ୍ରମେ ଓଡ଼ିଆଲିପିରେ ସାମନ୍ୟ ପରିବର୍ତ୍ତନ ଘଟିଲା । ଏହି ଲିପିକୁ ପରବର୍ତ୍ତୀ ବ୍ରାହ୍ମୀଲିପି କୁହାଗଲା । ଖାରବେଳଙ୍କ ସମୟର ଲିପି ଏହି ଶୈଳୀର ଅନ୍ତର୍ଗତ । ଖାରବେଳ ସ୍ଵରାଜତ୍ୱର ୧୩ବର୍ଷର ଘଟଣାବଳୀ ହାତୀଗୁମ୍ଫା ଅନୁଶାସନରେ ଖୋଦନ କରାଇଥିଲେ । ଏହି ଅନୁଶାସନର ଲିପି ହେଉଛି ପରବର୍ତ୍ତୀ ବ୍ରାହ୍ମଲିପି, ଯାହାକି ଅଶୋକଙ୍କ ଶିଳାଲେଖର ତିନିଶହ ବର୍ଷ ପରେ ଖୋଦିତ । ଏହି ଧରଣର ଲିପି କୁଶାଣ ରାଜାମାନଙ୍କ ଦ୍ଵାରା ବ୍ୟବହୃତ ହୋଇଥିବାର ପ୍ରମାଣ ମଥୁରାଠାରୁ ମିଳିଅଛି । (୧୬) ତେଣୁ ପରବର୍ତ୍ତୀ ବ୍ରାହ୍ମୀଲିପିକୁ କୁଶାଣ ବ୍ରାହ୍ମୀଲିପି ବୋଲି କୁହାଯାଇଛି । ଅଶୋକଙ୍କ ସମୟରେ ଖୋଦିତ ମୌର୍ଯ୍ୟ ବ୍ରାହ୍ମୀଲିପିରେ ବିନ୍ଦୁ ନଥିଲା, କିନ୍ତୁ ପରବର୍ତ୍ତୀ ବ୍ରାହ୍ମୀଲିପି ବା କୁଶାଣ ଲିପିରେ ଅକ୍ଷରର ସୌନ୍ଦର୍ଯ୍ୟବର୍ଦ୍ଧନ ନମିତ୍ତ ବିନ୍ଦୁ ବା ଚୁଳ ସଂଯୋଗ କରାଗଲା । ଖାରବେଳଙ୍କ ଶିଳାଲେଖରେ ମୌର୍ଯ୍ୟ ବ୍ରାହ୍ମୀଲିପି ଓ କୁଶାଣ ବ୍ରାହ୍ମୀଲିପି ଉଭୟର ସନ୍ଧାନ ମିଳିଥିଲେ ହେଁ ଭଦ୍ରଖରୁ ପ୍ରାପ୍ତ ମହାରାଜାଗଣଙ୍କର ଶିଳାଲେଖରେ କେବଳ କୁଶାଣ ବ୍ରାହ୍ମୀଲିପି ଖୋଦିତ । ଲିପିତତ୍ତ୍ୱ ଦୃଷ୍ଟିରୁ ଭଦ୍ରକରୁ ପ୍ରାପ୍ତ କ୍ଷୁଦ୍ର ଶିଳାଲେଖର ସମୟ ଖ୍ରୀ.ଅ ତୃତୀୟ ଶତାବ୍ଦୀ ବୋଲି ସ୍ଥିରୀକୃତ ହୋଇଛି । (୧୭) ଓଡ଼ିଆମାନଙ୍କ ଚେତନାରେ ବର୍ଣ୍ଣରୂପୀ ନିର୍ଗୁଣବ୍ରହ୍ମ ସଗୁଣ ବ୍ରହ୍ମ ରୂପରେ ଲିପି ସ୍ଵରୂପରେ ପ୍ରକାଶିତ ହେଲେ । ତେଣୁ ବ୍ରହ୍ମଙ୍କର ମୁକୁଟ ସ୍ଵରୂପରେ ବର୍ଣ୍ଣରେ ମୁକୁଟ ବା ଚୁଳ ସଂଯୋଗ କରାଗଲା । ଏହି ପରିବର୍ତ୍ତିତ ଲିପିର ଶୀର୍ଷରେ ଥିବା ବିନ୍ଦୁ ବା ଚୂଳ ତ୍ରିକୋଣ ବା ଚତୁଷ୍କୋଣ ଆକୃତି ଧାରଣ ପୂର୍ବକ ଲିପି ସମୂହକୁ ସୁନ୍ଦର, ସହଜ ଓ ସୁପାଠ୍ୟ କରିପାରିଥିଲା । (୧୮)

 

ଖ୍ରୀଷ୍ଟୀୟ ତୃତୀୟ ଶତକଠାରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ଥାତ ଗୁପ୍ତବଂଶର ରାଜାମାନଙ୍କ ଶାସନ କାଳରେ ବିଭିନ୍ନ ତାମ୍ରପତ୍ରମାନଙ୍କରେ ବ୍ରାହ୍ମୀଲିପିର ବିକଶିତ ସ୍ୱରୂପ ଉଲବଧି ହୋଇଥାଏ । ଏହାକୁ ଗୁପ୍ତଲିପି କୁହାଯାଏ ସେହି ସମୟରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଠର ବଂଶୀୟ ରାଜନ୍ୟ ବୁନ୍ଦ ଶାସନ କରୁଥିଲେ । ସେହି ବଂଶର ବିଶାଖାବର୍ମା, ଉମାବର୍ମା, ଅନନ୍ତ ଶକ୍ତିବର୍ମା, ଶକ୍ତିବର୍ମା, ଅନନ୍ତବର୍ମା, ନନ୍ଦ ପ୍ରଭଞ୍ଜନ ବର୍ମା, ପ୍ରଭଞ୍ଜନ ବର୍ମା ପ୍ରଭୃତି ରାଜାମାନେ ଯେଉଁସବୁ ତାମ୍ରଶାସନ ପ୍ରଦାନ କରିଛନ୍ତି ସେଥିରେ ଏହି ଗୁପ୍ତଲିପି ପରିପୃଷ୍ଟ ହୋଇଥାଏ । କଳାହାଣ୍ଡିରୁ ପ୍ରାପ୍ତ ମହାରାଜ ତୃଷ୍ଟିକର ଦେବଙ୍କ ତାମ୍ରଶାସନରେ ଏହି ଲିପି ବ୍ୟବହାର ହୋଇଛି । ଖ୍ରୀଷ୍ଟୀୟ ଚତୁର୍ଥି ଶତାବ୍ଦୀରେ ଗୁପ୍ତବଂଶୀୟ ରାଜା ସମୁଦ୍‌ଗୁପ୍ତଙ୍କର ପ୍ରୟାଗ ସ୍ତମ୍ଭଲିପିରେ ବ୍ୟବହୃତ ଅକ୍ଷର ସଙ୍ଗେ ଏହି ଲିପିର ସାମଞ୍ଜସ୍ୟ ରହିଛି । (୧୯) ଏତଦ୍‌ଭିନ୍ନ ଧର୍ମରାଜଙ୍କ ସୁମଣ୍ଡଳ ତାମ୍ରଶାସନ, ସୋରରୁ ପ୍ରାପ୍ତ ଶମ୍ଭୁଯଶଙ୍କ ତାମ୍ରପତ୍ର, ଲୋକ ବିଗ୍ରହଙ୍କ କଣାସ ତାମ୍ରଶାସନ ଶିବରାଜଙ୍କ ପଟିଆକିଲା ତାମ୍ରଶାସନ ପ୍ରଭୃତିରେ ଏହି ଗୁପ୍ତଲିପି ବ୍ୟବହୃତ । ଏହି ତାମ୍ର ଶାସନମାନଙ୍କରେ ଓଡ଼ିଆ ବର୍ଣ୍ଣମାଳାର ଖ, ଗ, ଣ, ଥ, ଦ, ଓ ମ ପ୍ରଭୃତି ବର୍ଣ୍ଣ ପ୍ରୟୋଗ ହୋଇଛି । ଡକ୍ଟର ରାଜଗୁରୁ ଏହି ଲିପିର ଏକ ତୁଳନାତ୍ମକ ନମୁନା ଓଡ଼ିଆ ଲିପିର କ୍ରମବିକାଶ ପୁସ୍ତକର ୩୨ ପୃଷ୍ଠାରେ ଥିବା ଚିତ୍ର- ୪ରେ ପ୍ରଦାନ କରିଛନ୍ତି । ( ୨୦)

 

ଷଷ୍ଠଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପୂର୍ବୋକ୍ତ ଲିପିରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା । ଏହାକୁ ସୂକ୍ଷ୍ମକୋଣୀ ଲିପି ବା କଣ୍ଟକ ଶୀର୍ଷକ ଲିପି କୁହାଯାଏ । କେତେକ ଗବେଷକଙ୍କ ମତରେ ଏହା ସିଦ୍ଧମାତୃକା ବା କୁଟିଳଲିପି । ଗୁପ୍ତଯୁଗରେ ଲିପିର ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ଯେଉଁ ବିନ୍ଦୁ ବା ଚୂଳ ଯୋଗ କରାଯାଇଥିଲା ତାହା ଏହି ସମୟରେ ତ୍ରିକୋଣାକାର ହେଲା । ଏହି ପରିବର୍ତ୍ତିତ ଲିପିଗୁଡ଼ିକ କୁଟିଳାକୃତି ବା କଣ୍ଟକ ଆକୃତି ଧାରଣ କରିଥିବାରୁ ଏଗୁଡ଼ିକୁ କୁଟିଳଲିପି କୁହାଗଲା । ଶୈଳୋଦ୍ଭବ ବଂଶ ରାଜନ୍ୟବୁନ୍ଦଙ୍କ ପ୍ରଦତ୍ତ ତାମ୍ରପତ୍ରରେ ପ୍ରାୟତଃ ଏହି କୁଟିଳ ଲିପି ମିଳିଥାଏ । ବିଶେଷତଃ ମହାସାମନ୍ତ ମାଧବରାଜଙ୍କ ଗଞ୍ଜାମ ତାମ୍ରପତ୍ର (୨୧) ଏବଂ ସୈନ୍ୟଭୀତ ମାଧବରାଜଙ୍କ ଖୋରଧା ତାମପତ୍ର (୨୨) ରେ ଏହି ଲିପି ଦୃଷ୍ଟିଗୋଚର ହୋଇଥାଏ । ସୂଚନା ଯୋଗ୍ୟ ଯେ ଏହି ସମୟରେ କଙ୍ଗୋଦର ଶୈଳୋଦ୍ଭବ ରାଜନ୍ୟବୃନ୍ଦ ଉତ୍ତର ଭାରତରୁ ବୈଦିକ ବ୍ରାହ୍ମଣମାନଙ୍କୁ ଆଣି ଅଶ୍ଵମେଧ ଓ ବାଜପେୟାଦି ଯଜ୍ଞାନୁଷ୍ଠାନ କରାଇଥିଲେ । ବହିରାଗତ ବ୍ରାହ୍ମଣମାନେ ଏଠାକୁ ଆସିଥିଲେ ହେଁ ଉତ୍ତର ଭାରତୀୟ ଭାଷା ଓ ଲିପି ବ୍ୟବହାର କରୁଥିଲେ । ଫଳତଃ କଙ୍ଗୋଦର ଭାଷା ଓ ଲିପି ଉତ୍ତର ଭାରତୀୟ ଭାଷା ଓ ଲିପି ସହିତ ସମୃଦ୍ଧ ରକ୍ଷାପୂର୍ବକ ଓଡ଼ିଆ ଭାଷା ମାର୍ଜିତ ନୂତନ ରୂପ ଧାରଣ କରିଥିଲା । ଠିକ୍‌ ଏହି ସମୟରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ପରିଭ୍ରମଣ କରିଥିଲେ । ତେଣୁ ସେ କଙ୍ଗୋଦ ରାଜ୍ୟର ଅଧିବାସୀ ଉତ୍ତର ଭାରତୀୟ ଭାଷା ବ୍ୟବହାର କରୁଥିଲେ ବୋଲି ଉଲ୍ଲେଖ କରିଛନ୍ତି । ସେତେବେଳେ ତୋଷଳ, କୋଶଳ, କଳିଙ୍ଗ ଓ କଙ୍ଗୋଦର ଭାଷାରେ ସାମାନ୍ୟ ଶବ୍ଦଗତ ପ୍ରଭେଦ ଥିଲେ ହେଁ ଲିପିରେ ବିଶେଷ ପ୍ରଭେଦ ପରିଲକ୍ଷିତ ହୋଇନଥିଲା । (୨୩) ଏହି ସମୟରେ ଓଡ଼ିଶାର ଉତ୍ତରାଂଶ ତୋଷଳ, ତାହାର ଦକ୍ଷିଣାଂଶ କଙ୍ଗୋଦ, କଙ୍ଗୋଦର ଦକ୍ଷିଣାଂଶ କଳିଙ୍ଗ ଏବଂ ପଶ୍ଚିମାଞ୍ଚଳ କୋଶଳ ନାମରେ ପରିଚିହ୍ନିତ ଥିଲା । ତୋଷଳରେ ଭୌମକରବଂଶ, କଙ୍ଗୋଦରେ ଶୈଳୋଦ୍ଭବ ବଂଶ, କଳିଙ୍ଗରେ ଗଙ୍ଗବଂଶ ଶାସନ କରୁଥିଲେ ହେଁ ଅନ୍ୟାନ୍ୟ ଅଞ୍ଚଳରେ କ୍ଷୁଦ୍ର ସାମନ୍ତରାଜ୍ୟମାନଙ୍କରେ ଅଭ୍ୟୁଦୟ ଘଟିଥିଲା । ଏହି ମଣ୍ଡଳ ରାଜ୍ୟମାନଙ୍କରେ ତୁଙ୍ଗ, ଶୁଳକୀ, ଭଞ୍ଜ, ନନ୍ଦୋଉବ, ନାଗ ପ୍ରଭୃତି ରାଜବଂଶ ରାଜତ୍ଵ କରୁଥିଲେ । ଏମାନଙ୍କ ବ୍ୟତୀତ ଦକ୍ଷିଣ କୋଶଳରେ ପଣ୍ଡୁ ବା ସୋମବଂଶୀମାନେ ଶାସନ କରୁଥିଲେ । ମୁଖ୍ୟ ସମ୍ରାଟ ଭୌମମାନେ ବୌଦ୍ଧ ଧର୍ମାବଲମ୍ବୀ ହେଲେ ହେଁ ଅନ୍ୟ ରାଜନ୍ୟବୁନ୍ଦ ହିନ୍ଦୁ ଧର୍ମାବଲମ୍ବୀ ଥିଲେ । ସେହି ସମୟରେ ଉତ୍ତର ଓଡ଼ିଶାର ଭୌମ, ଶୁଳକୀ, ଭଞ୍ଜ, ତୁଙ୍ଗ ନନ୍ଦୋଭବ ରାଜନ୍ୟବୃନ୍ଦ ଯେଉଁ ତାମ୍ରପତ୍ରମାନ ପ୍ରଦାନ କରିଛନ୍ତି ତାହା ପୂର୍ବ ଭାରତୀୟ ଲିପିରେ ଉତ୍କୀର୍ଣ୍ଣ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ରାଜାମାନଙ୍କ ଦ୍ୱାରା ପ୍ରଦତ୍ତ ତାମ୍ରପାତ୍ରମାନଙ୍କରେ ଲିପିର ଭିନ୍ନତା ପରିଦୃଷ୍ଟ ହୋଇଥାଏ । ଏଗୁଡ଼ିକ ଅଧ୍ୟୟନ ଓ ଅନୁଧ୍ୟାନ କଲେ ଓଡ଼ିଆ ଲିପିବିକାଶର କ୍ରମବିବର୍ତ୍ତନ ଧାରା ଉପଲବ୍ଧ ହୋଇଥାଏ । କଳିଙ୍ଗ ଓ ଦକ୍ଷିଣ କୋଶଳରେ ପେଟିକାଶୀର୍ଷକ’ ଲିପି ପ୍ରାୟ ତିନିଶହ ବର୍ଷ ପ୍ରଚଳିତ ହୋଇ ଲୋପ ପାଇଗଲା । ଏହି ବିବର୍ତ୍ତନ ଧାରାରେ ପ୍ରତ୍ୟେକଟି ବର୍ଣ୍ଣର ଶିରଦେଶକୁ ପେଡ଼ି ପରି ଚାରିକୋଣିଆ କରାଯାଇଥାଏ । ତେଣୁ ଏହି ଲିପିର ନାମ ‘ପେଟିକା ଶିରଲିପି ବା ପେଟିକା ଶୀର୍ଷକ’ । ବାଳାତକ ବଂଶୀୟ ରାଜା ପ୍ରବରସେନ ୨ୟଙ୍କର ପ୍ରଦତ୍ତ ତାମ୍ରଫଳକରେ ଏହିଲିପି ଖୋଦିତ । ନନ୍ଦବଂଶୀୟ ମହାରାଜା ଭବଦତ୍ତ ବର୍ମା ତାମ୍ରଶାସନରେ ସେହି ଲିପି ବ୍ୟବହାର କରିଛନ୍ତି । (୨୪) ଶରଭପୁରୀୟ ରାଜା ମହାସୁଦେବ ଓ ଦକ୍ଷିଣ କୋଶଳର ରାଜା ତୀବରଦେବ ତାମ୍ରଶାସନ ଓ ସ୍ଵର୍ଣ୍ଣମୁଦ୍ରାରେ ପେଟିକାଶୀର୍ଷକ ଲିପି ବ୍ୟବହାର କରିଥିବାରୁ ତାହା ମଧ୍ୟ ଭାରତରେ ଆଦୃତ ଓ ପ୍ରଚଳିତ ହୋଇଥିଲା । କଳିଙ୍ଗର ଗଙ୍ଗବଂଶୀୟ ଇନ୍ଦ୍ରବର୍ମା, ସାମନ୍ତ ବର୍ମା ସ ହସ୍ତୀବର୍ମା ସେମାନଙ୍କ ପ୍ରଦତ୍ତ ତାମ୍ରଶାସନରେ ଏହି ଲିପିର ପ୍ରଚଳନ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ସମୟରେ ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ଲିପି ପରସ୍ପରଠାରୁ ଅଲଗା ହୋଇ ସ୍ଵତନ୍ତ୍ର ଆକାର ଧାରଣ କରୁଥିଲେ । ଅନ୍ୟ ଭାଷାରେ ଉଲ୍ଲେଖ କଲେ, ଭାରତର ସକଳ ପ୍ରାନ୍ତରର ଲିପି ବ୍ରାହ୍ମୀଲିପି ଧାରାରୁ ବିଚ୍ଛିନ୍ନ ହୋଇ ଆପଣା ଆପଣାର ସ୍ୱାତନ୍ତ୍ର୍ୟ ପ୍ରକାଶ କରୁଥିଲେ । ଏହି ଯୁଗରେ ବିଭିନ୍ନ ଭାଷାଭାଷୀ ସେମାନଙ୍କ ରୁଚି ଅନୁଯାୟୀ ଯେଉଁ ଯେଉଁ ଶୈଳୀରେ ଅକ୍ଷର ଲେଖୁଥିଲେ ଲିପିକାରମାନେ ସେହି ଶୈଳୀରେ ଲିପିଖୋଦନ ପୂର୍ବକ ଏହାକୁ ରାଜକୀୟ ମାନ୍ୟତା ପ୍ରଦାନ କରୁଥିଲେ । ସମଗ୍ର ଓଡ଼ିଶାରେ ସେତେବେଳେ ଏଇଆ ହଁ ଘଟିଥିଲା । ଓଡ଼ିଶା ଚାରିଗୋଟି ପ୍ରାନ୍ତୀୟ ଖଣ୍ଡରେ ବିଭକ୍ତ ଥିଲେ ହେଁ ଭାବ ଓ ଭାଷା ଅଭିନ୍ନ ଥିଲା । ତେଣୁ ଲିପି ପରିବର୍ତ୍ତନ ପ୍ରକ୍ରିୟା ଓଡ଼ିଶା ଭୂଖଣ୍ଡରେ ଲୋକପ୍ରିୟତା ଲାଭ କରି ଦ୍ରୁତ ପ୍ରସାର ଘଟିଥିଲା । ସେହି ସମୟରେ ରଚିତ ଜୈନଗ୍ରନ୍ଥ ସମବାୟ ସୂତ୍ରରେ ୧୭ ଗୋଟି ଲିପି ଓ ବୌଦ୍ଧଶାସ୍ତ୍ର ଲଳିତବିସ୍ତରରେ ୬୪ ପ୍ରକାର ଲିପି ସମଗ୍ର ଭାରତରେ ପ୍ରଚଳିତ ଥିଲାବୋଲି ଉଲ୍ଲେଖ ରହିଛି । ତତ୍‌କାଳୀନ ପରିବର୍ତ୍ତିତ ଧାରାରେ ଓଡ଼ିଆଲିପିର ମୂଳ ବ୍ରହ୍ମୀଲିପି ସହିତ ସଂଯୋଗ ରହିଲା ନାହିଁ । ମହତ୍ୱପୂର୍ଣ୍ଣହେଉଛି, ଓଡ଼ିଶା, ବଙ୍ଗଳା ଓ ଆସାମ ସମେତ ସମଗ୍ର ପୂର୍ବ ଭାରତର ଗୋଟିଏ ପ୍ରକାର ସୃକ୍ଷ୍ମକୋଣୀ ବର୍ଣ୍ଣମାଳା ପ୍ରଚଳିତ ହେଲା, ଯହିଁରୁ ପରବର୍ତ୍ତୀ କାଳରେ ଓଡ଼ିଆ, ବଙ୍ଗ, ଆସମୀୟା ଓ ମୈଥିଳୀ ଲିପି ବିବର୍ତ୍ତିତ ହୋଇଛି । ( ୨୫) ପ୍ରମାଣିତ ହୁଏ, କଳିଙ୍ଗ ତଥା ଉତ୍କଳର ଅବସ୍ଥିତି ଭାଷା ଓ ଲିପି ଦୃଷ୍ଟିରୁ ଭାରତରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କଳିଙ୍ଗର ଗଙ୍ଗବଂଶୀୟ ରାଜାମାନେ ଯେଉଁ ଲିପି ବ୍ୟବହାର କରୁଥିଲେ ତାହା ଉତ୍ତର ଓ ଦକ୍ଷିଣ ଭାରତୀୟ ଲିପି ମଧ୍ୟରେ ସଂଯୋଗ ସ୍ଥାପନ ପ୍ରଚେଷ୍ଟା କହିଲେ ଅତ୍ୟୁକ୍ତି ହେବନାହଁ । ଭାରତୀୟ ବର୍ଣ୍ଣମାଳାର ପ୍ରାଚୀନ ଆକୃତି ଓଡ଼ିଶା ଭୂଖଣ୍ଡରେ ପରିବର୍ତ୍ତିତ ସ୍ଵରୂପ ଗ୍ରହଣ ପୂର୍ବକ ମଧ୍ୟଯୁଗ ଓଡ଼ିଆ ଲିପି ନାମରେ ପରିଚିହ୍ନିତ ହେଲା ।

 

ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆଧୁନିକ ଓଡ଼ିଆ ବର୍ଣ୍ଣମାଳାର ଏ, କ, ଖ, ଗ, ଥ, ଧ ମ, ଯ, ଜ, ଶ, ଷ, ହ ପ୍ରଭୃତି ଅକ୍ଷରମାନଙ୍କର ପ୍ରାୟ ସଠିକ ଆକୃତି ଗଠନ ହୋଇ ସାରିଥିଲା । ଏତଦ୍‌ଭିନ୍ନ ଆ, ଈ, ଏ, ଐ, ଓ, ଔ ପ୍ରଭୃତି ସ୍ୱରବର୍ଣ୍ଣ ଆଧୁନିକ ଲିଖନଭଙ୍ଗୀର ରୂପନେଇ ଗଠିତ ହେଲା । (୨୬) ନବମ ଶତାବ୍ଦୀ ପୂର୍ବରୁ ଓଡ଼ିଆ ଲିପିକାର ବୃନ୍ଦ କେତେକ ଅକ୍ଷର ତଳେ ପୁଚ୍ଛ ଦେଇ ଅକ୍ଷରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚେଷ୍ଟା କରିଥିଲେ । ଏହି ରୀତି ବା ପୁଚ୍ଛର ଉତ୍ପତ୍ତି ଭୌମଯୁଗରୁ ଆରମ୍ଭ ହୋଇଥିଲା । ସୋମବଂଶୀୟ ରାଜାମାନେ ମଧ୍ୟ ଏହା ଅନୁକରଣ କରିଥିଲେ । ଏହାର ପରିଣାମ ସ୍ୱରୂପ ଓଡ଼ିଆ ବର୍ଣ୍ଣମାଳା ୧୧ଶ ଶତାବ୍ଦୀ ବେଳକୁ ଗୋଟିଏ ସ୍ଵତନ୍ତ୍ର ଆକାର ଧାରଣ କରିଥିଲା । ତତ୍‌କାଳୀନ ଅକ୍ଷରଗୁଡ଼ିକର ଆକୃତି ଆଧୁନିକ ଓଡ଼ିଆ ଅକ୍ଷରର ନିକଟତର ତଥା ଅଧିକାଂଶ କ୍ଷେତ୍ରରେ ପ୍ରାୟ ସମାନ । ଗଙ୍ଗ ସମ୍ରାଟ ଅନନ୍ତ ବର୍ମଣ ବା ଚୋଡ଼ଗଙ୍ଗ ଦେବଙ୍କଠାରୁ ଏହି ସ୍ଵତନ୍ତ୍ର ଲିପି ପ୍ରଚଳିତ ହେଲା ତଥା ଓଡ଼ିଶାର ସମସ୍ତ ସାମନ୍ତ ରାଜନ୍ୟବୃନ୍ଦ ଏହି ଲିପିକୁ ଅନୁକରଣ କଲେ । ସେହି ସମୟରେ ସମଗ୍ର ଓଡ଼ିଶାରେ ଓଡ଼ିଆ ଭାଷା ଓ ଲିପିର ଆଦୃତି ବୃଦ୍ଧି ପାଇଥିଲା । ସେହି ସମୟରେ ଖୋଦିତ ଶିଳାଲେଖା ଓ ଉତ୍କୀର୍ଣ୍ଣ ତାମ୍ରପତ୍ରମାନଙ୍କରେ ସଂସ୍କୃତ ଓ ପ୍ରାକୃତ ଶବ୍ଦ ସହିତ ଅନେକ ଲୋକ ପ୍ରଚଳିତ ଓଡ଼ିଆ ଶବ୍ଦ ରହିଛି, ଯହିଁରୁ ଉପଲବ୍‌ଧ ହୁଏ ଓଡ଼ିଆ ଭାଷା ଓ ଲିପି ଏହି ସମୟରେ ବିକଶିତ ସ୍ତରରେ ରହିଥିଲା । ଭାଷାବିତ୍‌ମାନଙ୍କ ମତରେ ଏହି ସମୟର ଓଡ଼ିଆ ଲିପି ହେଉଛି ପ୍ରତ୍ନ ଓଡ଼ିଆ ଲିପି । ଏକାଦଶ ଶତାବ୍ଦୀଠାରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ଏହି ଲିପି ବିଶିଷ୍ଟ ଲକ୍ଷଣ ଧାରଣ କରିଥିଲା । ଉରଜାମ୍‌ ଶିଳାଲେଖ କପିଳାସ ଦଧିନଉତି ଶିଳାଲେଖ, ଶଙ୍କରାନନ୍ଦ ମଠ ତାମ୍ରଶାସନ, କେନ୍ଦୁଲି ତାମ୍ର ଶାସନ, ସିଦ୍ଧେଶ୍ଵର ମନ୍ଦିର ସ୍ତମ୍ଭାଭିଲେଖ ପ୍ରଭୃତିରେ ଏହି ଲିପି ପରିଦୃଷ୍ଟ । ଏହି ଲିପି ସମୁହର ଉପରିଭାଗକୁ ଗୋଲ କରାନଯାଇ ରେଖା ଉତ୍କୀର୍ଣ୍ଣ କରାଯାଇଛି । ଲିପିଗୁଡ଼ିକ ସ୍ଥଳରେ ତ୍ରିକୋଣାକାର ଓ ସୂକ୍ଷ୍ମକୋଣୀ । ତାଳପତ୍ର ପୋଥିରେ ଲୌହଲେଖନୀ ଦ୍ଵାରା ଅଙ୍କିତ ବର୍ତ୍ତୁଳାକାର ଓଡ଼ିଆ ଅକ୍ଷରରେ ଏହା ହେଉଛି ପ୍ରାଚୀନ ସ୍ଵରୂପ । ଏକ ପ୍ରାଚୀନ ଓଡ଼ିଆ ଅକ୍ଷରକୁ ଲିପିତତ୍ତ୍ୱବିଦ୍‌ମାନେ ପ୍ରତ୍ନ ଓଡ଼ିଆ ଲିପି କହିଛନ୍ତି । (୨୭)

 

ସୋର ସନ୍ନିକଟ ଗଣ୍ଡିବେଢ଼ ଗ୍ରାମରୁ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁ ଗୋଟିଏ ବୁଦ୍ଧ ପ୍ରତିମା ପାଇଥିଲେ । ସେହି ପ୍ରତିମାର ପାଦ ଦେଶରେ ଦୁଇଧାଡ଼ି ଓଡ଼ିଆ ଅକ୍ଷର ଉଲ୍ଲିଖିତ, ଯାହାକି ଦଶମ- ଏକାଦଶ ଶତାବ୍ଦୀର ଓଡ଼ିଆ ଲିପି । ଏହାକୁ ଗବେଷକମାନେ ଓଡ଼ିଆ ଭାଷାର ଆଦିମ ଅବସ୍ଥା ବୋଲି ବିଚାର କରିଛନ୍ତି । (୨୮) ଗଙ୍ଗବଂଶୀୟ ରାଜା ବଜ୍ରହସ୍ତଙ୍କର ଗୋଟିଏ ତାମ୍ରଶାସନରେ ମଧ୍ୟ ଏତାଦୃଶ ଲିପି ବିଦ୍ୟମାନ, ଯାହାକି ଏକାଦଶ ଶତାବ୍ଦୀର । (୨୯) ଉଲ୍ଲେଖଯୋଗ୍ୟ ସେତେବେଳକୁ ଓଡ଼ିଆ ସିଦ୍ଧାଚାର୍ଯ୍ୟବୃନ୍ଦ ଏହି ଲିପିରେ ତାଳପତ୍ରରେ ଚର୍ଯ୍ୟାଗୀତି ଲେଖି ସାରିଲେଣି । ସେହି ସବୁ ଚର୍ଯ୍ୟାଗୀତି ନେପାଳରୁ ଆବିଷ୍କାର ହେଲାପରେ ଓଡ଼ିଆ, ବଙ୍ଗଳା, ଆସାମ, ମଗଧ ଓ ମୈଥିଳୀ ଭାଷାତତ୍ତ୍ୱବିଦ୍‌ବୃନ୍ଦ ଏହାକୁ ପ୍ରତ୍ୟେକଙ୍କ ଲିପି ଓ ଭାଷା ବୋଲି ଦାବି କରୁଛନ୍ତି । ଆମ ଗବେଷକ ଡକ୍ଟର କରୁଣାକର କର ତହିଁ ଉପରେ ଏକ ବିସ୍ତୃତ ସନ୍ଦର୍ଭ ରଚନା କରିଛନ୍ତି, ଯାହା ‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’ ନାମରେ ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃକ ପ୍ରକାଶିତ । ମନେହୁଏ, ଭାରତର ପୁର୍ବାଞ୍ଚଳରେ ସେହି ସମୟରେ ଏକ ପ୍ରକାର ଭାଷା ଓ ଲିପି ପ୍ରଚଳିତ ଥିଲା । ଏହି ଲିପି ଓ ଭାଷାର ଉଦ୍ଭାବକ ଥିଲେ ଓଡ଼ିଆ । ଓଡ଼ିଶାରେ ମଧ୍ୟ ରାଜକୀୟ ଲେଖକମାନଙ୍କରେ ଦଶମ - ଏକାଦଶ ଶତାବ୍ଦୀରୁ ପ୍ରାଚୀନ ଓଡ଼ିଆ ଲିପି ଧୀରେ ଧୀରେ ଆଧୁନିକ ଓଡ଼ିଆ ଲିପିରେ ପରିଣତ ହେବାକୁ ଲାଗିଲା । ଏଥିରେ ଅକ୍ଷର ସମୂହର ଉପରିଭାଗରେ ଥିବା ବକ୍ରରେଖା ଗୁଡ଼ିକ ଗୋଲାକାର ରୂପ ଧାରଣ କଲା । (୩୦) ପୂର୍ବରୁ ଗବେଷକ ବୃନ୍ଦ ଏହାକୁ ମାଗଧୀ ଲିପି, ପ୍ରତ୍ନବଙ୍ଗୀୟ ଲିପି, ଗୌଡ଼ି ଲିପି ପ୍ରଭୃତି ନାମକରଣ କରିଥିଲେ ହେଁ, ଯଥାର୍ଥରେ ଏହା ହେଉଛି ପ୍ରତ୍ନଓଡ଼ିଆ ଲିପି, ଯାହାକି ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ପ୍ରଚଳିତ ଥିଲା । ପ୍ରତ୍ନ ଓଡ଼ିଆଲିପିର ଏ, ଐ, ଓ, ଔ ପ୍ରଭୃତି ଚାରିଗୋଟି ସ୍ଵରବର୍ଣ୍ଣ ତଥା ଖ, ଗ, ଘ, ଟ, ୦, ଣ, ଶ, ଷ, ହ ଓ କ୍ଷ ପ୍ରଭୃତି ଦଶଗୋଟି ବ୍ୟଞ୍ଜନବର୍ଣ୍ଣ ଏ ରୂପେ ମୋଟ ଚଉଦଗୋଟି ବର୍ଣ୍ଣ ସଙ୍ଗେ ଆଧୁନିକ ଓଡ଼ିଆ ଅକ୍ଷରରେ ଆକୃତିଗତ ସାମ୍ୟ ଦେଖିବାକୁ ମିଳେ । ସୂଚନାଯୋଗ୍ୟ ଯେ, ଆଧୁନିକ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଦୁଇଟି ଅକ୍ଷର ଅର୍ଥାତ ଅ ଓ ଆ ପୂର୍ବ ବା ଉତ୍ତର ଭାରତୀୟ କୌଣସି ଲିପିରେ ନଥିଲା । ତାମିଲ ଭାଷୀ ଅଞ୍ଚଳରେ ଅଷ୍ଟମ ଶତାବ୍ଦୀରେ ପ୍ରଚଳିତ ବଟେଲୁତୁ (ବର୍ତ୍ତୁଳତ୍ଵ) ନାମକ ବର୍ଣ୍ଣମାଳାରୁ ତାହା ସଂଗୃହୀତ ହୋଇଛି । (୩୧) ଓଡ଼ିଆମାନେ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ଉଭୟ ଅଞ୍ଚଳ ସହିତ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଂପର୍କ ରକ୍ଷା କରିଥିବା ହେତୁ ଓଡ଼ିଆ ଲିପିରେ ଉତ୍ତର ଓ ଦକ୍ଷିଣ ଭାରତୀୟ ଲିପିମାନଙ୍କର ପ୍ରଭାବ ପରିଲକ୍ଷିତ ହୋଇଥାଏ । ବିଶେଷତଃ ଗଙ୍ଗରାଜତ୍ୱରେ ଓଡ଼ିଆଲିପି ବର୍ତ୍ତୁଳାକାର ହୋଇଥିଲା । ଏଥିନିମିତ୍ତ ଲିପିଖୋଦକମାନେ ଦାୟୀ ବୋଲି ଅନେକ ବିଶ୍ଵାସ କରୁଥିଲେ ହେଁ ଅନେକ ତାଳପତ୍ରରେ ଲୌହଲେଖନୀରେ ଲିଖନକାର୍ଯ୍ୟ ଚାଲୁଥିବାରୁ ତାଳପତ୍ର ଚିରିଯିବା ନିମିତ୍ତ ଲେଖକଗଣ ଅକ୍ଷରଗୁଡ଼ିକୁ ବର୍ତ୍ତୁଳାକାର କରୁଥିଲେ ବୋଲି ମତ ପ୍ରଦାନ କରିଛନ୍ତି ।

 

ଦଶମ-ଏକାଦଶ ଶତାବ୍ଦୀରୁ ରାଜକୀୟ ଶାସନ କାର୍ଯ୍ୟରେ ଓଡ଼ିଆ ଭାଷାର ସ୍ଵଳ୍ପ ବ୍ୟବହାର ହୋଇଥିଲେ ହେଁ ଚତୁର୍ଦ୍ଦଶ ଶତାବ୍ଦୀରୁ ଏହା ପୂର୍ଣ୍ଣରୂପରେ ବ୍ୟବହୃତ ହେଲା । ଚତୁର୍ଥ ନରସିଂହ ଦେବଙ୍କ କେନ୍ଦୁଲି ତାମ୍ରଶାସନ (୩୨) ଓ ଶଙ୍କରାନନ୍ଦ ମଠର ତାମ୍ରଶାସନ (୩୩) ଦୁଇଟିରେ ଦାନ ସଂକ୍ରାନ୍ତ ବିଷୟ ଓଡ଼ିଆ ଭାଷାରେ ଲିପିବଦ୍ଧ । ଏଥିରୁ ଜଣାଯାଏ, ଚତୁର୍ଦ୍ଦଶ ଶତାବ୍ଦୀରେ ରାଜକୀୟ କାର୍ଯ୍ୟ ସଂସ୍କୃତ ପରିବର୍ତ୍ତେ ଓଡ଼ିଶାର ସର୍ବସାଧାରଣ ବୁଝିପାରୁଥିବା ଓଡ଼ିଆ ଭାଷାରେ ଲେଖାଗଲା । ସେହି ସମୟରେ ଲିଖିତ ଓଡ଼ିଆଲିପିକୁ ଲିପିତତ୍ତ୍ୱବିଦ୍‌ ବୃନ୍ଦ ‘ପ୍ରାଚୀନ ଓଡ଼ିଆଲିପି’ ବୋଲି କହିଛନ୍ତି । ପ୍ରାଚୀନ ଓଡ଼ିଆ ଲିପିର ନିଦର୍ଶନ ସ୍ୱରୂପ ଚିକାକୋଳର ପୋତେଶ୍ଵର ମନ୍ଦିରରେ ଥିବା ଭାନୁଦେବଙ୍କ ଶିଳାଲେଖ, ଯାଜପୁରର ସିଦ୍ଧେଶ୍ଵର ମନ୍ଦିରରେ ଖୋଦିତ ହୋଇଥିବା ଚତୁର୍ଥ ନରସିଂହଦେବଙ୍କ ସ୍ତମ୍ଭାଭିଲେଖ, ପଦ୍ମପୁର ନିକଟସ୍ଥ ନରସିଂହ ମନ୍ଦିରରେ ଥିବା ବୈଜଲଦେବଙ୍କ ଶିଳାଲେଖ, ପୁରୀ ମନ୍ଦିରର ‘ଜୟବିଜୟ’ ଦ୍ୱାରର ଉଭୟ ପାର୍ଶ୍ୱରେ ଥିବା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କ ଶିଳାଲେଖଗୁଡ଼ିକୁ ଗ୍ରହଣ କରାଯାଇଥାଏ । ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀର ପରିବର୍ତ୍ତିତ ବିକାଶଧାରାରେ ପ୍ରତ୍ନ ଓଡ଼ିଆଲିପିରୁ ପ୍ରାଚୀନ ଓଡ଼ିଆଲିପି ଜନ୍ମ ନେଇଥିଲା । ଏହି ସମୟରେ କେତେଗୁଡ଼ିଏ ଯୁକ୍ତ ବ୍ୟଞ୍ଜନାକ୍ଷର ସୃଷ୍ଟି ହୋଇ ଓଡ଼ିଆ ବର୍ଣ୍ଣମାଳାର ସଂଖ୍ୟା ବୃଦ୍ଧି ପାଇଥିଲା । ଗବେଷକମାନଙ୍କର ମତ, ଓଡ଼ିଆ ଭାଷାର ଶବ୍ଦ ତତ୍ତ୍ୱ ଓ ଧ୍ଵନିତତ୍ତ୍ୱର ନିୟନ୍ତ୍ରିତ ପଦ୍ଧତିରେ ଶବ୍ଦକୁଞ୍ଚନ ହୋଇ ଏତାଦୃଶ ଶବ୍ଦାବଳୀ ସୃଷ୍ଟି ହେଲା । (୩୪) ଓଡ଼ିଆ ଭାଷାର ବିଶେଷତ୍ୱ ହେଲା-ଏହା ଯେପରି ଉଚ୍ଚାରଣ ହୁଏ ସେପରି ଲେଖାଯାଏ । ତେଣୁ ଓଡ଼ିଆ ଭାଷାକୁ ସ୍ଵରାନ୍ତ ଭାଷା କୁହାଯାଏ । ଭାଷାର ମୌଳିକ ଉତ୍ପାଦନ ଧ୍ଵନି । ଓଡ଼ିଆ ଭାଷାର ଉଚ୍ଚାରଣ ଅନୁଯାୟୀ ଧ୍ୱନିବିଜ୍ଞାନୀବୃନ୍ଦ ଛଅ ଗୋଟି ସ୍ଵରଧ୍ଵନି ଏବଂ ଏକତିରିଶ ଗୋଟି ବ୍ୟଞ୍ଜନ ଧ୍ଵନି ନିର୍ଣ୍ଣୟ କରିଛନ୍ତି । ପ୍ରତ୍ୟେକ ଭାଷାର ସ୍ଵତନ୍ତ୍ର ଧ୍ଵନି ଶୃଙ୍ଖଳା ରହିବା ସଦୃଶ ଓଡ଼ିଆରେ ମଧ୍ୟ ନିର୍ଦ୍ଦିଷ୍ଟ ଧ୍ଵନି ଶୃଙ୍ଖଳା ରହିଛି । ଓଡ଼ିଆ ସ୍ଵର ଓ ବ୍ୟଞ୍ଜନକୁ ପ୍ରଯତ୍ନ ସ୍ଥାନ ଓ ପ୍ରଯତ୍ନ ବିଧି ଅନୁସାରେ ଓଡ଼ିଆ ଧ୍ଵନି ପଦ୍ଧତିରେ ବର୍ଣ୍ଣନା କରାଯାଏ । ଏବଂ ଧ୍ୱନିଗ୍ରାମୀୟ ସର୍ବନିମ୍ନ ବିରୋଧୀ ଯୋଡ଼ା ଅନୁସାରେ ଧ୍ଵନି ସମଷ୍ଟିରୁ ଓଡ଼ିଆ ଶବ୍ଦ ଗଠିତ ହୁଏ । ଏହା ଏକ ସ୍ଵାଭାବିକ ପ୍ରକ୍ରିୟା, ଯାହାକି ବିଭିନ୍ନ ଭାଷାତତ୍ତ୍ୱବିଦ୍‌ଙ୍କ ଦ୍ଵାରା ଶାସ୍ତ୍ରୀୟ ଧାରାରେ ଅଭିବ୍ୟକ୍ତ । ଏହି ଧାରା ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଶବ୍ଦ ସର୍ଜନାର ମୂଳାଧାର ରୂପେ ପ୍ରତିଭାତ । ଏହି ଧାରା ଓ ଶୃଙ୍ଖଳା ହିଁ ଓଡ଼ିଆ ବର୍ଣ୍ଣମାଳାର ନିୟନ୍ତ୍ରକ । ଓଡ଼ିଆମାନେ ଅକ୍ଷରକୁ ଯେପରି ବ୍ରହ୍ମର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି ଶବ୍ଦକୁ ମଧ୍ୟ ସେହିପରି ବ୍ରହ୍ମଜ୍ଞାନ କରିଥାନ୍ତି । ଓଡ଼ିଆ ଭାଷାତତ୍ୱର ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ମତରେ ଶବ୍ଦବ୍ରହ୍ମ ସ୍ଵରୂପ ଓ ଶବ୍ଦତତ୍ତ୍ଵ ହେଉଛି ଆତ୍ମା ।

 

ସର୍ବ ଶବ୍ଦାର୍ଥ ନିଧୟେ ଶବ୍ଦାମ୍ନାୟସ୍ୟ ହେତବେ,

ଶବ୍ଦବ୍ରହ୍ମ ସ୍ୱରୂପାୟ ଶବ୍ଦତତ୍ତ୍ୱାତ୍ମନେ ନମଃ (୩୫)

 

ଓଡ଼ିଆ ଭାଷାର ଉନ୍ମେଷ କାଳ ଅର୍ଥାତ ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଆମାନଙ୍କ ଉଚ୍ଚାରଣକୁ କେନ୍ଦ୍ର କରି ଓଡ଼ିଆ ବର୍ଣ୍ଣତତ୍ତ୍ୱ ଶବ୍ଦତତ୍ତ୍ୱ ଓ ଧ୍ଵନିତତ୍ତ୍ଵ ପରିଚାଳିତ । ବ୍ୟାକରଣ ଦର୍ଶାନାନୁଯାୟୀ ପରା, ପଶ୍ୟନ୍ତି, ମଧ୍ୟମା ଓ ବୈଖରୀ ପ୍ରଭୃତି ଚାରି ପ୍ରକାର ବାକ୍‌ମଧ୍ୟରୁ ପଶ୍ୟନ୍ତି ହୁଁ ପରଂବ୍ରହ୍ମ ସ୍ଵରୂପିଣୀ । ଅକ୍ଷର, ଶବ୍ଦବ୍ରହ୍ନ ଓ ପରାବାକ ନାମରେ ଏହା ଖାତ । ବୈୟାକରଣମାନଙ୍କ ସିଦ୍ଧାନ୍ତରେ ଶବ୍ଦବ୍ରହ୍ମ ଓ ପରବ୍ରହ୍ମ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ପଶ୍ୟନ୍ତୀବାକ ବୈତନ୍ୟ ସ୍ଵରୂପା, ଅଖଣ୍ଡ, ଅଭିନ୍ନ ଓ ଅଦ୍ଵୟ ତତ୍ତ୍ୱ । ଏଥିରେ ଗ୍ରାହ୍ୟ ଓ ଗ୍ରାହକର ପରସ୍ପରଭେଦ ପ୍ରତୀତ ହୁଏ ନାହିଁ । ଏହି ପଶ୍ୟନ୍ତି ଶବ୍ଦତତ୍ୱ ଅର୍ଥର ପ୍ରତିପାଦନ ଦ୍ୱାରା ମନୋବଜ୍ଞାନର ରୂପଧାରଣା କରିଥାଏ । ଏହାର ନାମ ମଧ୍ୟମାବାକ୍‌ । ପଶ୍ୟନ୍ତି ବାକ୍‌ ହିଁ ମୁଖରେ ଉତ୍ପନ୍ନ ତଥା କଣ୍ଠ ଓ ତାଳୁ ଆଦି ସ୍ଥାନ ବିଷୟରେ ବିଭକ୍ତ ହୋଇ ବୈଖରୀନାଦ ନାମରେ ପ୍ରସିଦ୍ଧ ହୁଏ । ଜ୍ଞାନମାତ୍ର ହଁ ବାକ୍‌ ସ୍ୱରୂପ । ଏହି ବାକ୍‌ ହିଁ ପରମତତ୍ତ୍ୱ । ଭର୍ତ୍ତୃହରିଙ୍କ ଭାଷାରେ -

 

ଅନାଦି ନିଧନଂ ବ୍ରହ୍ମ ଶବ୍ଦତତ୍ୱଂ ଯଦକ୍ଷରମ୍‌,

ବିବର୍ତ୍ତତେଦ୍ଧର୍ଥ ଭାବେନ ପ୍ରକ୍ରିୟା ଜଗତୋ ଯତଃ । ( ୩୬)

 

ମହନୀୟତା ହେଉଛି ଏହି ପ୍ରକ୍ରିୟାରେ ହିଁ ଉନ୍ମେଷ କାଳରୁ ଓଡ଼ିଆ ଭାଷା ଉଚ୍ଚାରଣାନୁସାରେ ବର୍ଣ୍ଣ ଓ ଶବ୍ଦ ସୃଷ୍ଟି କରିଛି, ଯାହାର ଆଭିଲେଖିକ ପ୍ରମାଣ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରୁ ଉପଲବ୍ଧ । ସେହି ଧାରାରେ ଶତାବ୍ଦୀ ଧରି ଓଡ଼ିଆ ଭାଷାର ବିବର୍ତ୍ତନ ଘଟିଛି ତଥା ଭାଷାର ଏହି ପରିବର୍ତ୍ତିତ ପ୍ରକ୍ରିୟାକୁ ଆଧାର କରି ଓଡ଼ିଆ ଲିପି ମଧ୍ୟ ଆପଣାର ସ୍ଵରୂପ ପରିବର୍ତ୍ତନ କରିଛି । ସେହି ଧାରାକୁ ଓଡ଼ିଆ ଲିପିର ବିବର୍ତ୍ତନ ଧାରା କୁହାଯାଉଥିଲେ ହେଁ, ଭାଷାତତ୍ତ୍ୱ ବିଧିରେ ତାହାର ସ୍ଵତନ୍ତ୍ର ଗବେଷଣା ହୋଇନାହିଁ । (୩୭) ଗବେଷଣା ହୋଇନଥିଲେ ହେଁ ଓଡ଼ିଆଲିପିର କ୍ରମବିକାଶଧାରାରୁ ଜଣାଯାଏ ଉଚ୍ଚାରଣ ଭିତ୍ତିରେ ଏଗୁଡ଼ିକ ପଞ୍ଚଦଶ ଷୋଡ଼ଶ ଶତାବ୍ଦୀ ବେଳକୁ କ୍ରମ ପରିବର୍ତ୍ତିତ ରୂପଧାରଣ କରି ଆଧୁନିକ ଓଡ଼ିଆ ଲିପି ଭାବେ ସ୍ଵୀକୃତି ହୋଇଛି । ବିଭିନ୍ନ ତାଳପତ୍ର, ପୋଥି, ତାମ୍ରପତ୍ର ଓ ଶିଳାଲେଖମାନଙ୍କରେ ଏହି ଲିପିର ଦୃଷ୍ଟାନ୍ତ ମିଳିଥାଏ । ଆଧୁନିକ ଓଡ଼ିଆ ଲିପିର ସାଧାରଣତଃ ଦୁଇଟି ଲିଖିତ ରୂପ ଦେଖବାକୁ ମିଳେ । ଗୋଟିଏ ପ୍ରକାର ରୂପ ହେଉଛି ପାଠଶାଳୀୟ ରୂପ ଓ ଅନ୍ୟଟି କରଣୀ ରୂପ । ଓଡ଼ିଆ ଲିପି ମୌର୍ଯ୍ୟ ବ୍ରହ୍ମୀଲିପି, କୁଶାଣୀ ବ୍ରାହ୍ମୀଲିପି, ଗୁପ୍ତଲିପି, କୁଟୀଳଲିପି, ପେଟିକାଶୀର୍ଷକ ଲିପି, କଳିଙ୍ଗ ଲିପି, ପ୍ରତ୍ନ ଓଡ଼ିଆ ଲିପି, ପ୍ରାଚୀନ ଓଡ଼ିଆ ଲିପି ପ୍ରଭୃତି ସ୍ତର ଦେଇ ଆଧୁନିକ ଓଡ଼ିଆ ଲିପିର ଉଦ୍ଭବ ଘଟିଛି । ଏହିପରି ନାନା ପରିବର୍ତ୍ତନର ସୋପାନ ଅତିକ୍ରମ କରି ଓଡ଼ିଆ ଲିପି ଏକ ସ୍ଵୟଂ ସଂପୂର୍ଣ୍ଣ ଅବସ୍ଥାରେ ଉପନୀତ ହୋଇପାରିଛି ।

 

ଓଡ଼ିଆ ଲିପିର କ୍ରମବିକାଶ ଧାରାର ଅଧ୍ୟୟନ ଓ ଅନୁଧ୍ୟାନରୁ ହୃଦବୋଧ ହୁଏ ଧ୍ଵନିନିସୃତ ଧାରାରେ ଓଡ଼ିଆ ବର୍ଣ୍ଣମାଳା ନିଷ୍ପନ୍ନ ହୋଇଛି । ପ୍ରାତଃ ସ୍ମରଣୀୟ ଭାଷାତତ୍ତ୍ୱବିତ୍‌ ପାଣିନୀ ଯେଉଁ ଆଠଗୋଟି ସ୍ଥାନରୁ ଉଚ୍ଚାରଣର ଉତ୍ପତ୍ତି ନିର୍ଣ୍ଣୟ କରିଥିଲେ ଠିକ ସେହି ସେହି ସ୍ଥାନରୁ ଓଡ଼ିଆ ବର୍ଣ୍ଣମାଳାର ଭିନ୍ନ ଭିନ୍ନ ବର୍ଣ୍ଣ ଉତ୍ପନ୍ନ ହୋଇଛି । ସେହି ଆଠଗୋଟି ସ୍ଥାନ ହେଉଛି ଉର, କଣ୍ଠ, ଶିର, ଜିହ୍ୱମୂଳ, ଦନ୍ତ, ନାସିକା, ଓଷ୍ଠ ଓ ତାଳୁ । ପାଣିନୀୟ ଶିକ୍ଷା ଅନୁସାରେ -

 

ଅଷ୍ଟୋସ୍ଥାନାଦି ବର୍ଣ୍ଣାନାମ୍‌ ଉରଃ କଣ୍ଠଃ ଶିରସ୍ତଥା ।

ଜିହ୍ୱାମୂଳଂ ଚ ଦନ୍ତାଶ୍ଚ ନାସିକୌଷ୍ଠୌ ଚ ତାଳୁ ଚ । (୩୮)

 

ଉଦାହରଣ ସ୍ୱରୂପ ଅ, ଆ, ହ, କଣ୍ଠ୍ୟ, କ, ଖ, ଗ, ଘ, ଙ ଜିହ୍ୱମୂଳୀୟ, ଇ, ଉ, ଚ, ଛ, ଜ, ଝ, ଞ, ଯ, ଶ, ତାଲବ୍ୟ, ଋ, ର, ଟ, ୦, ଡ, ଢ, ଣ, ର, ଓ ଷ ମୂର୍ଦ୍ଧନ୍ୟ, ତ, ଥ, ଦ, ଧ, ନ, ଲ, ଦନ୍ତ୍ୟ, ଉ, ଊ, ପ, ଫ, ବ, ଭ, ଓ ମ ଓଷ୍ଠ୍ୟ, ଏ, ଐ କଣ୍ଠତାଲବ୍ୟ, ଓ ଓ ଔ କଣ୍ଠୌଷ୍ଠ୍ୟ ଅନୁସାର, ଚନ୍ଦବିନ୍ଦୁ, ଙ, ଞ, ଣ, ନ ଓ ମ ଆନୁସାଙ୍ଗିକ ଏବଂ ହକାରଯୁକ୍ତ ଙ, ଞ, ତ, ନ, ମ, ଯ, ର, ଳ, ଓ୍ୱ ହେଉଛି ଔରସ୍ୟବର୍ଣ୍ଣ, ଭାଷା ଶାସ୍ତ୍ରାନୁସାରେ ଓଡ଼ିଆମାନେ ଉତ୍ପତ୍ତି ସ୍ଥାନାନୁଯାୟୀ ବର୍ଣ୍ଣ ଉଚ୍ଚାରଣ କରୁଥିବାର ଓଡ଼ିଆ ଭାଷା ପ୍ରାଞ୍ଜଳଭାଷା ସ୍ଵରୂପରେ ଭାଷା ବିଜ୍ଞାନୀଙ୍କ ଦ୍ଵାରା ପ୍ରଶଂସିତ । ଶାସ୍ତ୍ରାନୁଯାୟୀ ଉଚ୍ଚାରଣ ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ଓ ସୌଷ୍ଠବ ହୋଇଥିବାରୁ ଓଡ଼ିଆ ବର୍ଣ୍ଣମାଳା ଶାସ୍ତ୍ର ସମ୍ମତମାନକ ଓଡ଼ିଆ ଭାଷାର ସୃଷ୍ଠିକର୍ତ୍ତା ହେଉଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ । ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତରୁ ଓଡ଼ିଆ ଭାଷାର ପରିପୂର୍ଣ୍ଣତା ଓ ସୌରଭ ଉପଳବ୍ଧ ହେଲେ ହେଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହିଁ ଓଡ଼ିଶାର ମାନକ ଭାଷାର ଜ୍ଵଳନ୍ତ ଉଦାହରଣ । ତାଙ୍କ ଦିବ୍ୟସାଧନାର ସତଫଳ ସ୍ୱରୂପ ‘ପ୍ରାକୃତ ବନ୍ଧେ ଭାଗବତ’ ଓଡ଼ିଆ ଜାତିର ନିତ୍ୟ ପଠନୀୟ ଓ ପୂଜନୀୟ ପରମଗ୍ରନ୍ଥିର ମାନ୍ୟତା ଲାଭ କରିଥିଲା ତଥା ଭାଷା ଶିକ୍ଷା ନିମିତ ଓଡ଼ିଶାର କୋଣେ ଅନୁକୋଣେ ଚାଟଶାଳୀମାନ ସ୍ଥାପନ ହୋଇଥିଲା । ଭାଷାବିଜ୍ଞାନୀ ବୃନ୍ଦ ଭାଷାର ଶାସ୍ତ୍ରୀୟତା ଅପେକ୍ଷା ଲୋକ ସ୍ଵୀକୃତିକୁ ଗୁରୁତ୍ଵ ପ୍ରଦାନ କରିଥାନ୍ତି । ଠିକ୍‌ ସେଇଆ ଘଟିଥିଲା ଓଡ଼ିଆ ଭାଷା କ୍ଷେତ୍ରରେ । ଭାଗବତ ରଚନା ଦ୍ୱାରା ଜଗନ୍ନାଥ ଦାସ ଓଡ଼ିଆ ଭାଷାକୁ ଅମୃତତ୍ତ୍ୱ ପ୍ରଦାନ କଲେ ଏବଂ ପଲ୍ଲୀ, ଗ୍ରାମ, ନଗର ଧର୍ମାନୁଷ୍ଠାନ ଓ ରାଜଦ୍ୱାର ସର୍ବତ୍ର ଓଡ଼ିଆ ଭାଷା ଆଦୃତି ଲାଭ କରି ଲୋକଭାଷାରୁ । ଶାସ୍ତ୍ରୀୟ ଭାଷାରେ ରୂପାନ୍ତରିତ ହୋଇଥିଲା । ମହନୀୟତା ହେଉଛି ଜଗନ୍ନାଥ ଦାସମାନଙ୍କ ଓଡ଼ିଆ ଭାଷା ସୃଷ୍ଟି କରିବା ସହିତ ଓଡ଼ିଆ ବର୍ଣ୍ଣମାଳାର ସଂଖ୍ୟା ମଧ୍ୟ ନିର୍ଣ୍ଣୟ କରିଥିଲେ । ବର୍ଣ୍ଣର ସଂଖ୍ୟା ସଂପର୍କରେ କୁହାଯାଏ, ଯେଉଁ ଗୋଷ୍ଠୀ ବା ଜାତି ଯେତୋଟି ବର୍ଣ୍ଣ ଉଚ୍ଚାରଣ କରନ୍ତି ସେମାନଙ୍କର ଭାଷାର ବର୍ଣ୍ଣ ସେହି ଅନୁସାରେ ସ୍ଥିରୀକୃତ ହୁଏ । ଏହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ଦାସ ଓଡ଼ିଆ ବର୍ଣ୍ଣମାଳାର ୪୯ ଗୋଟି ବର୍ଣ୍ଣ ନିର୍ଣ୍ଣୟ କରିଛନ୍ତି ଯାହାକି ଶାସ୍ତ୍ର ଅନୁମୋଦିତ । ଶାସ୍ତ୍ର ବର୍ଣ୍ଣାନୁସାରେ, ବାୟୁର ଗୁଣ ହିଁ ଶବ୍ଦ । ଦେବରାଜ ଇନ୍ଦ୍ର ବାୟୁକୁ ଅଣଚାଶ ଖଣ୍ଡ କରିଥିବାର ପୌରାଣିକ ଆଖ୍ୟାନର ମର୍ମ ହେଉଛି, ଭାଷା ଉଚ୍ଚାରଣରେ ଏକ ଶ୍ୱାସ ବାୟୁ ୪୯ ଭାଗ ହୋଇ ୧୩ ଗୋଟି ସ୍ଵରବର୍ଣ୍ଣ ଓ ୩୬ ଗୋଟି ବ୍ୟଞ୍ଜନ ବର୍ଣ୍ଣରେ ପ୍ରକାଶିତ ହଏ । (୩୯) ଶରୀର ବିଜ୍ଞାନ ଦୃଷ୍ଟିରୁ ଓଡ଼ିଆ ଭାଷାର ୪୯ ଗୋଟି ବର୍ଣ୍ଣ ଶାସ୍ତ୍ର ସମ୍ମତ । ଅବଶ୍ୟ ବର୍ଣ୍ଣର ପ୍ରୟୋଗାତ୍ମକ ବା ବ୍ୟବହାରିକ ଦୃଷ୍ଟିକୋଣରୁ କେତେକ ବୈୟାକରଣିକ ଓ ଭାଷାବିଜ୍ଞାନୀ ଓଡ଼ିଆ ଭାଷାରେ ବର୍ଣ୍ଣ ସଂଖ୍ୟାର ବୃଦ୍ଧି ବା ହ୍ରାସ ଘଟାଇଛନ୍ତି । କିନ୍ତୁ ସାମଗ୍ରିକ ଦୃଷ୍ଟିକୋଣରୁ ତାହା ସାର୍ବଜନୀନ ସ୍ଵୀକୃତି ଲାଭ କରିପାରି ନାହଁ । ମାନକ ଓଡ଼ିଆ ଭାଷାର ସ୍ରଷ୍ଟା ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆଙ୍କର ପରମଶାସ୍ତ୍ର । ଭାଗବତର ଏକାକ୍ଷର ବ୍ରହ୍ମପ୍ରଣବକୁ ବର୍ଣ୍ଣ ରୂପରେ ବର୍ଣ୍ଣନା କରି ଓଡ଼ିଆ ଭାଷାର ବର୍ଣ୍ଣସଂଖ୍ୟା ସ୍ଥିର କରିଛନ୍ତି, ଯାହାକି ସର୍ବଜନ ଗ୍ରାହ୍ୟ ।

 

ଏକାକ୍ଷର ବ୍ରହ୍ମପ୍ରଣବ, ଶବଦ ରୂପୀ ବୀଜ ସର୍ବ ।

ତାହାଙ୍କ ତହୁଁ ଉତପନ୍ନ, ଚଉଦ ଅକାରାଦି ବର୍ଣ୍ଣ ।

ଚଉଦ ସ୍ଵର ଏ ବୋଲାନ୍ତି, ଏ ଭାବେ ଅକ୍ଷରର ଗତି ।

କ କାର ଆଦି ଚଉତିଶ, ବ୍ୟଞ୍ଜନ ଶବଦ ବିଶେଷ ।

ସ୍ଵରମାନେ ଦୀର୍ଘ ସେ ହ୍ରସ୍ଵ, ପ୍ଳୁତ ନାମରେ ପରକାଶ ।

ସନ୍ଧି ଅକ୍ଷର ଏ ବୋଲାଇ, ଏ କାର ଆଦି ଚାରି ସେହି ।

ପଚିଶ ବର୍ଣ୍ଣେ ପଞ୍ଚ ପଞ୍ଚ, ପାଞ୍ଚ ବର୍ଣ୍ଣରେ ବର୍ଗ ପଞ୍ଚ ।

ଏ ଅନ୍ତେ ଅନ୍ତଃସ୍ଥ ଏ ଜାଣ, ଯ, ର, ଳ, ବ, ଏ ଚାରିବର୍ଣ୍ଣ ।

ଶ, ଷ, ସ, ହ ଏ ଚାରିବର୍ଣ୍ଣ ଉଷ୍ମବର୍ଣ୍ଣ ବୋଲିବା ଜାଣ ।

ବିନ୍ଦୁନୁସ୍ଵାର ଏ ବୋଲାଇ, ସେ ବିନ୍ଦୁ ଯେବେ ଦୁଇ ହୋଇ ।

ବିସର୍ଗ ନାମ ଯେ ବୋଲାଇ, ଗଜ ଶୁଣ୍ଢାକୃତି ସେ ହୋଇ । (୪୦)

 

ଏହି ବର୍ଣ୍ଣମାଳାକୁ ଭିତ୍ତିକରି ପଞ୍ଚସଖା ତଥା ସେମାନଙ୍କର ଅନୁଗାମୀବୃନ୍ଦ ଅକ୍ଷରବ୍ରହ୍ମ, ଏକାକ୍ଷର ବ୍ରହ୍ମଦର୍ଶନ, ଅକ୍ଷର ତତ୍ତ୍ଵ, ବର୍ଣ୍ଣତତ୍ତ୍ଵ ମୂଳକ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି । ଓଡ଼ିଆ ଭାଷା ଓ ଓଡ଼ିଆ ଲିପି ଓଡ଼ିଆ ଜାତିର ସ୍ଵତନ୍ତ୍ର ପରିଚୟ ସୁଦୂର ଖ୍ରୀଷ୍ଟପୂର୍ବ କାଳରୁ ପ୍ରଦାନ କରିଆସିଛି । ଓଡ଼ିଆ ଶିଳାଲେଖ ଓ ତାମପତ୍ର ସମୂହର ଲିପିତାତ୍ତ୍ୱିକ ଅନୁଶୀଳନରୁ ଜଣାଯାଏ, ଓଡ଼ିଆ ଲିପି ଓ ଭାଷା ଖ୍ରୀଷ୍ଟପୂର୍ବ କାଳରୁ ଜନ୍ମନେଇ ଯୁଗଭିତ୍ତିକ ପରିବର୍ତ୍ତନ ଦ୍ୱାରା ଆତ୍ମିକ ସନନ୍ଦ ଭାବରେ ଆଧୁନିକ ଲିପି ଓ ଭାଷା ରୂପେ ପ୍ରତିଭାତ । ମହତ୍ତ୍ୱପୂର୍ଣ୍ଣ ହେଉଛି, ଓଡ଼ିଆ ଲିପି ଶାସ୍ତ୍ରୀୟ ବ୍ରାହ୍ମୀଲିପିରୁ ଜନ୍ମଲାଭ ପୂର୍ବକ ବିଭିନ୍ନ ବିବର୍ତ୍ତନ ଦେଇ ସ୍ଵକୀୟତା ଓ ସ୍ଵତନ୍ତ୍ରତା ବଜାୟ ରଖିବା ସହିତ ଶାସ୍ତ୍ରୀୟ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିଛି । ଭାରତ ସରକାରଙ୍କ ନିର୍ଦ୍ଧାରିତ ନୀତି ଅନୁସାରେ ଓଡ଼ିଆ ଜାତିର ତିନି ହଜାର ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତି ରହିଛି, ମହତ୍ଵପୂର୍ଣ୍ଣ ପ୍ରାଚୀନ ସାହିତ୍ୟ ସୃଷ୍ଟିର ପରଂପରା ରହିଛି । ଏହା ଅନ୍ୟ କୌଣସି ଭାଷା ଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ତଥା ଓଡ଼ିଆ ଭାଷାରେ ପ୍ରାଚୀନ ଓ ଆଧୁନିକ ଭାଷାର ରୂପ ମଧ୍ୟରେ ଅବିଚ୍ଛନ୍ନ ସମ୍ପର୍କ ରହିଛି, ଯାହାକି ଏହି ସନ୍ଦର୍ଭରେ ଆଲୋଚିତ ଓଡ଼ିଆ ଭାଷାର ଉନ୍ମେଷ ଓ ଲିପିତତ୍ତ୍ୱ ବିଚାରବିମର୍ଷ ଦ୍ୱାରା ସୁସ୍ପଷ୍ଟ । ଅତଏବ ଲିପିତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଆ ଏକ ପ୍ରାଚୀନ ପୂର୍ଣ୍ଣାଙ୍ଗ ତଥା ଶାସ୍ତ୍ରୀୟ ଆର୍ଯ୍ୟଭାଷା ।

 

ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ବିଲ୍‌ଡ଼ିଂ

ଦକ୍ଷିଣକାଳୀ ମାର୍ଗ, ଢେଙ୍କାନାଳ

ଦୂରଭାଷ -୦୬୭୬୨-୨୨୫୫୨

 

ପାଦଟୀକା :

୧.

ଋକ୍‌ବେଦ ୫/୫୮/୬

୨.

ଏଜ୍ନ ୧୦/୧୨୫/୩

୩.

ଭରତ ପ୍ରଣୀତ ନାଟ୍ୟଶାସ୍ତ୍ରମ୍‌ ୬/୨୫/୨୬

୪.

ଏଜ୍ନ ୧୮/୪୭

8.

ଏଜ୍ନ ୧୮/୪୬

୬.

ଏଜ୍ନ ୧୮/୪୮

୭.

Indian Historical Quartely Vol XIII, P-337

୮.

Linguistic survey of India, Vol V, Part-II

୯.

AComparative Grammer of the Modern Aryan Langages of India- John Beems

୧୦.

ଓଡ଼ିଆ ଭାଷାର ପୁରାତତ୍ତ୍ୱ - ପଣ୍ଡିତ ବିନାୟକ ମିଶ୍ର, ପୃ ୪୨-୪୩

୧୧.

ORMAL - PP 198-199 AND ACGMALL - Vol.-I, PP 117-119

୧୨.

ପ୍ରାଚୀନ ସିନ୍ଧୁ ସଭ୍ୟତାର ସମସାମୟିକ ଓଡ଼ିଶାର ବିକ୍ରମଖୋଲ ଶିଳାଲିପି - ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (ଝଙ୍କାର, ୪୮ଶ ବର୍ଷ, ଅଷ୍ଟମ ସଂଖ୍ୟା ନଭେମ୍ବର ୧୯୯୬ ପୃ ୧୨୪୧)

୧୩.

ଓଡ଼ିଆ ଭାଷାତତ୍ତ୍ୱର ଭୂମିକା - ଡକ୍ଟର ବଂଶୀଧର ମହାନ୍ତି ପୃ- ୧୭୩

୧୪.

ଓଡ଼ିଆ ଲିପିର କ୍ରମବିକାଶ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପୃ୨-୩

୧୫.

ଏଜ୍ନ - ପୃ ୩୦

୧୬.

ଏଜ୍ନ - ପୃ ୪

୧୭.

E Pigraphica India 29th part, 23rd vol

୧୮.

ଓଡ଼ିଆ ଲିପିର କ୍ରମବିକାଶ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପୃ- ୫

୧୯.

ଏଜ୍ନ - ପୃ- ୫

୨୦.

ଏଜ୍ନ - ପୃ- ୩୨

୨୧.

E Pigraphica India- 6th VoIP, 143

୨୨.

J A.S.B. 1904 part-I Page 284

୨୩.

ଓଡ଼ିଆ ଲିପିର କ୍ରମବିଳାଶ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପୃ- ୭

୨୪.

Ep igraphica India - VoI-XIX, P-100

୨୫.

ଓଡ଼ିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ - ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପୃ- ୧୪୯

୨୬.

ଓଡ଼ିଆ ଲିପିର କ୍ରମବିକାଶ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପୃ. ୧୩

୨୭.

ମୋ ଦୃଷ୍ଟିରେ ଓଡ଼ିଶା - ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପୃ. ୬୨

୨୮.

O.H.R.J - Vol- Ill, Part - 2, P-21

୨୯.

Ep igraphica India Vol-Ill, P-220

୩୦.

ଓଡ଼ିଆ ଭାଷାତତ୍ତ୍ୱ‌ଓ ଲିପିର ବିକାଶ - ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପୃ- ୧୬୧

୩୧.

B urnell's Elements of South Indian Palaeography, Plate No-XX

୩୨.

O.H.R.J - Vol.-V, No-1, P-1

୩୩.

J A.S.B. Vol- XVII-P-19

୩୪.

ଓଡ଼ିଆ ଲିପିର କ୍ରମବିକାଶ - ଡକ୍ଟର ସତ୍ୟନାରାୟଣ ରାଜଗୁରୁ-ପୃ- ୨୨

୩୫.

ଓଡ଼ିଆ ଭାଷାତତ୍ତ୍ୱ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ପୃ- ୩୩

୩୬.

ବାକ୍ୟପଦୀୟ - ଭର୍ତ୍ତୃହରି

୩୭.

ଓଡ଼ିଆ ଲିପିର କ୍ରମବିକାଶ - ଡକ୍ଟର ସତ୍ୟନାରାୟର ରାଜଗୁରୁ ପୃ-୨୨

୩୮.

ପାଣିନୀୟ ଶିକ୍ଷା

୩୯.

ଓଡ଼ିଆ ଭାଷାରେ ପୂରାତତ୍ତ୍ୱ - ପଣ୍ଡିତ ବିନାୟକ ମିଶ୍ର, ପୃ- ୪୨-୪୩

୪୦.

ଓଡ଼ିଆ ଭାଗବତ - ଅତିବଡ଼ୀ ଜଗନ୍ନାଥ ଦାସ, ୧୨/ ୬

 

***

 

ଫକୀରମୋହନଙ୍କ କବିତାରେ ବାକ୍ୟସ୍ତରୀୟ ଆନୁକ୍ରମିକତା

ଡ. ରବୀନ୍ଦ୍ର କୁମାର ଦାସ

 

ଶୈଳୀ ବିଜ୍ଞାନରେ ବକ୍ତବ୍ୟର ଫୋକସ୍‌ ଭାବରେ ସମ୍ମୁଖୀକରଣ ବା ଅଗ୍ରାଧିରଣକୁ ଗ୍ରହଣ କରାଯାଇଛି । ବିଚ୍ୟୁତି, ବିପଥନ, ସମାନ୍ତରଣ ଏବଂ ବିରଳତା ହଉଛି ସମ୍ମୁଖୀକରଣର ମୁଖ୍ୟ ଉପାଦାନ । ବ୍ୟତିକ୍ରମମୂଳକ ଶୈଳୀୟ ସୌନ୍ଦର୍ଯ୍ୟ ନିଷ୍ପାଦନରେ ଏଗୁଡ଼ିକ ବେଶ ସହଯୋଗ କରିଥାନ୍ତି । ବ୍ୟାକରଣମୂଳକ ମାନକ ଲଂଘିତ ହେଲେ ବିଚ୍ୟୁତି, ସାହିତ୍ୟ ସିଦ୍ଧାନ୍ତ ଜନିତ ମାନକର ଉଲ୍ଲଂଘନ ହେଲେ ବିପଥନ, ଧ୍ୱନି, ଶବ୍ଦ, ବାକ୍ୟ, ଅର୍ଥ ପ୍ରଭୃତିରେ ସମରୂପତା ସୃଷ୍ଟି ହେଲେ ସମାନ୍ତରଣ ସୃଷ୍ଟି ହୋଇଥାଏ । ବିରଳତା ଏ ତିନୋଟି ଉପାଦାନ ଠାରୁ ସଂପୂର୍ଣ୍ଣ ଭିନ୍ନ । ଏଥିରେ ବିଚ୍ୟୁତି, ବିପଥନ, କିମ୍ବା ସମାନ୍ତରତାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସାହିତ୍ୟ ସ୍ରଷ୍ଟା ଏପରି କିଛି ଭାଷିକ କିମ୍ବା ସାହିତ୍ୟିକ ଅଭିବ୍ୟକ୍ତିକୁ ନିଜ ରଚନାରେ ବ୍ୟକ୍ତ କରିଥାନ୍ତି ଯାହା କେବଳ ଥରେ ମାତ୍ର ଦୃଷ୍ଟିଗୋଚର ହୋଇ ଶୈଳୀଗତ ସାର୍ଥକତା ପ୍ରତିପାଦନ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ - ଏହାର ନାମହିଁ ବିରଳତା ।

 

ଶୈଳୀ ବିଶ୍ଲେଷଣ କ୍ଷେତ୍ରରେ ବିଚ୍ୟୁତି, ବିପଥନ, ସମାନ୍ତରତା ଏବଂ ବିରଳତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଲେଖକୀୟ ଚୟନତତ୍ତ୍ଵ ମୂଳକ ବିଶିଷ୍ଟତାକୁ ପାଥେୟ କରି ପ୍ରତ୍ୟେକ ବିଭାଗରେ ଧ୍ଵନି, ଶବ୍ଦ, ରୂପ, ବାକ୍ୟ, କଥନିକା ଲିପି ପ୍ରକୃତି ସ୍ତରକୁ ବିଶ୍ଳେଷଣ କରାଯାଏ । କେଉଁଠି ବିଚାରିତ ଏବ କେଉଁଠି ଅବିଚାରିତ ଅଥଚ ଶୈଳୀକୀୟ ଉତ୍କର୍ଷ ସାଧକ - ସେଥିପ୍ରତି ସଚେତନ ଦୃଷ୍ଟି ସଂପାତ କରାଯାଏ । ତତ୍ପରେ ସେଇ ବିଚାରିତ ବା ଅବିଚାରିତ ଅଭିବ୍ୟକ୍ତି ପଶ୍ଚାତ୍‌ରେ ଯେଉଁ ସାଭିପ୍ରାୟିକତା ଲୁକ୍‌କାୟିତ ଥାଏ ତାହାକୁ ଠାବ କରାଯାଏ ଏବଂ ତତ୍‌ସମ୍ବନ୍ଧୀୟ ଉତ୍କର୍ଷ କିମ୍ବା ଅପକର୍ଷକୁ ସୂଚିତ କରାଯାଇଥାଏ ।

 

ଆଲୋଚ୍ୟ ପ୍ରବନ୍ଧରେ ସମାନ୍ତରତାମୂଳକ ଶୈଳୀୟ ସୌନ୍ଦର୍ଯ୍ୟ ଭିତ୍ତିରେ ଫକୀରମୋହନଙ୍କ କବିତାରେ କେବଳ କାବ୍ୟ/ କାବ୍ୟାଂଶ ସ୍ତରୀୟ ସମାନ୍ତରତାକୁ ଉପସ୍ଥାପନ କରିବାକୁ ପ୍ରଚେଷ୍ଟା କରାଯାଇଛି ।

 

ଛନ୍ଦ, ଲୟ, ଆନୁକ୍ରମିକତା, ତାଳ ପ୍ରଭୃତି ହେଉଛି ସମାନ୍ତରତା (Parallelism)ର ପ୍ରାଣ । ପୁନଃ ପୁନଃ ଆବର୍ତ୍ତନ ଦ୍ଵାରା ଏହା ରଚନାରେ ତାଳମେଳ ରକ୍ଷାକରିଥାଏ । ଏତଦ୍ୱାରା ଶ୍ରୁତିଗତ ମାଧୁଯ୍ୟ ବର୍ଦ୍ଧିତ ହୋଇଥାଏ । ଉଭୟ ଶବ୍ଦ ଏବଂ ଅର୍ଥସ୍ତରରେ ଚମତ୍କାରିତା ସଂପାଦିତ ହୋଇଥାଏ । କବିତାର ଛନ୍ଦ ମୁକ୍ତମୂଳକ ହେଉ ବା ଅମୁକ୍ତ ମୂଳକ- ସେଥିରେ ସମାନ୍ତରତା ରହିବ ହିଁ ରହିବ । କିନ୍ତୁ ଏହି ସମାନ୍ତରତା ଯେତେବେଳେ ଏକ ବିଶେଷ ଉଦ୍ଦେଶ୍ୟକୁ ଉପଜୀବ୍ୟକରି ପୁନଃ ପୁନଃ ଅନୁକ୍ରମିକତାର ପରିମଣ୍ଡଳ ନିର୍ମାଣ କରିବ, ସେତେବେଳେ ଏହି ସମାନ୍ତରତାକୁ ସ୍ଵାଭାବିକ ସମାନ୍ତରତା ନ କହି ଶୈଳୀବିଜ୍ଞାନ ମୂଳକ ସମାନ୍ତରତା ବୋଲି କୁହାଯିବ । ଶୈଳୀବିଶ୍ଳେଷକ ଏହି କୋଟୀର ସମାନ୍ତରତାକୁହିଁ ବିଶ୍ଲେଷଣ ପ୍ରକାର୍ଯ୍ୟର ଅଙ୍ଗୀକୃତ କରାଇ ଶୈଳୀ ବିଶ୍ଳେଷଣ କର୍ମରେ ଅଗ୍ରସର ହେବ ।

 

ସମାନ୍ତରତାର ପରିସର ଅତ୍ୟନ୍ତ ବ୍ୟାପକ । ରୋମାନ୍‌ ୟାକବସନ୍‌ସ ପ୍ରମୁଖ ସମାଲୋଚକ ପାଶ୍ଚାତ୍ୟ କାବ୍ୟଭାଷାର ପ୍ରସଙ୍ଗରେ ଏହି ଶବ୍ଦର ପ୍ରୟୋଗ କରିଥିଲେ । ରୋମାନ୍‌ ୟାକବସନ୍ସଙ୍କ ମତରେ କବିତାରେ ଭାଷା କେବଳ ଅର୍ଥଗତ, ଧ୍ଵନିଗତ ଓ ବାକ୍ୟସ୍ତରୀୟ ବ୍ୟବସ୍ଥାମାନଙ୍କର ବିଚ୍ୟୁତି ଉପରେ ପର୍ଯ୍ୟବସିତ ହୋଇନଥାଏ । ବରଂ ଏସବୁ ଉପାଦାନମାନଙ୍କର ପୌନଃପୁନିକତା ଓ ସଂଯୋଜନା ଧର୍ମୀ ପାରସ୍ପରିକ ସଂପର୍କ ଦ୍ଵାରା ସୃଷ୍ଟି ହୋଇ ଏକ ଅର୍ଥବୋଧକ ପ୍ରସଙ୍ଗ ମଧ୍ୟରେ କ୍ରିୟାଶୀଳ ହୋଇଥାଏ ଏବଂ ତାଙ୍କର ସୁପ୍ରସିଦ୍ଧ ସିଦ୍ଧାନ୍ତ ‘‘The poetic function projects the principle of equivalece from the axis of selection to the axis of combinations’’. କାବ୍ୟିକ ଭାଷାରେ ମୌଳିକତା ପ୍ରିପାଦନ କରିବା ସଂଗେ ସଂଗେ କବିର ଶୈଳୀକୁ ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଦେଇଥାଏ ।

 

ବ୍ୟାସକବି ଫକୀରମୋହନ କବିତାରେ ଧ୍ୱନି, ଅର୍ଥପ୍ରଭୂତିସ୍ତରୀୟ ସମାନ୍ତରତାର ସଫଳ ପ୍ରୟୋଗ ହୋଇଥିଲେ ହେଁ ଏଠାରେ କେବଳ ବାକ୍ୟସ୍ତରୀୟ ସମାନ୍ତରତାକୁ ବିଶ୍ଲେଷଣ କରାଯାଉଅଛି ।

 

ଫକୀରମୋହନଙ୍କ ଯେଉଁସବୁ କବିତାରେ ବାକ୍ୟସ୍ତରୀୟ ସମାନ୍ତରତାର ଅପୂର୍ବ ଚମତ୍କାରିତା ସଂପାଦିତ ସେଗୁଡ଼ିକ ମଧ୍ୟରେ ବେଙ୍ଗଭାଇ, ‘ଚାତକ ପକ୍ଷୀ’, ‘ଯୋଷେଫାଇନ୍‌’, ‘ପୁଣି କି ଦେଖିବି ସେହି ସହାସ୍ୟ ବଦନ ?’, ‘ମୋ ମାଆ ଗଲେ କାହିଁ’, ‘ମାତୃହୀନ ଦୁଇଗୋଟି କ୍ଷୁଦ୍ର ଶିଶୁ’, ‘ନିଦଗଲା ଭାଙ୍ଗି’ ପ୍ରଭୃତି ଉଲ୍ଲେଖଯୋଗ୍ୟ । କ୍ରମାନ୍ୱୟରେ ସେଗୁଡ଼ିକର ବିଶ୍ମେଷଣ କରାଯାଉ-

 

‘ବେଙ୍ଗଭାଇ କବିତାରେ ବେଙ୍ଗଭାଇ କବିଙ୍କ ଦ୍ଵାରା ସମ୍ବୋଧିତ । ନୂଆପାଣିମୁନ୍ଦେ ପାଇଁ ସାରୁଗଛମୂଳେ ବେଙ୍ଗ କେଁ - କେଁ - କେଁ- କେଁ ରଡ଼ି ଛାଡୁଚି । ବେଙ୍ଗୁଲିରାଣୀ ମଧ୍ୟ ବେଙ୍ଗରଜାର ଗୀତରେ ଦୁହାରି ଧରିଛି । ଅତି ମାମୁଲି ଘଟଣା ଉପରେ ଆଧାରିତ ଏ କବିତା । କିନ୍ତୁ ବେଙ୍ଗସହିତ ସମତୁଲ୍ୟତା ଆକଳନ କରିବା ପାଇଁ ଯେତେବେଳେ କବି ବିଳାସବ୍ୟସନରେ ବୁଡ଼ି ରହୁଥିବା ସ୍ୱାର୍ଥପର ସୁବିଧାବାଦୀଙ୍କ ପ୍ରସଙ୍ଗକୁ ଅବତାରଣା କରିଛନ୍ତି, ସେତେବେଳେ ବେଙ୍ଗରଡ଼ି ଜନିତ ମାମୁଲି ବକ୍ତବ୍ୟ ଗୁରୁଗମ୍ଭୀର ହୋଇଉଠିଛି । ସାଧାରଣ ଘଟଣା ଅସାଧାରଣ ହୋଇ ଉଠିଛି । ଶେଷରେ ‘ହେମନ୍ତକାଳ ଆସିଲେ ପାଣି ଶୁଖିଯିବ ଏବଂ ବେଙ୍ଗର ଗର୍ବ ଖର୍ବ ହୋଇଯିବା କଥା କହି ଯେତେବେଳେ ଗରବରେ ଭୁଲି ଛାତି କରୁଅଛୁ କୁଣ୍ଢ, ନ ଜାଣୁ କି ପାଣି ମଧ୍ୟେ ଅଛି ସନ୍ତ୍ରା ଧଣ୍ଡ’ ପ୍ରଭୃତି ବିଦ୍ରୁପାତ୍ମକ ଚେତାବନୀ ପ୍ରଦାନ କରିଛନ୍ତି, ସେତେବେଳେ ବକ୍ତବ୍ୟର ଗତି ଭିନ୍ନମୁଖୀ ହୋଇଛି । ଏ ଚେତାବନୀ ରୂପକ ତୀରକୁ ନିକ୍ଷେପ କରାଯାଇଛି - ଆତ୍ମସୁଖ ବିଭୋର, ଭୁରିଭୋଜନ ଭକ୍ଷିତ, ଆଲୋକମାଳା ଶୋଭିତ ଅଟ୍ଟାଳିକାବାସୀଙ୍କ ପ୍ରତି । ଯାହାର କାନରେ ପ୍ରାଚ୍ୟ ପଡ଼ିଶାର ଭଙ୍ଗାଦଦରା ଚାଳ ଘରେ ବାସକରୁଥିବା ଦରିଦ୍ର ଅସହାୟ ମଣିଷର କ୍ଷୁଧାଜନିତ କରୁଣ ଚିତ୍କାର କେବେ ପଡ଼େ ନାହିଁ । ଆରମ୍ଭ ବିନ୍ଦୁ ଯେଉଁ ସ୍ପନ୍ଦନ ଦ୍ଵାରା ପରିଶୀଳିତ ହୋଇଥିଲା, ମଧ୍ୟ ଏବଂ ଶେଷବିନ୍ଦୁ ବେଳକୁ ତାହା ଏକ ଭୀଷଣ ଶ୍ରେଣୀବୈଷମ୍ୟକୁ କେନ୍ଦ୍ରକରି ଅନ୍ୱେଷିତ ହେଲା । ତନ୍ମଧ୍ୟରେ ‘(୧) ତୁନିହ - ତୁନିହ- ଆରେ ମୋର ବେଙ୍ଗଭାଇ, (୨) ତୁନିହ- ତୁନିହ- ତୁହି ଏବେ ବେଙ୍ଗଭାଇ, (୩) ତୁନିହ ତୁନିହ ଆରେ ଶୁଣ ମୋର ବାଣୀ- ବାକ୍ୟାଂଶମୂଳକ ସମାନ୍ତରତାର ତ୍ରିବାର ଆବର୍ତ୍ତନ ଦ୍ୱାରା - ‘ତୁନି ହୋଇଯାଆ ଅର୍ଥାତ୍‌ ବୃଥା ଅହଂକାର ପୋଷଣ କରନା - ନିଜେ ବଞ୍ଚି ଅନ୍ୟର ହିତପ୍ରତି ନଜର ଦେଉଥା । ବାର୍ତ୍ତାଟି ଏ କବିତାର ଅନ୍ତଃସ୍ଵରଭାବେ ଉତ୍ତୋଳିତ ହୋଇ ଉଭୟ ଅର୍ଥସ୍ତର ଏବଂ ଭାଷିକ ସ୍ତରକୁ ବଳିଷ୍ଠ କଲା ।

 

ଦାମ୍ପତ୍ୟ ପ୍ରେମର ଚରମ ରୂପକାର ଫକୀରମୋହନ । ଏ ପ୍ରେମ ଦେହ ସର୍ବସ୍ଵ କିମ୍ବା ମାନସ ସର୍ବସ୍ଵ ନୁହେଁ, ବରଂ ଦୃଦୟ ସର୍ବସ୍ଵ ଏବଂ ତ୍ୟାଗସର୍ବସ୍ଵ । ତ୍ୟାଗ ହିଁ ପ୍ରେମର ମୂଳମନ୍ତ୍ର - ଏକଥା କବିଙ୍କୁ ଭଲଭାବେ ଜଣାଥିଲା । ସେହି ଶାଶ୍ୱତ ଏଂ ଦିବ୍ୟପ୍ରେମର ପରମ ପରାକାଷ୍ଠା ‘ଯୋଷେଫାଇନ’ କବିତାରେ ଗର୍ଭିତ । କବିତାର ପ୍ରଥମାଂଶରେ ଯୋଷେଫାଇନ୍‌ଙ୍କ ସ୍ଵାମୀ ବିଶ୍ଵବିଜୟୀ ବୀର ନେପୋଲିୟନ ବୋନାପାର୍ଟଙ୍କ ବୀରତ୍ୱ ଏବଂ ବିଭିନ୍ନ ଦେଶ ବିଦେଶ ବିଜୟର ବୀରତ୍ୱ ବ୍ୟଞ୍ଜକ ବର୍ଣ୍ଣନା ପ୍ରଦତ୍ତ । କ୍ରମାନ୍ୱୟରେ ପାଞ୍ଚଥର ‘ନେପୋଲିୟନ ବୋନାପାର୍ଟ ବୀରେନ୍ଦ୍ରକେଶରୀ’ ବାକ୍ୟର ଆବର୍ତ୍ତନ ଦ୍ୱାରା ନେପୋଲିୟନଙ୍କ ବିସ୍ମୟକର ବୀରତ୍ୱ ବ୍ୟାଖ୍ୟାତ । ତତ୍‌ସହିତ ଉପରୋକ୍ତ ବାକ୍ୟର କେବଳ ପ୍ରଥମାଂଶକୁ ସାମାନ୍ୟ ବଦଳାଇ ଯଥାକ୍ରମେ ‘ମହାଦ୍ୟୋଗୀ ନେପୋଲିୟନ ବୀରେନ୍ଦ୍ରକେଶରୀ’ ଏବଂ ‘ସାକ୍ଷୀଯଥା ନେପୋଲିୟନ ବୀରେନ୍ଦ୍ରକେଶରୀ’ ଭାବେ ବାକ୍ୟଦ୍ୱୟର ପୁନର୍ଲିଖନ ଦ୍ଵାରା ନେପୋଲିୟନଙ୍କ ବ୍ୟକ୍ତିତ୍ଵର ଅନ୍ୟାନ୍ୟ ଦିଗ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି ।

 

କବିତାର ଦ୍ୱିତୀୟାଂଶରେ ‘ପତିବ୍ରତା ଯୋଷେଫିନା ରାଜରାଜେଶ୍ୱରୀ ବାକ୍ୟଟି ପାଞ୍ଚଥର ଆବର୍ତ୍ତିତ । ଫଳତଃ ନେପୋଲିୟନଙ୍କ ଧର୍ମପତ୍ନୀ ‘ଯୋଷେଫାଇନ୍‌’ଙ୍କ ଏକାନ୍ତ ପତିପ୍ରାଣତାର ନିଦର୍ଶନ ଏଠାରେ ପ୍ରତିଫଳିତ । କବିତାର ତୃତୀୟାଂଶ ଅତ୍ୟନ୍ତ କରୁଣରସଯୁକ୍ତ ଏବଂ ବିଚ୍ଛେଦଭାବ ସିକ୍ତ । ଏହି ଅଂଶରେ ଅଷ୍ଟ୍ରିଆ ରାଜନକନ୍ୟା ଅଗଷ୍ଟମେରିଆ ଫରାସୀ ସମ୍ରାଟ ନେପୋଲିୟନଙ୍କ ରାଣୀହେବେ ବୋଲି ସମ୍ବାଦ ଶ୍ରବଣ କରି ଯୋଷେଫାଇନ୍‌ ଅତ୍ୟନ୍ତ ମର୍ମାହତା, ଆଶଙ୍କିତା ଏବଂ ହତୋପତ୍ସାହିତା । ଏପରି ନିଷ୍ପତ୍ତିରେ ନିଜେ ନେପୋଲିୟନ ମଧ୍ୟ ଅନୁଶୋଚିତ । ଶେଷରେ ସ୍ଵାମୀ ପାଇ ସ୍ଵାମୀ ତ୍ୟାଗ କଲେ ଯୋଷେଫିନା ଭଳି ଏକ ବିରଳ ବାକ୍ୟ ସଂଯୋଗରେ କବିତାର ପରିସମାପ୍ତି ଘଟିଛି । ଆଲୋଚ୍ୟ କବିତାରେ ଅନେକତ୍ର ପ୍ରେମ ପ୍ରଣୟଜନିତ ଯେଉଁ ବିରୋଧାଭାସ ଉତ୍ପନ୍ନ ହୋଇଛି, ତଦ୍ଦ୍ୱାରା ସାହିତ୍ୟସିଦ୍ଧାନ୍ତ ଜନିତ ବିପଥନ ସୃଷ୍ଟି ହୋଇଛି । କେତେକତ୍ର ବିଚ୍ୟୁତି ମଧ୍ୟ ଲକ୍ଷିତ । ବିଚ୍ୟୁତି, ବିପଥନ, ସମାନ୍ତରତା ଏବଂ ବିରଳତାର ସାର୍ଥକ ସମାବେଶରେ ‘ଯୋଷେଫାଇନ’ କବିତାଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାର ଲକ୍ଷ୍ୟ କରାଯାଏ ।

 

‘ପୁଣି କି ଦେଖିବି ସେହି ସହାସ୍ୟବଦନ’ କବିତାରେ ସମାନ୍ତରତାର ସଫଳ ସଂଯୋଜନା ଲକ୍ଷ୍ୟକରାଯାଏ । କବିତାଟି ଏକୋଇଶି ପଦବିଶିଷ୍ଟ । କେତେକ ପଦରେ ବାକ୍ୟସ୍ତରୀୟ ସମାନ୍ତରତା ସଂଯୋଜିତ ହୋଇଥିବା ସ୍ଥଳେ କେତେକରେ ବାକ୍ୟାଂଶସ୍ତରୀୟ ସମାନ୍ତରତା ସଂଯୋଜିତ । ପ୍ରଥମ, ଦ୍ୱିତୀୟ, ଅଷ୍ଟମ, ପଦରେ ‘ପୁଣିକି ଦେଖିବି ସେହି ସହାସ୍ୟ ବଦନ ?’ ବାକ୍ୟର ସମତାମୂଳକ ସମାନ୍ତରତା ପ୍ରୟୋଗ ହୋଇଛି । ଅନ୍ୟ ପଦଗୁଡ଼କରେ ସାମାନ୍ୟ ପରିବର୍ତ୍ତନ ପୂର୍ବକ ଯେଉଁ ସମାନ୍ତରତା ବ୍ୟବହାର କରାଯାଇଛି - ତାହାର ଆନୁକ୍ରମିକତା ଏହିପରି -

 

୩ୟପଦ

ନ ଦେଖି ଅମୃତମୟ ସେ ହାସ୍ୟ- ବଦନ !

୪ର୍ଥ ପଦ

କାହିଁ ଲୁଚିଗଲା ସେହି ସହାସ୍ୟବଦନ ?

୫ମ ପଦ

ଘରେ ଯାଇ ଦେଖିବି ଯେ ସେ ହାସ୍ୟବଦନ ।

୬ଷ୍ଠ ପଦ

ଏବେ ଧ୍ୟାନ ଦୃଶ୍ୟ ସେହି ସହାସ୍ୟବଦନ ।

୭ମପଦ

ଅନନ୍ତ ତିମିରେ ଲୀନ ସେ ହାସ୍ୟବଦନ ।

୯ମପଦ

ଆଉକି ଦେଖିବି ସେ ହାସ୍ୟବଦନ ?

୧୦ମ ପଦ

ସମାନ୍ତରତା ଅନୁପସ୍ଥିତ ।

୧୧ ଶପଦ

ସମାନ୍ତରତା ଅନୁପସ୍ଥିତ ।

୧୨ଶ ପଦ

ଯେଣୁ ଆଉ ନଦେଖିବି ସେ ହାସ୍ୟବଦନ ।

୧୩ଶ ପଦ

ହୃଦୟେ ଅଙ୍କିତ ଅଛି ସେ ହାସ୍ୟବଦନ ।

୧୪ଶପଦ

ଧ୍ୟାନେ ଅନୁଭବ ଏବେ ସେ ହାସ୍ୟବଦନ ।

୧୫ଶ ପଦ

ଆଉ ନଦେଖିବି ଯେବେ ସେ ହାସ୍ୟବଦନ ?

୧୬ଶ ପଦ

ସମାନ୍ତରତା ଅନୁପସ୍ଥିତ ।

୧୭ଶ ପଦ

ସମାନ୍ତରତା ଅନୁପସ୍ଥିତ ।

୧୮ଶ ପଦ

ଦେଖାଇବ ମନୋହର ସେ ହାସ୍ୟବଦନ ।

୧୯ଶ ପଦ

ଦେଖିବିତ ଆଶା ଅଛି ସେ ହାସ୍ୟବଦନ

୨୦ଶ ପଦ

ସମାନ୍ତରତା ଅନୁପସ୍ଥିତ ।

୨୧ ଶ ପଦ

ସମାନ୍ତରଣ ଅନୁପସ୍ଥିତ ।

 

ସମାନ୍ତରତା ଉପସ୍ଥିତ ଅଂଶଗୁଡ଼ିକରେ କେବଳ ‘ସେ ହାସ୍ୟବଦନ’ ବାକ୍ୟାଂଶରେ ସମତାମୂଳକ ସମାନ୍ତରତା ସଂଗ୍ରଥିତ ହୋଇଛି । ଭାବବିନ୍ଦୁ ହାସ୍ୟବଦନରେ କେନ୍ଦ୍ରିତ ହୋଇଥିବାରୁ ସ୍ମୃତିଚାରଣରେ ନିବିଡ଼ତା ବୃଦ୍ଧିପାଇଛି । ତଦ୍ଦ୍ୱାରା ଶୋକ ଗୀତିକାର ଶୋକ ଉଦ୍ରେକକାରୀ ଉତ୍ସସହିତ ଘନିଷ୍ଠତା ଅତ୍ୟନ୍ତ ରସଘନପାଲଟିଛି ।

 

ଫକୀରମୋହନଙ୍କ ଦ୍ୱିତୀୟା ପତ୍ନୀଙ୍କର ନାମଥିଲା କୃଷ୍ଣ କୁମାରୀ । କବିଙ୍କର ଯାବତୀୟ ଉନ୍ନତିମୂଳକ କାର୍ଯ୍ୟ ତଥା ସେବା ଶୁଶ୍ରୁଷାର ପ୍ରଧାନ ଅବଲମ୍ବନ ଥିଲେ ସେ । ଅଚାନକ କୃଷ୍ଣକୁମାରୀ ପରଲୋକ ଗମନ କରନ୍ତି । ତାଙ୍କ ମୃତ୍ୟୁରେ ଶୋକାତୁରା ହୋଇ ଉଠନ୍ତି କବି ଫକୀରମୋହନ । ରଚିତ ହୁଏ ‘ହସି ହସି ଗଲା ମୋତେ କନ୍ଦାଇ କନ୍ଦାଇ’ ଶୋକ କବିତା । ପ୍ରତ୍ୟେକ ପଦର ଶେଷ ପାଦରେ ଉପରୋକ୍ତ ବାକ୍ୟଟିର ଆନୁକ୍ରମିକତା ଏକ କରୁଣ ଭାବାବେଗମୂଳକ ଭାବବୋଧକୁ ବାରମ୍ବାର ଉଜ୍ଜୀବିତ କରାଇବାରେ ବେଶ ଖୋରାକ୍‌ ଯୋଗାଉଥିବାର ଲକ୍ଷ୍ୟ କରାଯାଏ ।

 

ଭାବାନୁସାରୀ ଶବ୍ଦ ଗୁମ୍ଫନ-ଫକୀରମୋହନୀୟ ରଚନାର ଅନ୍ୟତମ ବୈଶିଷ୍ଟ୍ୟ । ସ୍ଥାନ-କାଳ-ପାତ୍ରକୁ ଚାହିଁ ‘Proper words in Proper Places’ କ୍ଷେତ୍ରରେ ଫକୀରମୋହନ ସିଦ୍ଧହସ୍ତ ଥିବାରୁ ତାଙ୍କ ଗଳ୍ପ, କବିତା, ଉପନ୍ୟାସ, ଅନୁବାଦ ସାହିତ୍ୟାଦି ରସୋତ୍ତୀର୍ଣ୍ଣ ଏବଂ କାଳୋତ୍ତୀର୍ଣ୍ଣ । ‘ମୋ ମାଆ ଗଲେ କାହିଁ’ ଫକୀରମୋହନଙ୍କର ଏକ ଶିଶୁକବିତା । କବିତାରେ ‘ମୋ ମାଆ ଗଲେ କାହିଁ ?' ବୋଲି ପ୍ରଶ୍ନ ଉତ୍‌ଥାପିଛି ଅବୋଧ ଶିଶୁଟିଏ ନିଜ ବାପାଙ୍କୁ ଲକ୍ଷ୍ୟକରି । ମା’ କିନ୍ତୁ ମୃତ । ସେ କଥା ଶିଶୁକୁ - ଅଜଣା । ଦୁଇଦିନ ହେଇଗଲାଣି । ସେଥିପାଇଁ ବାପାଙ୍କୁ ବାରବାର ପ୍ରଶ୍ନ କରୁଛି- ଶିଶୁଟି । ମାଆଙ୍କର ବିଭିନ୍ନ କାର୍ଯ୍ୟକୁ ମନେପକାଇ ଶିଶୁଟି କ୍ରମେ ବିଚଳିତ ହୋଇଉଠୁଛି ଏବଂ କହୁଛି -

 

‘ବାବା ମୋ ମାଆ ଗଲେ କାହିଁ ?

କାନ୍ଦିଲେ କରୁଛ ତୁନି

ଆପେ କାନ୍ଦୁଛ ବାହୁନି

କହୁନାହିଁ ଫେଡ଼ି ମାଆ ଆସିବେ କି ନାହିଁ ?

ବାବା, ମୋ ମାଆ ଗଲେ କାହିଁ ?’

 

ପ୍ରତ୍ୟେକ ପଦର ଆଦ୍ୟ ଏବଂ ପ୍ରାନ୍ତପାଦରେ ଉପରୋକ୍ତ ଉଦ୍ଧୃତି ସଦୃଶ ‘ବାବା, ମୋ ମାଆ ଗଲେ କାହିଁ ?’ ପ୍ରଶ୍ନ ସୂଚକ ବାକ୍ୟଟି ପ୍ରଶ୍ନଶୀଳ ଶିଶୁକଣ୍ଠରେ ପ୍ରକାଶ କରି କବି ଏଭଳି ଦୁଃଖଦ ଘଟଣାକୁ ଆହୁରି କରୁଣ ଆହୁରି ମରମଭେଦୀ କରାଇ ପାରିଛନ୍ତି । ଏଠାରେ ବାକ୍ୟସ୍ତରୀୟ ସମାନ୍ତରତା ସହିତ ଅର୍ଥସ୍ତରୀୟ ବୈବିଧ୍ୟ ପ୍ରଦର୍ଶିତ ହୋଇଛି ।

 

ସେହିପରି ‘ନିଦଗଲା ଭାଙ୍ଗି’ କବିତାରେ ଗ୍ରଥିତ ‘ଆହା ଆହା ଆହା ମୋର ନିଦଗଲା ଭାଙ୍ଗି' ବାକ୍ୟଟି ପଦର ଆଦ୍ୟ ଏବଂ ଶେଷ ଚରଣରେ ସଂଯୁକ୍ତ । ଚାରୋଟି ଯାକ ପଦରେ ଏହି ଆନୁକ୍ରମିକ ଆବର୍ତ୍ତନରେ ସମରୂପତା ଦେଖାଦେଇଛି । ‘ମାତୃହୀନ ଦୁଇଗୋଟି କ୍ଷୁଦ୍ରଶିଶୁ’ କବିତାଟି ତିନିଭାଗ ବିଶିଷ୍ଟ । ପ୍ରଥମ ଭାଗ ଦଶପାଦ, ଦ୍ୱିତୀୟ ଭାଗ ଛଅପାଦ ଏବଂ ତୃତୀୟଭାଗ ଛଅପାଦ ବିଶିଷ୍ଟ । ସମୁଦାୟ ବାଇଶିଗୋଟି ପାଦମଧ୍ୟରୁ ନଅଗୋଟି ପାଦରେ ସମତାମୂଳକ ସମରୂପତା ସୃଷ୍ଟି ହୋଇଛି । ଯଥା-

 

‘‘ଯାଇଛି ତ ସରିସବୁ, ଗଲାକଥା ଯାଉ,

ମୁଣ୍ଡକୋଡ଼ି ହେଲେ ମାଆ ଆସିବେକି ଆଉ ?

ବାବା ତ ଅଛନ୍ତି ଘରେ ଆଉ କି ଭାବନା,

କାନ୍ଦନା ସରିଆ, ଆଉ କାନ୍ଦନା କାନ୍ଦନା,

କାନ୍ଦିବାକୁ ବାବା ପରା କରିଛନ୍ତି ମନା,

କାନ୍ଦନା ସରିଆ ଆଉ କାନ୍ଦନା କାନ୍ଦନା ।’’

 

ପ୍ରତେକ୍ୟକ ପଦର ଶେଷ ତିନିଧାଡ଼ିରେ ହିଁ ସମତା ରକ୍ଷା ହୋଇଛି । ଭାଇ ସାନଭଉଣୀ ସରିଆକୁ ପ୍ରବୋଧନା ଦେଉଛି । ବୁଝାସୁଝା କରି ବୋଲ ମନାଉଛି । ମାଆ ଆଉ ଫେରିବେ ନାହିଁ । ମୁଣ୍ଡ କୋଡ଼ି ଦେଲେବି ସେ ଆଉ ଆସିବେ ନାହିଁ । ଏହି କରୁଣାର୍ଦ୍ର ଅବବୋଧକୁ ଅଭିବ୍ୟକ୍ତ କରିବା ପାଇଁ କବିଙ୍କର ଏଭଳି ସଂଯୋଜନା ବେଶ୍‌ ହୃଦୟସ୍ପର୍ଶୀ ମନେହୁଏ ।

 

Parallelism ଶବ୍ଦର ପ୍ରଥମ ବ୍ୟବହାର ବାଇବେଲ୍‌ରେ ହୋଇଥିଲା । ସମଧ୍ୱନି/ସମଅର୍ଥ ପ୍ରଭୃତି ଭାଷିକ ଏକକ ସହିତ ସମଧ୍ୱନି/ସମଅର୍ଥ ମୂଳକ ଭାଷିକ ଏକକ ଗୁଡ଼ିକର ସମଆବର୍ତ୍ତନ ସଂଘଟିତ ହେଲେ ସମାନ୍ତରତାର ଜନ୍ମ ଘଟେ । ଏହାଦ୍ୱାରା ଭାଷିକ ବୈବିଧ୍ୟ ଏବଂ ଭାବଗତ ଚମତ୍କାରିତା ସୃଷ୍ଟି ହୋଇଥାଏ । ଯେଉଁ ଯେଉଁ ଧ୍ଵନି, ଶବ୍ଦ, ବାକ୍ୟ, ଅର୍ଥ ପ୍ରଭୃତିରେ ଏଇ ସମାନ୍ତରତାର ପ୍ରୟୋଗ କରାଯାଇଥାଏ, ତତ୍‌ ପଶ୍ଚାତ୍‌ରେ ଲେଖକଙ୍କର ଏକ ବିଶେଷ ଉଦ୍ଦେଶ୍ୟ ନିହିତ ଥାଏ । ସେହି ଉଦ୍ଦେଶ୍ୟକୁ ସମ୍ମୁଖୀକୃତ କରାଇବା ପାଇଁ ବାରମ୍ବାର ଏକପ୍ରକାର ବାକ୍ୟ, ଶବ୍ଦ, ଧ୍ଵନି ଆଦିର ପୁନରାବୃତ୍ତି କରାଯାଇଥାଏ । ଆଙ୍ଗିକ କିମ୍ବା ଆତ୍ମିକ ସ୍ତରରେ ଶୈଳୀଗତ ଚାରୁତା ସଂପାଦନ କରାଇବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥାଏ ।

 

 

ଅଧ୍ୟାପକ, ଓଡ଼ିଆ ଭାଷାସାହିତ୍ୟ ବିଭାଗ,

ଶାନ୍ତିନିକେତନ, ବୋଲପୁର

ପଶ୍ଚିମବଙ୍ଗ

ଭ୍ରାମ୍ୟଭାଷ : ୦୯୪୭୫୧୨୪୦୪୧

 

ସହାୟକ ଗ୍ରନ୍ଥସୂଚୀ :

୧.

ଶୈଳୀବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ - ଡ. ରବୀନ୍ଦ୍ର କୁମାର ଦାସ, ମୀରାମ୍ବିକା ପ୍ରକାଶନୀ, ବାଲେଶ୍ଵର - ୨୦୦୮ ।

୨.

ଶୈଳୀବିଜ୍ଞାନ - ଡ. ନଗେନ୍ଦ୍ର, ନେସନାଲ ପବ୍ଲିଶିଂ ହାଉସ୍‌- ନୂଆଦିଲ୍ଲୀ- ୧୯୯୩

୩.

Linguistics and Poetics - Roman Jakobson - Harvard University Press- Published -1987.

୪.

Oxford Concise Companion English Literature, Ed : Margaret Drabble and Jenny Stringer, oxford university press - Third Edition - 2007

୫.

The Encyclopedia of Language and Linguistics. Ed- R.E. ASHER, Pergamon Press, First Edition - 1994.

୬.

ଫକୀରମୋହନ ଗ୍ରନ୍ଥାବଳୀ - ପ୍ରଥମ ଖଣ୍ଡ, କଟକ ଷ୍ଟୁଡେଣ୍ଟସ୍‌ଷ୍ଟୋର, ଦ୍ୱିତୀୟ ସଂସ୍କରଣ- ୧୯୯୩

 

***

 

ଏକ ଅନାଲୋଚିତ ଭ୍ରମଣ ଗୀତିକା : ଭଦ୍ରଖ - ଭ୍ରମଣ

ଡକ୍ଟର ମନୀନ୍ଦ୍ର ମହାନ୍ତି

 

।। ଏକ ।।

 

କେଉଁ ଆଦିମକାଳରେ ମଣିଷ ସ୍ଥାୟୀଭାବରେ ବସତି ସ୍ଥାପନ ନକରି ଏଣେ ତେଣେ ଖାଦ୍ୟ ଅନ୍ୱେଷଣରେ ଘୁରିବୁଲୁଥିଲା । କ୍ରମେ ସେ ପ୍ରାକୃତିକ ଶୋଭା ମଧ୍ୟରେ ନଦୀକୂଳରେ ସ୍ଥାୟୀ ବସତିସ୍ଥାପନ କଲା । ତଥାପି, ତା' ମନରେ ବିଭିନ୍ନ ସ୍ଥାନରେ ବୁଲିବାର ମାନସିକତାକୁ ଏଡ଼ାଇ ଦେଇ ପାରିଲା ନାହିଁ । ବିପୁଳ ପୃଥିବୀରେ ବିଭିନ୍ନ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଲବ୍ଧି ତାକୁ ମୁଗ୍ଧ କଲା । ତେଣୁ, ସଭ୍ୟତାର ସ୍ରୋତରେ ସେ ଯେତେ ବିକାଶର ପଥରେ ଆଗେଇଲେ ମଧ୍ୟ, ନିଜଘର ଓ ପରିବେଶରୁ ମୁକ୍ତି ପାଇବା ପାଇଁ ଅନ୍ୟତ୍ର ଗମନ କରି ବିଭିନ୍ନ ବିଷୟରେ ଜାଣିବା ଓ ଦର୍ଶନ କରିବାର ଆଗ୍ରହ ତଥାପି ତା ମନରୁ ଗଲାନାହିଁ । ଏହି ‘ପରିଦର୍ଶନ’ କ୍ରମେ ଦେଶର ‘ପର୍ଯ୍ୟଟନ’ ବିଭାଗରେ ପରିଣତ ହୋଇଗଲା । ପୁସ୍ତକଗତ ଜ୍ଞାନର ଏକ ପ୍ରାମାଣିକ ଓ ଚାକ୍ଷୁସ ଅନୁଭୂତି ସହିତ ଜ୍ଞାନର ପରିସରକୁ ବୃଦ୍ଧି କରିବା ପାଇଁ ଏହି ଯାତ୍ରା- କ୍ରମେ ସାହିତ୍ୟର ଏକ ବିଭାଗ ରୂପେ ପରିଚିତ ହେଲା । ତା’ର ନାମ ହେଲା - ‘ଭ୍ରମଣ ସାହିତ୍ୟ’ ବା ‘ଭ୍ରମଣ କାହାଣୀ’ ।

 

ଏହା କେବଳ ଭୌଗୋଳିକ, ସାମାଜିକ, ବ୍ୟକ୍ତିଗତ ମଣିଷ ସହିତ ପାଠକକୁ ପରିଚୟ କରାଏ ନାହିଁ, ଅଧିକନ୍ତୁ ଲେଖକର ଉପଲବ୍ଧି, କଳ୍ପନା, ରୁଚି, ଅନୁଭୂତି ତଥା କଳାକୁଶଳତାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରକାଶ କରିଥାଏ । ଏହି ‘ଭ୍ରମଣ ସାହିତ୍ୟ’ ପରୋକ୍ଷ ଭାବରେ ଆମ ପ୍ରାଚୀନ ସାହିତ୍ୟରେ ରହିଥିଲା । ସାରଳାଦାସଙ୍କ ମହାଭାରତରେ ପାଣ୍ଡବମାନଙ୍କ ତୀର୍ଥଯାତ୍ରା, ବଳରାମଦାସଙ୍କ ଓଡ଼ିଆ ରାମାୟଣରେ ପିତାମାତାଙ୍କୁ ଧରି ଶ୍ରବଣକୁମାରର ବିଭିନ୍ନ ତୀର୍ଥ ଦର୍ଶନ, ଜଗନ୍ନାଥ ଦାସଙ୍କ ଭାଗବତରେ ଅବଧୂତ ସ୍ଵାମୀଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନରେ ଏହାର ଏକ କ୍ଷୁଦ୍ର ସ୍ରୋତ ଅନୁଭୂତ ହୁଏ ।

 

ଓଡ଼ିଆ ଭ୍ରମଣ ସାହିତ୍ୟ ପ୍ରାରମ୍ଭିକ ସ୍ତରରେ ପଦ୍ୟରେ ରଚିତ ହୋଇଥିଲା । ଏହି ପ୍ରସଂଗରେ ଶ୍ରୀ ଗୋବିନ୍ଦ ରଥଙ୍କର ‘କଲିକତା ବର୍ଣ୍ଣନା’ ଏ ଦିଗରେ ଏକ ଦୃଷ୍ଟି ଆକର୍ଷଣକାରୀ କୃତି-। ଏହା ୧୮୭୫ ମସିହାରେ ରଚିତ ହୋଇଥିଲା । ୧୮୮୬ ମସିହାରେ (ତା୨/୪/୧୮୮୬ରିଖ) ବାଲେଶ୍ଵର ସମ୍ବାଦବାହିକାରେ ଜଣେ ଅଜ୍ଞାତ ବ୍ୟକ୍ତି ‘ଭ୍ରମଣକାରୀଙ୍କ ପତ୍ର' ଶିରୋନାମାରେ ଧାରାବାହିକ ଭାବରେ ଭ୍ରମଣକାହାଣୀ ପ୍ରକାଶ କରିଥିଲେ । ଏଥିରେ ସେହି ଲେଖକ ଆସାମ ରାଜ୍ୟର ଅନୁଭୂତିକୁ ନିଜ ସାନଭାଇକୁ ଚିଠି ଛଳରେ ଲେଖିଥିଲେ । ଏହାପରେ ତା୬/୨/୧୮୮୮ରିଖଠାରୁ 'ନବସମ୍ବାଦ' ପୃଷ୍ଠାରେ କବିବର ରାଧାନାଥ ରାୟ ଏକ ଭ୍ରମଣ ବୃତ୍ତାନ୍ତ ‘ଭ୍ରମଣକାରୀର ପତ୍ର' ଶିରୋନାମାରେ ଧାରାବାହିକ ଭାବରେ ଲେଖି ପ୍ରକାଶ କଲେ ।

 

ଶ୍ରୀ ଗୋବିନ୍ଦ ରଥଙ୍କର ‘ମହାମେଳା ଦର୍ଶନ’ (୧୮୮୦), ଦାମୋଦର ପଟ୍ଟନାୟକଙ୍କର ‘କପିଳାସ ଯାତ୍ରା, (୧୮୮୫), ବାସୁଦେବ ସୁଢ଼ଳ ଦେବଙ୍କର ‘ଚିତ୍ରୋତ୍ପଳା’ (୧୮୯୩), ଶଶୀଭୂଷଣ ରାୟଙ୍କର ‘ଦାକ୍ଷିଣାତ୍ୟ ଭ୍ରମଣ’ (୧୮୯୬), ନୀଳମଣି ଚାନ୍ଦଙ୍କର ‘କପିଳାସ ଦର୍ଶନ’ (୧୮୯୯), ବିଶ୍ୱନାଥ କରଙ୍କର ‘ମାଲ୍ୟଗିରି’, ମୃତ୍ୟୁଞ୍ଜୟ ରଥଙ୍କର ‘ନରାଜ’ କବିଶେଖର ଚିନ୍ତାମଣି ମହାନ୍ତିଙ୍କର ‘ଗଞ୍ଜାମ ଭ୍ରମଣ’ (୧୯୦୬), ‘ପୂଣ୍ୟପୀଠ’ (୧୯୨୦), ‘ଜୟପୁର’ (୧୯୩୦), ‘ଲାଞ୍ଜଗଡ଼ ଭ୍ରମଣ’(୧୯୩୯), ପଞ୍ଚଧାର (୧୯୪୦), ପାଟଣାକାବ୍ୟ (୧୯୪୧), କଟକରେ ଚାରିଦିନ, ଧରାକୋଟ, ପାରଳା ଭ୍ରମଣ, କଳାହାଣ୍ଡି ଭ୍ରମଣ, ପୁଣି ତାରିଣୀ ଚରଣ ରଥଙ୍କର ‘କୁଲାଡ଼ ଦର୍ଶନ', ବ୍ୟାସକବି ଫକୀରମୋହନ ସେନାପତିଙ୍କର ‘ଉତ୍କଳ ଭ୍ରମଣ’ ଆଦି କୃତିଗୁଡ଼ିକ ପାଠକର ଦୃଷ୍ଟି ଆକର୍ଷଣ କରେ ।

 

ଏହି ପରିପ୍ରେକ୍ଷୀରେ ଭଦ୍ରକ ଅଞ୍ଚଳର (ସାହାପୁର) ଆଉ ଜଣେ ବ୍ୟକ୍ତି, ଯିଏକି ଜଣେ ଜମିଦାର ଓ ଇଂରେଜଶାସନ କାଳରେ ଜଣେ ଇଂଜିନିୟର ଶ୍ରୀ ଭଗବାନ ପ୍ରସାଦ ଦାସ ‘ଭଦ୍ରଖ-ଭରମଣ' ନାମରେ ଏକ ଭ୍ରମଣକାହାଣୀ ପଦ୍ୟରୀତିରେ ଲେଖିଥିବାର ପାଠକର ସ୍ମୃତିର ପଥକୁ ଆସେ । ଏହା ୧୮୮୦ ମସିହାରେ ରଚିତ ଓ ଏହା ୪୦ ପୃଷ୍ଠାର ୩୯୫ ପଦ ବିଶିଷ୍ଟ ଏକ ଭ୍ରମଣ ବୃତ୍ତାନ୍ତ । ମାତ୍ର ଦୁଃଖ ଓ ପରିତାପର ବିଷୟ, ସମୟର ସ୍ରୋତରେ ଏହା ଲୀନ ହୋଇଯାଇଛି । ପଠନ ଓ ଆଲୋଚନା ତଥା ସୁଲଭତା ଅଭାବରୁ ଏହି ପୁସ୍ତକଟି ଲୋକଲୋଚନର ଅନ୍ତରାଳେ ଦୀର୍ଘ ବର୍ଷଧରି ରହିଯାଇଛି । ଓଡ଼ିଶା ଭ୍ରମଣ ସାହିତ୍ୟରେ ଗବେଷଣା ହୋଇଥିଲେ ମଧ୍ୟ ଏହି ପୁସ୍ତକଟି ଏ ପର୍ଯ୍ୟନ୍ତ ପାଠକ, ଆଲୋଚକ ଓ ଗବେଷକମାନଙ୍କ ଅଗୋଚରରେ ରହିଯାଇଛି । ଏହା ଓଡ଼ିଶାବାସୀ ତଥା ଭଦ୍ରକବାସୀଙ୍କ ପାଇଁ ଏକ ଦୁର୍ଯୋଗ ବୋଲି କହିବାକୁ ହେବ ।

 

ଭଦ୍ରକ ତଥା ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ କବିଶେଖର ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩) କେତୋଟି ଭ୍ରମଣ ବୃତ୍ତାନ୍ତ ପଦ୍ୟରୀତିରେ ମଧ୍ୟ ରଚନା କରିଥିଲେ । ଏହି କୃତି କେତୋଟି ହେଲା - ‘ଉଦ୍ୟାନ ଖଣ୍ଡ' (୧୯୧୮), ପଞ୍ଚଧାରା (୧୯୪୦), ପାଟଣାକାବ୍ୟ (୧୯୪୧), ଋଷିରାଜ୍ୟ (୧୯୪୧), ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ୧୮୮୦ ମସିହାରେ (ପ୍ରାୟ ୨୯ବର୍ଷ ପୂର୍ବରୁ) ଶ୍ରୀ ଭଗବାନ ପ୍ରସାଦ ଦାସ ଆଲୋଚ୍ୟ ‘ଭଦ୍ରଖ - ଭ୍ରମଣ’ ରଚନା କରିଥିବାର ଜଣାଯାଏ । ଏହାର କବି ଭଗବାନ ଦାସ ଏହି ପଦ୍ୟରଚନାରେ କବିଶେଖରଙ୍କୁ ଲକ୍ଷ୍ୟକରି ଗୋଟିଏ ସ୍ଥାନରେ ଲେଖିଛନ୍ତି-

 

‘‘ସାଧୁ ସାଧୁ ତୁମ୍ଭ କାର୍ଯ୍ୟ ବାବୁ ଚିନ୍ତାମଣି

ରାୟକବି ଯାହାଙ୍କର ଲେଖନୀକୁ ଗଣି ।

ସମ୍ବାଦପତ୍ରରେ କରି ଅଛନ୍ତି ପ୍ରଚାର,

ମୋ ବିଚାରେ ଚିନ୍ତାମଣି ପଣ୍ଡିତ ଭାଷାର ।’’

ତୁମ୍ଭପରି ପାଞ୍ଚଜଣ ସ୍ଵଦେଶରେ ଥିଲେ,

ଜନନୀ କଷଣ ନଥାନ୍ତା ଏତେ କାଳେ

ମଙ୍ଗଳରେ ତୁମ୍ଭ ଦିନ ନେବେ ନାରାୟଣ,

ଦୀର୍ଘ ଜୀବୀ ହୁଅ ବାବା କରୁଛି କଲ୍ୟାଣ ।

ସାନବଡ଼ କରି କେତେ ଲେଖିଅଛ ବହି,

ଦେଶରେ କେ ନଚିହ୍ନଲା ଅଣ୍ଡିରା କି ମାଇ

ଗୁଣିକୁ ଚିହ୍ନିବେ ଗୁଣୀ ଯାହେଉ, ତାହେଉ,

ସଦାକାଳେ ଉଠୁଥାଉ କବିତାର ଢେଉ ।’' (ପୃ : ୩୭)

(ରାୟ କବି - କବିବର ରାଧାନାଥ ରାୟ)

 

ଊନ୍ନବିଂଶ ଶତାବ୍ଦୀରେ (୧୮୮୦) ଏହା ରଚିତ ହୋଇଥିଲେ ମଧ୍ୟ ଏକବିଂଶ ଶତାବ୍ଦୀରେ (୨୦୧୦) ବି ଏହା ଅନାଲୋଚିତ ହୋଇ ରହିଯାଇଛି । ଏହା ବିଧିର ବିଡ଼ମ୍ବନା ମାତ୍ର । ଏହି ଭ୍ରମଣ ଗୀତିକାଟିକୁ ଆଲୋଚନା କଲେ, ଭଦ୍ରକ ତଥା ଓଡ଼ିଆ ଭ୍ରମଣ ସାହିତ୍ୟ ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିବ । ଏଥିପାଇଁ ଏହି ପୁସ୍ତକଟି ସଂପର୍କରେ ସାଧାରଣରେ କିଞ୍ଚିତ ଆଲୋକପାତ କରିବା ଆବଶ୍ୟକ । ଏପରି ହେଲେ, ଓଡ଼ିଆ ଭ୍ରମଣ ସାହିତ୍ୟକୁ ଭଦ୍ରକର ଦାନ ସଂପର୍କରେ ଆଉ ଗୋଟିଏ ପାହାଚ ଆଲୋକିତ ହୋଇଯିବ ।

 

।। ଦୁଇ ।।

 

‘ଭଦ୍ରଖ- ଭ୍ରମଣ’ ପଦ୍ୟରୀତିରେ ରଚିତ ୪୦ ପୃଷ୍ଠାର ଏକ କ୍ଷୁଦ୍ରକାବ୍ୟ । ଏହାର ପ୍ରଥମ ସଂସ୍କରଣ ୧୮୮୦ ମସିହାରେ ପ୍ରକାଶ ପାଇଥିଲା । ଏହାର ପୃଷ୍ଠା ସଂଖ୍ୟା ଥିଲା ୪୦ । ଦ୍ୱିତୀୟ ସଂସ୍କରଣ ୨୦୦୩- ପ୍ରକାଶକଙ୍କ ଲେଖନୀରୁ - ‘ସେ ୧୮୮୦ ମସିହାରେ ଉକ୍ତ ‘ଭଦ୍ରକ ଭ୍ରମଣ’ ପୁସ୍ତକ ରଚନା କରିଛନ୍ତି । ଏହାର ଦ୍ୱିତୀୟ ସଂସ୍କରଣ - ୨୦୦୩ ମସିହାରେ (ତା୧୮/ ୩/ ୨୦୦୩ରିଖ, ହୋଲି) ଭଦ୍ରକସ୍ଥିତ ସାହାପୁର ନିବାସୀ ଶ୍ରୀ ଉଦୟ ନାରାୟଣ ଦାସ ପ୍ରକାଶ କରିଥିଲେ । ଏହାର ପୃଷ୍ଠା ସଂଖ୍ୟା ଥିଲା ୩୭ । ଏହି ଦ୍ଵିତୀୟ ସଂସ୍କରଣର ପ୍ରାରମ୍ଭିକ ପୃଷ୍ଠାରେ ପ୍ରକାଶକ ଶ୍ରୀ ଉଦୟ ନାରାୟଣ ଦାସ ଲେଖିଛନ୍ତି - ‘‘ଲେଖକ ଭଗବାନ ପ୍ରସାଦ ଦାସଙ୍କ ପୁତ୍ର ସୁରେଶ ଚନ୍ଦ୍ର ଦାସ ପରବର୍ତ୍ତୀ ସମୟରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ । ମୁଁ ସୁରେଶ ଚନ୍ଦ୍ର ଦାସଙ୍କ ଏକମାତ୍ର ପୁତ୍ର, ବାର୍ଦ୍ଧକ୍ୟ କାଳରେ ଉକ୍ତ ପୁସ୍ତକଟି ଏକ ପୁରୁଣାନଥି ଗଦାରୁ ଭଗବାନଙ୍କ କରୁଣାରୁ ପ୍ରାପ୍ତ ହେଲି, ଏହା ମୋର ସୌଭାଗ୍ୟ ।’’ ବଂଶାନୁକ୍ରମେ ଜମିବାଡ଼ିର ନଥିପତ୍ର ମଧ୍ୟରେ ଏହି ପୁସ୍ତକଟି ବସ୍ତାନୀ ମଧ୍ୟରେ ରହିଯାଇଥିଲା । ସୌଭାଗ୍ୟକୁ ଏହା ମିଳିଥିଲା । ସ୍ଵର୍ଗତ ଭଗବାନ ପ୍ରସାଦ ଦାସ ଲେଖିଛନ୍ତି ପ୍ରକାଶକ ଶ୍ରୀ ଉଦୟ ନାରାୟଣ ଦାସଙ୍କର ଜେଜେବାପା ।

 

ଏବେ ସ୍ଵର୍ଗତ ଭଗବାନ ପ୍ରସାଦ ଦାସଙ୍କର ସଂପର୍କରେ ଯାହା ଅଳ୍ପକିଛି ତଥ୍ୟ ମିଳୁଛି - ତାହା ଉଲ୍ଲେଖ କରାଯାଉଛି - ।

 

ଇଂଜିନିୟର ତଥା କବି ସ୍ଵର୍ଗତ ଭଗବାନ ପ୍ରସାଦ ଦାସଙ୍କ ଜନ୍ମ ବାଲେଶ୍ଵର ଜିଲ୍ଲା (ଏବର ଭଦ୍ରକ ଜିଲ୍ଲା)ର ଭଦ୍ରକ ଥାନା ଅନ୍ତର୍ଗତ ରାନ୍ଦିଆ ଓରଗଡ଼ା ପ୍ରଗଣା ଅନ୍ତର୍ଗତ ସାହାପୁର ଗ୍ରାମରେ । ଜାତିରେ ସେ କରଣ ଏବଂ ଜୀବିକା - ଜମିଦାରୀ ଥିଲା । ତାଙ୍କ ସ୍ତ୍ରୀଙ୍କ ନାମ- ଶ୍ରୀମତୀ କୃଷ୍ଣପ୍ରିୟା ଦାସ । ଭଗବାନ ଦାସ ସ୍ୱର୍ଗାରୋହଣ କରିଥିଲେ ୧୯୩୦ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ । ଅର୍ଥାତ୍‌ ସେ ପ୍ରାୟ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ଥିଲେ । ତାଙ୍କର ଏକମାତ୍ର ପୁଅ ହେଲେ ସୁରେଶ ଚନ୍ଦ୍ର ଦାସ । ସେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ । ତାଙ୍କର ସ୍ଵର୍ଗାରୋହଣ ହୋଇଥିଲା ୧୯୬୮ ମସିହାରେ । ତାଙ୍କର ଏକମାତ୍ର ପୁତ୍ର ହେଲେ ସ୍ଵର୍ଗତ ଉଦୟ ନାରାୟଣ ଦାସ । ତାଙ୍କର ଜନ୍ମ ଜାନୁଆରୀ ୧୨ ତାରିଖ ୧୯୨୧ ମସିହା ଏବଂ ସ୍ଵର୍ଗାବାସ ହେଲା- ଜୁଲାଇ ୧୯ ତାରିଖ ୨୦୦୫ ମସିହାରେ । ଉଦୟ ନାରାୟଣ ଏହି ‘ଭଦ୍ରକ ଭ୍ରମଣ’ ଗୀତିକା ଉଦ୍ଧାର କରିଥିଲେ । ଏହାଙ୍କର ୬ପୁଅ ଓ ୩ ଝିଅ ।

 

ବଂଶଲତା

ଭଗବାନ ପ୍ରସାଦ ଦାସ (ସ୍ତ୍ରୀ- କୃଷ୍ଣପ୍ରିୟା ଦାସ)

ସୁରେଶ ଚନ୍ଦ୍ର ଦାସ (ସ୍ତ୍ରୀ- ବସନ୍ତକୁମାରୀ ଦେଈ)

ଉଦୟ ନାରାୟଣ ଦାସ (ସ୍ତ୍ରୀ- ନୀହାର ନଳିନୀ ଦାସ)

 

ଭାଗବତ      ଅଞ୍ଜଳି      ମିହିର      କଲ୍ୟାଣୀ      ହିମାଂଶୁ      ରଶ୍ମିରେଖା ଅମିୟ ଭବାନୀ ଦେବୀପ୍ରସାଦ

ପ୍ରସାଦ      (କନ୍ୟା)            (କନ୍ୟା)            (କନ୍ୟା)

 

ସ୍ଵର୍ଗତ ଭଗବାନ ପ୍ରସାଦ ଦାସଙ୍କ ପୂର୍ବ ପୁରୁଷମାନେ ଖୋର୍ଦ୍ଧା ଅଞ୍ଚଳରୁ ଆସିଥିଲେ ବୋଲି ଶୁଣାଯାଏ । ପୁଣି ଭଦ୍ରକରୁ ପରବର୍ତ୍ତୀ ବଂଶଧରମାନେ ମୟୂରଭଂଜ ଜିଲ୍ଲାର କରଂଜିଆକୁ ସ୍ଥାନାନ୍ତରିତ ହୋଇଥିବାର ଜଣାଯାଏ ।

 

୧୯୧୬ ମସିହାରେ ଇଂରେଜଶାସନ ବେଳେ ଯେତେବେଳେ ଭଦ୍ରକର ସାଳନ୍ଦୀ ନଦୀ ଉପରେ ଲୁହାର ପୋଲ ରାଜଘାଟ ନିର୍ମିତ ହେଲା, ସେତେବେଳେ ସ୍ଵର୍ଗତ ଭଗବାନ ପ୍ରସାଦ ଦାସ ଥିଲେ ଜଣେ ଇଞ୍ଜିନିୟର ଅର୍ଥାତ୍‌ ସେତେବେଳକୁ ତାଙ୍କର ବୟସ ହୋଇଥିଲା ପ୍ରାୟ ୩୬ ବର୍ଷ । ସେ ଜଣେ ଜମିଦାର ଓ ଜଣେ ଇଞ୍ଜିନିୟର ହେତୁ ତାଙ୍କୁ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ପଡ଼ୁଥିଲା । ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ସହିତ ସଂପର୍କ ଥିଲା । ବୋଧହୁଏ ଏହି ଜନସଂପର୍କ - ‘ଭଦ୍ରକ- ଭ୍ରମଣ’ ପରି ଏକ ପଦ୍ୟରଚନାର ମୂଳ ଉତ୍ସ । ମାତ୍ର ଏହା ଲୋକ ଲୋଚନକୁ ଆସିପାରି ନଥିବାରୁ ଦୁଇପିଢ଼ି ପର୍ଯ୍ୟନ୍ତ ଏହା ଅଜ୍ଞାନ ଅନ୍ଧକାରରେ ଲୁଚି ରହିଥିଲା । ଏହାର ପ୍ରଥମେ ୧୮୮୦ ମସିହାରେ ପ୍ରକାଶ ପାଇଥିଲେ ମଧ୍ୟ ୨୦୦୩ ମସିହାରେ ଲୋକଲୋଚନକୁ ଆସିଥିଲା । ଅର୍ଥାତ୍‌ ଏହି ଗ୍ରନ୍ଥ ଲୋକଲୋଚନକୁ ଆସିବାକୁ ପ୍ରାୟ ୧୨୩ ବର୍ଷ ଲାଗିଥିଲା ।

 

।। ତିନି ।।

 

୨୦୦୩ ମସିହା ମାର୍ଚ୍ଚ ୧୮ ତାରିଖରେ ସ୍ଵର୍ଗତ ଭଗବାନ ପ୍ରସାଦ ଦାସଙ୍କ ନାତି ସ୍ଵର୍ଗତ ଉଦୟ ନାରାୟଣ ଦାସ (୧୯୨୧-୨୦୦୫) ‘ଭଦ୍ରଖ ଭ୍ରମଣ'ର ଦ୍ୱିତୀୟ ପ୍ରକାଶ କରିଥିଲେ । ମାତ୍ର ଏହାର ପ୍ରଥମ ପ୍ରକାଶ ୧୮୮୦ ମସିହାରେ ହୋଇଥିଲା ବୋଲି ଏହି ପୁସ୍ତକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାର ପ୍ରାରମ୍ଭରେ ଭଦ୍ରକର ତତ୍‌କାଳୀନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଶ୍ରୀକାନ୍ତ କୁମାର ପାଇକରାୟ ବାର୍ତ୍ତା ଦେଇ ଲେଖିଛନ୍ତି - ଲେଖକ ୧୮୮୦ ମସିହାର ଜଣେ ଇଞ୍ଜନିୟର ଥାଇ ମଧ୍ୟ ଏପରି ଏକ କବିତା ପୁସ୍ତକ ମାଧ୍ୟମରେ ଭଦ୍ରଖ ଇଷ୍ଟେଟର ସମସ୍ତ ବିଷୟ ନିଖୁଣ ଭାବେ ଚିତ୍ରଣ କରିଛନ୍ତି । ଏହା ଭଦ୍ରକ ଇତିହାସର ପ୍ରଥମ ପୁସ୍ତକ ଭାବରେ ବହୁ ଜନାଦୃତ ହୋଇ ଗବେଷକମାନଙ୍କୁ ସାରଗର୍ଭକ ତଥ୍ୟମାନ ଯୋଗାଇବ ବୋଲି ମୋର ଆଶା ଓ ବିଶ୍ୱାସ ।’

 

ସ୍ଵର୍ଗତ ଭବବାନ ପ୍ରସାଦ ଦାସଙ୍କ ନାତି ସ୍ଵର୍ଗତ ଉଦୟ ନାରାୟଣ ଦାସ ବୃଦ୍ଧାବସ୍ଥାରେ ପୁରୁଣା ନଥିପତ୍ର ଗଦାରୁ ଏହି ଜୀର୍ଣ୍ଣଶୀର୍ଣ୍ଣ ପୁସ୍ତକଟି ଉଦ୍ଧାର କରିଥିଲେ । ଏହି ପୁରୁଣା ବହିର ମଲାଟ ଚିରିଯାଇଛି । ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା- ଅର୍ଥାତ୍‌ ୪୦ ପର୍ଯ୍ୟନ୍ତ ଏହା ଅକ୍ଷତ ରହିଛି । (କିନ୍ତୁ ଦ୍ୱିତୀୟ ପ୍ରକାଶର ପୃଷ୍ଠା ସଂଖ୍ୟା ଥିଲା - ୩୭୬ । ଏହାର ଶେଷରେ 'ସମାପ୍ତ' ବୋଲି ଲେଖାଯାଇଛି । କେବଳ ସେତିକି ନୁହେଁ, ଏହାର ଶେଷପଦରେ ଲେଖାଅଛି -

 

‘‘ମୋ ପ୍ରତି ସୁଦୟା ସର୍ବେ କର ଧରେଁ ହାତ

ହରି ହରି ହରି ଏବେ ସମାପ୍ତ ମୋ ଗୀତ । (ପୃ- ୪୦)

 

ପ୍ରଥମ ପ୍ରକାଶିତ ପୁସ୍ତକଟିର ଆକାର ଫୁଲ୍‌ସ୍କେପ- ୧/୮ ଏବଂ ପାଇକା ଅକ୍ଷର ୧୨ ପଏଣ୍ଟ ଅକ୍ଷରରେ ମୁଦ୍ରିତ ହୋଇଛି । ଯେହେତୁ ଏହାର ପ୍ରଚ୍ଛଦପଟ ସହିତ ସଂଲଗ୍ନ ପୃଷ୍ଠା ନାହିଁ, ତେଣୁ ଏହା କେଉଁ ପ୍ରେସରେ ମୁଦ୍ରିତ ଓ ଏହାର ମୂଲ୍ୟ ପ୍ରସଂଗରେ କିଛି ଜଣାଯାଉ ନାହିଁ । ତେବେ ଏହାର ଅକ୍ଷର ବହୁ ପୁରୁଣା ଶୈଳୀରେ ନିର୍ମିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଏଥିରେ 'ଅ' ଅକ୍ଷରଟି ବହୁ ସମୟରେ ‘ୟ’ ଭାବରେ ଲିଖିତ । ଅର୍ଥାତ୍‌ ସେତେବେଳେ ଏପରି ଅକ୍ଷର ପ୍ରଚଳନ ଥିଲା । ଏଥିରୁ ଏହି ପୁସ୍ତକର ପ୍ରାଚୀନତା ସଂପର୍କରେ ସୂଚନା ମିଳେ । ଏଥିରୁ ଗୋଟିଏ ଉଦାହରଣ -

 

‘ପଶ୍ଚିମରେ ଶୈଳମାଳା ମାଡ଼ି ବସି ୟଛି,

ବନ୍ୟ ଦ୍ରବ୍ୟ ମହୌଷଧି ରଖି ୟଛି ଗଛି !’' (ପୃ-୧)

 

ମୁଦ୍ରଣକଳାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା - ଏକ ପ୍ରସଂଗ ଆରମ୍ଭରେ ‘ଅନୁଚ୍ଛେଦ’ ଆରମ୍ଭ ହେଲାପରି ଆରମ୍ଭରେ ସାମାନ୍ୟ ଶୂନ୍ୟସ୍ଥାନ ରହିଛି । ମାତ୍ର ଏପରି ଚଳଣି ଏବେ ନାହିଁ । ଯଥା-

 

‘ଗେଲଟିଆ କେଡ଼େ ଜଣାଶୁଣା ଗ୍ରାମ ଥିଲା,

ଦୈନ୍ୟତା କ୍ରମେ ତା’ ପ୍ରଭାଢାଙ୍କି ପକାଇଲା’ (ପୃ- ୨୫)

 

ଏହିସବୁ ମୁଦ୍ରଣ ଶୈଳୀ ଏହାର ପ୍ରକାଶକାଳର ପ୍ରାଚୀନତାକୁ ସୂଚାଇଦିଏ ।

 

ଏହି ୪୦ ପୃଷ୍ଠା (୧ମ ପ୍ରକାଶ) ବିଶିଷ୍ଟ ପଦ୍ୟପୁସ୍ତକର ପଦସଂଖ୍ୟା ୩୯୫ । ପ୍ରତିପଦ ଦୁଇପାଦ ବିଶିଷ୍ଟ ଏବଂ ପ୍ରତିପାଦ ୧୪ ଅକ୍ଷର ବିଶିଷ୍ଟ ଯଥା -

 

‘ଭଦ୍ରଖ ବିଖ୍ୟାତ ସ୍ଥାନ ଉତ୍କଳ ବକ୍ଷରେ

ଯାହାର ପ୍ରକୃତି ଦୃଶ୍ୟ ଜନମନ ହରେ ।’ (ପୃ- ୧)

 

ଏହି ପୁସ୍ତକର ପ୍ରାରମ୍ଭରେ ଭଦ୍ରକର ଚତୁର୍ଦ୍ଦିଗସ୍ଥ ସୀମା ବର୍ଣ୍ଣନା କରାଯାଇଛି ।

 

‘ପୂର୍ବରେ ସାଗର ଗର୍ଜ୍ଜେ ପ୍ରହରୀ ପରାୟେ,

ଲବଣ ଶମ୍ବୁକ ରତ୍ନ ପ୍ରବାଳ ଯୋଗାଏ ।

ପଶ୍ଚିମରେ ଶୈଳମାଳା ମାଡ଼ି ବସି ୟଛି

ବନ୍ୟଦ୍ରବ୍ୟ ବନୌଷଧି ରଖି ୟଛି ଗଛି ।

ଦକ୍ଷିଣରେ ବୈତରଣୀ ପୁଣ୍ୟ ତୀର୍ଥ ନଈ

ପୁଣ୍ୟ ଦେଇ ନରଠାରୁ ପାପ ନିଏ ଧୋଇ ।

ଉତ୍ତରରେ କାଂଶବାଂଶ ପରିଖା ସମାନ

ଭଦ୍ରଖ ସୋରୋକୁ କରୁଛି ବ୍ୟବଧାନ’ ପୃ- ୧)

 

ମୋଗଲ ସାମ୍ରାଜ୍ୟ କାଳରେ ଭଦ୍ରକ ଏଗାର ‘କିଲା’ ବିଶିଷ୍ଟ ଏକ ସର୍କାର ଥିଲା । ପରେ ଇଂରେଜ ସରକାରଙ୍କ ଅମଳରେ ଏହା ଏକ ସବଡିଭିଜନ ୧୮୨୮ ମସିହାରେ ପରିଣତ ହେଲା । ପୁଣି ୧୯୯୩ ମସିହା ଏପ୍ରିଲ ମାସରେ ଏହି ଭଦ୍ରକ ଏକ ସ୍ଵତନ୍ତ୍ର ଜିଲ୍ଲାରେ ପରିଣତ ହେଲା ।

 

ଭଦ୍ରଖ ସର୍କାର ତଳେ ଏକାଦଶ କିଲା,

କାଳ କବଳରେ ପଡ଼ି ଚିହ୍ନ ନ ରହିଲା । (ପୃ- ୨)

 

କବି ଭଗବାନ ପ୍ରସାଦ ଭଦ୍ରକ ଇଷ୍ଟେଟର ବିଭିନ୍ନ ସ୍ଥାନର ବର୍ଣ୍ଣନା ସହିତ ତାହାର ବୈଶିଷ୍ଟ୍ୟ ଉଲ୍ଲେଖ କରିଛନ୍ତି । ଏହି ସବୁ ସ୍ଥାନ ହେଲା- ଜାନୁଗଞ୍ଜ, କୁପାରୀ, ଅଗ୍ରପଡ଼ା (ଅଗରପଡ଼ା), ମିର୍ଜାପୁର, ସନ୍ଥିଆ, କୋଠାର, ତାଳପଦା, ପାଳିଆ, ଗେଲଟିଆ, ଆରଡ଼ି, ମଉଦା, ମରିପୁର, ଜଗନ୍ନାଥପୁର, ବାଲିଖଣ୍ଡ, ଅଡ଼ା, ଚୂଡ଼ାମଣି, ଗୁଆମାଳ, ଦରଡ଼ା, ନଳାଙ୍ଗ, ଅସୁରା, ଆରଡ଼ି, ଆହାରପଦା ପ୍ରଭୃତି ।

 

କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରାଯାଇଛି । ଯଥା - ବଂଶୀବଲ୍ଲଭ ଗୋସ୍ଵାମୀ, ଚତୁର୍ଭୁଜ ପଟ୍ଟନାୟକ ପଞ୍ଚୁମିଆଁ, ପଦ୍ମଚରଣ, ଜଗନ୍ନାଥ ପାଣି, ଛକଡ଼ି, ନିମାଇଁ ଚରଣ, ମଥୁରା ମୋହନ ପାଢ଼ୀ, ଜଗବନ୍ଧୁ, ପର୍ଶୁ ପାଣିଗ୍ରାହୀ, ନଜିର ମିଆଁ ପ୍ରଭୃତି । କେବଳ ଗୁଣୀଲୋକ ନୁହେଁ, କେତେଜଣ ମନ୍ଦ ପ୍ରକୃତିର ଲୋକଙ୍କର ମଧ୍ୟ ଭଗବାନ ସ୍ମରଣ କରିଛନ୍ତି । ସେମାନେ ହେଲେ- ବାଲିଖଣ୍ଡର ଜମିଦାର- ରଘୁନାଥ ପାଣିଗ୍ରାହୀ, ଜୟକୃଷ୍ଣ, ଗ୍ଵାଲି ମିଆଁ, ବୃନ୍ଦାବନ କାନଗୋଇ ପ୍ରଭୃତି । ଏଥିପାଇଁ ସେ ଦୁଃଖିତ ହୋଇ ଗ୍ରନ୍ଥର ଶେଷ ଭାଗରେ ଲେଖିଛନ୍ତି -

 

‘ଯେବେ ଯାହା ବୁଡ଼ ମୁଁ ତ ନପାରିଲି ସହି,

କଡ଼ାମିଠା କେତେ କଥା ଚାଲିଗଲି କହି ।

ନିତାନ୍ତ ଭାଗରେ ଏବେ ହେବ ଜର ଜର

ଉଇଥ୍‌ଡ୍ର କରିନେବ ଲେଖାଟି ମୋହର ।’ (ପୃ-୪୦)

 

ଭଦ୍ରକ ଅଞ୍ଚଳର କେତୋଟି ଧାର୍ମିକ ତଥା ଦର୍ଶନୀୟ ସ୍ଥାନର ବର୍ଣ୍ଣନା କରିଛନ୍ତି । ଯଥା –

 

(କ) ଭଦ୍ରକାଳୀ -

‘‘ଭଦ୍ରଖର ଭଦ୍ରକର୍ତ୍ତ୍ରୀ ଭଦ୍ରକାଳୀ ଦେବୀ,

ମେଘାସନ ସୁତା ଖଟେ ଯାଇ ପଦ ସେବି ।

ତାହାଙ୍କ ପବିତ୍ର ପୀଠ ସ୍ଥାନେ ମୁଣ୍ଡମାରି,

ବାହାରିଲି ପାନକରି ପାଦୋଦକ ବାରି ।’'

(ପୃ୩୦- ୩୧)

 

(ଖ) ଆରଡ଼ି ଈଶ୍ୱର-

‘‘ସାଳନ୍ଦୀ ଆଡ଼ି ଉପରେ ଆରଡ଼ି ଗ୍ରାମର,

ନିବସନ୍ତି ବୁଢ଼ା ଶିବ ଆରଡ଼ି ଈଶ୍ୱର,

ସୁଧା ଧବଳିତ ଦିଶେ ତାହାଙ୍କ ସଉଧ,

ଚୋର ଚିହ୍ନାପଡ଼େ ଛୁଇଁ ବାହନ କକୁଦ ।।’’

(ପୃ- ୩୧)

 

(ଗ) ସନ୍ଥିଆ ନଗର -

‘‘ଭଦ୍ରଖ ମୁକ୍ତି ମଣ୍ଡପ ସନ୍ଥିଆ ନଗର

ବିଧାନ ଦାତା ସମସ୍ତେ ହେଲେ ଛାରଖାର ।’' (ପୃ- ୩)

ସେ କେତେଜଣ ବିଶିଷ୍ଟ କବିଙ୍କ ଗୁଣକୀର୍ତ୍ତନ କରିଛନ୍ତି ।

 

(କ) କବି ବଂଶୀବଲ୍ଲଭ ଗୋସ୍ଵାମୀ - ଚଇତିତାମସା ତଥା ମୋଗଲ ତାମସାର ଲେଖକ ବଂଶୀବଲ୍ଲଭଙ୍କ ବିଷୟରେ ସେ ପଦେ ଲେଖିଛନ୍ତି ।

 

‘‘ନାନାଦି ଭାଷାରେ କବି ଯେ ବଂଶୀବଲ୍ଲଭ,

ଲେଖିଥିଲେ କାବ୍ୟମାଳା ସରସ ଦୁର୍ଲ୍ଲଭ । (ପୃ- ୩)

 

(ଖ) କବି ଜଗନ୍ନାଥ ପାଣି

‘‘ନଳାଙ୍ଗ ଗ୍ରାମରେ ଥିଲେ ଜଗନ୍ନାଥ କବି,

ତାଙ୍କ ଗୀତ ଯେ ଶୁଣେ ତା’ ହୁଦଯାଏ ଦ୍ରବି ।

ସରଳ ମଧୁର ରମ୍ୟ ଯମକାନୁପ୍ରାସେ,

ଗାଇଗଲେ କେତେ ଗୀତ କଳିବ କିଏ ସେ ।’' (ପୃ-୨୩)

 

(ଗ) କବି ପଦ୍ମଚରଣ ନାୟକ-

‘‘ଆଏ ମୋର ସାନ ଭାଇରେ ପଦ୍ମଚରଣ,

ଛାତି କୁଣ୍ଢେହୁଏ ଦେଖି ତୋ ସୌମ୍ୟ ବଦନ ।

ସାହିତ୍ୟଚର୍ଚ୍ଚାରେ ତୁହି ସମର୍ପିଛୁ ପ୍ରାଣ,

ଦୀର୍ଘଜୀବୀ ହୁଅ ବାବୁ କରୁଛି କଲ୍ୟାଣ ।

ଉନ୍ନତିର ଚାଙ୍ଗ ଖାଲି ନୁହେଁ ପଦ୍ୟ ଲେଖା,

ଦେଶର ଅଭାବମାନ ଖୋଜି କିଛି ଲେଖା ।’' (ପୃ-୨୦)

 

ଭଦ୍ରଖ ଅଞ୍ଚଳର ନୃତ୍ୟ, ସଂଗୀତ କଳାର ସେବା ପାଇଁ ଭଗବାନ କେତେଜଣଙ୍କୁ ସ୍ମରଣ କରିଛନ୍ତି । ଯଥା-

 

(କ) ଚୂଡ଼ାମଣିର କାନଗୋଇ ଜମିଦାର-

‘‘ଚୂଡ଼ାମଣି କାନଗୋଇ ଦେହ ସୁଖ ପାରି,

ବହୁବ୍ୟୟ କଲେ ଯାଏ ଗଙ୍ଗାବାଲି ସରି,

ତକ୍କଟ ତିତିକଟ ଧ୍ରୂପଦର ତାଳ,

ବସିମାରୁ ଥିବ ବଞ୍ଚିଥିବ ଯେତେ କାଳ ।’’ (ପୃ-୧୧)

 

(ଖ) ଗିରିଶ ଚନ୍ଦ୍ର-

‘‘ତାନ୍‌ସେ ଗିରିଶ ଚନ୍ଦ୍ର ବଜାଅ ସେତାର,

ସାରିଗମ ପଦ ନିଶା ଭଲ ଗାଇ ଗାଇ ପାର ।

ସ୍ଵଦେଶୁଁ ଗାନ୍ଧର୍ବ ବିଦ୍ୟା କ୍ରମେ ହରିଗଲା ।

ତୁମ୍ଭେ ସୁଖେ ଅଛଭାଇ ଗୋଟି ଜାଗ ଭଲା ।’'

(ପୃ ୩୩- ୩୪)

 

କେତୋଟି ପଦ ମଧ୍ୟରେ ତତ୍କାଳୀନ ସମାଜର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ସେ ଥିଲେ ଇଂରେଜ ଶାସନ କାଳରେ ଜଣେ ଜମିଦାର ଏବଂ ଇଂଜିନିୟର ମଧ୍ୟ । ତେଣୁ ଇଂରେଜମାନଙ୍କ ବିରୋଧରେ ଯିବା ତାଙ୍କ ପାଇଁ ବିପଦର କାରଣ ହେବ । ବରଂ ତାଙ୍କ ଶାସନରେ ଭଦ୍ରକ ଅଞ୍ଚଳର ଲୋକେ ବେଶ୍‌ ଖୁସିରେ ଥିଲେ ବୋଲି ସେ ପ୍ରସଂଗ କ୍ରମେ ଲେଖିଛନ୍ତି । ଯଥା-

 

‘‘ବିଦେଶୀ ଇଂରେଜ ଯେତେଦିନ ଭଦ୍ରକରେ

କର୍ତ୍ତାଥିଲେ ମାତିଥିଲେ ଦେଶ ମଙ୍ଗଳରେ ।

ଟୟନବି, ଫିଡ଼ିୟନ, ଷ୍ଟିଭେନ୍‌ସନ୍‌ ଫ୍ରେଜାର,

ମେଣ୍ଡିସ୍‌, ପ୍ରଭୃତି ଥିଲେ ଦୟାର ୟାଧାର ।

ଗରିବ ଓଡ଼ିୟା ଦୁଃଖ ଶୁଣି ସବୁବେଳେ,

ପ୍ରତିକାର ଲୋଡ଼ୁଥିଲେ ଦେଶ ପାତ୍ର କାଳେ ।’' (ପୃ-୪)

 

ମାତ୍ର ଆମ ଓଡ଼ିଶାର ପଡ଼ୋଶୀ ରାଜ୍ୟ ବଂଗବାସୀଙ୍କର ବ୍ୟବହାର ଦୁଃଖର କାରଣ ହୋଇଛି । ବୋଲି କବିଙ୍କର ମତ । ଯଥା-

‘‘କିନ୍ତୁ ସନ୍ନିକଟ ଭାଇ ବଙ୍ଗବାସୀଙ୍କର

ବିଧାନରେ ମନ ଦୁଃଖ ଉପୁଜେ ବିସ୍ତର ।’’ (ପୃ-୫)

 

ଶିକ୍ଷାର ଅବସ୍ଥା ଅତି ଗୁରୁତର ଥିଲା । ସେ ତେଣୁ ଲେଖିଛନ୍ତି -

‘‘କି କହିବି କାହାଠାରେ କିଏ ଦେବ ଦୁଃଖ,

ଶ୍ରୀହୀନ ହୋଇଲା ଆହା ଜନ୍ମଭୂମି ମୁଖ,

ବିଂଶତି ବର୍ଷରେ ଥରେ ଜଣେ ବିଏ ପାସ୍‌,

ଏଥିରୁ ବୁଝିବ ପାଠ ପଢ଼ାର ଅଭ୍ର୍ୟାସ ।’’ (ପୃ-୫)

 

ଭଦ୍ରଖ ଅଞ୍ଚଳର କୁଟୀର ଶିଳ୍ପ ବିଷୟରେ ଭଗବାନ ଦାସ ବର୍ଣ୍ଣନା କରିଛନ୍ତି –

 

‘‘ଜାନୁଗଞ୍ଜୀ ସରୁ ଲୁଗା ଉତ୍କଳେ ବିଦିତ,

କୁପାରୀ ପଥପାତ୍ର କାରୁକାର୍ଯ୍ୟାନ୍ୱିତ ।’’

ଅଗ୍ରପଡ଼ୀ (ଆଗରପଡ଼ା) ମଠା କାଟେ ଆନ ମଠା କାନ,

କେତେ ସ୍ଥାନେ କେତେ ଶିଳ୍ପ କେ କରେ ଗଣନା’ (ପୃ- ୨)

ବାସୁଆପଦା ବାସନ ଜାନୁଗଞ୍ଜୀ ଶଙ୍ଖା,

ନାଳକୁଳ ଗୁଆକାତି ମୂଲ୍ୟ ଟଙ୍କା ଟଙ୍କା ।’' (ପୃ-୩)

 

ସେହିପରି ବିଭିନ୍ନ ଉତ୍ସବ ଓ ଖେଳ ଆଦିର ମଧ୍ୟ ସ୍ଥାନ ପାଇଛି ଏହି ଗୀତିକାରେ । ଯଥା-

 

‘‘ଦୁର୍ଗୋତ୍ସବ କାରିଗରି ଚଇତ ସଙ୍ଗୀତ,

ହରିଗଲା ପରି ଭାବି ହୁଏ ମୁଁ ଚକିତ ।

ପୂର୍ବ ମହରମ ଖେଳ ଅସ୍ତ୍ର ଝନ୍‌ଝନି୍‌

ଯେ ଦେଖିଛି ଦିନେ ତାହା ମନ ଅଛି ମାନି ।’’ (ପୃ- ୪)

 

ଇଂରେଜ ଶାସନାଧୀନ ସେ ଜଣେ କର୍ମଚାରୀ ହେଲେ ମଧ୍ୟ ତାଙ୍କ ଆତ୍ମାରେ ସ୍ୱଦେଶ ପ୍ରୀତିର ଝଙ୍କାର ତଥାପି ଗୁମୁରି ଉଠିଛି । କେତୋଟି ପଂକ୍ତି ପଢ଼ିଲେ ଏହାର ପ୍ରମାଣ ମିଳିବ । ଯଥା-

 

(କ)

କି କହିବି କାହାଠାରେ କିଏ ନେବ ଦୁଃଖ,

ଶ୍ରୀହୀନ ହୋଇଲା ଆହା ଜନ୍ମଭୂମି ମୁଖ ।’’ (ପୃ- ୫)

(ଖ)

‘‘ଜନ୍ମଭୂମିର ଦୁର୍ଦ୍ଦଶା ଦେଖିବକି ବସି,

ଦେବ ପୂଜାଠାରୁ ଦେଶପୂଜା ଗରୀୟସୀ ।'’ (ପୃ ୨୪)

(ଗ)

‘‘ଭଦ୍ରଖର ସାନବଡ଼ ସର୍ବେ ଛାତ୍ର ଦଳ,

ତୁମ୍ଭେମାନେ ଭାବୀ ଆଶା ଭରସା କେବଳ,

ବସିଛନ୍ତି ମାତୃଭୂମି ତୁମ୍ଭ ମୁଖ ଚାହିଁ,

କର୍ତ୍ତବ୍ୟ ପାଳିବ ବୋଲି ତୁମ୍ଭେ ତାଙ୍କ ପାଇଁ ।

ଶିକ୍ଷାପଦେ ସମର୍ପଣ ନେଇ ମନପ୍ରାଣ,

କରିବ ସକାଳୁ ଉଠି ଜନ୍ମଭୂମି ଧ୍ୟାନ ।

ସରସ୍ଵତୀ ତୁମ୍ଭ କଣ୍ଠେ କରନ୍ତୁ ଆସନ,

ସୁସ୍ଥ ତୁମେ ସାଧ ବାପା ଦେଶର କଲ୍ୟାଣ ।’’ (ପୃ- ୩୯)

(ଘ)

‘ସ୍ୱଦେଶ ମଙ୍ଗଳ ଯଦି କରିବାକୁ ମନ,

ପ୍ରଥମେ ଇସ୍କୁଲଟିର ଫେଡ଼ାଅ କଷଣ ।

ଶାଖା ସମିତିକୁ କୁଳପିଣ୍ଡ ପଚିସ୍ଥାପ,

ତାହାର କାର୍ଯ୍ୟକୁ ମୂଳମନ୍ତ୍ର କରି ଜପ ।

କୃଷି, ବାଣିଜ୍ୟ, ସାହିତ୍ୟ, ଶିଳ ଉନ୍ନତିର,

ସଦା ଚର୍ଚ୍ଚା କଲେ ଦୁଃଖ ଘୁଞ୍ଚିବ ଦେଶର । (ପୃ- ୪୦)

 

 

କବି ଭଗବାନ ପ୍ରସାଦ ଜଣେ ଜମିଦାର ଓ ଇଞ୍ଜିନିୟର । ତେଣୁ ଜୀବନର ବ୍ୟସ୍ତତା ମଧ୍ୟରେ ସେ ଏପରି ଏକ ଗୀତପୁସ୍ତକ ରଚନା କରିବା- ନିଶ୍ଚୟ ଏକ ବ୍ୟତିକ୍ରମ । ସମଗ୍ର ୩୯୫ ପଦ ରଚନା ମଧ୍ୟର ତତ୍କାଳୀନ ସମାଜର ଶିକ୍ଷା, ସ୍ଵାସ୍ଥ୍ୟ, ସଂସ୍କୃତି, ସଂଗୀତ ଆଦିର ସୂଚନା କିଛିକିଛି ମିଳୁଛି । ତଥାପି ତାଙ୍କ ରଚନାରେ କାବ୍ୟିକ ସ୍ପର୍ଶର ମଧ୍ୟ ଚିହ୍ନ ରହିଛି । ଏକ ଉପମା ଅଳଙ୍କାର ସେ କିପରି ବ୍ୟବହାର କରିଛନ୍ତି ପାଠକ ଲକ୍ଷ୍ୟ କରିପାରନ୍ତି । ଯଥା-

 

‘‘ୟାହାର ଶାଢ଼ି ପଣତ ପରି ମା ସାଳନ୍ଦୀ,

ବହିଯାଏ କେତେ ଉପନଦୀ ମାନେ ଛନ୍ଦି

ଭାରତ ବିଖ୍ୟାତ ସଚ୍ଛା ସଳିଳା ଯାହାର,

ଭଦ୍ରଖର କଟିତଟେ ଯଥା ଚନ୍ଦ୍ରହାର । (ପୃ-୧)

 

ପ୍ରସଂଗକ୍ରମେ ସେ ତାଙ୍କ ରଚନାରେ ଇଂରାଜୀ, ଉର୍ଦ୍ଦୁ ଓ କଥିତ ଶବ୍ଦ କେତୋଟିକୁ ମଧ୍ୟ ଗ୍ରହଣ କରିଛନ୍ତି ଯଥା –

(କ)

ଇଂରାଜୀ ଶବ୍ଦ - ଉଇଥ୍‌ଡ଼୍ର

‘‘ନିତାନ୍ତ ରାଗରେ ଯେବେ ହେବ ଜର ଜର

ଉଇଥଡ୍ର କରିନେବି ଲେଖାଟି ମୋହର ।’’ (ପୃ-୪୦)

 

ଅନାହାରୀ ମାଜିଷ୍ଟ୍ରେଟ୍‌, ମନ୍ୟୁମେଣ୍ଟ -

‘‘ପାଇଥିଲ ପଦ ଅନରାରୀ ମାଜିଷ୍ଟ୍ରେଟ୍‌

ଜୟ ଜୟ ଜୟ ଭଦ୍ରଖର ମନ୍ୟୁମେଣ୍ଟ । (ପୃ୧୫- ୧୬)

(ଖ)

ଉର୍ଦ୍ଦୁଶବ୍ଦ - ମୁଷାଫିର

‘‘ହାୟ ହାୟ ପଞ୍ଚମିଆଁ କେଣେ ଗଲ ଛାଡ଼ି

ଶତ ଶତ ମୁଷାଫିର୍‌ ଦେଇଥିଲେ ଧାଡ଼ି । (ପୃ-୬)

ସବକୁଛ ମିଲ ଯାଇ-

‘‘ଡାଲ, ଅଟା ଘିଉ ଲାଓ ଭୋଗତ ବନାଇ

ଶ୍ୟାମ ଚାନ୍ଦ୍‌କେ ପରସାଦ୍‌ ସେ ସବକୁଛ ମିଲଯାଇ । (ପୃ- ୧୫)

(ଗ)

କଥିତ ଶବ୍ଦ -

କେଭେ - ‘‘ଭାରତ ପାପରେ ପୂର୍ଣ୍ଣ ଯେତେ ଦିନ ଥିବ,

ପ୍ରାଦେଶିକ ମମତା ଯେ କେଭେ ନ ହୋଇବ ।’' (ପୃ- ୪)

କିସ - ‘‘ବାୟା ହାତୀ ନନା ତୁମ୍ଭେ କହିବି ମୁଁ କିସ

କୁମାରପୁର ଇସ୍କୁଲ ଗାଉଛି ସୁପଥ ।’’ (ପୃ- ୧୯)

ଢେର- ‘‘ଦ୍ୱାରୀବାବୁ କରିଛନ୍ତି ଭଳ କାମ ଥୋକେ,

ଦେଇଯାଇଛନ୍ତି ଦାନା ଢେର ଢେର ଲୋକେ ।’' (ପୃ- ୩୫)

 

ସେ ତାଙ୍କର ‘ଭଦ୍ରଖ ଭ୍ରମଣ’- ଭ୍ରମଣ ଗୀତିକାରେ ‘ଭଦ୍ରଖ’ ଶବ୍ଦଟିକୁ ବାରମ୍ବାର ବ୍ୟବହାର କରିଥିଲେ ମଧ୍ୟ ମଝିରେ ମଝିରେ ‘ଭଦ୍ରକ’ ଶବ୍ଦଟିର ମଧ୍ୟ ବ୍ୟବହାର ରହିଛି ।

 

ଯଥା –

ଭଦ୍ରକ ସ୍କୁଲ ଦୁର୍ଦ୍ଦଶା ସାହେବ ନେତ୍ରରେ

ପଡ଼ିଲେ କି ପ୍ରତିକାର ନ କରନ୍ତେ ଥରେ । (ପୃ-୫)

 

ପୁଣି ‘ଅ' ଅକ୍ଷରଟିକୁ ‘ଚ’ ରୂପରେ ଏବଂ ‘ଆ’ ଅକ୍ଷରଟିକୁ ‘ଚା' ରୂପରେ ବ୍ୟବହାର କରାଯାଇଛି । ପୁଣି ମଝିରେ ମଝିରେ ‘ଅ' ଅକ୍ଷରଟିର ମଧ୍ୟ ବ୍ୟବହାର କରିଥିବାର ଦେଖାଯାଏ । ଯଥା-

 

‘‘ସେତୁ ଅଟ୍ଟାଳିକା ପୂର୍ଣ୍ଣ ମିଜ୍ଜାପୁର ପୁରୀ,

ଭଗ୍ନ ଭିତ୍ତି ଦେଖାଉଛି ଶିଳ୍ପର ଚାତୁରୀ । (ପୃ-୩)

 

 

।। ଚାରି ।।

 

‘ଭଦ୍ରଖ-ଭ୍ରମଣ' ଯଦିଓ ଏକ କ୍ଷୁଦ୍ର ପଦ୍ୟଗ୍ରନ୍ଥ, ତଥାପି ଭ୍ରମଣ-ସାହିତ୍ୟ ଦିଗରୁ ବିଚାର କଲେ ଏହାର ଉପାଦେୟତା ରହିଛି । ଏଥିରେ ଭଦ୍ରକ ଅଞ୍ଚଳର କେବଳ ଗୌରବମୟ ସ୍ଥାନ, ବିଶିଷ୍ଟ ବ୍ୟକ୍ତି ତଥା ସମାଜ ଚିତ୍ର ପ୍ରକାଶ ପାଇନାହିଁ, ଭଦ୍ରକ ଅଞ୍ଚଳର ଗୌରବ ସହିତ ସାମାଜିକ ଇତିହାସର ରୂପମଧ୍ୟ ପ୍ରକାଶ ପାଇଛି । ଦେଶାତ୍ମବୋଧ ତଥା ଜାତୀୟତା ବୋଧର ପ୍ରକାଶ ଏହି ରଚନାର ଅନ୍ୟ ଏକ ଉଦ୍ଦେଶ୍ୟ । ସେଥିପାଇଁ ବୋଧହୁଏ କୁହାଯାଇଛି - ଏହା ଭଦ୍ରକର ପ୍ରଥମ ଇତିହାସ ଗ୍ରନ୍ଥ । ଏହାର ପୁନଃ ପ୍ରକାଶନ ସହିତ ଏହାର ଆଲୋଚନା ବିମର୍ଶ ହେଲେ ଓଡ଼ିଆ ଭ୍ରମଣ ସାହିତ୍ୟର ଅନ୍ୟ ଏକ ଦିଗ ଉନ୍ମୋଚିତ ହେବା ସଂଗେ ସଂଗେ ଭଦ୍ରକର ‘ସ୍ଵତନ୍ତ୍ର ପରିଚିତି ସମଗ୍ର ଉତ୍କଳ ଖଣ୍ଡରେ ପ୍ରକାଶ ପାଇପାରନ୍ତା । ଏ ଦିଗରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ତଥା ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉଦ୍ୟମ କରିବା ଉଚିତ ।

 

 

ଅପର୍ଣ୍ଣା ସଦନ, ନୂଆବଜାର, ଭଦ୍ରକ

ଫୋନ୍‌-୯୨୩୮୫୦୬୨୬୨(ମୋ)

(୦୬୭୮୪) ୨୫୧୫୩୨

 

ସହାୟକ ଗ୍ରନ୍ଥସୂଚୀ :

୧.

ଓଡ଼ିଆ ଭ୍ରମଣ ସାହିତ୍ୟ - ଏକ ବିହଙ୍ଗମ ଦୃଷ୍ଟି (ଦୃଷ୍ଟି ଓ ଦର୍ଶନ) ଡ. ମନ୍ମଥ କୁମାର ପ୍ରଧାନ - ସୁବର୍ଣ୍ଣଶ୍ରୀ ପ୍ରକାଶନୀ, ବାଲେଶ୍ଵର- ୧ମ ସଂସ୍କରଣ- ୨୦୦୮- ପୃ. ୧୮-୨୫

୨.

ଓଡ଼ିଆ ଭ୍ରମଣ କାହାଣୀକୁ ବାଲେଶ୍ୱରର ଅବଦାନ ଡ. ବଂଶୀଧର ଚୌଧୁରୀ - (ସମୟ ସ୍ରୋତରେ ବାଲେଶ୍ୱର-ସଂ- ଡ. ମନ୍ମଥ କୁମାର ପ୍ରଧାନ - ସମ୍ୟକ ପ୍ରକାଶନ, ଶେଖବଜାର, କଟକ- ୮ ପ୍ରଥମ ସଂସ୍କରଣ - ୨୦୦୨- ପୃ.୨୬୩-୨୭୬)

୩.

ଭ୍ରମଣ ଗୀତିକା - ‘ଭଦ୍ରଖ-ଭ୍ରମଣ’ ଏକ ପରିଚୟ ଡ. ମନୀନ୍ଦ୍ର ମହାନ୍ତି ବିଶେଷ ଖବର (ସାହିତ୍ୟ) -ତା ୭/୫/୨୦୦୯ ଓ ତା.୧୪.୫.୨୦୦୯ରିଖ ସଂଖ୍ୟା ।

 

***

 

Unknown

ଗୋପୀନାଥଙ୍କ ‘କୁଟା-କାଠିର ଗୀତ’ : ଏକ ନୃତାତ୍ତ୍ଵିକ ଅନୁଧ୍ୟାନ

ସୁନୀତା ଶତପଥୀ

 

ଆଦିବାସୀ, ଏ ଦେଶର ଆଦିମ ଅଧିବାସୀ । ଆଦିବାସୀ ସଂସ୍କୃତିର ପ୍ରଚ୍ଛନ୍ନ ପ୍ରଭାବରେ ପ୍ରଭାବିତ ଉତ୍କଳୀୟ ସଂସ୍କୃତି । କିନ୍ତୁ ସେଇ ଆଦିମ ସଂସ୍କୃତି ଓ ସେ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ମଣିଷମାନଙ୍କୁ ସଭ୍ୟ ସମାଜ କେବେହେଁ ନିଜର ସମସ୍କନ୍ଧ ଭାବେ ଗ୍ରହଣ କରିନାହିଁ । ଏକ ଋଗ୍‌ଣ, ବିକଳ ମାନସିକତାକୁ ସମ୍ବଳ କରି ବଞ୍ଚୁଥିବା ଆଧୁନିକ ମଣିଷ କେବେ ବୁଝିବାକୁ ଚେଷ୍ଟା କରିନାହିଁ ଦୂର ଅପହଞ୍ଚ ଇଲାକାରେ ଅହରହ ସଂଘର୍ଷ କରୁଥିବା ନିରୀହ, ଶୋଷିତ, କ୍ଷୁଧାର୍ତ୍ତ ଏହି ମଣିଷ, ଆଦିବାସୀଙ୍କର ଅନ୍ତଦାହକୁ, ଆର୍ତ୍ତନାଦକୁ । ବରଂ ସେଇ ଅପାଙ୍‌କ୍ତେୟ, ଅବାଞ୍ଛିତ ମଣିଷମାନଙ୍କର ନିରୀହତା, ସରଳତାର ସୁଯୋଗ ନେଇ ସେମାନଙ୍କୁ ଡହଳ ବିକଳ ହୋଇ ଜୀଇଁ ରହିବା ପାଇଁ ବାଧ୍ୟ କରିଛି, ତା’ ପରେ ଅତ୍ୟାଚାର କରିଛି ଶକ୍ତିଶାଳୀ ମଣିଷ ।

 

କିନ୍ତୁ ଆଦିବାସୀଙ୍କର ଦୁଃଖ, ଦୈନ୍ୟ ଅସହାୟତା ପ୍ରତି ବିମୁଖ ହୋଇ ରହିପାରିନଥିଲେ ଜଣେ ପ୍ରଶାସକ, ଗୋପୀନାଥ । ସରକାରୀ ଚାକିରୀର ଶୃଙ୍ଖଳା ମଧ୍ୟରେ ଆବଦ୍ଧ ରହିଥିଲେ ସୁଦ୍ଧା ଗୋପୀ ବାବୁଙ୍କୁ କୌଣସି ଶକ୍ତି ବାଧା ଦେଇ ପାରିନଥିଲା ସମାଜର ଦଳିତ, ଅବହେଳିତ ମଣିଷଙ୍କୁ ଅଫୁରନ୍ତ ଭଳପାଇବାକୁ, ସେମାନଙ୍କ ପ୍ରତି ସମବେଦନା ଜଣାଇବାକୁ । ସେଥିପାଇଁ ସମାଜର ଦୁର୍ବଳ ଶ୍ରେଣୀର ମଣିଷଙ୍କ ପ୍ରତି ଗୋପୀନାଥ ଯେତେବେଳେ ଆସନ୍ତି ଓ ନିଜର ଭାବ ବ୍ୟକ୍ତି କରିବାକୁ ଚାହାନ୍ତିଁ ସେତେବେଳେ ଆପଣାଛାଏଁ ସେଇ ତଳିଆ ମଣିଷମାନେ ତାଙ୍କ ଗପ, ଉପନ୍ୟାସର କଳେବର ମଧ୍ୟକୁ ଧସେଇ ପଶନ୍ତି । ସେଠି ଗୋପୀବାବୁ ସାଜନ୍ତି ଏକ ‘ମାଧ୍ୟମ’ ବା ‘ମିଡ଼ିୟମ’ । ଅବଚେତନରେ, ନେପଥ୍ୟରେ ରହି ଅନେକ ଗୋପୀନାଥଙ୍କର ମନକୁ ଉଦ୍‌ବେଳିତ, ଉଚ୍ଚାଟିତ କରୁଥିବା ସେଇ ଦୂର ଅପହଞ୍ଚ, ଇଲାକାର ଚରିତ୍ରମାନେ ଜୀବନ୍ୟାସ ପାଆନ୍ତି । ସୃଷ୍ଟି ହୁଏ ଉଚ୍ଚାଙ୍ଗ ସାହିତ୍ୟ, କାଳଜୟୀ ଗଳ୍ପ ଓ ଉପନ୍ୟାସ ।

 

ଆଦିବାସୀ ଜୀବନ ସମ୍ପର୍କିତ ଗଳ୍ପ, ଉପନ୍ୟାସ ସୃଷ୍ଟି କରିବାରେ ଗୋପୀନାଥ ମହାନ୍ତି ଯେଉଁ କାରିଗରୀ ଏବଂ ନୂତନତ୍ଵ ପ୍ରଦର୍ଶନ କରିଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ । କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସର୍ବଭାରତୀୟ ସ୍ତରରେ ଆଦିବାସୀ ସମାଜ ଓ ସେମାନଙ୍କର ସୁଖ, ଦୁଃଖ, ଆଶା, ଆକାଙ୍‌କ୍ଷାର କାହାଣୀକୁ ଗଳ୍ପ, ଉପନ୍ୟାସରେ ସ୍ଥାନ ଦେବାରେ ସେ ଅଗ୍ରଣୀ ଥିଲେ । ଏକ ନୂତନ ପରମ୍ପରାର ସୃଷ୍ଟିକର୍ତ୍ତା ଭାବେ ଗୋପୀନାଥ ନୃତତ୍ତ୍ଵ ଓ ସାହିତ୍ୟର ସମ୍ମିଶ୍ରଣରେ ଯେଉଁ ନୂତନ ପରୀକ୍ଷା ନିରୀକ୍ଷା କରିଥିଲେ ଓ ଓଡ଼ିଆ ସାହିତ୍ୟକୁ ନୃତାତ୍ତ୍ୱିକ ଭାବଚେତନା ସମ୍ବଳିତ ଗଳ୍ପ ଉପନ୍ୟାସ ଉପହାର ଦେଇଥିଲେ ତା’ର ଜ୍ୱଳନ୍ତ ପ୍ରମାଣ ‘କୁଟା-କାଠିର ଗୀତ’ ।

 

‘ସାନ୍ତାଳ’ ପରି ଏକ ଆଦିମ ଆଦିବାସୀ ଗୋଷ୍ଠୀର ସାଂସ୍କୃତିକ ବୈଚିତ୍ର୍ୟକୁ ଆଧାରିତ ଏକ ଭିନ୍ନ ଧରଣର ନୃତାତ୍ତ୍ୱିକ ଗଳ୍ପ ରଚନା କରି, ଗୋପୀନାଥ ନିଜର ଅସାଧାରଣ ନୃତାତ୍ତ୍ୱିକ ଦକ୍ଷତା ଓ ସାହିତ୍ୟିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେହି କାରଣରୁ ‘କୁଟା-କାଠିର ଗୀତ’ ଓଡ଼ିଆ ନୃତାତ୍ତ୍ୱିକ ଗଳ୍ପ ଭାବରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧି‌କାର କରିଛି । ତା’ର ନୃତାତ୍ତ୍ୱିକ ଅନୁଶୀଳନ ହେବା ବାଞ୍ଛନୀୟ ।

 

ଗୋପୀନାଥଙ୍କ ଆଦିବାସୀ ଭିତ୍ତିକ ସାହିତ୍ୟର ପୃଷ୍ଠଭୂମି ପ୍ରାୟତଃ ଅବିଭକ୍ତ କୋରାପୁଟ ଜିଲ୍ଲା । କିନ୍ତୁ ‘କୁଟା-କାଠିର ଗୀତ’ ଗଳ୍ପର ପୃଷ୍ଠଭୂମିରେ ଭିନ୍ନତା ପରିଲକ୍ଷିତ ହୁଏ । ଏହା ମୟୂରଭଂଜ ଜିଲ୍ଲାରେ ବହୁଳ ଭାବରେ ବାସ କରୁଥିବା ‘ସାନ୍ତାଳ’ ଜନଜାତିଙ୍କ ଜୀବନ ସମ୍ପର୍କିତ । ନୃତତ୍ତ୍ୱବିତ୍‌ଙ୍କ ପାଇଁ ଆଦିବାସୀଙ୍କ ବାସସ୍ଥଳୀ ଏକ ବିଶେଷ ମହତ୍ତ୍ଵ ରଖେ । କାରଣ ନିଜ ଭୂଇଁସହ ଆଦିବାସୀର ସମ୍ପର୍କ ନିବିଡ଼ । ସେଇ ଭୂମି ତା’ ସକାଶେ ଧରିତ୍ରୀ ମା’, ତା’ ସହିତ ମଧ୍ୟ ଜଡ଼ିତ ଥାଏ ଆଦିବାସୀର ଉତ୍ପତ୍ତିର କାହାଣୀ, କିମ୍ବଦନ୍ତୀ, ମିଥ୍‌ପରି ଅନେକ ନୃତାତ୍ତ୍ୱିକ ଉପାଦାନ । ସେହିପରି ନୃତାତ୍ତ୍ୱିକ ବିଶେଷତ୍ଵକୁ ଏକ ଆଦିବାସୀ ଭିତ୍ତିକ ଗଳ୍ପ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରି ଗୋପୀନାଥ କେବଳ ନିଜର ସାରସ୍ଵତ କଳା, ନିପୁଣତାର ପରିଚୟ ଦେଇନାହାନ୍ତି, ତା’ ସହ ମଧ୍ୟ ନିଜର ନୃତାତ୍ତ୍ୱିକ ଦକ୍ଷତା ପ୍ରଦର୍ଶନ କରି ‘କୁଟା-କାଠିର ଗୀତ’କୁ ଏକ ସମ୍ପୂର୍ଣ୍ଣ ନୃତାତ୍ତ୍ୱିକ ଗଳ୍ପର ମର୍ଯ୍ୟାଦା ପ୍ରଦାନ କରିଛନ୍ତି ।

 

ମୟୂରଭଂଜ ଜିଲ୍ଲାର ଗଣ୍ଡ ମଫସଲ ଭିତରେ ଅଛି କଳା କଳା ଅକର୍ମଶିଳା ଢାଙ୍କି ହୋଇଥିବା ଗୋଟିଏ ଲଣ୍ଡା ମୁଣ୍ଡିଆ । ଅଟକିଛି ଯାଇ ଗୋଟିଏ ସାନ ଗାଁରେ, ତା’ ନାଁ ‘ଅସୁର୍‌ ଡିହା’ ଅର୍ଥାତ୍‌ ଅସୁର ପର୍ବତ । ସାନ୍ତାଳ ଲୋକଙ୍କ ବସତି । ସବୁବେଳେ ଥାଏ ବିରାଟ ଆକାଶ, ସେଠି ଜଗତ କରତା ସବୁ ଦେଖନ୍ତି ବଡ଼ ଠାକୁର ସିଂ-ବଂଆ।’’ (୧)

 

ଆଦିବାସୀର ମୂଲକରେ କାହାଣୀ, କିମ୍ବଦନ୍ତୀର ଅଭାବ ନାହିଁ । ସାଂସ୍କୃତିକ ନୃତତ୍ତ୍ଵବିତ୍‌ ଆଦିବାସୀ ସମାଜର ବାସସ୍ଥଳୀ ସହ ସଂଶ୍ଳିଷ୍ଟ କିମ୍ବଦନ୍ତୀକୁ ଅନୁଧ୍ୟାନ କଲାପରି, କଥାକାର ଗୋପୀନାଥ ଅସୁରଡ଼ିହା, ସାନ୍ତାଳ ଗାଁ ସହ ଜଡ଼ିତ ଆଖ୍ୟାନକୁ ବର୍ଣ୍ଣନା କରି ଗଛର ନୃତାତ୍ତ୍ୱିକ ମୂଲ୍ୟବୋଧକୁ ପୂର୍ଣ୍ଣଭାବେ ପ୍ରମାଣ କରିଛନ୍ତି । ‘ଆଖପାଖର ଲୋକେ କହନ୍ତି ପ୍ରତାପୀ ବାଣାସୁରଙ୍କ ୟେ ଥିଲା ଗଡ଼ । ବାଣାସୁରଙ୍କ ପୋଷା ଗଞ୍ଜା କୁକୁଡ଼ା ହୋଇ, ପଥର ହୋଇ ମୁଣ୍ଡିଆ ଆଗରେ ଏବେବି ବସିଛି । ସେଠି କପ୍ତିପଦାରେ ପାଣ୍ଡବଙ୍କ ଶାମୀ ବୃକ୍ଷଟା ଡେଙ୍ଗା ପଥର ହୋଇ ଏବେବି ଠିଆ ହୋଇଛି ସେମିତି ।’ (୨)

 

ସାନ୍ତାଳ ଆଦିବାସୀଙ୍କ ବସତିର ବର୍ଣ୍ଣନା ସହ ଗୋପୀବାବୁ ସାବଲୀଳ ଭାବରେ ତା’ ସହିତ ଚିତ୍ରପଟଟିଏ ଖଞ୍ଜି ଦିଅନ୍ତି । ଦେଖୁ ଦେଖୁ ସହରୀ ମଣିଷକୁ ଲାଗେ ସତେ ଅବା ସେ ପବନ ଜୋତା ପିନ୍ଧି ନିମିଶକେ ଅସୁରଡିହା ଗାଁରେ ପହଞ୍ଚିଛି । ସେଇ ଗାଁ ସହ, ସାନ୍ତାଳଙ୍କ ସହ ମହୁଲ, ହାଣ୍ଡିଆ, ନୃତ୍ୟ, ଗୀତର ଜୀବନ୍ତ ଚିତ୍ରଟିଏ ଆଙ୍କିଦେଇ ଗୋପୀ ବାବୁ କ୍ଷଣକ ମଧ୍ୟରେ ଇନ୍ଦ୍ରଜାଲ ସୃଷ୍ଟି କରନ୍ତି । ‘‘ଗାଁ ଲୋକେ କହନ୍ତି, ମହୁଲ ଗଛ ନଥିଲେ ଗାଁ ରହିନଥା’ନ୍ତା । ଏଣେ ଯେଉଁ ପ୍ରବଳ ବତାସ ହୁଏ, ସେଥିରେ ଗାଁ ଉଡ଼ିଯାଇଥାନ୍ତା । ମଣିଷ ବି ମହୁଲ ମଦ ଖାଇ ସବୁ ବାଆ ବତାସି ଟାଳିଯାଏ । ଘରେ ଘରେ ଭାତରୁ ହାଣ୍ଡିଆ ମଦ, ଘୁମୁରା ବାଜେ, ନାଚର ଦେବତା ମାତେ, ଗୀତ ଶୁଭେ । (୩) ସେଇ ନିରୀହ, ସରଳ ମଣିଷ ସାନ୍ତାଳ ଆଦିବାସୀର ଲୋଭ ନାହିଁ । ଭବିଷ୍ୟତ ପାଇଁ ଦକ ନାହିଁ । ‘ଗଣ୍ଡେ ପିଇ ଦଣ୍ଡେ ଜୀଇଁ, ସାନ୍ତାଳ ହଜିଯାଏ ହାଣ୍ଡିଆ ନିଶାରେ, ମହୁଲି ବାସ୍ନାରେ, ନିଶା ତୁଟିଲେ ଜୀବନର ରୁକ୍ଷତା ବାଧେ । କିନ୍ତୁ, ପୁଣି ସେଇ ସ୍ୱପ୍ନର ମୋହରେ ମହୁଲ ତୋଟାର ଝଲ ଝଲ ଜହ୍ନ ଆଲୁଅରେ ସାନ୍ତାଳ ମଣିଷ ଭୁଲେ ତା’ ଜୀବନର ଦୈନ୍ୟ, ଦୁର୍ଦ୍ଦଶା, କଷଣ । କାରଣ ସେ ‘ପ୍ରତ୍ୟୁଷର ଶିଶୁ’’ ।

 

ହୁଏତ ଜଣେ ପ୍ରଶାସକ, ସାହିତ୍ୟିକ ନହୋଇଥିଲେ ଗୋପୀବାବୁ ଜଣେ ନୃତତ୍ତ୍ୱବିତ୍‌ ପାଲଟି ଯାଇଥାନ୍ତେ । ନୃତତ୍ତ୍ଵର ପରିସୀମା ଭିତରକୁ ଅନାୟାସରେ ପ୍ରବେଶ କରି ତା’ ଉପାଦାନ ସମୂହକୁ ସାହିତ୍ୟରେ ପ୍ରୟୋଗ କରିବା ଗୋପୀନାଥଙ୍କର ଏକ ଯୁଗାନ୍ତକାରୀ, ଅଭିନବ ପଦକ୍ଷେପ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଆଦିବାସୀ ସମାଜର ଏକ ପ୍ରମୁଖ ବିଭବ, ତା’ର ଚିତ୍ରକଳା । ସେଇତକ ତା’ ନିଜସ୍ଵ । ଅରାଏ ମାଟିକୁ ଆଶ୍ରା କରି ନର୍ବିକାର ହୋଇ ପୃଥିବୀର ସଭ୍ୟ ମଣିଷଙ୍କ ନିଷ୍ଠୁର ତାଡ଼ନା, ଅତ୍ୟାଚାର ସହୁଥିଲେ ବି ତା’ ମନତଳର ଶିଳ୍ପୀ, ସୃଜନଶୀଳତା କେବେ ମରିଯାଇନଥାଏ । ସେଥିପାଇଁ ଆଦିବାସୀର ଚିତ୍ରକଳା କେଉଁ ପୁରାତନ ପ୍ରସ୍ତର ଯୁଗରୁ ତା’ ସଂସ୍କୃତିର ବିଶିଷ୍ଟ ଅଂଶ ଭାବେ ଗୃହୀତ ହୋଇଆସିଛି । ସାନ୍ତାଳ ଗାଁ, ସାନ୍ତାଳ ମଣିଷଙ୍କ ବିଶେଷତ୍ୱ ସେମାନଙ୍କର ଚିତ୍ରକଳା । ପ୍ରକୃତିରୁ ଆହରଣ କରିଥିବା ଉପାଦାନକୁ ସାନ୍ତାଳ ମଣିଷଟି ତା’ କଳ୍ପନାର ପୁଟ ଦେଇ ଘରକୁ ଚିତ୍ରିତ କରେ । ସାନ୍ତାଳ ଘରଣୀ ଜାଣେ ତା’ ଟିକି କୁଡ଼ିଆକୁ ଚିତ୍ର ବିଚିତ୍ର କରିବାକୁ । ସେ ପ୍ରକୃତି, ଶିଳ୍ପୀ । ସାନ୍ତାଳ ମଣିଷଙ୍କ ଘରକରଣାର ଏ ବିଶେଷ ଦିଗ ପ୍ରତି ସଜାଗ ସାମାଜିକ ନୃତତ୍ତ୍ୱବିତ୍‌ ଏବଂ ସାହିତ୍ୟିକ ଭାବେ ସାମାଜିକ ନୃତତ୍ତ୍ୱର ଦ୍ୱୈତ ଭୂମିକା ନିର୍ବାହ କରୁଥିବା ଗୋପୀନାଥ ମଧ୍ୟ ଏହି ବିଷୟରେ ଅବଗତ ଥିଲେ । ସେଥିପାଇଁ ‘କୁଟା-କାଠିର ଗୀତ’ରେ ଗାଳ୍ପିକଙ୍କର ବର୍ଣ୍ଣନା ଖୁବ୍ ଜୀବନ୍ତ ମନେହୁଏ । ‘‘ନାନା ଜାତିର ରଂଗମାଟିରେ ପଟି ପଟି ହୋଇ କାନ୍ଥ ରଙ୍ଗ ହୋଇଛି, ପିଣ୍ଢା ରଂଗା ହୋଇଛି । ମୁଗୁରା, ନାଲିଆ, ହଳଦିଆ, ଖଇରିଆ, ଧଳା କୁଟା ଅଙ୍ଗାର ଗୋଳା ହୋଇ ଚିକ୍‌କଣ କଳା କୋଠି କୋଠିକେ ବଡ଼ ବଡ଼ ଛବି କୁମ୍ଭ, ଫୁଲ, କମକୂଟ ତା’ ଛଡ଼ା ବଡ଼ ବଡ଼ ଛବି, ପଶୁ, ପକ୍ଷୀ, ମନୁଷ୍ୟ କେଉଁ ଛବିଟି ଅଣ୍ଟାଏ ଉଚ୍ଚ, କେଉଁଟା ଛାତିଏ କାନ୍ଥ ନୁହେଁ ଚିତ୍ରପଟ । ହଜାର ହଜାର ବର୍ଷର ଜୀବନବ୍ୟାପୀ ଅନୁଭୂତି, ଚିନ୍ତନ ଓ ବିଶ୍ଲେଷଣର ଫଳ ସରଳ ଭାବେ, ସ୍ୱାଧୀନ ଭାବେ ଖେଳି ଯାଇଛି କାନ୍ଥ ଉପରେ । ରଙ୍ଗର ଗୋଳିଆ ଗୋଳିରେ ଗାର ବାଙ୍କରେ ଖାଲି ଛବି ନୁହେଁ, ସାନ୍ତାଳ ଗୋଷ୍ଠୀର ଜୀବନ ଦେଖା ବାଗର ଛବି, ସୃଷ୍ଟି ଭିତରେ ତା’ର ଠିଆଠାଣି । (୪)

 

ଅସୁରଡ଼ିହା ଗାଁର ମାଝି ବୋଉ ‘ସୁନା’ । ସେଇ ବୟସ୍କା ସାନ୍ତାଳ ରମଣୀ ଜାଣେ ତା’ ସଂପ୍ରଦାୟରେ ପ୍ରଚଳିତ ଚିତ୍ରକଳାର ତାତ୍ପର୍ଯ୍ୟ । ହାତୀ ଶୁଭ, ମଙ୍ଗଳକର, ମୟୂର ମଧ୍ୟ ସ୍ଥାନ ପାଏ ତା’ ଚିତ୍ରିତ କାନ୍ଥରେ । ଚିତ୍ରକଳା ନିପୁଣା ‘ସୁନା’ର ଟିକି ଘରଟିରେ ଚିତ୍ରମାନଙ୍କର ରୂପ ଭିନ୍ନ, କିନ୍ତୁ ଅନ୍ତର୍ନିହିତ ଉଦ୍ଦେଶ୍ୟ ଅବଶ୍ୟ ପ୍ରକାଶିତ ହୁଏ ସୂକ୍ଷ୍ମ ଭାବେ ନିରୀକ୍ଷଣ କରୁଥିବା ମଣିଷ ଆଗରେ । ‘‘ରୂପ ଭିତରର ସେଇ ନୀରବ ସଂଗୀତର ମୂର୍ଚ୍ଛନାକୁ । ସେହି ସୌରଭକୁ ସେହି ତେଜ ଧାସକୁ ଆଙ୍କିବାକୁ ଲୋଡ଼ାହୁଏ ଚିତ୍ରକର ଆଉ ସାନ୍ତାଳ, ଆଉ ସୁନା ।’ (୫) ସାନ୍ତାଳ ଚିତ୍ରକଳାର ଗୂଢ଼ ତତ୍ତ୍ୱ ବୁଝିପାରନ୍ତି ସାମାଜିକ ନୃତତ୍ତ୍ୱବିଦ୍‌ମାନେ ବା ଗୋପୀନାଥଙ୍କ ପରି ସାହିତ୍ୟ ଜଗତର ବିସ୍ମୟକର ପ୍ରତିଭାମାନେ ।

 

ସାନ୍ତାଳ, ଆଦିବାସୀର କାହାଣୀ ଭିତରେ କେଉଁଠି, କେଉଁ ବାଗରେ ଗୋପୀନାଥ ନୃତତ୍ତ୍ୱର ଉପାଦାନ ଖଞ୍ଜି ଦେଇପାରନ୍ତି, ତାହା କେବଳ ସେଇ ଆଦିବାସୀ ମନସ୍କ ଗୋପୀନାଥଙ୍କୁ ହିଁ ଜଣାଥାଏ । ସେଥିପାଇଁ ସାନ୍ତାଳ ସଂପ୍ରଦାୟରେ ପ୍ରଚଳିତ ଏକ ଅଭୂତପୂର୍ବ ପ୍ରଥାର ଅବତାରଣା କରି ସିଦ୍ଧ କରିଦେଇଛନ୍ତି ସେ ନୃତତ୍ତ୍ୱବିତ୍‌ ନହେଲେ ସୁଦ୍ଧା ଆଦିବାସୀ ସଂସ୍କୃତି ବିଷୟରେ ଆଦୌ ଅଜ୍ଞ ନୁହଁନ୍ତି ।

 

ସାନ୍ତାଳ ସମାଜରେ ପ୍ରଚଳିତ ବହୁବିଧ ବିବାହ ବ୍ୟବସ୍ଥା ମଧ୍ୟରୁ ‘ଦୁଆର ଇଚୁତ୍‌ ସିନ୍ଦୁର ବାପ୍ଲା’ ଏକ ପୁରାତନ ପ୍ରଥା ଅଟେ । ଏଥି ସକାଶେ ‘ଘଟକ’ ଆବଶ୍ୟକ ହୁଅନ୍ତି । ସେହିପରି ‘ରାଜରାଜି’, ‘ହରକତ୍‌ରା’, ‘ଝରିପନୀ’, ‘କିରିଂଗ ଜାମାୟ’ ପ୍ରଥା ଓ ବିଧବା ବିବାହ ପ୍ରଥା ‘ସଙ୍ଗା’ ମଧ ସାନ୍ତାଳ ସଂପ୍ରଦାୟରେ ପ୍ରଚଳିତ । ତା’ ବ୍ୟତୀତ ହିରମ୍‌ ସେଟାନ୍‌ ବାପ୍ଲା ମୋଲା ନତି (ଶିଶୁ ବିବାହ) ଆଦିର ପ୍ରଚଳନ ପୁରାକାଳରେ ସାନ୍ତାଳ ସମାଜରେ ଥିଲା ।

 

ସାନ୍ତାଳ ଆଦିବାସୀଙ୍କର ଏହିପରି ବହୁବିଧ ବିବାହ ପ୍ରଥା ବ୍ୟତିରେକ, ଏକ ବିଶେଷ ପ୍ରଥାର ପ୍ରଚଳନ ରହିଛି । ସାନ୍ତାଳୀ ବିଶ୍ଵାସ ଅନୁଯାୟୀ, ଯେଉଁ ଝିଅ ଜନ୍ମ ହେବାପରେ ତା’ର ଉପରପାଟି ଛାମୁଦାନ୍ତ ଆଗ ଉଠିଥାଏ, ସେହି ସାନ୍ତାଳୀ ଝିଅର ବୈଧବ୍ୟ ଯୋଗ ସ୍ଥିର ନିଶ୍ଚିତ ବୋଲି ସାନ୍ତାଳର ଅଲିଖିତ ଶାସ୍ତ୍ର କୁହେ । ହିନ୍ଦୁ ସମାଜରେ ମଙ୍ଗଳ ଦୋଷ ଥିବା ବ୍ୟକ୍ତିବିଶେଷକୁ ସାହାଡ଼ା ବୃକ୍ଷ ସହ ବିବାହ କରି ଗ୍ରହ ରିଷ୍ଟ ଖଣ୍ଡନ କରିବାର ବିଶ୍ଵାସ ପରି, ସାନ୍ତାଳ ସମାଜରେ ‘ଦାହ୍ୟାଂ ବାପ୍ଲା’ ଏବଂ ‘ଶ୍ଵେତାବାପ୍ଲା’ ପରି ଏକାଧିକ ବିଧିର ପ୍ରଚଳନ ଅଛି । ଜଣେ ପ୍ରବୀଣ ସାମାଜିକ ନୃତତ୍ତ୍ୱବିତ୍ ପରି ସାନ୍ତାଳ ଲୋକ ଜୀବନରେ ପ୍ରଚଳିତ ବିବାହ ସମ୍ବନ୍ଧିତ କିଛି ବିଶ୍ଵାସ ଓ ପ୍ରଥାର ଅବତାରଣା କରି ଗୋପୀନାଥ ‘କୁଟା-କାଠିର ଗୀତ’ ଗଳ୍ପର ନୃତାତ୍ତ୍ୱିକତାକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିପାରିଛନ୍ତି । ରିଷ୍ଟ କାଟିବାକୁ ତିନି ପ୍ରକାର ବିଧି ଅଛି- ‘ଦାହ୍ୟାଂ ବାପ୍ଲା’ (ସାହାଡ଼ା ଗଛ ସଂଗେ ବିବାହ), ମାତକମ୍‌ ବାପ୍ଲା (ମହୁଲ ଗଛ ସଂଗେ ବିଭା) ଶେତାବାପ୍ଲା (କୁକୁର ସଂଗେ ବିଭା) ।

 

ମନର ମଣିଷ ସଂଗେ ଘର ବାନ୍ଧିବା ପାଇଁ ସଂସାର ଗଢ଼ିବା ପାଇଁ ସାନ୍ତାଳ ରମଣୀ ଆଦୌ ପଛଘୁଞ୍ଚା ଦିଏ ନାହିଁ, ଗଳ୍ପ ନାୟିକା ‘କିନା’ ପରି । ଅବଶ୍ୟ ମାଝି ମା’ ‘ସୁନା’ ‘ମାତକମ୍‌ ବାପ୍ଲା’ କରିଥିଲେ ମଧ୍ୟ ବୈଧବ୍ୟ ଲଭିଥିଲା । ପ୍ରଚଳିତ ପ୍ରଥା ଉପରେ ବେଳେବେଳେ ଆସ୍ଥା ହରାଉଥିଲେ ମଧ୍ୟ କାହିଁ କେଉଁ ଅନ୍ଧାରୀ ଯୁଗରୁ ପ୍ରଚଳିତ ବିଧି ପ୍ରତି ଅନାସ୍ଥା ଭାବ ପୋଷଣ କରିବା ଆଦିବାସୀ ପାଇଁ ଗ୍ରହଣୀୟ ନୁହେଁ କାରଣ ମଣିଷର ସବୁକିଛି ବିଧି ନିର୍ଦ୍ଦିଷ୍ଟ ଏବଂ ସମାଜର ନିୟମ, ପ୍ରଚଳିତ ବିଧିକୁ ମାନିବାକୁ ଆଦିବାସୀ, ସାନ୍ତାଳମାନେ ସ୍ପୃହଣୀୟ ମନେ କରନ୍ତି । ସେଇ ସାମାଜିକ ନୃତତ୍ତ୍ୱବିତ୍ ନୃତତ୍ତ୍ଵବୋଧ ଓ ଅନିସନ୍ଧିତ୍ସୁ ମନ ଘେନି ଗୋପୀନାଥ ଯେତେବେଳେ ସାନ୍ତାଳ ମୂଲକରେ ପ୍ରବେଶ କରନ୍ତି, ସେତେବେଳେ ସେ ଜଣେ ଧୂରୀଣ, ପୋଖତ ନୃତତ୍ତ୍ଵବିତ୍‌ପରି ସାନ୍ତାଳ ସମାଜକୁ ଅନୁଧ୍ୟାନ କରନ୍ତି ଓ ଘଟଣାକ୍ରମେ ତାକୁ କୁଟା-କାଠିର ଗୀତ’ରେ ସନ୍ନିହିତ କରନ୍ତି ।

 

ବିଧି ମାନିବାକୁ ପଡ଼ିବ, ଦିନରାତିର ନିୟମ ପରି ଜନ୍ମ ମରଣର ନିୟମ ପରି, ଜୀବନ ରଖିବାକୁ ହେଲେ ସମାଜରେ ଘର କରିବାକୁ ହେଲେ ନିୟମ ସେଗୁଡ଼ିକ ପୂବିପୂର୍ବିମାନେ କରି ଆସିଛନ୍ତି, କେବେଠୁ ଲେଖା ନାହିଁ । (୬)

 

ପୂଜକମାନଙ୍କ ଦ୍ୱାରା ସ୍ଥିରୀକୃତ ବିଧି, ପ୍ରଥାକୁ ହତାଦାର କରିବା, ସେ ସବୁକୁ ଅଗ୍ରାହ୍ୟ କରିବାକୁ କୌଣସି ଆଦିବାସୀ କଳ୍ପନା ସୁଦ୍ଧା କରିପାରେ ନାହିଁ ।

 

ଅସୁରଡିହା ଗାଁରେ ଛାମୁଦାନ୍ତ ଆଗ ଉଠିଥିବା ‘କିନା’ ଆଉ ‘ବୁରୁନ୍ଦା’ ଭିତରେ ମନ ଦିଆନିଆ ଚାଲେ । ସମ୍ପର୍କ ନିବିଡ଼ ହୁଏ, ‘ବିବାହ’ ଅପରିହାର୍ଯ୍ୟ ହୋଇପଡ଼େ । କିନ୍ତୁ ପ୍ରଚଳିତ ପ୍ରଥା ଅନୁସାରେ ସାନ୍ତାଳୀ ଝିଅ ‘କିନା’ର ଦୋଷ ଥିବା ହେତୁ ତା’ର ପ୍ରତିକାର ସ୍ଵରୂପ ‘ଶେତାବାପ୍ଲା’ ଅର୍ଥାତ୍‌କୁକୁର ସଙ୍ଗେ ‘କିନା’ର ବିବାହ ଧାର୍ଯ୍ୟ ହୋଇଥିଲା ।

 

ସହରୀ ମଣିଷ ଆଦିବାସୀର ଏ ଚଳନୀକୁ ନାପସନ୍ଦ କରିପାରେ, ସେଇ ପ୍ରଥାକୁ ଗ୍ରହଣ କରିନପାରେ, କିନ୍ତୁ ସରଳ ମନା ଆଦିବାସୀ ବିନା ଦ୍ୱିଧାରେ ତାକୁ ଆଦରି ନିଅନ୍ତି । କାରଣ, ସେ ସବୁ ତା’ ସଂସ୍କୃତିର ଅଂଶବିଶେଷ । ଗୋପୀନାଥ ଜଣେ ସାହିତ୍ୟିକ ହେବା ସହ ଆଦିବାସୀ ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଜଡ଼ିତ ଥିବାରୁ ଏକ ସାମାଜିକ ନୃତତ୍ତ୍ୱ ଦୃଷ୍ଟିକୋଣରୁ ଆଦିବାସୀର ଏ ଅଦ୍ଭୂତ ପ୍ରଥାକୁ ଚମତ୍କାର ଭାବେ ‘କୁଟା-କାଠିର ଗୀତ’ରେ ସ୍ଥାନ ଦେଇ ତା’ର ନୃତାତ୍ତ୍ୱିକ ମୂଲ୍ୟବୋଧକୁ ବୃଦ୍ଧି କରିଛନ୍ତି ।

 

ସାନ୍ତାଳୀ ଅବଳା ସହ ସାମାନ୍ୟ କୁକୁରର ବିବାହ ଏକ ଅସାମାନ୍ୟ ବ୍ୟାପାର ମନେ ହୋଇପାରେ । କିନ୍ତୁ ‘କୁକୁର’କୁ ସାନ୍ତାଳ ମଣିଷ ହୀନ ଦୃଷ୍ଟିରେ ଦେଖେନାହିଁ । କାରଣ ତା’ ସହ ଯୋଡ଼ା ସାନ୍ତାଳ ବଡ଼ଠାକୁର ‘ସିଂବଙ୍ଗା’ଙ୍କ ସୃଷ୍ଟି ସମ୍ବନ୍ଧିତ ଏକ ଉପାଖ୍ୟାନ । ପ୍ରସଙ୍ଗ କ୍ରମେ ସାନ୍ତାଳ ଜାତିର ଉତ୍ପତ୍ତିର ଅବତାରଣା କରିବାକୁ ଯାଇ ଗୋପୀନାଥ ‘କୁଟା କାଠିର ଗୀତ’ ଗଳ୍ପରେ ଉପସ୍ଥାପନ କରନ୍ତି ଏକ ଉପାଖ୍ୟାନ ଏବଂ ସେପରି ଏକ ଅନୁରୂପ ଆଖ୍ୟାୟିକାକୁ ମଧ୍ୟ ନୃତତ୍ତ୍ୱବିତ୍‌ମାନେ ଆଦିବାସୀ ସମାଜରେ ପ୍ରଚଳିତ ଥିବା ବିଷୟ ସ୍ଵୀକାର କରନ୍ତି ।

 

ନୃତତ୍ତ୍ଵବିତ୍‌ଙ୍କ ଦ୍ୱାରା ସଂଗୃହୀତ ଆଖ୍ୟାୟିକା ଅନୁଯାୟୀ ସୃଷ୍ଟିକର୍ତ୍ତା ‘ମାରାଂବୁରୁ’ ବା ଭଗବାନ ଏକପ୍ରକାର ଜଳଜ ଉଦ୍ଭିଦରୁ ଦୁଇଗୋଟି ହଂସ ଓ ହଂସ ପକ୍ଷୀ ଜନ୍ମ କରାଇଥିଲେ । ଭଗବାନଙ୍କ ମାୟାରେ ଏକ ଶିଳା ଉପରେ ଗୋଟିଏ କରମ ବୃକ୍ଷ ସୃଷ୍ଟି ହେବା ପରେ, ଉକ୍ତ ପକ୍ଷୀ ଦୁଇଟି ନୀଡ଼ ରଚନା କରି ଡିମ୍ବ ଦେଲେ ଏବଂ ସେହି ଡିମ୍ବରୁ ସୃଷ୍ଟି ହେଲା ଦୁଇଗୋଟି ମାନବ ଶିଶୁ । ଭଗବାନଙ୍କର ନିଷ୍ପତ୍ତି ଅନୁଯାୟୀ ଜଳଜୀବମାନଙ୍କୁ ପୃଥିବୀ ସୃଷ୍ଟି କରି ବସତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ । ଭଗବାନଙ୍କର ନିର୍ଦ୍ଦେଶ କ୍ରମେ କର୍କଟରାଜା, ମକରରାଜା ଓ ଚିଙ୍ଗୁଡ଼ି ରାଜାଙ୍କୁ ପାତାଳରୁ ମୃତ୍ତିକା ସଂଗ୍ରହ କରି ପୃଥିବୀର ଭିତ୍ତି ସ୍ଥାପନ ନିମନ୍ତେ ନିୟୋଜିତ କରାଗଲା । କିନ୍ତୁ ସେମାନେ, ସେହି ଦାୟିତ୍ୱକୁ ସଠିକ୍‌ଭାବେ ନିର୍ବାହ କରିନପାରିବାରୁ ଭଗବାନ ‘କୂର୍ମ ରାଜାଙ୍କୁ’ ସେହି କାର୍ଯ୍ୟରେ ନିୟୋଜିତ କଲେ ଏବଂ ତାଙ୍କର ଚତୁଷ୍ପଦକୁ ସୁନାର ଶିକୁଳି ଦ୍ୱାରା ବନ୍ଧନ କଲେ । କୂର୍ମ ରାଜା ସେଥିରେ ଅସମ୍ମତ ହେବାରୁ, ବାରବର୍ଷରେ କଚ୍ଛପ ରାଜା ଥରେ ମାତ୍ର ହଲି ପାରିବେ ଓ ହଲିଲେ ତାଙ୍କୁ ଖାଦ୍ୟ ମିଳିବାର ଆୟୋଜନ କରିଥିଲେ । ଭଗବାନ କଚ୍ଛପର ପୃଷ୍ଟ ଦେଶରେ ଗୋଟିଏ ନାଗ ସର୍ପ ପରିବେଷ୍ଟିତ କରାଇ, ତା’ଉପରେ ଏକ ସୁବର୍ଣ୍ଣ ପାତ୍ର ସ୍ଥାପନ କଲେ । କେଞ୍ଚୁଆ (ଜିଆ) ରାଜା ଭଗବାନଙ୍କ ଆଦେଶରେ ପାତାଳପୁରକୁ ଯାଇ ମନ ମୁତାବକ କର୍ଦ୍ଦମ ଭକ୍ଷଣ କରି ନାଗ ସାପ ଉପରେ ଯେଉଁ ସୁବର୍ଣ୍ଣ ପାତ୍ର ସନ୍ନିବେଶିତ ହୋଇଥଲା, ସେଥିରେ ଭକ୍ଷଣ କରିଥିବା ମୃତ୍ତିକାକୁ ବହିର୍ଗତ କରିବାରୁ ପୃଥିବୀ ସୃଷ୍ଟି ହେଲା ଓ କିଛିକାଳ ପରେ ଭଗବାନ ପୃଥିବୀ ପୃଷ୍ଠରେ ମାନବ ଶିଶୁ ଦୁଇଟିକୁ ଆଣି ରଖିଲେ ଓ ପୁତ୍ରଟିର ନାମ ‘ପିଲ୍‌ଚୁ ହାଲାମ୍‌’ ଓ କନ୍ୟାଟିର ନାମ ‘ପିଲ୍‌ଚୁ ବୁଢ଼ୀ’ ରଖି ସେମାନଙ୍କ ଲାଳନ ପାଳନର ଭାର ବାସୁମାତା (ଜାହେରାଏରା)ଙ୍କୁ ନ୍ୟସ୍ତ କଲେ । ସେମାନଙ୍କର ସୁରକ୍ଷା ଭାର କୁକୁର (ଶେତା) ହଳକ ଉପରେ ନ୍ୟସ୍ତ ଥିଲା ।

 

ଅବିଶ୍ୱାସ୍ୟ ମନେ ହେଲେ ସୁଦ୍ଧା, ସାନ୍ତାଳ ସମାଜରେ ପ୍ରଚଳିତ, ନୃତତ୍ତ୍ୱବିତ୍‌ଙ୍କ ଦ୍ଵାରା ସଂଗୃହୀତ ସାନ୍ତାଳ ଜାତିର ଉତ୍ପତ୍ତିର ଆଖ୍ୟାୟିକା ଏବଂ ଗୋପୀନାଥଙ୍କ ତତ୍‌ସଂକ୍ରାନ୍ତୀୟ ସମତୁଲ୍ୟ ବର୍ଣ୍ଣନା ଅଭିଭୂତ କରେ, ଆଚମ୍ବିତ କରେ ପ୍ରଶିକ୍ଷଣପ୍ରାପ୍ତ ନୃତତ୍ତ୍ୱବିତ୍‌ଙ୍କୁ ଓ ଗୋପୀନାଥୀୟ ସାହିତ୍ୟରେ ରୁଚି ରଖୁଥିବା ସମସ୍ତ ମଣିଷଙ୍କୁ ।

 

ଗୋପୀନାଥଙ୍କର ସେହି ବର୍ଣ୍ଣନା କୁହେ- ‘ବଡ଼ ଠାକୁର ସିଂ ବଙ୍ଗା ଯେତେବେଳେ ଜିଆ ରାଜା ଓ କଇଁଛଙ୍କ ଦ୍ୱାରା ଏ ପୃଥିବୀକୁ ଜଳ ସମୁଦ୍ର ଭିତରକୁ ଉପରକୁ ଟେଲିଲା, ହଂସ ଦମ୍ପତିକୁ ଡିମ୍ବ ପାଇବାକୁ ସ୍ଥାନ ଦେଲା, ସେତେବେଳେ ଯୋଡ଼ି ହଂସଡିମ୍ବରୁ ଜନ୍ମ ହେଲେ ସାନ୍ତାଳ ଜାତିର ଆଦିପିତା ଓ ଆଦିମାତା ‘ପିଲୁଚୁ ହାଲାମ୍‌’ ଓ ପିଲ୍‌ଚୁ ବୁଢ଼ୀ । ତାଙ୍କ କତିରେ ରହିବାକୁ ସୃଷ୍ଠିର ଆଦି ଶେତା (କୁକୁର) ହଳକ ବି ଜନ୍ମ ହୋଇଥିଲେ । ସେଦିନ ମଣିଷ ସଙ୍ଗେ କୁକୁର, ସେ ବି ଅଭିଜାତ । (୭)

 

ସେଥିପାଇଁ ସାନ୍ତାଳ ସମାଜରେ ମଣିଷ ନ୍ୟୁନ ନୁହେଁ, କୁକୁର ହୀନ ନୁହେଁ, ହୁଏତ ସେଥିପାଇଁ ସାନ୍ତାଳ ସମାଜରେ ‘ଶେତାବାପ୍ଲା’ ଏକ ଘୃଣ୍ୟ, ହାସ୍ୟାସ୍ପଦ ବ୍ୟାପାର ନୁହେଁ । ଏହା ସହିତ ସଂଶ୍ଲିଷ୍ଟ ଆଦିବାସୀର ସାଂସ୍କୃତିକ ଚେତନା ।

 

ସେଇ ପରିପ୍ରେକ୍ଷୀରେ ଗୋପୀନାଥ ଆହୁରି ବିସ୍ତୃତ ଓ ଗଭୀର ଭାବେ ଶେତାବାପ୍ଲା ବିବାହର ବର୍ଣ୍ଣନା କରି ନିଜର ନୃତାତ୍ତ୍ୱିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ସାନ୍ତାଳ କନିଆ ‘କିନା’ ସହ କୁକୁର, ‘ଶ୍ରୀ ଚାଉଁରା ଶେତାଙ୍କ ବିବାହ ପାଇଁ’ ଶିଆଳୀ ପତ୍ରର ସିନ୍ଦୁର ଥିଲା, ଚାଉଁରାର ଆଗ ଡାହାଣ ଗୋଡ଼କୁ ତହିଁରେ ମାଡ଼ି ଦିଆଗଲା । ସିନ୍ଦୂର ଦାନ ସରିଗଲା । ତା’ରି ସିନ୍ଦୁର ଲଗା ଗୋଡ଼କୁ ସେ ଯୁବତୀର ବାଁ ହାତରେ ଏକାଠି ବାନ୍ଧି ଦିଆଗଲା । ସ୍ତ୍ରୀ ଲୋକମାନେ ହୁଳହୁଳି ଦେଲେ । ପୁଣି ତା’ ଗୋଡ଼ ଫିଟାଇ ଦିଆଗଲା।’

 

ସାନ୍ତାଳ ଝିଅ ‘କିନା’ ତା’ର ନାରୀ ସୁଲଭ ମାନସିକତାକୁ ଦମନ କରି ‘ଶେତାବାପ୍ଲା’ ପାଇଁ ରାଜି ହୁଏ, ସମସ୍ତ ଲୋକଲଜ୍ଜାକୁ ପରିହାର କରି କାରଣ ତା’ ମନର ମଣିଷ ‘ବୁରୁନ୍ଦା’ ପାଇଁ ସେ ଲୋକହସା ହେବାକୁ ରାଜି । ତା’ର ଦୀର୍ଘାୟୁ କାମନା କରି ସମସ୍ତ କଷଣ ସହିବାକୁ ପ୍ରସ୍ତୁତ । ସେଇ ଚିରନ୍ତନ ପ୍ରେମ, ମାନବକେନ୍ଦ୍ରିକ ଆବେଗ, ଆଦିବାସୀ ରମଣୀର ନାରୀ ସୁଲଭ କାମନା, ବାସନାକୁ ଏତେ ନିଖୁଣ, ଚମତ୍କାର ଢଙ୍ଗରେ ପରିବେଷଣ କରିବାର କ୍ଷମତା କଥାକାର ଗୋପୀନାଥଙ୍କ ବ୍ୟତୀତ ହୁଏତ ଆଉ କାହାରି ନାହିଁ ।

 

ସାନ୍ତାଳ ଜାତିର ଉତ୍ପତ୍ତି, ସାନ୍ତାଳ ରମଣୀର ତ୍ୟାଗ, ଆଦିବାସୀ ନାରୀ ‘କିନା’ର ଭାବପ୍ରବଣତା, ତ୍ୟାଗ ତଥା ସେହି ସଂସ୍କୃତିରେ ପ୍ରଚଳିତ ବିଶେଷ ପ୍ରଥା ଓ ବିଧିକୁ ଆଧାର କରି ଗୋପୀନାଥ ‘କୁଟା-କାଠିର ଗୀତ’ ପରି ସମ୍ପୂର୍ଣ୍ଣ ନୃତାତ୍ତ୍ୱିକ ଗଳ୍ପ ପରିକଳ୍ପନା କରିଥିଲେ ତାହା ଜଣେ ଉଚ୍ଚକୋଟୀର ସ୍ରଷ୍ଟା, ମୌଳିକ କଥା ସାହିତ୍ୟ ସୃଷ୍ଟି କରିଯାଇ କ୍ଷମତା ରହୁଥିବା କଥାକାର ବିନା ଅନ୍ୟ କାହା ପକ୍ଷେ ସମ୍ଭବ ନୁହେଁ । ସେଥିପାଇଁ ଗୋପୀନାଥଙ୍କ ସୃଷ୍ଟି ଅସାଧାରଣ । ‘କୁଟା-କାଠିର ଗଳ୍ପ’ର ନୃତାତ୍ତ୍ୱିକ ମୂଲ୍ୟବୋଧର ଅସୀମ ।

 

ସହକାରୀ ମହାସମୀକ୍ଷକ କଟକ ମଣ୍ଡଳ-୨

ଶଙ୍କରପୁର, ଦାସ ସାହି, କଟକ

 

ସହାୟକ ଗ୍ରନ୍ଥସୂଚୀ :

୧.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୧୯୮

୨.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୧୯୮

୩.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୧୯୯

୪.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୧୯୯

୫.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୨୦୦

୬.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ-୨୦୨

୭.

ଡଗର ରଜତ ଜୟନ୍ତୀ ବିଶେଷାଙ୍କ - ୧୯୬୨, ପୃ- ୨୦୫

 

ଅନ୍ୟାନ୍ୟ ସହାୟକ ଗ୍ରନ୍ଥସୂଚୀ -

ଆଦିବାସୀ - ୧୯୫୬, ପ୍ରଥମ ଭାଗ, ୨ୟ ଓ ୩ୟ ସଂଖ୍ୟା

***

 

ରାଜକବି ବ୍ରଜରାଜଙ୍କ ‘ପ୍ରବନ୍ଧ ଚିତ୍ରକାବ୍ୟ’-ଏକ ଅଧ୍ୟୟନ

ଡକ୍ଟର ଶରତ ଚନ୍ଦ୍ର ଚଲାନ

 

ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେଉଁ କେତେକ ଉତ୍କଳୀୟ କବି ଉତ୍କଳ ଭାରତୀଙ୍କ ଶ୍ରୀବୃଦ୍ଧ ସଂପାଦନ ନିମନ୍ତେ ନିଜକୁ ନିୟୋଜିତ କରିଥିଲେ ତନ୍ମଧ୍ୟରୁ ଓଡ଼ିଶାର ପଶ୍ଚିମ ସୀମାନ୍ତରେ ଥିବା ଖଡିଆଳ ରାଜ୍ୟର ରାଜା ତଥା ରାଜକବି ବ୍ରଜରାଜ ସିଂହଦେଓ (୧୮୫୧-୧୯୦୭) ଜଣେ ଅବିସ୍ମରଣୀୟ ପ୍ରତିଭା । ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ସମୟରେ ହିନ୍ଦୀ ଭାଷାଭାଷୀ ମଧ୍ୟପ୍ରଦେଶ (ସେଣ୍ଟ୍ରାଲ ପ୍ରୋଭିନ୍ସ) ଅଂଚଳ ଭିତରେ ଅନ୍ତର୍ଭୁକ୍ତ ହୋଇ ସୁଦ୍ଧା, ରାଜକବି ‘ଖଡ଼ିଆଳ ସାହିତ୍ୟ ସମିତି’ (୧୮୮୩) ପ୍ରତିଷ୍ଠା କରି ଏହି ଅଂଚଳର ସାହିତ୍ୟିକମାନଙ୍କର ସାଧନାକୁ ପ୍ରେରଣା ଓ ପ୍ରୋତ୍ସାହନ ଦେବା ସଂଗେ ସଂଗେ ଓଡ଼ିଆ ଭାଷାରେ ଯେଉଁ କାବ୍ୟ, ଗୀତିକାବ୍ୟ, ଅନୁବାଦ ଓ ବନ୍ଧକାବ୍ୟ ଗ୍ରନ୍ଥ ରୂପକ ସୁମନମାଳା ଉତ୍କଳ ଭାରତୀଙ୍କ ଗଳାରେ ଲମ୍ବାଇ ଦେଇଛନ୍ତି ତାହା ଆଜି ଭାବି ବସିଲେ ବିସ୍ମିତ ହେବାକୁ ପଡ଼େ ।

 

କବି ବ୍ରଜରାଜଙ୍କର ପ୍ରତିସ୍ପର୍ଦ୍ଧୀମାନସରୁ ଜାତ, ପାଣ୍ଡିତ୍ୟ ପ୍ରଦର୍ଶନୀଧର୍ମୀ ଏକ ଅନବଦ୍ୟ ବନ୍ଧକାବ୍ୟ, ଚିତ୍ରକାବ୍ୟ ହେଉଛି ‘ପ୍ରବନ୍ଧ ଚିତ୍ରକାବ୍ୟ’ । ଚିତ୍ରକାବ୍ୟ ରଚନା କରିବା ଅତ୍ୟନ୍ତ ଦୂରୁହ ବ୍ୟାପାର । ଗୋଟିଏ ଗୋଟିଏ ଚିତ୍ର ବା ଆକାର ମଧ୍ୟରେ ବର୍ଣ୍ଣଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ସୁସଜ୍ଜିତ କରି ଯେଉଁ କାବ୍ୟ ରଚନା କରାଯାଏ ତାହାକୁ ଚିତ୍ରକାବ୍ୟ କୁହାଯାଏ । ଚିତ୍ରମାଧ୍ୟମରେ ବିଭିନ୍ନ ରସପୂର୍ଣ୍ଣ ପଦାବଳୀ ପ୍ରୟୋଗ କରି ପାଠକ ମନରେ ଯୁଗପତ୍‌ ବିସ୍ମୟ ଭାବ ସୃଷ୍ଟି ଏହି ଧରଣର କାବ୍ୟ ରଚନାର ଅସଲ ଉଦ୍ଦେଶ୍ୟ ।

 

(କ) ରଚନା ସମୟ ଓ ପ୍ରକାଶକାଳ :

କବି ବ୍ରଜରାଜ ସ୍ଵୀୟ ପାଣ୍ଡିତ୍ୟ ପ୍ରଦର୍ଶନ ନିମନ୍ତେ ସୃଷ୍ଟି କରିଯାଇଛନ୍ତି ‘ପ୍ରବନ୍ଧ ଚିତ୍ରକାବ୍ୟ’-। କାବ୍ୟ ପୁଷ୍ପିକାରୁ ପ୍ରତିପାଦିତ ହୁଏ ଯେ ଗ୍ରନ୍ଥଟି ୧୮୮୭ ଖ୍ରୀଷ୍ଟାବ୍ଦରେ ପ୍ରଣୀତ ହୋଇଥଲା । କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରା ଲିଥୋ ଆକାରରେ ୧୮୮୭ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଆତ୍ମପ୍ରକାଶ କରିଥିଲା ଓ ପରେ ରାଜ୍ୟ ପର୍ଯ୍ୟଟନ ଓ ସାଂସ୍କୃତିକ ବ୍ୟାପାର ବିଭାଗ ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ୧୯୭୫ ମସିହାରେ ‘ବ୍ରଜରାଜ ଗ୍ରନ୍ଥାବଳୀ’ରେ ସ୍ଥାନିତ ହୋଇଛି ।

 

(ଖ) ନାମକରଣ କୌଶଳ :

ଯେ କୌଣସି ଗ୍ରନ୍ଥଟିକୁ ହସ୍ତରେ ଧାରଣ କଲେ ପ୍ରଥମେ ଆଖି ସାମ୍ନାରେ ଝଲସି ଉଠେ ତା’ର ନାମକରଣ । ମଣିଷକୁ ସମ୍ବୋଧନ କରିବା ପାଇଁ, ବୃକ୍ଷଲତା, ଜୀବଜନ୍ତୁ ପୃଥିବୀର ସକଳ ପଦାର୍ଥକୁ ଚିହ୍ନିବା ପାଇଁ ସାଧାରଣତଃ ନାମକରଣର ଆବଶ୍ୟକତା ଅନୁଭବ କରାଯାଏ । ‘‘ପିତାମାତା ନିଜ ସନ୍ତାନ ସନ୍ତତିଙ୍କର ଉପଯୋଗ ତଥା ସୁଶୋଭନ ନାମ ନିର୍ବାଚନ କଲା ପରି କାବ୍ୟସ୍ରଷ୍ଟା ସ୍ଵୀୟ ମାନସ ସନ୍ତାନ ନିମିତ୍ତ ବିଭିନ୍ନ ଦୃଷ୍ଟିରୁ ବିଚାର କରି ଏକ ସାର୍ଥକ ଓ ଆକର୍ଷଣୀୟ ନାମ ନିର୍ବାଚନ ପାଇଁ ଅଭିଳାଷୀ ହେବା ସ୍ଵାଭାବିକ । ପିତୃଦତ୍ତ ନାମର ସାର୍ଥକତା ରକ୍ଷା କରିବା ହୁଏତ ସନ୍ତାନର ଭାଗ୍ୟ ବିପର୍ଯ୍ୟୟ ହେତୁ ଭବିଷ୍ୟତରେ ସମ୍ଭବ ହୋଇ ନପାରେ, କିନ୍ତୁ କାବ୍ୟ ସୃଷ୍ଟିରୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କବିର ନିୟନ୍ତ୍ରଣରେ ଥିବାରୁ ନାମକରଣର ଯଥାର୍ଥତା ତାଙ୍କ ଠାରୁ ଆଶା କରିବା ଅଧିକ ଯୁକ୍ତିଯୁକ୍ତ । କାବ୍ୟର ଅପ୍ରାସଙ୍ଗିକ ବା ଅନୁପଯୁକ୍ତ ନାମ ପାଠକ ବା ଶ୍ରୋତାମାନଙ୍କ ଦ୍ଵାରା ସତତ ଅନାଦୃତ ହୋଇଥାଏ ତେଣୁ କାବ୍ୟର ଅନ୍ତଃ ଓ ବହିଃ ରୂପ ଦୃଷ୍ଟିରୁ ତାହାର ନାମକରଣ କରିବା ପ୍ରତ୍ୟେକ କଳାକାରର ଏକ ପ୍ରଧାନ କର୍ତ୍ତବ୍ୟ ।’’ (୧) ଓଡ଼ିଆ କାବ୍ୟର ନାମ କୌଶଳ ମୁଖ୍ୟତଃ କାବ୍ୟର କଥାବସ୍ତୁ, ଘଟଣା, ପାତ୍ରପାତ୍ରୀ ଏବଂ କାବ୍ୟର ବୈଚିତ୍ର୍ୟକୁ ଭିତ୍ତି କରି ଗଢ଼ି ଉଠିଥିବା ଲକ୍ଷ୍ୟ କରାଯାଏ । (୨) କାବ୍ୟକାର ବ୍ରଜରାଜ ଆଲୋଚ୍ୟ ଗ୍ରନ୍ଥରେ ଲେଖିଛନ୍ତି ଯେ, ଏହା ଏକ ବିଚିତ୍ର ରୀତିରେ ପ୍ରକୃଷ୍ଟ ଭାବରେ ବନ୍ଧା ଯାଇଥିବା ଏକ ଚିତ୍ରକାବ୍ୟ (୩) ସୁତରାଂ କବି ଏହାର ନାମକରଣ କରିଛନ୍ତି ପ୍ରବନ୍ଧ ଚିତ୍ରକାବ୍ୟ ।

 

(ଗ) ଛାନ୍ଦ ବିନ୍ୟାସ ପରିପାଟୀ :

ଛାନ୍ଦ ବିଭାଜନ କୌଶଳ କବିମାନଙ୍କର ଏକ ବିଶିଷ୍ଟ ଆଙ୍ଗିକ କୌଶଳ ସଂସ୍କୃତରେ ଯାହାର ନା ସର୍ଗ, ପ୍ରାକୃତରେ ‘ଆଶ୍ଵସ’, ଅପ୍ରଭଂଶରେ ‘କଡ଼୍‌ବକ୍‌’, ଓଡ଼ିଆରେ ସାଧାରଣରେ ଏହା ‘ଅଧ୍ୟାୟ’, ‘ପର୍ବ’ ଓ ‘ଛାନ୍ଦ’ ନାମରେ ଗୃହୀତ ଓ ବ୍ୟବହୃତ । (୪) ସଂସ୍କୃତ ମହାକାବ୍ୟର ରୀତି ଅନୁସାରେ ଓଡ଼ିଆ କାବ୍ୟଗୁଡ଼ିକ ମଧ୍ୟ ସେହିଭଳି ବିଭିନ୍ନ ଅଧ୍ୟାୟଖଣ୍ଡ ବା ଛାନ୍ଦରେ ବିଭକ୍ତ । ନାଟକ ଯେପରି ବିଭିନ୍ନ ଅଙ୍କ ବା ଦୃଶ୍ୟରେ ବିଭକ୍ତ ଠିକ୍‌ ସେହିପରି ଗୋଟିଏ ଦୀର୍ଘାବୟବ ଗ୍ରନ୍ଥ ବିଭିନ୍ନ ଛାନ୍ଦରେ ବିଭକ୍ତ ହୋଇ ପାଠକକୁ ବିରକ୍ତିକର ପରିବେଶରୁ ରକ୍ଷା କରିଥାଏ । (୫) ରାଜକବିଙ୍କ ‘ପ୍ରବନ୍ଧ ଚିତ୍ରକାବ୍ୟ’ ଏକାଦଶ ଛାନ୍ଦ ବିଶିଷ୍ଟ କାବ୍ୟ ଅଟେ । ଏହି ପ୍ରସଙ୍ଗରେ ଉକ୍ତ କାବ୍ୟର ଛାନ୍ଦ ସଂଖ୍ୟା ଓ ପଦସଂଖ୍ୟାକୁ ଏକ ସାରଣୀ ମାଧ୍ୟମରେ ଉଲ୍ଲେଖ କରାଯାଇପାରେ ।

 

ପ୍ରବନ୍ଧ ଚିତ୍ରକାବ୍ୟ

ଛାନ୍ଦ ସଂଖ୍ୟା

ପଦ ସଂଖ୍ୟା

 

୧ମ ଛାନ୍ଦ

ବୟାଳିଶ

 

୨ୟ ଛାନ୍ଦ

ଚଉବନ

 

୩ୟ ଛାନ୍ଦ

ଚଉରାଶୀ

 

୪ର୍ଥ ଛାନ୍ଦ

ଅଣଷଠି

 

୫ମ ଛାନ୍ଦ

ଏକାବନ

 

୬ଷ୍ଠ ଛାନ୍ଦ

ତେୟାଳିଶ

 

୭ମ ଛାନ୍ଦ

ଏକଚାଳିଶ

 

୮ମ ଛାନ୍ଦ

ତେତିଶ

 

୯ମ ଛାନ୍ଦ

ଏକତିରିଶ

 

୧୦ମ ଛାନ୍ଦ

ଅଣଚାଳିଶ

 

୧୧ଶ ଛାନ୍ଦ

ଏକତିରିଶ

 

(ଘ) ଛନ୍ଦ ନିରୂପଣ :

ଛାନ୍ଦକୁ ସଙ୍ଗୀତମୟ କରିବାକୁ ହେଲେ ଛନ୍ଦ ନିର୍ଣ୍ଣୟ ଯୁଗେ ଯୁଗେ ଆବଶ୍ୟକ ହୋଇ ଆସିଛି । ଛନ୍ଦ କାବ୍ୟର ଏକ ଅପରିହାର୍ଯ୍ୟ ଓ ଗୌରବମୟ ଆଙ୍ଗିକ ବିଭବ । ‘ଏହା ପୁଷ୍କର ସୁରଭି ପରି କାବ୍ୟ କଳାର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ବର୍ଦ୍ଧନ ସହ ଲୋକପ୍ରିୟ କରାଇବାରେ ଏକାନ୍ତ ସହାୟକ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଓ ଶୃଙ୍ଖଳାବଦ୍ଧ ରୀତିରେ ଶବ୍ଦମାନଙ୍କର ସଂଯୋଜନାକୁ ଛନ୍ଦ କୁହାଯାଏ ।’’ (୬) ଛନ୍ଦର ପ୍ରତିଶବ୍ଦ ରୂପେ ସଂସ୍କୃତରେ ବୃତ୍ତର ପ୍ରଚଳନ ପରି ଓଡ଼ିଆ ଭାଷାରେ ବି ବୃତ୍ତ ବା ରାଗ ସମାନାର୍ଥକ ଛନ୍ଦ ଶବ୍ଦ ପ୍ରଚଳିତ । (୭) ଆମ୍ଭର ଆଲୋଚ୍ୟ କବି ମଧ୍ୟ ଛନ୍ଦ ପ୍ରତି ଉନ୍ମୁଖ । ତାଙ୍କ ଦ୍ୱାରା ପ୍ରବନ୍ଧ ଚିତ୍ରକାବ୍ୟରେ ପ୍ରୟୋଗ ହୋଇଥିବା ରାଗ ବା ବୃତ୍ତର ପରିଚୟ ଆମ୍ଭେ ନିମ୍ନରେ ଏକ ସାରଣୀ ମାଧ୍ୟମରେ ପ୍ରଦାନ କରୁଅଛୁଁ । ।

 

ପ୍ରବନ୍ଧ ଚିତ୍ରକାବ୍ୟ

ଛାନ୍ଦ ସଂଖ୍ୟା

ରାଗବୃତ୍ତ, ବାଣୀ ନିର୍ଦ୍ଦେଶ

 

୧ମ ଛାନ୍ଦ

ଘଣ୍ଟାରାବ

 

୨ୟ ଛାନ୍ଦ

ଖେମଟା

 

୩ୟ ଛାନ୍ଦ

କଳସା

 

୪ର୍ଥ ଛାନ୍ଦ

କେଦାର କାମୋଦୀ

 

୫ମ ଛାନ୍ଦ

ବଙ୍ଗଳାଶ୍ରୀ

 

୬ଷ୍ଠ ଛାନ୍ଦ

ରାମକେରୀ

 

୭ମ ଛାନ୍ଦ

କୁମ୍ଭ କାମୋଦୀ

 

୮ମ ଛାନ୍ଦ

କଳସା

 

୯ମ ଛାନ୍ଦ

ସଙ୍ଗମ ତିଆରି ବାଣୀ

 

୧୦ମ ଛାନ୍ଦ

ଚକ୍ରକେଳି

 

୧୧ଶ ଛାନ୍ଦ

ପୋଇ

 

(ଙ) କାବ୍ୟାରମ୍ଭ ଶୈଳୀ :

କାବ୍ୟର ବାହ୍ୟସୌନ୍ଦର୍ଯ୍ୟ ଅବବୋଧ ଦିଗରେ କାବ୍ୟାରମ୍ଭର ଯଥେଷ୍ଟ ଭୂମିକା ରହିଛି । ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଏହି କ୍ଷେତ୍ରରେ ଆଳଙ୍କାରିକ ବିଶ୍ୱନାଥ କବିରାଜଙ୍କ ମତ ଉଲ୍ଲେଖଯୋଗ୍ୟ, ‘ଆଶୀର୍ବାଦ ଭିକ୍ଷା, ନମସ୍କିୟା କିଂବା ବସ୍ତୁ ନିର୍ଦ୍ଦେଶରୁ କାବ୍ୟାରମ୍ଭରେ ହେବା ବାଞ୍ଛନୀୟ’’ (୮) ବ୍ରଜରାଜଙ୍କ ପୂର୍ବରୁ କାବ୍ୟାରମ୍ଭରେ କାବ୍ୟର ନିର୍ବିଘ୍ନ ପରିସମାପ୍ତି ନିମନ୍ତେ କବିଗଣ ସର୍ବଦା ସ୍ଵୀୟ ଇଷ୍ଟଦେବଙ୍କୁ ପ୍ରାର୍ଥନା କରିବାର ପରଂପରା ରହିଆସିଥିଲା । ଆମ ସାଂସ୍କୃତିକ ପରଂପରାରେ ପ୍ରତ୍ୟେକ କାର୍ଯ୍ୟ ପ୍ରାରମ୍ଭରେ ଭଗବାନଙ୍କୁ ପ୍ରାର୍ଥନା କରିବା ଏକ ବିଧି । ଏହି ମଙ୍ଗଳାଚରଣ ଆପାତତଃ ଶାନ୍ତରସ ମାଧ୍ୟମରେ କବିମାନେ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବ୍ରଜରାଜଙ୍କ ପ୍ରବନ୍ଧ ଚିତ୍ରକାବ୍ୟରେ ରହିଥିବା ମଙ୍ଗଳାଚରଣକୁ ଆଲୋଚନା କରାଯାଇପାରେ ।

 

(ଅ) ମଙ୍ଗଳାଚରଣ -

ସଂସ୍କୃତ ପୁରାଣ, କାବ୍ୟ ମହାକାବ୍ୟଠାରୁ ଆରମ୍ଭ କରି ସମଗ୍ର ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ଶୁଭଶଙ୍ଖ ମଙ୍ଗଳାଚରଣରୁ ନିଦାଦିତ ହେବା ଏକ ସ୍ୱାଭାବିକ ରୀତି । ଭାରତୀୟ ପରଂପରାରେ ପ୍ରତ୍ୟେକ କର୍ମ ଆରମ୍ଭ ପୂର୍ବରୁ ଭଗବତ ନାମ ସ୍ମରଣ ଏକ ସର୍ବମାନ୍ୟ ଲୌକିକାଚାର ଏବଂ ଏହି ମଙ୍ଗଳାଚରଣ କାବ୍ୟର ଅପରିହାର୍ଯ୍ୟ ଅଙ୍ଗ । ଏହାକୁ ସରସ, ରୁଚିମନ୍ତ, କଳା ବିମଣ୍ଡିତ ତଥା ଶୋଭା ବର୍ଦ୍ଧନ କରିବା ନିମିତ୍ତ କବିମାନଙ୍କ ବିଭିନ୍ନ କୌଶଳର ଆଶ୍ରୟ ପରିଦୃଷ୍ଟ ହୋଇଥାଏ । × × × କବି ଯେଉଁ ଦେବତାଙ୍କର ଶରଣାପନ୍ନ ହୁଏ ତାଙ୍କର ବିଭିନ୍ନ ରୂପଗୁଣ ସ୍ମରଣ ତଥା ଗୁଣାତ୍ମକ ନାମ ଉଚ୍ଚାରଣ କରିଥାଏ । ‘ଜୟ’, ‘ବନ୍ଦେ’, ‘ନମଇ’ ପ୍ରଭୃତି ଶବ୍ଦ ପ୍ରୟୋଗ ଦ୍ୱାରା ଏ ପ୍ରକାର ନମସ୍କ୍ରିୟା ସୂଚିତ ହୋଇଥାଏ । (୯)

 

ରାଜକବି ଆଲୋଚ୍ୟ କାବ୍ୟର ପ୍ରାରମ୍ଭରେ ତାଙ୍କର ଇଷ୍ଟଦେବ ଗଣେଶଙ୍କର ରୂପଗୁଣର ଜୟଗାନ କରି ତାଙ୍କର ଆଶିଷ ଭିକ୍ଷା କରିଛନ୍ତି । ଯଥା -

 

ଦେବ ଆହେ ଗଣ ଦେବ ଶିବସୁତ ସଦାଶିବ

ଦେବବୃନ୍ଦ ପୂର୍ବ ପୂଜନୀୟ ସର୍ବବିଘ୍ନ ହରବିଘ୍ନ ଦେବ ।

କରପାଶେ ଭୟଙ୍କର କରଣ ସର୍ବଲୋକଙ୍କର

କରତ ଆପଦ ବିନାଶ ସଂପଦ ଦିଅ ଲଭିଲେ ନିଜର ।

ବରଧନ ବିଦ୍ୟାଧର ବରଜ ହୁଅ ଜବର

ବରଜ ସ୍ଵଚ୍ଛନ୍ଦେ ତବ ପଦପଙ୍କଜେ ଏଣୁ ଯୁବ ନରବର । (୧୦)

 

କବି ଏହି ମଙ୍ଗଳାଚରଣକୁ ଆଦ୍ୟପ୍ରାନ୍ତ ଯମକ ଅଳଙ୍କାରରେ ବିମଣ୍ଡିତ କରି ଚମତ୍କାରିତା ସୃଷ୍ଟି କରିଛନ୍ତି ।

 

(ଆ) ସ୍ଵକାବ୍ୟର ମହତ୍ତ୍ଵ ପ୍ରତିଷ୍ଠା ନିମନ୍ତେ ଆତ୍ମ ବିଜ୍ଞାପନ :

ମଧ୍ୟଯୁଗୀୟ କାବ୍ୟ ପରଂପରାରୁ ଜଣାଯାଏ ଯେ କବିଗଣ ସ୍ଵକାବ୍ୟର ମହତ୍ତ୍ୱ ପ୍ରତିଷ୍ଠା ନିମିତ୍ତ କାବ୍ୟରେ ଆତ୍ମ ବିଜ୍ଞାପନ ପ୍ରଦାନ କରିଥାନ୍ତି । କାବ୍ୟର ପ୍ରଚାର ଓ ଗୌରବ ପ୍ରତିପାଦନ ପାଇଁ ଏହା ଏକ ଅଭିନବ କୌଶଳ ।

 

କବି ବ୍ରଜରାଜ ସ୍ଵୀୟ ପ୍ରବନ୍ଧ ଚିତ୍ରକାବ୍ୟରେ ବିଦଗ୍‌ଧମାନଙ୍କୁ ‘ଶୁଦ୍ଧମତି’ ବୋଲି ସମ୍ବୋଧନ କରି ନିଜ ରଚନାର ବୈଚିତ୍ର୍ୟ ସଂପର୍କରେ ଲେଖିଛନ୍ତି । ‘ଆହେ, ବୁଧେ ଶୁଦ୍ଧମତି ଦେବା ଏ ବିଚିତ୍ର ରୀତି ପ୍ରବନ୍ଧ ଚିତ୍ରିତ କାବ୍ୟ ରଚନାରେ ମୋ ଚିତ୍ତ ବଳିଲା ଅତି (୧୧)

 

କବି ପାଠକମାନଙ୍କୁ ନିଜ ସୃଷ୍ଟି ପ୍ରତି ଆକୃଷ୍ଟ କରାଇବା ତଥା ସ୍ଵକାବ୍ୟର ମହତ୍ତ୍ୱ ପ୍ରତିଷ୍ଠା ନିମନ୍ତେ ହିଁ ଏହା ଉଲ୍ଲେଖ କରି ଯାଇଛନ୍ତି ।

 

(ଇ) ଛନ୍ଦ, ବନ୍ଧ ଚିତ୍ରାଳଙ୍କାରର ତାଲିକା ପ୍ରଦାନ

କବି ବ୍ରଜରାଜ ଆଲୋଚ୍ୟ ଗ୍ରନ୍ଥରେ ପ୍ରୟୋଗ କରଥିବା ବିଭିନ୍ନ ଛନ୍ଦ, ଶବ୍ଦ ଓ ବନ୍ଧ ଚିତ୍ରାଳଙ୍କାରର ଏକ ଦୀର୍ଘ ତାଲିକା କାବ୍ୟର ଆରମ୍ଭରେ ପ୍ରଦାନ କରିଥିବା ଦେଖିବାକୁ ମିଳେ ।

ଯଥା :

x      x      x      x

ବନ୍ଧ ଛନ୍ଦ ଯମକ ଯେ ଅନ୍ତର୍ଲିପିକାରେ ରାଜେ

ବହିର୍ଲିପି ମହାଯମକ ସହିତେ ମାଳଯମକତ ସହଜେ

ଏହା ଉତ୍ତାରୁ ବନ୍ଧବିଧି କହୁଛି ଶୁଣ ସୁବୁଦ୍ଧି

ନଗ ଉଷ୍ଣୀକଟୀଳ ବନ୍ଧ ମିଶି ମହାମୁରୁଜ ପ୍ରସିଦ୍ଧି

x       x      x      x

ଅଜଗର ସୁକୁଣ୍ଡଳ ପର୍ଯ୍ୟଙ୍କବନ୍ଧ ଅମୂଲ୍ୟ

ଆଳରଶକର ଘଣ୍ଟକଙ୍କତିକ । ନୃତ୍ୟ ବରହୀ ମଂଜୁଳ(୧୨)

 

(ଚ) ସାଧୁସ୍ତୁତି ଓ ଖଳନିନ୍ଦା

ଯୁଗେ ଯୁଗେ କବିମାନେ ସହୃଦୟ ପାଠକଗୋଷ୍ଠୀର ସହଯୋଗ କାମନା କରିଥାନ୍ତି । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ବିରୋଧରେ ମାତୃଭାଷା ଅସହିଷ୍ଣୁ ଅହମିକାଗ୍ରସ୍ତ ସଂସ୍କୃତ ପଣ୍ଡିତମାନେ ଯେଉଁ ନାସିକାକୁଞ୍ଚନ କରୁଥିଲେ ତାହାର ପ୍ରତିକ୍ରିୟା ସ୍ଵରୂପ ସାଧୁସ୍ତୁତି ଓ ଖଳନିନ୍ଦା ଓଡ଼ିଆ କାବ୍ୟର ଆବଶ୍ୟକ କୌଶଳ ହୋଇ ପଡ଼ିଥିବା ମନେ ହୁଏ ଓଡ଼ିଆ ରୀତିଯୁଗୀୟ କାବ୍ୟମାନଙ୍କରେ ଏହି ବିଦ୍‌ଗଧ ପାଠକମାନଙ୍କୁ ରସିକ, ପଣ୍ଡିତ, ଧୀର କୋବିଦ, ସାଧୁଜନ, ସଜ୍ଜନ ଆଦି ନାମରେ ସମ୍ବୋଧନ କରାଯାଇଛି । ଅପର ପକ୍ଷରେ ଦୁର୍ଜ୍ଜନମାନଙ୍କୁ , , , ସହ ତୁଳନା କରାଯାଇଥିବା ପରିଦୃଷ୍ଟ ହୁଏ ।

 

ଏହି ପରିପ୍ରେକ୍ଷୀରେ କବି ବ୍ରଜରାଜଙ୍କ ପ୍ରବନ୍ଧ ଚିତ୍ରକାବ୍ୟରେ କବି ବିଦ୍‌ଗଧ ପାଠକମାନଙ୍କୁ ‘ବୁଧେ’, ‘ଶୁଦ୍ଧମତି’, ‘ଭାବୁକ ରସିକ’ ଆଦି ସମ୍ବୋଧନ କରିଥିବା ବେଳେ ଖଳମାନଙ୍କୁ ଶୃଗାଳ, , ନାମରେ ନାମିତ କରିଥିବା ଲକ୍ଷ୍ୟ କରାଯାଏ ।

 

(ଛ) କାବ୍ୟ ପରିସମାପ୍ତି ଶୈଳୀ :

ଭାରତୀୟ ସଂସ୍କୃତିରେ କର୍ମାରମ୍ଭ ପରି କର୍ମ ପରିସମାପ୍ତିର ମଧ୍ୟ ଯଥେଷ୍ଟ ଗୁରୁତ୍ଵ ରହିଛି । ଓଡ଼ିଆ କାବ୍ୟକାରମାନେ କାବ୍ୟ ଶେଷରେ ଯେଉଁ କେତୋଟି କୌଶଳ ଅବଲମ୍ବନ କରିଛନ୍ତି ସେଗୁଡ଼ିକ ହେଉଛି -ଇଷ୍ଟନାମ ଓ ସ୍ଵନାମ ସୂଚନା, କାବ୍ୟ ରଚନାର ସମୟ ନିର୍ଦ୍ଦେଶ ଛାନ୍ଦ ଓ ପଦସଂଖ୍ୟା ନିର୍ଦ୍ଦେଶ ଓ ସ୍ଵାଭିପ୍ରାୟ ପ୍ରକାଶ, କାବ୍ୟ ପ୍ରଶଂସା, ସାଧୁସ୍ତୁତି ଓ ଖଳନିନ୍ଦା, ଆତ୍ମଲଘୁତା ବା ’’

 

ଏ ଦୃଷ୍ଟିରୁ ଆମର ଆଲୋଚ୍ୟ ପ୍ରବନ୍ଧ ଚିତ୍ରକାବ୍ୟର ପରିସମାପ୍ତିରେ ମଧ୍ୟ କେତେ କୌଶଳ ପ୍ରୟୋଗ କରିଥିବା ଲକ୍ଷ୍ୟ କରାଯାଏ ।

 

(ଅ) ସ୍ଵାଭିପ୍ରାୟ ପ୍ରକାଶ :

ପ୍ରତ୍ୟେକ କବି ନିଜ ରଚନାର ଲୋକାଦୃତି କାମନା କରିଥାନ୍ତି, ସର୍ବଶେଷରେ ସ୍ଵୀୟ କାବ୍ୟର ପ୍ରଚାର ନିମନ୍ତେ କବିର ଅନନ୍ତ କାମନା ରହିଥାଏ । ରାଜକବି ମଧ୍ୟ ସ୍ଵୀୟ ବନ୍ଧକାବ୍ୟରେ ଲେଖିଛନ୍ତି,

 

‘‘ମୋର ମାଗୁଣି ଏତକ ଶୁଭେ ଏ ପୁସ୍ତକ

ଗୁଣୀ ଗଣରେ ଆଦର ହେଉ’’(୨୧)

ବସ୍ତୁତଃ ଏସବୁ ନିଜର ଯଶ ଓ କବିତ୍ୱ ପ୍ରଚାର ପାଇଁ ଉଦ୍ଦିଷ୍ଟ ।

 

(ଆ) ପ୍ରଭୁଙ୍କ ନାମସ୍ମରଣ ଓ ସ୍ଵନାମ ପ୍ରଦାନ :

ଓଡ଼ିଆ କାବ୍ୟର ଉପସଂହାରରେ ଇଷ୍ଟନାମ ସ୍ମରଣ ଓ ଜୟଗାନ କରି ତାଙ୍କର ପାଦପଦ୍ମରେ ଭକ୍ତିପୂତ ପ୍ରଣାମ ପୂର୍ବକ ସ୍ଵନାମ ଉଲ୍ଲେଖ କରିବା ଏକ ବହୁ ପ୍ରଚଳିତ କାବ୍ୟ କୌଶଳ ଅଟେ, କବି ବ୍ରଜରାଜ ଚିତ୍ରକାବ୍ୟରେ ଶ୍ରୀକୃଷ୍ଣଙ୍କର ନାମ ସ୍ମରଣ କରିବା ସହ ତାଙ୍କର ପାଦପଦ୍ମକୁ ଧ୍ୟାୟୀ ନିଜର ନାମ ଉଲ୍ଲେଖ କରିଛନ୍ତି ।

 

ଯଥା -

ପୀତପଟ କଟିତଟ ଦିଶେ ଝଟଝଟ ଚନ୍ଦ୍ରକ ଚୂଳିଆ ନଟବର

ତାଙ୍କ କମଳ ଚରଣ କରଇ ସ୍ମରଣ ବ୍ରଜରାଜ ସିଂହ ବୀରବର ।(୨୨)

 

(ଇ) ଗ୍ରନ୍ଥ ରଚନାର ସମୟ ନିର୍ଦ୍ଦେଶ :

ସଂସ୍କୃତ ସାହିତ୍ୟରେ ବହୁ ପଣ୍ଡିତ ନିଜ ଗ୍ରନ୍ଥରେ ରଚନାକାଳ ନିର୍ଦ୍ଦେଶ କରି ଯାଇଛନ୍ତି । ଓଡ଼ିଆ କାବ୍ୟ ପରିସମାପ୍ତିରେ ମଧ୍ୟ ରଚନାର ସମୟ ଉଲ୍ଲେଖ ଏକ ବହୁ ପ୍ରଚଳିତ ପରଂପରା । କବି ବ୍ରଜରାଜଙ୍କର ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ରହିଥିଲା । ସେ ସଂସ୍କୃତ ସାହିତ୍ୟର ପୂଜାରୀ ଥିବାରୁ ପ୍ରବନ୍ଧ ଚିତ୍ରକାବ୍ୟର ଶେଷାଂଶରେ ସଂସ୍କୃତ ଭାଷା ରଚନାର ସମୟ ଉଲ୍ଲେଖ କରିଛନ୍ତି । ତଦନୁଯାୟୀ ୧୮୦୮ ଶତାବ୍ଦୀ ବା ୧୮୮୬ ମସିହା ଆଶ୍ୱିନ କୃଷ୍ଣପକ୍ଷ ଦଶମି ତିଥି ୧୦ଘଣ୍ଟା ୪୦ ମିନିଟ୍‌ରେ ମାହେନ୍ଦ୍ର ବେଳାରେ ଏହି ନବୀନ ରଚନାର ପରିସମାପ୍ତି ହୋଇଥିଲା । (୨୩)

 

(ଜ) ପ୍ରବନ୍ଧ ଚିତ୍ରକାବ୍ୟ - ବିବିଧ ବୈଚିତ୍ର୍ୟ :

ବ୍ରଜରାଜଙ୍କ ପ୍ରବନ୍ଧ ଚିତ୍ରକାବ୍ୟ ବିବିଧ ବୈଚିତ୍ର୍ୟ ବିମଣ୍ଡିତ

ବ୍ରଜରାଜଙ୍କ ଚିତ୍ରାଳଙ୍କାରଗତ ଚମତ୍କାରିତା

 

କାବ୍ୟର ନାମ

ଛାନ୍ଦ

ଅଳଙ୍କାର ପ୍ରୟୋଗ

ପ୍ରବନ୍ଧ ଚିତ୍ରକାବ୍ୟ

୨ୟ ଛାନ୍ଦ

ଅନ୍ତର୍ଲିପି, ମଣ୍ତୁଳାପ୍ଲୁତି, ବହିର୍ଲିପି, ଅବନା, ବନା, ଚକ୍ର ସିଂହାବଲୋକନ, ବିରୋଧାଭାସ, ପୁରୁକ୍ତ ବଦାଭାସ ।

ସମଗ୍ର କାବ୍ୟ

୩ୟ ଛାନ୍ଦ

ବହିର୍ଲିପି, ଅନ୍ତର୍ଲିପି, ଗୋମୂତ୍ର ଛନ୍ଦ, ଲୋମ, ବିଲୋମ, ମେଷ ଯୁଦ୍ଧ, ବ୍ୟାଘ୍ରଗତି, ଶୃଙ୍ଖଳା, ଶ୍ଲେଷ ।

ଚିତ୍ରାଳଙ୍କାର ପ୍ରଧାନ

୪ର୍ଥ ଛାନ୍ଦ

ଦତ୍ତାକ୍ଷର, ଚ୍ୟୁତାକ୍ଷର, ଚ୍ୟୁତାଦତ୍ତାକ୍ଷର, ସର୍ବଯମକ, ମାଳଯମକ, ମହାଯମକ, ଅନ୍ତର୍ଲିପି, ସରୋଷ୍ଠ୍ୟ, ନିରୋଷ୍ଠ୍ୟ ।

 

୫ମ ରୁ ୧୧ଶ ଛାନ୍ଦ ୭୨ ଟି ବନ୍ଧ ଚିତ୍ରାଳଙ୍କାର ଶୋଭିତ ।

 

ବସ୍ତୁବନ୍ଧ :

ଅଚଳବନ୍ଧ, ଉଷ୍ଣୀଶବନ୍ଧ, କଟୀଳବନ୍ଧ, ମହାମୁରୁବନ୍ଧ, ପଦକହାରାବନ୍ଧ, ଚାପସରିବନ୍ଧ, ମୀକେତନବନ୍ଧ, କିରୀଟବନ୍ଧ, ଲାନ୍ତରବନ୍ଧ, ପଞ୍ଚମାବୃତବନ୍ଧ ମଣ୍ଡପବନ୍ଧ, ତାଟଙ୍କବନ୍ଧ, ଅମାରୀବନ୍ଧ, ଚାନ୍ଦୁଆବନ୍ଧ, ଏକାଘ୍ନୀବନ୍ଧ, ପାଲିଙ୍କିବନ୍ଧ, ପ୍ରାସାଦବନ୍ଧ, ବିନ୍ଧାଣବନ୍ଧ, ଲେଖନବନ୍ଧ, ବ୍ୟଂଜନବନ୍ଧ, ବାରିଶିବନ୍ଧ, କଂଜକୋଶବନ୍ଧ, ବହିତ୍ରବନ୍ଧ, ମଂଜୁଷାବନ୍ଧ, ବାଉଲୀବନ୍ଧ, ବେଣ୍ଟୁଳାବନ୍ଧ, ଖିଡ଼ିକିବନ୍ଧ, କଶାବନ୍ଧ, ତକିଆବନ୍ଧ, ଦ୍ୱାଦଶ ଛାନ୍ଦବନ୍ଧ, ହୁକାବନ୍ଧ, ଚଉକିବନ୍ଧ, ମୁଦଗରବନ୍ଧ, କରତବନ୍ଧ, ମୁଦ୍ରିକାବନ୍ଧ, ନଳୀବନ୍ଧ, ତରଣୀବନ୍ଧ, ଜଗତୀବନ୍ଧ, ରବିନାଥବନ୍ଧ, କୁଣ୍ଡଳବନ୍ଧ, ଚତୁଃଛାନ୍ଦବନ୍ଧ, ପଲ୍ୟଙ୍କବନ୍ଧ, ଦର୍ପଣବନ୍ଧ, ଘଣ୍ଟାବନ୍ଧ. କଙ୍କତିକାବନ୍ଧ, ହାରାବନ୍ଧ, ଯମଦାଢ଼ବନ୍ଧ, ଢାଲବନ୍ଧ, କଠାଉବନ୍ଧ, ସଂପୁଟକବନ୍ଧ, ପିକଦାନିବନ୍ଧ, ନଥବନ୍ଧ, ମର୍ଦ୍ଦଳବନ୍ଧ, ନିଃଶ୍ରେଣୀବନ୍ଧ, ରୁଖାବନ୍ଧ, ଝରୀବନ୍ଧ, ବାକୁବନ୍ଧ, ତାରାମଣ୍ଡଳବନ୍ଧ, କତୁରୀବନ୍ଧ, କମାଚବନ୍ଧ ।

 

ପ୍ରାଣୀବନ୍ଧ :

ବୃକ୍ଷବନ୍ଧ, ବେଣୀବନ୍ଧ, କୁମୁଦବନ୍ଧ, ମହନାଗବନ୍ଧ, ରମ୍ଭାବୃକ୍ଷବନ୍ଧ, ଅଜଗରବନ୍ଧ, ମୟୂରବନ୍ଧ, ଅଷ୍ଟଦଳ ପଦ୍ମବନ୍ଧ, ମୟୂରପୁଚ୍ଛବନ୍ଧ । ଉଲ୍ଲିଖିତ ସାରଣୀରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ, କବି ବ୍ରଜରାଜଙ୍କ ଚିତ୍ରାଳଙ୍କାର ପୂର୍ଣ୍ଣକାବ୍ୟ ହେଉଛି ପ୍ରବନ୍ଧ ଚିତ୍ରକାବ୍ୟ । ପ୍ରାସାଦ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସୁରେଇ, ରୁଖା, ପିକଦାନୀ, ନିଃଶ୍ରେଣୀ, ପାନଦାନୀ, ପିକଦାନୀ, ଦର୍ପଣ, ପଲ୍ୟଙ୍କ, ଚଉକି, ତକିୟା, ସିନ୍ଦୁକ, ବିଛଣା, ଲେଖନୀ, କାଠ ବଢ଼େଇ ବ୍ୟବହାର କରୁଥିବା ବିଭିନ୍ନ ହାତ ହତିଆର ଯଥା - ବିନ୍ଧାଣ ବାରିଶି, କରତ, କବିଙ୍କ ସମୟରେ ବ୍ୟବହାର କରାଯାଉଥିବା ପାଲିଙ୍କି, ଚାବୁକ କବିଙ୍କ ଅସ୍ତ୍ରାଗାରରେ ଥବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଯଥା- ଧନୁଶର, ଢାଲ, ବନ୍ଧୁକ, ଗଦା ଆଦିର ଆକର୍ଷଣୀୟ ଛାପ କବିଙ୍କ ମାନସିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । କବି ସେସବୁ ଚିତ୍ରକୁ ଚିତ୍ରକାବ୍ୟରେ ସ୍ଥାନ ଦେଇଛନ୍ତି ।

 

କେବଳ ସେତିକି ନୁହେଁ ଖଡ଼ିଆଳ ଅଂଚଳର ନାରୀମାନେ ପିନ୍ଧୁଥିବା ବିଭିନ୍ନ ଅଳଙ୍କାର ଯଥା- ହାର, ଚାପସରି, ଅଳକା, ବେଣ୍ଟୁଳା, ମଲ୍ଲିକଣ୍ଠି, ହାର, ବାଜୁ, ନଥ ଇତ୍ୟାଦି ଅଳଙ୍କାର ତଥା ନିଜ ଅଂଚଳର ଲୋକେ ବ୍ୟବହାର କରୁଥିବା ବିଭିନ୍ନ ବାଦ୍ୟଯନ୍ତ୍ର ଯଥା - ତୁମ୍ବା, ମର୍ଦ୍ଦଳ ଆଦି ଚିତ୍ରକୁ ନଜ ଚିତ୍ରକାବ୍ୟରେ ସ୍ଥାନ ଦେଇ ନିଜର ଅସାମାନ୍ୟ କଳା ଓ କଳ୍ପନା ଚାତୁରୀର ପରିଚୟ ଦେଇଯାଇଛନ୍ତି ।

 

(ଆ) ବିଭିନ ଭାଷା ପ୍ରୟୋଗରେ ବୈଚିତ୍ର୍ୟ :

ଉପେନ୍ଦ୍ର ଭଂଜ ତାଙ୍କର ‘ଚିତ୍ରକାବ୍ୟ ବନ୍ଧୋଦୟ’ ଗ୍ରନ୍ଥରେ ତୈଳଙ୍ଗ, ବଙ୍ଗ ଖୋରଠ, ଦେଶୀ, ସଂସ୍କୃତ ଏହି ପାଞ୍ଚ ପ୍ରକାର ଭାଷାର ସୁନ୍ଦର ପଙ୍‌କ୍ତି ଲୁକ୍‌କାୟିତ ଭାବରେ ପ୍ରୟୋଗ କରିଥିବା ବେଳେ କବି ବ୍ରଜରାଜ ତାଙ୍କର ପ୍ରବନ୍ଧ ଚିତ୍ରକାବ୍ୟରେ ସଂସ୍କୃତ, ବଙ୍ଗଳା, ମରହଟ୍ଟା, ତୈଲଙ୍ଗା ସହ ଚମତ୍କାର ଓ ଚତୁରତାର ସହ ଇଂରେଜୀ ଓ ହିନ୍ଦୀ ଭାଷାର ପଙ୍‌କ୍ତି ଲୁକ୍‌କାୟିତ ଭାବରେ ସଂଯୋଜନା କରିଛନ୍ତି ।

 

ଯଥା : ଅଚଳବନ୍ଧରେ      - ‘ନନ୍ଦନନ୍ଦନ ଜଗତ ବନ୍ଦନ’

ମୀନକେତନ ରଥ ବନ୍ଧରେ      - ‘ଧୃତଶଙ୍ଖ ଚକ୍ର’ (ସଂସ୍କୃତ), ରାମେର ବିନା ଗତିକେ’ (ବଙ୍ଗଳା)

ମଣ୍ଡପ ବନ୍ଧରେ            - ‘ଆଓ ମେରେ ପ୍ୟାରେ’ (ହିନ୍ଦୀ)

କମାଚ୍‌ବନ୍ଧରେ            - ‘ରାମ ନାମ ଭଲା ହେ’ (ହିନ୍ଦୀ)

ରବି ରଥ ବନ୍ଧରେ            - ‘ପ୍ରଭିଡେନ୍ସ ଇଜ୍‌ ଗ୍ରେଟେଷ୍ଟ’ (ଇଂରାଜୀ)

‘ମିଦଂ ବ୍ରଜରାଜ ସିଂହ କୃତି’ (ସଂସ୍କୃତ)

‘ନିନେନ ମିନ୍ନାନୁ’ (ତୈଲଙ୍ଗା)

 

(ଇ) କେତେକ ବନ୍ଧରେ ଦେବବନ୍ଦନା ଲୁକ୍‌କାୟିତ ସଂଯୋଜନା କରିଯାଇଛନ୍ତି

ଯଥା : ହାରାବନ୍ଧରେ ‘ଜଗନ୍ନାଥ ବନ୍ଦନା’

ମୀନକେତନ ରଥ ବନ୍ଧରେ – ‘ଶ୍ରୀରାମ ସ୍ତୃତି’ ଓ ଅମାରୀ ବନ୍ଧରେ – ‘ଶ୍ରୀକୃଷ୍ଣ ସ୍ତୁତି’ ରହିଛି ।

 

(ଈ) କେତେ ବନ୍ଧରେ ଋତୁ ବର୍ଣ୍ଣନା -

ରାଜକବିଙ୍କର ଉକ୍ତ ଚିତ୍ରକାବ୍ୟରେ କେତେ ଋତୁ ବର୍ଣ୍ଣନା ଦେଖିବାକୁ ମିଳେ । ଯଥା- ତକିୟାବନ୍ଧରେ-‘ବର୍ଷା ଋତୁ ବର୍ଣ୍ଣନା’, ଅଷ୍ଟଦଳ ପଦ୍ମବନ୍ଧରେ- ‘ବର୍ଷାଋତୁ ବର୍ଣ୍ଣନା’ ଓ ମହାନାଗ ବନ୍ଧରେ- ବସନ୍ତ ଋତୁର ବର୍ଣ୍ଣନା ଦେଖିବାକୁ ମିଳେ ।

 

ସୁତରାଂ ରାଜକବି ବ୍ୟାପକ ଭାବରେ ନିଜର ଅଭିରୁଚି ପ୍ରକଟ କରି ଚିତ୍ର ଏବଂ କାବ୍ୟର ଅଦ୍‌ଭୂତ ସମନ୍ଵୟ ସାଧନ କରିଯାଇଛନ୍ତି ।

 

ଓଡ଼ିଆ ସାହିତ୍ୟରେ ‘ପ୍ରବନ୍ଧ ଚିତ୍ରକାବ୍ୟ’ର ସ୍ଥାନ :

କବି ବ୍ରଜରାଜ ସିଂହଦେଓଙ୍କର ପ୍ରବନ୍ଧ ଚିତ୍ରକାବ୍ୟ ଛନ୍ଦବନ୍ଧ ସଂପର୍କୀୟ ଏକ ସ୍ଵତନ୍ତ୍ର ରଚନା । ଏହା ଏକାଦଶ ଛାନ୍ଦ ବିଶିଷ୍ଟ, ବାସ୍ତରୀ ବନ୍ଧ ସଂଯୋଜିତ ଏକ ଚମତ୍କାର ଚିତ୍ରାଳଙ୍କାର ପୂର୍ଣ୍ଣ ଚିତ୍ରକାବ୍ୟ । ‘କାବ୍ୟକୁ ପ୍ରଦର୍ଶନ ପ୍ରଧାନ ଦୁର୍ବୋଧ୍ୟ, ସୁଦୃଶ୍ୟ ତଥା କୌତୁହଳୋଦ୍ଦୀପକ କରିବା ପାଇଁ ଏହା ଏକ ବିଶିଷ୍ଟ ମାଧ୍ୟମ ରୂପେ କଳ୍ପିତ ହୋଇଥାଏ । ଯେଉଁମାନେ ଅର୍ଥବୋଧରୁ ଆନନ୍ଦ ଲାଭ କରିବା ପାଇଁ ଅସମର୍ଥ ସେମାନେ ସୁଦୃଶ୍ୟ ଅକ୍ଷର ପଙ୍‌କ୍ତି ନିବନ୍ଧ ଚାରୁ ଚିତ୍ରାବଳୀ ଦର୍ଶନରେ ବିମୁଗ୍‌ଧ । ଓଡ଼ିଆ ସାହିତ୍ୟରେ ବ୍ରଜରାଜଙ୍କ ପୂର୍ବରୁ ଓ ପରେ ଯେଉଁସବୁ ଚିତ୍ରକାବ୍ୟ ଦେଖିବାକୁ ମିଳେ ସେଗୁଡ଼ିକ ହେଉଛି, ଉପେନ୍ଦ୍ର ଭଂଜଙ୍କ- ଚିତ୍ରକାବ୍ୟ ବନ୍ଧୋଦୟ, ଦ୍ଵିଜ ସତ୍ୟବାଦୀଙ୍କ- ପ୍ରବନ୍ଧ ସ୍ତବାବଳୀ, ବାଳକୃଷ୍ଣ ପାତ୍ରଙ୍କ-ବିଚିତ୍ର କାବ୍ୟ ଇତ୍ୟାଦି । ଏହି ଚିତ୍ର କାବ୍ୟଗୁଡ଼ିକ କାବ୍ୟ ରସର ବିଶେଷ ଉପକାରକ ନହେଲେ ସୁଦ୍ଧା କବିମାନଙ୍କର ସାମର୍ଥ୍ୟସୂଚକ ବୋଲି ସ୍ୱୀକୃତ ‘‘ଉପେନ୍ଦ୍ର ଭଂଜଙ୍କର ଚିତ୍ରକାବ୍ୟ ବନ୍ଧୋଦୟ ସଂସ୍କୃତ ବନ୍ଧ ସର୍ଜନାତ୍ମକ ପ୍ରତିଭାର ପ୍ରତିସ୍ପର୍ଦ୍ଧିତାରୁ ସମୁଦ୍‌ଦ୍ଭୂତ । ଏ କ୍ଷେତ୍ରରେ ଯେଉଁ ମୁଷ୍ଟିମେୟ କବି ପାଠକଙ୍କଠାରୁ ସ୍ଵତନ୍ତ୍ର ସମ୍ମାନ ଦାବୀ କରନ୍ତି ସେମାନଙ୍କ ମଧ୍ୟରେ ବ୍ରଜରାଜ ଅନ୍ୟତମ । ଏହିପରି ଗଭୀର ଓ ବଳିଷ୍ଠ ଭାବରେ ବନ୍ଧ ସର୍ଜ୍ଜନା କୌଶଳର ଜଣେ ବରେଣ୍ୟ ଓ ସିଦ୍ଧହସ୍ତଶିଳ୍ପୀ ରୂପେ ଭଂଜଯୁଗର ଓ ତଥା ଭଂଜୋଯୁଗର ବହୁ ସ୍ଵନାମଧନ୍ୟ କବିଙ୍କ ଅପେକ୍ଷା ବ୍ରଜରାଜଙ୍କ ତୁଙ୍ଗ ଆସନରେ ଅଧିରୂଢ଼ା । ଉପେନ୍ଦ୍ର ଭଂଜଙ୍କ ପରି ବିଭିନ୍ନ କାବ୍ୟ କବିତା ସହ ଯେଉଁମାନଙ୍କର ବନ୍ଧ ବିଷୟକ ସ୍ଵତନ୍ତ୍ର ରଚନା ରହିଅଛି ସେହି ମୁଷ୍ଟିମେୟ କବିଙ୍କ ମଧ୍ୟରେ ବ୍ରଜରାଜଙ୍କ ନାମ ଆଲୋକଦୀପ୍ତ ହୋଇ ପ୍ରତିଭାତ ହେଉଅଛି

 

 

ଓଡ଼ିଆ ଅଧ୍ୟାପକ, ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟ

ତୁକଲା, ଥାନା-ଖଡ଼ିଆଳ, ଜିଲ୍ଲା-ନୂଆପଡ଼ା

ମୋ-୯୯୩୮୭୯୨୦୧୫

ପାଦଟୀକା :

(୧)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, ଶ୍ରୀମତୀ ବିନୋଦିନୀ ଆଚାର୍ଯ୍ୟ, ବ୍ରହ୍ମପୁର, (୧୯୮୩) ପୃ-୨୬୪

(୨)

ତତ୍ରୈବ, ପୃ-୨୬୫

(୩)

ସିଂହଦେଓ, ବ୍ରଜରାଜ, ପ୍ରବନ୍ଧ ଚିତ୍ରକାବ୍ୟ-୧/୪ ପଦ ‘ଆହେ ବୁଧେ ଶୁଦ୍ଧମତି ଦେବା ଏ ବିଚିତ୍ର ରୀତି ପ୍ରବନ୍ଧ ଚିତ୍ରିତ କାବ୍ୟ ରଚନାରେ ମୋ ଚିତ୍ତ ବଳିଲା ଅତି’’

(୪)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, (୧୯୮୩) ପୃ-୨୭୬

(୫)

ନନ୍ଦ, ଦୁର୍ଗାମାଧବ, କବି ବିଷ୍ଣୁଦାସ : ପ୍ରସଙ୍ଗ ଓ ପ୍ରକରଣ, ପ୍ରଜ୍ଞାପ୍ରକାଶନୀ, ବ୍ରହ୍ମପୁର,(୨୦୦୨) ପୃ-୨୨୨

(୬)

ମହାନ୍ତି, ଜାନକୀ ବଲ୍ଲଭ, ଓଡ଼ିଆ ଛନ୍ଦର ବିକାଶ ଧାରା, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, (୧୯୯୭) ପୃ-୭

(୭)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟକୌଶଳ, ପୃ-୧୮୦

(୮)

କବିରାଜ ବିଶ୍ଵନାଥ, ସାହିତ୍ୟ ଦର୍ପଣ-୬/୮

(୯)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, ପୃ-୩୦୪

(୧୦)

ସିଂହଦେଓ, ବ୍ରଜରାଜ, ପ୍ରବନ୍ଧ ଚିତ୍ରକାବ୍ୟ-୧/୧-୩ ପଦ

(୧୧)

ତତ୍ରୈବ-୧/୪ପଦ

(୧୨)

ତତ୍ରୈବ-୧/୪, ୮,୧୫ ପଦ

(୧୩)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, ପୃ-୩୧୦-୩୧୧

(୧୪)

ଦାସ, ଶିଶୁଶଙ୍କର, ଉଷାଭିଳାଷ-୧/୨୭-୧୮ପଦ

(୧୫)

କବିସୂର୍ଯ୍ୟ, ସନାନନ୍ଦ, ପ୍ରେମ କଳ୍ପଲତା-୧/୯ପଦ

(୧୬)

ତତ୍ରୈବ-ପୃ-୧୮୭

(୧୭)

ଭଂଜ, ଉପେନ୍ଦ୍ର, ସୁଭଦ୍ରା ପରିଣୟ-୧/୧୯ ପଦ

(୧୮)

ଦେବ, ପଦ୍ମନାଭ, ଭାବବତୀ-୧/୧୧ ପଦ

(୧୯)

ସିଂହଦେଓ, ପ୍ରବନ୍ଧ ଚିତ୍ରକାବ୍ୟ-୧/୩୮ ପଦ

 

‘‘ଯଥା ଦିବ୍ୟ ପକ୍ୱଫଳ ସ୍ୱାଦୁ କିଏ ପାଏ ଶୃଗାଳ

 

ଗନ୍ଧସାର ସାର ପାଏ ନି କି ଖର ମୂର୍ଖକୁ ତଥା ଏ ତୁଲ’’

(୨୦)

ଆଚାର୍ଯ୍ୟ, ଓଡ଼ିଆ କାବ୍ୟ କୌଶଳ, ପୃ-୩୨୦

(୨୧)

ସିଂହଦେଓ, ପ୍ରବନ୍ଧ ଚିତ୍ରକାବ୍ୟ-୧୧/୩୦ ପଦ

(୨୨)

ତତ୍ରୈବ-୧୧/୩୧ ପଦ

(୨୩)

ସିଂହଦେଓ, ବ୍ରଜରାଜ, ବ୍ରଜରାଜ ଗ୍ରନ୍ଥାବଳୀ, ପୃ-୩୯୨

(୨୪)

ଆଚାର୍ଯ୍ୟ, ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, ପୃ-୪୨୮-୪୨୯

(୨୫)

ପାଢ଼ୀ, ବେଣୀମାଧବ, ଭଂଜୀୟ କାବ୍ୟ ଭାବନା, ଗ୍ରନ୍ଥ ମନ୍ଦିର କଟକ, ୧୯୭୪ ପୃ-୧୦୧

(୨୬)

ବ୍ରହ୍ମା, ଗୌରୀକୁମାର, ଅବତରଣିକା, ବ୍ରଜରାଜ ଗ୍ରନ୍ଥାବଳୀ, ପୃ-୫

 

***

 

ଆଦ୍ୟାଶକ୍ତି : ଏକ ତାତ୍ତ୍ୱିକ ଆଲୋଚନା

ଡକ୍ଟର ଶରତ ଚନ୍ଦ୍ର ପରିଡ଼ା

 

ଆଜି ବୌଦ୍ଧିକ ଆଳସ୍ୟର ଯୁଗ । ପ୍ରତ୍ୟେକ କଥାକୁ ଚିନ୍ତା କରିବା ଓ ବୁଝିବା ନିମନ୍ତେ ଯେଉଁ ଅନୁସନ୍ଧିତ୍ସା ଲୋଡ଼ା ସେଥିପାଇଁ କାହାର ଅବସର ନାହିଁ । ଆମେ କୌଣସି କଥାର ଅନୁସନ୍ଧାନ ନ କରି ତାକୁ ଅନ୍ଧବିଶ୍ୱାସ କହିବାରେ ଅଭ୍ୟସ୍ତ । କୌଣସି ବିଷୟକୁ ଆଲୋଚନା ନ କରି ସମାଲୋଚନା କରିବାରେ ଆମେ ଧୁରନ୍ଧର । ଆମେ କର୍ମକାଣ୍ଡରେ ବୁଡ଼ି ରହିଲେ ଚଳିବ ନାହିଁ ତା ପଛରେ ଜ୍ଞାନର ଯେଉଁ ସଂକେତ ରହିଛି ତାହା ଗ୍ରହଣ କରିବା ଆଜି ଆମ ପକ୍ଷରେ ଜରୁରୀ ହୋଇପଡ଼ିଛି ।

 

ବିଶ୍ଵର ପ୍ରତ୍ୟେକ ବ୍ୟକ୍ତି ଓ ବସ୍ତୁ ତିଷ୍ଠି ରହିବା ପାଇଁ ଆବଶ୍ୟକ କରନ୍ତି ଶକ୍ତି । ପ୍ରତ୍ୟେକ ପ୍ରାଣୀ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଶକ୍ତିର ଉପାସକ ଅଟନ୍ତି । ଏପରି ଲୋକ ସଂସାରରେ କେହି ନାହିଁ ଯିଏ ଶକ୍ତି ଇଚ୍ଛା କରେ ନାହିଁ । କିଏ ମନ୍ତ୍ରଶକ୍ତି ତ କିଏ ତନ୍ତ୍ରଶକ୍ତି ବଳରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛି । ପଦାର୍ଥବିଜ୍ଞାନୀମାନେ ମତ ଦିଅନ୍ତି ଯେ ପ୍ରତ୍ୟେକ ପଦାର୍ଥ ହେଉଛି ଅକ୍ଷୟ ଶକ୍ତି । ତେଣୁ ପ୍ରତ୍ୟେକ ସତ୍ତାରେ ଯେଉଁ ଶକ୍ତି ନିହିତ ଅଛି ତାହା ହିଁ ଦିବ୍ୟଶକ୍ତିର ରୂପାନ୍ତର । ଋଷିମାନେ ଶକ୍ତି ଖୋଜି ଖୋଜି ଆତ୍ମଶକ୍ତି ଆବିଷ୍କାର କଲେ ଓ ବୈଜ୍ଞାନିକମାନେ ଶକ୍ତି ଖୋଜି ଖୋଜି ବିଦ୍ୟୁତ୍‌ଶକ୍ତି, ଚୁମ୍ବକୀୟ ଶକ୍ତି ପାରମାଣବିକ ଶକ୍ତି ପାଖରେ ପହଞ୍ଚିଗଲେ । ଖାଲି ପାର୍ଥକ୍ୟ ଏତିକି ଯେ ପ୍ରଥମଟି ଚୈତନ୍ୟମୟ ଓ ଦ୍ୱିତୀୟଟି ଜଡ଼ । ଏ ଉଭୟର ମୂଳ ଉତ୍ସ ଏକ ଓ ଗୋଟିଏ ଶକ୍ତି, ଦୁର୍ଗା ଶକ୍ତି ।

 

ଭାରତରେ ପ୍ରାୟ ଚାରିହଜାର ବର୍ଷ ପୂର୍ବରୁ ଦୁର୍ଗା ପୂଜା ପାଇ ଆସୁଛନ୍ତି । ଦେବୀ ସୂକ୍ତରେ ‘ଅହଂ ରାଷ୍ଟ୍ରୀ’ ବୋଲି କୁହାଯାଇଛି । ମୁଁ ବ୍ରହ୍ମାଣ୍ଡର ଏକମାତ୍ର ଅଧୀଶ୍ୱରୀ । ଋଗ୍‌ବେଦ (ପୃ-୧.୨୬୫)ର ‘ବାଗଭ୍ମୃନୀୟ ସୂକ୍ତ’ରେ ମହାଶକ୍ତିର ବର୍ଣ୍ଣନାରେ କୁହାଯାଇଛି- ଏହି ଶକ୍ତି ସମସ୍ତ ଶକ୍ତିର ମୂଳସତ୍ତା ଓ ସାର । ଏକ ସମଗ୍ର ବିଶ୍ୱର ଏକମାତ୍ର ମୂଳ ଆଧାର । ଆଦ୍ୟା ଶକ୍ତି । ଋଗ୍‌ବେଦର ରାତ୍ରିସୂକ୍ତରେ ଯେଉଁ ରାତ୍ରିଦେବୀ ଭୁବନେଶ୍ୱରୀଙ୍କୁ ସୃଷ୍ଟିର ମୂଳଶକ୍ତି ରୂପେ ବର୍ଣ୍ଣନା କରାଯାଇଛି ସେହି ଦେବୀ ହିଁ ବିଶ୍ୱେଶ୍ଵରୀ । ମହାବିଷ୍ଣୁ ବଟପତ୍ରରେ ଶିଶୁଟି ପରି ଶୟନ କରିଥିଲାବେଳେ ହଠାତ୍‌ ଚିନ୍ତା କଲେ ସେ କିଏ ? ତାଙ୍କୁ କିଏ ସୃଷ୍ଟି କରିଛି ? ତାଙ୍କରି ନାମ କ’ଣ-? ସେ ସମୟରେ ଆକାଶବାଣୀ ହେଲା- ସର୍ବଂ ଖଳୁ ଇଦମ୍‌ ଏବାହମ୍‌ । ନାନ୍ୟଦସ୍ତି ସନାତନମ୍‌ । ଏ ସବୁ ଯାହା ତାହା ସବୁ ମୁଁ । ମୋ ଅତିରିକ୍ତ ସନାତନ କିଛି ନାହିଁ । ମୋଠାରୁ ପ୍ରକୃତି ପୁରୁଷାତ୍ମକ ଜଗତ, ଶୂନ୍ୟ ଅଶୂନ୍ୟ ସୃଷ୍ଟି ହୋଇଛି ।

 

ଏଥିରେ ବିଷ୍ଣୁ ବିସ୍ମିତ ହେଲେ । ଏ କଥା କିଏ କହିଲେ ବୋଲି ଜାଣି ପାରିଲେ ନାହିଁ । ଧ୍ୟାନମଗ୍ନ ହେଲେ । ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ଜଣେ ଦେବୀ । ଦେବୀ ତାଙ୍କର ଚାରୋଟି ବାହୁରେ ଶଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିଲେ । ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଥିଲେ । ସେ ମହାବିଷ୍ଣୁଙ୍କୁ କହିଲେ- ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯେତେବେଳେ ସୃଷ୍ଟି, ସ୍ଥିତି, ପ୍ରଳୟ ରୂପକ ଜଗତ ପ୍ରପଞ୍ଚ ଗ୍ରହଣ କରେ ତୁମେ ମଧ୍ୟ ମହାଶକ୍ତି ବଳରେ ଆବିର୍ଭୂତ ହୋଇଥାଅ । ତୁମଠାରେ ସତ୍ତ୍ୱଗୁଣ ପ୍ରବଳ ଭାବରେ ଅଛି । ତୁମ ନାଭିରୁ ବ୍ରହ୍ମା ଜାତ ହେବେ । ବ୍ରହ୍ମାଙ୍କଠାରେ ରଜୋଗୁଣ ପ୍ରବଳ ଭାବରେ ରହିବ । ବ୍ରହ୍ମାଙ୍କ କପାଳର କେନ୍ଦ୍ରରୁ ଜାତ ହେବେ ରୁଦ୍ର । ରୁଦ୍ରଙ୍କଠାରେ ତମୋଗୁଣ ପ୍ରବଳ ଭାବରେ ରହିବ । ବ୍ରହ୍ମା ନିଜ ତପସ୍ୟା ବଳରେ ପୀତବର୍ଣ୍ଣ ଜଗତ ସୃଷ୍ଟି କରିବେ । ତୁମେ ସେହି ଦୁନିଆର ପୋଷଣକର୍ତ୍ତା ଓ ପାଳନକର୍ତ୍ତା ହେବ । କନ୍ଧ ଯୁଗର ଶେଷରେ ରୁଦ୍ର ସେହି ଦୁନିଆକୁ ଧ୍ଵଂସ କରିବେ । ତୁମେ ଜାଣ ଏ ପରାଶକ୍ତି ସମସ୍ତ ଗୁଣ ଓ ଉପାଧିର ଉର୍ଦ୍ଧ୍ୱରେ । ମୁଁ ସେହି ସାତ୍ତ୍ୱିକ ଶକ୍ତି । ମୁଁ ସୃଷ୍ଟି ପାଇଁ ତୁମ ଉପରେ ନିର୍ଭର କରେ ।

 

ଏହିପରି କଳ୍ପ ଆରମ୍ଭରେ ତ୍ରିଦେବ ସୃଷ୍ଟି ହୁଅନ୍ତି । ସେମାନଙ୍କ ମଧ୍ୟରେ ସୃଷ୍ଟି କରିବା ଆଦି ବିଭାଗ ବଣ୍ଟନ ହୁଏ । କଳ୍ପ ଶେଷ ହେଲେ ତ୍ରିଦେବ ବିଶ୍ୱାତ୍ମିକା ଶକ୍ତି ସହିତ ଏକାକାର ହୋଇଯା’ନ୍ତି-

 

ସମ୍ପୂର୍ଣ୍ଣ ବିଶ୍ଵ ଯେତେବେଳେ ବିସ୍ତାରର ଶେଷ ଅବସ୍ଥାରେ ପହଞ୍ଚେ ସେତେବେଳେ ଏହାର ବିପରୀତ ପ୍ରକ୍ରିୟା ସଂକୋଚନ ଆରମ୍ଭ ହୁଏ । ଏହି ବିଶ୍ଵ ଏକ କ୍ଷୁଦ୍ର ବିନ୍ଦୁରେ ପରିବର୍ତ୍ତିତ ହୁଏ ଓ ସମସ୍ତ ପଦାର୍ଥ ଏଠାରେ ବିଶ୍ରାମ ନେଇଥା’ନ୍ତି । ସେଇ ବିନ୍ଦୁ ହିଁ ଦେବୀ ଦୁର୍ଗା ଶ୍ରୀ ବିଦ୍ୟା । ବିଶ୍ଵେଶ୍ଵରୀ ସୂକ୍ତରେ ବ୍ରହ୍ମା ସ୍ତୁତି କରନ୍ତି- ହେ ନିତ୍ୟା, ଅକ୍ଷର ବ୍ରହ୍ମସ୍ୱରୂପା । ଆପଣ ହିଁ ଅମୃତରୂପା ଏବଂ ଅ-ଉ-ମ ତ୍ରିବିଧ ମାତ୍ରାରୂପେ ଅବସ୍ଥିତା । ପ୍ରଣବ ସ୍ଵରୂପା । ବିଶେଷ ରୂପେ ଯାହା ନିର୍ଗୁଣ ଆପଣ ହିଁ ସେହି ଶକ୍ତି ସ୍ଵରୂପା । ଆପଣ ହିଁ ପରିଣାମହୀନା । ଶ୍ରେଷ୍ଠ ଶକ୍ତି ଓ ଦେବଗଣଙ୍କର ଆଦିମାତା । ପରମ ବୈଷ୍ଣବୀ । ଆପଣ ହିଁ ଜଗତର ନିମିତ୍ତ କାରଣ ଓ ଉପାଦାନ କାରଣ । ଆପଣ ହିଁ ଏଜଗତର ଆଦି, ମଧ୍ୟ ଓ ଅନ୍ତ । ଆପଣ ଜଗତ । ସ୍ଵରୂପା ଓ ଜଗତର ଧାରୟିତ୍ରୀ । ସୃଷ୍ଟି ଆଦି କାର୍ଯ୍ୟ କେବଳ ଏକ ମହାଶକ୍ତିର ଭିନ୍ନ ଭିନ୍ନ ଅବସ୍ଥା । ଦେବୀ ସର୍ବଭୂତରେ ପ୍ରକୃତି । ସର୍ବମୟୀ । ସର୍ବ ବିଦ୍ୟମାନା । ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ଜାଣନ୍ତି । ପ୍ରଳୟ ଅବସ୍ଥାରେ ଅବେଶଷ ରହି ଯାଉଥିବା ମହାକାଳକୁ ସେ ଗ୍ରାସ କରୁଥିବାରୁ ସେ ମହାକାଳୀ । ଚିରଦିନ ରହୁଥିବାରୁ ସେ ନିତ୍ୟା । ସମସ୍ତଙ୍କର ଆରାଧନାର ଯୋଗ୍ୟ, ଆରାଧ୍ୟା ।

 

କ୍ଷିତି, ଅପ, ତେଜ ମରୁତ ଓ ବ୍ୟୋମ- ଏହି ପଞ୍ଚମହାଭୂତ ଆଦ୍ୟାଶକ୍ତିଙ୍କର ଲୀଳାକ୍ଷେତ୍ର । ଏଥିରେ ହୁଏ ଜୀବଜଗତର ଉତ୍ପତ୍ତି ଓ ବିଲୟ । ଆତ୍ମା ଯେପରି ପରମ ଆତ୍ମାଙ୍କ ଅଂଶ, ବ୍ୟକ୍ତିର ସୂକ୍ଷ୍ମ ଶରୀର ବା ପ୍ରକୃତି ମଧ୍ୟ ଅବ୍ୟକ୍ତ ମୂଳ ପ୍ରକୃତିର ଅଂଶ ଅଟେ । ମୂଳ ଅବ୍ୟକ୍ତ ପ୍ରକୃତି ପରମ ପିତା ପରମାତ୍ମାଙ୍କ ଆଦିଶକ୍ତି ଅଟନ୍ତି । ଶକ୍ତି ଲିଙ୍ଗହୀନ । ଯେତେବେଳେ ପୁଂଲିଙ୍ଗରୂପେ ପ୍ରକାଶ କରୁ ସେ ହୁଅନ୍ତି ଶିବ । ଶକ୍ତି ଓ ଶିବ ଅଭିନ୍ନ । ତେଣୁ ସେମାନଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସ୍ଥାପନ କରିବା ଭକ୍ତପାଇଁ ସ୍ଵାଭାବିକ । ଶ୍ରୀ ଅରବିନ୍ଦ କହନ୍ତି- ପରମାତ୍ମାଙ୍କ ଅବ୍ୟକ୍ତ ପ୍ରକୃତି ଭଗବତୀ ଚିତ୍‌ଶକ୍ତି ତଥା ଦିବ୍ୟ ଜନନୀ ଅଟନ୍ତି । ସତ୍ତ୍ୱ-ରଜ-ତମ- ଏହି ତିନିଗୁଣର ବିନ୍ୟାସରେ ମାୟାର ରଚନା । ବ୍ୟାସଦେବ ଜନ୍ମେଜୟଙ୍କୁ ଉତ୍ତରରେ କହିଥିଲେ- ସମସ୍ତ ବଳ, ସମସ୍ତ ବସ୍ତୁ ଯାହା ନାନା ରୂପ ଓ ନାମରେ ପରିଦୃଷ୍ଟ ହେଉଛି ତାହା ଦେବୀଙ୍କ ରୂପନାମ ବିନା ଅନ୍ୟ କିଛି ନୁହେଁ । ସତ୍, ଅସତ୍‌ ରୂପକ ଜଗତ ଭବାନୀଙ୍କଠାରୁ ଉତ୍ପନ୍ନ । ଏଥିରେ ସେ ପ୍ରାଣୀମାନଙ୍କୁ ଅଲକ୍ଷରେ ସଂଲଗ୍ନ କରି ରଖିଥାନ୍ତି । କର୍ମଫଳ ପ୍ରଦାନ ସମୟ ଉପସ୍ଥିତ ହେଲେ ସେ ପ୍ରାଣୀମାନଙ୍କୁ କର୍ମାନୁରୂପ ଫଳ ପ୍ରଦାନ କରନ୍ତି । ଜଗତର ନିର୍ମାଣ କର୍ତ୍ତା ବ୍ରହ୍ମା ସେହି ଆଦ୍ୟାଶକ୍ତି ସହିତ ମିଳିତ ହୋଇ ନିଜର ସ୍ୱାତନ୍ତ୍ର୍ୟ ହରାଇଥାନ୍ତି । ତେଣୁ ସେହି ଆଦ୍ୟାଶକ୍ତିକୁ କାଳରାତ୍ରି କୁହାଯାଏ । ସେହିପରି ଜଗତ ମଧ୍ୟ ସେହି ମହାଶକ୍ତି ସହିତ ମିଳିତ ହୋଇ ନିଜର ସତ୍ତା ହରାଉଥିବାରୁ ସେ ମହାରାତ୍ରୀ ଓ ପ୍ରତିଦିନ ଜଗତର ଜୀବନ ସେହି ଆଦ୍ୟାଶକ୍ତି ସହିତ ମିଳିତ ହୋଇ ନିଜର ସ୍ଵାତନ୍ତ୍ର୍ୟ ହରାଇ ବସୁଥିବାରୁ ତାଙ୍କୁ ମନୁଷ୍ୟ ରାତ୍ରି କୁହାଯାଏ ।

 

ଦୁର୍ଗାଙ୍କ ପ୍ରତ୍ୟେକ ନାମ ଭିନ୍ନ ଭିନ୍ନ ଗୁଣର ପ୍ରକାଶକ ଅଟେ । ମା’ ଦୁର୍ଗାଙ୍କୁ ଏକ ଶହ ଆଠ ଅଲୌକିକ ଗୁଣର ପ୍ରତିନିଧି ବୋଲି କୁହାଯାଇଛି । ଉମା, କାତ୍ୟାୟନୀ, ଗୌରୀ- ଏହିପରି ଅମରକୋଷରେ ଦେବୀଦୁର୍ଗାଙ୍କ ଯେଉଁ କୋଡ଼ିଏଟି ନାମ ରହିଛି ପ୍ରତ୍ୟେକ ଗୋଟିଏ ଗୋଟିଏ ସୁନ୍ଦର ଇତିହାସରେ ସମୃଦ୍ଧ ଓ ଗୁଣକର୍ମରେ ସାର୍ଥକ । ଏହା ବ୍ୟତୀତ ‘ଚଣ୍ଡୀ’ ଗ୍ରନ୍ଥରେ ମଧ୍ୟ ଦେବୀଙ୍କର ଶତଶତ ଗୁଣାତ୍ମକ ନାମ ରହିଛି । ପରମ ସତ୍ୟକୁ ସୂଚେଇ ଦେବା ପାଇଁ ତାହା ପ୍ରତ୍ୟେକ ଗୋଟିଏ ଗୋଟିଏ ତୀର । ‘ଦୁର୍ଗ’ ଶବ୍ଦ ଦୈତ୍ୟ ମହାବିଘ୍ନ, ସାଂସାରିକ ବନ୍ଧନ, କୁକର୍ମ, ଶୋକ, ଦୁଃଖ, ନରକ, ଯମଦଣ୍ଡ, ଜନ୍ମ, ମହାଭୟ ଓ ଦୁଃସାଧ୍ୟ ରୋଗ ପ୍ରଭୃତି ଅମଙ୍ଗଳ ଅର୍ଥ ପ୍ରକାଶ କରିଥାଏ । ଏ ସବୁ ଦୁର୍ଗତିର ବିନାଶକାରିଣୀ ଶକ୍ତି ହିଁ ଦୁର୍ଗା ପଦବାଚ୍ୟ । ଏ ଶରୀର ‘ଦୁଃଖେନ ଗମ୍ୟତେ’ ଅର୍ଥାତ ଦୁଃଖରେ କଟୁ ଥିବାରୁ ତାହା ଦୁର୍ଗ । ତା’ ଭିତରେ ଯେଉଁ ଚିନ୍ମୟୀ ଶକ୍ତି ସେ ମଧ୍ୟ ଦୁଃଖେନ ପ୍ରାପ୍ୟତେ/ଗମ୍ୟତେ ଅର୍ଥାତ୍‌ ଦୁଃଖରେ ଉପଲବ୍ଧି କରାଯାଇଥାଏ ବୋଲି ସେ ହେଲେ ଦୁର୍ଗା । ରାଜାଙ୍କ ବାହ୍ୟଶତ୍ରୁର ଆକ୍ରମଣରୁ ‘ଦୁର୍ଗ’କୁ ରକ୍ଷା କରୁଥିବାରୁ ସେ ଦୁର୍ଗା ‘ଗଡ଼ଚଣ୍ଡୀ’ । ରଣକ୍ଷେତ୍ରରେ ସେ ଶତ୍ରୁକୁ ସଂହାର କରିବା ପାଇଁ ‘ରଣଚଣ୍ଡୀ’ ରୂପେ ସ୍ତୁତ । ଗଡ଼ର ଦେବୀ, ରଣର ଦେବୀ ଧୀରେ ଧୀରେ ହୋଇଛନ୍ତି ଗଣର ଦେବୀ । ସେ ଜନସାଧାରଣଙ୍କ ସୁଖଦୁଃଖର ସାକ୍ଷୀ, ବିପଦ ଆପଦର ଅଭୟଦାତ୍ରୀ ଓ ଶାନ୍ତି ସମୃଦ୍ଧିର ପୋଷଣକାରିଣୀ ହୋଇ ଗ୍ରାମେ ଗ୍ରାମେ ଗ୍ରାମଦେବତୀ ରୂପେ ବିଦ୍ୟମାନ ।

 

ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତରେ ଦୁର୍ଗାଙ୍କ ଭୟଙ୍କରୀ ରୂପ ଅଧିକ ଦେଖିବାକୁ ମିଳେ । ସୃଜନାତ୍ମିକା ଶକ୍ତି ବିକ୍ଷୋଭ ଅବସ୍ଥାରେ କାଳୀ, ଯୁଦ୍ଧରେ ଦୁର୍ଗା ଓ ଶାନ୍ତିରେ ଭବାନୀ । ଦୁର୍ଗାଙ୍କର ମହିଷ ଅସୁର ମର୍ଦ୍ଦିନୀ ରୂପ ବହୁ ପ୍ରଚଳିତ ଓ ଅତ୍ୟନ୍ତ ଲୋକପ୍ରିୟ । ମହିଷକୁ ଅନେକ ଦୁର୍ଗୁଣର ସଂକେତ ରୂପେ ଗ୍ରହଣ କରାଯାଇଛି । ଶିଙ୍ଗଯୁକ୍ତ ମହିଷ ମୁଣ୍ଡ ରାଜତନ୍ତ୍ରର ପ୍ରତୀକ । ପଶୁମାନଙ୍କ ମଧ୍ୟରେ ମହିଷ ଅତ୍ୟନ୍ତ ବଳବାନ୍‌ । ରାଜାଙ୍କ ଶକ୍ତି ସହିତ ଅତ୍ୟାଚାର ବଢ଼ିଗଲେ ସେ ହୋଇଯାଆନ୍ତି ମହିଷାସୁର । ଏହାଙ୍କ ବିରୋଧରେ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ଦୁର୍ଗାଙ୍କୁ ଆରାଧନା କରାଯାଉଥିଲା । ପୁନଶ୍ଚ ଆମ ଭିତରେ ତମୋଗୁଣମୟ ଅଜ୍ଞତାରୂପକ ପଶୁ ଅଛି । ଏହା ଏକ ଅସୁର । ମହିଷ ମଧ୍ୟ ମୃତ୍ୟୁର ବାହନ । ମାତ୍ର ଜ୍ଞାନୀ ପାଇଁ ମୃତ ବୋଲି କିଛି ନ ଥାଏ । ଦୁର୍ଗାଙ୍କୁ ଆରାଧନା କରିବା ଦ୍ୱାରା ଆମ ଭିତରେ ଥିବା ଅବିଦ୍ୟା ଅସୁରଗୁଣାବଳିକୁ ଆମେ ଜୟ କରିଥାଉ । ଦେବୀଙ୍କ ତ୍ରିଶୂଳ ଭେଦ କରୁଛି ଅସୁରର ବକ୍ଷସ୍ଥଳ । କାମନା, ଇଚ୍ଛା ସବୁର ଉଦ୍ରେକ ଓ ଅନୁଭବସ୍ଥଳ ହେଉଛି ହୃଦୟ । ଆମେ ନିଜକୁ ସ୍ରଷ୍ଟା, ଅନୁଭବୀ ଓ ଚିନ୍ତକ ବୋଲି ବୃଥା ଅହଂକାର ପ୍ରଭାବରେ ବସ୍ତୁ, ଭାବ ଓ ଚିନ୍ତାମୟ ଏହି ଦୁନିଆଁକୁ ଶରୀର-ମନ-ବୁଦ୍ଧିରୂପକ ଉପକରଣଦ୍ୱାରା ଭୋଗ କରିଥାଉ । ଗୁଣତ୍ରୟରୁ ଜାତ ଯେଉଁ ଶୂଳ (ପୀଡ଼ା) ତାହା ତ୍ରିଶୂଳ ଦ୍ଵାରା ପରାହତ ହେଉଛି । ତ୍ରିଶୂଳ ଦ୍ଵାରା ଆହତ କରି ଦୁର୍ଗା ମନୁଷ୍ୟଠାରେ ନିଷ୍କାମ କର୍ମ, ଜ୍ଞାନ ଓ ଭକ୍ତିର ସ୍ରୋତ ଛୁଟାଇ ଥା’ନ୍ତି । ସିଂହ ନିଷ୍ଠୁର ପଶୁ ଶକ୍ତିର ପ୍ରତୀକ । ବ୍ୟକ୍ତି ଆତ୍ମାକୁ ଭୁଲିଗଲେ ହିଂସ୍ର ହୋଇ ଉଠେ । ସିଂହ ହୋଇଯାଏ । ନିଜଠାରେ ଥିବା ଚିନ୍ମୟୀ ଶକ୍ତିଦ୍ୱାରା ହିଂସ୍ରତାକୁ ଦମନ କଲେ ମଣିଷର ଆତ୍ମଜ୍ଞାନ ଉଦୟ ହୁଏ । ସିଂହ ଉପରେ ଜୟଲାଭ କରି ତା’ ଉପରେ ଉପବେଶନ କରେ । ଆତ୍ମଜ୍ଞାନର ପବିତ୍ରଜଳରେ ତାଙ୍କର ରାଜାଭିଷେକ ଅନୁଷ୍ଠିତ ହୁଏ ।

 

ଯେଉଁ ଦେବୀ ଦ୍ଵିତୀୟ ଶତାବ୍ଦୀ ବେଳକୁ ଦ୍ୱିଭୁଜା ଥିଲେ ଏକାଦଶ ଶତାବ୍ଦୀ ବେଳକୁ ସେ ହେଲେ ଦ୍ୱାଦଶଭୁଜା । ଦେବୀ ଦେବତାମାନଙ୍କର ମାତା । ଦୁର୍ଗା ରୂପରେ ଦେବତାମାନଙ୍କ ଦ୍ଵାରା ମଧ୍ୟ ସେ ଆବିର୍ଭୂତା । ତାଙ୍କ ହାତରେ ଶୋଭା ପାଉଥାଏ ଦେବଦେବୀଙ୍କ ପ୍ରଦତ୍ତ ନାନା ପ୍ରକାର ଅସ୍ତ୍ରଶସ୍ତ୍ର । ଦେବୀଙ୍କ ଉପାସନା ଅବସରରେ ଶକ୍ତି ଜାଗରଣରେ ସେମାନେ ଅଧିକ କ୍ରିୟାଶୀଳ ହୋଇ ଉଠିଥାନ୍ତି । ତେଣୁ ଅସ୍ତ୍ରପୂଜା ‘ଖଣ୍ଡାବସା’ ଏହାର ପ୍ରତୀକ ।

 

ତ୍ରିପୁରା ସୁନ୍ଦରୀ ଦେବୀ ସୌନ୍ଦର୍ଯ୍ୟଙ୍କ ପ୍ରତୀକ । ଆଶ୍ୱିନ ମାସର ଶରତ ୠତୁର ପ୍ରାକୃତିକ ମନୋମୁଗ୍ଧକର ସୌନ୍ଦର୍ଯ୍ୟରେ ହିଁ ଦେବୀ ବିଜେ କରିଥାନ୍ତି । ଶ୍ଵେତ ବସ୍ତ୍ରଧାରିଣୀ ଦେବୀଙ୍କ ଜ୍ୟୋତିର୍ମୟ ଆବିର୍ଭାବରେ କଳାବାଦଲ ଆକାଶ ବକ୍ଷରୁ ଧୀରେ ଧୀରେ ଅପସରି ଯାଉଥାଏ । ଜ୍ଞାନର ତରଙ୍ଗରେ ଲହରାୟିତ ହୋଇ ସବୁଠି ଫୁଟି ଉଠେ ସତ୍ୟର କାଶତଣ୍ଡୀ ଫୁଲ । ଆଭ୍ୟନ୍ତରୀଣ ଓ ବାହ୍ୟଶତ୍ରୁ ସଂହାର କରିବା ପାଇଁ ଯୁଦ୍ଧଯାତ୍ରାରେ ପ୍ରକୃଷ୍ଟ ସମୟ ଶରତରତୁ । ନ ଥାଏ ବର୍ଷାର ଘନଘଟା ବା ଶୀତର ପ୍ରକୋପ । ଦେବୀ ଦୁର୍ଗାଙ୍କର କୃପାଭିକ୍ଷା କରି ରାଜା ବାହାରିଯା’ନ୍ତି ଯୁଦ୍ଧ ଅଭିଯାନରେ । ଶାନ୍ତ, କାନ୍ତ କମନୀୟ ଶାରଦୀୟ ପରିବେଶ ମଧ୍ୟରେ ସାଧନାରେ ସଫଳ ହେବା ପାଇଁ ସାଧକତାର ପ୍ରୟାସ ଆରମ୍ଭ କରିଦିଏ ।

 

‘ଦୁର୍ଗାପୂଜା’ର ଅନ୍ୟନାମ ଦଶହରା । ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ ଦ୍ଵାରା ଆଚରିତ ଦଶ ପାପର ଏଥିରେ ହରଣ ହୋଇଥାଏ । ଦଶହରା ଅବସରରେ କରାଯାଉଥିବା ନବରାତ୍ର ପୂଜା ଉପାସକର ବିକାଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ରାକ୍ଷସମାନେ ଉତ୍‌ପାତକଲେ ଦୁର୍ଗା ତାଙ୍କୁ ନିଧନ କରନ୍ତି-। ମଣିଷର ଅନନ୍ତ ଭିତରେ ଆସକ୍ତି, ଲୋଭ, ଦ୍ଵେଷ, ଆଳସ୍ୟ, ନିଶ୍ଚେଷ୍ଟତାରୂପକ ମହିଷ ଓ ଦାନବମାନେ ଅହରହ ବିକ୍ଷୋଭର ଝଡ଼ ସୃଷ୍ଟି କରୁଛନ୍ତି । ଶୁଭଶଙ୍ଖ ବଜାଇ ଦେବୀ ସେମାନଙ୍କୁ ଦିବ୍ୟତ୍ୱର ଡାକରା ଦିଅନ୍ତି । ଯେଉଁମାନେ ଶୁଣି ପାରିଲେ ସେମାନଙ୍କର ପଦ୍ମରୂପକ ଜ୍ଞାନ ବିକଶିତ ହୁଏ । ମାତ୍ର ମଣିଷ ଭିତରେ ଥିବା ଏହି ସୟତାନ୍‌ଗୁଡ଼ିକର ଗର୍ବ ଏତେ ବେଶୀ ଯେ କୌଣସି କୋମଳ ଉପଦେଶ ଏମାନଙ୍କୁ କାଟୁ କରେ ନାହିଁ । ନ ଶୁଣି ପାରିଲେ ଗଦାରେ ଦେବୀ ମୃଦୁ ପ୍ରହାର କରନ୍ତି । ଶୁଣି ନ ଶୁଣିଲା ପରି ହେଲେ ରକ୍ତବିନ୍ଦୁ ଟପ୍‌ଟପ୍‌ ଝରି ପଡ଼ୁଥିବା ଭୟଙ୍କର ଖଡ଼୍‌ଗ ଭୈରବୀ ଉତ୍ତୋଳନ କରନ୍ତି । ଶେଷରେ ବିଫଳ ହେଲେ ଚକ୍ରପେଷି ଦୁଷ୍ଟିଶକ୍ତିଗୁଡ଼ିକୁ ନିର୍ମୂଳେ ବିନାଶ କରନ୍ତି । ଦୁର୍ବଳତା, କ୍ଷୁଦ୍ରତା ଓ ସଂକୀର୍ଣ୍ଣତାକୁ ସେ ଦୂର କରନ୍ତି । ମିଥ୍ୟା ମୂଲ୍ୟବୋଧ ଓ ଦୁଷ୍‌ପ୍ରବୃତ୍ତି ନରମୁଣ୍ଡର ପ୍ରତୀକ । ସେଗୁଡ଼ିକୁ ହତ୍ୟାକରି ଦେବୀ ହୋଇଛନ୍ତି ନରମୁଣ୍ଡମାଳିନୀ । ତାଙ୍କର କୃପା ହେଲେ ଏହି ନକାରାତ୍ମକ ଶକ୍ତିଗୁଡ଼ିକର ବିନାଶ ସହଜ ହୋଇଥାଏ । ଯେ ପର୍ଯ୍ୟନ୍ତ ସାଧକ ତା’ ଭିତରେ ଥିବା ତମୋମୟ ବିକାରଗୁଡ଼ିକୁ ହତ୍ୟା କରି ସେମାନଙ୍କ ଖପୁରିର ମାଳା ଗଳାରେ ନ ପିନ୍ଧିଛି ସେ ପର୍ଯ୍ୟନ୍ତ ତା’ ଭିତରେ ସୁଗୁଣାବଳିର ବିକାଶ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ ହୋଇ ପାରିବ ନାହିଁ । ମନ୍ଦ ପ୍ରବୃତ୍ତିକୁ ନିବୃତ୍ତ କରିବା ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ ସାଧନାର ଧନାତ୍ମକ ଦିଗରେ ଅଭ୍ୟାସ ଆରମ୍ଭ କରିବା ସେତିକି ଜରୁରୀ । ନ ହେଲେ ଖାଲି ଜାଗା ଦେଖିଲେ ସେମାନେ ପଛ ଦୁଆର ଦେଇ ପୁଣି ଧସେଇ ପଶିବେ । ରାଜରାଜେଶ୍ଵରୀ ଲକ୍ଷ୍ମୀ କେବଳ ଭୌତିକ ସମ୍ପତ୍ତି ଓ ଅଧିକାରର ପ୍ରତୀକ ନୁହିଁନ୍ତି ସେ ମଧ୍ୟ ଇଚ୍ଛା, ଦୟା, କ୍ଷମା, ଶୋଭା, ମେଧା, ଶବ୍ଦ, ଶ୍ରୁତି, ସ୍ରୁତି, ଶାନ୍ତି ଓ ବୁଦ୍ଧି ରୂପରେ ପରିପ୍ରକାଶମାନା ଦିବ୍ୟ ସମ୍ପତ୍ତି । ଦିବ୍ୟ ସମ୍ପତ୍ତି ନ ଥିଲେ ରାବଣ ଓ ମହିଷାସୁରର ଅକଳନୀୟ ଭୌତିକ ସମ୍ପତ୍ତିର ଅସଦୁପଯୋଗ ହୋଇଥାଏ ଓ ସ୍ଥଳ ବିଶେଷରେ ଧ୍ଵଂସ ପାଇ ନିଃଶେଷ ମଧ୍ୟ ହୋଇଯାଏ । ତେଣୁ ପ୍ରଥମ ତିନିଦିନ ଦୁର୍ଗାଙ୍କୁ ତମୋଗୁଣର ବିନାଶ ପାଇଁ ଉପାସନା କଲାପରେ ଦ୍ୱିତୀୟ ତିନିଦିନ ରଜୋଗୁଣର ପ୍ରତୀକ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇନଥାଏ ଦିବ୍ୟଗୁଣର ଜାଗରଣ ପାଇଁ ।

 

ବିବେକ, ବିଚାର, ବୋଧଶକ୍ତି, କଳା, କାବ୍ୟିକ ପ୍ରତିଭା, ଯୁକ୍ତି, ସଂଗୀତ, ଭାଷା, ଶିକ୍ଷଣ ଓ ସମସ୍ତ ଜ୍ଞାନର ପ୍ରତୀକ ସରସ୍ଵତୀ । ସେ ବାଣୀମାତା । ଭାରତୀୟ ପ୍ରଜ୍ଞାନର ପ୍ରତୀକ । ଆତ୍ମଜ୍ଞାନର ପ୍ରବହମାନ ସ୍ରୋତ । ପ୍ରଥମେ ମନର ମଳକୁ ଦୂର କରି ଦ୍ୱିତୀୟରେ ମହାନ୍‌ମୂଲ୍ୟବୋଧ ଓ ଗୁଣ ଅଭ୍ୟାସ କରି ତୃତୀୟ ଓ ଅନ୍ତିମ ପର୍ଯ୍ୟାୟରେ ଆତ୍ମଜ୍ଞାନ ଲାଭ କରିବା ପାଇଁ ସତ୍ତ୍ୱଗୁଣର ପ୍ରତୀକ ସରସ୍ଵତୀଙ୍କ ଇରାଜନା କରାଯାଇଥାଏ । ଏହିପରି ସାଧନାର ସୋପାନଗୁଡ଼ିକୁ ସାଧକ ଅତିକ୍ରମ କରି ଦଶମ ଦିନରେ ମାତା ବିଜୟାଙ୍କ କୃପାବଳରେ ମନକୁ ଜୟ କରି ପାରିଥବାରୁ ଏହି ପର୍ବକୁ ବିଜୟାଦଶମୀ କୁହାଯାଏ ।

 

ପୂଜା ଓ ସଂକେତର ରାଜ୍ୟ ବିସ୍ତୃତ ଓ ବ୍ୟାପକ । ଉପାସକମାନଙ୍କର ମାନସିକ ସ୍ତରଭେଦରେ ବ୍ରହ୍ମଚେତନା, ଧ୍ୟାନ, ଜପସ୍ତୁତି ଓ ମୂର୍ତ୍ତିପୂଜା ଈଶ୍ଵରଙ୍କ ପାଖରେ ପହଞ୍ଚିବାର ଚାରୋଟି ମାର୍ଗ । ଜଣେ ସାଧକ ଜୀବନରେ ମଧ୍ୟ ପ୍ରତିମା ପୂଜା, ଜପସ୍ତୋତ୍ର, ଧ୍ୟାନ ଓ ବ୍ରହ୍ମଚେତନା- ଏହି କ୍ରମିକ ସ୍ତରଗୁଡ଼ିକ ଗୋଟିଏ ଗୋଟିଏ ପାହାଚ ରୂପେ କାର୍ଯ୍ୟ କରିଥାଏ । ଶୁଦ୍ଧ ବ୍ରହ୍ମଚେତନା ସ୍ତରକୁ ଭକ୍ତ ସିଧା ଯାଇ ପାରୁ ନଥିଲାବେଳେ ସେ ପ୍ରତୀକର ସାହାଯ୍ୟ ଲୋଡ଼େ । ଶଙ୍କରାଚାର୍ଯ୍ୟ କହନ୍ତି ସଗୁଣ ଉପାସନା ମାଧ୍ୟମରେ ନିର୍ଗୁଣବ୍ରହ୍ମ ପ୍ରାପ୍ତି ସହଜ । ଗୋଟିଏ ଦେବୀମୂର୍ତ୍ତିକୁ ଆଗରେ ରଖି ଭକ୍ତ ମା’ ବୋଲି ଡାକେ । ଯେତେ ପ୍ରକାର ସମ୍ପର୍କ ରହିଛି ମା’ର ସମ୍ପର୍କ ସବୁଠାରୁ ଉତ୍ତମ । ମା’ ଶିଶୁ ପ୍ରତି ବାତ୍ସଲ୍ୟପ୍ରେମର ନିକଟତମ ହୋଇଥିବାରୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବେଶ୍‌ ଆକର୍ଷଣୀୟ ଓ ଆବେଗମୟ । ତେଣୁ ବହୁକାଳରୁ ମାତୃପୂଜା ଆମ ସମାଜରେ ପ୍ରଚଳିତ । ମା’ ନିଃସ୍ଵାର୍ଥପର ସେବାର ଜୀବନ୍ତ ବିଗ୍ରହ । ଏ ଜୀବଜଗତ ଗୋଟିଏ ମା’ର ଭଲ ପାଇବାର ଉଷ୍ମତାରେ କୋଳାଗ୍ରତ ହେବାକୁ ଚାହେଁ । ପୁତ୍ର ମା’ପାଖରେ ତା’ର ମନର କଥା ଯେପରି ଖୋଲାଖୋଲି ଭାବରେ କହିପାରେ ଆଉ କାହାକୁ ସେପରି କହିପାରେ ନାହିଁ । ପରମଶକ୍ତିକୁ ଦିବ୍ୟ ମାତୃଭାବନାରେ ପୂଜା କଲେ ମନୁଷ୍ୟର କାମିନୀବାସନା ଶୀତଳ ହୋଇଯାଏ । ତା’ର ପାପତାପକ୍ଲିଷ୍ଟ ହୃଦୟ ଟିକେ ଉପଶମ ଲଭେ । ମାତା ନିର୍ମାତା ଅଟନ୍ତି । ଦିନେ ଏହି ମାତୃପ୍ରେମରେ ବିଗଳିତ ହୋଇଥିଲେ ଶ୍ରୀରାମକୃଷ୍ଣ ପରମହଂସ ।

 

ଅଦ୍ୱୈତ ବେଦାନ୍ତର ଶ୍ରେଷ୍ଠ ଆଚାର୍ଯ୍ୟ ଶ୍ରୀମତ୍‌ଶଙ୍କରାଚାର୍ଯ୍ୟ ମଧ୍ୟ ଭକ୍ତିର ନୈବେଦ୍ୟ ବାଢ଼ି ସୌନ୍ଦର୍ଯ୍ୟଲହରୀ ପରି ସ୍ତୋତ୍ର ପରେ ସ୍ତୋତ୍ର ରଚନା କରିଥିଲେ । ମାୟାକୁ ହଟାଇବା ପାଇଁ ଭକ୍ତ କରେ ପ୍ରାର୍ଥନା- ହେ ଜଗଦମ୍ବିକେ, ଆପଣ ଦୟାମୟୀ । ଆମ ଦ୍ଵାରା ଅନୁଷ୍ଠିତ ପାପାଚରଣକୁ ଉପେକ୍ଷା କରି ନାନା ବାସନା ସ୍ୱରୂପ ବ୍ୟାଘ୍ରୀଠାରୁ ଆମକୁ ରକ୍ଷା କରନ୍ତୁ । ‘‘ଜ୍ୟୋତିଷା ବାଧତେ ତମଃ’’ ୠଗ୍‌ବେଦ (୧୦.୧୦.୧୨୭) ଅର୍ଥାତ ଦେବୀ ଚିନ୍ମୟୀ ଜ୍ଞାନମୟ ଜ୍ୟୋତି ଦ୍ୱାରା ଜୀବମାନଙ୍କର ଅଜ୍ଞାନ ଅନ୍ଧକାରୀକୁ ନାଶ କରିଦିଅନ୍ତି । ତାଙ୍କୁ ପ୍ରାର୍ଥନା କରାଯାଇଛି- ଉଷା ! ରଣୀବ ଯାତୟ । ଅର୍ଥାତ ହେ ଉଷା ! ହେ ରାତ୍ରିର ଅଧିଷ୍ଠାତ୍ରୀ ଦେବୀ ! ସବୁଆଡ଼େ ବ୍ୟାପ୍ତ ହୋଇଥିବା ଏହି ଅଜ୍ଞାନମୟ କଳା ଅନ୍ଧକାର ମୋ ପାଖରେ ପହଞ୍ଚି ଯାଇଛି । ତୁମେ ଏହାକୁ ରଣ ପରି ଦୂରକର । ଯେପରି ଧନ ଦେଇ ଆପଣ ଭକ୍ତମାନଙ୍କର ରଣ ଦୂର କରନ୍ତି ସେହିପ୍ରକାର ଜ୍ଞାନ ଦେଇ ଏହି ଅଜ୍ଞାନକୁ ମଧ୍ୟ ହଟାନ୍ତୁ । ଯେଉଁଠାରେ ଭକ୍ତର ମନ ଘୂରିବୁଲେ ସେଠାରେ ତାଙ୍କର ରୂପ ଏବଂ ଯେଉଁଠାରେ ଭକ୍ତ ମଥାରଖେ ସେଠାରେ ତାଙ୍କର ପାଦପଦ୍ମ । ସକାମ ଭକ୍ତ ଭଦ୍ରକାଳୀଙ୍କ ସେବା କରିବା ଦ୍ଵାରା ମନ ଅଭିଳଷିତ ଦୁର୍ଲ୍ଲଭତମ ବସ୍ତୁ ବା ସ୍ଥିତି ସହଜରେ ପ୍ରାପ୍ତ ହୁଏ ଏବଂ ନିଷ୍କାମ ଭକ୍ତ ପରମଦୁର୍ଲ୍ଲଭ ମୋକ୍ଷ ପାଇ କୃତାର୍ଥ ହୁଏ ।

 

ଶକ୍ତିକୁ ତା’ର ମୂଳ ଅବ୍ୟକ୍ତ ରୂପରେ ପୂଜା କରିବା ସମ୍ଭବ ନ ହୋଇପାରିବାରୁ ତାଙ୍କୁ ବ୍ୟକ୍ତ ରୂପରେ ପୂଜା କରାଯାଇଛି । ସାଧନାର ପ୍ରାରମ୍ଭିକ କ୍ଷେତ୍ରରେ ସ୍ଥୂଳବୁଦ୍ଧି ଉପାସକ ପାଇଁ ପ୍ରତିମା ଲୋଡ଼ା । ମୂର୍ତ୍ତିଗୁଡ଼ିକ ଗୋଟିଏ ଗୋଟିଏ ପରଦା । ମଣିଷ ଭିତରର ସୂକ୍ଷ୍ମ ଘଟଣାଗୁଡ଼ିକ ସେଠାରେ ପ୍ରତିବିମ୍ବିତ ହୁଏ । ଚିତ୍ରଦ୍ଵାରା ଚିତ୍‌ଶକ୍ତିର ଅନୁଭବ ଧୀରେ ଧୀରେ ଆସେ । ଏହା ସମ୍ଭବ ହୁଏ ଜପ ଓ ଧ୍ୟାନ ବଳରେ । ସ୍ୱପ୍ନ ଭାଙ୍ଗିଯାଏ । ସତ୍ୟର ସ୍ଵରୂପ ଆପଣା ଛାଏଁ ଭାସି ଉଠେ । ସମସ୍ତ ଦୈତଭାବନା ଅପସରି ଯାଏ । ସୋଦ୍ଧହଂ ଭାବ ପ୍ରତିଷ୍ଠିତ ହୁଏ । ରୂପ ଓ ନାମର ଆବଶ୍ୟକତା ରହେ ନାହିଁ । ଭକ୍ତ ଅନୁଭବ କରେ ସେ ନିରାକାର । ଅରୂପ । ତେଣୁ ରୂପକୁ ଗଙ୍ଗାଜଳରେ ବିସର୍ଜନ କରେ । ଗଙ୍ଗାଜଳ ଜ୍ଞାନର ସ୍ରୋତ ।

 

ତେଣୁ ପରିଶେଷରେ ଭକ୍ତ ଜ୍ଞାନର ସ୍ରୋତରେ ଭାସି ଭାସି ଯାଇ ଶକ୍ତିର ମହାସାଗରରେ ନିଜର ସତ୍ତା ହରାଇ ବସେ । ଆଦ୍ୟାଶକ୍ତିଙ୍କଠାରେ ଲୀନ ହୋଇଯାଏ ।

 

 

କ୍ୱ ନଂ-ସି/୨୨/୧

ନାଲ୍‌କୋ, ଦାମନଯୋଡ଼ି

କୋରାପୁଟ - ୭୬୩୦୦୮

 

***

 

‘ଲଳିତା’ ସୃଷ୍ଟିର ଅନ୍ତରାଳେ

ଡକ୍ଟର ଅଶୋକ କୁମାର ତ୍ରିପାଠୀ

 

ସାରଳା ଦାସଙ୍କ ‘ମହାଭାରତ’, ବଳରାମ ଦାସଙ୍କ ‘ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’, ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ ଚମ୍ପୂ’ - ଏହି ଷଟସୃଷ୍ଟି ଓଡ଼ିଆ ସାହିତ୍ୟ ଜଗତରେ ଅମୂଲ୍ୟ ରତ୍ନ ସ୍ଵରୂପ ବିବେଚିତ । ପ୍ରାଚୀନ ଓ ମଧ୍ୟଯୁଗୀୟ ଏହି ଷଟକାବ୍ୟର ବୈଶିଷ୍ଟ୍ୟ ଯେପରି ଅତୁଳନୀୟ, ପ୍ରଭାବ ମଧ୍ୟ ସେପରି ସାର୍ବଜନୀନ ଓ ସାର୍ବକାଳୀକ । ଧର୍ମ, ସଂସ୍କୃତି, ସମାଜ, ସାହିତ୍ୟ, ଭାଷା ପ୍ରଭୃତି ଆଲୋଚନାବେଳେ ଉକ୍ତ କାବ୍ୟଗୁଡ଼ିକର ବହୁ ପଂକ୍ତି ଆଜି ମଧ୍ୟ ଲୋକମୁଖରେ ଅବଲୀଳାକ୍ରମେ ଉଚ୍ଚାରିତ । ଏହା ହିଁ ଏହି ବିଶିଷ୍ଟ କୃତିପୁଂଜର ଶ୍ରେଷ୍ଠତା ପ୍ରତିପାଦନର ପ୍ରଧାନ ମାନଦଣ୍ଡ । ଆଲୋଚ୍ୟ ଷଟ୍‌କାବ୍ୟ ମଧ୍ୟରୁ କିଶୋର ଚନ୍ଦ୍ରାନନ ଚମ୍ପୂର ଏକ ନିର୍ଦ୍ଦିଷ୍ଟ ବିଭାବ ଆଲୋଚନା ନିମିତ୍ତ ପ୍ରସ୍ତୁତ ସନ୍ଦର୍ଭଟି ପରିକଳ୍ପିତ ।

 

କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ବଳଦେବ ରଥ କେବଳ ମଧ୍ୟଯୁଗୀୟ ଓଡ଼ିଆ କବି ଭାବରେ ନମସ୍ୟ ନୁହନ୍ତି, ତତ୍‌କାଳୀନ ଓଡ଼ିଶାର ରାଜନୀତିକ କ୍ଷେତ୍ରରେ ଜଣେ ତୁଙ୍ଗ ପ୍ରଶାସନିକ ପ୍ରତିଭା ରୂପରେ ମଧ୍ୟ ପ୍ରଣମ୍ୟ । ତାଙ୍କ ଲେଖନୀ ନିଃସୃତ ଅଜସ୍ର ରସସ୍ରାବୀ ସୃଷ୍ଟି ମଧ୍ୟରେ କିଶୋର ଚନ୍ଦ୍ରାନନ ଚମ୍ପୂ ସର୍ବଶ୍ରେଷ୍ଠ । ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଲୀଳା ଏ କାବ୍ୟର ଉପଜୀବ୍ୟ । ଏଥିରେ ନାୟକ ଶ୍ରୀକୃଷ୍ଣ, ନାୟିକା ଶ୍ରୀରାଧା ଓ ଏକମାତ୍ର ସଂଯୋଜିକା ଚରିତ୍ର ହେଉଛି ଲଳିତା । ରାଧାକୃଷ୍ଣ ପ୍ରଣୟ ଭିତ୍ତିକ ଓଡ଼ିଆ କାବ୍ୟ କ୍ଷେତ୍ରରେ କିଶୋର ଚନ୍ଦ୍ରାନନ ଚମ୍ପୂର ସାହିତ୍ୟିକ ମୂଲ୍ୟ ଓ ସର୍ଜନ କୌଶଳ ଅଦ୍ୱିତୀୟ, ଅସାମାନ୍ୟ ନିଶ୍ଚୟ । କାବ୍ୟଟିର ସମସ୍ତ ସାର୍ଥକତାର ମୂଳାଧାର ହେଇଛି ଲଳିତା ।

 

ଲଳିତାର ଆଦ୍ୟାଧାର

ଉଜ୍ଜ୍ଵଳନୀଳମଣି ଗ୍ରନ୍ଥରେ ରୂପ ଗୋସ୍ଵାମୀ ଲେଖୁଛନ୍ତି, ଶ୍ରୀରାଧାଙ୍କ ପରମ ଶ୍ରେଷ୍ଠ ସଖୀମାନଙ୍କ ମଧ୍ୟରେ ଲଳତା ଅନ୍ୟତମ । ରାଧାଙ୍କର ଏପରି ଅଷ୍ଟସଖୀ ଅଛନ୍ତି । ଯଥା- ଲଳିତା, ବିଶାଖା, ଚିତ୍ରା, ଚମ୍ପକଲତା, ତୁଙ୍ଗବିଦ୍ୟା, ଇନ୍ଦୁରେଖା, ରଙ୍ଗଦେବୀ ଓ ସୁଦେବୀ । ରୂପ ଗୋସ୍ଵାମୀ କୃତ ‘ଲଳିତାଷ୍ଟକ’ ଅନୁସାରେ ଲଳିତା ରାଧାକୃଷ୍ଣଙ୍କ ସଙ୍ଗମ ସଂଘଟନ କର୍ତ୍ତ୍ରୀ ଓ ରାଧାକୃଷ୍ଣଙ୍କ ମିଳନଜାତ ଆନନ୍ଦ ରସାସ୍ଵାଦନ ପାନ ହିଁ ତା’ର ଏକମାତ୍ର ଲକ୍ଷ୍ୟ ।

 

‘ଶ୍ରୀକୃଷ୍ଣ ଗଣୋଦ୍ଦେଶ ଦୀପିକା’ କହେ, ଲଳିତା, ରାଧାଙ୍କଠାରୁ ବୟସରେ ମାତ୍ର ୨୭ ଦିନ ବଡ଼ । ସେ ବାମ ପ୍ରଖର ସ୍ୱଭାବବିଶିଷ୍ଟ । ପ୍ରୟୋଜନ ହେଲେ କୃଷ୍ଣଙ୍କୁ ମଧ୍ୟ ସେ କଡ଼ା କଥା ଶୁଣାଇ ଦେଇପାରେ । ତା’ ଦେହର ବର୍ଣ୍ଣ ଗୋରଚନା ପରି ଏବଂ ପିନ୍ଧାଶାଢ଼ୀ ମୟୂରପୁଚ୍ଛ ଭଳି ବର୍ଣ୍ଣିଳ ।

 

ନିମ୍ବାର୍କ ସଂପ୍ରଦାୟର ଏକ ପ୍ରାମାଣିକ ଗ୍ରନ୍ଥ ‘ସୁଧର୍ମାଧ୍ୱବୋଧ’ ଅନୁଯାୟୀ ଲଳିତା ହେଉଛି ବିଶୋକ ଶାରଦୀଙ୍କ କନ୍ୟା । ସେ ମୁଖରା ଏବଂ ଚାଟୁବାଦିନୀ । ତା’ର କାନ୍ତି ଗୋରଚନା ତୁଲ୍ୟ ଏବଂ ମୁଖ ସର୍ବଦା ପ୍ରସନ୍ନ । ସେ ରାଧାକୃଷ୍ଣଙ୍କ ହିତୈଷିଣୀ, ସଂଧିକେଳି ବିଶାରଦା ତଥା ତାମ୍ବୁଳ ସେବା ନିରତା । ଲଳିତାର କ୍ରିୟାକଳାପ ସଂପର୍କରେ ‘ସିଦ୍ଧାନ୍ତ ଚନ୍ଦ୍ରୋନୟ’ରେ ଉଲ୍ଲେଖ ଅଛି - ‘‘ଉତ୍କଣ୍ଠିତା ଅବସ୍ଥାତେ ଲଳିତା ସୁନ୍ଦରୀ, ରାଖୟେ ପ୍ରାଣ ରାଧାର ଅତି ଯତ୍ନ କରି ।’’

 

ଅଚ୍ୟୁତାନନ୍ଦ ଦାସଙ୍କ ଚିତ୍ତବୋଧ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ, ଲୋକାପବାଦ ହେତୁ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଲେ ସତ, କିନ୍ତୁ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଅଭିପ୍ରାୟରେ ପ୍ରାସାଦ ମଧ୍ୟରେ ସୀତାଙ୍କ ସୁବର୍ଣ୍ଣ ପ୍ରତିକୃତି ନିର୍ମାଣ କରାଇ ରଖିଥିଲେ । ଦ୍ଵାପର ଯୁଗରେ ପ୍ରଭୁ ରାମଚନ୍ଦ୍ର କୃଷ୍ଣ ଅବତାର ଗ୍ରହଣ କଲେ ଏବଂ ସୁବର୍ଣ୍ଣ ପ୍ରତିମାଟି ଜନ୍ମାନ୍ତର ଘଟିଲା ଲଳିତା ରୂପରେ । ବୈଷ୍ଣବମାନଙ୍କର ଉପାସ୍ୟ ଦେବୀ ଭାବରେ ରାଧାକୃଷ୍ଣଙ୍କ ପରେ ଲଳିତାର ସ୍ଥାନ ନିର୍ଦିଷ୍ଟ ।

 

ବଳଦେବଙ୍କ ଲଳିତା କିନ୍ତୁ ସଂପୂର୍ଣ୍ଣ ଭିନ୍ନ ଉପାଦାନରେ ଗଢ଼ା ଏକ ସାହିତ୍ୟିକ ସଂଯୋଜକ ଚରିତ୍ର । ବୈଷ୍ଣବ ଶାସ୍ତ୍ର ଓ କାବ୍ୟ ଗ୍ରନ୍ଥମାନଙ୍କରୁ ତା’ର ନାମଟି ଉଦ୍ଧାର କରାଯାଇଥିଲେ ସୁଦ୍ଧା ତା’ର କାବ୍ୟିକ ଭୂମିକା, କ୍ରିୟାକଳାପ, ବାକ୍‌ଚାତୁରୀ, ମାନସିକିତା ଆଦି ଲକ୍ଷ୍ୟ କଲେ ଜାଣିହୁଏ ଯେ ଲଳିତା କଦାପି ଗତାତୁଗତିକ ବୈଷ୍ଣବୀୟ ସଖୀ ଚରିତ୍ର ନୁହେଁ କିମ୍ବା ପୂର୍ବବର୍ତ୍ତୀ କାବ୍ୟବର୍ଣ୍ଣିତ ଦୂତୀ ଚରିତ୍ରର ପ୍ରତିଚିତ୍ର ନୁହେଁ । ଲଳିତାର ଏହା ଅଭିନବ ସ୍ୱରୂପ ଜାଣିବା ସକାଶେ ‘ଚମ୍ପୂ’ରେ ତା’ର କାର୍ଯ୍ୟକଳାପାଦିକୁ ସଂବୀକ୍ଷଣ କରିବାକୁ ହେବ ।

 

କବିସୃଷ୍ଟିରେ ଲଳିତା

‘‘କିଶୋରଚନ୍ଦ୍ରାନନ ଚମ୍ପୁ’’ର ବିଷୟ ଉପସ୍ଥାପନ କୌଶଳ ଅନୁସାରେ ରାଧାକୃଷ୍ଣଙ୍କ ପ୍ରଣୟ ପ୍ରସଙ୍ଗଟି ଲଳିତାକୁ ଆଗରୁ ଜଣାଥିଲା ଏବଂ ଏଥିପାଇଁ ସେ ଦୁହିଁଙ୍କର ଯେଉଁ ଚିତ୍ତାବସ୍ଥା ସୃଷ୍ଟି ହୋଇଥିଲା, ତାହା ମଧ୍ୟ ଲଳିତାକୁ ଅଜଣା ନ ଥିଲା । ସ୍ଵୟଂ ତତ୍ପର ହୋଇ ସେ କିନ୍ତୁ କାହାକୁ କିଛି କହୁ ନ ଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା । କାରଣ ସେ ଜାଣିଥିଲା ଯେ ପରକୀୟା ପ୍ରୀତି ସାଧନ ନିମିତ୍ତ ଜଣେ ଅନ୍ତରଙ୍ଗ ସଂଯୋଜକ ଚରିତ୍ର ଏକାନ୍ତ ଅପରିହାର୍ଯ୍ୟ । ଶ୍ରୀରାଧାଙ୍କ ପାଇଁ ତା’ ବ୍ୟତୀତ ଆଉ କିଏ ବା ଏହି କ୍ଷେତ୍ରରେ ଏତେ ଆତ୍ମୀୟ ହୋଇପାରେ ? ତେଣୁ ଉପଯୁକ୍ତ ଅବସର ମିଳିଲେ ତା’ର କର୍ତ୍ତବ୍ୟ ଓ ବକ୍ତବ୍ୟ ଆରମ୍ଭ କରିବା ଅଭିପ୍ରାୟରେ ସେ ନୀରବ ରହି ସବୁଦେଖୁଥିଲା ମାତ୍ର ।

 

ଏବେ ଲଳିତାକୁ ମିଳିଛି ଉପଯୁକ୍ତ ସୁଯୋଗ । କାରଣ ଶ୍ରୀରାଧା ଆସି ନିଜର ମାନସିକ ଅବସ୍ଥା ସମ୍ପର୍କରେ ଲଳିତାକୁ କହୁଛନ୍ତି । “ଲଳିତେ ! କାଲି ଯେଉଁ ଅପୂର୍ବ ଘଟଣା ଘଟିଲା, ତାକୁ ଭାଷାରେ ପ୍ରକାଶ କରିହେଉ ନାହିଁ । ଯମୁନା କୂଳରେ କଳାଇନ୍ଦିବର ଆରତି ଏକ ଅଦ୍ଭୁତ ରୂପ ସନ୍ଦର୍ଶନ କରି ତା’ସହିତ ରତିକ୍ରୀଡ଼ାରେ ମଜିଯିବା ଲାଗି ପ୍ରବଳ ଇଚ୍ଛା ଜାତ ହେଲା । ସେଥିପାଇଁ ବର୍ତ୍ତମାନ ମୁଁ କଲବଲ ଛଟପଟ ହୋଇଯାଉଛି ।’’ ଗୋପନପ୍ରୀତି ଭଳି ସଂଗୋପନୀୟ କଥାଗୁଡ଼ିକ ପ୍ରକାଶ କରିହୁଏ କେବଳ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ । ଏହା ଦ୍ଵାରା ପ୍ରଣୟୀଯୁଗଳଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳେ ଏବଂ ସଖା ବା ସଖୀଟି ସହାନୁଭୂତି ଜଣାଇ ସମସ୍ୟା ସମାଧାନ ଦିଗରେ ସହାୟ ହୋଇଥାଏ । ଏହି ଦୁଇ ଅଭିପ୍ରାୟ ନେଇ ଶ୍ରୀରାଧା ଲଜ୍ଜା ବରଜି ଲଳିତାଙ୍କୁ ନିଜ ମନକଥା କହିଥିଲେ । ଚତୁରୀ ଲଳିତା କିନ୍ତୁ ରାଧାଙ୍କ କଥାରେ ପ୍ରଥମରୁ ଏକମତ ନ ହୋଇ ମିଥ୍ୟା ଗାମ୍ଭୀର୍ଯ୍ୟ ପ୍ରଦର୍ଶନ କରିଛି, ରାଧାଙ୍କର ବିବଶତା ବାରିପାରି ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଅଭିଭାବକ ସୁଲଭ ଭର୍ସନା କରି କହିଛି, ‘‘ଖରାପ ତୁ ହେଲୁ ରେ ! ବାମନ ହୋଇ ସୁରତରୁ କୁସୁମ ତୋଳିବାକୁ ମନ ବଳାଇଛୁ ? ତୀକ୍ଷ୍ଣ ଖଣ୍ଡାଧାରକୁ ଖଟ ବିଚାରି ତା’ ଉପରେ ଶୋଇବାକୁ ଚାହିଁଛୁ ? ଅସମ୍ଭବ ! କୁଳବଧୂ ହୋଇ ପରପୁରୁଷଠାରେ ମନ ବଳାଇବା ଖିଆଲ ପରି କି ଧନ ମନରେ ଭାଳିଲୁ । ଆଗରୁ ଆମ ଦୁହିଙ୍କ ଗଭୀର ଆତ୍ମୀୟତା ଥିଲେ ମଧ୍ୟ ଏ ବିଷୟରେ ମୋତେ ପଦେ କଥା ସୂଚାଇଲୁ ନାହୁଁ । ହେ ବାତଳ ! ଏନ୍ତୁଡ଼ିଶାଳାରେ ପରା ସେହି କୃଷ୍ଣ ପୁତନା ଭଳି ପ୍ରତାପୀ ଅସୁରୁଣୀର ପ୍ରାଣ ହରଣ କରିଥିଲେ, ଏ କଥା ଲୋକମୁଖରୁ ଶୁଣି ମଧ୍ୟ ତୁ କିପରି ଏ ଦୁଃସାହସ କଲୁ ?’’

 

ପ୍ରଣୟର ଗତି ପ୍ରତିରୁଦ୍ଧ ହେଲେ ପ୍ରଣୟିନୀର ହୃଦୟ କାରୁଣ୍ୟପୂର୍ଣ୍ଣ ହେବା ସ୍ଵାଭାବିକ । କେତେ ଆଶା ନେଇ, କେତେ ସନ୍ତର୍ପଣରେ ଶ୍ରୀରାଧା ଆପଣା ମନୋବେଦନା ଲଳିତାକୁ କହିଥିଲେ, କିନ୍ତୁ ତାଙ୍କର ସମସ୍ତ ଆଶା ସଂପ୍ରତି ଆଶଙ୍କାରେ ପରିଣତ । ଗୋଟିଏ ପକ୍ଷରେ ଲଳିତାପ୍ରତି ରାଧାଙ୍କର ସନ୍ଦେହ କାଳେ ସେ କଥାଟିକୁ ଅନ୍ୟତ୍ର ପ୍ରକାଶ କରିଦେବ, ଅନ୍ୟ ପକ୍ଷରେ ସ୍ଵୀୟ ବିରହୀ ହୃଦୟର ମିଳନ ଆଶାକୁ ଚରିତାର୍ଥ କରିବା ପାଇଁ ଲଳିତା ହିଁ ଏକମାତ୍ର ଆଶ୍ରୟ । ଏହି ଉଭୟ କାରଣ ବଶତଃ ଲଳିତାକୁ ଆପଣାର କରିବା ଉଦ୍ଦେଶ୍ୟ ନେଇ ଶ୍ରୀରାଧା ଅତି ଆତ୍ମୀୟ ଭାବରେ ତାକୁ ସଂଗାତ (ସମଗାତ୍ର/ସମଦେହୀ) ବୋଲି ସଂବୋଧନ କରି କହୁଛନ୍ତି, ‘‘ଗୋଡ଼ ତ ଖସିଗଲାଣି, ବର୍ତ୍ତମାନ କାହିଁକି ଗୋଡ଼ ଖସିଲା ସେ କଥା ନ ଭାବି ସେଥିଯୋଗୁଁ ଯେଉଁ ଦରଜ ଜାତ ହୋଇଛି, ତାହା ଯିବାର ଉପାୟ ଚିନ୍ତା କର । ମୋର ବ୍ୟଥା ବଳି ପଡ଼ିବାରୁ ସିନା ତୋତେ ଗୋପନରେ ଏକଥା ପଚାରୁଛି । କେହି ନ ଥିଲାବେଳେ ତୁ କିଛି ଗୋଳିଆ ନ ରଖି ସବୁକଥା ଫିଟାଇ କହ ମୁଁ ଏ ବିପତ୍ତିରୁ କିପରି ରକ୍ଷା ପାଇବି । ଏତେବେଳେ ତୁ ସାହା ନ ହେଲେ ମୁଁ ସତ କହୁଛି ଆଉ ବଞ୍ଚିବିନି ।’’ ଲଳିତା ହୃଦୟଙ୍ଗମ କରିପାରିଛି ରାଧାଙ୍କ ବ୍ୟଥାତୁର ହୃଦୟର ଦୟନୀୟ ଭାବକୁ । ପରିସ୍ଥିତିର ଗୁରୁତ୍ୱ ବୁଝିପାରି ଛଳନାମୟୀ ଲଳିତା ରାଧାଙ୍କ ନିର୍ଦ୍ଦେଶ ମାନିବାକୁ ରାଜି ହୋଇଛି,

କିନ୍ତୁ କାର୍ଯ୍ୟସିଦ୍ଧିର ପ୍ରତିଶ୍ରୁତି ନ ଦେଇ ବରଂ ମୁରବୀ ପଣିଆ ଅବ୍ୟାହତ ରଖି କହୁଛି, ‘‘ପ୍ରଥମରୁ ଯେତେ ବାରଣ କଲେ ବି ତୁ ଆମକଥା ଗ୍ରହଣ କଲୁ ନାହିଁ ତଥାପି ଯାଉଛି ସେ ହଟିଆ କୃଷ୍ଣଙ୍କୁ ମଙ୍ଗାଇବାକୁ ଚେଷ୍ଟା କରିବି, ସେ କଣ ସହଜରେ ଧରା ଦେବା ଲୋକ ? ସେ ଯଦି ତୋ ପ୍ରଣୟ ପ୍ରସ୍ତାବରେ ସମ୍ମତି ହୁଅନ୍ତି, ତେବେ ତ ଭଲକଥା, କିନ୍ତୁ ସେ ଯଦି ଘଟଣାକୁ ଅନ୍ୟ ପ୍ରକାରେ ବୁଝିବେ ତାହେଲେ ତୋ’ରି ପାଇଁ ହିଁ ମୋତେ ଆତ୍ମହତ୍ୟା କରିବାକୁ ପଡ଼ିବ ।’’

 

ଅନୁରାଗୀ ପ୍ରଣୟୀ ନିକଟରେ ପ୍ରଣୟିନୀର ନିବେଦନ ଉପସ୍ଥାପନ କରିବା ନିହାତି ସହଜ ବ୍ୟାପାର ହେଲେ ସୁଦ୍ଧା ତାକୁ ଏକ ଦୁଃସାଧ୍ୟ କାର୍ଯ୍ୟରୂପ ଦେଇ ତାହା ସାଧନ ପୂର୍ବକ ସ୍ଵାମିନୀଙ୍କର ଏକାନ୍ତ ପ୍ରଶଂସାହ ହୋଇପଡ଼ିବା ତଥା କାର୍ଯ୍ୟସିଦ୍ଧି ପର୍ଯ୍ୟନ୍ତ ତାଙ୍କ ଉପରେ ନିଜର କର୍ତ୍ତୃତ୍ୱ ବିସ୍ତାର କରି ରଖିବା ହେଉଛି ଲଳିତାର ଏକ ସୁଚିନ୍ତିତ କୌଶଳ ।

 

ବର୍ତ୍ତମାନ ଲଳିତା ଯାଇ କୃଷ୍ଣଙ୍କ ନିକଟରେ ହାଜର । ଶ୍ରୀରାଧାଙ୍କ ଦର୍ଶନ କାମନାରେ ସେତେବେଳେ ଶ୍ରୀକୃଷ୍ଣ ଏକାନ୍ତ ଉଦ୍‌ଗ୍ରୀବ ଥିବା ଲଳିତା ଉତ୍ତମ ରୂପେ ଜାଣିଥିଲା । କିନ୍ତୁ ସେ ନିଜ ଆଗମନର କାରଣ ନ କହି କୃଷ୍ଣଙ୍କ ପାଖରେ ରାଧାଙ୍କର ଏକ ଆଜ୍ଞାବହ ଦୂତୀ ରୂପରେ ନିଜକୁ ପରିଚିତ କରାଇ ନାହିଁ । ପକ୍ଷାନ୍ତରେ ବୁଦ୍ଧି ବିଚକ୍ଷଣତା ଓ ଅଭିନୟ ଚାତୁର୍ଯ୍ୟ ବଳରେ କୃଷ୍ଣଙ୍କୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଛି । ଶ୍ରୀକୃଷ୍ଣ ମଧ୍ୟ କମ୍‌ଚତୁର ନୁହଁନ୍ତି, ସେ ତ ଛଳବାହିନୀଶ । ତେଣୁ ଉଭୟଙ୍କ ମଧ୍ୟରେ ଛଳୋକ୍ତିର ସ୍ରୋତ ଛୁଟିଛି । ଏହି ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ଶ୍ରୀକୃଷ୍ଣ ଯେତିକି ମାତ୍ରାରେ ନିଜର ରାଧା ପ୍ରୀତିକୁ ପରୋକ୍ଷ ରୀତିରେ ପ୍ରକାଶ କରୁଛନ୍ତି, ଲଳିତାର ପ୍ରତିଯୁକ୍ତିରେ ପରାସ୍ତ ହୋଇ ସେ ସେତିକି ପରିମାଣରେ ଲଳିତାର ନିୟନ୍ତ୍ରଣ ଭିତରକୁ ଚାଲି ଆସୁଛନ୍ତି । ଶ୍ରୀକୃଷ୍ଣ ଯେତେବେଳେ ଆତ୍ମ ସମର୍ପଣ ପୂର୍ବକ ଲଳିତାକୁ କହିଲେ, ‘‘ଯାହା ଇଚ୍ଛା ତୋର ତାହା କର’’, ସେତେବେଳେ କୃଷ୍ଣଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାର ଗୌରବାବହ ସୁଯୋଗ ଲଳିତାକୁ ମିଳିଗଲା । ତେଣୁ ଲଳିତା ବର୍ତ୍ତମାନ କୃଷ୍ଣକୁ ମଧ୍ୟ କ୍ରୀଡ଼ାପୁତ୍ତଳିକା ପରି ନଚାଇବାକୁ ଲାଗିଲା । ଶ୍ରୀକୃଷ୍ଣ ସ୍ପଷ୍ଟ ଜଣାଇଦେଲେ ଯେ ସେହି ନାଗରୀନ୍ଦ୍ର ସହିତ ଏହି ନୀପକୁଂଜରେ ମିଳନ ବ୍ୟବସ୍ଥା ନ କଲେ “ନିଶ୍ଚୟ ଏ ଘେନ ଚିତ୍ତେ, ନ ଜୀଇଁବି କଦାଚିତେ ।’’ କୃଷ୍ଣଙ୍କ ଏହି ଦୟନୀୟ ଦଶାରେ ଲଳିତା ତରଳି ଯାଇନି । ଲଳିତା ନିଜର ଛନ୍ଦ ଫାଳକୁ ଅଧିକ ଶକ୍ତ କରିବାକୁ ଯାଇ କହିଲା, ‘‘ତୁମେ ଏ ସୁନ୍ଦର ଶ୍ରୀମୁଖ ତୋଳି ପରଘର ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଉଛ, ଏଥିରେ ତୁମର ତିଳେ ହେଲେ ଶଙ୍କା ହେଉ ନାହିଁ ? ମୋତେ ଟେକାଟେକି କରି ତୁମେ ତୁମ ଅଭିଳାଷ ପୂର୍ଣ୍ଣ କରିବ; କିନ୍ତୁ ସଖୀ ଶ୍ରୀରାଧାଙ୍କ ଗୁରୁଜନ ଗଂଜଣା ସହି ନ ପାରି ପ୍ରାଣତ୍ୟାଗ ପାଇଁ ବାଧ୍ୟ ହେବ । ହେ କୃଷ୍ଣ ! ଏଭଳି ଅଭିଳାଷ ଆଦୌ ପୋଷଣ କର ନାହିଁ ।

 

ଜଣେ ଅନୁରୋଧ କାରିଣୀ ଦୂତୀ ଭାବରେ ଆସି ବର୍ତ୍ତମାନ ନିଜ ବୁଦ୍ଧି ବିଚକ୍ଷଣତା ବଳରେ କୃଷ୍ଣଙ୍କ ଭଳି ଧୂର୍ତ୍ତଗୁରୁଙ୍କ ନିକଟରେ ମଧ୍ୟ ଆଦେଶଦାତ୍ରୀ ରୂପେ ସେ ନିଜକୁ ପ୍ରତିଷ୍ଠା କରିପାରିଛି । ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣ ମଧ୍ୟ ସଂପ୍ରତି ଦୁଇଟି ସଂଶୟ ମଧ୍ୟରେ ଆନ୍ଦୋଳିତ । ଗୋଟିଏ ଦିଗରେ ନିଜର କାଂକ୍ଷତିବସ୍ତୁ ପ୍ରାପ୍ତି ନିମିତ୍ତ ଲଳିତାର ସହାୟତା ଏବଂ ଅନ୍ୟ ଦିଗରେ ତାଙ୍କର ଗୁପ୍ତପ୍ରଣୟଟି ଳଳିତା ଦେଇ ସମାଜରେ ପ୍ରଘଟ ହୋଇଯିବାର ସନ୍ଦେହଜନିତ ଭୀତି- ଏ ଦୁଇ କାରଣରୁ ଶ୍ରୀକୃଷ୍ଣ ଲଳିତାକୁ ରୂପ ପ୍ରଶଂସା ଛଳରେ ଖୋସାମତି କରୁଛନ୍ତି, ‘‘ହେ ଠିକ୍‌ ଠ ବର୍ତ୍ତୁଳ ଚନ୍ଦ୍ରାନନେ ! ହୃଦୟରେ କପଟ ନ ରଖି ମୋର କଷ୍ଟକୁ ଥରେ ବିଚାର କର, ମୋ ଅନୁରୋଧକୁ ଠୋ କରି ଛିଣ୍ଡାଇ ଦିଅନା । ତମରି ଏ ଗୁରୁ ବେଦନାରେ ତୁ ସାମାନ୍ୟ ସହାନୁଭୂତି ମଧ୍ୟ ଜଣାଇବୁ ନାହିଁ ? ତୁ ଖାଲି ନେତ୍ରାଞ୍ଚଳରେ ଠାରି ଦେଲେ ସେ ବଳେ ଆସି ଏ ବିଜନ ବିପିନରେ ବିରାଜିବ ।’’ ତଥାପି କୃଷ୍ଣଙ୍କ ଦମ୍ଭ କଳିବା ଅଭିପ୍ରାୟରେ ଲଳିତା ତାଙ୍କୁ ଭୟ ଦେଖାଇ କହୁଛି, ‘‘ହେ କୃଷ୍ଣ ! ପରସ୍ତ୍ରୀ ଅପହରଣ - ଅପରାଧ ପାଇଁ ତୁମର କ’ଣ ଡର ନାହିଁ ? ଏହି ଚୌର୍ଯ୍ୟାଚରଣ ଯୋଗୁ ଦଉଡ଼ିରେ ବନ୍ଧା ହୋଇ ଦାଣ୍ଡରେ ଟଣା ହେବ ଯେ ! ଡୋଳା ପ୍ରତିମା ପରି ଯଶୋଦା ଅତି ଯତ୍ନରେ ତୁମକୁ ପାଳିଛନ୍ତି : କିନ୍ତୁ ହାୟ ତୁମର ଏ ପାପକର୍ମ ଲାଗି ଯଶୋଦାଙ୍କର ସେହି ଧନ ନଷ୍ଟ ହେବାକୁ ଯାଉଛି । ପୁଣି ମୁଁ ନିଜେ ଦେଖିଛି, ଶୈଶବରେ ତୁମେ ଶକଟା ଭଳି ମହାବଳ ଦାନବକୁ ହାତରେ ଚିପି ମାରି ଦେଇଥିଲ, ସେଥିପାଇଁ ସେ ତନୁପାତଳୀ, କ୍ଷୀଣକଟୀ ଲଳନାଟିକୁ ଡାକି ଆଣି ତୁମ ହାତରେ ସମର୍ପି ଦେବାକୁ ମୋର ଭରସା ପାଉନି । ଯଦି ଚାହୁଁଛ, ନିଜେ ବଂଶୀ ବଜାଇ ତାକୁ ଡାକି ଆଣ ଆଉ ଏ ବିଜନ ବନରେ ସୁଖରେ ବିହାର କର । ମୁଁ କିନ୍ତୁ ସେ ଭିତରେ ପଶି ଜୁଇଁ ଦେବି ନାହିଁ ।

 

ରୂପପ୍ରଶଂସା, ଗୁଣଗାନ, ଅତି ଆତ୍ମୀୟ ରୂପେ ଗ୍ରହଣ କରିବା ପ୍ରଭୃତି କୌଶଳ ଲଳିତା ନିକଟରେ ନିଷ୍ଫଳ, ନିରର୍ଥକ ହୋଇଛି । ଏଣିକି ହତାଶାର ସ୍ତୁତିଗାନ ବ୍ୟତୀତ କୃଷ୍ଣଙ୍କ ପକ୍ଷେ ଗତ୍ୟନ୍ତର ନାହଁ । ଲଳିତାର କତ୍ତୃତ୍ୱ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ରହି, ତାକୁ କୃପାର ବାରିଦ କହି ସେଥିରୁ ଢାଳେ ମାତ୍ର ବାରି ଢାଳିବା ପାଇଁ ଶ୍ରୀକୃଷ୍ଣ ବଡ଼ ଆକୁଳ ଭାବରେ ଲଳିତାକୁ ଦଇନି କରିଛନ୍ତି । ପ୍ରଣୟପାଗଳ ତରୁଣ ମନର ଏହି ଆର୍ତ୍ତନାଦ ଶୁଣିଲା ପରେ ଲଳିତା ଆଉ ଅଧିକ ଛଳନା କରିବା ଉଚିତ ମଣିନି । ତଥାପି ସେ କୃଷ୍ଣଙ୍କୁ ଦେଉନାହିଁ କାର୍ଯ୍ୟସିଦ୍ଧିର ନିଶ୍ଚିତ ପ୍ରତିଶ୍ରୁତି କିମ୍ବା ଜଣାଇ ନାହିଁ ରାଧାଦୂତୀ ରୂପେ ଆସିଥିବା ସତ୍ୟ ଘଟଣାକୁ । ପକ୍ଷାନ୍ତରେ ଏକ ଅଭିସନ୍ଧିମୂଳକ ଉତ୍ତର ଦେଇ ସେ କହୁଛି, ‘‘ହେ ଶ୍ୟାମ ! ମୁଁ ବର୍ତ୍ତମାନ ଯାଉଛି, ଏକ ପକ୍ଷରେ ତୁମର ନିବିଡ଼ ଅଳି, ଅନ୍ୟ ପକ୍ଷରେ ଅସହାୟ ଶ୍ରୀରାଧା- ଏ ଦ୍ୱନ୍ଦ୍ୱ ମଧ୍ୟରେ ମୁଁ କର୍ତ୍ତବ୍ୟ ସ୍ଥିର କରି ପାରୁ ନାହଁ । ତଥାପି ତୁମ କଥାନୁସାରେ ତା’ ଆଗରେ ତୁମ ଅଭିଳାଷ ବ୍ୟକ୍ତ କଲି ବୋଲି ଜାଣ । ହେଲେ ମୋ ନିବେଦନ ଶୁଣି ତା ଅଧରରେ ପଦ ସ୍ମିତହାସ୍ୟ ଉଲ୍ଲସିବ, ତେବେ ତୁମ କାର୍ଯ୍ୟ ସିଦ୍ଧ ହେଲା ଭାବିବି, କିଛୁ ତା’ ପରିବର୍ତ୍ତେ ତାର ମୁଖମଣ୍ଡଳ ଯଦି ଆରକ୍ତ ହୋଇଉଠେ, ତେବେ ମୁଁ ମଲି-।’’

 

ଲଳିତାର ଦୌତ୍ୟଚାତୁର୍ଯ୍ୟ ଏଠାରେ ଲକ୍ଷ୍ୟ କରିବାର କଥା । ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କୁ ମଧ୍ୟ ଏକ ଦ୍ୱନ୍ଦ୍ୱରେ ପକାଇ ସେ ଚାଲିଯାଇଛି । ଆଗରୁ ସେ ରାଧାଙ୍କ ଦ୍ୱାରା ଏହି କାର୍ଯ୍ୟ ସାଧନ ପାଇଁ ହିଁ ପ୍ରେରିତା, ତେଣୁ ବର୍ତ୍ତମାନ କୃଷ୍ଣଙ୍କ ନିବେଦନ ରାଧାଙ୍କ ନିକଟରେ ପ୍ରକାଶ କରିବାରେ କି ପ୍ରତିବନ୍ଧ ରହିଛି ? ଲଳିତା କିନ୍ତୁ ସେହି ସରଳ, ସହଜ କାର୍ଯ୍ୟଟିକୁ ଏକାନ୍ତ ଦୁଃସାଧ୍ୟ ତଥା ପ୍ରାଣ ଚାଲିଯିବାର ସମ୍ଭାବନା ଥିଲା ଭଳି ଭୟଙ୍କର କାର୍ଯ୍ୟରୂପେ ଉପସ୍ଥାପନ କରିବା ଯୋଗୁ ମିଳନ ଅବସର ଯେତିକି ଉତ୍କଣ୍ଠାପୂର୍ଣ୍ଣ ହୋଇଛି, ତାକୁ ସଂପାଦନ କରିବାରେ ଲଳିତାର ଭୂମିକା ସେତିକି ଅନତିକ୍ରମଣୀୟ ବୋଲି ନାୟକ ନାୟିକା ଅନୁଭବ କରିଛନ୍ତି ।

 

ଏଣେ ଅନେକ ଅନୁକୂଳ ଆଶା ନେଇ ଶ୍ରୀରାଧା ଚିତ୍ରାର୍ପିତି ପରି ଲଳିତାର ଆଗମନ ପଥକୁ ଅନାଇ ବସିଛନ୍ତି । ଲଳିତା ରାଧାଙ୍କ ନିକଟକୁ ଆସି କହୁଛି, ‘‘ରାଧେ ! ତୋ’ସକାଶେ ଶ୍ରୀକୃଷ୍ଣ ମୋତେ ବହୁ ପରୀକ୍ଷା କଲେ, ତଥାପି ତୋ ପ୍ରତି ତାଙ୍କର ତିଳେମାତ୍ର ଅନୁରାଗ ଥିଲା ପରି ମନେ ହେଲା ନାହିଁ, ତୋ ପାଇଁ ତାକୁ ମୁଁ ନେହୁରା ହେଲି । ଭୂପୃଷ୍ଠ ବସନ ପ୍ରସାରି, ଦନ୍ତରେ ତୃଣ ଧରି ଶରଣ ପଶିଲି; ତଥାପି ସେ ରାଜି ହେଲା ପରି ଦିଶିଲା ନାହିଁ । ଓଲଟି ମୋତେ ପଚାରିଲେ ‘‘ତରୁଣୀଟେ ହେଇ ତୁ କେଉଁ କୌତୂହଳରୁ ଏ ନିର୍ଜନ ଯମୁନାତଟକୁ ଆସିଛୁ ? (ଏଥିରେ ଲଳିତାକୁ ଜଣେ ଲଜ୍ଜାଭୀତି ହୀନା, ମନ୍ଦ ଅଭିଳାଷା ଲଳନା ରୂପରେ ଶ୍ରୀକୃଷ୍ଣ ଗାଳି ଦେଇଥିବା ଲଙ୍ଘିତ) ସେ ଯେତେବେଳେ ଗାଳିଦେଇ କଥା କହିଲେ, ସେତେବେଳେ ମୋର ସବୁ ସୁଖ ଆଶା ମଉଳି ଗଲା, ମୋର କଣ୍ଠ ଶୁଖିଗଲା ଏବଂ ମୋତେ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ରାଧେ ! ଯେଉଁ ପୁରୁଷର ହୃଦୟ ସ୍ନେହଶୂନ୍ୟ ସେ କ’ଣ ତୋ ପରି ସ୍ନେହଶୀଳ ନାରୀର ଉପଯୁକ୍ତ ପାତ୍ର ?’’

 

ପ୍ରିୟତମଙ୍କ ସନ୍ଦେଶ ଆଣିବା ପାଇଁ ପ୍ରେମିକା ପ୍ରେରିତା ଦୂତୀକୁ ସ୍ଵୟଂ ପ୍ରିୟତମ ଏପରି ଅପମାନ ଦେଉଥିବା କଥା ଜାଣିଲେ ପ୍ରେମିକାର ଚିତ୍ତବୃତ୍ତି କ’ଣ ହେବ ତାହା ଅନାୟାସ ଅନୁମିତ । ପ୍ରଣୟିନୀ ପ୍ରିୟତମଙ୍କ ଅପେକ୍ଷାରେ ଜୀବନ ବିତାଇ ଦେଇପାରେ, କିନ୍ତୁ ପ୍ରିୟତମଙ୍କ ଉପେକ୍ଷାରେ ସେ ମୁହୂର୍ତ୍ତେ ବଂଚିବା କଷ୍ଟକର । କିନ୍ତୁ ଆବାଲ୍ୟ ସଂଗିନୀ ଛଳନାମୟୀ ଲଳିତାକୁ ବୁଝିବାରେ ଶ୍ରୀରାଧା ବା ଭୁଲ କରିବେ କେମିତି । ଲଳିତା ମୁହିଁରୁ ସବୁ କଥା ସ୍ଵତଃ ବାହାରି ଆସୁ ନ ଥିଲା, ସେ ଥକାଇ ଥକାଇ କହୁଥିଲା । ଏଣୁ ତା କଥାରେ ସତ୍ୟତାର ମାତ୍ରା କମ୍‌ଥିବା ଶ୍ରୀରାଧା ଅନୁଭବ କରିଥିଲେ । ନାରୀ ଜାତିର ଶେଷ ଅସ୍ତ୍ର ପ୍ରୟୋଗ ପୂର୍ବକ ଶ୍ରୀରାଧା କହିଲେ, ‘‘ଲଳିତେ ! ଥୋଇ ହୃଦେ ଛଳ ନ କର ବିକଳ ଅଛିଟି ତୋତେ ମୋ ରାଣ !’’ ଲଳିତା ମୁଖରୁ ଏଥର ବାହାରି ଆସିଛି ଶ୍ରୀରାଧା ବିହରୀ ଶ୍ରୀକୃଷ୍ଣଙ୍କ ଆନ୍ତରିକ ବେଦନାର ଭାଷାରୂପ । ରାଧାଙ୍କ ପାଇଁ ଏହା ଅମୃତ ପାନ ଜନିତ ଚରମ ଆତ୍ମତୃପ୍ତି ବ୍ୟତୀତ ଆଉ କ’ଣ ହୋଇପାରେ ? କିନ୍ତୁ ପୁନଶ୍ଚ ଦ୍ଵନ୍ଦ୍ୱରେ ପଡ଼ିଛନ୍ତି ଶ୍ରୀରାଧା, ଲଳିତାର ପୂର୍ବକଥାକୁ ସେ ବିଶ୍ଵାସ କରିବେ ନା ବର୍ତ୍ତମାନ କହିଥିବା କଥାକୁ ? କାରଣ ଏଇ ଅଳ୍ପକ୍ଷଣତଳେ ତ ତା’ କଥାରେ କିଛି ଅନୁକୂଳତା ନ ଥିଲା, ହଠାତ୍‌ ବଦଳି ଗଲା କିମିତି ? ଶ୍ରୀରାଧା ଲଳିତାକୁ ତେଣୁ ପଚାରିଲେ, ‘‘ତୁ ତାଙ୍କ ମନକଥା ଜାଣିଲୁ କିପରି ? ସତରେ ସେ ତୋ ହାତ ଧରି ମୋ କଥା ପଚାରିଲେ ? ସେ’ତ ସହଜରେ ଧରାଦେବା ଲୋକ ନୁହନ୍ତି, ‘ଧରାରେ ଯେତେ ପୁରୁଷେ, ଧୂର୍ତ୍ତ ତାହାଙ୍କୁ ଗୁରୁ ସେ ।’’ ସେ ପଦେ କହିଲେ ଦଶପଦ ଆଦାୟ କରନ୍ତି । କ’ଣ କହିଲେ ସିଏ, ସବୁ କଥା ମୋତେ କହ ଲଳତା ! ମୋତେ ଟିକିଏ ନିଶ୍ଚନ୍ତ କରିଦେ ।’’

 

ତୁଚ୍ଛ କଥାରେ ବି ଗୋଳିଆ ବାହାର କରି ଉଛନ କରିଦେଲା ଭଳି ଚାତୁର୍ଯ୍ୟ ରହିଛି ଲଳିତାଠାରେ । ପୁନଶ୍ଚ ରାଧାଙ୍କୁ ସାମାନ୍ୟ ଦ୍ୱନ୍ଦ୍ୱରେ ପକାଇ ଦେବା ଲାଗି ଲଳିତା କହୁଛି, ‘‘ନାହିଁ ବୋଲିବା ବାଣୀ ମୁଁ କୃଷ୍ଣଙ୍କ ମୁଖରୁ ଶୁଣିନି ସତ, କିନ୍ତୁ ‘ନିଶ୍ଚୟ’ ବୋଲିବା କଥାଟି ତାଙ୍କ ଜାତକରେ ନାହିଁ । ସର୍ବଦା ସେ ଛଳନାମୟ, ଆଦୌ ନିର୍ଭରଯୋଗ୍ୟ ନୁହନ୍ତି । ନାଗରୀ ବିମୋହନ ମନ୍ତ୍ର ବଳରେ ଗୋପତନ୍ଵୀମାନଙ୍କୁ ପ୍ରଥମେ ବିମୋହିତ କରି ଶେଷରେ ଦେଇଥାନ୍ତି ବିଷମୟ ଯନ୍ତ୍ରଣା । ତେଣୁ ତୋ’ ହାତ ଧରି ନିବେଦନ କରୁଛି, ବିରହ ଯୋଗୁଁ ନିଦ୍ରା, ଆହାରରେ ଅରୁଚି ସୃଷ୍ଟି ହେଲେ ହେଉ ପଛେ କୃଷ୍ଣଙ୍କ ନୀଳଭୁଜବନ୍ଧନ କାମନା କର ନାହିଁ ।’’

 

ପ୍ରଥମେ ନାହିଁ ପରେ ହଁ, ତା’ପରେ ପୁଣି ନାହିଁ - ଏପରି ବାରମ୍ବାର ଦ୍ୱନ୍ଦ୍ୱତ୍ମାକ କଥାରେ ବିରକ୍ତ ହୋଇ ଶ୍ରୀରାଧା ଲଳିତାକୁ, କହୁଛନ୍ତି :

 

‘‘ପ୍ରିୟ ସହି ପରମାଦ ବଡ଼ ତୁହି ଗୋ

ପାରୁ କେତେ ଛଳେ ମୋହି ଗୋ

ପରମ ପଦରେ ଦେଇ ଜାଣୁ ତୁ ବସାଇ

ପୁଣି ତହୁଁ ଜାଣୁ ରସାତଳକୁ ଖସାଇ ।

ପାସୋରାଇ ନାନା କଦନ ଲଗାଇ

ପୀଡ଼ୁ ଅଶ୍ରୁ ବରଷାଇ ଗୋ ।''

 

ଲଳିତାର ସବୁ ଚାତୁର୍ଯ୍ୟ ପଦାରେ ପଡ଼ି ଯାଇଛି । ତା’ର ସମସ୍ତ କୌଶଳ ଶ୍ରୀରାଧା ବୁଝିପାରିଛନ୍ତି । ତେଣୁ ତାକୁ ହାଲୁକା ଗାଳିଟିଏ ଦେଇଛନ୍ତି- ‘‘ପରମାଦ ବଡ଼ ତୁହି’’ । ଶ୍ରୀରାଧାଙ୍କର ଏହି ସାମାନ୍ୟ ଆକ୍ଷେପୋକ୍ତି ଲଳିତା ଦେହରେ ଯାଇନି । ସେ ଅଭିମାନ କରି କହୁଛି, ‘‘ହେ କିଶୋରି ! ତୋ’ପ୍ରତି କୃଷ୍ଣଙ୍କ ଗଭୀର ପ୍ରୀତି ଥିବା ଜାଣିପାରି ସମ୍ଭବତଃ ତୁ ଫୁଲି ଯାଇଛୁ । ତେଣୁ ତୋ’ ପାଇଁ କୁଂଜବନକୁ ଦୌଡ଼ିଦୌଡ଼ି ମୋ ଚରଣ ତଳ ଫାଟି ପଡ଼ିବା କିମ୍ବା ନାନା ଫନ୍ଦି ଫିକର କରି ଦନ୍ତରେ ତୃଣ ଧରି କୃଷ୍ଣଙ୍କୁ ବିନୟ ହୋଇ କହିବା ପ୍ରଭୃତି ଭୁଲି ଯାଇ ମୋତେ କୁଟିଳ ହୃଦୟୀ ବୋଲି କହିପାରିଲୁ । ଠିକ୍‌ଅଛି, ତୁ ତ ମୋର ପ୍ରାଣସମା ପ୍ରିୟ ସଖୀ, ତୁ ନିନ୍ଦା କଲେ ମଧ୍ୟ ତୋ ନାଁରେ ଫରିଆଦ୍‌ କରିପାରିବି ନାହିଁ । ଏବେ ସେହି କୃଷ୍ଣଙ୍କ ସଙ୍ଗେ ମନଇଚ୍ଛା ରତିକ୍ରୀଡ଼ାରେ ମଜ୍ଜିଯାଅ, ଆଉ ଦିନେ ଯଦି ମୁଁ ସେ ଦିଗକୁ ଯିବି, ତେବେ ମୋର ମହତ୍ତ୍ୱ ସାରିବୁ । ବିଧାତା କରନ୍ତୁ, ତୁମ ଦୁହିଁଙ୍କର ମିଳନ ସାର୍ଥକ ହେଉ, କିନ୍ତୁ ସେଠାରୁ, ଫେରିଆସି ଆମ ଆଗରେ ଯେପରି ଲୁହ ନ ବୁହାଉ ।’’

 

ଲଳିତାର ଏହି ମାର୍ମିକ ଅଭିବ୍ୟକ୍ତିରେ ରାଧାଙ୍କ ସରଳ ହୃଦୟ ତରଳିଗଲା । ଆବଲ୍ୟ ସଂଗିନୀର ମନରେ ଆଘାତ ଲାଗିଛି । ପୁଣି କୃଷ୍ଣଙ୍କ ସହିତ ମିଳିତ ହେବାଲାଗି ଲଳିତା ହିଁ ଏକମାତ୍ର ମାଧ୍ୟମ ଏସବୁ ଅନୁଭବ କରି ଲଳିତାର ଅଭିମାନକୁ ପୋଛିଦେବା ଅଭିପ୍ରାୟରେ ଶ୍ରୀରାଧା ଖୋସାମତି କରି କହିଲେ, ‘‘ବିଚକ୍ଷଣାରେ ! ତୋର ସ୍ନେହ ବିନା ଏ ସଂସାରରେ ମୋର ଆଉ କି ଗତି ଅଛି ? ଗେଲରେ କ’ଣ ପଦେ କହିଦେଲେ ଯେ, ତୁ ପୁଣି ଅଭିମାନ କରିଛୁ ? ତୋ ପରି ବିଶ୍ୱାସିନୀ ବିଶ୍ୱ ଭିତରେ ବିରଳ ।’’ ଶ୍ରୀରାଧାଙ୍କର ଏହି ନିଷ୍କପଟ, ଅମୃତ ନିସ୍ୟନ୍ଦିନୀ ବାଣୀର ମଧୁର ମୂର୍ଚ୍ଛନାରେ ଲଳିତା ତା’ର ଅପହୃତ ଗୌରବ ଫେରିପାଇଛି । ଉତ୍ସାହ ଆଧିକ୍ୟ ବଶତଃ ଏଥର ସେ ଶ୍ରୀରାଧାଙ୍କୁ ନେଇ ଜ୍ୟୋତ୍ସ୍ନାସ୍ନାତ କେଳିକୁଂଜର ଅଦୂରରେ ଉପସ୍ଥିତ । ରାଧା କୃଷ୍ଣଙ୍କୁ ମିଳନ ସୁଯୋଗ ଦେବା ଲକ୍ଷ୍ୟରେ ଲଳିତା ପୁଷ୍ପଚୟନ ବ୍ୟାଜରେ ସେ ସ୍ଥାନରୁ ବହିର୍ଗତ ହୁଅନ୍ତେ ମିଳନ ମହାପର୍ବ ସଂଘଟିତ ହୋଇଛି । ସଂକ୍ଷେପରେ ଏହା ହେଉଛି ଲଳିତାର କାବ୍ୟିକ କ୍ରିୟାକଳାପ । ତେବେ ଏହି ଅଭିନବ ଦୌତ୍ୟକୌଶଳର ଉତ୍ସ ସମ୍ପର୍କରେ ସନ୍ଧାନ ପାଇଲେ ହିଁ ଲଳିତାର ପ୍ରକୃତ ସ୍ଵରୂପ ବୁଝିହେବ ।

 

ସୃଷ୍ଟି ସ୍ଵାତନ୍ତ୍ର୍ୟ

ଚାତୁର୍ଯ୍ୟମୟୀ ଅସାମାନ୍ୟା ଦୂତୀ ଲଳିତାର ସଂଯୋଜନା କୌଶଳ ସମ୍ପର୍କରେ ଅନୁଧ୍ୟାନ କଲେ ଜଣାଯାଏ, ରାଧାକୃଷ୍ଣଙ୍କ ମିଳନ ସଂଘଟନାରେ ସେ କେତେକ ସ୍ଵତନ୍ତ୍ର ସୂତ୍ର ଅବଲମ୍ବନ କରିଛି । ପୂର୍ବ ପ୍ରଣୀତ କେତେକ କୃଷ୍ଣ କାବ୍ୟରେ ବୟସାଧିକା ସଖୀମାନେ ଶ୍ରୀରାଧାଙ୍କ ପରି ପୁରୁଷ ପ୍ରଣୟ - ସାହସକୁ ପ୍ରଥମ ପର୍ଯ୍ୟାୟରେ ସ୍ଵୀକୃତି ଦେଇ ନ ଥିଲେ ମଧ୍ୟ ପରପର୍ଯ୍ୟାୟରେ ରାଧାଙ୍କର ଆଜ୍ଞାବହ ଦୂତୀ ରୂପରେ କାର୍ଯ୍ୟ କରିଥିବା ଦେଖାଯାଏ । ସମବୟସ୍କା, ସଖୀମାନେ ତ ମୂଳରୁ ଶ୍ରୀରାଧାଙ୍କ ଅନୁଜ୍ଞାକାରିଣୀ । ସେହିପରି ଶ୍ରୀରାଧା ପ୍ରେରିତା ଦୂତୀମାନଙ୍କୁ ଶ୍ରୀକୃଷ୍ଣ କମ୍‌ ହନ୍ତସନ୍ତ କରି ନାହାନ୍ତି । ଆପଣାର ଅସଲ ଅଭିପ୍ରାୟ ଗୁପ୍ତ ରଖି ଦୂତୀମାନଙ୍କୁ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ସେ ଆଦୌ ସୁଯୋଗ ଦେଇ ନାହାନ୍ତି, ପକ୍ଷାନ୍ତରେ ନିଜ ପ୍ରଭୁପଣକୁ ଦୂତୀମାନଙ୍କ ଉପରେ ଜାହିର୍‌ କରି ସେମାନଙ୍କୁ କ୍ରୀଡ଼ା ପୁତ୍ତଳିକା ଭଳି ନଚାଇଛନ୍ତି । ସଖୀ/ଦୂତୀମାନଙ୍କର ଏହି ପାରମ୍ପରିକ ଚିତ୍ରଣ କିଶୋର ଚନ୍ଦ୍ରାନନ ଚମ୍ପୂରେ ଅନୁକୃତ ହୋଇନାହିଁ ।

 

ବିରହ ବ୍ୟଥିତା କୃଷ୍ଣାନୁରାଗିଣୀ ରାଧା ଯେତେ ବିକଳ ହୋଇ ଆପାଣା ମିଳନେଚ୍ଛା ଲଳିତା ନିକଟରେ ବ୍ୟକ୍ତ କରିଛନ୍ତି, ଚତୁରୀ ଲଳିତା ନାସ୍ତିସୂଚକ କଥା କହି ସେତିକି ମାତ୍ରାରେ ରାଧାଙ୍କୁ ନିଜ କବଳକୁ ଆଣି ପାରିଛି । ଶେଷରେ ଏକ ଅଭିସନ୍ଧିମୂଳକ ସର୍ତ୍ତ ରଖି ସେ ଯାଇଛି କୃଷ୍ଣଙ୍କ ପାଖକୁ । ଫଳରେ ତା’ର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଶ୍ରୀରାଧା ସଂପୂର୍ଣ୍ଣ ନିର୍ଭରଶୀଳ ଚରିତ୍ରଟିଏ ହୋଇ ରହିଯାଇଛନ୍ତି । ଠିକ ଏହି ସୂତ୍ର ସେ କୃଷ୍ଣଙ୍କ ନିକଟରେ ମଧ୍ୟ ପ୍ରୟୋଗ କରିଛି ଏବଂ କୃତକାର୍ଯ୍ୟ ହୋଇଛି ମଧ୍ୟ । ପୁଣି ଉଭୟେ ଉଭୟଙ୍କ ବିଷୟରେ ଅଜ୍ଞାତ ଓ ଅନାସକ୍ତ ଥିବା ଧାରଣାଟିଏ ତାକୁ ସୃଷ୍ଟି କରିବାକୁ ପଡ଼ିଛି ଏବଂ ଏପରି ଏକ ମିଳନ ସଂଘଟନ ରୂପକ ଦୁଃସାଧ୍ୟ କାର୍ଯ୍ୟସାଧନରେ ଜୀବନ ଯିବାର ଆଶଙ୍କା ଥିବା କଥା କହି ଉଭୟଙ୍କ ପାଇଁ ସେ ଏକାନ୍ତ ବିଶ୍ଵାସିନୀ ଓ ଏକମାତ୍ର ଆଶ୍ରୟ ବୋଲି ନିଜକୁ ସାବ୍ୟସ୍ତ କରିଛି । ବହୁ ପଛରେ ଲଳିତାର ଏହି ଛଳନା ତ ଚାତୁର୍ଯ୍ୟ ବୁଝିପାରି ଶ୍ରୀରାଧା ତାକୁ ‘ବଡ଼ ପ୍ରମାଦ’ ବୋଲି ଆକ୍ଷେପ କରିବା ସଙ୍ଗେ ସଙ୍ଗେ ଅନ୍ୟତ୍ର କହିଛନ୍ତି-

 

‘‘ଲଳିତା ନୋହେଟି ଯେ ଡାକୁ ଅଛି

ଲକ୍ଷେ ଦୁଷ୍ଟେ ରଖିଅଛି ମୁଁ ବାଛି

ଲଘୁ କରିଦେବ ଦେଖିବା କ୍ଷଣେ

ଲେଖାଧିପ ଅଷ୍ଟଦୁର୍ଗର ରଣେ ।’’

 

ଏଥିରୁ ସ୍ପଷ୍ଟ ଜାଣିହୁଏ ଯେ, ଚମ୍ପୂର ଲଳିତା କଦାପି ବୈଶିଷ୍ଟ୍ୟ- ଶାସ୍ତ୍ରୋକ୍ତ ଲଳିତା ନୁହେଁ ବା ପ୍ରଣାଳୀପ୍ରୌଢ଼ କୃଷ୍ଣକାବ୍ୟ ବର୍ଣ୍ଣିତା ରାଧାସଖୀ ନୁହେଁ । ଏଭଳି ଅଭୂତପୂର୍ବ, ଅଭିନବ ଚରିତ୍ରର ଉତ୍ସ ତେବେ କ’ଣ ହୋଇପାରେ ? ସମ୍ଭବତଃ ସ୍ରଷ୍ଟା ନିଜର ବ୍ୟକ୍ତିସତ୍ତାର ଆଧାରରେ ଏଭଳି ନୂତନ ଚରିତ୍ରଟିଏ ଗଢ଼ି ଥାଇ ପାରନ୍ତି ।

 

ବ୍ୟକ୍ତିସତ୍ତା ଓ କାବ୍ୟ ଚରିତ୍ର : ଲଳିତା

ସାହିତ୍ୟ କାଳାତୀତ ହେଲେହେଁ କାଳାଶ୍ରୟୀ, ଲୋକାତୀତ ହେଲେ ହେଁ ଲୋକାଶ୍ରୟୀ । ସାହିତ୍ୟିକର କବି ସତ୍ତା ଏକ ଶକ୍ତିଦ୍ୱାରା ନିୟନ୍ତ୍ରିତ । କିନ୍ତୁ ତାର ବ୍ୟକ୍ତି ସତ୍ତା ଦେଶ କାଳରୁ ବିଚ୍ଛିନ୍ନ ନୁହେଁ । ବ୍ୟକ୍ତିସତ୍ତା ଓ କବିସତ୍ତା ପରସ୍ପର ପରିପୂରକ । ତେଣୁ କବିର ଲୋକୋତ୍ତର ସୃଷ୍ଟି ସଂପଦ ତା’ର ବ୍ୟକ୍ତିସତ୍ତାକୁ ଉପେକ୍ଷା କରି ପାରେ ନାହିଁ । ସାହିତ୍ୟ ତେଣୁ ଅନୁଭୂତିର ଅଭିଜ୍ଞାନ ।

 

କୃଷ୍ଣ କାବ୍ୟରେ ସ୍ରଷ୍ଟାର ଅନୁଭୂତି ବା ବ୍ୟକ୍ତିସତ୍ତାର ପରିପ୍ରକାଶ ବ୍ୟାପାରଟି ମୁଖ୍ୟ ଚରିତ ଓ ଚରିତ୍ର ପରିବର୍ତ୍ତେ ସଂଯୋଜକ ଚରିତ୍ର ଦେଇ ହିଁ ସାଧିତ । କାରଣ କାବ୍ୟର ମୁଖ୍ୟ ଚରିତ୍ର ଓ ଚରିତକୁ ନେଇ ନାନା ବିଧ ଶାସ୍ତ୍ରୀୟ ପ୍ରତିବନ୍ଧ ରହିଛି । ବିଶ୍ଵନାଥ କବିରାଜଙ୍କ ମତରେ କାବ୍ୟର ଚରିତ ‘ଇତିହାସୋ-ଭବଂବୃତ୍ତ ମନ୍ୟଦ୍‌ ବା ସଜ୍ଜନାଶ୍ରୟମ୍‌’ ହେବ । ଆନନ୍ଦ ବର୍ଦ୍ଧନ କହିଛନ୍ତି, କବି ଆଦୃତ ବା କଳ୍ପିତ ବିଷୟ ଭିତ୍ତିରେ ସୃଷ୍ଟିସୌଧ ନିର୍ମାଣ କରିପାରେ; କିନ୍ତୁ ଆଦୃତ ବିଷୟବସ୍ତୁରେ ପରିବର୍ତ୍ତନ ସଂଘଟନ ତା’ପକ୍ଷରେ ଯେପରି ଅନୁଚିତ, କଳ୍ପିତ କଥାବସ୍ତୁର ଔଚିତ୍ୟ ପ୍ରତି ସର୍ବଦା ଜାଗ୍ରତ ରହିବା ତା’ପକ୍ଷରେ ସେପରି ସମୁଚିତ । କୃଷ୍ଣକାବ୍ୟର ମୁଖ୍ୟ ଚରିତ ଓ ଚରିତ୍ରମାନେ ଇତିହାସପ୍ରସିଦ୍ଧ ଓ ସର୍ବଜନବିଦିତ । ଏଣୁ ଏଥିରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଶାସ୍ତ୍ରତଃ ସୃହଣୀୟ ନୁହେଁ । କୃଷ୍ଣକାବ୍ୟରେ କବି ନିଜର ବ୍ୟକ୍ତିସତ୍ତା ଓ କବିସତ୍ତାର ସ୍ଵାତନ୍ତ୍ରୀକୁ ନେଇ ଯେଉଁ ନୂତନତା ସୃଷ୍ଟି କରିଥାଏ, ତାହା ଉପକଥା କିମ୍ବା ସଂଯୋଜକ ଚରିତ୍ର ଚିତ୍ରଣରେ ଦେଖିବାକୁ ମିଳେ । ଏହି ହେତୁ କୃଷ୍ଣକାବ୍ୟ ଜଗତରେ ମୁଖ୍ୟ ଚରିତ୍ର ରାଧାକୃଷ୍ଣ ପ୍ରାୟଶଃ ପାରମ୍ପରିକ, ଅପରିବର୍ତ୍ତିତ ଥିବାବେଳେ ସଂଯୋଜକ ଚରିତ୍ରଗୁଡ଼ିକ ରୂପ ଓ କାର୍ଯ୍ୟତଃ ବିବିଧତାରେ ଭାସ୍ଵର । ବଳଦେବ ମଧ୍ୟ ରାଧାକୃଷ୍ଣ ପରିବର୍ତ୍ତେ ଲଳିତା ଚରିତ୍ର ମାଧ୍ୟମରେ ସ୍ଵୀୟ ବ୍ୟକ୍ତିସତ୍ତାର କେତେକ ବିଶିଷ୍ଟ ବିଭାବ ପ୍ରକାଶ କରିଥିବା ଯୋଗୁଁ ତାଙ୍କ ଲଳିତାଟି ବିଲକ୍ଷଣ ବିଭୂତିରେ ବିଭୂଷିତା ହୋଇପାରିଛି । ତେଣୁ ଲଳିତା ଚରିତ୍ରର ସ୍ପଷ୍ଟ ଅବବୋଧ ବଳଦେବଙ୍କ ବ୍ୟକ୍ତିସତ୍ତାର ଅଧ୍ୟୟନ ଉପରେ ନିର୍ଭରଶୀଳ ।

 

ବଳଦେବ ଜନ୍ମଗ୍ରହଣ କରିଥିଲେ ଖ୍ରୀ ୧୭୭୯ରେ ଗଂଜାମ ଜିଲ୍ଲାର ତତ୍କାଳୀନ ଖେମୁଣ୍ଡି ରାଜ୍ୟର ରାଜଧାନୀ ବିଜୟ ନଗର ଗଡ଼ ନିକଟବର୍ତ୍ତୀ ମଧୁବନ ଶାସନରେ । ପିତା - ଉଜ୍ଵଳ ରଥ ଥିଲେ ଖେମୁଣ୍ଡି ରାଜା ପୁରୁଷୋତ୍ତମ ଅନଙ୍ଗଭୀମ ଦେବ (୧୭୨୮- ୧୭୭୬) ସଭାପଣ୍ଡିତ । ମାତାଙ୍କ ବିୟୋଗ ପରେ ମାତାମହ ତ୍ରିପୁରାରି ହୋତା ବଳଦେବଙ୍କୁ ଘେନି ଆସିଥିଲେ ଆଠଗଡ଼କୁ-। ତ୍ରିପୁରାରି ହୋତା ପ୍ରସିଦ୍ଧ ତାନ୍ତ୍ରିକ ତଥା ଆଠଗଡ଼ ଦରବାରାଶ୍ରିତ ପଣ୍ଡିତ । ଏହାଙ୍କ ତତ୍ତ୍ୱାବଧାନରେ ବଳଦେବଙ୍କ ବାଲ୍ୟ ଶିକ୍ଷାଦି ସଂପନ୍ନ ହୋଇଥିଲା । ଖ୍ରୀ: ୧୭୯୫ରେ ବଳଦେବ ପୁଣି ବିଜୟନଗର ଫେରିଆସି ବିବାହ କରିଥିଲେ ପୁରୀନିବାସୀ ରାମକୃଷ୍ଣ ମିଶ୍ରଙ୍କ କନ୍ୟା ରତ୍ନମଣିଙ୍କୁ । ଖ୍ରୀ ୧୭୯୭ରେ ପିତାଙ୍କ ବିୟୋଗ ହେତୁ ସମ୍ବଳହୀନ ହୋଇ ଅଗ୍ରଜ ହରିହରଙ୍କ ସହିତ ସେ ଜଳନ୍ତର ରାଜ୍ୟକୁ ଚାଲି ଯାଇଥିଲେ । କାରଣ, ଖ୍ରୀ: ୧୭୭୬ରେ ରାଜା ପୁରୁଷୋତ୍ତମ ଅନଙ୍ଗଭୀମଦେବଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପୁତ୍ର (ସାନ ଖେମୁଣ୍ଡି ଓ ବଡ଼ ଖେମୁଣ୍ଡି ରାଜା)ଙ୍କ ମଧ୍ୟରେ ବରାବର ଗୃହଯୁଦ୍ଧ ଲାଗି ରହିଥିଲା । ଫଳତଃ ବିଜୟନଗର ରାଜସଭା ଭାଙ୍ଗି ଯାଇଥିଲା । ଏତିକିବେଳେ କମ୍ପାନୀ ସରକାରଙ୍କ ସହାୟତାରୁ ଖ୍ରୀ ୧୭୯୭ରେ ରାଜ୍ୟଲାଭ କରିଥିବା ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟ ପୂର୍ବରାଜାଙ୍କ ପାରିଷଦବର୍ଗଙ୍କୁ ରାଜାନୁଗ୍ରହରୁ ବଂଚିତ କରାଇ ନୂତନ ପାର୍ଷଦମଣ୍ଡଳୀର ଅନୁସନ୍ଧାନରେ ଥିଲେ । ହରିହର ଓ ବଳଦେବ ଏହି ଅବସରରେ ଜଳନ୍ତର ଯାଇ ପାଇଥିଲେ ଅକୁଣ୍ଠ ରାଜାନୁଗ୍ରହ । ଏଠାରେ ହିଁ ବଳଦେବଙ୍କ କବିତ୍ୱ ଓ ପ୍ରଶାସନିକ ଦକ୍ଷତାର ଉନ୍ମେଷ ଓ ବିକାଶ ଘଟିଥିଲା ।

 

ବଳଦେବଙ୍କ କବିତ୍ୱର ଆଦ୍ୟସ୍ଫୁରଣ ଭଂଜୀୟ କାବ୍ୟକଳା ଅନୁସୃତ ‘ଚନ୍ଦ୍ରକଳା’ କାବ୍ୟ ହୋଇପାରେ, କିନ୍ତୁ ସେ ସମୟବେଳକୁ ମଧ୍ୟଯୁଗୀୟ ଦୀର୍ଘକାଳୀନ ରଚନା ପରମ୍ପରାରେ ଭଟ୍ଟା ପଡ଼ି ଆସିଥିଲା । କାରଣ କାବ୍ୟଗୁଡ଼ିକ ପ୍ରାୟତଃ ଗତାନୁଗତିକ ବିଷୟକୁ ନେଇ ରଚିତ ଏବଂ ଶବ୍ଦାର୍ଥ ଓ ଛନ୍ଦ-ବନ୍ଧକୁ ନେଇ କସରତ କରିବାର କ୍ଷେତ୍ର ରୂପେ ବିବେଚିତ ହେଉଥିଲା । ଏ ପ୍ରକାର କବନ ବ୍ୟାପାର ଭିତରେ କବିତାର ସୁକୁମାର ସୌନ୍ଦର୍ଯ୍ୟଟି ମରି ହଜିଯିବା ସ୍ଵାଭାବିକ । ସମୟ ସଚେତନ କବି ବଳଦେବ ଏଥିପାଇଁ ‘ଚନ୍ଦ୍ରକଳା’କୁ ଅସମାପ୍ତ ରଖି ସରଳ, ତରଳ, ରସାଳ କ୍ଷୁଦ୍ର କବିତା ରଚନାରେ ମନୋନିବେଶ କରିଥିଲେ । ପରିଣତି ସ୍ୱରୂପ । ୧୮୦୫ ଖ୍ରୀ:ରେ ଜଳନ୍ତର ରାଜାଙ୍କଠାରୁ ସେ ପାଇଥିଲେ କବିସୂର୍ଯ୍ୟ ଉପାଧି ସହିତ ସଭାକବିର ସମ୍ମାନ ।

 

କବିସୂର୍ଯ୍ୟ ବଳଦେବ ରଥ କେବଳ କବିତ୍ଵ ପ୍ରଦର୍ଶନରେ ସନ୍ତୁଷ୍ଟ ନ ଥିଲେ । ନୀରବଧି ବାଣୀ ଆରାଧନାରେ ନିବିଷ୍ଟ ଥିବା ହେତୁ ପିତା ଉଜ୍ଜଳ ରଥ ଶେଷ କାଳରେ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ । ହରିହର ଓ ବଳଦେବ ଏଥିପାଇଁ ବାସ୍ତୁହରା ହୋଇ ଅନ୍ନ ସଂସ୍ଥାନ ଅନ୍ୱେଷଣରେ ଭିଟାମାଟି, ଜ୍ଞାତିକୁଟୁମ୍ବ ଛାଡ଼ି ଆସିଥିଲେ ଜଳନ୍ତର ରାଜ୍ୟକୁ । ସୁତରାଂ କବିସୂର୍ଯ୍ୟ ଉପାଧି ସହିତ ସଭାକବି ପଦବୀ ପ୍ରାପ୍ତ ହୋଇଥିଲେ ସୁଦ୍ଧା ନିଜର ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ ପ୍ରତି ସେ ସର୍ବଦା ସଚେତନ ଥିଲେ । ସମୟ ଓ ସମାଜର ଡାକରାକୁ କବି ସ୍ୱୀକାର କରୁଥିଲେ, ପଙ୍କକୁ ଯାଉଥିଲେ, ଗୋଡ଼ ଧୋଉଥିଲେ । ଏଥିପାଇଁ ସମାଜରେ ସେ ଯେତିକି ସମାଦର ଓ ପ୍ରତିଷ୍ଠା ପାଇଛନ୍ତି, ସେତିକି ଈର୍ଷ୍ୟା, ଅସୂୟା ଓ ବିରୋଧର ଶିକାର ମଧ୍ୟ ହୋଇଛନ୍ତି ।

 

ବଳଦେବ ଯେତେବେଳେ ଜଳନ୍ତର ଦରବାରରେ ନିଯୁକ୍ତ ହେଲେ, ସେତେବେଳେ ବିତାଡ଼ିତ ସାନ ପାଇଛାଙ୍କ କର୍ମଚାରୀମାନେ ନିଶ୍ଚୟ ନୀରବ ନ ଥିବେ । ଦୂରାଗତ ନବନିଯୁକ୍ତଙ୍କ ବିରୋଧରେ ନାନା ଗୁଜବ ଓ ବିବିଧ ଷଡ଼ଯନ୍ତ୍ର ରଚିଥିବେ । ଏଠାରେ ବଳଦେବଙ୍କୁ ବିରୋଧବ୍ୟାପୃତ ଦୁଇଗୋଷ୍ଠୀ ପ୍ରତି ସଚେତନ ରହି ଚଳିବାକୁ ପଡ଼ିଥିବା ଜୀବିକା ନିର୍ବାହ ନିମିତ୍ତ ରାଜାଙ୍କ ପ୍ରିୟପାତ୍ର ହେବାକୁ ଏବଂ ନିର୍ବିରୋଧ ସାମାଜିକ ସ୍ଥିତି ସକାଶେ ବିରୋଧୀପକ୍ଷ ସହିତ ସୁସଂପର୍କ ରଖିବାକୁ ସେ ବାଧ୍ୟ ହୋଇଥିବେ । ଅନ୍ୟ ପ୍ରକାରେ କହିଲେ, ରାଜା ଓ ପ୍ରତିପକ୍ଷ ପ୍ରଜା- ଉଭୟଙ୍କୁ ଚତୁରତାର ସହିତ ଆୟତ୍ତ କରିବା ତାଙ୍କର ପ୍ରାଥମିକ କାର୍ଯ୍ୟ ହୋଇଥିବା ବଳଦେବ ନିଜର ଏହି ଅଭିଯାନରେ ସଫଳତା ଅର୍ଜି ଉଭୟ ପକ୍ଷର ପ୍ରୀତିଭାଜନ ହୋଇ ପାରିଥିବାରୁ ଖ୍ରୀ: ୧୮୦୮ରେ ରାମଚନ୍ଦ୍ର ଛୋଟରାୟ ବଳଦେବଙ୍କ ପରି ଜଣେ ଯୁବକବିଙ୍କୁ ରାଜ୍ୟର ଦେବାନ ପଦବୀରେ ନିଯୁକ୍ତି ଦେବା ପାଇଁ ସାହସ କରିପାରିଥିଲେ । ତତ୍କାଳୀନ ବ୍ରିଟିଶ୍‌ ଉଚ୍ଚକର୍ମଚାରୀ ରବର୍ଟ ବୋୟାର୍ଡ଼ ମଧ୍ୟ ବଳଦେବଙ୍କ ପ୍ରତି ଥିଲେ ଅତ୍ୟନ୍ତ ଶ୍ରଦ୍ଧାଶୀଳ ।

 

ଜଳନ୍ତର ରାଜ୍ୟରେ ରାଜନୀତିକ ସଂକଟ ଥିବା ଅବସ୍ଥାରେ ବଳଦେବ ପାଇଥିଲେ ଦେବାନ ପଦବୀ । କିପରି ସେହି ରାଜ୍ୟରେ ପୁଣି ଶାନ୍ତି ପ୍ରତିଷ୍ଠା କରି ପାରିଥିଲେ ତା’ର ବିବରଣ ସେ ଲେଖି ଯାଇ ନାହାନ୍ତି । କିନ୍ତୁ ତାଙ୍କ ପରବର୍ତ୍ତୀ ସାହିତ୍ୟିକ ଫକୀରମୋହନ ସେନାପତି ‘ଆତ୍ମଚରିତ’ ଗ୍ରନ୍ଥରେ ତଦୀୟ ଦେବାନୀ ଅନୁଭୂତିକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଡମପଡ଼ାରେ ଦେବାନ ଥିବାବେଳେ ରାଜ୍ୟରେ ସୁଶାସନ ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଫକୀର ମୋହନ ନାନା ଫନ୍ଦି-ଫିକର, ମିଥ୍ୟାରୋପ, ମିଥ୍ୟାକଥନର ଆଶ୍ରୟ ନେଇଥିବା ଦେଖାଯାଏ । ରାଜାଙ୍କର ବିରୋଧରେ ପ୍ରଧାନମାନଙ୍କର ଦାବିକୁ ଠିକ ବିପରୀତ ପ୍ରକାରେ ଇଂରେଜ ସାହେବଙ୍କୁ ବୁଝେଇ ଦେବା, ନିଧି ପଟ୍ଟନାୟକଙ୍କୁ ମିଥ୍ୟା କହି ପ୍ରଧାନମାନଙ୍କ ବିପକ୍ଷରେ ସାକ୍ଷ ଦେବାକୁ ରାଜି କରାଇବା, ଷିଠ ବେହେରା ଓ ପାଟଯୋଷୀକୁ ଦଣ୍ଡ ଦେଇ ପ୍ରତିପକ୍ଷଙ୍କ ମନରେ ଭୀତି ସଂଚାର କରିବା ପ୍ରଭୃତି ବିଷୟ ପଢ଼ିଲେ ରାଜା-ପ୍ରଜା ମଧ୍ୟରେ ସୁସମ୍ପର୍କ ନଥିବା ରାଜ୍ୟରେ ଦେବାନମାନଙ୍କର କାର୍ଯ୍ୟକଳାପର ସ୍ପଷ୍ଟ ଚିତ୍ରଟିଏ ଆଖି‌ଆଗରେ ଝଲସି ଉଠେ । ଏସବୁ ଛଳନାମୟ କାର୍ଯ୍ୟରେ ପାଶ୍ଚାତାପ କରି ଫକୀରମୋହନ ଲେଖିଛନ୍ତି, ‘‘ସେଦିନର ଘଟନା ମନରେ ପଡ଼ିଲେ ଅତ୍ୟନ୍ତ କଷ୍ଟ ଜାତ ହୁଏ । ସାହେବଙ୍କର ମୋ ପ୍ରତି ସଂପୂର୍ଣ୍ଣ ବିଶ୍ଵାସ ଥିଲା । ମୁଁ ପ୍ରଜାମାନଙ୍କ କଥା ତାଙ୍କୁ ଅନ୍ୟରୂପେ ବୁଝାଇ ଦେଇ କି ବିଶ୍ୱାସଘାତକତା କରିଛି । କେବଳ ଏତିକି ନୁହେଁ, ଅନେକ ଥର ମିଥ୍ୟା କଥା କହିଅଛି, ନିଷ୍ଠୁର ବ୍ୟବହାର କରିଅଛି । ରାଜା ଓ ରାଜ ପରିବାରଙ୍କ ଉପକାର ସାଧନ ନିମନ୍ତେ ସେ ସମୟରେ ମୋର ପାପପୁଣ୍ୟ ଜ୍ଞାନ ନ ଥିଲା । *** । ରାଜ୍ୟ ଶାସନର ଚାରିଗୋଟି ଉପାୟ - ସାମ, ଦାନ, ଦଣ୍ଡ, ଭେଦ । ଯଥୋଚିତ ଉପାୟ ଅବଲମ୍ବନ କରି ମଧ୍ୟ ପ୍ରଥମ ଦୁଇଗୋଟିରେ ଅକୃତକାର୍ଯ୍ୟ ହୋଇଅଛି । ବର୍ତ୍ତମାନ ଶେଷ ଦୁଇଗୋଟିର ଆଶ୍ରୟ-। ସମସ୍ତ ରାଜ୍ୟର ରାଜମନ୍ତ୍ରୀଗଣ କାର୍ଯ୍ୟକ୍ଷେତ୍ରରେ ଏହି ଚାରିଗୋଟି ଉପାୟ ଅବଲମ୍ବନ କରିଥାନ୍ତି-। ଅତି କ୍ଷୁଦ୍ର ଡମପଡ଼ା ରାଜ୍ୟର କ୍ଷୁଦ୍ରାଦପି କ୍ଷୁଦ୍ର ରାଜମନ୍ତ୍ରୀ କ’ଣ ମହାଜନଙ୍କ ପନ୍ଥାକୁ ଅବଲମ୍ବନ ନ କରି ଚଳିପାରନ୍ତି ? ଦୁଇ ଚାରି ଜଣ ମେଳିଆ ସରଦାରଙ୍କୁ ଇତି ମଧ୍ୟରେ ପ୍ରଲୋଭନ ଏବଂ ଭୟ ଦେଖାଇ ରାଜପକ୍ଷକୁ ଟାଣି ଆଣିଲିଣି ।**** ଆଜି ସକାଳ ଶଯ୍ୟା ତ୍ୟାଗଠାରୁ ଦଶଟା ବେଳ ପର୍ଯ୍ୟନ୍ତ ଯେ ସମସ୍ତ କଥା କହିଅଛି, ଯେ ସମସ୍ତ ବ୍ୟବହାର କରିଅଛି, ସେ ସମସ୍ତ ମିଥ୍ୟା, ପ୍ରତାରଣା ଏବଂ ନିଷ୍ଠୁରତାମୟ । ଅତ୍ୟାଚାରିତ ଲୋକପ୍ରତି ନ୍ୟାୟ ବିଚାର, ଅତ୍ୟାଚାରୀ ପ୍ରତି ଦଣ୍ଡବିଧାନ ଏବଂ ଭବିଷ୍ୟତରେ ଗରିବ ନିରୁପାୟ ପ୍ରଜାଙ୍କ ପ୍ରତି ଅକାରଣ ଅତ୍ୟାଚାରର ନିରୋଧ, ବିଶେଷତଃ ବିପଦ୍‌ଗ୍ରସ୍ତ ରାଜ ପରିବାରଙ୍କ ପ୍ରତି ସହାୟତା କରିବା ସେ ସମୟରେ ମୋର ଏକମାତ୍ର ଲକ୍ଷ୍ୟ ଥିଲା ।’’ ଏସବୁ ସ୍ଵୀକାରୋକ୍ତି ଉପଦୃତ ରାଜ୍ୟର ଦେବାନମାନଙ୍କର ମାନସିକତା ଓ କ୍ରିୟାକଳାପର ସ୍ପଷ୍ଟ ରୂପ ।

 

ଜଳନ୍ତରର ଅବସ୍ଥା ଡମପଡ଼ାର ଅବସ୍ଥାଠାରୁ ବିଶେଷ ପୃଥକ ନ ଥଲା । ସୁତରାଂ ଦେବାନ ବଳଦେବ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିବେ । ଆଶ୍ରୟଦାତା ରାଜାଙ୍କ ହିତ ସାଧନ ଓ ରାଜ୍ୟରେ ଶାନ୍ତି ବିଧାନ ଉଦ୍ଦେଶ୍ୟରେ ବଳଦେବ ବିରୋଧୀ ପ୍ରଜାଙ୍କ ପ୍ରତିକ୍ରିୟାକୁ ରାଜାଙ୍କ ନିକଟରେ ପ୍ରକାଶ କରୁ ନ ଥିଲେ କିମ୍ବା ଭିନ୍ନ ରୂପରେ ଉପସ୍ଥାପନ କରୁଥିଲେ । ରାଜାଙ୍କ ଅଜ୍ଞାତରେ ରାଜାଜ୍ଞା କହି ବିରୋଧୀପ୍ରଜାଙ୍କ ଉନ୍ନତି ପାଇଁ ବିହିତ ପଦକ୍ଷେପ ନେଉଥିଲେ କିମ୍ବା ନେବାର ପ୍ରତିଶ୍ରୁତି ଦେଉଥିଲେ । ବ୍ୟାଜ ଭୟ ଦେଖାଇ, ନାନା ପ୍ରକାରେ ଫନ୍ଦାଇ ସହାନୁଭୂତି ଜଣାଇ ବିଦ୍ରୋହକାରୀଙ୍କୁ ଯେପରି ନିଜ ଆୟତ୍ତରେ ରଖିଥିବେ । ପ୍ରଜାଙ୍କୁ କବଳିତ କରି ପାରିଥିବା ପ୍ରମାଣ ଦର୍ଶାଇ କିମ୍ବା ପ୍ରତିପକ୍ଷବର୍ଗଙ୍କୁ ରାଜାଙ୍କ ସପକ୍ଷ କରାଇ ପାରିଥିବା ଉଦାହରଣ ପେଶ୍‌କରି ରାଜାଙ୍କୁ ମଧ୍ୟ ସେପରି ସମ୍ମୋହିତ କରି ରଖିଥିବେ । ସମ୍ଭବତଃ ଏହି କାରଣରୁ ଧୀରେ ଧୀରେ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅନୁକୂଳ ଯୋଗସୂତ୍ର ସ୍ଥାପିତ ହୋଇ ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ପାଇଥିଲା । ଜଳନ୍ତରରେ ଥିବା ବିପୁଳ ଅବ୍ୟବସ୍ଥିତ ଦେବୋତ୍ତର ସମ୍ପତ୍ତିକୁ ବ୍ୟବସ୍ଥିତ କରି ଦେଶୋନ୍ନତି ତଥା ଅତିଥି, ଅଭ୍ୟାଗତଃଙ୍କ ଉପଯୁକ୍ତ ସତ୍କାର ଦିଗରେ, ଦେବାନ ବଳଦେବ ସେସବୁକୁ ବିନିଯୋଗ କରିଥିଲେ ।

 

ରାଜ୍ୟର ଆଭ୍ୟନ୍ତରୀଣ ଅଶାନ୍ତି ଦୂରୀକରଣ ପରି ପଡ଼ୋଶୀ ରାଜ୍ୟ ସହିତ ମୈତ୍ରୀ ସ୍ଥାପନ ଦିଗରେ ମଧ୍ୟ ସେ ଯତ୍ନବାନ୍‌ ଥିଲେ । ବହୁବର୍ଷ ଧରି ମଂଜୁଷା ଓ ଜଳନ୍ତର ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗି ରହିଥିଲା । ଏହା ଦ୍ୱାରା ଉଭୟ ରାଜ୍ୟର ପ୍ରଭୂତ କ୍ଷତି ହେଉଥିଲା । ବଳଦେବ ମଂଜୁଷା ରାଜ୍ୟକୁ ଗଲେ ମଧ୍ୟସ୍ଥ ରୂପରେ । ତାଙ୍କର ଅସାଧାରଣ ବାକ୍‌ପଟୁତା, ପ୍ରତ୍ୟୁପ୍ତନ୍ନମତିତା ଓ ରାଜନୀତି କୁଶଳତାରେ ମଂଜୁଷା ରାଜା ଲକ୍ଷ୍ମଣ ରାଜମଣି (୧୭୭୯-୧୮୨୩) ବିମୁଗ୍ଧ ହୋଇ ବଳଦେବଙ୍କ ପଣ୍ଡିତୋଚିତ ସମ୍ମାନ ଦେବାର ଅଭିପ୍ରାୟ ପ୍ରକାଶ କଲେ । ଏହି ଅବସରର ସୁଯୋଗ ନେଇ ବଳଦେବ ଉଭୟ ରାଜ ପରିବାରକୁ ବନ୍ଧୁତର ଡୋରରେ ବାନ୍ଧି ଦେଇ ପାରିଥିଲେ ।

 

ଖ୍ରୀ: ୧୭୯୮ରୁ ୧୮୧୦ ପର୍ଯ୍ୟନ୍ତ ଦୀର୍ଘ ବାରବର୍ଷ କାଳ ବଳଦେବ ରହିଥିଲେ ଜଳନ୍ତର ରାଜ୍ୟରେ । ଏତେ ଦୀର୍ଘ ସମୟ ଧରି ଦୁଇ ବିରୋଧୀ ଗୋଷ୍ଠୀକୁ ନିଜର କରି ରଖିବାର ପ୍ରଚେଷ୍ଟା ଓ ଏଥିପାଇଁ ଯେଉଁ କୂଟନୀତି ଅବଲମ୍ବନ କରିବାର ମାନସିକତା ତାହା ତାଙ୍କର ଅସ୍ଥି ମଜ୍ଜାଗତ ହୋଇ ଯାଇଥିବ । ପୁଣି ଖ୍ରୀ ୧୮୧୦ରେ ସେ ଆଠଗଡ଼କୁ ଆସିଲା ପରେ ଏହି ବୁଦ୍ଧିବୃତ୍ତି ଅଧିକ ଶାଣିତ ହୋଇଥିବା ସୁନିଶ୍ଚିତ । କାରଣ ଆଠଗଡ଼ରେ ମଧ୍ୟ ସେ ପାଇଥିଲେ ସଭାକବି ସାଙ୍ଗକୁ ଦେବାନ ପଦବୀ । ଏଠାରେ ମଧ୍ୟ କବି ଭାବରେ, ପ୍ରଶାସନ ଭାବରେ ସେ ନାନା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ତଥାପି ସପକ୍ଷ ଓ ବିପକ୍ଷ-ଉଭୟ ପକ୍ଷର ଲୋକଙ୍କୁ ସନ୍ତୁଷ୍ଟ କଲା ଭଳି କବିତ୍ସ ଓ ପ୍ରଶାସନିକ ଦକ୍ଷତା ହେତୁ ହିଁ ଦୀର୍ଘ ବାରବର୍ଷ କାଳ ଆଠଗଡ଼ରେ ସଭାକବି ଓ ଦେବାନ ପଦବୀରେ ତିଷ୍ଠିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିଥିଲା । ବଳଦେବଙ୍କ ଏହି ପ୍ରତିଭା ଓ ଦକ୍ଷତା ହେତୁ ଅବିଶ୍ୱାସ ଇଂରେଜ ସରକାର ମଧ୍ୟ ତାଙ୍କ ଉପରେ ବିଶ୍ଵାସ ରଖି ପରବର୍ତ୍ତୀ କାଳରେ ମହୁରୀ ରାଜ୍ୟର ମେନେଜର୍‌ ଓ ପାରଳା ରାଜାଙ୍କ ଅଭିଭାବକ ରୂପେ ତାଙ୍କୁ ନିଯୁକ୍ତି ଦେଇଥିଲେ ।

 

ଲକ୍ଷ୍ୟ କରିବାର କଥା, ଖ୍ରୀ; ୧୭୯୮ରୁ ୧୮୨୨ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି ଜଳନ୍ତର ଓ ଆଠଗଡ଼ ରାଜଦରବାରରେ ସଭାକବି ଓ ଦେବାନ କାର୍ଯ୍ୟର ଉଷ୍ଣ ଅନୁଭୂତିରେ ସେ ଯେତେବେଳେ ଉଦ୍ଦୀପିତ ସେତେବେଳେ ତାଙ୍କ ଲେଖନୀରୁ ସମ୍ଭବି ଥିଲା ‘କିଶୋର ଚନ୍ଦ୍ରାନନ ଚମ୍ପୂ’-। ଅତଃ ଲଳିତା ଚରିତ୍ର ଭିତରକୁ ବଳଦେବଙ୍କ ଦେବାନପଣ ଓ କବିପଣର କେତେକ ବିଶିଷ୍ଟ ଅନୁଭବ ପ୍ରସ୍ରବି ଆସିଛି, ଏଥିରେ ସନ୍ଦେହ ନାହିଁ ।

 

ଦେବାନ ଫକୀରମୋହନଙ୍କ ପୂର୍ବକଥିତ କୌଶଳଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା- ଅଭୀଷ୍ଟ କାର୍ଯ୍ୟସାଧନ ପାଇଁ ଅବଲମ୍ବିତ ବ୍ୟକ୍ତିର ଦୁର୍ବଳତା କଣ ତାହା ପ୍ରଥମେ ବୁଝି, ତା’ର ଖିଅ ଧରି ବ୍ୟକ୍ତିଟିକୁ କବଳିତ କଲାପରେ ତାକୁ କାର୍ଯ୍ୟକ୍ଷେତ୍ରରେ ଲଗାଇବା । ଫକୀରମୋହନଙ୍କ ଏହି ଦେବାନୀ ବ୍ୟକ୍ତିତ୍ୱର ସାର୍ଥକ ସାହିତ୍ୟିକ ପ୍ରତିନିଧି ହେଉଛି ‘ଛ’ ମାଣ ଆଠଗୁଣ୍ଠ’ର ଚମ୍ପା । ସନ୍ତାନହୀନତା ରୂପକ ଦୁର୍ବଳତାର ସୁଯୋଗ ନେଇ ସେ ପ୍ରଥମେ ସାରିଆକୁ ନିଜ ନିୟନ୍ତ୍ରଣକୁ ଆଣିଛି । ତା’ପରେ ଯାଇ ଅଭୀଷ୍ଟ କାର୍ଯ୍ୟ (ଛମାଣ ଆଠଗୁଣ୍ଠ ହାସଲ) ସାଧନରେ ସଫଳ ହୋଇଛି-। କବିସୂର୍ଯ୍ୟଙ୍କ ଲଳିତା ମଧ୍ୟ ରାଧାକୃଷ୍ଣଙ୍କର ବିବଶତା/ଦୁର୍ବଳତାକୁ ବୁଝିବା ପାଇଁ ନାନା ପ୍ରଶ୍ନବାଣରେ ସେ ଦୁହିଁଙ୍କୁ ଜର୍ଜର କରିଛି । ତା’ପରେ ଦୁହିଁଙ୍କୁ ନିଜ କବଳକୁ ଆଣି ଆପଣା ଇଚ୍ଛାନୁସାରେ କାର୍ଯ୍ୟ ସାଧନ କରିଛି ।

 

ଆଠଗଡ଼ ରହଣିକାଳରେ ରାଜା ବାଲୁକେଶ୍ଵର ହରିଚନ୍ଦନ ଓ ବଳଦେବଙ୍କ ମଧ୍ୟରେ କେତେକ ଅସହିଷ୍ଣୁ ଲୋକ କିଛି ଦିନ ପାଇଁ ମନାନ୍ତର ସୃଷ୍ଟି କରିଥିଲେ । ଅବଶ୍ୟ ଏଥି ସକାଶେ ରାଜା ହରିଚନ୍ଦନ କବିଙ୍କୁ ପଦନ୍ୟୁତ କରାଇ ନ ଥଲେ ସୁଦ୍ଧା ଭିନ୍ନ ଦୃଷ୍ଟିରେ ଦେଖିଥିଲେ । ଈର୍ଷାଳୁ ପ୍ରତିପକ୍ଷଙ୍କୁ ବ୍ୟଙ୍ଗ କରି ଏହି ସମୟରେ ବଳଦେବ ଲେଖିଥିଲେ ‘ଜଗତେ କେବଳ’, ‘ତୁହାଇ ତୁହାଇ ପୁଟ ଦେଲେ ହେଲେ’ ‘କବି ହୋଇଗଲେ ସମସ୍ତ ଲୋକେ’ ପରି ବହୁ ଉଚ୍ଚକୋଟୀର ବ୍ୟଙ୍ଗକବିତା । ପୁଣି ଆଲୋଚ୍ୟ କାଳରେ ରଚିତ ।

 

‘‘ଖଳଜନବାଣୀ ସତ୍ୟ ପରି ମଣି ନ ଚାହିଁଲେ ହେଲେ ମୋତେ

ଘେନ ଗରୁଡ଼ର ମୁଖ କଳାକାର ମୁଁ ନ ଚାହବି କେମନ୍ତେ ।

ଜାଣି ଅଛି ଧ୍ରୁବ ମୋଠାରେ ପୂରୁବ ପରି ନାହିଁ ହରି ସ୍ନେହ ।”

 

ପରି କେତେକ କବିତାରେ ହରିଚନ୍ଦନଙ୍କ ପ୍ରତି କବିଙ୍କର ଗଭୀର ଶ୍ରଦ୍ଧା ପରୋକ୍ଷ ରୀତିରେ ପ୍ରକଟିତ । କିଶୋର ଚନ୍ଦ୍ରାନନ ଚମ୍ପୂର ‘ଫ’ ଓ ‘ବ’ ଗୀତରେ ମଧ୍ୟ ତାଙ୍କ ମନର ଏହି କ୍ଷୋଭ ସହଜରେ ବାରି ହୋଇଯାଏ । ଗୀତ ଦୁଇଟିର ଶ୍ରୀରାଧା ଚରିତ୍ର ସ୍ଥାନରେ ରାଜାଙ୍କୁ, ଲଳିତା ସ୍ଥାନରେ ବଳଦେବଙ୍କୁ ଏବଂ କୃଷ୍ଣଙ୍କ ସ୍ଥାନରେ ବଳଦେବଙ୍କ ବିଦ୍ୱେଷୀମାନଙ୍କୁ ରଖି ପଢ଼ିଲେ ଏହି ଭାବ ପ୍ରକାଶ ପାଇବ ଯେ, ଯେତେବେଳେ ରାଜା ହରିଚନ୍ଦନ କବିଙ୍କ ପ୍ରତିପକ୍ଷମାନଙ୍କୁ ସତ୍ୟ ମଣି କବିଙ୍କ ପ୍ରତି ସାମାନ୍ୟ ରୁଷ୍ଟ ହୋଇଛନ୍ତି, ସେତେବେଳେ ବଳଦେବ ରାଜାଙ୍କୁ କହୁଛନ୍ତି, ‘‘ହେ ରାଜନ-! ଆପଣଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟ କିମ୍ବା ସେମାନଙ୍କ ସାମାନ୍ୟ ପାଣ୍ଡିତ୍ୟ କବିତ୍ୱ ଦେଖି ବୋଧହୁଏ ଆପଣ ଫୁଲି ଯାଇଛନ୍ତି । ତେଣୁ ଆପଣଙ୍କ ହିତ ପାଇଁ ମୋର ସମସ୍ତ ଅବଦାନକୁ ଭୁଲିଯାଇ ମୋତେ ଗାଳି ଦେଇପାରିଲେ । ‘‘ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା, ଫଟା କପାଳରେ କୁଟିଳ ହୃଦୟା ବୋଲାଇବା ଲେଖାଥିଲା ।’’ ଠିକ୍‌ଅଛି, ଆପଣ ତ ଆମର ପ୍ରାଣର ପ୍ରତିଭୂ । ଆପଣ ନିନ୍ଦାକଲେ ମଧ୍ୟ ଆପଣଙ୍କ ନାଁରେ ଫରିଆଦ୍‌ କରିବା ସମ୍ଭବ ନୁହେଁ । ଏବେ ସେହି ଲୋକଙ୍କ ସଙ୍ଗରେ ମନଇଚ୍ଛା ସମୟ ବିତାନ୍ତୁ, ଆଉ ଦିନେ ଯଦି ମୁଁ ସେଥିରେ ହସ୍ତକ୍ଷେପ କରିବି, ତେବେ ମୋର ମହତ୍ୱ‌ସାରିବେ । ଆମେମାନେ ଅପମାନିତ ହୋଇ ଦୂରରେ ଥିଲେ ସୁଦ୍ଧା ଆପଣଙ୍କୁ ହିଁ ଆଶ୍ରା କରିଥିବୁ । ବିଧାତା କରନ୍ତୁ, ସେମାନଙ୍କ ସହିତ ଆପଣଙ୍କ ବନ୍ଧୁତା ସାର୍ଥକ ହେଉ । କିନ୍ତୁ ପରେ ସେମାନଙ୍କଠାରୁ ଫେରି ଆସି ମୋ’ ଆଗରେ ଯେପରି ଦୁଃଖ ପ୍ରକାଶ ନ କରନ୍ତି ।’’ ସେହିପରି ରାଜା ଯେତେବେଳେ ଅସହିଷ୍ଣୁ ଲୋକଙ୍କ ଷଡ଼ଯନ୍ତ୍ର ବୁଝି ପାରିଥିଲେ । ସେତେବେଳେ ସେ କହିଥିଲେ, ‘‘ହେ ବିଚକ୍ଷଣ ପ୍ରତିଭାବାନ୍‌ ବନ୍ଧୁ ! ତୁମ ସ୍ନେହ ବିନା ଏ ସଂସାରରେ ମୋର ଆଉ କି ଗତି ଅଛି ? ଗେଲରେ କ’ଣ ପଦେ କହିଦେଲି ବୋଲି ମୋ ଉପରେ ଅଭିମାନ କରିଛ ? ତୁମ ପରି ବିଶ୍ୱାସୀ ବିଶ୍ଵ ଭିତରେ ବିରଳ । ବାଲ୍ୟ କାଳରୁ ମୋତେ ବହିଃ ପ୍ରାଣ ପରି ପାଳି ଆସିଛ । ଏବେ ଛାଡ଼ି ଚାଲିଗଲେ ମୁଁ ବା କାହାର ହେବି ?

 

ଚମ୍ପୂରେ ସ୍ଥାନିତ ଏପରି କେତେକ ଉକ୍ତି ପ୍ରତ୍ୟୁକ୍ତିରୁ ଏବଂ ଲଳିତାର କାର୍ଯ୍ୟ ସାଧନ କୌଶଳ ଓ ତା’ର ବାକ୍‌ଭଙ୍ଗୀ ପ୍ରଭୃତିରୁ ଏହା ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ, ଲଳିତା ହେଉଛି ଦେବାନ କବି ବଳଦେବଙ୍କ ମୂର୍ତ୍ତିମତୀ ଭାରତୀ ପ୍ରତିଭୂ ! ଲଳିତାର ପାରମ୍ପରିକ ଚିତ୍ରଣ ପରିବର୍ତ୍ତେ ତାକୁ ଅବଲମ୍ବନ କରି କବି ନିଜ ବ୍ୟକ୍ତିସଭାର ବିଶିଷ୍ଟ ଦିଗ କେତୋଟି ଉନ୍ମୋଚିତ କରି ପାରିଥିବା ହେତୁ କାବ୍ୟଟିର ଶିଳ୍ପଶୈଳୀ ଓ ଭାବଭଙ୍ଗୀ ଯେପରି ଅନନ୍ୟ କାବ୍ୟ ବିଭାରେ ବିମଣ୍ଡିତ, ସେପରି ଓଡ଼ିଆ ସାହିତ୍ୟର କୃଷ୍ଣ ଓ କୃଷ୍ଣେତର କାବ୍ୟରେ ଚିତ୍ରିତ ସଂଯୋଜକ ଚରିତ୍ରମାନଙ୍କ ମଧ୍ୟରେ ଏକ ଓଜସ୍ଵିନୀ ସ୍ମରଣୀୟ ଚରିତ୍ର ରୂପରେ ଲଳିତା ମଧ୍ୟ ପାଠକଙ୍କ ମନୋରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନରେ ଆସୀନ । ଏଥିପାଇଁ କବି ରାଧାମୋହନ ଗଡ଼ନାୟକ ରାଧାମୋହନଙ୍କୁ ଛାଡ଼ି ଲଳିତାର ପାଦପଦ୍ମରେ ଭକ୍ତିଭରା ନିବେଦନ କରିଛନ୍ତି ମମ ଶିରସି ମଣ୍ଡନଂ, ଦେହି ପଦ ପଲ୍ଲବ ମୁଦାରମ୍‌ । ଯଥା-

 

ଦିବା ରଜନୀର ମଧ୍ୟେ

ସଂଧ୍ୟା ଯେସନେ ଝଳିତା

ଏହି କ୍ଷଣି ବନ ଭରସେ

ଛିଡ଼ା ହୋଇଥିଲ ତେସେ

ରାଧା ମାଧବର ମଧ୍ୟେ

ସୁନ୍ଦରୀ ଆଗୋ ଲଳିତା ।

x       x      x

ଇଙ୍ଗିତ ତୁମେ ସାଧିକ

ଲଭିଅଛ କେଉଁ ପୁରୁଗୋ

ଆପଣାରେ କରି କ୍ଷୁର୍ଣ୍ଣ

ଅପରେ କରୁଛ ପୂର୍ଣ୍ଣ

ପ୍ରେମିକା ନୁହିଁ ତ ଦୂତିକା

ପ୍ରେମିକାର ତୁମେ ଗୁରୁ ଗୋ ।

ଥାଉ ଥାଉ ପଛେ ଶୁଣିବି

ମିଳନ ମୁରଲୀ ଛନ୍ଦ

ତୁମେ ଆଗୋ ମୋର ଜୀବନ

କରଗୋ ଧନ୍ୟ ପାବନ

ତୁମେ ଆଗେ ମୋର ଶିରସେ

ଦେଇଯାଅ ପାଦପଦ୍ମ ।

 

ଏଭଳି କେତେକ ଅଭିନବ ଚରିତ୍ର ସୃଷ୍ଟି ପାଇଁ ସ୍ରଷ୍ଟା ମଧ୍ୟ ସାହିତ୍ୟାକାଶରେ ଭାସ୍କର ସମ ଚିର ଭାସ୍ଵର ରହିବାର ଗୌରବ ଲଭେ । କବିବର ରାଧାନାଥ ଚମ୍ପୂର ବିପୁଳ ଲୋକପ୍ରିୟତା ଲକ୍ଷ୍ୟକରି ସେଦିନ ମୁଗ୍ଧପ୍ରାଣରେ ଗାଇଥିଲେ-

 

‘‘ଧନ୍ୟ ରଥ ତୁମ୍ଭ ଜନ୍ମ ଶୁଭକ୍ଷଣେ

ମୃତ୍ୟୁଞ୍ଜୟ ତୁମ୍ଭେ ଭତ୍କଳ ଭୁବନେ

ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍ ।’’

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଏରୋନଟିକ୍ସ ମହାବିଦ୍ୟାଳୟ

ସୁନାବେଡ଼ା- ୭୬୩୦୦୨

 

ସହାୟକ ଗ୍ରନ୍ଥାବଳୀ :

୧.

ଆଚାର୍ଯ୍ୟ, ଡ. ସୁଦର୍ଶନ, ଓଡ଼ିଆ କାବ୍ୟ କୌଶଳ, ବ୍ରହୁପୁର : ଶ୍ରୀମତୀ ବିନୋଦିନୀ ଆଚାର୍ଯ୍ୟ, ୧୯୮୩ ।

୨.

ତ୍ରିପାଠୀ, ଡ. ଅଶୋକ କୁମାର, ଓଡ଼ିଆ କୃଷ୍ଣକାବ୍ୟରେ ସଂଯୋଜକ ଚରିତ୍ର, କଟକ : ଜଗନ୍ନାଥ ରଥ, ୨୦୦୭ ।

୩.

ଦାଶ, ପଣ୍ଡିତ କୁଳମଣି, ସଂପାଦକ : କବିସୂର୍ଯ୍ୟ ଗ୍ରନ୍ଥାବଳୀ, କଟକ : କଟକ ପବ୍ଲିଶିଂ ହାଉସ୍‌

୪.

ଦାସ, ଦାଶରଥି, କବିସୂର୍ଯ୍ୟ କାବ୍ୟବିଭା, କଟକ : ଅଗ୍ରଦୂତ, ୧୯୭୮ ।

୫.

ବେହେରା, ଡ. କୃଷ ଚରଣ, ସଂକଳକ ଓ ସମ୍ପାଦକ, କବିସୂର୍ଯ୍ୟ ଗ୍ରନ୍ଥାବଳୀ, କଟକ : ଫ୍ରେଣ୍ଡସ୍‌ ପବ୍ଲିଶର୍ସ, ୨୦୦୪ ।

୬.

ମିଶ୍ର, ଗୌରୀଶଙ୍କର, ଗଂଜାମର ଦକ୍ଷିଣାଞ୍ଚଳ, ଆସିକା : ଶ୍ରୀମତୀ ପୂର୍ଣ୍ଣମାସୀ ମିଶ୍ର, ୨୦୦୪ ।

୭.

ମିଶ୍ର, ସଚ୍ଚିଦାନନ୍ଦ ବଳଦେବ ଅଧ୍ୟୟନ, କଟକ : ଗ୍ରନ୍ଥ ମନ୍ଦିର ୧୯୮୧ ।

୮.

ସେନାପତି, ଫକୀରମୋହନ, ଆତ୍ମଚରିତ, କଟକ : ଫ୍ରେଣ୍ଡସ୍‌ ପବ୍ଲିଶର୍ସ, ୨୦୦୩

 

***

 

Unknown

ଅବବୋଧରେ ଅଭିମନ୍ୟୁ

ଅଧ୍ୟାପକ ନାରାୟଣ ପଣ୍ଡା

 

ରୀତି ଯୁଗର କାବ୍ୟଭଣ୍ଡାରକୁ ଯେଉଁ କେତେଜଣ ସାରସ୍ଵତ ସାର୍ଥକ ସାଧକ ମହନୀୟ ଲେଖନୀ ଚାଳନା କରି ପରିପୁଷ୍ଟ, ରୁଦ୍ଧିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ମୂର୍ଦ୍ଧନ୍ୟ କବି ଅଭିମନ୍ୟୁ ସାମନ୍ତସିଂହାର ଅନ୍ୟତମ । କବିଙ୍କ କର୍ଣ୍ଣିକା ପ୍ରସୂତ ‘ବିଦଗ୍ଧ ଚିନ୍ତାମଣି’, ଓଡ଼ିଆ ସାହିତ୍ୟ ଜଗତକୁ ଅନନ୍ୟ ଅନୁପମ ଅର୍ଘ୍ୟ । ‘ପ୍ରେମ ଚିନ୍ତାମଣି’, ‘ସୁଲକ୍ଷଣା’, ‘ପ୍ରେମକଳା’, ‘ପ୍ରେମ କଳ୍ପଲତା’, ‘ରସବତୀ’, ‘ବାଘଗୀତ’, ‘ଚଢ଼େଇ ଗୀତ’ ପ୍ରଭୃତି ଗ୍ରନ୍ଥ କବିଙ୍କ ପ୍ରଜ୍ଞାଦୀପ୍ତ ପ୍ରତିଭା ଓ ପ୍ରତିଭାଦୀପ୍ତ ପ୍ରଜ୍ଞାର ପରିଚୟ ପ୍ରଦାନ କରେ । କବିଙ୍କ ଲେଖନୀର ଧାରା କେଉଁଠି ଯୁଗୀୟରୀତିର ପ୍ରଭାବରେ ଆଳଙ୍କାରିକ ଆଡ଼ମ୍ବରର ବନ୍ଧୁର ପଥରେ ଗତିକରି କଳରୋଳ ସୃଷ୍ଟି କରିଛି ତ, ଆଉ କେଉଁଠି ବିରଳ ସହଜାତ କବିତ୍ୱ ସ୍ପର୍ଶରେ ସରଳ ରୀତିର ଲାଳିତ୍ୟ ପ୍ରକଟନ କରି ପାଠକ ପ୍ରାଣକୁ ରସସିକ୍ତ, ବିମୋହିତ କରିଛି ।

 

॥ ଏକ ॥

 

ଅଭିମନ୍ୟୁଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର ଓ ପିତାମହଙ୍କ ନାମ ଖୋସାଲି ସାମନ୍ତସିଂହାର । ଅଭିମନ୍ୟୁଙ୍କ ପୂର୍ବପୁରୁଷ ଜୟପୁର ଅନ୍ତର୍ଗତ ଭାବନଗରରୁ ଆସି ଓଡ଼ିଶାରେ ବସବାସ କରିଥିଲେ । ଖୋର୍ଦ୍ଧାର ଭୋଇ ବଂଶୀୟ ଜନୈକ ରାଜାଙ୍କଠାରୁ କବିଙ୍କର ପୂର୍ବବଂଶଜ କଟକ ଜିଲ୍ଲାର ବାଲିଆ ଜମିଦାରୀ ପ୍ରାପ୍ତ ହୋଇଥିଲେ । ସାମନ୍ତସିଂହାର କବିଙ୍କ କୌଳିକ ଉପାଧି ନୁହେଁ । କବିଙ୍କ କୌଣସି ପୂର୍ବଜ ଏ ଅଞ୍ଚଳର ସାମନ୍ତଙ୍କୁ ନିଜ ବୁଦ୍ଧି ବଳରେ ଏକ ବିପଦରୁ ରକ୍ଷା କରିଥିବାରୁ ତାଙ୍କୁ ସାମନ୍ତସିଂହାର ଉପାଧି ପ୍ରଦାନ କରାଯାଇଥିଲା । ସେହିଦିନଠାରୁ ଏହି ପଦବୀଟି କବିଙ୍କ କୌଳିକ ଉପାଧି ରୂପେ ପ୍ରଚଳିତ ହୋଇଆସୁଛି ।

 

କବିଙ୍କ ପିତା ଇନ୍ଦ୍ରଜିତ, ପ୍ରପିତାମହ ବନ୍ଦିକି ସାମନ୍ତସିଂହାର ଶାସ୍ତ୍ରଜ୍ଞ, ତତ୍ତ୍ୱଦର୍ଶୀ ଓ କାବ୍ୟରସିକ ଥିଲେ । କବି ଅଭିମନ୍ୟୁ ପୂର୍ବପୁରୁଷଙ୍କଠାରୁ ଧର୍ମପ୍ରାଣତା ଓ କବି ପ୍ରତିଭା ଘେନି ଜନ୍ମଲାଭ କରିଥିଲେ । କବିଙ୍କ ଜନ୍ମ ବିଷୟରେ ଶୁଣାଯାଏ ଯେ ଇନ୍ଦ୍ରଜିତଙ୍କର ଅଷ୍ଟପତ୍ନୀ ଥିଲେ ହେଁ ବହୁକାଳ ପର୍ଯ୍ୟନ୍ତ ସେ ପୁତ୍ରମୁଖ ଦର୍ଶନରୁ ବଂଚିତ ଥିଲେ । ପୁତ୍ରଲାଭ ଆଶାରେ କୁଳଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ଯଜ୍ଞ ଅନୁଷ୍ଠାନ କରିଥିଲେ । ଏହି ଯଜ୍ଞର ଫଳ ସ୍ଵରୂପ ତୁଳସୀ ଦେବୀଙ୍କ ଗର୍ଭରୁ ଅଭିମନ୍ୟୁ ୧୭୫୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

 

ଅଭିମନ୍ୟୁ ପରେ ଇନ୍ଦ୍ରଜିତ ସରଥ ନାମକ ଏକ ପୁତ୍ର ଲାଭ କରିଥିଲେ । ଅଭିମନ୍ୟୁଙ୍କ ବାଲ୍ୟଶିକ୍ଷା ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଉପରେ ନ୍ୟସ୍ତ ହୋଇଥିଲା । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ସାଧୁ ଚରଣ ଦାସ ନାମ ଗ୍ରହଣ କରିଥିଲେ । ଫଳତଃ ଅଭିମନ୍ୟୁ ଗୁରୁଙ୍କଠାରୁ ଶିକ୍ଷାଲାଭ କରି ପାଣ୍ଡିତ୍ୟ ଅର୍ଜନ କରିବା ସଙ୍ଗେ ସଙ୍ଗେ ରାଧାକୃଷ୍ଣଙ୍କ ପ୍ରେମ ରସରେ ନିମଜ୍ଜିତ ହୋଇଥିଲେ । ସାଧୁଚରଣ ଗୌଡ଼ୀୟ, ବୈଷ୍ଣବ ପନ୍ଥାର ପଥିକ ଥିଲେ ଓ ଭକ୍ତି ରସାତ୍ମକ ଅନେକ କାବ୍ୟ ରଚନା କରିଥିଲେ । ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ଚୌରଚିନ୍ତାମଣି, ନିଷ୍ଠା ନୀଳମଣି ଓ ନାମ ଚିନ୍ତାମଣି ପ୍ରଭୃତି ସାରସ୍ଵତ ଗ୍ରନ୍ଥ କବିଙ୍କ ଅସାଧାରଣ ବିଦ୍‌ବତ୍ତା ଓ ପାଣ୍ଡିତ୍ୟର ପରିଚୟ ବହନ କରେ ।

 

ଅଭିମନ୍ୟୁ ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିଷ୍ୟ ଥିଲେ । କବି ଗୁରୁଙ୍କଠାରୁ ଗୌଡ଼ୀୟ ବୈଷ୍ଣବ ଧର୍ମର ତତ୍ତ୍ୱ ସଙ୍ଗେ କବିତ୍ୱ ମଧ୍ୟ ଶିକ୍ଷା କରିଥିଲେ । କାବ୍ୟ, ଅଳଙ୍କାର, ବ୍ୟାକରଣ, ଜ୍ୟୋତିଷ ପ୍ରଭୃତି ଗ୍ରନ୍ଥ ଅଧ୍ୟୟନ କରି ଅଭିମନ୍ୟୁ ଉପଯୁକ୍ତ ଜ୍ଞାନ ଅର୍ଜନ କରିଥିଲେ । ଅଧ୍ୟୟନ ଜନୀତ ଜ୍ଞାନ, କବି ପ୍ରତିଭା ଓ ଧର୍ମ ଭାବର ସୁମଧୁର ସମନ୍ଵୟ ଫଳରେ ଅଭିମନ୍ୟୁ ଜଣେ ରୀତିଯୁଗର ଆଦର୍ଶ ଓ ଶ୍ରେଷ୍ଠ କବି ହୋଇପାରିଥିଲେ । ଓଡ଼ିଆ ଓ ସଂସ୍କୃତି ଛଡ଼ା ଅଭିମନ୍ୟୁ ବଙ୍ଗଳା, ହିନ୍ଦୀ, ମରହଟ୍ଟୀ ଓ ପାର୍ସୀ ଭାଷାରେ ବିଦ୍ଵାନ ଥିଲେ । ତେଣୁ କବି ସେହି ଭାଷାର ଉତ୍କୃଷ୍ଟ ଗ୍ରନ୍ଥମାନ ପାଠକରି ନିଜ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ଅଭିମନ୍ୟୁଙ୍କର ବାଲ୍ୟକାଳରେ କବିତାର ସ୍ଫୁରଣ ଦେଖାଯାଇଥିଲା । ମାତ୍ର ନଅବର୍ଷ ବୟସରେ କବି କବିତା ରଚନା କରିଥିଲେ । ଯଥାର୍ଥରେ କବି ବାଲ୍ୟ କାଳରେ ପ୍ରକାଶ କରିଥିଲେ-

 

କର୍ମଙ୍ଗା ଗଛର ଛାଇଗୋ, ମୋର ହୁଁ ଗୋ

କରମ ଯାହାର ସୁଫଳ ହୋଇବ କୃଷ୍ଣଙ୍କୁ ଲଭିବ ସେହି ଗୋ

ମୋର ହୁଁ ଗୋ ।

ଗଞ୍ଜେଇ ଗଛର ଛାଇ ଗୋ ମୋର ହୁଁ ଗୋ

ବେଣୁ ବିନୋଦିଆ ଯେଣେ ଯାଉଥାଇ ତେଣେ ହୁରି ପଡ଼ୁଥାଇ ଗୋ ।

ମୋର ହୁଁ ଗୋ ।

 

କବି ଅଭିମନ୍ୟୁ ସାମନ୍ତସିଂହାର ‘‘ବାଘଗୀତ’’ କବିତାରେ ନିଜ ଜନ୍ମସ୍ଥାନ ସମ୍ପର୍କରେ ପ୍ରକାଶ କରିଛନ୍ତି-

 

‘‘ବାଲିଆ ବୋଲି ଯେ ଏକ ନଗର

ତହିଁ ନୃପତି ସାମନ୍ତସିଂହାର

ରସିକ ବିବେକୀ ବଡ଼ ଧାର୍ମିକ

ପ୍ରଶଂସା କରନ୍ତୁ ବହୁତ ଲୋକ ।’’

 

ଇନ୍ଦ୍ରଜିତ ଅସୀମ ସାହସୀ, ରସିକ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । କବି ପିତାଙ୍କ ବୀରତ୍ୱ ଓ ସାହସିକତା ସମ୍ପର୍କରେ ‘‘ବାଘଗୀତ’’ରେ ଉଲ୍ଲେଖ କରିଛନ୍ତି-

 

‘‘ଇନ୍ଦ୍ରଜିତ ସାମନ୍ତ ନାମ ସୁତ

ବାଘ ଛାର ତାଙ୍କୁ କେତେକ ମାତ୍ର

ଯାହାଙ୍କ ଧନୁ ପେଟେ ଲୁହାପାତ

ଗଜ କଚାଡ଼ି ଥିଲେ ଧରି ଦନ୍ତ ।’’

 

ଅଭିମନ୍ୟୁଙ୍କ ପିତା ଶିକାର ପ୍ରିୟ ଥିଲେ । କୈଶୋରାବସ୍ଥାରେ ଅଭିମନ୍ୟୁ ରାଜକୁମାରଙ୍କ ପରି ଗୁଳି ମାରିବା, ଖଣ୍ଡା ଖେଳିବା, କାଣ୍ଡ ବିନ୍ଧିବା, ଘୋଡ଼ା ଚଢ଼ିବା ପ୍ରଭୃତି ଶିକ୍ଷା କରିଥିଲେ । ପକ୍ଷୀ ଧରିବା ଓ ପକ୍ଷୀ ପାଳନରେ ଅଭିମନ୍ୟୁ କିପରି ଅଭିଜ୍ଞ ଓ ଅନୁରକ୍ତ ଥିଲେ ତାହା ତାଙ୍କ ପ୍ରଣୀତ ‘ଚଢ଼େଇ ଗୀତ’ କବିତାରୁ ଉତ୍ତମ ରୂପେ ପ୍ରତିପାଦିତ ହୁଏ । ଏକଦା କବି ଶିକାର କରିବାକୁ ଯାଇ ଏକ ଚକ୍ରବାକ ପକ୍ଷୀକୁ ଶର ବିଦ୍ଧ କରିଥଲେ । ମାତ୍ର ଏହା ଫଳରେ ଚକ୍ରବାକୀର କରୁଣ କ୍ରନ୍ଦନ ଓ ଗଭୀର ବିଚ୍ଛେଦ ଦୁଃଖ ତାଙ୍କ ହୃଦୟକୁ କରୁଣା ଓ ଅନୁଶୋଚନାରେ ବିଗଳିତ କରି ଦେଇଥିଲା । ସେହି ଦିନରୁ କବି ପକ୍ଷୀଶିକାର ଚିରଦିନ ପାଇଁ ପରିତ୍ୟାଗ କରିଥିଲେ ।

 

ଅଭିମନ୍ୟୁ ସାମନ୍ତସିଂହାର ଚତୁର୍ଦ୍ଦଶ ବର୍ଷ ବୟସରେ କେନ୍ଦ୍ରାପଡ଼ାରେ ସୁପ୍ରସିଦ୍ଧ ଜମିଦାର ପରିବାରରେ ବିବାହ କରିଥଲେ । ତାଙ୍କର ପତ୍ନୀ ବିମଳା ଦେବୀ ଗୁଣବତୀ, ବିଦୂଷୀ ଓ କୃଷ୍ଣଭକ୍ତି ପରାୟଣା ଥଲେ । ପତ୍ନୀ ବିମଳା ପତିସେବା ଭିନ୍ନ ଅନ୍ୟ କିଛି ଜାଣି ନ ଥିଲେ । ସ୍ଵହସ୍ତରେ ରନ୍ଧନ କରିବା ଏବଂ ସ୍ୱାମୀଙ୍କୁ ଆପେ ବସି ଭୋଜନ କରାଇ ସାରିଲେ ସେହି ଅଧରାମୃତ ପାନ କରିବା ଥିଲା ସମାନ୍ତସିଂହାରଙ୍କ ସ୍ତ୍ରୀଙ୍କର ପ୍ରାତ୍ୟହିକ କାର୍ଯ୍ୟ । ସ୍ଵାମୀ ଭୋଜନ ନ କରିବା ପର୍ଯ୍ୟନ୍ତ ସେ ଜଳଗ୍ରହଣ କରୁ ନ ଥିଲେ । ସ୍ତ୍ରୀଙ୍କର ଏହିପରି ନିଷ୍ଠା ପତିଭକ୍ତି ଦେଖି ଅଭିମୁନ୍ୟ ସାମନ୍ତସିଂହାର ଦିନେ କହିଲେ, ଦେଖ ତୁମେ ମୋତେ ଦଣ୍ଡେ ନ ଦେଖିଲେ ବଣା ହଉଚ, ମୁଁ ମରିଗଲେ କ’ଣ ତମେ ମରିଯିବ ?’ ସ୍ତ୍ରୀ ଉତ୍ତର ଦେଲେ, ମୁଁ ଯଦି ପ୍ରକୃତରେ ତମର ସ୍ତ୍ରୀ ହୋଇଥାଏ ତେବେ ତୁମେ ମରିଯିବ, ମୁଁ ବଞ୍ଚିବି କିପରି ?’ ସାମନ୍ତସିଂହାର ଏକଥା ଶୁଣି ମନକଥା ମନରେ ରଖିଲେ । କବି ଦିନେ ସ୍ତ୍ରୀଙ୍କ ଉକ୍ତିକି ପରୀକ୍ଷା କରିବାକୁ ମନସ୍ଥ କଲେ । ଭୋଜନ ସାରି ସାମନ୍ତ ଆପଣା ଜମିଦାରୀ ବାଲିଆକୁ ଗଲେ - ସାଙ୍ଗରେ ଗୋଟିଏ ପୁରାତନ ବାରିକ ଚାକରକୁ ନେଲେ । ବାଲିଆ ଓ ସାମନ୍ତଙ୍କ ନିଜ ଗ୍ରାମର ମଧ୍ୟ ରାସ୍ତାରେ ଗୋଟିଏ ଜଙ୍ଗଲ ପଡ଼େ । ସାମନ୍ତଙ୍କ ଅଣ୍ଟାରେ ସର୍ବଦା ଗୋଟିଏ କଟାରୀ ଥାଏ । ବାଲିଆରୁ ଫେରିଆସିବା ବେଳେ ଆପଣା ହାତର ମୁଦି ଓ ଅଣ୍ଟାରୁ କଟାରୀ କାଢ଼ି ଭଣ୍ଡାରୀ ହାତରେ ଦେଇ କହିଲେ ତୁ ଯା’ କାନ୍ଦି କାନ୍ଦି ସାଆନ୍ତାଣୀକୁ କହିବୁ, ‘‘ସା’ନ୍ତକୁ ବାଘ ଖାଇଗଲା ।’’ ଭଣ୍ଡାରୀ ପ୍ରଥମେ ଅସମ୍ମତ ହେଲା କିନ୍ତୁ କ’ଣ କରିବ, ଚାକିରି କରିଛି ସା’ନ୍ତଙ୍କ ଆଜ୍ଞା ପାଳନ ନ କରିବ କିପରି ? ସୁତରାଂ ସାଆନ୍ତଙ୍କ ଆଜ୍ଞା ଅବଜ୍ଞା କରି ନ ପାରି ଅଭିନୟ ପ୍ରଦର୍ଶନ କରିବାକୁ ଗଲା । ଭଣ୍ଡାରୀ ଯାଇ ପହଥିଲା ବେଳକୁ ସା’ନ୍ତାଣୀ ଚାଳକୁ ଧରି ଠିଆ ହୋଇ ସାଆନ୍ତଙ୍କ ଆଗମନକୁ ପ୍ରତୀକ୍ଷା କରିଛନ୍ତି । ଭଣ୍ଡାରୀ ହାତରେ ମୁଦି ଓ କଟାରୀ ଏବଂ ଆଖିରେ ଲୁହ ଦେଖି କି ହେଲା କି ହେଲା ପଚାରିବାରୁ ଭଣ୍ଡାରୀ ଅବିକଳ ନାଟକାଭିନୟ କରି ସା’ନ୍ତଙ୍କ ମୃତ୍ୟୁବାର୍ତ୍ତା ଜଣାଇଲା । ସାଆନ୍ତାଣୀ ସେହିପରି ଚାଳକୁ ଧରି ଠିଆ ହୋଇ ଖବର ସତ୍ୟ କି’ନା ବୋଲି ତିନିଥର ପଚାରିଲେ । ମାତ୍ର ଦୁଷ୍ଟ ଭଣ୍ଡାରୀ ତିନିଥରଯାକ ଉତ୍ତର ଦେଲା ‘ସତ୍ୟ’, ବେଶ ଏତିକି କହି ସାଆନ୍ତାଣୀ ଠିଆ ହୋଇଛନ୍ତି ଚାଳର ବତାକୁ ଧରିଛନ୍ତି ଅଥଚ ଇତି ମଧ୍ୟରେ ‘ଜୀବାତ୍ମା’ ଶରୀର ପିଞ୍ଜରାଛାଡ଼ି ଚାଳିଗଲାଣି । ମୁହୂର୍ତ୍ତକ ପରେ ସାମନ୍ତ ଆସି ପ୍ରବେଶ କଲେ । ସ୍ଵାମୀ ଆଗରେ ସ୍ତ୍ରୀ ଠିଆ ହୋଇ ରହିବା ମୌଳିକ ପ୍ରଥା ନୁହେଁ ଏବଂ ସାମନ୍ତ ମଧ୍ୟ ସ୍ତ୍ରୀଙ୍କର ଏମନ୍ତ ବ୍ୟବହାର କେବେ ଦେଖି ନଥିଲେ । ସୁତରାଂ ସାମନ୍ତ ଯେତେ ଅଗ୍ରସର ହେଉଥାନ୍ତି ତାଙ୍କର କୌତୁହଳ ସେତେ ବଢ଼ୁଥାଏ । ନିକଟରୁ ନିକଟ ହେବାରୁ କ୍ରମେ ମନେ କରୁଥାନ୍ତି - କି ଆଶ୍ଚର୍ଯ୍ୟ ! ଏ ମତେ ଦେଖି ଚାଲି ଯାଉ ନାହାନ୍ତି, କାଠ ପରି ଠିଆ ହୋଇଛନ୍ତି କାହିଁକି ? ମୋ’ ଉପରେ କ୍ରୁଦ୍ଧ ହୋଇ କ’ଣ ମାନ ମର୍ଯ୍ୟାଦା ଭୁଲିଗଲେ ? ଅବଶେଷରେ ଅତି ନିକଟବର୍ତ୍ତୀ ହୋଇ ସାମନ୍ତ ତାଙ୍କ ସ୍ତ୍ରୀଙ୍କ ହାତକୁ ଚାଳରୁ ଓଟାରି ଦିଅନ୍ତି ତ ଦେଖିଲେ ଯେ ସ୍ତ୍ରୀଙ୍କର ଜୀବନ ନାହିଁ, ସ୍ତ୍ରୀ ତଳେ ପଡ଼ିଗଲେ ।

 

ଜ୍ଞାତକୃତ୍ୟ ସ୍ତ୍ରୀ ହତ୍ୟା ମହାପାପ ! ଆପଣା କପଟତା ଦ୍ଵାରା ଯେ ସ୍ତ୍ରୀକୁ ହରାଇ ବସିଲେ ଏ ଅନୁତାପ ସମସ୍ତଙ୍କ ମନକୁ ଦଗ୍ଧ କରିବାକୁ ଲାଗିଲା । ସ୍ତ୍ରୀଙ୍କ ମୃତ୍ୟୁରେ ସାମନ୍ତ ଆତ୍ମହତ୍ୟା କରିବାକୁ ସଂକଳ୍ପ କଲେ । ମାତ୍ର ପରେ ମନେହେଲା, ଆତ୍ମହତ୍ୟା ମହାପାପ, ପରେ ସେ ସଂକଳ ତ୍ୟାଗ କଲେ । ଅଳ୍ପଦିନ ପରେ ସାମନ୍ତସିଂହାର ସାଂସାରିକ ବିଷୟ ଭାର ଆପଣା ଭାଇ ହସ୍ତରେ ଅର୍ପଣ କରି ଗୃହତ୍ୟାଗ କଲେ ଏବଂ ସର୍ବଦା ‘ରାଧା’ ଭାବରେ ଉନ୍ମତ୍ତ ହେଲେ । ଯୋଗୀ ହେଲେ ବୈରାଗ୍ୟ ଜାତ ହୁଏ ଏବଂ ସାମନ୍ତ ବୈଷ୍ଣବଧର୍ମ ଗ୍ରହଣ କରିବା ପରେ ରାଧାକୃଷ୍ଣ ପ୍ରେମରେ ପ୍ରେମିକ ହୋଇ ‘ବିଦଗ୍ଧ ଚିନ୍ତାମଣି’ ଗ୍ରନ୍ଥ ପ୍ରଣୟନ କଲେ ।

 

॥ ଦୁଇ ॥

 

ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ମତରେ କବି ୧୯ ବର୍ଷ ବୟସରେ ଅର୍ଥାତ୍‌ ଖ୍ରୀ:ଅ: ୧୭୭୬ରେ ‘ବିଦଗ୍ଧ ଚିନ୍ତାମଣି’ ଗ୍ରନ୍ଥ ରଚନାରେ ପ୍ରବୃତ୍ତ ହୋଇଥିଲେ । ମାତ୍ର ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଏ ବିଷୟରେ ସନ୍ଦେହ ପ୍ରକାଶ କରି ପ୍ରକାଶ କରିଛନ୍ତି ଯେ, ‘ବିଦଗ୍‌ଧ ଚିନ୍ତାମଣି’ର ଆଦିଛାନ୍ଦମାନ ଆଲୋଚନା କଲେ ଜଣାଯାଏ ଯେ ତାହା ସିଦ୍ଧ ହସ୍ତର କୃତି । ‘ସୁଲକ୍ଷଣା’, ‘ପ୍ରେମକଳା’, ‘ରସବତୀ’, ପ୍ରେମଚିନ୍ତାମଣି ପ୍ରଭୃତି କବିଙ୍କର ଅନ୍ୟାନ୍ୟ ଗ୍ରନ୍ଥମାନ ପାଠକଲେ ଜଣାଯାଏ ‘ବିଦଗ୍ଧ’ର ଆଦିଛାନ୍ଦର ରଚନା ପଦ୍ଧତି ପ୍ରୋକ୍ତ କାବ୍ୟମାନଙ୍କର ରଚନା ପଦ୍ଧତି ଅପେକ୍ଷା ଉଚ୍ଚକୋଟୀର, ଏଥିରେ ତିଳେହେଲେ ସନ୍ଦେହର ଅବକାଶ ନାହଁ । ବିଶେଷତଃ ପ୍ରଥମ ଛାନ୍ଦରେ ପ୍ରଦର୍ଶିତ ପାଣ୍ଡିତ୍ୟ ଭାବମୟତ୍ୱ, ରଚନା ପାଟବ, ପ୍ରାଞ୍ଜଳଭାଷା, ଔଦାର୍ଯ୍ୟ, ଗମ୍ଭୀର୍ଯ୍ୟାଦି ଉତ୍କୃଷ୍ଟ କାବ୍ୟ ଲକ୍ଷଣମାନ ଉନବିଂଶ ବର୍ଷ ବୟସ୍କ ଯୁବକ ପକ୍ଷରେ ସୁଲଭ ବୋଲି ପ୍ରତୀୟମାନ ହୁଏ ନାହିଁ-

 

‘ବିଦଗ୍ଧ ଚିନ୍ତାମଣି’ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ସର୍ବଶ୍ରେଷ୍ଠ କୃତି । କବି ‘ବିଦଗ୍ଧ ଚିନ୍ତାମଣି’ କାବ୍ୟକୁ ଶହେ ଅଠେଇଶ ଛାନ୍ଦରେ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ । ଦୁର୍ଭାଗ୍ୟବଶତଃ ୯୬ ଛାନ୍ଦ ଲେଖିବା ପରେ କବିଙ୍କର ମୃତ୍ୟୁ ଘଟିବାରୁ ‘ବିଦଗ୍ଧ ଚିନ୍ତାମଣି’ ର ଗ୍ରନ୍ଥଟି ଅପୂର୍ଣ୍ଣ ରହିଗଲା । ଅନେକ ମନେ କରନ୍ତି ଯେ ‘ବିଦଗ୍ଧ ଚିନ୍ତାମଣି’ ଶ୍ରୀମତ୍‌ରୂପଗୋସ୍ଵାମୀଙ୍କ ‘ବିଦଗ୍ଧ ମାଧବ ନାଟକର ଅନୁକରଣରେ ଲିଖିତ, ତେଣୁ ଗ୍ରନ୍ଥର ନାମକରଣ ‘ବିଦଗ୍ଧ ଚିନ୍ତାମଣି’ ରଖାଯାଇଛି, ମାତ୍ର ପ୍ରକୃତରେ ତାହା ନୁହେଁ । ବିଚାର କଲେ ଦେଖାଯାଏ ‘ବିଦଗ୍ଧ ଚିନ୍ତାମଣି’ର ରଚନାରେ ବିଦଗ୍ଧ ମାଧବ, ଲଳିତ ମାଧବ, ଚୌର ଚିନ୍ତାମଣି, ଯୁଗଳ ରସାମୃତ ଲହରୀ, ବୈଦେହୀଶ ବିଳାସ ପ୍ରଭୃତି ନାନା ଗ୍ରନ୍ଥର ଅବଲମ୍ବନରେ ‘ବିଦଗ୍ଧ ଚିନ୍ତାମଣି’ ଗ୍ରନ୍ଥ ରଚନା କରାଯାଇଛି, କିନ୍ତୁ ‘ବିଦଗ୍ଧ ଚିନ୍ତାମଣି’ କୌଣସି ଗ୍ରନ୍ଥର ଅନୁକରଣରେ ଲିଖିତ ନୁହେଁ ।’’ ‘ବିଦଗ୍ଧ ଚିନ୍ତାମଣି’ରେ କବିଙ୍କର ପାଣ୍ଡିତ୍ୟ, କବିତ୍ୱ ଓ ପ୍ରତିଭା ବିଳସିତ ।

 

‘ବିଦଗ୍ଧ ମାଧବ’ ନାଟକଟି ଗୀତିକାର ବଙ୍ଗ କବି ଯଦୁନନ୍ଦନ ଦାସଙ୍କ ଦ୍ୱାରା ଅନୁଦିତ ହୋଇଥିଲା । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ସେହି ବଙ୍ଗଳା ଅନୁବାଦକୁ ଭିତ୍ତିକରି ଅଠାବନଟି ଛାନ୍ଦ ବିଶିଷ୍ଟ ‘ବ୍ରଜ ଲୀଳାମୃତ ସମୁଦ୍ର’ ରଚନା କରିଥିଲେ । କବି ଅଭିମନ୍ୟୁ ‘ବ୍ରଜଲୀଳାମୃତ ସମୁଦ୍ର’ ପାଠକରିବା ମଧ୍ୟ ସମ୍ଭବପର । କବି ସୂର୍ଯ୍ୟ ସଦାନନ୍ଦ ମଧ୍ୟ କୃଷ୍ଣଲୀଳାତ୍ମକ ‘ଚୌର ଚିନ୍ତାମଣି’, ‘ନାମ ଚିନ୍ତାମଣି’ କାବ୍ୟ ଓ ‘ପ୍ରୀତି ଚିନ୍ତାମଣି’ କାବ୍ୟ ରଚନା କରିଥିଲେ । ଚୌର ଚିନ୍ତାମଣି କାବ୍ୟରେ କବିସୂର୍ଯ୍ୟ ସଦାନନ୍ଦ ଶ୍ରୀକୃଷ୍ଣଙ୍କୁ ଚିନ୍ତାମଣି ନାମରେ ଅଭିହିତ କରିଅଛନ୍ତି ।

 

‘ବିଦଗ୍ଧ ଚିନ୍ତାମଣି’ କାବ୍ୟର କଥାବସ୍ତୁ ଅତି ସଂକ୍ଷିପ୍ତ ଓ ମାର୍ମିକ । କାବ୍ୟରେ ଶ୍ରୀକୃଷ୍ଣଙ୍କ ଗୋପବୃନ୍ଦାବନ ଲୀଳା ପ୍ରସଙ୍ଗ ବର୍ଣ୍ଣିତ । ରାଧାକୃଷ୍ଣଙ୍କର ପାରସ୍ପରିକ ଆକର୍ଷଣ ପୂର୍ବରାଗ ଓ ସଖା ସଖୀମାନଙ୍କ ମଧ୍ୟସ୍ଥତାରେ ତାହାର ଅଭିବୃଦ୍ଧି ଓ ଉଭୟଙ୍କର ସୂତୀବ୍ର ମିଳନାକାଂକ୍ଷା, ଶେଷରେ ସୂର୍ଯ୍ୟପୂଜା ଛଳରେ ରାଧାଙ୍କ ଅଭିସାର ଓ କୃଷ୍ଣଙ୍କ ଗଳାରେ ରାଧାଙ୍କର ମାଲ୍ୟର୍ପଣ ଓ ପରେ ରାଧାକୃଷ୍ଣ ମିଳନ ଓ ସମ୍ଭୋଗ ପ୍ରଭୃତି ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ବିଷୟବସ୍ତୁ ।

 

‘ବିଦଗ୍ଧ ଚିନ୍ତାମଣି’ କାବ୍ୟରେ ବିଦଗ୍ଧ ଶ୍ରୀକୃଷ୍ଣ ନାୟକ । ବିଦଗ୍ଧର ଅର୍ଥ କଳାବିଳାସ ନିପୁଣ (କଳାବିନ୍ୟାସ ଦିଗ୍‌ଧାତ୍ମା, ବିଦଗ୍ଧ ଇତି କଥ୍ୟତେ) । ସେହି ଶ୍ରୀକୃଷ୍ଣ ପୁଣି ଚିନ୍ତାମଣି, ଭକ୍ତର ସକଳ ଅଭୀଷ୍ଟ ପୂରଣକାରୀ, କାବ୍ୟଟିର ନାୟକ ସକଳ କଳାନିପୁଣ ଭକ୍ତର ବାଞ୍ଛା ପୂରଣକାରୀ ଶ୍ରୀକୃଷ୍ଣ ହୋଇଥିବାରୁ କବି କାବ୍ୟଟିକୁ ‘ବିଦଗ୍ଧ ଚିନ୍ତାମଣି’ ବୋଲି ନାମିତ କରିଥିବା ସମ୍ଭବପର । ରାଧାଙ୍କ ବିରହରେ ବିଶେଷ ଭାବରେ ଦଗ୍ଧୀଭୂତ ଶ୍ରୀକୃଷ୍ଣ ଚରିତ ବର୍ଣ୍ଣିତ । ଯଥାର୍ଥରେ କାବ୍ୟ ନାମକରଣର ସାର୍ଥକତା ଅନୁମିତ ।

 

ପୁନଶ୍ଚ ବିଦଗ୍ଧର ଅର୍ଥ ହେଉଛି ରସିକ ଗ୍ରାହକ । ଗ୍ରାହକ ପାଠକ କାବ୍ୟରୁ ଯେପରି ରସ ଆଶା କରନ୍ତି, ତାହା ଏଥିରେ ପୂର୍ଣ୍ଣରୂପରେ ଥିବାରୁ କାବ୍ୟର ନାମ ‘ବିଦଗ୍ଧ ଚିନ୍ତାମଣି’ ହୋଇପାରେ-

 

‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ଦାର୍ଶନିକ ପୃଷ୍ଠଭୂମିର ବିସ୍ତୃତିକୁ ଲକ୍ଷ୍ୟକଲେ ଯେ କୌଣସି ପାଠକ କବି ଅଭିମନ୍ୟୁ ଭାରତୀୟ ଦର୍ଶନ ଶାସ୍ତ୍ରରେ କିପରି ଭାବରେ ପାରଦର୍ଶିତା ଲାଭ କରିପାରିଥିଲେ ଏବଂ କବି ହିସାବରେ ତାହାକୁ ସ୍ଵକୀୟ ଜୀବନ ଦର୍ଶନ ରୂପେ ଗ୍ରହଣ କରି ନେଇଥିଲେ ତାହା ସହଜରେ ଅନୁଭବ କରିପାରିବେ । କବିଙ୍କ କାବ୍ୟଟି ନ୍ୟାୟାଦି ଶାସ୍ତ୍ରଜ୍ଞ ପକ୍ଷରେ ପ୍ରଣିଧାନ ଯୋଗ୍ୟ ହେବ ବୋଲି ପ୍ରଥମ ଛାନ୍ଦରେ ସେ ମତ ପ୍ରକାଶ କରିଛନ୍ତି । ନ୍ୟାୟାଦି ଶାସ୍ତ୍ର ପୁରାଣ ବେଦାଗମ, କାବ୍ୟ, ନ୍ୟାସ କଲା ଲୋକର ଏ ହୋଇବଟି ଭାବ୍ୟ । ଯଥାର୍ଥରେ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ପ୍ରାରମ୍ଭରେ କବି ପ୍ରକାଶ କରିଛନ୍ତି-

 

ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।’’

 

ଅର୍ଥାତ ‘‘ହେ ରାଧାହରି ! ତୁମେ ଅପ୍ରାକୃତ ପ୍ରେମମୂର୍ତ୍ତୀ ଅଲୌକିକ ଯୁଗଳମୂର୍ତ୍ତୀ । ତୁମ୍ଭେ ପୃଥିବୀରେ ଅବତୀର୍ଣ୍ଣ ହୋଇ ଅପ୍ରକାଶିତ ଲୀଳାକୁ ପ୍ରକାଶ କର । (ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଟୀକା- ପ୍ରାଚୀ ଗ୍ରନ୍ଥମାଳା ପ୍ରକାଶିତ ପୃଷ୍ଠା- ୧) ସାଂଖ୍ୟତତ୍ତ୍ୱ ଭିତରେ ସୃଷ୍ଟିକ୍ରିୟା ବିଷୟରେ କୁହାଯାଇଛି ଯେ, ବିଶ୍ୱ ଅବ୍ୟକ୍ତରୁ ସୃଷ୍ଟି । ଅବ୍ୟକ୍ତ ହେଉଛି ମୌଳିକ ଉତ୍ସ । ଅବ୍ୟକ୍ତରୁ ବ୍ୟକ୍ତ ହେବା- ଏହି ସାଂଖ୍ୟତତ୍ତ୍ୱକୁ ‘‘ସତ୍‌କାର୍ଯ୍ୟବାଦ’’ ବୋଲି କହନ୍ତି (The samkhya terminology for this primeval matter in its original state i.e. in the state prior to its being evolved into the visible material world was avyakta or the unmanifest, conceived as formless and undifferentiated, limitless and ubiquetous page 109-Indian Philosophy, D.P. Chottopadhyay New Delhi) ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ବିଗତ ଜନ୍ମରେ ଯେ ଆଦିମାତାପିତା ଥିଲେ- ପୃଥିବୀରୁ ଦୁଷ୍ଟଦଳନ ଓ ଶିଷ୍ଟ ପାଳନ ନିମନ୍ତେ ଧରାରେ ଅବତାର ଗ୍ରହଣ କରିଥିଲେ- ଏ କଥା ‘ବିଦଗ୍ଧ ଚିନ୍ତାମଣି’ର କଥାବସ୍ତୁରୁ ସ୍ପଷ୍ଟ ହୋଇଉଠେ-। କିନ୍ତୁ ରାଧାକୃଷ୍ଣ ଭିତରେ ପ୍ରଧାନ ରାଧା - ଯାହାକୁ କବି ପ୍ରକୃତି ବୋଲି ପ୍ରକାଶ କରିଛନ୍ତି । ଶ୍ରୀକୃଷ୍ଣ ପରମ ଆତ୍ମା-ରାଧା, ପ୍ରକୃତି’’ (ପୃଷ୍ଠା - ୧୩ ମୁଖବନ୍ଧ ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରାଚୀ ଗ୍ରନ୍ଥମାଳା - ‘ବିଦଗ୍ଧ ଚିନ୍ତାମଣି’) ରାଧାକୃଷ୍ଣଙ୍କ ପ୍ରେମ ମିଳନାଦିରେ ବୈଷ୍ଣବ କବିଗଣ କାମନାର ପ୍ରଶ୍ରୟ ଦେଇଥିବାର ଖାଲି ଆଖିକୁ ଦେଖାଗଲା ବେଳେର, ପ୍ରକୃତରେ ସେ ହୃଦୟଦ୍ଵୟ ମଧ୍ୟରେ ବିଷୟ ବାସନାର ଗନ୍ଧ ଥିଲା ପରି ଜଣାଯାଏ ନାହିଁ । କେବଳ ‘ବିଦଗ୍ଧ ଚିନ୍ତାମଣି’ରେ କବି ଅଭିମନ୍ୟୁ ନୁହନ୍ତି, ସମସାମୟିକ ବୈଷ୍ଣବ କବି ରାଧାଙ୍କୁ ପ୍ରକୃତି ଓ କୃଷ୍ଣଙ୍କୁ ପୁରୁଷବୋଲି ଅନେକ ସ୍ଥଳରେ ଚିତ୍ରଣ କରିଛନ୍ତି । ଏ ପ୍ରମାଣ କେତୋଟି ଉଦାହରଣରୁ ସହଜରେ ଅନୁମାନ କରିହୁଏ ‘ବେଦାନ୍ତସାର ଗୁପ୍ତଗୀତା’ରେ ପ୍ରକାଶ ଅଛି ।

 

‘‘ପ୍ରକୃତି ପୁରୁଷ ଅଭିନ୍ନ

ଶ୍ରୀରାଧା କୃଷ୍ଣ ବେନି ଜନ

କରନ୍ତି ନିତ୍ୟ ମହାରାସ

ସେ ବେନି ପ୍ରକୃତି ପୁରୁଷ ।’’

 

କବି ଅଭିମନ୍ୟୁ ‘ବିଦଗ୍ଧ ଚିନ୍ତାମଣି’ରେ ପ୍ରକାଶ କରିଛନ୍ତି-

 

ଜୀବ ପରମ ପ୍ରଣୟୀରେ ସାର

ଲୀଳା ନିମନ୍ତେ ଭେଦ ପରଚାର ।

 

ବିଦଗ୍ଧ ଚିନ୍ତାମଣି- ସମ୍ପାଦନା : ପଠାଣି ପଟ୍ଟନାୟକ ପଦ ୩୭- ୯୪ ଛାନ୍ଦ ‘ପେମଭକ୍ତି ବ୍ରହ୍ମଗୀତା’ରେ ପ୍ରମାଣ ଅଛି –

 

ତୁ ରାଧାଜୀବ ମୋର ଦେହୀ

ମୁ ତୋର ପରମ ଅଟଇ

ୟେ ମିଶି ରାଧାକୃଷ୍ଣ ଇତି

ଜୀବ ପରମ ହିଁ ବୋଲନ୍ତି

 

‘ଶୂନ୍ୟ ସଂହିତା’ରେ ପ୍ରମାଣ ଅଛି-

 

ଆଗେ ରାଧା ପଛେ ମୁହିଁ ଲମ୍ପଟ ଭାବରେ

ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ ।

 

॥ ତିନି ॥

 

ପ୍ରଫେସର ଗୌରୀକୁମାର ବ୍ରହ୍ମା ‘ବିଦଗ୍ଧ ଚିନ୍ତାମଣି’ର ନାମକରଣ ସମ୍ପର୍କରେ ଆଲୋଚନା କରି ପ୍ରକାଶ କରିଛନ୍ତି- ଶବ୍ଦ - କସରତ ପ୍ରିୟ ଛନ୍ଦାର୍ଥୀମାନେ ‘ବିଦଗ୍ଧ ଚିନ୍ତାମଣି’ ଶବ୍ଦଟିର ନାମ ଅର୍ଥ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି । ତହିଁରୁ ଗୋଟିଏ ହେଉଛି - ଏ ଗ୍ରନ୍ଥ ବିଦଗ୍ଧ ବା ପଣ୍ଡିତମାନଙ୍କର ଚିନ୍ତାର ମଣି ବା ରତ୍ନ ସ୍ୱରୂପ ଏଥିରେ ପଣ୍ଡିତଙ୍କ ଶ୍ରେଷ୍ଠ ଚିନ୍ତା ପ୍ରକାଶ ପାଇଛି । ଆଉ ଗୋଟିଏ ବିଦଗ୍ଧ ବା ବିରହରେ ଦଗ୍ଧିଭୂତ ଯେଉଁ ଚିନ୍ତା ବା ଶ୍ରୀକୃଷ୍ଣଙ୍କର ରାଧା ପ୍ରେମର ଭାବନା, ତାହାର ମଣି ସ୍ଵରୂପ । ଅଭିମନ୍ୟୁ ସାମନ୍ତ ସିଂହାର, ପୃଷ୍ଠା - ୧୯)

 

ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ ବହୁ ଶାସ୍ତ୍ର ଦର୍ଶିତା ଓ କଳ୍ପନା ବିଳାସର ଉଜ୍ଜ୍ୱଳ ନିଦର୍ଶନ । କବି ବାଲ୍ୟକାଳରେ ସଂସ୍କୃତ ଅମରକୋଷ ଏବଂ କାବ୍ୟ ଅଳଙ୍କାରାଦି ଗ୍ରନ୍ଥ ଅଧ୍ୟୟନ, ଅନୁଶୀଳନ କରିଥିଲେ । ଉପେନ୍ଦ୍ରଭଞ୍ଜ ପ୍ରଭୃତି ରୀତି କାଳୀନ କବିମାନଙ୍କର ରଚନାବଳୀ ସ୍ଵୟଂ ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଓ ବଙ୍ଗୀୟ ବୈଷ୍ଣବ କବିମାନଙ୍କ ରଚନାବଳୀ ପାଠ କରିଥିବା ତାଙ୍କ କାବ୍ୟ ପଠନରୁ ସୂଚୀତ ହୁଏ । ସଦାନନ୍ଦଙ୍କୁ କବି ଅଭିମନ୍ୟୁଙ୍କର ଆଧ୍ୟାତ୍ମିକ ଗୁରୁ ଓ ଉପେନ୍ଦ୍ରଭଞ୍ଜଙ୍କୁ ତାଙ୍କ କାବ୍ୟଗୁରୁ କହିଲେ ବାର୍ତ୍ତାର ଅପଳାପ ହେବ ନାହଁ । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଭଞ୍ଜଯୁଗର ଶ୍ରେଷ୍ଠକବି । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଯେଉଁ କାବ୍ୟ ସରଣୀ ସୃଷ୍ଟି କରିଥିଲେ ନିଜସ୍ଵ ବିଦ୍‌ବତ୍ତା ଓ ପାଣ୍ଡିତ୍ୟ ବଳରେ ଅନୁରୂପ କାବ୍ୟ ସାରଣୀରେ ରସିକ ଭକ୍ତ ଅଭିମନ୍ୟୁ ଗତ କଲେ ନିର୍ବିବାଦରେ । ରସିକ କବି ଅଭିମନ୍ୟୁଙ୍କ ଲେଖନୀ ସ୍ପର୍ଶରେ ରୀତିଯୁଗର ସାହିତ୍ୟ ହେଲା ରୁଚିମନ୍ତ ଓ ରଦ୍ଧିମନ୍ତ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା ଶୈଳୀରେ ସାମଞ୍ଜସ୍ୟ ପରିଲକ୍ଷିତ ହେଲେ ହେଁ ଗୁରୁ ଶିଷ୍ୟଙ୍କ ନିକଟରେ ପରାଜୟ ବରଣ କରିଛନ୍ତି । ଶିଷ୍ୟ ଗୁରୁଙ୍କୁ ବଳି ଯାଇଛନ୍ତି ।

 

ଅଣଚାଳିଶ ଛାନ୍ଦ, ବୟାଳିଶ ଛାନ୍ଦ ଓ ବୟାନବେ ଛାନ୍ଦରୁ ଚୌରାନବେ - ଏହି ପାଞ୍ଚଟି ଛାନ୍ଦରେ କବିଙ୍କର ଆଳଙ୍କାରିକ ତଥା ବୈଷ୍ଣବ ତଥ୍ୟଗତ ପାଣ୍ଡିତ୍ୟ ମୂର୍ତ୍ତିମନ୍ତ । ଏ କ୍ଷେତ୍ରରେ କବିଙ୍କର ତୁଳନା ତାଙ୍କର ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ସଙ୍ଗରେ ହିଁ କରାଯାଇପାରେ ।

 

ଯାବତୀୟ ପ୍ରକାର ଅକ୍ଷର ନିୟମ, ବର୍ଣ୍ଣିନିୟମ, ଅବନା ନିୟମ ଇତ୍ୟାଦିରେ ପାଣ୍ଡିତ୍ୟ ପ୍ରଦର୍ଶନମୂଳକ ଜ୍ଞାନ ଓ କୌଶଳ ପ୍ରଦର୍ଶନ କରି ଭଞ୍ଜଙ୍କର କେବଳ ଅନୁସରଣ ନୁହେଁ, ଅତିକ୍ରମଣ କିରବାକୁ ମଧ୍ୟ କବି ଅଭିମନ୍ୟୁ ସତତ ଚେଷ୍ଟା କରିଛନ୍ତି, ତାହା ତାଙ୍କର ୩୪, ୩୫, ୩୬ ଏବଂ ୭୮ ଛାନ୍ଦ ପଠନ କଲେ ପାଠକ ସହଜରେ ଅନୁମାନ କରିପାରିବେ । ‘ଶବ୍ଦମାଳା ଅଭିଧାନ’ ପ୍ରଦତ୍ତ ‘ହରି’ ଶବ୍ଦର ବହ୍ୱାର୍ଥତାକୁ ଦୃଷ୍ଟିରେ ରଖି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ‘ବୈଦେହୀଶ ବିଳାସ’ର ପ୍ରଥମ ପଦଟିକୁ ବାରପ୍ରକାର ଅର୍ଥ କରିଥିବାର କିମ୍ବଦନ୍ତୀରୁ ଜଣାଯାଏ ।

 

‘ବାପ୍‌ସେ ବେଟା ଯ୍ୟାଦା’ ରୀତିରେ ରସିକଭକ୍ତ କବି ଅଭିମନ୍ୟୁ ୭୮ ଛାନ୍ଦରେ ୨୬ ପଦଠାରୁ ୩୦ ପଦ ଭିତରେ ୧୮ ଥର ‘ହରି’ ଶବ୍ଦ ପ୍ରୟୋଗ କରି ତାହାର ଅଠରଟି ଅର୍ଥ ପ୍ରକାଶ କରିଛନ୍ତି । କବି ଅଭିମନ୍ୟୁ ସାମନ୍ତ ସିଂହାର ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ଅଠସ୍ତରୀ ଛାନ୍ଦରେ ଯଥାର୍ଥରେ ପ୍ରକାଶ କରିଛନ୍ତି -

 

କେହି ଯିବା ଆତୁରେ କହନ୍ତି ହରି (କୃଷ୍ଣ)

ଦିଶେ ଦିଶେ ଦିଶେ ଏକା ମୋତେ ହରି (ନାୟିକା)

କର ବିକ୍ଷେପଣ କି କରିଛ ହରି (ସିଂହ)

ବାଟ ପକାଉଛି ଦେଖ ଦେଖ ହରି (ଚନ୍ଦ୍ର) ।୨୬।

ଏହା ଭାବୁଁ ତେଣେ ରାଧା ଚିନ୍ତି ହରି (କୃଷ୍ଣ)

ମିତେ ବୋଇଲେ ରଖିବ

ମିତେ ବୋଇଲେ ରଖିବ ନାହିଁ ହରି (ମାର)

ଭାବି ଭାବି ପ୍ରାଣବନ୍ଧୁ ମୁଖ ହରି (ପଦ୍ମ)

ଜୀବ ନେଉ ନାହିଁ କିମ୍ପା ମୋର ହରି (ଯମ) ।୨୭।

ଦେଖ ଦେଖ ମନ୍ଦଗତି କରେ ହରି (ବାତ)

ଜୀବନକୁ ନିଦାନ ନେବ କି ହରି

ଭୁଞ୍ଜ ଦେଇଥିଲା ପରା ତାକୁ ହରି (ସର୍ପ)

ପୁଣି ଆସୁଛି ତ ବିଶ୍ୱ ବିହରି ।୨୮।

 

ଶୁଣ ଶୁଣ ପାରା ତାକୁ ଅଚି ହରି (ପିକ)

ତୋଷିଥିଲା ଏଥିପାଇଁ ନିକି ହରି (କାକ)

ରାତ୍ରେ ଉଦୟ ଏକି ହୋଇଛି ହରି (ଭାନୁ)

ଅଗ୍ନିପରାର ଏ ପ୍ରତେ ହେଉଛି ହରି (ଅଶୁଂ) ।୨୯।

 

ଏହା ଭିଆଣ କି କରି କଲା ହରି (ଧାତା)

କେହି ସହିଲା ପୁଣି ତାକୁ ଏ ହରି (ରସା)

ବହୁ ଜନ୍ମର ଉଦୟ ହେଲେ ହରି (ଧର୍ମ)

ବନ୍ଧୁ ସଙ୍ଗୀ ହେବି ଫୁଲେ ରଚି ହରି (ଶଯ୍ୟା) ।୩୦।

 

କବି ଅଭିମନ୍ୟୁଙ୍କ ବହୁଶାସ୍ତ୍ରଦର୍ଶିତା, ବିଚକ୍ଷଣ ବିଦ୍‌ବତ୍ତା ଶବ୍ଦ ବ୍ୟବହାର କୌଶଳରେ ପ୍ରତ୍ୟୁତ୍ପନ୍ନମତିତା ରୀତି ସାହିତ୍ୟରେ ଅନନ୍ୟ ପ୍ରତିଭୁ ଭାବରେ କବିଙ୍କୁ ଆସୀନ କରିଛି । ହିନ୍ଦୀ, ବଙ୍ଗଳା, ପାର୍ଶୀ ଓ ମରହଟ୍ଟୀ ଭାଷାରେ କବିଙ୍କ ଅଶେଷ ଦକ୍ଷତା ଥିଲା । ନିଜସ୍ଵ କାବ୍ୟ ସମ୍ପର୍କରେ କବି ଯଥାର୍ଥରେ ପ୍ରକାଶ କରିଛନ୍ତି -

 

କିଏ ଏହି ରାମାୟଣ            ରାମଚନ୍ଦ୍ର ସଲକ୍ଷଣ

ତାରକାଦି ସହିତ ଭୂଷଣ

ବାତ ବିଜନିତ ଗୁଣ            ପରଭଂଜନ ନିପୁଣ

ଗନ୍ଧ ମାରଦନ ହିଁ ପୁଣ ହେ

ପ୍ରାଣମିତ । ଜମ୍ବମାନ ବଧିକି ପ୍ରମାଣ

ସୁସଦନରେ ନିପୁଣ                  ଦିଶଇତ ବିଭୀଷଣ

ବୀରମଣି ଅନ୍ତକଟି ପୁଣ ହେ ।

 

ସେହିପରି ବନଭୂମିକୁ ବର୍ଣ୍ଣନା କରିବାକୁ ଯାଇ ସେ ମହାଭାରତ ବିଷୟକୁ ସଂଯୋଜିତ କରିଛନ୍ତି-

 

କିଏ ଭାରତ ଭୂମିତ            ଏବନ ହୋଇ ପ୍ରତୀତ

ଭୀଷ୍ଣୁ ଥିବାରୁ ଘେନରୁଚି ସତ

କୃଷ୍ଣ ସଙ୍ଗେ ହୋଇ ସ୍ଥିତ            ଅର୍ଜୁନ କାଣ୍ଡି ବିଦିତ

ମନ ମାରୁଚି ଗତି ବିଦିତ ହେ

ପ୍ରାଣମିତ ଦ୍ରୋଣଦର ସୁତରେ ତହିଁତ

ନକୁଳରେ ଆକର୍ଷିତ            ହେବାରେ ଦ୍ରୋଣ ଚାହିଁ ତ

ଆବିଳେ ଶୟକୁ ଭଜୁଛି ତ ହେ ।

 

କବି ଅଭିମନ୍ୟୁ ସାମନ୍ତସିଂହାର ପୌରାଣିକ ପ୍ରସଙ୍ଗ ଉଲ୍ଲେଖ କରି ‘ବିଦଗ୍ଧ ଚିନ୍ତାମଣି’ କାବ୍ୟରେ ପ୍ରକାଶ କରିଛନ୍ତି-

 

ଜଳ ସୁତ ସୁତ ତା ସୂତ ତା ସୁତ

ତା ସୁତ ସୁତା ତା’ ସୁତ

ତା ସୁତ ସୁତା ସୁତ ହେଲା ହେଲା ଜୀବିତ

ନାରୀ ସ୍ନେହେ ବିପରୀତ ହେ ବୀର ।

 

ଅର୍ଥାତ୍‌ ଜଳର ସୁତ ପଦ୍ମ, ପଦ୍ମର ସୁତ (ଜାତ) ବହ୍ମା, ବ୍ରହ୍ମାଙ୍କ ପୁତ୍ର ମରୀଚି, ମରୀଚିଙ୍କ ପୁତ୍ର କଶ୍ୟପ, କଶ୍ୟପଙ୍କ ପୁତ୍ର ଦୈତ୍ୟ ରାଜମାଳୀ, ମାଳୀର ପୁତ୍ର ସୁମାଳୀ, ସୁମାଳୀର କନ୍ୟା ନିକଷା, ନିକଷାର ପୁତ୍ର ରାବଣ । ଏହି ରାବଣ ନାରୀ ଲୋଭରେ ପ୍ରାଣ ହରାଇଥି‌ଲା ।

 

।। ଚାରି ।।

 

ପ୍ରଫେସର ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ଅନବଦ୍ୟ କୃତି ‘ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ’ ଗ୍ରନ୍ଥରେ ପ୍ରକାଶ କରିଛନ୍ତି- ଅଭିମନ୍ୟୁଙ୍କ ଶ୍ରେଷ୍ଠ କୃତି ‘ବିଦଗ୍ଧ ଚିନ୍ତାମଣି’ ଓଡ଼ିଆ କାବ୍ୟ ସାହିତ୍ୟର ମଉଡ଼ମଣି । ଏଥିରେ କବି ଅଭିମନ୍ୟୁଙ୍କ ପ୍ରତିଭାର ପରିପକ୍ୱତା ସର୍ବତୋ ଭାବରେ ପ୍ରକଟ ହୋଇଛି । ପ୍ରୌଢ଼ ବୟସରେ ଭକ୍ତକବି ଅଭିମନ୍ୟୁଙ୍କର କବିମାନସ ଉତ୍ତୁଙ୍ଗ ଶିଖର ପ୍ରଦେଶରେ ଅଧିଷ୍ଠିତ ହୋଇଥିଲା । ସଂସ୍କୃତ ସାହିତ୍ୟରେ ଗୋଟିଏ ମହାନ ଉକ୍ତି ଅଛି-

 

‘‘ଉପମା କାଳିଦାସସ୍ୟ ଭାରବେ ଅର୍ଥ ଗୌରବଂ

ନୈଷଧେ ପଦଲାଳିତ୍ୟଂ ମାଘେ ସନ୍ତି ତ୍ରୟୋଗୁଣାଃ ।’’

 

କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକୃତି ଓ ଭାଷାଶୈଳୀକୁ ଲକ୍ଷ୍ୟ କରି ବିଶିଷ୍ଟ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ପ୍ରକାଶ କରିଛନ୍ତି ।

 

‘‘ଉପମା ଭଞ୍ଜବୀରସ୍ୟ ତସ୍ୟୈବ ଚାର୍ଥଗୌରବମ୍‌

କଲ୍ଲୋଳେ ପଦଲାଳିତ୍ୟଂ ସନ୍ତି ଚିନ୍ତାମଣୌ ତ୍ରୟଃ ।’’

 

ଅର୍ଥାତ୍‌ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ଉପମା ଓ ଅର୍ଥଗୌରବ ପାଠକର ଦୃଷ୍ଟିଗୋଚର ହୁଏ । ‘ରସକଲ୍ଲୋଳ’ କାବ୍ୟରେ ପଦଲାଳିତ୍ୟର ସୌକୁମାର୍ଯ୍ୟ ନିହିତ । ମାତ୍ର ‘ବିଦଗ୍ଧ ଚିନ୍ତାମଣି’ରେ ଏ ତିନିଟିର ସମାହାର ଦେଖିବାକୁ ମିଳେ । ବାସ୍ତବରେ ‘ବିଦଗ୍ଧ ଚିନ୍ତାମଣି’ରେ ଅଳଙ୍କାର ବିଭବ, ଶବ୍ଦ ବୈଚିତ୍ୟୈ, ଭାଷାର ଚମତ୍କାରିତା ଓ ସର୍ବୋପରି ରସ ପରିବେଷଣ ଏପରି ମନୋହର ଭାବରେ ସମାବିଷ୍ଟ ଯେ କାବ୍ୟକୁ ପାଠକଲାବେଳେ ପାଠକ ଏକ ନୂତନ ରାଜ୍ୟରେ ବିଚରଣ କଲାପରି ବୋଧକରେ ।

 

‘ବିଦଗ୍ଧ ମାଧବ’ର ପ୍ରଭାବ ‘ବିଦଗ୍ଧ ଚିନ୍ତାମଣି’ରେ ପଡ଼ିଛି ଏହା ସ୍ଵୀକାର୍ଯ୍ୟ । ‘ବିଦଗ୍ଧ ମାଧବ’ ନାଟକର ‘ବେଣୁନାଦ ବିଳାସ’ ନାମିତ ପ୍ରଥମ ଅଙ୍କଟି ଭଗବତୀ ପୌର୍ଣ୍ଣମାସୀ ଓ ନାନ୍ଦୀମୁଖୀ କଥୋପକଥନରୁ ଆରମ୍ଭ ହୋଇଛି । ଗୋବର୍ଦ୍ଧନଙ୍କ ପତ୍ନୀ ଚନ୍ଦ୍ରବତୀଙ୍କ ସହ ମିଳନ, ରାଧାଙ୍କ ସହ କୁଟିଳାପୁତ୍ର ଅଭିମନ୍ୟୁଙ୍କ ବିବାହ, ଲଳିତା ସହ ରାଧାଙ୍କର ସୂର୍ଯ୍ୟପୂଜା ଲାଗି ବୃନ୍ଦାବନକୁ ଆସିବା ଓ କୃଷ୍ଣଙ୍କ ନାମ ଶୁଣିବା ପ୍ରଭୃତି ବିଷୟ ବିଦଗ୍ଧ ମାଧବର ଅନ୍ତର୍ଭୁକ୍ତ । ଏଠାରେ ଏକ ଉଦାହରଣ ଦେଲେ ସହଜରେ ‘ବିଦଗ୍ଧ ମାଧବ’ର ପ୍ରଭାବକୁ ଅନୁମାନ କରିହେବ । ‘ବିଦଗ୍ଧ ମାଧବ’ରେ କୃଷ୍ଣ- ପ୍ରୀତି ବିଧୂରା ରାଧା ସଖୀ ପ୍ରତି କହିଛନ୍ତି -

 

ଅକାରୁଣ୍ୟଃ କୃଷ୍ଣୋ ଯଦମୟ ତଦବାଗଃ କଥମିଦଂ

ମୁଧା ମା ରୋଦର୍ମ କୁରୁ ପରିମିମାମମୂତ୍ତରକୃତିଂ

ତମାଳସ୍ୟ ସ୍କନ୍ଧେ ସଖି : କଳିତ ଦୋର୍ବଲରୀୟଂ

ଯଥା ବୃନ୍ଦାରଣ୍ୟେ ଚିରମବିଚଳା ତିଷ୍ଠତି ତନୁଃ ।

 

କୃଷ୍ଣ ଯଦି ମୋ ଉପରେ ଅକରୁଣ ହୁଅନ୍ତି ତେବେ ତୋର ଅପରାଧ କ’ଣ ! ଏପରି ଆଉ ବୃଥା ରୋଦନ କରନା, ପରନ୍ତୁ ତମାଳ ସ୍କନ୍ଦରେ ମୋର ଏଇ ଭୁଜଲତା ଆବଦ୍ଧକରି ଯେପରି ଚିରକାଳ ଅବିଚଳିତ ଭାବରେ ବୃନ୍ଦାବନରେ ମୋର ଏହି ଦେହ ଅବସ୍ଥାନ କରେ, ଏପରିଭାବରେ ମୋର ଅନ୍ତ୍ୟେଷ୍ଠିକ୍ରିୟା ସମ୍ପନ୍ନ କରିବ । ଅନୁରୂପ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟରେ କବି ଅଭିମନ୍ୟୁ ସାମନ୍ତସିଂହାର ପ୍ରକାଶ କରିଛନ୍ତି -

 

ଜୀବନ ଗଲେ ଏତିକି କରିବ

ଶ୍ୟାମ ନାମ ମୋ ହୃଦୟେ ଲିହିବ

ଶ୍ୟାମ ରୂପ ମୂର୍ତ୍ତି ହୃଦେ ଲଗାଇ

ଶ୍ୟାମ ବସନ ଅଙ୍ଗରେ ଘୋଡ଼ାଇ

ଶ୍ୟାମ ଗତିପଥେ

 

ମୋ ଶବ ପୋତିବ ଆପଣା ହସ୍ତେ

ଯେବେ ଏମନ୍ତ କରି ନ ପାରିବ

ତମାଳେ କୋଳ କରାଇ ଥୋଇବ ।

କୃଷ୍ଣ ବଂଶୀ ଶୁଭିଥିବ ତେଣିକି

ସବୁ ସଜନୀଙ୍କି

ହାତ ଧରି ମୁଁ ମାଗୁଛି ଏତିକି ।

 

ସ୍ଵର୍ଗତ ମନମୋହନ ଚକ୍ରବର୍ତ୍ତୀ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟ ସମ୍ପର୍କରେ ଯେଉଁ ଅଭିମତ ପ୍ରଦାନ କରିଛନ୍ତି ତାହା ବିଶେଷ ଭାବରେ ହୃଦୟସ୍ପର୍ଶୀ । ଯଥାର୍ଥରେ ଚକ୍ରବର୍ତୀଙ୍କ ଅଭିବ୍ୟକ୍ତି ଏହିପରି - ।

 

The poem is a stone-house of rhetorical excellences, almost each chhanda exemplifying a different kind of verbal formations. It thus resembles Kotinbrahmanda Sundari of Upendra Bhanja, but it is a simpler, less loaded with Sanskrit learning and imageries and therefore effective. The author's religious fellings have made the poem less obscene and have induced to put in graceful verses the rather abstruse doctrines of Prema and Bhakti a fled which Upendra Bhanja did not try. In learning and comprehensiveness beis undoubtedly. Infexixe to Upendra, but it may be said for Bidagdha Chintamani that no single Oriya poem contains so many examples of rhetorical skill or abstract poetry as this work does.

 

ବିଦଗ୍ଧ କବି ଅଭିମନ୍ୟୁ ନିଜ କାବ୍ୟ ସୃଷ୍ଟି ମଧ୍ୟରେ ସମ୍ପୂର୍ଣ୍ଣ ତନ୍ମୟ ହୋଇ ସୁଦ୍ଧା ସବୁ ଶ୍ରେଣୀର ପାଠକମାନଙ୍କ ମାନସିକ ଶାନ୍ତି ଓ ଆନନ୍ଦ ପାଇଁ ଯେଉଁ ସଚେତନତା ପ୍ରକାଶ କରିଛନ୍ତି ତାହା ଯଥାର୍ଥରେ ତାଙ୍କ ବିଦଗ୍ଧତାର ପରିଚୟ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଥିଲା ଓଜଗୁଣ ଯୁକ୍ତ । କବି ଦୀନକୃଷ୍ଣଙ୍କ କାବ୍ୟ ଥିଲା ପ୍ରସାଦ ଗୁଣ ଆଧିକ୍ୟ । ଅଭିମନ୍ୟୁଙ୍କ କାବ୍ୟରେ ଓଜଃ ପ୍ରସାଦ ଓ ମାଧୁର୍ଯ୍ୟ ଗୁଣର ଯେଉଁ ମଞ୍ଜୁଳ ସମନ୍ୱୟ ଘଟିଛି ତାହା ହିଁ ତାଙ୍କୁ ଏହି ଦୁଇ ପ୍ରତିଭାଧରଙ୍କଠାରୁ ଏକ ସ୍ୱତନ୍ତ୍ର ଆସନ ପ୍ରଦାନ କରିଛି । ଆଲୋଚକ Bijoy Chandra Majumdar ଯଥାର୍ଥରେ ପ୍ରକାଶ କରିଛନ୍ତି ତାଙ୍କ ସାରସ୍ଵତ କୃତି “Typical selections from Oriya Literature” ଗ୍ରନ୍ଥରେ : in the matters of rhetorical composition he excells Upendra in some points, and unlike Uperdra, he has composed his poems in genuine Oriya Language.

 

ମଧୁର ରୂପ ଓ ସୌନ୍ଦର୍ଯ୍ୟର ପରିକଳ୍ପନା କ୍ଷେତ୍ରରେ କବି ଅଭିମନ୍ୟୁ ସାମନ୍ତସିଂହାର ଅନନ୍ୟ ଓ ଅସାଧାରଣ ।

 

 

ପ୍ରମୁଖ ସଚିବ

ସିସୋର ସାହିତ୍ୟ ଏକାଡେମୀ

୪୪୩, ସହୀଦ ନଗର, ଭୁବନେଶ୍ଵର

 

ସହାୟକ ଗ୍ରନ୍ଥସୂଚୀ

୧.

ବିଦଗ୍ଧ କବି ଅଭିମନ୍ୟୁ : ଡକ୍ଟର କାହ୍ନୁ ଚରଣ ମିଶ୍ର ।

୨.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ : ଡକ୍ଟର ବୃନ୍ଦାବନ ଆଚାର୍ଯ୍ୟ ।

୩.

ଓଡ଼ିଆ ସାହିତ୍ୟର ଇତିହାସ : ପଣ୍ଡିତ ବିନାୟକ ମିଶ୍ର

୪.

ଓଡ଼ିଆ ସାହିତ୍ୟର ଇତିହାସ : ଡକ୍ଟର ମାୟାଧର ମାନସିଂହ

୫.

ଓଡ଼ିଆ ସାହିତ୍ୟର ଆଦିପର୍ବ ଓ ମଧ୍ୟପର୍ବ : ଶ୍ରୀ ସୁରେନ୍ଦ୍ର ମହାନ୍ତି

୬.

ଗୌଡ଼ୀୟ ବୈଷ୍ଣବ ଦର୍ଶନ : ଡ. ରାଧାଗୋବିନ୍ଦ ନାଥ

 

English :

1.

Typical Selections from-Oriya Literature : B. C. Mazumdar

2.

History of Orissa : W.W. Hunter

3.

The making of Literature : Scot James

4.

Indian Philosophy : D.P. Chottopadhyay

 

***

 

ରାସଲୀଳା : ଉନ୍ମେଷ ଓ ବିକାଶ

ପ୍ରଫେସର ଡକ୍ଟର ବନମାଳୀ ରଥ

 

ଭାରତୀୟ ସାହିତ୍ୟ ଓ ସଂସ୍କୃତିରେ ‘ରାସଲୀଳା’ର ଅବଦାନ ଉଲ୍ଲେଖଯୋଗ୍ୟ । ରାସଲୀଳାକୁ ଆଧାର କରି ଉତ୍ତର ମଧ୍ୟ ଯୁଗୀୟ ସଂସ୍କୃତ ସାହିତ୍ୟ ଓ ଆଞ୍ଚଳିକ ସାହିତ୍ୟରେ କେତେ ଯେ କବିତାର ସୁଅ ଛୁଟିଛି, ତାହାର ଇୟତ୍ତା ନାହିଁ । ବିଶେଷ କରି ବୈଷ୍ଣବ କବିମାନେ ଏହାର ନୈସର୍ଗିକ ଚିନ୍ତାରେ ଆକୃଷ୍ଟ ହୋଇ ବିଭିନ୍ନ ଭାବରେ ବହୁ କାବ୍ୟ ରଚନା କରି ଯାଇଛନ୍ତି ।

 

ଶ୍ରୀମଦ୍‌ଭାଗବତ ମହାପୁରାଣର ଦଶମ ସ୍କନ୍ଧ ଊନତ୍ରିଂଶ ଅଧ୍ୟାୟରୁ ତେତିଶି ଅଧ୍ୟାୟ ମଧ୍ୟରେ ‘ରାସଲୀଳା’ ର ବର୍ଣ୍ଣନା କରାଯାଇଛି । ତାହାକୁ ‘ରାସ ପଞ୍ଚାଧାୟୀ’ କୁହାଯାଏ । ରାସଲୀଳାତ୍ମକ କାବ୍ୟ ସମୂହର ରଚନା ସେହି ଭାଗବତ ପୁରାଣ ଉପରେ ଆଧାରିତ ବୋଲି କାବ୍ୟକାରମାନେ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି କିନ୍ତୁ ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ଶ୍ରୀମଦ୍‌ଭାଗବତ ରଚନାର ବହୁ ପୂର୍ବରୁ ରାସଲୀଳା ବିଷୟକ ବର୍ଣ୍ଣନା ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଦେଖିବାକୁ ମିଳେ । ନାଟ୍ୟଶାସ୍ତ୍ର ପ୍ରଣେତା ଭରତ ମୁନି (୧ମ ଶତାବ୍ଦୀ) ‘ତାଳରାସକ’, ‘ଦଣ୍ଡରାସକ’ ଓ ‘ମଣ୍ଡଳରାସକ’ ଏହିପରି ତିନୋଟି ନୃତ୍ୟ ବିଶେଷର ବର୍ଣ୍ଣନା ସହିତ ‘ହଲ୍ଲୀସ’ ନାମକ ଆଉ ଗୋଟିଏ ସମଧର୍ମୀ ନୃତ୍ୟର ସୂଚନା ଦେଇଛନ୍ତି । ନାଟ୍ୟ ଶାସ୍ତ୍ରର ଟୀକାକାର ଅଭିନବଗୁପ୍ତ ଏହାକୁ ଆଉ ଟିକିଏ ବିବୃତ କରିବାକୁ ଯାଇ ଲେଖିଛନ୍ତି, ମଣ୍ଡଳାକାରରେ ଯେଉଁ ନୃତ୍ୟ ହୁଏ ତାହାକୁ ‘ହଲ୍ଲୀସକ’ କୁହାଯାଏ ବାତ୍ସ୍ୟାୟନଙ୍କ କାମଶାସ୍ତ୍ରରେ ଏହାର ଉଲ୍ଲେଖ ଅଛି । ଟୀକାକାର ଯଶୋଧର ଏହାକୁ ଆହୁରି ସ୍ପଷ୍ଟ କରି ଲେଖିଛନ୍ତି - ମଣ୍ଡଳାକାରରେ ସ୍ତ୍ରୀମାନଙ୍କର ଯେଉଁ ନୃତ୍ୟ ହୁଏ, ତାହାକୁ ‘ହଲ୍ଲୀସକ’ କୁହାଯାଏ । ସେଥିରେ ଜଣେମାତ୍ର ନାୟକ ରହନ୍ତି, ଯେପରି ଗୋପ ସ୍ତ୍ରୀମାନଙ୍କ ମଧ୍ୟରେ ହରିଙ୍କର ଅଧିଷ୍ଠାନ ହୋଇଥାଏ କିନ୍ତୁ ହରିବଂଶ ପୁରାଣରେ ଟୀକାକାର ନୀଳକଣ୍ଠ ସର୍ବପ୍ରଥମେ ‘ହଲୀସକ’ ନୃତ୍ୟକୁ ‘ରାସ’ ବୋଲି ନାମିତ କରିଛନ୍ତି । ସରସ୍ଵତୀ କଣ୍ଠାଭରଣରେ ଓ ବାଣଭଟ୍ଟଙ୍କ ହର୍ଷଚରିତରେ ହଲ୍ଲୀସକ ନୃତ୍ୟକୁ ‘ରାସ’ ବୋଲି ଉଲ୍ଲେଖ କରାଯାଇଛି । ଡକ୍ଟର ବାସୁଦେବ ଶରଣ ଅଗ୍ରୱାଲଙ୍କ ମତରେ ଏହି ‘ହଲ୍ଲୀସକ’ ନୃତ୍ୟର ପ୍ରଥମ ପ୍ରଚଳନ ବୋଧହୁଏ ‘ଇଲିଶିଅନ୍‌’ ନୃତ୍ୟ (ଇଲିଶିଅନ୍‌ ମିଷ୍ଟ୍ରି ଡାନସ୍‌)ର ଅନୁକରଣରେ ପ୍ରଥମ ଶତାବ୍ଦୀ ବେଳକୁ ଭାରତରେ ପ୍ରବେଶ ଲାଭ କରିଥିଲା । ଏହି ‘ରାସଲୀଳା’ର ବିବିଧ ବିସ୍ତୃତି ହରିବଂଶ ପୁରାଣଠାରୁ ଆରମ୍ଭ କରି ବିଭିନ୍ନ ପୁରାଣରେ ଓ ନାଟକ ତଥା କାବ୍ୟ ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ । ଭାସଙ୍କ ବାଳଚରିତ ନାଟକରେ ହଲ୍ଲୀସକ ନୃତ୍ୟ ଉଦ୍ଦେଶ୍ୟରେ କୃଷ୍ଣଙ୍କ ବୃନ୍ଦାବନ ଯାତ୍ରା କଥାର ଉଲ୍ଲେଖ ଅଛି । ମାଘ କବିଙ୍କ ଶିଶୁପାଳ ବଧରେ ବର୍ଣ୍ଣନା କରାଯାଇଅଛି ଯେ, ବୃଷ୍ଣିମାନେ ସଂଗୀତ ତଥା ରାସନୃତ୍ୟ'ର ବଡ଼ ଗ୍ରାହକ ଥିଲେ । ଏଣୁ ନିଃସନ୍ଦେହରେ କୁହାଯାଇପାରେ ଯେ ଆଜି ଭାରତର ସର୍ବତ୍ର ସୁପରିଚିତ ବହୁଧା ବିକଶିତ ବୈଚିତ୍ର୍ୟପୂର୍ଣ୍ଣ ଗୋପୀ କୃଷ୍ଣ କୈନ୍ଦ୍ରିକ ରାସଲୀଳା ବହୁ ପ୍ରାଚୀନ କାଳରୁ ଭାରତ ବର୍ଷରେ ପ୍ରଚଳିତ ଥିଲା ।

 

ରାସଲୀଳା ନୃତ୍ୟ ପରମ୍ପରାରେ ପବିତ୍ରତା ଓ ଧାର୍ମିକତା ଓତପ୍ରୋତ ଭାବରେ ଜଡ଼ିତ । ଉତ୍ତର ଭାରତରେ ଯେ କୌଣସି ଶୁଭ ଉତ୍ସବରେ ‘ରାସଲୀଳା’ ଅନୁଷ୍ଠିତ ହୁଏ । ନୃତ୍ୟ ଓ ସଂଗୀତ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗୃହୀତ ହୋଇଥିବାରୁ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପ୍ରାଚୀନ କାଳରୁ ରାସଲୀଳାର କ୍ରମ ବିକାଶ ସଂସାଧିତ ହୋଇ ଚାଲିଛି । ସେଥିପାଇଁ ଯୁଗେ ଯୁଗେ ସର୍ବଭାରତୀୟ କବି, ସ୍ରଷ୍ଟା ସାଧକ ତଥା ସାଧୁମାନେ ଜୀବନଧର୍ମୀ ସତ୍ୟ ଶିବ ସୁନ୍ଦରର ମର୍ମ ଉଦ୍‌ଘାଟନ କରିବା ପାଇଁ ଧର୍ମ ଚେତନା ନିଷ୍ଠ ରାସଲୀଳାର ବିବିଧ ବିକାଶ ସାଧନ କରି ଚାଲିଛନ୍ତି । ଓଡ଼ିଶାରେ ଲିଖିତ ଅନେକ ରାସଲୀଳାତ୍ମକ କାବ୍ୟ ମଧ୍ୟରେ ସଦ୍ୟ ପ୍ରକାଶିତ ‘ଶ୍ରୀକୃଷ୍ଣ ଲୀଳାମୃତମ୍‌’ କାବ୍ୟଟି ଏଇ ପରମ୍ପରାର ଗୋଟିଏ ସୁନ୍ଦର ଓ ସାର୍ଥକ ଉଦାହରଣ ।

 

ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଅଭିନବଗୁପ୍ତଙ୍କ ଅଭିନବ ଭାରତୀ, ଭୋଜରାଜଙ୍କ ଶୃଙ୍ଗାର ପ୍ରକାଶ, ରାମଚନ୍ଦ୍ର ଓ ଗୁଣଚନ୍ଦ୍ରଙ୍କ ନାଟ୍ୟ ଦର୍ପଣ, ଜୀନଦତ୍ତ ସୂରୀ ତଥା ରାଜଶେଖରଙ୍କ ମତାନୁସାରେ ପ୍ରାଚୀନ ‘ହଲ୍ଲୀସକ’ ନୃତ୍ୟ ବିଶେଷ ହିଁ ‘ରାସକ’ ନୃତ୍ୟ ଭାବରେ ସୁପରିଚିତ । ଦକ୍ଷିଣ ଭାରତର ‘ଶିଳ୍ପଦ୍ଦିକାରଂ’ ଓ ‘ମଣିମେଖଳା’ରେ କୃଷ୍ଣ ଓ ‘ନାପ୍ପିନୈ’ଙ୍କର ଯେଉଁ ‘କୁରାବଇକୁତୁ’ ନୃତ୍ୟର ବର୍ଣ୍ଣନା ଅଛି ତାହାର ନାମାନ୍ତର ହିଁ ‘ରାସକ’ ବୋଲି ସ୍ଵୀକୃତ ହୋଇଅଛି । ଅନେକ ତାଳ, ରାଗ ତଥା ଲୟ ସମନ୍ୱିତ ମଣ୍ଡଳାକାର ପିଣ୍ଡୀକୃତ ନର୍ତ୍ତକୀମାନଙ୍କର ନୃତ୍ୟ ବିଶେଷ ହିଁ ‘ରାସନୃତ୍ୟ’ ବା ‘ରାସଲୀଳା’ ନାମରେ ଖ୍ୟାତ ।

 

ବାତ୍ସ୍ୟାୟନଙ୍କ କାମଶାସ୍ତ୍ରରେ ଯେଉଁ ‘ନାଟ୍ୟ ରାସକ’ର ବର୍ଣ୍ଣନା କରାଯାଇଛି, ସେଥିରେ ନୃତ୍ୟ ସହିତ ନାନା କାମ କ୍ରୀଡ଼ାର ସୂଚନା ମଧ୍ୟ ଅଛି । ଟୀକାକାର ଯଶୋଧର ତାହାର ବିସ୍ତୃତ ବ୍ୟାଖ୍ୟା କରିଛନ୍ତି । ଏହାର ନିପୁଣ ପ୍ରତିଚ୍ଛ ଶ୍ରୀକୃଷ୍ଣ ଲୀଳାମୃତ କାବ୍ୟରେ ଦେଖିବାକୁ ମିଳେ ।

 

ଗୀତ ଗୋବିନ୍ଦର ଟୀକାକାର ‘କୁମ୍ଭ’ କହିଛନ୍ତି ଯେ, ସ୍ଵର, ପାଟ, ବନ୍ଧ, ପଦ, ତେନ, ବିରୁଦ ଚିତ୍ର ଓ ମିଶ୍ର ଏହି ଆଠକରଣ ‘ରାସ’ରେ ରହିବା ଆବଶ୍ୟକ । ଉଦ୍‌ଗ୍ରାହ ଗମକ ଓ ସାନ୍ଧ୍ର ସ୍ଵର ଦ୍ଵାରା ଆବଦ୍ଧ ଆଭୋଗ ସହିତ ଏହି ରାସ ନୃତ୍ୟ ଅନୁଷ୍ଠିତ ହୁଏ । ସଙ୍ଗୀତ ନାରାୟଣ ନାମକ ସଂଗୀତ ଗ୍ରନ୍ଥ ଓ ଆନ୍ଧ୍ରର ସଂଗୀତଜ୍ଞ ମହାରାଜା ବେମଙ୍କ ଅନୁସାରେ ରାସନୃତ୍ୟରେ ‘ସୂଡତାଳ’ରେ ନିବଦ୍ଧ ଦ୍ୱିପଦୀ ଆଦି ପ୍ରବନ୍ଧ ଗାନ କରାଯିବା ଏକାନ୍ତ ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀକୃଷ୍ଣ ଲୀଳାମୃତ କାବ୍ୟରେ ରାସନୃତ୍ୟ ବର୍ଣ୍ଣନା ପ୍ରସଙ୍ଗରେ ସଙ୍ଗୀତ ଶାସ୍ତ୍ର ନିର୍ଦ୍ଦେଶିତ କବିତ୍ୱପୂର୍ଣ୍ଣ ସୂଢ଼ ପ୍ରବନ୍ଧର ଯଥାସ୍ଥାନାବସ୍ଥିତି କାବ୍ୟଟିକୁ ପ୍ରସିଦ୍ଧ ସଂଗୀତ ଶାସ୍ତ୍ରୀୟ ପରମ୍ପରାର ଏବଂ ‘ରାସଲୀଳା’ ପରମ୍ପରାର ଗୋଟିଏ ସମୁଜ୍ଜ୍ୱଳ ସାର୍ଥକ କୃତି ଭାବରେ ପ୍ରତିଷ୍ଠା କରି ପାରିଛି ।

 

ଯଦ୍ୟପି ଭରତ ମୁନିଙ୍କ ସମୟରେ ମଣ୍ଡଳାକାର ନର୍ତ୍ତକୀ ପରିବେଷ୍ଟିତ ଏକନେତା ସମନ୍ୱିତ, ନୃତ୍ୟବିଶେଷକୁ ‘ରାସନୃତ୍ୟ’ କୁହାଯାଉଥିଲା । ତଥାପି ଆଜି ‘ରାସନୃତ୍ୟ’ର ସେ ବିସ୍ତୃତ ଅର୍ଥ ଆଉ ନାହିଁ । ‘ରାସଲୀଳା’ ଏବେ ଏକାନ୍ତ ଭାବରେ କୃଷ୍ଣ ଓ ଗୋପିକାମାନଙ୍କର ମଣ୍ଡଳାକାର ତଥା କାମକ୍ରୀଡ଼ା ସମନ୍ୱିତ ନୃତ୍ୟ ବିଶେଷକୁ ହିଁ ବୁଝାଏ । ‘ରାସଲୀଳା’ର ଏହି ବିଶେଷ ସ୍ଵୀକୃତି ସର୍ବପ୍ରଥମେ ହରିବଂଶ ପୁରାଣରେ ଦେଖିବାକୁ ମିଳେ ଏବଂ ପରବର୍ତ୍ତୀ ପୁରାଣକାରମାନେ ନିଜର ମନୋହର କାବ୍ୟିକ ବର୍ଣ୍ଣନା ମାଧ୍ୟମରେ ଗୋପୀ କୃଷ୍ଣାତ୍ମକ କାମକ୍ରୀଡ଼ାକୁ ‘ରାସଲୀଳା’ର ଗୋଟିଏ ଗରିମାମୟ ପରମ୍ପରା ଭାବରେ ପ୍ରତିଷ୍ଠିତ କରିଛନ୍ତି ।

 

ହରିବଂଶ ପୁରାଣରେ ଥିବା ‘ରାସଲୀଳା’ରେ ଗୋପାଙ୍ଗନା ପରିବେଷ୍ଟିତ ନୃତ୍ୟରତ ଶ୍ରୀକୃଷ୍ଣଙ୍କ ଅନୁପମ ସୁଷମା ଓ ଅଦ୍‌ଭୁତ ନୃତ୍ୟ କୌଶଳର ଦୃଶ୍ୟ ଚିତ୍ରିତ ହୋଇଅଛି । ବର୍ଣ୍ଣନାର ସଂକ୍ଷିପ୍ତତା ଦୃଷ୍ଟିରୁ ଗୋପୀ କୃଷ୍ଣାତ୍ମକ ରାସଲୀଳାର ଏହା ପ୍ରାରମ୍ଭିକ ଅବସ୍ଥାର ସୂଚନା ଦିଏ । ଏହି ସଂକ୍ଷିପ୍ତ କଥା ହିଁ ଭାଗବତରେ ବିସ୍ତୃତ ଭାବରେ ଆତ୍ମପ୍ରକାଶ କରିଅଛି । ହରିବଂଶ ପୁରାଣର ଦ୍ଵିତୀୟ ପର୍ବ ବିଂଶ ଅଧ୍ୟାୟର ନାମ ‘ହଲ୍ଲୀସକ କ୍ରୀଡ଼ନଂ’ । ସେଥିରେ ସବୁ ୩୫ଟି ଶ୍ଳୋକ ଅଛି । ୧୫ଠାରୁ ୩୫ ଶ୍ଳୋକ ପର୍ଯ୍ୟନ୍ତ ସବୁ ୨୧ଟି ଶ୍ଳୋକରେ ରାସକ୍ରୀଡ଼ାର ବର୍ଣ୍ଣନା ଅଛି । ଏହି ବର୍ଣ୍ଣନାନୁସାରେ ପ୍ରତ୍ୟେକ ଗୋପୀର ଦୁଇ ପାର୍ଶ୍ଵରେ କୃଷ୍ଣ ଉପସ୍ଥିତ ଥିଲେ । ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଓ ତାଙ୍କର ନୃତ୍ୟ, ଗୀତ, ସସ୍ମିତ ନିରୀକ୍ଷଣକୁ ଅନୁକରଣ କରି କରି ଗୋପାଙ୍ଗନାମାନେ ରାସଲୀଳାର ଆନନ୍ଦ ଉପଲବ୍ଧି ଏହିପରି ଶ୍ରୀକୃଷ୍ଣ ମଧ୍ୟ ଗୋପିକାମାନଙ୍କ ସହିତ ଶାରଦୀୟ ଜ୍ୟୋତ୍ସ୍ନାସ୍ନାତ ରଜନୀରେ ବିହାର କରି ଆନନ୍ଦିତ ହେଉଥିଲେ । ଏଥିରେ ରାଧା କିମ୍ବା ଏପରି କୌଣସି ବିଶେଷ ଗୋପିକାର ଉଲ୍ଲେଖ ନାହିଁ, ଯାହା ସହିତ କୃଷ୍ଣ ରାସ ମଣ୍ଡଳୀରୁ ଅନ୍ତର୍ଦ୍ଧାନ ହୋଇଯାଇ ଥିବା କଥା ପରବର୍ତ୍ତୀ ପ୍ରାୟ ସବୁ ପୁରାଣରେ ଉଲ୍ଲେଖ ଅଛି । ଏହାର ଆଉ ଗୋଟିଏ ବିଶେଷତ୍ୱ ହେଉଛି ଯେ ଏଠାରେ କୃଷ୍ଣ ଆତ୍ମଗର୍ବଣୀ ଗୋପିକାମାନଙ୍କୁ ଛାଡ଼ି ଯାଇ ନାହାନ୍ତି । ଫଳରେ ଗୋପିକା ବିଳାପ ଓ କୃଷ୍ଣଙ୍କ ଦ୍ଵାରା ତାହାର ଅପନୋଦନ ବର୍ଣ୍ଣନାର କୌଣସି ସୂଚନା ନାହିଁ ।

 

ବ୍ରହ୍ମପୁରାଣରେ ବତିଶିଟି ଶ୍ଳୋକରେ ରାସଲୀଳା କଥା ବର୍ଣ୍ଣିତ ହୋଇଛି । ଏହି ପୁରାଣ ହରିବଂଶର ବର୍ଣ୍ଣନା ଅପେକ୍ଷା ‘ରାସଲୀଳା’ର ଟିକିଏ ବିକଶିତ ରୂପ ଉପସ୍ଥାପିତ କରେ । ଏଠାରେ ପ୍ରଥମ କରି ଗୋଟିଏ ବିଶେଷ ଗୋପିକାର କଥା ଉଲ୍ଲେଖ କରାଯାଇଛି, ଯିଏ କୃଷ୍ଣଙ୍କର ମୂରଲୀ ବାଦନ ଶୁଣି ଉନ୍ମନା ହେଲେ ମଧ୍ୟ ପାରିବାରିକ ପ୍ରତିବନ୍ଧକ ଥିବାରୁ କୃଷ୍ଣଙ୍କ ସହିତ ରାସକ୍ରୀଡ଼ାରେ ଯୋଗଦେଇ ନ ପାରି ମୁଦ୍ରିତ ନୟନା, ତନ୍ମୟତାର ସହିତ କୃଷ୍ଣରୂପଧ୍ୟାନ କରିବାରେ ଲାଗିଛି । ଏହି ବିଶେଷ ଗୋପିକାର ବିସ୍ତୃତ ବର୍ଣ୍ଣନା ବିଷ୍ଣୁ ପୁରାଣରେ ତଥା ସାମାନ୍ୟ ସୂଚନା ଶ୍ରୀମତ୍‌ଭାଗବତ ମହାପୁରାଣରେ ଦୃଷ୍ଟି ଗୋଚର ହୁଏ । ବ୍ରହ୍ମପୁରାଣ ଅନ୍ତର୍ଗତ ଶେଷ ଦୁଇଟି ଶ୍ଳୋକ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ଏଥିରେ କୁହାଯାଇଛି ଈଶ୍ଵର ଯେପରି ପତି, ପତ୍ନି ଓ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ବିଦ୍ୟମାନ ସେହିପରି ଆତ୍ମାସ୍ଵରୂପ କୃଷ୍ଣ ମଧ୍ୟ ସବୁଠାରେ ଅବସ୍ଥାନ କରନ୍ତି । ଯେପରି କ୍ଷତି, ଅପ, ତେଜ, ମରୁତ, ବ୍ୟୋମ ଓ ଆତ୍ମା ସମସ୍ତ ପ୍ରାଣୀମାନଙ୍କ ଭିତରେ ଅଛନ୍ତି, ସେପରି କୃଷ୍ଣ ମଧ୍ୟ ସର୍ବବ୍ୟାପକ । ଏହିପରି ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ରାସକ୍ରୀଡ଼ା ସବୁ ସଂକୀର୍ଣ୍ଣତା ଦୋଷ ବିବର୍ଜିତ । ଏହା ହିଁ ପ୍ରତିପାଦ୍ୟ ବିଷୟ ।

 

ବିଷ୍ଣୁ ପୁରାଣରେ ‘ରାସଲୀଳା’ର ବିକଶିତ ରୂପ ଦେଖିବାକୁ ମିଳେ । ଏଠାରେ କୃଷ୍ଣ ରାସକ୍ରୀଡ଼ାରୁ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଗଲେ । ବ୍ରଜାଙ୍ଗନାମାନେ କୃଷ୍ଣଙ୍କୁ ଖୋଜୁ ଖୋଜୁ କୃଷ୍ଣଙ୍କ ଚରଣ ଚିହ୍ନ ସହିତ କୌଣସି ଗୋଟିଏ ଭାଗ୍ୟବତୀ ଗୋପିକାର ଚରଣ ଚିହ୍ନ ମଧ୍ୟ ଦେଖିବାକୁ ପାଇଛନ୍ତି । ଶେଷରେ ନିରାଶ ଗୋପିକାମାନଙ୍କ ମଧ୍ୟରେ କୃଷ୍ଣ ଆବିର୍ଭୂତ ହୋଇ ରାସକ୍ରୀଡ଼ା କରିଛନ୍ତି । ଏଠାରେ ମଧ୍ୟ କୃଷ୍ଣଙ୍କ ସର୍ବ ବ୍ୟାପକତା ପ୍ରତିଷ୍ଠା କରି ସମ୍ଭାବ୍ୟ ଦୋଷଦର୍ଶନର ଆଶଙ୍କାକୁ ଦୂର କରାଯାଇଛି

 

ପଦ ପୁରାଣରେ ‘ରାସଲୀଳା’ର ସ୍ଵରୂପ ସମ୍ପୂର୍ଣ୍ଣ ଭାବରେ ସ୍ଵତନ୍ତ୍ର । ‘ରାସଲୀଳା’ ଏଠାର ତାନ୍ତ୍ରିକ ଗୂଢ଼ାର୍ଥ ବ୍ୟଞ୍ଜକ ।

 

ବ୍ରହ୍ମ ବୈବର୍ତ୍ତ ପୁରାଣରେ ‘ରାସଲୀଳା’ ବିଳାସିତାର ଚରମ ସୀମାରେ ଉପନୀତ । କୃଷ୍ଣ ଜନ୍ମଖଣ୍ଡର ୨୮ ଅଧ୍ୟାୟଟି ରାସଲୀଳାର ବର୍ଣ୍ଣନାରେ ପରିପୂର୍ଣ୍ଣ । ଏଥିରେ ରାସଲୀଳା ନାମରେ କାମୁକତାର ବର୍ଣ୍ଣନା ବିଶେଷ ଭାବେ ଉଲ୍ଲେଖଯୋଗ୍ୟ । ରାସ ମଣ୍ଡଳରେ ରାଧାଙ୍କ ସହିତ ନଅଲକ୍ଷ ଗୋପିକା ଓ ନଅଲକ୍ଷ ଗୋପ ଯୁବକ ଯୋଗଦେଇଛନ୍ତି । ରାସକ୍ରୀଡ଼ାରେ ରାଧା କୃଷ୍ଣଙ୍କ ବିସ୍ତାରିତ ସମ୍ଭୋଗ ବର୍ଣ୍ଣନା ଦେଖିବାକୁ ମିଳେ । ଏଠାରେ ରାଧା ସୌଭାଗ୍ୟ ଗର୍ବିଣୀ ହୋଇ ପଡ଼ିବାରୁ ଶ୍ରୀକୃଷ୍ଣ ଅନ୍ତର୍ହିତ ହୋଇଯାଇଛନ୍ତି ଓ ପରେ ପୁଣି ମିଳିତ ହୋଇଛନ୍ତି । ଏଠାରେ ରାସ ମଣ୍ଡଳ ଓ ରତ୍ନମଣ୍ଡଳର ଗୋଟିଏ ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି କରାଯାଇଛି । ରାସକ୍ରୀଡ଼ା ପରେ ଜଳକେଳି ଓ ବନବିହାରର ବର୍ଣ୍ଣନା ମଧ୍ୟ ଉଲ୍ଲେଖ ଯୋଗ୍ୟ ।

 

ଏତଦ୍‌ବ୍ୟତୀତ ଗର୍ଗ ସଂହିତା ଓ ଦେବୀ ଭାଗବତ ପୁରାଣରେ ମଧ୍ୟ ‘ରାସଲୀଳା’ର ବିଭିନ୍ନ ଚିତ୍ର ଦେଖିବାକୁ ମିଳେ । ଗର୍ଗ ସଂହିତାରେ ଚିରାଚିରିତ ରୀତିରେ ରାଧା ଓ ଗୋପୀକାମାନଙ୍କ ସହିତ କୃଷ୍ଣଙ୍କ ଲୀଳା ବର୍ଣ୍ଣିତ ହୋଇଥିବାବେଳେ ଦେବୀ ଭାଗବତରେ ରାସଲୀଳା ଆଧ୍ୟାତ୍ମିକ ମହତ୍ତ୍ୱ ପ୍ରକଟିତ ହୋଇଅଛି ।

 

ଉପରୋକ୍ତ ପୁରାଣମାନଙ୍କ ରାସଲୀଳା ବର୍ଣ୍ଣନାରୁ ପ୍ରାଚୀନ କାଳରେ ରାସଲୀଳାର ସ୍ଵରୂପ ବିଷୟରେ ଗୋଟିଏ ଧାରଣା କରିହୁଏ । ଗୋପୀ ଓ କୃଷ୍ଣଙ୍କର ମଣ୍ଡଳାକାର ନୃତ୍ୟ ବିଶେଷକୁ ରାସ କୁହାଯାଉଥିଲା ଏବଂ ସେଥିରେ ଦୁଇ ଗୋପୀଙ୍କ ମଧ୍ୟରେ ଗୋଟିଏ କୃଷ୍ଣଙ୍କ ସମାବେଶ ହେଉଥିଲା-। ପୁରୁଷ ଓ ସ୍ତ୍ରୀମାନଙ୍କ ମଧ୍ୟରେ ଲୀଳା ବିଳାସ ତଥା ରାସଲୀଳାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ।

 

କାବ୍ୟ ସାହିତ୍ୟରେ ‘ରାସଲୀଳା’ର ବୈଚିତ୍ର୍ୟ :

ପୁରାଣମାନଙ୍କରେ ‘ରାସଲୀଳା’ର ବିବିଧବିସ୍ତୃତି ବ୍ୟତୀତ ସଂସ୍କୃତ ନାଟକ ଓ କାବ୍ୟ ସାହିତ୍ୟରେ ମଧ୍ୟ ଏହାର ପ୍ରସାର ଉଲ୍ଲେଖଯୋଗ୍ୟ । ଭାଷଙ୍କ ବାଳଚରିତ ନାଟକ, ବାଣଭଟ୍ଟଙ୍କ ହର୍ଷ ଚରିତ, ମାଘକବିଙ୍କ ଶିଶୁପାଳ ବଧ, ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଆର୍ଯ୍ୟା ସପ୍ତସତୀ, ଶ୍ରୀ ହର୍ଷଙ୍କ ନୈଷଧୀୟ ଚରିତମ୍‌, ରାମଚନ୍ଦ୍ର ଗୁଣଚନ୍ଦ୍ରଙ୍କ ନାଟ୍ୟ ଦର୍ପଣ, ହେମଚନ୍ଦ୍ରଙ୍କ କାବ୍ୟାନୁଶାସନ ବ୍ୟତୀତ ସରସ୍ଵତୀ କଣ୍ଠାଭରଣ, ଦଶକୁମାର ଚରିତ, ଦଶରୂପକାବଲୋକ, ବକ୍ରୋକ୍ତି ଜୀବିତ, ଧ୍ଵନ୍ୟାଲୋକ, ଧ୍ୱନ୍ୟାଲୋକ ଲୋଚନ, ଯଶସ୍ତିଳକ ଚମ୍ପୂ, ନଳଚମ୍ପୂ, କାବ୍ୟ ମୀମାଂସା, ବେଣୀସଂହାର, ପଞ୍ଚତନ୍ତ୍ର, ଗାଥାଶପ୍ତଶତୀ ଇତ୍ୟାଦି ପ୍ରାକ୍‌ଗୀତ ଗୋବିନ୍ଦ ଓ ଗୀତ ଗୋବିନ୍ଦ ପରବର୍ତ୍ତୀ ବହୁ କାବ୍ୟ କବିତାରେ ଏହି ‘ରାସଲୀଳା’ର ବହୁ ବୈଚିତ୍ର୍ୟପୂର୍ଣ୍ଣ ପରିଦୃଷ୍ଟ ହୁଏ । କୃଷ୍ଣାଶ୍ରୟୀ କାବ୍ୟମାନଙ୍କରେ ‘ରାସଲୀଳା’ର ବର୍ଣ୍ଣନା ସବୁଠାରେ ସମାନ ଭାବରେ ଦୃଷ୍ଟିଗୋଚର ହୁଏ ନାହିଁ । କେତେକ କାବ୍ୟରେ ରାଧା ଓ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଥିବାବେଳେ ଆଉ କେତେକ କାବ୍ୟରେ କେବଳ ଗୋପୀ ଓ କୃଷ୍ଣ ଲୀଳାର ବର୍ଣ୍ଣନା କରାଯାଇଛି । ଏ କ୍ଷେତ୍ରରେ ରାଧାଙ୍କ ନାମୋଲ୍ଲେଖ ମଧ୍ୟ ନାହିଁ । ବହୁ ପ୍ରାଚୀନ କାଳରୁ ସଂସ୍କୃତ ସାହିତ୍ୟରେ ‘ରାସଲୀଳା’ର ଏ ଦୁଇଟି ଧାରା ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ । ହରିବଂଶ, ବିଷ୍ଣୁ, ବ୍ରହ୍ମ ଓ ଭାଗବତ ପୁରାଣରେ ରାସଲୀଳା ବର୍ଣ୍ଣନା ଗୋଟିଏ ମୁଖ୍ୟ ଉପଜୀବ୍ୟ ବସ୍ତୁ ହୋଇ ଥିଲେ ମଧ୍ୟ ଏ ସବୁ ଗ୍ରନ୍ଥରେ କୃଷ୍ଣଙ୍କ ସହିତ ରାଧାଙ୍କର ଉଲ୍ଲେଖ ଆଦୌ ନ ଥିବାବେଳେ, ଗର୍ଗ ସଂହିତା, ଦେବୀ ଭାଗବତ ବ୍ରହ୍ମ ବୈବର୍ତ୍ତ, ପଦ୍ମ, ବରାହ ଓ ଲିଙ୍ଗ ଇତ୍ୟାଦି ପୁରାଣମାନଙ୍କରେ ବର୍ଣ୍ଣିତ ରାସଲୀଳାରେ ରାଧାଙ୍କ ଭୂମିକା ଗୁରୁତ୍ଵପୂର୍ଣ । ଗୋପୀକୃଷ୍ଣ ଲୀଳାର ଦାର୍ଶନିକ ମହତ୍ତ୍ଵ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ପୂର୍ବରୁ ରାଧା ଜଣେ ସାମାନ୍ୟ କୃଷ୍ଣାନୁରାଗିଣୀ ନାୟିକା ଭାବରେ ହିଁ ଚିତ୍ରିତ ବୋଧହୁଏ ସର୍ବପ୍ରଥମେ ଜୟଦେବ ଗୀତଗୋବିନ୍ଦରେ କୃଷ୍ଣପ୍ରିୟା ରାଧାଙ୍କୁ ଦେବୀ ଭାବରେ ପ୍ରତିଷ୍ଠା କରିବା ପରେ ତଥା ନିମ୍ବାର୍କ ରାଧାକୃଷ୍ଣଲୀଳାର ଦାର୍ଶନିକ ବ୍ୟାଖ୍ୟା ଉପସ୍ଥାପିତ କରିବା ପରେ ପରବର୍ତ୍ତୀ ଲେଖକମାନେ ରାଧାକୃଷ୍ଣଲୀଳାର ମହତ୍ତ୍ୱ ଗାନରେ ମନ ସଂସ୍କୃତ ସାହିତ୍ୟରେ ଗୋପୀକୃଷ୍ଣମୂଳକ ଓ ରାଧାକୃଷ୍ଣାତ୍ମକ ‘ରାସଲୀଳା’ର ପର୍ଯ୍ୟାଲୋଚନା କରି ତଦ୍‌ବିଦ ପଣ୍ଡିତମାନେ ଏ ଦୁଇଟି ପରମ୍ପରାର ସୂଚନା ଚୈତନ୍ୟଙ୍କ ଆବିର୍ଭାବ ପରେ ଓ ବଳଦେବ ବିଦ୍ୟାଭୂଷଣଙ୍କ ‘ପ୍ରେମାଭକ୍ତି’ ଉପରେ ଭାଷ୍ୟ ରଚନା ପରେ, ସାହିତ୍ୟ ରାଜ୍ୟରେ ରାଧାକୃଷ୍ଣଙ୍କ ରାଜତ୍ଵ ସମଗ୍ର ସଂସ୍କୃତ ଓ ପ୍ରାଦେଶିକ ସାହିତ୍ୟଗୁଡ଼ିକୁ ଅପୂର୍ବ ଭାବସମ୍ପଦ ଓ ସୌନ୍ଦର୍ଯ୍ୟଶ୍ରୀରେ ରଦ୍ଧିମନ୍ତ କରିଅଛି । କିନ୍ତୁ ଏହି ରାଧାକୃଷ୍ଣ ଲୀଳାତ୍ମକ ସୁରତ ବର୍ଣ୍ଣନା କେତେକ ଅବର କବିଙ୍କ ହସ୍ତରେ ସଂଯତ ହେବା ପରିବର୍ତ୍ତେ ନିତାନ୍ତ ଅଶ୍ଳୀଳ ହୋଇପଡ଼ିଛି । ଧର୍ମ ନାମରେ ଯଥେଚ୍ଛାରିତା ଅପାଙ୍‌କ୍ତେୟ ତଥା ଅସଙ୍ଗତ ମନେହୁଏ ।

 

ମାଧୁର୍ଯ୍ୟଭକ୍ତିନିଷ୍ଠ ବୈଷ୍ଣବ ସମ୍ପ୍ରଦାୟରେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର ମଞ୍ଜୁଳ ବର୍ଣ୍ଣନା ଦେଖାଯାଏ । ମୁଖ୍ୟତଃ ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ସୌନ୍ଦର୍ଯ୍ୟ, ଶକ୍ତି ଓ ଐଶ୍ୱର୍ଯ୍ୟର ଯଥାର୍ଥ ପରିପ୍ରକାଶ ହୋଇଥାଏ । ଭକ୍ତମାନେ ଏହି ଲୀଳାର ନାନା ଆଧ୍ୟାତ୍ମିକ ତଥା ଆଧିଭୌତିକ ଅର୍ଥ କରି ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସ୍ଵରୂପକୁ ହୃଦୟଙ୍ଗମ କରନ୍ତି । ଏହି ସବୁ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ରାସଲୀଳା’ର ସର୍ବଶ୍ରେଷ୍ଠତା ସମସ୍ତେ ସ୍ଵୀକାର କରନ୍ତି । ରାସଲୀଳାର ଭାବବ୍ୟଞ୍ଜନା ମାନବିକ ଚିରନ୍ତନ ଅନୁଭୂତିର ଯଥାର୍ଥ ଦ୍ୟୋତକ ହୋଇଥିବାରୁ କାବ୍ୟିକ କଳ୍ପନା ବିଳାସିତାର ଚରମୋତ୍‌କର୍ଷ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଜନତା ସେସବୁର ମନନ, ଅଧ୍ୟୟନ ଓ ଆସ୍ଵାଦନରେ ଅକୁଣ୍ଠ ଆଗ୍ରହ ପ୍ରକାଶ କରି ଆସିଛି ।

 

ଭାଗବତ ପୁରାଣାଦି ଗ୍ରନ୍ଥରେ ବର୍ଣ୍ଣିତ ରାସଲୀଳାର ବାହ୍ୟ ସ୍ୱରୂପଟି କାମଲୀଳାପୂର୍ଣ୍ଣ ହୋଇଥିବାରୁ ତାହାର ତାହାର ତାତ୍ତ୍ୱିକ ବିଚାର ବିଶ୍ଳେଷଣ ପ୍ରତି ଅନେକ ପାଠକ ବିମୁଖ ହୁଅନ୍ତି । କିନ୍ତୁ ଆଧ୍ୟାତ୍ମିକ ଚିନ୍ତାକୁ ବାଦଦେଲେ ନୀତି ନିୟମ ଓ ଆଦର୍ଶର ପୀଠ ଭାରତ ବର୍ଷର ଧାର୍ମିକ ଜୀବନରେ ଏହାର କୌଣସି ମୂଲ୍ୟବୋଧ ରହିବ ନାହିଁ । ବସ୍ତୁତଃ ସବୁ ଧାର୍ମିକ ସମ୍ପ୍ରଦାୟ ଏହି ‘ରାସଲୀଳା’କୁ ଧାର୍ମିକ ସାଧନାର ସର୍ବଶ୍ରେଷ୍ଠ ଉପାୟ ଭାବରେ ଗ୍ରହଣ କରିଛନ୍ତି । ବଲ୍ଲଭାଚାର୍ଯ୍ୟ ଭାଗବତର ସୁବୋଧିନୀ ଟୀକାରେ ବ୍ୟକ୍ତ କରିଛନ୍ତି ଯେ ‘ରାସଲୀଳା’ର ବିଭିନ୍ନ କାମଚେଷ୍ଟା ମଧ୍ୟରେ କାମର ଅଭାବ ଓ ଗୋପୀମାନଙ୍କର ମୁକ୍ତି ଅଭିବ୍ୟଞ୍ଜିତ । ରାସକ୍ରୀଡ଼ା ଜନିତ ମାନସିକ ଅନୁଭବଦ୍ୱାରା ରସାଭିବ୍ୟକ୍ତି ହୁଏ, ଦୈହିକ ଅନୁଭବଦ୍ୱାରା ନୁହେଁ- ‘‘ରାସକ୍ରୀଡ଼ାୟାଂ ମନସୋ ରସୋଦ୍‍ଗମଃ ନତୁଦେହସ୍ୟ’’ । ଶ୍ରୀଧରସ୍ଵାମୀ ରାସପଞ୍ଚାଧ୍ୟାୟୀର ବ୍ୟାଖ୍ୟା ପ୍ରସଙ୍ଗରେ ରାସଲୀଳାକୁ ନିବୃତ୍ତିପରକ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି । ସନାତନ ଗୋସ୍ଵାମୀଙ୍କ ମତରେ ଏହା ହ୍ଲାଦିନୀ ଶକ୍ତିର ବିଳାସ ମାତ୍ର । ସମସ୍ତ ଧର୍ମ ପ୍ରବର୍ତ୍ତକ ଓ ଆଧୁନିକ ବିଜ୍ଞ ସମାଲୋଚକମାନେ ମଧ୍ୟ ରାସଲୀଳାର ଆଧ୍ୟାତ୍ମିକ ତଥା ପ୍ରତୀକ ଅର୍ଥ ବହୁଭାବରେ ବିଶ୍ଳେଷଣ ଭଗବତ୍‌ ଉପଲବ୍‌ଧି କ୍ଷେତ୍ରରେ ଏହା ମାନବ ସମାଜ ପ୍ରତି ଗୋଟିଏ ଦୁଲ୍ଲଭ ଆଶୀର୍ବାଦ ବୋଲି ଦୃଢ଼ସ୍ଵରରେ ଘୋଷଣା କରିଛନ୍ତି । ଶ୍ରୀମଦ ଭାଗବତ ମହାପୁରାଣରେ ମଧ୍ୟ ପରୀକ୍ଷିତ ଶୁକମୁନିଙ୍କୁ ପଚାରି- ‘‘ହେ ମହର୍ଷି ! କୃଷ୍ଣ ହେଉଛନ୍ତି ଧର୍ମାଚାରର ସ୍ରଷ୍ଟା, ପାଳନକର୍ତ୍ତା ଓ ରକ୍ଷାକର୍ତ୍ତା । ସେ କିପରି ପରସ୍ତ୍ରୀ ଗୋପିକାମାନଙ୍କ ସହିତ କାମକ୍ରୀଡ଼ା କଲେ ? -ଶୁକ ଉତ୍ତରରେ କହିଛନ୍ତି- ‘‘ଶ୍ରୀକୃଷ୍ଣଙ୍କ ଆଚରଣ ନିଶ୍ଚୟ ଧର୍ମ ବିରୁଦ୍ଧ କାର୍ଯ୍ୟ ! କିନ୍ତୁ ଯିଏ ସର୍ବଶକ୍ତିମାନ୍‌ ଈଶ୍ଵର, ତାହାଙ୍କ ପକ୍ଷରେ ଏହା ଗର୍ହିତ ଦୋଷ ନୁହେଁ, ଯେପରି ଅଗ୍ନି ପାଇଁ ଅଭକ୍ଷ୍ୟ ବୋଲି କିଛି ନାହଁ । ସେ ସର୍ବଭୁକ୍‌

 

ଶ୍ରୀକୃଷ୍ଣ ପରଂବ୍ରହ୍ମ । ରମଣ କରିବା ସମୟରେ ଶ୍ରୀକୃଷ୍ଣଙ୍କୁ ‘‘ଆତ୍ମାରାମ’’ ଓ ଦର୍ଶନ ଦେବା ସମୟରେ ‘‘ମନ୍ମଥ ମନ୍ମଥ’’ ଏବଂ ରାସଲୀଳା କରୁଥିବା ସମୟରେ ‘‘ଯୋଗେଶ୍ୱର’’ ବୋଲି ବର୍ଣ୍ଣନା କରାଯାଇଛି । ଗୋଟିଏ ନିରୀହ ବାଳକ ଯିମିତି ନିଜ ପ୍ରତିବିମ୍ବ ସହିତ ଖେଳେ ସେହିପରି ଶ୍ରୀକୃଷ୍ଣ ମଧ୍ୟ ବ୍ରଜସୁନ୍ଦରୀମାନଙ୍କ ସହିତ ନିର୍ବିକାର ଚିତ୍ତରେ ରାସକ୍ରୀଡ଼ା କରିଥିଲେ-

 

‘‘ରେମେ ରମେଣୋବ୍ରଜ ସୁନ୍ଦରୀଭିଃ

ଯଥାର୍ଭକଃ ସ୍ଵ ପ୍ରତିବିମ୍ବ ବିଭ୍ରମଃ ।’’

 

ରାସ ପଞ୍ଚାଧ୍ୟାୟୀର ଅନ୍ତିମ ଶ୍ଳୋକରେ ‘ରାସଲୀଳା’ର ଆଭିମୁଖ୍ୟ ଘୋଷଣା କରି ଭାଗବତକାର ଲେଖିଛନ୍ତି - ‘ଯେଉଁମାନେ ଶ୍ରଦ୍ଧା ଓ ମନନ ପୂର୍ବକ ରାସଲୀଳା ଅଧ୍ୟୟନ କରନ୍ତି ଅଥବା ଶୁଣନ୍ତି ସେମାନଙ୍କ ହୃଦୟରେ ପରା ଭଗବଦ୍‌ ଭକ୍ତିର ଉଦ୍ରେକ ହୁଏ ଏବଂ କାମରୂପକ ହୃଦ୍‌ରୋଗ ଅଚିରେ ଧ୍ଵଂସ ପ୍ରାପ୍ତ ହୁଏ ଏହା ହିଁ ଏହି ଲୀଳାର ପ୍ରଧାନ ପ୍ରୟୋଜନ । ଏହି ପ୍ରୟୋଜନ ବିଷୟରେ ଆଜିର ବୈଜ୍ଞାନିକ ରୁଚି ସମ୍ପନ୍ନ କେତେକ ବିଜ୍ଞ ଲୋକଙ୍କର ବହୁ ମତ ମତାନ୍ତର ଥିଲେ ମଧ୍ୟ ରାସଲୀଳାର ଏହି ଆଧ୍ୟାତ୍ମିକ ବ୍ୟାଖ୍ୟା ପ୍ରତି ଅନାସ୍ଥାଭାବ ପ୍ରକାଶ କଲେ ଆମର କୃଷ୍ଣ ଲୀଳାତ୍ମକ ବିରାଟ ସାହିତ୍ୟ ସୌଧର ଭିତ୍ତିଭୂମି ଦୋହଲି ଉଠିବ । ଏ କଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ମଧ୍ୟକାଳୀନ ଭାରତୀୟ ତଥା ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟର ସମସ୍ତ କଳାତ୍ମକ ବିସ୍ତାର, ପ୍ରତିଭାର ଅପୂର୍ବ ସ୍ଫୁରଣ, ସାହିତ୍ୟିକ ଚମତ୍‌କାରିତାର ବିକଚ ବିକାଶ, ସୌନ୍ଦର୍ଯ୍ୟାନୁଭୂତିର ସୂକ୍ଷ୍ମତମ ବିଶ୍ଳେଷଣ, ହୃଦ ସ୍ପନ୍ଦନର ସମସ୍ତ ଆନ୍ତରିକ ଅଭିବ୍ୟକ୍ତି ଏହି କୃଷ୍ଣଲୀଳା ଉପରେ ଆଧାରିତ । ବହୁ ଯୁଗ ମଧ୍ୟ ଦେଇ ଏହି ରାସଲୀଳା ଆଜି ମଧ୍ୟ ଗୋଟିଏ ଧାର୍ମିକ ଅନୁଷ୍ଠାନ ଭାବରେ ସାହିତ୍ୟ, ସଙ୍ଗୀତ ତଥା ନୃତ୍ୟରେ ରୂପାୟିତ ହୋଇ ଆସୁଅଛି । ଏ ଦୃଷ୍ଟିରୁ ଆଜି ମଧ୍ୟ ଭାରତୀୟ ଜନଜୀବନରେ ଏହାର ପ୍ରଭାବକୁ ଅସ୍ୱୀକାର କରାଯାଇ ନ ପାରେ, ବାସ୍ତବରେ ବହୁ ଧାର୍ମିକ ତଥା ସଂସ୍କୃତିସମ୍ପନ୍ନ ଭାରତୀୟ ତଥା ୟୁରୋପୀୟମାନେ ରାସଲୀଳାର ମହତ୍ୱ ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ରାସଲୀଳା ପ୍ରଧାନ କାବ୍ୟଗୁଡ଼ିକର ବିଷୟବସ୍ତୁ ଧାର୍ମିକ, ରୂପଟି କାବ୍ୟିକ କଳ୍ପନା ଓ ଚମତ୍‌କାରିତାପୂର୍ଣ୍ଣ, ପରିବେଷଣଟି ସାଂଗୀତିକ ତଥା ମଧୁର ମୂର୍ଚ୍ଛନା ସମନ୍ୱିତ ହୋଇଥିବାରୁ ଏହା ସବୁପ୍ରକାର ଅଭିରୁଚିସମ୍ପନ୍ନ ପାଠକମାନଙ୍କର ପ୍ରିୟପାତ୍ର ହୋଇ ପାରିବ ବୋଲି ଯଥାର୍ଥରେ କବିମାନେ ଆଶାପୋଷଣ କରି ନିଜ ନିଜର ରାସଲୀଳାତ୍ମକ କାବ୍ୟର କରିଛନ୍ତି ।

 

 

ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟକ୍ଷ

ମେଡ଼ିକାଲ ବ୍ୟାଙ୍କ କଲୋନୀ, ଫ୍ରଣ୍ଟ୍‌ଲାଇନ

ବ୍ରହ୍ମପୁର - ୭୬୦୦୦୪

 

ସହାୟକ ଗ୍ରନ୍ଥସୂଚୀ :

୧.

ଶ୍ରୀକୃଷ୍ଣ ଲୀଳାମୃତମ୍‌ ମହାକାବ୍ୟମ୍‌ – ଶେଷଶ୍ଳୋକ

 

‘‘ଶ୍ରୀମଦ୍‌ ଭାଗବତାମ୍ବୁଧ୍‌ ସମୁଦ୍ରଦ୍‌ଭୂତଂ ତଦାନନ୍ଦନଂ

 

ନିତ୍ୟାନନ୍ଦ କବେ ରବେ ହି ଭଣିତଂ ଶ୍ରୀକୃଷ୍ଣ ଲୀଳାମୃତମ୍‌

 

ସମ୍ପାଦନା - ଡ : ବନମାଳୀ ରଥ

୨.

‘‘ମଣ୍ଡଳେନ ତୁ ଯନ୍ନାଟ୍ୟଂ ହଲ୍ଲୀସକମିତି ଶ୍ରୁତମ୍‌

୩.

ମଣ୍ଡଳେନ ତୁ ଯତ୍‌ ସ୍ତ୍ରୀଣାଂ ନୃତ୍ତଂହଲ୍ଲିସକଂ ତୁ ତତ୍‌

ନେତାତତ୍ର ଭବେଦେକୋ ଗୋପସ୍ତ୍ରୀଣାଂ ଯଥାହରିଃ

୪.

ହଲ୍ଲୀସକ କ୍ରୀଡ଼ନଂ....ସୈବରାସକ୍ରୀଡ଼ା, ହରିବଂଶ ୨.୨୦.୩୫

୫.

ଶ୍ରୀକୃଲୀ - ‘‘ମଦନ ନିଗମ ସମୟାନୁଗତଂ କୃତମୁଚିତ ରାସବିଳାସଂ’’ ।

୬.

ତାସ୍ତସ୍ୟ ନୃତ୍ୟଂଗୀତଂଚ ବିଳାସ ସ୍ମିତ ବୀକ୍ଷିତମ୍‌।

 

ମୁଦିତାଶ୍ଚାନୁକୁର୍ବନ୍ତ୍ୟଃ କ୍ରିଡ଼ନ୍ତି ବ୍ରଜଯୋଷିତଃ ॥ ହରିବଂଶ । ୨।୨୦।୨୮

୭.

ବିଷ୍ଣୁପୁରାଣ - ଅଂଶ ୫, ଅଧ୍ୟାୟ ୧୩ ।

୮.

ଦେବୀ ଭାଗବତ ପୁରାଣ ୯।୨।୨୪,୨୬,୩୬, ୪୫-୪୭.

୯.

‘ସା କୂତ ହାସ ପରିହାସ ବଚୋବିଳାସ’ ଶ୍ରୀକୃ.ଲୀ. ଶ୍ଳୋକ ୧୫୩

୧୦.

Dr.B. Rath –A study on the Imitations of Gitagovinda of Jayadev

୧୧.

Dr.B.Nath-A study on the Srikrishnalilamrutam Chapter - V.

୧୨.

DS. Sharma - Hinduism Through the Ages. p. 56.

୧୩.

Dr. S.K De- Vaisnava Faith and Movement

 

‘‘ହଜାରୀ ପ୍ରସାଦ ଦ୍ୱିବେଦୀ ବୈଷ୍ଣବ ପ୍ରେମ ସାଧନା’’

୧୪.

ଡଃ ଦୀନଦୟାଲ ଗୁପ୍ତ - ଅଷ୍ଟଛାପ ଔର ବଲ୍ଲଭ ସମ୍ପ୍ରଦାୟ ପୃଷ୍ଠା- ୧୯୭ ।

 

‘‘ଶ୍ରୀ ଭଗବତ୍‌ ତତ୍ତ୍ଵ’’ - ଶ୍ରୀକର ପାତ୍ରୀ ଜୀ. ପୃ-୨୧୮ ।

୧୫.

ଭାଗବତ ୧୦।୩୦।୨୬-୨୮

 

B.K. sarkar-"Love in Hindu Literature"

୧୬.

ଭାଗବତ ୧୦-୩୩-୩୫

‘‘ଧର୍ମ ବ୍ୟତିକରୋ ଦୃଷ୍ଟଃ ଈଶ୍ଵରାଣାଂ ଚ ସାହସମ୍‌

ତେଜୀୟସାଂ ନ ଦୋଷାୟ ବହ୍ନେ ସର୍ବଭୁଜୋଯଥା ।’’

୧୭.

ଭାଗବତ, ୧୦-୩୦- ୪୦

‘‘ବିକ୍ରୀଡ଼ିତଂ ବ୍ରଜ ବଧୂଭି ରିଦଂଚ ବିଷ୍ଣୋଃ

ଶ୍ରଦ୍ଧାନ୍ୱିତୋନୁଶ୍ରୁଣୁ‌ୟାଦଥବର୍ଣ୍ଣୟେତ୍‌ ଯଃ ।

ଭକ୍ତିଂପରାଂ ଭଗବତି ପ୍ରତିଲଭ୍ୟ କାମମ୍‌

ହୃଦ୍‌ରୋଗମାଶ୍ୱପହିନୋ ଦଚିରେଣ ଧୀରଃ ॥’’

୧୮.

ଗୀତଗୋବିନ୍ଦ-

‘‘ସାନନ୍ଦା ପରିଶୋଧୟନ୍ତୁ ସୁଧିୟଃ ଶ୍ରୀ ଗୀତ ଗୋବିନ୍ଦତଃ ।’’୨୪.୪

ଶ୍ରୀକୃଷ୍ଣ ଲୀଳାମୃତମ୍‌-

‘‘ରାଧାମାଧବ କେଳି । କୌତୁକରଂ ଯଦ୍ୟନ୍ତରଂ ନିର୍ଭରଂ,

ନିତ୍ୟାନନ୍ଦ କବେର ବେହିଭଣିତଂ ଶ୍ରୀକୃଷ୍ଣ ଲୀଳାମୃତମ୍‌।’’ ୧୨/୧୮

 

***

 

ଓଡ଼ିଆ ସାହିତ୍ୟକୁ ନନ୍ଦିନୀ ଶତପଥୀଙ୍କ ଅବଦାନ

ଡକ୍ଟର ସୁବାଷ ନାୟକ

 

ସ୍ଵର୍ଗତା ନନ୍ଦିନୀ ଶତପଥୀ ଭାରତବର୍ଷରେ ପ୍ରାୟ ଜଣେ ରାଜନେତ୍ରୀ ଭାବରେ ସୁବିଦିତା । ମାତ୍ର ଓଡ଼ିଆ ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ଏହି ସାରସ୍ଵତ ବ୍ୟକ୍ତିତ୍ଵ ସମ୍ପର୍କରେ ସମସ୍ତେ ପ୍ରାୟ ପରିଚିତ ନୁହନ୍ତି ।

 

ପ୍ରଖ୍ୟାତ ସାହିତ୍ୟିକ, ସବୁଜକବି, ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର କାଳଜୟୀ ଉପନ୍ୟାସ ‘‘ମାଟିର ମଣିଷ’’ ଯେଉଁଦିନ ଶେଷ ସ୍ପର୍ଶ ପାଇଥିଲା, ସେହିଦିନ ହିଁ ଭୂମିଷ୍ଠ ହୋଇଥିଲେ ନନ୍ଦିନୀ । ଉକ୍ତ ଦିନଟି ଥିଲା ୧୯୩୧ ମସିହା ଜୁନ ୯ ତାରିଖ । କଟକର ଖ୍ରୀଷ୍ଟିଆନ୍‌ ସାହିର ଯାଚକ ଲେନ୍‌ରେ ପ୍ରସିଦ୍ଧ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ଏହି ‘‘ନନ୍ଦିନୀ’’, ଯାହା ପାଇଁ କେବଳ ପିତାମାତା ନୁହନ୍ତି, ସାରା ଓଡ଼ିଶା ଗର୍ବବୋଧ କରିଥିଲା । ଜାତି ଓ ଦେଶର ଗୌରବ ନନ୍ଦିନୀ ରାଜନୀତି କ୍ଷେତ୍ରରେ ଯେପରି ପ୍ରବୀଣା, ସାହିତ୍ୟ କ୍ଷେତ୍ରରେ ସେପରି ମଧ୍ୟ ଧୂରୀଣା । ସମାଜରେ ନିଷ୍ପେଷିତ ମଣିଷର ବ୍ୟଥା ଓ ବେଦନାକୁ ଦୂର କରିବାର ଦୃଢ଼ ସଂକଳ୍ପ ନେଇ ସେ ରାଜନୀତିର କଣ୍ଟକିତ କ୍ଷେତ୍ରରେ ପାଦ ଥାପିଥିଲେ । ସେହିପରି ଗଭୀର ମାନବବାଦୀ ଚେତନା ଓ ସଂବେଦନାର ଭରପୁର ହୃଦୟଟିଏ ନେଇ ସାହିତ୍ୟ ରଚନାରେ ସେ ନିଜକୁ ସାମିଲ କରିଥିଲେ ।

 

ନନ୍ଦିନୀ ଶତପଥୀ ଥିଲେ ଜଣେ କୁଳୀନ ଆଉ ଯଥେଷ୍ଟ ସାହିତ୍ୟିକ ପରିବେଶ ପରିବାରର କନ୍ୟାରତ୍ନ । ନନ୍ଦିନୀଙ୍କର ଘର ଥିଲା- ସାମ୍ୟବାଦୀ ଚିନ୍ତାଧାରାର ଏକ ପ୍ରୟୋଗଶାଳା । ତାଙ୍କର ବାପା ଥିଲେ ଓଡ଼ିଶାର ବିଶିଷ୍ଟ ସବୁଜକବି ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ, ଯେ କି ‘ମାଟିର ମଣିଷ’ ପରି କାଳଜୟୀ ଉପନ୍ୟାସ ରଚନା କରି ସାରା ଜନମାନସରେ ନିଜକୁ ପରିଚିତ କରାଇଥିଲେ । ତାଙ୍କର କକେଇ ଥିଲେ ବିଶିଷ୍ଟ କମ୍ୟୁନିଷ୍ଟ ଦଳର ନେତା ଓ ଓଡ଼ିଶାରେ କମ୍ୟୁନିଷ୍ଟର ଜନକ ଭଗବତୀ ଚରଣ ପାଣିଗ୍ରାହୀ । ସେ ମଧ୍ୟ ‘‘ଶିକାର’’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖି ସାରା ଦେଶରେ ହଇଚଇ ସୃଷ୍ଟି କରି ପାରିଥିଲେ । ଯଥେଷ୍ଟ ବୁନିଆଦି ଥିବା ଦିବ୍ୟସିଂହ ପାଣିଗ୍ରାହୀ ହେଉଛନ୍ତି ନନ୍ଦିନୀଙ୍କର ପିତାମହ । ତାଙ୍କର ଉପନ୍ୟାସ ଥିଲା -‘‘ତୁ ମୋ ମାଆ’’ ।

 

ମଣିଷକୁ ଭଲପାଇ ସେ ହୋଇଥିଲେ କବି, ତା’ର ଦୁଃଖ ଦୁର୍ଦ୍ଦଶାକୁ ଲେଖନୀ ମୁନରେ ରୂପାୟିତ କରି ସେ ପାଲଟିଥିଲେ ଗାଳ୍ପିକା ଏବଂ ଅନୁବାଦିକା । ମଣିଷକୁ ତା’ର ନ୍ୟାଯ୍ୟ ଦାବି ଦେବାପାଇଁ ସେ ସାଜିଥିଲେ ରାଜନୀତିଜ୍ଞ । ନନ୍ଦିନୀଙ୍କୁ ସମସ୍ତେ ମୁଖ୍ୟତଃ ଜାଣନ୍ତି, ରାଜନୀତିଜ୍ଞ ଭାବେ, କିନ୍ତୁ ସେହି ରୁକ୍ଷ ବନ୍ଧୁର ରାଜନୈତିକ ଜୀବନର ଧୂସରତା ତଳେ ଛାପି ହୋଇ ରହିଥିଲା - ଅନ୍ତସଲୀଳା ଫଲ୍‌ଗୁ ପରି କଳନାଦରେ ବହି ଯାଉଥିବା ସାହିତ୍ୟର ଛଳ ଛଳ ଧାରାଟିଏ ।

 

ନନ୍ଦିନୀ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ- କଟକର ରେଭେନ୍‌ସା ବାଳିକା ବିଦ୍ୟାଳୟରେ । ବାପା କାଳିନ୍ଦୀଚରଣଙ୍କର ଭାଷା ଓ ଦାଦା ଭଗବତୀଚରଣଙ୍କର ଭାବ ତାଙ୍କୁ ପିଲାଟିଦିନରୁ ପ୍ରଭାବିତ କରିଥିଲା । ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ‘‘ଅନାଥ’’ ବୋଲି ଏକ ଗଳ୍ପ ରଚନା କରିଥିଲେ । ସେହି ଦିନରୁ ସେ ସାହିତ୍ୟରେ ମନୋନିବେଶ କରିଥିଲେ । ସେଠାରେ ପାଠ ପଢ଼ିସାରିବା ପରେ ସେ ଆସିଥିଲେ ରେଭେନ୍ସା କଲେଜକୁ । କଲେଜକୁ ଆସିବାବେଳକୁ ନନ୍ଦିନୀ ଛାଇ ଯାଇଥିଲେ ସମଗ୍ର ଓଡ଼ିଶାରେ । ୧୯୪୬ ମସିହାରେ କଲେଜର କୋଠ ଉପରୁ ସେ ବ୍ରିଟିଶ୍‌ପତାକା ‘ୟୁନିଅନ୍‌ଜ୍ୟାକ୍’ ଓହ୍ଲାଇ ଆଣିଥିଲେ । ୧୯୫୧ର ଛାତ୍ର ଆନ୍ଦୋଳନରେ ସେ ନିଜର ସହକର୍ମୀ ଢେଙ୍କାନାଳର ଧଳପୁର ଶାସନର ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ ।

 

ଗରିବ ମଣିଷର ଅକୁହା କଥା ବେଶ ଆନ୍ଦୋଳିତ କରୁଥିଲା ନନ୍ଦିନୀଙ୍କର ପ୍ରାଣକୁ । ସେ ସବୁବେଳେ ଲଢ଼ୁଥିଲେ ହକ୍‌ପାଇଁ । ସାମ୍ୟବାଦୀ ରାଜନୀତିରୁ ନନ୍ଦିନୀ ଆସିଥିଲେ ୧୯୬୦ ମସିହାରେ କଂଗ୍ରେସକୁ । ୧୯୬୦ରେ ନନ୍ଦିନୀଙ୍କୁ ଦିଆଯାଇଥିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଦାୟିତ୍ୱ । ୧୯୬୨ ମସିହାରେ ନନ୍ଦିନୀ ଯାଇଥିଲେ ରାଜ୍ୟସଭାର ସାଂସଦ ଭାବେ ଭାରତୀୟ ପାର୍ଲାମେଣ୍ଟକୁ । ନନ୍ଦିନୀଦେବୀ ରାଜ୍ୟସଭାରେ ଏକ ଭାଷଣ ଦେଉଥିବା ସମୟରେ ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ନନ୍ଦିନୀଙ୍କର କଥା କହିବାର ଢଙ୍ଗ, ଶୈଳୀ ଓ ସ୍ପଷ୍ଟ ଚିନ୍ତାଧାରା ଆଶ୍ଚର୍ଯ୍ୟ କରିଥିଲା ନେହେରୁଙ୍କୁ । ସେ ବିସ୍ମୟରେ ପଚାରିଥିଲେ- ‘‘ହୁ ଇଜ୍‌ ଦି ୟଙ୍ଗ ଲେଡ଼ି ?’’

 

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ନନ୍ଦିନୀ ଥିଲେ ସବୁଠାରୁ ଚର୍ଚ୍ଚିତା । ସେ ସମୟରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି, ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାପତି, କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟା । ୧୯୬୬ ମସିହାରେ ନନ୍ଦିନୀଙ୍କୁ ଇନ୍ଦିରା କରିଥିଲେ କେନ୍ଦ୍ରମନ୍ତ୍ରୀ (ସୂଚନା ଓ ପ୍ରସାରଣ ବିଭାଗ) । ୧୯୬୮ରେ ନନ୍ଦିନୀ ଯାଇଥିଲେ ଦ୍ୱିତୀୟ ବାର ରାଜ୍ୟସଭାକୁ ଓ ପୁନଶ୍ଚ ହୋଇଥିଲେ କେନ୍ଦ୍ରମନ୍ତ୍ରୀ (ମିନିଷ୍ଟର ଆଟାଚ୍‌ ଟୁ ପ୍ରାଇମ୍‌ ମିନିଷ୍ଟର) । ଇନ୍ଦିରାଜୀଙ୍କର ବିଦେଶ ଗସ୍ତ ଓ ସରକାରୀ କାର୍ଯ୍ୟକ୍ରମର ଛାୟା ହୋଇଯାଇଥିଲେ ନନ୍ଦିନୀଦେବୀ ।

 

ନନ୍ଦିନୀଙ୍କର ରାଜନୈତିକ ଜୀବନରେ ଏକ ପ୍ରମୁଖ ଘଟଣା ହେଉଛି ୧୯୭୧ ମସିହାରେ କଟକ ବିଧାନସଭା ଉପନିର୍ବାଚନ । ଗୋଟେପଟେ ନନ୍ଦିନୀ, ଅପରପଟେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ଥିଲେ ମୁଖ୍ୟମନ୍ତ୍ରୀ ବିରେନ୍‌ ମିତ୍ର ଓ ତାଙ୍କ ସମର୍ଥିତ ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ - ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ବିଜୁ ପଟ୍ଟନାୟକ । ଶେଷରେ ନନ୍ଦିନୀଙ୍କର ହିଁ ବିଜୟ ଘଟିଲା । ପରେ ନନ୍ଦିନୀଙ୍କର ରାଜନୈତିକ ଜୀବନରେ ଆସିଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ- ୧୯୭୨ରୁ ୧୯୭୪ ଏବଂ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ୧୯୭୪ରୁ ୧୯୭୬ । ତାଙ୍କର ମୁଖ୍ୟମନ୍ତ୍ରୀତ୍ଵ ସମୟରେ ସେ ଓଡ଼ିଶାର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଅଛନ୍ତି । ବିଶେଷତଃ ଭୂସଂସ୍କାର ତାଙ୍କର ଏକ ପ୍ରମୁଖ ଅବଦାନ । ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ ଅଧ୍ୟକ୍ଷା, ବହୁବାର ବିଧାୟିକା ଭାବରେ ସେ ନିଜର ରାଜନୈତିକ ଜୀବନ ଅତିବାହିତ କରିଥିଲେ ।

 

ରାଜନୀତି ଭିତରେ ସବୁ ଭୁଲି ହୋଇଯାଏ, କିନ୍ତୁ ନନ୍ଦିନୀ ଭୁଲି ନ ଥିଲେ ସାରସ୍ଵତ ସାଧନାକୁ । ରେଭେନ୍‌ସା କଲେଜରୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଏମ୍‌.ଏ. ପାଶ୍‌ କଲାପରେ ସାରସ୍ଵତ ସୃଷ୍ଟିରେ ସାଧାରଣ ମଣିଷର ଭାଷା ତାଙ୍କ ଭିତରେ ଫୁଟି ଉଠିଥିଲା । ନନ୍ଦିନୀଦେବୀ ଯେପରି ଜଣେ ସୃଷ୍ଟିଶାଳୀ ଲେଖିକା ସେହିପରି ଜଣେ ସଫଳ ଅନୁବାଦିକା । ତାଙ୍କର ସୃଷ୍ଟିଶାଳୀ ଲେଖନୀରେ ଦୁଇଗୋଟି ଗଳ୍ପ ସଂକଳନ, ‘‘କେତୋଟି କଥା’’ ଓ ‘‘ସପ୍ତ ଦଶୀ’’ ଓ ଗୋଟିଏ କବିତା ସଂକଳନ- ‘‘ଉତ୍ତର ପୁରୁଷ’’ । ଅନୁବାଦ ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କୃଷ୍ଣା କ୍ରିପାଳିନୀଙ୍କ ଦ୍ୱାରା ଲିଖିତ ମହାତ୍ମାଗାନ୍ଧୀଙ୍କର ଆତ୍ମଜୀବନୀର ଓଡ଼ିଆ ଅନୁବାଦ - ‘‘ଗାନ୍ଧୀ କଥାମୃତ’’ । ଯାହାକି ସାହିତ୍ୟ ଏକାଡେମୀ ୧୯୬୦ ମସିହାରେ ଏ ପୁସ୍ତକକୁ ପ୍ରକାଶ କରିଥିଲେ । ବିଶିଷ୍ଟ ବଙ୍ଗଳା ଲେଖିକା ମହାଶ୍ଵେତାଦେବୀଙ୍କର ‘‘ନିର୍ବାଚିତ ଗଳ୍ପ’’, ପଦ୍ମଭୂଷଣ ଡକ୍ଟର ଅମୃତାପ୍ରୀତମ୍‌ଙ୍କ ଆତ୍ମଜୀବନୀ ‘‘ରେଭିନ୍ୟୁ ଟିକେଟ୍‌’’ର ଅନୁବାଦ କରିଥିଲେ ନନ୍ଦିନୀଦେବୀ । ଏହି ଅନୁବାଦ ପାଇଁ ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ବିଶେଷତଃ ତସଲିମା ନାସ୍‌ରିନ୍‌ଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘‘ଲଜ୍ଜା’’କୁ ଓଡ଼ିଆରେ ଅନୁବାଦ କରି ନନ୍ଦିନୀଦେବୀ ଅଜସ୍ର ଯଶର ଅଧିକାରିଣୀ ହୋଇପାରିଛନ୍ତି ।

 

ନନ୍ଦିନୀଦେବୀଙ୍କର ପିଲାଟିଦିନରୁ ଗରିବଙ୍କର ଦୁଃଖ ଓ ଦୁର୍ଦ୍ଦଶା ପାଇଁ ତାଙ୍କର ମନ ଭିଜି ଉଠିଥିଲା । ଯାହା ତାଙ୍କର ଅଧିକାଂଶ ଗଳ୍ପ ଓ କବିତାର ପୃଷ୍ଠଭୂମି । ତାଙ୍କର କବିତା/ ଗଳ୍ପ ‘ସୀତାନାନୀର ପୁଅ’, ‘ଆଶ୍ରୟ ପ୍ରାର୍ଥୀ’, ‘ବିଷର ବଳୟ’, ‘ବୀରସା ଭୋଇ’ ପ୍ରଭୃତି ଗଳ୍ପ ଓ ‘ବନ୍ଧ ଭାଙ୍ଗିଗଲା’, ‘ମୋ ମା’, ‘ରକ୍ତର ଜୀବନ’, ‘ସ୍ୱପ୍ନର ବି ସ୍ଵପ୍ନ ଥାଏ’, ‘ଚନ୍ଦ୍ର ତୁମେ ଆଉ ଆସ ନାହିଁ’, ‘ବିଶ୍ଵାସ ବିଶ୍ଵାସ ବିଶ୍ୱାସ’ ପ୍ରଭୃତି କବିତାରେ ଶୋଷିତ ଜନତାର ହାହାକାର ଅତି ହୃଦୟସ୍ପର୍ଶୀ ଭାବରେ ରୂପାୟିତ । ‘ଠିକଣା ହଜିଗଲା’ ତାଙ୍କର ଏକ ଚମତ୍କାର କବିତା । ଯେଉଁଥିରେ କବିଙ୍କର ହତାଶ ଜର୍ଜରିତ ପ୍ରାଣର ବେଦନା ଝରିପଡ଼ିଛି ଟୋପା ଟୋପା ହୋଇ । ରାଜନୀତିରେ ଯୋଗ ଦେଇଥିଲେ ସେ ସ୍ୱପ୍ନର ସେତୁ ଭାଙ୍ଗିପଡ଼ିଛି ଖଣ୍ଡ ଖଣ୍ଡ ହୋଇ । ତେଣୁ ‘ସ୍ୱପ୍ନର ସେତୁ’ କବିତାରେ ତାଙ୍କର ବିଦ୍ରୋହୀ ଆତ୍ମା ଗାଇ ଉଠିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ତମାମ୍‌ ଓଡ଼ିଶା ବୁଲିଲାବେଳେ ସେ ନାରୀମାନଙ୍କର ଅସୁରକ୍ଷିତ ଜୀବନକୁ ଅତି ନିକଟରୁ ପ୍ରତ୍ୟକ୍ଷ କରିଛନ୍ତି । ତଥାପି ସେ ସେମାନଙ୍କର ନିର୍ଯ୍ୟାତିତା ଜୀବନର ଗତାନୁଗତିକ ବର୍ଣ୍ଣନା ନ ଦେଇ ସେମାନଙ୍କୁ ଉତ୍ତରଣର ପଥ ଦେଖାଇଛନ୍ତି । ‘ନାରୀ ତୁମେ ନୁହେଁ ଖାଲି ନାରୀ’ କବିତାରେ ଏହା ହିଁ ବର୍ଣ୍ଣିତ । ‘ବହୁରୂପୀ’ କବିତାରେ ଆମର ପୁରୁଷ ଶାସିତ ସମାଜକୁ ସେ ଚେତାବନୀ ଶୁଣାଇଛନ୍ତି । ‘ଅପରାହ୍ନର ସଂଗୀତ’ ଗଳ୍ପରେ ନିଜକୁ ମହାମହିମ ସମ୍ରାଟ ଭାବୁଥିବା ପୁରୁଷର ଅହଂ କିପରି ଅପରାହ୍ଣରେ ଭୁଷୁଡ଼ି ପଡ଼ିଛି, ତାହା ସେ ସୂଚାଇ ଅଛନ୍ତି । ‘ସୀତାନାନୀର ପୁଅ’ ଗଳ୍ପରେ ନିମ୍ନବର୍ଗର ଦୁଃଖ, କଷ୍ଟ ଓ ସଂଘାତର କାହାଣୀ ରୂପାୟିତ । ‘ଗାୟତ୍ରୀ’ ଗଳ୍ପରେ ଦାରିଦ୍ର୍ୟର ହରଡ଼ଘଣାରେ ପେଷି ହୋଇ ଗୋଟିଏ ଫୁଟି ଆସୁଥିବା ପ୍ରତିଭାର ଅପମୃତ୍ୟୁ ଘଟିଛି ଓ ସେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇଯାଇଛି । ଭସାମେଘ ଗଳ୍ପରେ ଗୋଟିଏ ଅସହାୟ ନାରୀର ନିରୂପାୟତାକୁ ଜୀବନ୍ତ ଭାବରେ ବର୍ଣ୍ଣନା କରାଯାଇଛି । ଅଭିମାନ ଗଳ୍ପରେ ଗୋଟିଏ ବୟସ୍କା ରମଣୀର ଅଭିମାନ ପ୍ରକଟିତ ହୋଇଅଛି । ତାସ୍‌ଘର ଗଳ୍ପରେ ନିଜର ବଡ଼ଲୋକ ଓ ଅହଂକୁ ନେଇ ବଞ୍ଚିଥିବା ନାରୀଟିଏ ନିଜ ଝିଅର ସମାଜସେବା ପାଖରେ ହାର ମାନିଛି । ଡଷ୍ଟବିନ୍‌ ଗଳ୍ପରେ ଜଣେ ପରଶ୍ରୀକାତର ନାରୀର ସମାଜ ସଂସ୍କାର ଓ ଆଧୁନିକତା ବିଶୋଦ୍‌ଗାରର ଚିତ୍ର । ଜିତାପଟ ଗଳ୍ପରେ ଦୁଇଟି ବିପରୀତ ମୁଖୀ ନାରୀ ଚରିତ୍ରର ବର୍ଣ୍ଣନା । ସମୁଦ୍ର ଏକ ନିଆରା ସ୍ଵାଦର ଗଳ୍ପ । ସେଥିରେ ସମୁଦ୍ରମନସ୍କା ରୁମା ଭିତରେ ଲେଖିକା ନିଜର ଆତ୍ମପ୍ରକାଶ କରିଛନ୍ତି ।

 

ନନ୍ଦିନୀଙ୍କର ସାହିତ୍ୟର ଛତ୍ରେ ଛତ୍ରେ ଦୁର୍ଦ୍ଦଶାଗ୍ରସ୍ତ ମଣିଷ ପାଇଁ ଅନନ୍ୟ ମମତ୍ୱବୋଧ, ସାମାଜିକ ଦାୟିତ୍ୱବୋଧତା ଓ କଠୋର କରର୍ତ୍ତବ୍ୟପରାୟଣତା ପ୍ରତିଫଳିତ । ‘ଜୀବନ ଦେବତା’ ଗଳ୍ପରେ ଆଧୁନିକ ମଣିଷର ଆତ୍ମକୈନ୍ଦ୍ରିକତା ଓ ଅହଂକାର ବର୍ଣ୍ଣତ । ‘ଅନ୍ୟ ପୃଥିବୀ’ ଗଳ୍ପରେ ଦେଶସେବିକାଙ୍କର ଚରିତ୍ର ବର୍ଣ୍ଣତ ହୋଇଛି । ‘ଆରପାଖେ’ ଗଳ୍ପରେ ତାଙ୍କ ବନ୍ଦୀ ଜୀବନର ନିଚ୍ଛକ ଜୀବନ ଚିତ୍ର ସହିତ ଆଦର୍ଶବାଦର ମିଳନ ଘଟିଛି । ‘ନବଦିଗନ୍ତ’ ଗଳ୍ପରେ ଏକ ଆଦର୍ଶ ପୁରୁଷର ଉପସ୍ଥାପନା ହୋଇଛି । ହୁଏତ ଏଇ ଆଦର୍ଶ ପୁରୁଷ ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ । ‘ଆଶ୍ରୟପ୍ରାର୍ଥୀ’ ଗଳ୍ପରେ ହିନ୍ଦୁ ଓ ମୁସଲମାନ ଗୋଷ୍ଠୀକନ୍ଦଳର ଏକ ଜୀବନ୍ତ ଚିତ୍ର ପ୍ରଦର୍ଶିତ । ‘ଉଦ୍‌ଘାଟନ’ ଗଳ୍ପଟି ତାଙ୍କର ଆଖିଦେଖା ଘଟଣା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ହୀରାକୁଦ୍‌ବନ୍ଧର ଉଦ୍‌ଘାଟନ ସମୟରେ ‘ପୁନା’ ନାମ୍ନୀ ଆଦିବାସୀ ବିଧବାଟି ଦ୍ୱାରା ବନ୍ଧଟିକୁ ଉଦ୍‌ଘାଟନ ଏହି ଗଳ୍ପର ସାରାଂଶ । ବର୍ତ୍ତମାନର ସମାଜ ବ୍ୟବସ୍ଥାକୁ ବ୍ୟଙ୍ଗ କରି ସେ ଲେଖିଛନ୍ତି- ‘ସ୍ମୃତି ସଭା’ । ମଣିଷ ମରିଯିବା ପରେ ସ୍ମୃତିସଭାର ପ୍ରହସନ ଏଥିରେ ବର୍ଣ୍ଣିତ । ‘ଜନପଥ’ ଗଳ୍ପରେ ନାୟିକା ନୋରା ଦିଲ୍ଲୀରେ ଏକ ରେସ୍ତୋରାଂର ଗାୟିକା । ମୁହଁରେ ଉଗ୍ର ପ୍ରସାଧନ, ଦେହରେ ସ୍ଵଳ୍ପ ପୋଷାକ, କଣ୍ଠରେ ଇଂରାଜୀ ଗୀତର ଧୂନ । ଦର୍ଶକମାନଙ୍କର ଲୋଲୁପ ଦୃଷ୍ଟି ଆଗରେ ମାଂସର ଏକ ସୁଲଭ ପ୍ରଦର୍ଶନୀ ଓ ଅନେକ ବିରୂପ ସମାଲୋଚନାର କେନ୍ଦ୍ରସ୍ଥଳୀ, ଜୀବନ ସଂଗ୍ରାମର ଏକ ଅଭିନବ ରୂପ ।

 

ଗାଳ୍ପିକା ନନ୍ଦିନୀଦେବୀ ତାଙ୍କର ଗଳ୍ପଗୁଡ଼ିକରେ ଦରଦୀ ପ୍ରାଣର ଖିଅ ଟାଣିଟାଣି ଆଉ ଗୋଟିଏ ଜୀବନର ବ୍ୟଥା, ବେଦନାକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି । ସଫଳ ହୋଇଛନ୍ତି ମଧ୍ୟ । ଅୟୁତ କାମର ଜଞ୍ଜାଳ ଭିତରେ ନିଜର ସୃଜନଶୀଳ ଅସ୍ତିତ୍ୱକୁ ଜବରଦସ୍ତ ଚାପି ଦେଉ ଦେଉ କେତେବେଳେ କେଉଁ ଗୋଟିଏ ଘଟଣା ବା ଦୃଶ୍ୟର ଦର୍ଶନରେ ସେ ଛିଟିକି ପଡ଼ିଛି ଓ ହଜିଯାଇଛି ଗୋଟିଏ ଗୋଟିଏ ଗଳ୍ପ - ଅନନ୍ୟ ଓ ଅନୁପମ । ତାଙ୍କର ପ୍ରତ୍ୟେକ ଗଳ୍ପଗୁଡ଼ିକରେ ଲୁଚିରହିଛି ଏକ ଶବ୍ଦୋତ୍ତର ସୃଷ୍ଟି ସମ୍ପଦ ଏକ ଉତ୍ତରିତ ଆତ୍ମାର ବଳିଷ୍ଠ ଉଚ୍ଚାରଣ ।

 

ନନ୍ଦିନୀଙ୍କର ପ୍ରଥମ ଗଳ୍ପ ସଂକଳନ - ୧୯୬୬ ମସିହାରେ ପ୍ରକାଶିତ - ‘‘କେତୋଟି କଥା’'ରେ ବାଇଶିଗୋଟି ଗଳ୍ପ ଓ ଉକ୍ତ ଗଳ୍ପ ସଂକଳନରେ ଅପୂର୍ଣ୍ଣତା ପୂର୍ଣ୍ଣତା ପାଇଛି । ୧୯୮୮ ମସିହାରେ ପ୍ରକାଶିତ ଗଳ୍ପ ସଂକଳନ ‘‘ସପ୍ତଦଶୀ’’ । ଏଥିରେ ସତରଗୋଟି ଗଳ୍ପର ସମାହାରର ସୃଷ୍ଟି-। ଏହି ସଂକଳନଟି ଗଭୀର ଜୀବନାନୁଭୂତି, ଦାର୍ଶନିକ ଦୃଷ୍ଟିଭଙ୍ଗୀ ଓ ଜୀବନ ବିଚିତ୍ର ବର୍ଣ୍ଣବିଭାରେ ଅଧିକ ଉର୍ଜ୍ଜସ୍ଵଳ ହୋଇପାରିଛି । ସଂଯତ ଭାଷା ବିନ୍ୟାସ ଓ ଶୈଳୀର ଚମକତ୍କାରିତା ସଂକଳନଟିକୁ ରସୋତ୍ତୀର୍ଣ୍ଣ କରିଅଛି । ଏହାର ଗଳ୍ପ ‘ବିଷର ବଳୟ’, ‘ସପ ଓ ସ୍ୱପ୍ନଭଙ୍ଗ‘ର ଯନ୍ତ୍ରଣାକୁ ନେଇ ବର୍ଣ୍ଣତ-। ସମାଜର ତଳସ୍ତରର ପିଲାଟିଏ ରାତାରାତି ବଡ଼ଲୋକ ହେବାର ସ୍ୱପ୍ନରେ ମସଗୁଲ ହୋଇ ଚୋରିକୁ ଆଦରି ନେଇ ବାରମ୍ବାର ଜେଲ୍‌ଯାଇଛି । ପୋଲିସକୁ ଲାଞ୍ଚ ଦେଇ ପୁଣି ଖସି ଆସିଛି । ଶୋଷଣ ଓ ଅତ୍ୟାଚାରକୁ ନେଇ ନନ୍ଦିନୀଦେବୀ ଲେଖୁଛନ୍ତି ‘ବିବର୍ତ୍ତନ’ ଓ ‘ବୀରସା ଭୋଇ’ ଭଳି ଅନେକ ଗଳ୍ପ । ‘ବୀରସା ଭୋଇ’ ଗଳ୍ପରେ ଲେଖିକା ଲେଖିଛନ୍ତି- ବୀରସା ଭୋଇକୁ ସେ ନିଜେ ଚାହିଁ ମଧ୍ୟ ତା’ର ଆଖିର ହତାଶାକୁ ସାଉଁଟି ଆଣି ସେଠି ମଣି, ମୁକ୍ତାର ଝଲକ ଭରିଦେବାକୁ । ଏଇ ହେଉଛନ୍ତି ନନ୍ଦିନୀ, ହୁଏତ ମୁଖ୍ୟମନ୍ତ୍ରୀ ହେବାପରେ ଭୂସଂସ୍କାର ଆଇନ ପ୍ରଣୟନ କରିବାକୁ ଶିଳାନ୍ୟାସ ଏଇଠୁ ହିଁ ଆରମ୍ଭ ହୋଇଥଲା ।

 

‘ଗରଳର ଗାରିମା’ ର ଗଳ୍ପରେ ଲେଖିକାଙ୍କର ହୃଦୟସ୍ପର୍ଶୀତା ବେଶ୍‌ ପ୍ରତିଫଳିତ । ସେମାନେ ଭୁଲିଗଲେ ମଧ୍ୟ ନନ୍ଦିନୀଦେବୀ ଭୁଲିପାରିନାହାନ୍ତି ସେ କୋରଡ଼ା ମାଡ଼ । ତାଙ୍କ ଛାତିରୁ ଧାରଧାର ଲୁହ ଗଡ଼ାଇଛି । ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କର ଲୋକାଭିମୁଖୀ ଯୋଜନାଗୁଡ଼ିକ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କୁ ଖୁବ୍‌ ପ୍ରଭାବିତ କରୁଥିଲା । ସେ ମିନିଷ୍ଟର ଆଟାଜ୍‌ ଟୁ ପ୍ରାଇମ୍‌ ମିନିଷ୍ଟର ଥିଲେ । ନନ୍ଦିନୀଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଐତିହାସିକ ଭୂସଂସ୍କାର ଆଇନ, ଯୌତୁକ ନିରୋଧ ଆଇନ୍‌, ମହାଜନୀ କାରବାର ବନ୍ଦ କରିବା, ଭତ୍ତା ପ୍ରବଳଚନ କରିବା ତାଙ୍କର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା ।

 

ଯଶ, କିର୍ତ୍ତୀ, ଐଶ୍ୱର୍ଯ୍ୟ ଓ କ୍ଷମତା ଭିତରେ ବୁଡ଼ିରହି ସେ ଥି‌ଲେ ଜଣେ ବିଚ୍ଛିନ୍ନ ମଣିଷ । ଏକାକୀ ଓ ନିଃସଙ୍ଗ । ତାଙ୍କର ‘ମୋ ଭିତରେ ମୁଁ’ କବିତାରେ ଏହାର ପରିସ୍ଫୁଟନ ଘଟିଅଛି । କବିତାର ଏକଲାପଣ ପାଠକଙ୍କୁ ଉଦାସ କରିଦିଏ । ‘ମୋ କଥା’ କବିତାରେ କେବେ ଲୋକଙ୍କର ସୁଖ, ଦୁଃଖ ସେ ଜାଣିପାରନ୍ତି ଅତ୍ୟନ୍ତ ଅଜଣା ଓ ଅଶୁଣା ଭାବରେ । କିନ୍ତୁ, ନନ୍ଦିନୀଙ୍କର ଦୁର୍ଭାଗ୍ୟ ଯେ, ସେ ଅଜଣା ଓ ଅଶୁଣା ହୋଇ ରହିନାହାନ୍ତି । ଲୀନ ହୋଇଯିବାରେ ଏକ ଭିନ୍ନ ଆନନ୍ଦ ଅଛି । ମୋ ଭଳି ଅପାରଗ ଲୋକ ସାହିତ୍ୟ ଜଗତରେ ଲୀନ ହୋଇଯିବେ । ଓଡ଼ିଆ ମାଟିର ଗର୍ବ ନନ୍ଦିନୀ ଯେ ନିଜକୁ ଅପାରଗ ଭାବି ସାହିତ୍ୟ ସିନ୍ଧୁରେ ଲୀନ ହୋଇଯିବାକୁ ଚାହିଁଛନ୍ତି, ଏହା ହଁ ତାଙ୍କର ମହାନୁଭବତା । ନିଜର ବ୍ୟକ୍ତିଗତ ଇଚ୍ଛା ଓ ଅନିଚ୍ଛାକୁ ଚାପିଦେଇ ମଣିଷର ବେଦନା, ସ୍ଵାଧୀକାରକୁ ଅଗ୍ରାଧିକାର ଦେଇ ନିଜକୁ ହଜାଇ ଦେଇଛନ୍ତି ସେହି ମହାସମୁଦ୍ର ମଧ୍ୟରେ । ତାଙ୍କର କବିତା ‘ଚାଲୁଥିବି ପଥ ଶେଷଯାଏ' ସେହି ମହାଯାତ୍ରାର ସ୍ଵାକ୍ଷର ବହନ କରେ । ‘ମୁଁ ଚଢ଼େଇ କହୁଛି’ ଓ ‘ଭ୍ରାନ୍ତି’ ପରି କବିତା ଏକ ନୂତନ ଚିନ୍ତା ଓ ଚେତନାର ଦିଗ୍‌ବଳୟକୁ ଉନ୍ମୋଚିନ କରେ । କାଞ୍ଜିଆହୁଦା ବର୍ତ୍ତମାନର ଅବକ୍ଷୟର ମୂଲ୍ୟବୋଧକୁ ନେଇ ଏକ ଭିନ୍ନ ସ୍ଵାଦର ବ୍ୟଙ୍ଗାତ୍ମକ କବିତା ।

 

ଅସହାୟ ବୃଦ୍ଧାବସ୍ଥାର କାରୁଣ୍ୟ ପ୍ରତି କବି ସମ୍ବେଦନଶୀଳ । ସମାଜରେ ପ୍ରତିନିୟତ ଘଟୁଥିବା ଘଟଣା ତାଙ୍କର ଅନେକ ଗଳ୍ପର ଉଦ୍ଦେଶ୍ୟ । ‘ଜଣେ ଡେଙ୍ଗାଲୋକର ଇତିବୃତ୍ତି' ନିଆରା ଶୈଳୀରେ ରଚିତ ଏକ ସାର୍ଥକ କ୍ଷୁଦ୍ରଗଳ୍ପ । ମଣିଷର ଅହଂ ଓ ତା’ର ଗର୍ବକୁ ଅତି ବଳିଷ୍ଠ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ତାଙ୍କର ‘ସୁଡ଼ଙ୍ଗର ଶେଷରେ’ ଏକ ପ୍ରତିନିଧି ସ୍ଥାନୀୟ ଗଳ୍ପ, ଯାହା ମାଧ୍ୟମରେ ନନ୍ଦିନୀ ଆତ୍ମପ୍ରକାଶ କରିଛନ୍ତି ଅତି ସ୍ପଷ୍ଟ ଭାବରେ ।

 

ନନ୍ଦିନୀଙ୍କର ସାରସ୍ଵତ ପ୍ରତିଭା ଦ୍ୱିବିଧକାରକ । ସେ ଯେପରି ଜଣେ ସୃଷ୍ଟିଶାଳୀ ଗାଳ୍ପିକା ଓ କବୟତ୍ରୀ, ଠିକ୍‌ ସେହିପରି ଜଣେ ସଫଳ ଅନୁବାଦିକା ।

 

ଅନୁବାଦିକା ନନ୍ଦିନୀ ଶତପଥୀଙ୍କର ପ୍ରଥମ ଅନୁବାଦିତ ପୁସ୍ତକ ହେଉଛି ‘‘ଗାନ୍ଧି କଥାମୃତ’’-। ମହାତ୍ମାଗାନ୍ଧୀଙ୍କ ନିଜ ଭାଷାରେ ଓ ଜୀବନ ଚିନ୍ତା ଏହାର ମୁଖ୍ୟ ବିଷୟବସ୍ତୁ । ଏହାକୁ ସଂଗ୍ରହ ଓ ସଂଯୋଜନା କରିଥିଲେ ସାହିତ୍ୟ ଏକାଡେମୀର ସଚିବ କୃଷ୍ଣକ୍ରିପାଳିନୀ । ଏଥି‌ରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ । ଏହାକୁ ନନ୍ଦିନୀଦେବୀ ଓଡ଼ିଆରେ ଅନୁବାଦ କରିବା ପରେ ଏହି ପୁସ୍ତକଟିକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୦ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲା ।

 

ଭାରତର ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଓ ରଚନାର ସବିଶେଷ ପ୍ରସାର କରିବା ସଙ୍ଗେ ସଙ୍ଗେ ବୃହତ୍ତର ଜନସାଧାରଣଙ୍କର ଚିନ୍ତାଧାରାକୁ ତାହା ଯେପରି ସ୍ପର୍ଶ କରେ, ସେଥିପ୍ରତି ଦୃଷ୍ଠି ରଖି ଏହି ପୁସ୍ତକଟିର ସଂକଳନ ହୋଇଅଛି । ସେଥି‌ରେ ସେ ମହାତ୍ମାଗାନ୍ଧୀଙ୍କର ଜୀବନଦର୍ଶନର ମୂଳତତ୍ତ୍ୱ ଓ ବିଭିନ୍ନ ଦେଶ ଓ ଜାତିର ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ମୈତ୍ରୀ ଭାବ ବୃଦ୍ଧିରେ ତାହାର ପ୍ରଭାବର କଥା ସେ ଉଲ୍ଲେଖ କରିଅଛନ୍ତି ।

 

‘‘ଗାନ୍ଧୀ କଥାମୃତ’’ରେ ମୁଖ୍ୟତଃ ଗାନ୍ଧିଜୀଙ୍କର ଆତ୍ମଜୀବନୀ ସମ୍ପର୍କୀୟ, ଧର୍ମ ଓ ସତ୍ୟ, ସାଧନା ଓ ସାଧ୍ୟ, ଅହିଂସା, ଆତ୍ମଶୋଧନ, ଆନ୍ତର୍ଜାତୀୟ ଶାନ୍ତି, ମଣିଷ ଓ ଯନ୍ତ୍ର, ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ, ଗଣତନ୍ତ୍ର ଓ ଜନତା, ଶିକ୍ଷା, ନାରୀ, ବିବିଧ ଆଦି ବିଷୟରେ ଗାନ୍ଧିଜୀଙ୍କର ନିଜସ୍ଵ ମତାମତ ପରିପ୍ରକାଶ ହୋଇଅଛି ।

 

ଅନୁବାଦିକା ନନ୍ଦିନୀ ଶତପଥୀଙ୍କର ଦ୍ୱିତୀୟ ଅନୁବାଦ ପୁସ୍ତକ ହେଉଛି ଅମୃତାପ୍ରୀତମ୍‌ଙ୍କର ‘ରେଭିନ୍ୟୁ ଟିକେଟ' । ଭାରତୀୟ ବିଶିଷ୍ଟ ଲେଖିକା ପୂର୍ବତନ ରାଜ୍ୟସଭା ସାଂସଦ, ଜ୍ଞାନପୀଠ ବିଜୟିନୀ ପଦ୍ମବିଭୂଷଣ ଡକ୍ଟର ଅମୃତାପ୍ରୀତମ୍‌ଙ୍କର ଆତ୍ମଜୀବନୀ ‘‘ରେଭିନ୍ୟୁ ଟିକେଟ୍‌’’କୁ ନନ୍ଦିନୀ ଶତପଥୀ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ପୁସ୍ତକ ପାଇଁ ନନ୍ଦିନୀଦେବୀ ୨୪ ଡିସେମ୍ବର ୧୯୯୫ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଅମୃତାପ୍ରୀତମ୍‌ଙ୍କର ଜୀବନ ଥିଲା ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ସ୍ଵର ଉତ୍ତୋଳନ କରିବା । ସେ ବେଳର ଯେପରି ରକ୍ଷଣଶୀଳ ପଞ୍ଜାବୀ ଝିଅ ସମାଜରେ ସିଗାରେଟ୍‌ ପିଇବା, ତାଙ୍କଠାରୁ କମ୍‌ ବର୍ଷର ଚିତ୍ରକର ଇମ୍‌ରୋଜଙ୍କ ସହ ନିଜ ଘରେ ବାସ କରିବା ଓ ଆହୁରି ଅନେକ ସାମାଜିକ ପରିବେଶ ଓ ସମାଜ ବିରୁଦ୍ଧରେ ପରିବର୍ତ୍ତନ ଏହି ରେଭିନ୍ୟୁ ଟିକେଟ୍‌ର ମୁଖ୍ୟ ବିଷୟବସ୍ତୁ । ଅମୃତା ପ୍ରୀତମ୍‌ ନିଜ ଭିତର ଓ ବାହାରର ଟିକ୍‌ନିକ୍‌ ଭାବରେ ବିଶ୍ଳେଷଣ କରିବା ଓ ପାଠକପାଠିକାମାନଙ୍କ ନିକଟରେ ଏହାକୁ ଏତେ ସାହସର ସହିତ ଉପସ୍ଥାପିତ କରିବା କୌଣସି ପ୍ରତିଷ୍ଠିତା ନାରୀ ପକ୍ଷରେ ସଚରାଚର ଦୃଷ୍ଟିଗୋଚର ହୁଏନାହିଁ । କିନ୍ତୁ ଏ କ୍ଷେତ୍ରରେ ଅନନ୍ୟା ଥି‌ଲେ ଅମୃତାପ୍ରୀତମ୍‌।

 

ଅନୁବାଦିକା ନନ୍ଦିନୀ ଶତପଥୀଙ୍କର ତୃତୀୟ ଅନୁବାଦ ପୁସ୍ତକ ବିଶିଷ୍ଟ ବଙ୍ଗଳା ଲେଖିକା ତସଲିମା ନାସରିନ୍‌ଙ୍କ ‘ଲଜ୍ଜା’ର ଓଡ଼ିଆ ଅନୁବାଦ । ‘ଲଜ୍ଜା’ ଉପନ୍ୟାସର ଓଡ଼ିଆ ଅନୁବାଦ ନନ୍ଦିନୀଙ୍କୁ ସାହିତ୍ୟ ଜଗତରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରିଣୀ କରିପାରିଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ସାରା ପୃଥିବୀରେ ତଥା ଭାରତରେ ସାମ୍ପ୍ରଦାୟିକତା ଯେପରି ଭୀଷଣ ଆକାର ଧାରଣ କରିଛି ଏବଂ ସବୁ ଧର୍ମର ମୌଳିକବାଦୀମାନେ ଯେପରି ସେମାନଙ୍କର ଟେଣ୍ଟାକଲ୍ ବିସ୍ତରାର କରୁଛନ୍ତି, ତସଲିମାଙ୍କ ‘‘ଲଜ୍ଜା’’ ତାହାର ଏକ ସାହସିକ ବିରୋଧ ।

 

‘‘ଏ ପର୍ଯ୍ୟନ୍ତ ଦେଶ ବିଭାଜନର କ୍ଷତ ମିଳେଇ ଯାଇନି, ଯାହା ଫଳରେ ମଝିରେ ମଝିରେ ସାମ୍ପ୍ରଦାୟିକ ସଂଘର୍ଷ ଆରମ୍ଭ ହୋଇଯାଇ ଏହାର ଶିକାର ହୋଇଥାନ୍ତି ନିରୀହ ଲୋକମାନେ । ଭାରତର ଯେକୌଣସି ଧର୍ମୀୟ ଉନ୍ମତ୍ତତାର ପ୍ରତିକ୍ରିୟା ମଧ୍ୟ ଦେଖାଯାଏ ବଙ୍ଗଳା ଦେଶରେ । ବଙ୍ଗଳା ଦେଶର ଜଣେ ତରୁଣ ଯୁବକ ସୁରଂଜନ, ବଙ୍ଗଳା ଦେଶରେ ତାହାର ଜନ୍ମ, ସେ ହୁଁ ତାହାର ସ୍ଵଦେଶ । ଧର୍ମୀୟ. ମୌଳବାଦୀମାନଙ୍କର ଉନ୍ମତ୍ତତାରେ ତାକୁ ବାସହରା, ବନ୍ଧୁହରା ହେବାକୁ ପଡ଼ିଲା । ଶେଷ ପର୍ଯ୍ୟନ୍ତ ଗୋଟିଏ ତିକ୍ତ ନୈରାଶ୍ୟମୟ ଜୀବନକୁ ଠେଲିହୋଇ ଯାଉ ଯାଉ ଉନ୍ମାଦ ଭଳି ସେ ଗୋଟିଏ କାଣ୍ଡ କରିବସିଲା ।

 

ସାମ୍ପ୍ରତିକ ସମୟରେ ଏକ ଅସହାୟ ଟ୍ରାଜେଡ଼ିର କଥା ଦୁଃସାହସିନୀ ତସଲିମା ନାସରିନ୍‌ଙ୍କର କଲମରେ ଜୀବନ୍ତ ହୋଇ ଫୁଟି ଉଠିଲା । ଏହି କାହାଣୀରେ ସବୁ ସାମ୍ପ୍ରଦାୟିକ ମୌଳବାଦୀମାନଙ୍କୁ ସେ ତୀବ୍ର ଆକ୍ରମଣ କରିଅଛନ୍ତି ।

 

ଅନୁବାଦିକା ନନ୍ଦିନୀ ଶତପଥୀଙ୍କର ଚତୁର୍ଥ ଓ ଶେଷ ଅନୁବାଦ ପୁସ୍ତକ ବଙ୍ଗଳା ଲେଖିକା ମହାଶ୍ୱେତାଦେବୀଙ୍କ ‘‘ନିର୍ବାଚିତ ଗଳ୍ପ’’ । ମହାଶ୍ୱେତାଦେବୀ ଭାରତୀୟ ସାହିତ୍ୟ ଜଗତର ଏକ ସୁପରିଚିତ ନାମ । ଜନସାଧାରଣ ତଥା ଦରିଦ୍ର, ନିପୀଡ଼ିତ ମଣିଷର ସେବା କରିବା, ବିଶେଷକରି ପାହାଡ଼ ଜଙ୍ଗଲରେ ବସବାସ କରୁଥିବା ଅଧିବାସୀମାନଙ୍କର ସେବା କରିବା ପାଇଁ ସେ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିଅଛନ୍ତି । ଜମିଦାର, ମହାଜନ ଇତ୍ୟାଦି ଧନୀ ଲୋକମାନଙ୍କର ସାଧାରଣ ଲୋକଙ୍କ ପ୍ରତି ଯେଉଁ ବ୍ୟବହାର ସେସବୁକୁ ଅତ୍ୟନ୍ତ ସାବଲୀଳ ଓ ପ୍ରାଣସ୍ପର୍ଶୀ ଭାବରେ ମହାଶ୍ଵେତାଦେବୀ ପ୍ରକାଶ କରିଛନ୍ତି । ତାଙ୍କର ପଚାଶଟି ଗଳ୍ପ ମଧ୍ୟରୁ ନନ୍ଦିନୀଦେବୀ କୋଡ଼ିଏଟି ଗଳ୍ପ ଓଡ଼ିଆରେ ଅନୁବାଦ କରିଛନ୍ତି । ଯଥା- ଜଗନ୍ନାଥଙ୍କର ରଥ, ଶିଶୁ, ଛୁରୀ, କବିପତ୍ନୀ, ଅର୍ଜୁନ, ଗନ୍ଧ, ଚୋଲିକେ ପିଛେ, ଭାତ, ଜଳଛତ୍ର, ଭୀଷ୍ମଙ୍କ ପିପାସା, ଉର୍ବସୀ ଓ ଜନି, ଜନ୍ମଦିନ, ସଂଜ ଓ ସକାଳର ମା’’, ସିନ୍ଧୁବାଳା, ଭିତ୍ତି, ଭାରତବର୍ଷ, ଶୂନ୍ୟସ୍ଥାନ ପୂରଣ କର, ଜାହ୍ନବୀ ମା, ବନ୍ୟା ଓ ନିଶାତ୍‌ ମାଝିର ଭୂଟାନ୍‌ ଯାତ୍ରା ଖୁବ୍‌ ହୃଦୟସ୍ପର୍ଶୀ ।

 

ନନ୍ଦିନୀ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ବର୍ଦ୍ଧିତା ହୋଇଥି‌ଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ପ୍ରଜାତନ୍ତ୍ର ପ୍ରଚାର ସମିତି ସମ୍ମାନ ବ୍ୟତୀତ ସେ ମଧ୍ୟ ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତା । ସେହିପରି ନନ୍ଦିନୀଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।

 

ନନ୍ଦିନୀ ଶତପଥୀ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ, ଜୀବନରେ କାହାପାଖରେ କେବେହେଲେ ମୁଣ୍ଡ ନୁଆଁଇନାହାନ୍ତି । ତମାମ୍‌ ଜୀବନ ଲଢ଼ି ଆସିଥିବା ନନ୍ଦିନୀ ଆପଣା ରୋଗ ସାଙ୍ଗରେ ଲଢ଼ିଥିଲେ ବେଶ୍‌ କେତେବର୍ଷ । ୨୦୦୬ ମସିହା ଅଗଷ୍ଟ ୪ ତାରିଖରେ ତାଙ୍କ ଜୀବନଦୀପ ଲିଭିଯାଇଥିଲା । ତାଙ୍କ ମୃତ୍ୟୁରେ ଭାରତବର୍ଷ ହରାଇଲା ଜଣେ ଜନନାୟିକାଙ୍କୁ ଓ ସର୍ବୋପରି ଓଡ଼ିଆ ସାହିତ୍ୟ ଜଗତରେ ମଧ୍ୟ ଅପୂରଣୀୟ କ୍ଷତି ଘଟିଲା ।

 

ଅନାଲୋଚିତ ନନ୍ଦିନୀଙ୍କ ସାରସ୍ଵତ ସୃଷ୍ଟିର ଅବଦାନକୁ ଆକଳନ କରିବା ମୋ ଗବେଷଣାର ଲକ୍ଷ୍ୟ । କାଲି ହୁଏତ ରାଜନୀତିଜ୍ଞ ନନ୍ଦିନୀ କାଳଗର୍ଭରେ ଲୀନ ହୋଇଯାଇପାରନ୍ତି, ମାତ୍ର ସାରସ୍ଵତ କୌଳୀନ୍ୟ ଥିବା ନନ୍ଦିନୀ ଚିରକାଳ ଅମର ହୋଇ ରହିବେ ।

 

ଶ୍ରୀରାମ ନିବାସ ।

ପୋ-ଭୁବନ-୭୫୯୦୧୭

ଜି : ଢେଙ୍କାନାଳ

***